Unknown

 

 

 

 

 

 

 

 

 

ଧର୍ମଯୁଦ୍ଧ

ସାତକଡ଼ି ହୋତା

 

॥ ଏକ ॥

 

ଆକାଶକୁ ଚାହିଁ ଭାବୁଥିଲା ସତ୍ୟକାମ ।

 

ଏଇ ସୂର୍ଯ୍ୟ, ଚନ୍ଦ୍ର, ତାରା କେବେ ସୃଷ୍ଟି ହେଲେ ? କିଏ ସୃଷ୍ଟି କଲା ଏଇ ଆକାଶ ଓ ଅନ୍ତରୀକ୍ଷ ? କୋଟି କୋଟି ବର୍ଷ ଲାଗିଥିବ ବିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନର ସ୍ଥିତିରେ ପହଞ୍ଚିବାପାଇଁ । ଋଗ୍‌ବେଦର ସୃଷ୍ଟିତତ୍ତ୍ଵରେ ମଧ୍ୟ ଏଇ ବିଶ୍ଵବ୍ରହ୍ମାଣ୍ଡର ଆରମ୍ଭ କିପରି ଓ କେବେ ହେଲା, ତା’ପୂର୍ବରୁ କ’ଣ ଥିଲା ଏବଂ କିପରି କ’ଣ ଘଟିଲା ସେ ସମ୍ପର୍କରେ ନିଶ୍ଚିତଭାବେ କିଛି କୁହାଯାଇ ନାହିଁ । ତଥାପି ଏଇ ବିଶ୍ଵବ୍ରହ୍ମାଣ୍ତରେ ଯେ ମହାଶୂନ୍ୟ ଥିଲା, ମହାଭୂତର ସତ୍ତା ବି ନ ଥିଲା ସେଇ ସିଦ୍ଧାନ୍ତରେ ବୈଜ୍ଞାନିକମାନେ ପହଞ୍ଚିଛନ୍ତି । ‘ବିଗ୍‌ବେଙ୍ଗ୍’ ପରେହିଁ ସୃଷ୍ଟି ଆରମ୍ଭ ହେଲା, ତା’ ସହିତ ସମୟ ବି ଆରମ୍ଭ ହେଲା, ଧୀରେ ଧୀରେ ଜଳ, ଆଲୋକ ଓ ଉଷ୍ମତାରୁ ଜଡ଼, ଉଦ୍ଭିଦ ଓ ଜୀବଜଗତ ସୃଷ୍ଟି ହେଲା... !

 

ଭାବୁ ଭାବୁ ଝୁଣ୍ଟିପଡ଼େ ସତ୍ୟକାମ, ହଜାଇଦିଏ ନିଜକୁ ସେଇ ମହାଶୂନ୍ୟରେ । ସପ୍ତର୍ଷି ମଣ୍ଡଳ ଅସ୍ପଷ୍ଟ ହୋଇଯାଏ, ଏବଂ ଧ୍ରୁବ ତାରା ଲୁଚିଯାଏ କୋଟି କୋଟି ତାରାଙ୍କ ଗହଣରେ ।

 

ସେ ବି ଯଦି ଲୁଚି ଯାଇଥାନ୍ତା ଅଗଣିତ ମଣିଷ ମେଳରେ, ତେବେ ତାକୁ କେହି ପ୍ରଶ୍ନ ପଚାରି ନ ଥାନ୍ତେ, କାହା ମନରେ ଆଗ୍ରହ ସୃଷ୍ଟି ହୋଇ ନ ଥାନ୍ତା ତା’ ସମ୍ବନ୍ଧରେ ଜାଣିବାପାଇଁ । ସେ କେବଳ ଗୋଟିଏ ଉଲ୍‌କାପିଣ୍ଡ ପରି ବୁଲୁଥାଆନ୍ତା ନିର୍ଦ୍ଦିଷ୍ଟ କକ୍ଷ ଚାରି ପାଖରେ ।

 

କିନ୍ତୁ ଏ ଜଗତରେ ଯାହା ଘଟିବ ବୋଲି ସମ୍ଭାବନା ଥାଏ ତାହା ସବୁବେଳେ ଘଟେ ନାହିଁ, ଅକସ୍ମାତ୍ ଅସମ୍ଭବ ମନେହେଉଥିବା ଘଟଣାଟିଏ ଘଟିଯାଏ କେଉଁ ଅଜ୍ଞାତ ଶକ୍ତିର ନିର୍ଦ୍ଦେଶରେ । ମଣିଷର ଅକ୍ତିଆର ନାହିଁ ସେଇ ଶକ୍ତି ବାହାରକୁ ଚାଲିଯିବାପାଇଁ । ଶୂନ୍ୟ ଚାରିପାଖରେ ପୃଥିବୀ ବାଧ୍ୟ ହୋଇ ଘୂରିବା ପରି ମେରିଖୁଣ୍ଟ ଚାରିପାଖରେ ଘୂରିବାହିଁ ବୋଧହୁଏ ମଣିଷର ନିୟତି ।

କାହାର କ୍ଷୀଣ ସ୍ଵର ଭାସିଆସିଲା ପବନରେ ।

ଜଣେ ଆଉ ଜଣକୁ ପଚାରୁଥିବା ପ୍ରଶ୍ନ ସତ୍ୟକାମର କାନରେ ପଡ଼ିଲା କକ୍ଷଚ୍ୟୁତ ଉଲ୍‍କା ଭୂଇଁ ଉପରେ ପଡ଼ିବା ପରି ।

–ଆଶ୍ଚର୍ଯ୍ୟ ! ସେ ନିଜ ବାପ ନାମ କହିପାରିଲା ନାହିଁ... ତା’ ମା’ ହୁଏତ କହି ପାରିଥାନ୍ତେ, କିନ୍ତୁ ସେ ବି କହିପାରିଲେ ନାହିଁ ପିଲାର ପିତା କିଏ ?

ଏଇ ପ୍ରଶ୍ନର ଉତ୍ତର ସେଦିନ ଶିକ୍ଷକଙ୍କୁ, ସାଙ୍ଗମାନଙ୍କୁ ଦେଇପାରି ନ ଥଲା ସତ୍ୟକାମ । କୋଡ଼ିଏ ବର୍ଷ ପରେ ଆଜି ବି ସେଇ ପ୍ରଶ୍ନର ଉତ୍ତର ଜାଣେନି ସେ ! କିନ୍ତୁ ସେ ନିଶ୍ଚିତ ଯେ ମା’ ତାକୁ ଜନ୍ମ ଦେଇଛନ୍ତି । ସେଇଦିନୁ ସେ ଧରି ନେଇଛି ଯେ ମା’ ତା’ର ବାପା ମଧ୍ୟ । ଜନ୍ମଦାତ୍ରୀ ଜନନୀଠାରୁ ଆଉ କିଏ ବଡ଼ ଅଛି ଏଇ ସଂସାରରେ ? ସେ ସ୍ଵର୍ଗଠାରୁ ବି ମହାନ୍, ଏ ଜଗତର ସମସ୍ତଙ୍କଠାରୁ ସେ ମହିମାମୟୀ, ଦୀପ୍ତିମୟୀ.. ।

ସତ୍ୟକାମ ଉଠିଲା । କେହି ଜଣେ ଫାଟକ ଖୋଲି ଘରଆଡ଼କୁ ମୁହାଁଉଥିବା ଦୃଷ୍ଟିରେ ପଡ଼ିଲା ତା’ର । ଚିହ୍ନା ଚିହ୍ନା ମୁହଁ, କିନ୍ତୁ ମନେପଡ଼ିଲା ନାହିଁ ସେ କିଏ ? କେଉଁଠି ତାଙ୍କୁ ଦେଖିଥିଲା-? ତା’ ପରିଚୟ କ’ଣ ?

ସେ ଆସି ଠିଆ ହେଲା ସତ୍ୟକାମ ଆଗରେ ।

 

‘‘କାହାକୁ ଖୋଜୁଛ ?’’ ପ୍ରଶ୍ନ କଲା ସତ୍ୟକାମ ।

 

‘‘ଗୋଟେ ଚିଠି ନେଇ ଆସିଛି ସତ୍ୟକାମଙ୍କୁ ଦବାପାଇଁ । ଚିଠିଟା ଦେଇ ଚାଲିଯିବି...।’’ କହିଲେ ଆଗନ୍ତୁକ ।

 

‘‘ମୋ ନାମ ସତ୍ୟକାମ...” ।

 

‘‘ମୋ ନାମ ଅର୍କ... ଅର୍କ ପଟ୍ଟନାୟକ... ।’’

 

ହାତ ବଢ଼ାଇ ହାତରୁ ଚିଠିଟା ନେଲା ସତ୍ୟକାମ । ଅର୍କ ଚାଲିଯାଉଥିଲା, କିନ୍ତୁ ତାକୁ ଅଟକାଇ ଦେଇ କହିଲା ସତ୍ୟକାମ – ‘‘ଟିକେ ରହିଯାଅ... ମୁଁ ଚିଠିଟା ପଢ଼ିନିଏ... ହୁଏତ କିଛି ଖବର ଦବା ଦରକାର ପଡ଼ିପାରେ ।’’

 

ଲଫାପା ଚିରି ଚିଠି ପଢ଼ିଲା ସତ୍ୟକାମ । ପତ୍ର ଲେଖକଙ୍କ ନାମ ଏହା ପୂର୍ବରୁ ଆଉ କେବେ ଶୁଣିଥିବା ପରି ମନେପଡ଼ିଲା ନାହିଁ । ତାଙ୍କ ସହିତ ଯେ କାହିଁ ସାକ୍ଷାତ୍ ହୋଇଥିବ ଏ ବିଷୟରେ ମଧ୍ୟ ନିଶ୍ଚିତ ନ ଥିଲା । ସେଇ ସଂକ୍ଷିପ୍ତ ଚିଠିରେ ପତ୍ରପ୍ରେରକ ସୂଚାଇ ଦେଇଥିଲେ ଯେ ସବୁ ବୀଜରୁ ବୃକ୍ଷଲତା ଜନ୍ମିବାପରି ମଣିଷର ଜନ୍ମ ପଛରେ ସେଇପରି ଗୋଟିଏ ସଂଯୋଗ ଥିବ, ତାହା କୌଣସି ଆକସ୍ମିକ ଦୁର୍ଘଟଣାରୁ ହେଉ ବା ଅକସ୍ମାତ୍‌ କୌଣସି ଇଚ୍ଛାକୃତ ବା ଅନିଚ୍ଛାକୃତ ସଂଯୋଗରୁ ହେଉ ।

ସେଇଠାରେ ଅଟକିଗଲା ସତ୍ୟକାମ । ଆଉ ପଢ଼ିବାପାଇଁ ସାହସ ହେଲା ନାହିଁ: ଭାବିବାପାଇଁ ଦମ୍ଭ ନ ଥିଲା ମନରେ । ଅଳ୍ପ ସମୟ ପୂର୍ବରୁ ତା’ ମନରେ ଥିବା ପ୍ରସନ୍ନତା, - ଶରୀରର ସତେଜତା ହଠାତ୍ ହଜିଗଲା ଜନଗହଳି ରାସ୍ତାରେ ଶିଶୁଟିଏ ହଜିଯିବା ପରି ।

ତା’ ଆଗରେ ଉଦ୍ଭାସିତ ହେଉଥିଲା ରୁପେଲି ପର୍ଦାରେ ଯେପରି ଗୋଟିଏ ପରେ ଗୋଟିଏ ଦୃଶ୍ୟ ଭାସିଉଠେ ଦର୍ଶକମାନଙ୍କ ଆଗରେ ।

ସିନେମା ହଲ୍‌ର ଭରପୂର ଦର୍ଶକ ମଣ୍ଡଳୀ ଉତ୍କଣ୍ଠାର ସହିତ ଅନାଇ ରହିଥିଲେ ପର୍ଦା ଉପରକୁ ୟା ପରେ କ’ଣ ଘଟିବ ଦେଖିବାପାଇଁ । କଲେଜ ଛୁଟି ହେଲା ଚାରିଟାରେ । କିନ୍ତୁ ଯେଉଁମାନେ କଲେଜ ଡ୍ରାମାରେ ଅଭିନୟ କରିବାପାଇଁ ରିହରସାଲ କରୁଥିଲେ ସେମାନେ ଅଟକିଗଲେ ଗୋଟେ କୋଠରିରେ ଅଭିନୟ କରିବାପାଇଁ । କଲେଜ କୁଇନ୍ ସୁନନ୍ଦା ହିରୋଇନ୍ ଭୂମିକାରେ ଅଭିନୟ କରିବା କଥା । ସେ ରିହରସାଲ ସାରି ଫେରିବାବେଳକୁ ସଂଧ୍ୟା ହୋଇସାରିଥିଲା । ରାସ୍ତା କଡ଼ ଲାଇଟ୍‌ ସେଦିନ ଜଳୁ ନ ଥିଲା ସନ୍ଧ୍ୟାରେ । ହୁଏତ କେଉଁଠି ଲାଇନ ଖରାପ ଥିବ, ବା ଫ୍ୟୁଜ୍‌ ମରାମତି କରିବାପାଇଁ ଲାଇନ୍‌ କାଟି ଦେଇଥିବେ କର୍ତ୍ତୃପକ୍ଷ ।

ଅନ୍ଧାର ରାସ୍ତାରେ ତାକୁ ସାଙ୍ଗ ଦବାପାଇଁ କେହି ନ ଥିଲେ ପାଖରେ । ସେ ପୋଲ ପାରି ହେବା ପରେ ହିନ୍ଦ୍ ସିନେମା ଓ କେନାଲ୍‌ ମଝିରେ ଥିବା ରାସ୍ତାରେ ଆଗକୁ ପାଦ ବଢ଼ାଇଥିବାବେଳେ ହଠାତ୍‌ ଗୋଟେ ମୋଟରସାଇକେଲ ଆସି ତା’ ଆଗରେ ଛିଡ଼ା ହେଲା ଜଣେ ଏବଂ ଅନ୍ଧାରରେ ଏକୁଟିଆ ନ ଯାଇ ସାଙ୍ଗରେ ଗଲେ ତାକୁ ଘରେ ପହଞ୍ଚାଇ ଦେବ କହିଲା । ସେମାନେ ଥିଲେ ଦୁଇ ଜଣ । ସୁନନ୍ଦା ସେମାନଙ୍କ କଥା ନ ଶୁଣିବା ପରି ଆଗକୁ ପାଦ ବଢ଼ାଇବାବେଳେ ଜଣେ ତାକୁ ଜୋର୍‍ କରି ଆଗ ସିଟ୍‌ରେ ବସିଥିବା ଲୋକ ପଛରେ ବସାଇଦେଇ ତା’ ପଛରେ ବସିଗଲାକ୍ଷଣି ଚାଳକ ଗାଡ଼ି ଛାଡ଼ିଦେଲା । ସୁନନ୍ଦା ଚିତ୍କାର କଲା, ହାତଗୋଡ଼ ଛାଟିଲା ସେମାନଙ୍କ କବଳରୁ ମୁକୁଳି ଯିବାପାଇଁ । ତା’ର ଚିତ୍କାର ଶୁଣି ହୁଏତ କେତେ ଜଣ ‘ଧର ଧର’ କହି ଆଗେଇ ଆସୁଥିବାର ଶବ୍ଦ କାନରେ ପଡ଼ିଲା ତା’ର... କିନ୍ତୁ ବନ୍ଧୁକରୁ ଗୁଳି ଫୁଟିବା ପରି କ’ଣ ଗୋଟେ ଶବ୍ଦ ହେଲା... ପାଖେଇ ଆସିଥିବା ପାଦଶବ୍ଦ ଆଉ ଶୁଣାଗଲା ନାହିଁ...। ପଛରେ ବସିଥିବା ଲୋକଟି ଗୋଟେ ରୁମାଲ ସୁନନ୍ଦା ମୁହଁ ଉପରେ ଜାକି ଧରିଥାଏ । ସେଇ ରୁମାଲର ଉତ୍କଟ ଗନ୍ଧ ତାକୁ କ୍ରମଶଃ ବିବଶ କରିଦେଲା କେତେ କ୍ଷଣରେ । ତା’ପରେ କ’ଣ ହେଲା ସେ ଜାଣେନି...

ମୋଟର ସାଇକଲରେ ଯାଇଥିବା ଦୁର୍ବୃତ୍ତମାନେ ତାକୁ ଗୋଟେ କୋଠରି ଭିତରେ ଭର୍ତ୍ତି କରି କବାଟ କିଳି ଦବାର ଦୃଶ୍ୟ ଭାସିଉଠିଲା ପର୍ଦ୍ଦା ଉପରେ । ମେଘ ଘୋଟି ଆସିଥିଲା ଅକାଶକୁ ଆବୃତ୍ତ କରି । ଅନ୍ଧାର ଆହୁରି ବହଳ ହେଉଥିଲା ।

 

କିଛି ସମୟ ପରେ ସୁନନ୍ଦାର ଚେତା ଆସିଲା । ହଠାତ୍‌ ରାସ୍ତାକଡ଼ର ଆଲୁଅ ଜଳି ଉଠିଲା-। ସେଇ ଘର ଭିତରେ ବି ଆଲୁଅ ଜଳିଲା । ତା’ର ପ୍ରତିବାଦ, ପ୍ରତିରୋଧ ପ୍ରତି ଭ୍ରୂକ୍ଷେପ ନ କରି ଜଣେ ନଇଁ ପଡ଼ିଲା ତା’ ଛାତି ଉପରେ । ଏଇ ଦୃଶ୍ୟ ଦେଖିବାପାଇଁ ଶକ୍ତି ନ ଥିଲା ସତ୍ୟକାମର । ସେ ସାଙ୍ଗମାନଙ୍କ ଅଜ୍ଞାତରେ ପ୍ରେକ୍ଷାଳୟରୁ ବାହାରିଆସି ମିଶି ଯାଇଥିଲା ଜନ ସମୁଦ୍ରରେ ।

 

ଆଜି ପୁଣି ମନେପଡ଼ିଲା ସେଇ ଦୃଶ୍ୟ । ଆଖି ବୁଜି ହୋଇଗଲା ସତ୍ୟକାମର... ସେ ଆଉ ଭାବିପାରିଲା ନାହିଁ... ତା’ ଦୁଇ ଆଖିରୁ କେତେବେଳେ ଦୁଇଧାର ତତଲା ଲୁହ ଗଡ଼ିପଡ଼ିଲା, ସେ ଜାଣିପାରିଲା ନାହିଁ...

 

ପାଶବିକ ଅତ୍ୟାଚାରର ଶିକାର ହୋଇଥିବା ସେଇ ନିଃସହାୟା କଲେଜ ଛାତ୍ରୀ ପ୍ରତି ଅମାପ ସମ୍ବେଦନ ଜାତ ହେଲା ତା’ର ଅନ୍ତର ଭିତରେ । ସେ ଲୁହ ପୋଛିବାକୁ ଭୁଲିଗଲା... କାନ୍ଥ ଘଣ୍ଟାର ଟିକ୍‌ଟିକ୍‌ ଶବ୍ଦ ତା’ କାନରେ ପଡ଼ିଲା ନାହିଁ...

 

ଅନେକ ସମୟ ଅତିବାହିତ ହେବାପରେ ବି ସତ୍ୟକାମ ଅର୍କର ଉପସ୍ଥିତି ଅନୁଭବ କରିପାରିଲା ନାହିଁ । ସେ କ’ଣ ଭାବୁଥିବ ସେ ବିଷୟରେ ମଧ୍ୟ ସଚେତନ ନ ଥିଲା । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ଅର୍କ ସତ୍ୟକାମକୁ ମନେପକାଇ ଦବାପାଇଁ ଅତି ସନ୍ତର୍ପଣର ସହିତ ନମ୍ର ସ୍ଵରରେ କହିଲା - “ଆଉ ଯଦି କିଛି କାମ ନ ଥାଏ, ଆଜ୍ଞା ଦେଲେ ମୁଁ ଉଠିବି...।’’

 

ତା’ ସ୍ଵର ଶୁଣି ସ୍ଵପ୍ନଭଙ୍ଗ ହେବା ପରି ଆଖି ଖୋଲିଲା ସତ୍ୟକାମ । କିଛି କହିବାପାଇଁ ଚେଷ୍ଟା କରି ମଧ୍ୟ ପାରିଲା ନାହିଁ । ତା’ ମୁହଁରୁ ଶବ୍ଦଟିଏ ବି ସ୍ଫୁରିଲା ନାହିଁ ।

 

ହାତ ଦେଖାଇ ସେ ସୂଚନା ଦେଲା ଅର୍କକୁ ।

 

ଅର୍କ ଧୀରେ ଧୀରେ ବାହାରିଗଲା ପଦାକୁ ।

 

ସମୁଦ୍ର ଭିତରେ ମୋତି ଖୋଜୁଥିବା ବୁଡ଼ାଳି ପରି ସତ୍ୟକାମ କିନ୍ତୁ ଖୋଜୁଥିଲା କାହାକୁ... ଜାଣିବାପାଇଁ ଇଚ୍ଛା ହେଉଥିଲା ପୃଥିବୀର ରାଶି ରାଶି ଘଟଣା ଓ ଦୁର୍ଘଟଣା ଭିତରେ ଲୁଚି ଯାଇଥିବା ସେଇ ହତଭାଗିନୀ କଲ୍ୟାଣମୟୀର କରୁଣ କାହାଣୀ ।

 

‘‘କୁଆଡ଼େ ହଜିଗଲା ସେଇ ହତଭାଗିନୀ ? ସମାଜ ତାକୁ ସହାୟତା କଲା ନାହିଁ, ଶାସନ ନିରବ ରହିଲା ଏ ବିଷୟ ଜାଣି; ସଚେତନ ନାଗରିକମାନେ କେବଳ ଦୀର୍ଘଶ୍ଵାସଟିଏ ଛାଡ଼ି କହିଥିବେ ପରସ୍ପରକୁ - “ଅନ୍ଧାରି ରାସ୍ତାରେ ସେ ଯାଉଥିଲା କାହିଁକି ଯେ... ଇମିତି ଭୁଲ କଲେ ଶାସ୍ତି ଭୋଗିବାକୁ ହୁଏ... ଆଜିକାଲି ଝିଅ ବୋହୂ ସ୍ଵାଧୀନ, କାହା କଥା ମାନିବେ ନାହିଁ । ନିଜ ମାର୍ଗ ନିଜେ ବାଛିବେ... ସେମାନଙ୍କର ଏଇ ଦୁର୍ଗତି ହେବନି ତ ଆଉ କାହାର ହେବ !’

 

ମଣିଷମାନେ ଈଶ୍ଵରଙ୍କ ଦୃଷ୍ଟିରେ ସମସ୍ତେ ସମାନ । ସମସ୍ତେ ଅମୃତର ସନ୍ତାନ । କିନ୍ତୁ ଜନ୍ମ ହେବା ପରେ ସେମାନେ ବାଣ୍ଟି ହୋଇଯାଆନ୍ତି ଜାତି, ଗୋତ୍ର, ଧର୍ମ ସମ୍ପ୍ରଦାୟ ଓ ଶ୍ରେଣୀରେ । ଜନ୍ମଠାରୁ ଜୁଇକୁ ଯିବା ପର୍ଯ୍ୟନ୍ତ ଅସମାନତାର ବୋଝ ବୋହି ବଞ୍ଚନ୍ତି ସେମାନେ । ଉତ୍ପୀଡ଼ନ ସହି ସହି ସମାନ ହେବାର ନିଶା ଭାଙ୍ଗିଯାଏ । ସମାନ ହେବାର ସଂକଳ୍ପ, ସାଙ୍ଗହୋଇ ଚାଲିବାର ଇଚ୍ଛା, ସମାନ ମନ ଓ ଦୃଷ୍ଟିରେ ଜଗତକୁ ଦେଖିବାର ମାନସିକତା କେବଳ ମନ୍ତ୍ର ହୋଇ ରହିଯାଏ କାଗଜ ପୃଷ୍ଠାରେ ।

 

ତଥାପି ସତ୍ୟକାମ ସତ୍ୟନିଷ୍ଠ ହେବାକୁ ଚେଷ୍ଟା କରେ । ସବୁ କୁତ୍ସିତ, ଅସୁନ୍ଦର ଓ ପରାଙ୍‍ମୁଖତାକୁ ବର୍ଜନ କରି ମାଟି ଫଟାଇ ଆକାଶ ଆଡ଼କୁ ଚାହୁଁଥିବା ଅଙ୍କୁର ପରି ସେ ଊର୍ଦ୍ଧ୍ୱଦୃଷ୍ଟିରେ ଅନାଇଗଲା ପ୍ରଶାନ୍ତ, ଉଦାର, ପରିବ୍ୟାପ୍ତ ଆକାଶକୁ ।

 

ଶ୍ରୀମୟୀ ଆସି ଡାକନ୍ତି ପୁଅକୁ । ଖାଇବା ବେଳ ଗଡ଼ି ଗଲାଣି । ପୁଅ ନ ଖାଇବା ପର୍ଯ୍ୟନ୍ତ ସେ ବା ଅନ୍ନ ଛୁଇଁବେ କିପରି?

 

ମା’ଙ୍କ ଡାକ ଶୁଣି ଉଠି ବସି କହିଲା ସତ୍ୟକାମ – “ମୋପାଇଁ ଅପେକ୍ଷା ନ କରି ତମେ ଖାଇନବା ଉଚିତ ଥିଲା ମା’ । ଦେଖିଛ ତମ ଦେହ କେମିତି ହେଲାଣି ? ବାର ବ୍ରତ ଉପବାସ କରି କରି ତମେ ଶୁଖିଯାଉଛ ମାଟିରୁ ରସ ସଂଗ୍ରହ କରି ନ ପାରି ଶୁଖିଯାଉଥିବା ବନସ୍ପତି ପରି ।’’

 

ପୁଅର ପାଗଳାମି ଦେଖି ଖୁସିଲାଗେ ତାଙ୍କୁ, କିନ୍ତୁ ବେଳେବେଳେ ଚିନ୍ତିତ ବି ହୁଅନ୍ତି । ଏଇ ଜଟିଳ ସଂସାରରେ ଏଡ଼େ ସରଳ ହେଲେ ଚଳିବ ?

 

ପୁଅର ମୁହଁକୁ କିଛି ସମୟ ନିରେଖିବାପାଇଁ ଇଚ୍ଛା ହୁଏ । ଶ୍ରୀମୟୀ ଲୋଭ ସମ୍ବରଣ କରି ନ ପାରି ସତ୍ୟକାମର ଆଖି ଉପରେ ଆଖି ରଖି କହନ୍ତି–“ତୁ କ’ଣ ଏତେ ଭାବୁଛୁ ଯେ...”

 

କିନ୍ତୁ ସେଇ ମୁହୂର୍ତ୍ତେ ମାତ୍ର । ତା’ପରେ ଆଖି ଫେରାଇ ଆଣନ୍ତି । ଠିକ୍ ତାହାରି ପରି ଚେହେରା, ଏପରିକି ତା’ ମୁହଁର ଆଖିତଳେ ଥିବା କଳାଜାଇଟା ବି ଏକାପରି । ସେ ଭୟରେ ଆଖି ବୁଜନ୍ତି । ପୃଥିବୀର ସମସ୍ତ ଆତଙ୍କ ଠୁଳ ହୋଇଯାଏ ଅନ୍ତରର ଅନ୍ଧାର କୋଣରେ । ସେଇ ଆତଙ୍କରେ ସେ ଭୁଲି ଯାଆନ୍ତି ନିଜର ପରିଚୟ... ପୂର୍ବପୁରୁଷଙ୍କ ନାମ, ଗୋତ୍ର... ।

 

ଅଳ୍ପ ସମୟ ପୂର୍ବର ମା’ଙ୍କ ମୁହଁର ପ୍ରସନ୍ନତା ହଠାତ୍ ମଳିନ ପଡ଼ିଯିବା ଦେଖି ଡରିଯାଏ ସତ୍ୟକାମ । ମନକୁ ମନ ଭାବେ ସେ ତ କିଛି ଅସଜଡ଼ା, ଅନୁଚିତ କଥା କହିନି ତାଙ୍କୁ... ତଥାପି କାହିଁକି ମା’ଙ୍କ ମୁହଁରେ ଅମାବାସ୍ୟାର ବିଷର୍ଣ୍ଣତା ।

 

ସେ ଉଠିଯାଏ ଖାଇବାପାଇଁ ।

 

ପୁଅକୁ ଖୁଆଇବା ବେଳଟିକୁ ଅତି ଯତ୍ନରେ ଶ୍ରୀମୟୀ ସାଇତି ରଖିଥାନ୍ତି ମନ ଭିତରେ । ପ୍ରଥମ ଗୁଣ୍ଡା ତାଙ୍କରି ହାତରୁ ଖାଏ ସତ୍ୟକାମ । ପଚିଶବର୍ଷର ପୁଅକୁ ଖୁଆଇ ଦବାର ଶିହରଣ ତାଙ୍କୁ ସତେଜ କରିଦିଏ... କ୍ଷଣକ ପୂର୍ବର ଅବସନ୍ନତା ଭଭେଇ ଯାଏ... ସେ ପୁଣି ଇଚ୍ଛା କରନ୍ତି ଶହେ ବର୍ଷ ବଞ୍ଚିବାପାଇଁ... ପୁଅକୁ ଆୟୁଷ୍ମାନ୍‌ କରିବାପାଇଁ ପାର୍ଥନା କରନ୍ତି ଈଶ୍ଵରଙ୍କୁ ।

 

ପୁଅକୁ ବଳେଇ ବଳେଇ ଖୁଆନ୍ତି । ତା’ ପାଟିକୁ ଯେଉଁ ତରକାରି ସୁଆଦ ଲାଗେ ସେଥିରୁ ଆଉ ଟିକେ ଦେଇ କହନ୍ତି - ‘‘ତରତର ହଅନା, ଆଉ ଗଣ୍ଡେ ଖାଆ... ।’’

 

କାନ୍ଥରେ ଟଙ୍ଗା ହୋଇଥିବା ଲେଖାଆଡ଼କୁ ଆଙ୍ଗୁଳି ଦେଖାଇ କହେ ସତ୍ୟକାମ - “କ’ଣ ଲେଖା ହୋଇଛି ପଢ଼ିଛ ମା” ?”

 

“ଖାଇବାପାଇଁ ବଞ୍ଚ ନାହିଁ, ବଞ୍ଚିବାପାଇଁ ଖାଅ” । ନିଜର ହାତ ଲେଖା ଶବ୍ଦଗୁଡ଼ାକ ଜୀବନ୍ତ ହୋଇ ଉଠନ୍ତି ମୁହୂର୍ତ୍ତକରେ । ସେ ହସିଦେଇ କହନ୍ତି - “ସେଇଟା ମୋ ପାଇଁ, ତୋ ପାଇଁ ନୁହେଁରେ ପାଗଳା...।”

 

॥ ଦୁଇ ॥

 

ଜୀବନ ଘଟଣାଠାରୁ ଅନେକ ବଡ଼ । ସୁତରାଂ କୌଣସି ଅଘଟଣ ଘଟିଗଲା ବୋଲି ଜୀବନକୁ ପ୍ରତ୍ୟାଖ୍ୟାନ କରିବା ଭୀରୁତା ବ୍ୟତୀତ ଅନ୍ୟକିଛି ନୁହେଁ । ଅହଲ୍ୟା ସ୍ଵାମୀଙ୍କ ଅଭିଶାପରୁ ପାଷାଣୀ ହେଲେ, ପୁଣି ଅବତାର ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପାଦ ସ୍ପର୍ଶ ପାଇ ଶାପମୁକ୍ତ ହେଲେ । ତାଙ୍କ ଜୀବନ ବ୍ୟର୍ଥ ହୋଇ ନାହିଁ ଭାବି ସେ ଅବଶିଷ୍ଟ ଜୀବନର ସଦୁପଯୋଗ କଲେ ।

 

ଗୋଟିଏ ଆକସ୍ମିକ ଦୁର୍ଘଟଣା ତାଙ୍କ ଜୀବନକୁ ଓଲଟ ପାଲଟ କରିଦେଇଗଲା ସତ, କିନ୍ତୁ ଅନ୍ୟର ପାପପାଇଁ ସେ କାହିଁକି ପ୍ରାୟଶ୍ଚିତ୍ତ କରିବେ ? ଏ ଜୀବନ ଘଟଣାଠାରୁ ଅନେକ ବଡ଼, ସାମୟିକ ଦୁର୍ଘଟଣାଠାରୁ ଏହା ଅନେକ ସମ୍ଭାବନାର ଉତ୍ସ ।

 

ସେଇଦିନୁ ସମ୍ଭାବନାର ମାର୍ଗ ଅଣ୍ଡାଳୁଛନ୍ତି ଶ୍ରୀମୟୀ । କେଉଁଦିନ ସେଇ ଅମୃତବେଳା ଆସିବ ତାଙ୍କ ଜୀବନରେ ଯେଉଁଦିନ ସେ ଶାପମୁକ୍ତ ହେବେ ଏବଂ ଗର୍ବର ସହିତ କହିବେ ଯେ ଜୀବନକୁ ପ୍ରତ୍ୟାଖ୍ୟାନ କରି କେହି ବଡ଼ ହୁଏ ନାହିଁ ବା ମୁକ୍ତି ପାଏ ନାହିଁ; ବରଂ ଜୀବନକୁ ସ୍ଵୀକାର କରି ପ୍ରତିକୂଳତା ବିରୋଧରେ ଲଢ଼ିବାଦ୍ଵାରାହିଁ ଜୀବନର ଗରିମା ପ୍ରକାଶ ପାଏ ।

ସେ ସଂକଳ୍ପ ନେଇ ବାହାରି ଆସିଥିଲେ ଘରୁ । ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ବାପା, ମା’, ପରିବାର ରହିଥିଲେ ଦିଲ୍ଲୀରେ । ଏବେବି ହୁଏତ ସେହିଠାରେ ଥିବେ । ସେମାନଙ୍କ ସମ୍ପର୍କରେ ସେ କୌଣସି ଖବର ରଖି ନାହାଁନ୍ତି । ସେମାନେ ମଧ୍ୟ ତାଙ୍କୁ ଆଉ ଖୋଜି ନାହାଁନ୍ତି କି ଲୋଡ଼ି ନାହାଁନ୍ତି । ସେମାନେ ଦେଇଥିବା ନାମ ମଧ୍ୟ ସେ ବଦଳାଇ ଦେଇଛନ୍ତି ।

 

କଲେଜରୁ ଫେରୁଥିବାବେଳେ ତାଙ୍କୁ ହରଣଚାଳ କରି ନେଇଥିଲେ ଦୁଇଜଣ ଅସାମାଜିକ ଯୁବକ । ସମାଜରେ ଖାତିର ଥିବା ସମ୍ଭ୍ରାନ୍ତ ପରିବାରର କୁଳନନ୍ଦନ । ତାକୁ ବୋଲ ମନାଇ ନ ପାରି ସେମାନେ ସନ୍ଧି କରିବାପାଇଁ ଚାହୁଁଥିଲେ । ସେଥିରେ ବି ଶ୍ରୀୟା ରାଜି ହେଲେନି । ଉପପତ୍ନୀ ବା ପତ୍ନୀ ନ ହେବାପାଇଁ ସେ ମୁହେଁ ମୁହେଁ ଜବାବ ଦେଇଥିଲେ । ଧୈର୍ଯ୍ୟଧରି ସେତେବେଳେ ଚାଲାକି କରିଥିଲେ ହୁଏତ ଆଉ କିଛି ହୋଇଥାଆନ୍ତା । ମୁକୁଳି ଯିବାର ସବୁ ବାଟ ବନ୍ଦ ହୋଇ ନ ଥିଲା । କିନ୍ତୁ ସେମାନଙ୍କ ପ୍ରସ୍ତାବ ଶୁଣି ସେ ଏତେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଯେ ପ୍ରଥମ ବ୍ୟକ୍ତିର ଗାଲରେ ଶକ୍ତ ଚାପୁଡ଼ା ବସାଇ ଦେଇ କହିଥିଲେ - “ଏ ଜନ୍ମରେ ନୁହେଁ, ତୁ ସାତ ଜନ୍ମ ତପସ୍ୟା କଲେ ବି ମୋତେ ପାଇବୁ ନାହିଁ ।’’

 

ଏହାପରେ ଗୋଟାଏ ଝୁଙ୍କ୍‌ରେ ସେ ଝାମ୍ପି ପଡ଼ିଥିଲା ତାଙ୍କର ଇଜ୍ଜତ ଲୁଟିବାପାଇଁ । ସେଇ ପିଶାଚର ବାହୁବନ୍ଧନ ମଧ୍ୟରେ ଅଚେତ ହୋଇଯାଇଥିଲେ ଶ୍ରୀମୟୀ । ଆଜି ସେକଥା ମନେପଡ଼ିଲେ ଦେହ ମନ ସଂକୁଚିତ ହୋଇଯାଏ ଘୃଣାରେ... ।

 

ତାଙ୍କୁ ବନ୍ଦୀ କରି ରଖିବାପାଇଁ ସେମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ଦିନେ ଜଗୁଆଳିମାନଙ୍କ ଆଖିରେ ଧୂଳିଦେଇ ସେ ଖସି ଯାଇଥିଲେ ସେଇ ଅନ୍ଧାରୁଆ କୋଠରି ଭିତରୁ ଏବଂ ହଜି ଯାଇଥିଲେ ଜନଗହଳି ଭିତରେ । ସେମାନେ ହୁଏତ ବହୁତ ଖୋଜିଥିବେ ତାଙ୍କୁ, କିନ୍ତୁ ଶ୍ରୀମୟୀ ସେମାନଙ୍କୁ ଆଉ ଖୋଜି ନ ଥିଲେ । ପୁଲିସ୍‍କୁ ଖବର ବି ଦେଇ ନ ଥିଲେ । କିନ୍ତୁ ବାପା, ମା’ଙ୍କୁ କହିଥିଲେ ସବୁ ।

 

ଦିନେ ସେମାନେ ତାକୁ ବୁଝାଇଥିଲେ ଯେ ପ୍ରାଥମିକ ଅବସ୍ଥାରେ ଗର୍ଭ ନଷ୍ଟ କରିବା ସହଜ-। ବିପଦ ନାହିଁ ସେଥିରେ । ଡାକ୍ତରଙ୍କ ସହିତ ପରାମର୍ଶ କରି ସେମାନେ ସବୁ ସ୍ଥିର କରିସାରିଛନ୍ତି । ନର୍ସିଂହୋମରେ ଦି’ଦିନ ରହିବାକୁ ପଡ଼ିବ । କେହି ଜାଣିବେ ନାହିଁ, କିଛି ପ୍ରଘଟ ହେବାର ଆଶଙ୍କା ନାହିଁ । ସେଠାରୁ ସଫାସୁତୁରା ହୋଇ ଫେରିଆସିବା ପରେ ସେ ପୁଣି ସ୍ଵାଭାବିକ ଜୀବନ ବଞ୍ଚିବ, ପଢ଼ାପଢ଼ି କରି ପିଏଚ୍.ଡି. କରିବ ବା ମନମୁତାବକ ଚାକିରିଟିଏ ବାଛିନବ । ମନପସନ୍ଦ ପାତ୍ରଟିଏ ମିଳିଲେ ଘରସଂସାର କରି ସୁଖରେ ରହିବ ।

 

ନିଶ୍ଚିତ ଭବିଷ୍ୟତର ସ୍ଵପ୍ନ ଦେଖିବାକୁ ଭଲପାଏ ମଣିଷ । ଶ୍ରୀମୟୀ କିନ୍ତୁ ଦୁଇ ଦିନ ରାତି କୋଠରି ବନ୍ଦକରି ଭାବିଥିଲେ ଏ ବିଷୟରେ । ସ୍ୱର୍ଗ, ମର୍ତ୍ତ୍ୟ, ନର୍କ ସବୁ ବିଷୟ ଭାବିବା ପରେ ସେ ଉଷାର ପ୍ରଥମ ପାଦରେ ସ୍ଥିର କଲେ ଯେ ଯିଏ ତାଙ୍କ ଭିତରେ ଅଛି ତାକୁ ନଷ୍ଟ କରିବେ ନାହିଁ; ଆତଙ୍କ ଓ ଘୃଣା ଭିତର ଦେଇ ଯଦି ଅମୃତର ଧାରାଟିଏ ବହି ଆସେ ତେବେ ତାକୁ ପ୍ରତ୍ୟାଖ୍ୟାନ ନ କରି ବରଂ ଗ୍ରହଣ କରିନେବେ ଶ୍ରୀମୟୀ । ସେ ଧରିନେବେ ଯେ ସେଇ ନବଜାତକ ବାଟରୁ ଗୋଟାଇ ଆଣିଥିବା ଦେବଶିଶୁ ।

 

ବାପା ମା’ଙ୍କ ଅଜ୍ଞାତରେ ଦିନେ ଘର ଛାଡ଼ି ଚାଲିଗଲେ । ଟ୍ରେନ୍‌ରେ ଚବିଶ ଘଣ୍ଟା ଯାତ୍ରା କରିବା ପରେ ସେ ଯେଉଁଠି ପହଞ୍ଚିଲେ ସେଇ ସହରର ନାମ ପୁନା । ବାଟରେ ଜଣେ ସହଯାତ୍ରୀଙ୍କ ସହିତ ତାଙ୍କର ପରିଚୟ ହେଲା । ସେ ପୁନାର କ୍ୟାଥଲିକ୍‍ ଚର୍ଚ୍ଚର ଫାଦର୍‍ । ବୟସ ପଚାଶ ପଞ୍ଚାବନ ପାଖାପାଖି । ମୁହଁ ଉପରେ ପରକୁ ଆପଣାର କରିବାର ଦୀପ୍ତି । ତାଙ୍କ ତୁଣ୍ଡର ପ୍ରଥମ ଶବ୍ଦ ଶ୍ରୀମୟୀକୁ ଆକୃଷ୍ଟ କଲା ।

 

ନିଜର ପରିଚୟ ଦେଇ ସେ କହିଥିଲେ - ମାଇଁ ଡଟର୍ ! ଆଇ ଏମ୍ ଫାଦର୍ ଆବ୍ରାହମ୍‍ । ପୁନା ଯାଉଛି । କ୍ୟାଥଲିକ୍‍ ଚର୍ଚ୍ଚର ଫାଦର୍‍ ମୁଁ ।’’

 

ଟିକେ ରହିଯାଇ କହିଲେ ସେ - “ମୁଁ ଶ୍ରୀମୟୀ... ।’’ ସଙ୍କୋଚ ଲାଗୁଥିଲା ନିଜ ପ୍ରକୃତ ନାମ ଲୁଚାଇ ଥିବାରୁ । କିନ୍ତୁ ନାଚାର ଥିଲେ ସେ । ସେଇ ପୁରୁଣା ନାମ ନେଇ ବଞ୍ଚିପାରିବେ ନାହିଁ ସେ...।

 

-‘‘ତୁମେ ପୁନାରେ ରହିବ କୋଉଠି, କାହା ଘରେ ?’’

 

- “କିଛି ଠିକ୍‌ କରିନି ଫାଦର୍‍ ।’’

 

“ତେବେ ସଂକୋଚ ନ କରି ମୋ ସାଙ୍ଗରେ ଆସିପାର । ଆମ ଚର୍ଚ୍ଚର ସିଷ୍ଟରମାନଙ୍କ ସାଙ୍ଗରେ ରହିବାପାଇଁ ଅସୁବିଧା ହେବ ନାହିଁ । ବରଂ ଧର୍ମପୀଠର ପବିତ୍ରତା ସ୍ପର୍ଶ କରିବ ତୁମକୁ...-।’’

 

ତାଙ୍କ କଥାରେ କଣ ଯାଦୁ ଥିଲା କେଜାଣି ଆଗରେ ଲମ୍ବି ଯାଇଥିବା ଅନିଶ୍ଚିତ ଭବିଷ୍ୟତ ଆଉ ତାଙ୍କୁ ବିବଶ କଲା ନାହିଁ । ତାଙ୍କ ମୁହଁରୁ ବାହାରି ଯାଇଥିଲା - “ଥ୍ୟାଙ୍କ ୟୁ ଫାଦର୍‍ ।”

 

ବାଟରେ ଆଉ ତାଙ୍କୁ ନିଜର ଅନିଶ୍ଚିତ ଭବିଷ୍ୟତ ସମ୍ବନ୍ଧରେ ଭାବିବାକୁ ହେଲା ନାହିଁ । ବରଂ ତାକୁ ଯେ ଗୋଟିଏ ନିରାପଦ ଆଶ୍ରୟ ମିଳିବ ସେଇକଥା ଭାବିବାକ୍ଷଣି ଏହା ଈଶ୍ଵରଙ୍କ ଇଚ୍ଛା ବିନା ଅନ୍ୟକିଛି ନୁହେଁ ବୋଲି ଧରି ନେଇଥିଲେ ଶ୍ରୀମୟୀ ।

 

ଷ୍ଟେସନ ପରେ ଷ୍ଟେସନ ଅତିକ୍ରମ କଲାବେଳେ ଫାଦର୍‍ ଆବ୍ରାହମ୍‍ କହୁଥିଲେ - “ସମସ୍ତଙ୍କର ଗୋଟେ ଅନ୍ତିମ ଆଶ୍ରୟସ୍ଥଳ ଅଛି ଶ୍ରୀମୟୀ । ଏଇ ବାଟରେ ଯେତେ ଷ୍ଟେସନ ଦେଖୁଛ ଏ ସବୁ କିଛି ସମୟପାଇଁ... ଅନ୍ତିମ ଆଶ୍ରୟ ନୁହେଁ... । ଅନ୍ତିମ ଆଶୟ କେବଳ ପ୍ରଭୁଙ୍କ ପାଖରେ...-।’’

 

ଗାଡ଼ି ପୁନାରେ ପହଞ୍ଚିବାବେଳକୁ ସକାଳ ହୋଇସାରିଥିଲା । ହାତଘଡ଼ିକୁ ଚାହିଁଲେ ଶ୍ରୀମୟୀ - ସାତଟା ପନ୍ଦର ମିନିଟ୍ ।

 

ଫାଦର୍‍ଙ୍କୁ ପାଛୋଟି ନବାପାଇଁ ଦୁଇ ଜଣ ଆସିଥିଲେ ଗିର୍ଜାରୁ । ଶ୍ରୀମୟୀଙ୍କ ଜିନିଷପତ୍ର ଓହ୍ଲାଇବାବେଳେ ସେମାନେ ସାହାଯ୍ୟ କଲେ । ସେମାନେ ଆଣିଥିବା ଗାଡ଼ିରେ ପାଞ୍ଚ ଜଣ ଚର୍ଚ୍ଚରେ ପହଞ୍ଚିବାବେଳକୁ ଠନ୍ ଠନ୍ ହୋଇ ବାଜୁଥିଲା ଆଠଟା ।

 

ଚର୍ଚ୍ଚରେ ରହିଗଲେ ଶ୍ରୀମୟୀ । ସିଷ୍ଟରମାନଙ୍କ ସହିତ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କଲେ, ସେମାନଙ୍କ କାର୍ଯ୍ୟସୂଚୀ ସହିତ ଅଭ୍ୟସ୍ତ ହେଲେ । କେତେଦିନ ପରେ ଦିନେ ଏକାନ୍ତରେ ଫାଦର୍‍ ଆବ୍ରାହମ୍‍ ତାଙ୍କଠାରୁ ଜାଣିବାପାଇଁ ଚାହିଁ ଆହୁରି ବି କହିଥିଲେ ଯେ ଏଥିରେ ବାଧ୍ୟବାଧକତା ନାହିଁ, ଏ ବିଷୟରେ ସେ ସମ୍ପୂର୍ଣ୍ଣ ସ୍ଵାଧୀନ । କିନ୍ତୁ ସେଦିନ ତାଙ୍କୁ କିଛି ଉତ୍ତର ଦେଇ ନ ଥିଲେ ଶ୍ରୀମୟୀ ।

 

ଏହାପରେ କେତେ ସପ୍ତାହ ଅତୀତ ହୋଇଗଲା, କିନ୍ତୁ ଆଉ ଥରେ ହେଲେ ଫାଦର୍‍ ଏ ପ୍ରସଙ୍ଗ ଉଠାଇଲେ ନାହିଁ । ପୂର୍ବପରି ସେ ସିଷ୍ଟରମାନଙ୍କ ସହିତ ପ୍ରାର୍ଥନା କଲେ, ବାଇବେଲ ପାଠ କଲେ, ପ୍ରବଚନ ଶୁଣିଲେ, ରୀତିନୀତି ମାନି ଚଳିଲେ । କିନ୍ତୁ ଫାଦର୍‍ ଆବ୍ରାହମ୍‍ ତାଙ୍କୁ ଧର୍ମାନ୍ତର ସମ୍ପର୍କରେ ଥରୁଟିଏ ହେଲେ ବି କହି ନ ଥିଲେ । ନିଜ ଧର୍ମ ଛାଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ ନ କରିବା ବିଷୟରେ ସେ ଅଟଳ ଥିଲେ ତାଙ୍କ ନିଷ୍ପତ୍ତିରେ । ଧର୍ମ ଗୋଟିଏ ଲକ୍ଷ୍ୟ ନୁହେଁ, ଏହା ଏକ ଉତ୍ତରଣର ମାର୍ଗ, ଗୋଟିଏ ମାଧ୍ୟମ । ହିନ୍ଦୁ, ଖ୍ରୀଷ୍ଟାନ୍, ଇସ୍ଲାମ ଯେ କୌଣସି ମାଧ୍ୟମରେ ଈଶ୍ଵର ଚିନ୍ତା କରିବାରେ ବାଧା ନାହିଁ । ଲକ୍ଷ୍ୟ କିନ୍ତୁ ଗୋଟିଏ । ଯିଏ ଯେଉଁ ମାର୍ଗରେ ଯାଉ ନା କାହିଁକି ସେଇ ଗୋଟିଏ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ଲକ୍ଷ୍ୟ ହେଉଛନ୍ତି ଈଶ୍ଵର, ଧର୍ମ କେବଳ ଉପଲକ୍ଷ ମାତ୍ର ।

 

ବଡ଼ଦିନ ପାଳନ କଲା ଦିନ ଗିର୍ଜାରେ ମହମବତି ଜାଳିବାବେଳେ ଶ୍ରୀମୟୀଙ୍କ ମନେପଡ଼ି ଯାଉଥିଲା ତାଙ୍କ ସାନ ଭାଇ ଶ୍ରୀମନ୍ତ ଏବଂ ଭଉଣୀ ଶୀର୍ଷା କଥା । ସେମାନେ ଦୀପାବଳୀ ଦିନ ଘର ଚାରିପାଖରେ ମହମବତି ଜାଳୁଥିଲେ, ଲନ୍ ଉପରେ ଠିଆ ହୋଇ ଆତସବାଜି ଦେଖୁଥିଲେ । ସେମାନେ ହୁଏତ ତାଙ୍କୁ ମନେପକାଉଥିବେ । ସେ ସେମାନଙ୍କୁ ଭୁଲିପାରୁ ନାହାଁନ୍ତି । ଆଉ ବାପା ମା’ଙ୍କୁ ଛାଡ଼ି ସେ ସିନା ପଳାଇ ଆସିଲେ କିନ୍ତୁ ସେମାନଙ୍କ ଅଂଶ ସେ । ସେମାନଙ୍କୁ ଭୁଲିବେ କିପରି-?

 

ମନ ବ୍ୟାକୁଳ ହେଲେ ଯୀଶୁଙ୍କ କ୍ରୁଶବିଦ୍ଧ ମୂର୍ତ୍ତି ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କରନ୍ତି, ସଂକଳ୍ପରେ ଅଟଳ ରହିବାପାଇଁ ବଳ ଦିଅ ବୋଲି ଅଳି କରନ୍ତି । ତା’ପରେ ଚର୍ଚ୍ଚର ଶାନ୍ତ ଶୀତଳ ପରିବେଶ ତାଙ୍କ ଚାରିପାଖରେ ଠୁଳ ହେବାପରି ଲାଗେ ତାଙ୍କୁ ତାଙ୍କ ମଥା ଉପରେ କିଏ ଯେପରି ହାତ ବୁଲାଇ ଆଣି ସ୍ନିଗ୍ଧ ସ୍ୱରରେ କହିଦିଏ - ବିଶ୍ୱାସ ରଖ, ସବୁ ଠିକ୍ ହୋଇଯିବ ।

 

କ୍ରମଶଃ ଭଗବାନ୍‌ଙ୍କଠାରେ ଶ୍ରୀମୟୀଙ୍କ ବିଶ୍ଵାସ ଦୃଢ଼ ହେଲା । ସେ ଭାବିଲେ ଯେ ଆଉ ସବୁ କ୍ଷଣିକ, ଈଶ୍ଵର କେବଳ ଚିରନ୍ତନ । ପୃଥିବୀ ଯେତେବେଳେ ମହାଶୂନ୍ୟ ଥିଲା ଯେତେବେଳେ ସେ ଥିଲେ, ସୃଷ୍ଟି ଓ ସମୟର ଆରମ୍ଭ ହେଲାପରେ ମଧ୍ୟ ସେ ଅଛନ୍ତି ଏବଂ ଅନନ୍ତ କାଳ ରହିଥିବେ-। ସେ ଅନାଦି, ଅନନ୍ତ । ସେ ସତ୍ୟ ଓ ଶାଶ୍ଵତ । ସେ ସବୁଠାରେ ବିଦ୍ୟମାନ, କିନ୍ତୁ ଜୀବ ଓ ଜଡ଼ ଜଗତର ଊର୍ଦ୍ଧ୍ୱରେ ସେ । ଯେଉଁଠି ଯାହା ପ୍ରକାଶିତ ହୋଇଛି ତାହା ତାଙ୍କରି ବିଭୂତି ।

 

ସେ ଗ୍ଳାନି ଓ ଲଜ୍ଜା ବୋଲି ଯାହା ଭାବୁଥିଲେ ତାହା ମଧ୍ୟ ତାଙ୍କର ଇଚ୍ଛାର ବିଭୂତି । ତାଙ୍କ ବିନା କୌଣସି ସ୍ଥିତି ନାହିଁ । ସବୁଠାରେ ତାଙ୍କର ବିଭୂତି । ଈଶ୍ଵରଙ୍କ ଇଚ୍ଛାରୁ ଯିଏ ଆସୁଛି ତାକୁ ବାରଣ କରିବାପାଇଁ ତାଙ୍କର ଅଧିକାର ନାହିଁ ।

 

ଫାଦର୍‍ ଆବ୍ରାହମ୍‍ ତାଙ୍କଠାରୁ ସବୁ ଶୁଣିଥିଲେ । କିଛି ଗୋପନ ନ କରି ସବୁ ତାଙ୍କୁ କହିଥିଲେ ଶ୍ରୀମୟୀ । ତାଙ୍କ ଆଖିରୁ ଲୁହ ପୋଛିଦେଇ କହିଥିଲେ ଫାଦର୍‍ - ‘‘ପଛକଥା ଆଉ ଭାବନା, ଯିଏ ଆସୁଛି ତାକୁ ସ୍ଵାଗତ କରିବାପାଇଁ ମନ ପ୍ରାଣ ଉନ୍ମୁଖ ରଖ । କବାଟ ଝରକା ସବୁ ଖୋଲିଦିଅ । ସବୁ ଦିଗରୁ ମଣିଷର ସ୍ଵର, ପବନର ସାଇଁ ସାଇଁ ଶବ୍ଦ ଭାସି ଆସୁ ଈଶ୍ଵରଙ୍କ ବାର୍ତ୍ତାନେଇ । କାନ ଡେରି ଶୁଣ !’’

 

ମଧ୍ୟରାତ୍ରିର ଶାନ୍ତଶୀତଳ ନିରବତାରେ ସେ କାନ ଡେରୁଥିଲେ ଶୁଣିବାପାଇଁ କାହାର ପଦଧ୍ୱନି...

 

ନବଜାତ ଶିଶୁର କୁଆଁ କୁଆଁ ଶବ୍ଦ ଶୁଣି ନର୍ସିଂ ହୋମର ପରିବେଶ ଉଚ୍ଚକିତ ହୋଇ ଉଠିଲା । ସେଇ ଶିଶୁ ଈଶ୍ଵରଙ୍କ ଅଯାଚିତ ଦାନ । ନିଃସଙ୍ଗ ଜୀବନର ନିରବତା ଭାଙ୍ଗି ଶ୍ରୀମୟୀ ପୁଅକୁ ଦେଖିଲେ ଆଖି ପୂରେଇ, ମନ ପୂରାଇ । ସେଇ ଶିଶୁର ଆବିର୍ଭାବ ହେବା ପଛରେ ଯେ ଏକ ଅବାଞ୍ଛିତ, ଅନାସ୍ଵାଦିତ ମୁହୂର୍ତ୍ତ ରହିଛି ଅନ୍ତସ୍ଥଳର କୋଠରିର କେଉଁ ଏକ ଅଲୋଡ଼ା କୋଣରେ ଅଳନ୍ଧୁ ଠୁଳ ହୋଇଥିବା ପରି ତାହା ଶ୍ରୀମୟୀ ଭୁଲିଗଲେ ଏକାବେଳେ । ସେ ହାତ ବଢ଼ାଇ ଶିଶୁକୁ ଛାତି ଉପରେ ରଖିଲେ, ତା’ଗାଲରେ ମୁହଁରେ ଚୁମା ଦେଲେ ଏବଂ ଭଷାର ପ୍ରଥମ ଆଲୋକକୁ ଧରିତ୍ରୀ ସ୍ଵାଗତ କଲାପରି ସର୍ବାଙ୍ଗରେ ନବଜାତକର ମଧୁର ପରଶ ତାଙ୍କୁ ଉଚ୍ଚକିତ କରିଦେଲା ।

 

ନର୍ସିଂ ହୋମର ରେକର୍ଡ଼ ଖାତାରେ ଲେଖା ହୋଇଗଲା ଶିଶୁର ଜନ୍ମ ସମୟ, ମାତା ଓ ପିତାଙ୍କ ନାମ ସ୍ଥାନରେ କେବଳ ଲେଖା ହେଲା ଶ୍ରୀମୟୀଙ୍କ ନାମ । ଏପରିକି ସାଙ୍ଗିଆ ମଧ୍ୟ ସେ ଉଲ୍ଲେଖ କଲେ ନାହିଁ । ସିନ୍ଦୁକ ଭିତରେ ଅତୀତ ଲୁଚିରହୁ । ସେ ଶିଶୁର ମାତା ଓ ପିତା ଉଭୟ । ପୁଅର ଅମୃତ ଦୃଷ୍ଟିରୁ ଝରିପଡ଼ୁଥିଲା ଧାର ଧାର ଅମୃତ । ସାଙ୍ଗିଆ କେବଳ ଜାତି ଓ ଧର୍ମର ସୂଚକ-। ତାଙ୍କର କୌଣସି ଜାତି ନାହିଁ । ପୁଅର ବି କୌଣସି ଧର୍ମ ନାହିଁ, ସେ ପରିଚିତ ହେଉ ନିଜ ନାମରେ ।

 

ସେଇ ଶିଶୁର ନାମକରଣ କରିଥିଲେ ନିଜେ ଫାଦର୍‍ ଆବ୍ରାହମ୍ ହିନ୍ଦୁ ପୁରାଣ ବର୍ଣ୍ଣିତ ଏକ ଅନିର୍ବାଣ ଶିଖା ପରି ତେଜସ୍ଵୀ ଗୋଟିଏ ଚରିତ୍ର – ‘ସତ୍ୟକାମ’ ନାମରେ ।

 

ଦୀର୍ଘ ପଚିଶ ବର୍ଷ ପୂର୍ବର କାହାଣୀ ! ଆଜି ବି ମନେପଡ଼ିବା କ୍ଷଣି ଶ୍ରୀମୟୀଙ୍କୁ ତନ୍ମୟ, ବିଭୋର କରିଦିଏ । ପୁଅର ମୁହଁକୁ ଚାହିଁଦେଲେ ପଚିଶ ବର୍ଷ ପୂର୍ବର ଆଶା ଓ ବିଶ୍ଵାସର ବାର୍ତ୍ତା ନେଇ ସେ ତାଙ୍କ ଜୀବନକୁ ମହିମାନ୍ୱିତ କରିଥିବାର ସନ୍ତୋଷ ଖେଳିଯାଏ ମନରେ ।

 

ସ୍ମୃତିପେଡ଼ିରୁ ଗୋଟିକ ପରେ ଗୋଟିଏ ଚିତ୍ର ଉଦ୍ଭାସିତ ହେଉଥିଲା ତାଙ୍କ ମାନସ ପଟରେ-। ସେ ଭୁଲି ଯାଇଥିଲେ ଯେ କେତେବେଳୁ ସଂଧ୍ୟା ହୋଇଛି । ସେ ପୁନାର କ୍ୟାଥଲିକ୍ ଚର୍ଚ୍ଚ ପରିସରରେ ନାହାଁନ୍ତି, ଅଛନ୍ତି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ।

 

ସତ୍ୟକାମ ଆତ୍ମମଗ୍ନ ମା’ଙ୍କୁ ଡିଷ୍ଟର୍ବ କରିବାପାଇଁ ଚାହୁଁ ନ ଥିଲା । ସେ କେତେବେଳୁ ଅଫିସରୁ ଫେରି ଆସିଥିଲେ ବି ମା’ଙ୍କ କୋଠରି ଭିତରକୁ ପ୍ରବେଶ ନ କରି ବାକି କାମଗୁଡ଼ାକ ସାରିଦେଉଥିଲା । କିନ୍ତୁ ସାତଟାବେଳକୁ ପ୍ରେସ୍‌କୁ ଯିବାକୁ ହେବ । ଘଡ଼ି ସାଢ଼େ ଛଅଟା ବାଜି ଗଲାଣି ଦେଖି ବାଧ୍ୟ ହେଲା ତାଙ୍କ କୋଠରିକୁ ପ୍ରବେଶ କରିବାପାଇଁ ।

 

ସତ୍ୟକାମ କହିଲା - ‘‘ତମ ଦେହ ଭଲ ଅଛି ତ ମା’ ! କୋଠରି ବାହାରୁ ଦୁଇ ଥର ଫେରିଯାଇଛି । ଡିଷ୍ଟର୍ବ କରିନି ତମକୁ ଭାବନାରେ ହଜି ଯାଇଥିବା ଦେଖି । କ’ଣ ଭାବୁଥିଲ ଏତେ... ?”

 

ପ୍ରଥମେ ଟିକେ ଲାଜେଇ ଯାଇଥିଲେ ଶ୍ରୀମୟୀ । କିନ୍ତୁ କହିଲେ - “ତୋ କଥା ଭାବୁଥିଲି... କେତେବେଳେ ତୁ ଏତେବଡ଼ ହୋଇଗଲୁ ସେଇ କଥା ମନେପଡ଼ୁଥିଲା । ଚାଲ୍, ଜଳଖିଆ ଖାଇବୁ... ଡେରି ହୋଇଗଲାଣି... ।’’

 

ସ୍ୟାଣ୍ଡ୍‌ଓ୍ୱିଚ୍ ଆଉ ଚା’ ଖାଇ ବାହାରିଗଲାବେଳେ କହିଗଲା ସତ୍ୟକାମ - “ଆଜି ଗୋଟେ ଗୁରୁତର କାମ ଅଛି... ହୁଏତ ଫେରିବାକୁ ବିଳମ୍ବ ହେବ । ବେଶି ରାତି ହେଲେ ଖାଇ ନେଇଥିବ ତମେ... ମୁଁ ଫେରିଲେ ଖାଇବି...”

 

ସତ୍ୟକାମ ଏକଥା କହିଲା ସିନା, କିନ୍ତୁ ନିଶ୍ଚିତ ଜାଣେ ଯେ ସେ ଫେରି ନ ଆସିବା ଯାଏ ମା’ ଖାଇବେ ନାହିଁ, ଦୁଆର ମୁହଁକୁ ବାରମ୍ବାର ଆସି ଅନାଉଥିବେ ରାସ୍ତା ଉପରକୁ । ସ୍କୁଟର ଷ୍ଟାର୍ଟ କଲା ପୂର୍ବରୁ ମା’ଙ୍କୁ ଅନାଇ ହାତ ହଲାଇଲା ଏବଂ ତାଙ୍କ ଆଖି ଆଗରୁ ଅଦୃଶ୍ୟ ହୋଇଗଲା ।

 

ଶ୍ରୀମୟୀଙ୍କୁ ହଠାତ୍ କାହିଁକି ମନେହେଲା ଯେ ସେ କର୍ତ୍ତବ୍ୟରେ ହେଳା କରିଛନ୍ତି । ପୁଅର ପଚିଶ ବର୍ଷ ହେଲାଣି, ତା’ ବାହା ହବା ବିଷୟ କେବେବି ଭାବି ନାହାଁନ୍ତି... । ଏଇଟା ତ ବାହା ହବା ବେଳ ।

 

ଜେ.ଏନ୍.ୟୁ.ରୁ ସମାଜ ବିଜ୍ଞାନରେ ଏମ.ଏ. ପାସ୍ କରିବା ପରେ ସେଠାରୁ ସାମ୍ବାଦିକତାରେ ସ୍ନାତକ ବି କରିଥଲା ସତ୍ୟକାମ । ଦିଲ୍ଲୀରୁ ଗୋଟେ ଜାତୀୟ ଇଂରାଜୀ ଖବରକାଗଜ ‘ଦି ନିଉ ଟାଇମ୍ସ୍’ର ଭୁବନେଶ୍ୱର ସଂସ୍କରଣର ମୁଖ୍ୟ ରିପୋର୍ଟରଭାବେ ଯୋଗ ଦେଇଛି ସେ । ବେଶ୍ ଭଲ ଲାଗୁଛି ନୂଆ କାମ, ନୂଆ ଚ୍ୟାଲେଞ୍ଜ... । କାମ କେମିତି ଲାଗୁଛି ବୋଲି ପଚାରିଥିଲେ ଶ୍ରୀମୟୀ । କାମ ତାକୁ ଭଲ ଲାଗୁଛି ବୋଲି କହିଥିଲା । ଆହୁରି ଏହା ବି କହିଥିଲା ଯେ ସାମ୍ବାଦିକର ଏକମାତ୍ର କାମ ହେଉଛି ସତ୍ୟର ଅନୁସନ୍ଧାନ କରିବା... ସତ୍ୟ ପ୍ରକାଶ କରିବା ଏବଂ ଏଇ କାର୍ଯ୍ୟ କଲାବେଳେ କାହାକୁ ଅନୁକମ୍ପା ନ ଦେଖାଇ ବା କାହାକୁ ଭୟ ନ କରି କେବଳ ନିରପେକ୍ଷଭାବେ ସତ୍ୟ ପରିବେଷଣ କରିବାହିଁ ସାମ୍ବାଦିକର ଧର୍ମ ।

 

ଶ୍ରୀମୟୀ ସେଦିନ ତା’ ମଥା ଉପରେ ହାତ ବୁଲାଇ ଆଣି କହିଥିଲେ - ‘‘ଆଶୀର୍ବାଦ କରୁଛି... ଈଶ୍ଵର ତୋତେ ରକ୍ଷା କରନ୍ତୁ... ଈଶ୍ୱରଙ୍କୁ ଛାଡ଼ି ଆଉ କାହାକୁ ଭୟ କରିବୁ ନାହିଁ ।’’

 

ଦୃଷ୍ଟିର ଅନ୍ତରାଳରୁ ସେ ଚାଲିଯିବା ପରେ ମଧ୍ୟ ବାରନ୍ଦାରେ ଠିଆ ହୋଇ ଶ୍ରୀମୟୀ ମନେ ମନେ କହୁଥିଲେ, “ଈଶ୍ୱର ତୋତେ ରକ୍ଷା କରନ୍ତୁ... ।’’

 

॥ ତିନି ॥

 

ସତ୍ୟକାମ ମା’ଙ୍କୁ କହିଥିଲା ଯେ ସତ୍ୟର ଅନୁସନ୍ଧାନ ଏବଂ ସତ୍ୟର ଅବିକଳ କରିବା ସାମ୍ବାଦିକର ଧର୍ମ । କିନ୍ତୁ ଏଇ ବର୍ଷକର ଅନୁଭୂତିରୁ ସେ ଜାଣିଗଲାଣି ଯେ ବହି ବାଇଗଣ ଓ ବାରି ବାଇଗଣ ମଧ୍ୟରେ କେତେ ତଫାତ୍‌ । ଶାସ୍ତ୍ର, ପୁରାଣ ସବୁଠାରେ ସତ୍ୟର ଜୟ, ଧର୍ମର ଜୟଗାନ କରାଯାଇଛି । ମହାତ୍ମାଗାନ୍ଧୀ ସାମ୍ବାଦିକତା କରୁଥିବାବେଳେ ନିର୍ଭୀକ ଓ ନିରପେକ୍ଷଭାବେ ସତ୍ୟ ପ୍ରକାଶ କରିବା ସକାଶେ ଲେଖୁଥିଲେ । ତାଙ୍କ ଭାଷାରେ ତ ସତ୍ୟହିଁ ଈଶ୍ଵର । ସୁତରାଂ ସତ୍ୟ ସହିତ ସାଲିସ୍‌ ଚଳେନା । ଅର୍ଦ୍ଧ ସତ୍ୟ ଅବା ଭେଜାଲ ସତ୍ୟ ଖାଣ୍ଟି ସତ୍ୟ ନୁହେଁ । ଅମୃତ ଭାଣ୍ଡରେ ଟୋପାଏ ବିଷ ପଡ଼ିଲେ ତାହା ଆଉ ଅମୃତ ହୋଇ ରହେ ନାହିଁ, ବିଷ ହୋଇଯାଏ ।

 

କିନ୍ତୁ ସତ୍ୟ ଓ ଅମୃତର ସନ୍ଧାନ କରିବାକୁ ହେଲେ ଅସତ୍ୟ ଓ ବିଷର ସ୍ଵାଦ ଯେ ଚାଖିବାକୁ ପଡ଼େ ତାହା ତ ଜାଣି ନ ଥିଲା ସତ୍ୟକାମ । ସମ୍ବାଦ ପରିବେଷଣ କରିବାବେଳେ ସତ୍ୟବାଚନ ନ କରି କେତେବେଳେ ଅର୍ଦ୍ଧସତ୍ୟ ତ ଆଉ କେତେବେଳେ, ମିଶ୍ରିତ ସତ୍ୟ ବା ମିଥ୍ୟା କାହାଣୀ ବେଶୀ ଛାପା ହୁଏ ଖବରକାଗଜ ପୃଷ୍ଠାରେ ତାହା ଜାଣିବା ପାଠକ ପକ୍ଷରେ ସବୁବେଳେ ସମ୍ଭବ ହୁଏ ନାହିଁ-। ସୁତରାଂ ଖବରକାଗଳ ପଢ଼ି ସେଥିରେ ଯାହା ପ୍ରକାଶିତ ହୁଏ ସବୁ ନିର୍ଭେଜାଲ ସତ୍ୟ ବୋଲି ବିଶ୍ୱସ୍ତ ପାଠକ ଗ୍ରହଣ କରିନିଏ ନିଷ୍କପଟ ମନରେ । ତା’ ଦୃଷ୍ଟିର ଅନ୍ତରାଳରେ ଯେ ସତ୍ୟ ନୁହେଁ ମିଥ୍ୟା, ଛଳନା, କପଟ ଓ ଅର୍ଦ୍ଧସତ୍ୟର ଜୟଗାନ ଚାଲିଛି ସେ ଖବର ଏବେବି ତା’ ପାଖେ ପହଞ୍ଚି ନାହିଁ ।

 

ଷ୍ଟାଣ୍ତରେ ସ୍କୁଟର ରଖିଦେଇ ସତ୍ୟକାମ ଅଫିସ୍‌ ଭିତରକୁ ପ୍ରବେଶ କଲାକ୍ଷଣି ସମ୍ପାଦକଙ୍କ ସହକାରୀ ତାକୁ କହିଲା ଯେ, ସମ୍ପାଦକ ତାକୁ ଖୋଜୁଥିଲେ... । ସେ ତାକୁ ଅପେକ୍ଷା କରୁଛନ୍ତି... ।

 

ତାଙ୍କ ଅପେକ୍ଷାର ଅବସାନ ଘଟାଇବା ସକାଶେ ଅନୁମତି ନେଇ କୋଠରି ଭିତରେ ପ୍ରବେଶ କଲା ସତ୍ୟକାମ । ଆବାସିକ ସମ୍ପାଦକ ତାକୁ ସମ୍ଭାଷଣ ଜଣାଇବା ପରେ କହିଲେ - ‘‘ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ବଡ଼ ବଡ଼ ଲୋକଙ୍କ ଗୁମର କଥା... କାହାକୁ ସେଇ କାମଟା ଦେବି ଭାବୁଥିବାବେଳେ ତମ କଥା ମନେପଡ଼ିଲା । ତମେ ପାରିବ.. ତମେ ଉପରେ ମୋର ବିଶ୍ଵାସ ଅଛି... ତମକୁ ଏଇ କାମଟା ଦେବି ବୋଲି ମୁଁ ମୁଖ୍ୟ ସମ୍ପାଦକଙ୍କୁ ମଧ୍ୟ ଫୋନ୍‌ କରି ଜଣାଇ ଦେଇଛି... । ଯେଉଁମାନେ କ୍ଷମତାର ଦୁରୂପଯୋଗ କରନ୍ତି, ସମ୍ପଦ ବଳରେ ସମାଜ ଓ ଶାସନକୁ ଆୟତ୍ତ କରିବାର ଚେଷ୍ଟା ଚଳାଇଛନ୍ତି ସେମାନଙ୍କୁ ଧରିବାପାଇଁ ଚେଷ୍ଟାକର । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପଡ଼ିଲେ ସେମାନେ ବୁଝିବେ ।”

 

ଆବାସିକ ସମ୍ପାଦକ (ରେସିଡେଣ୍ଟ୍‍ ଏଡ଼ିଟର୍‍) ମୁକ୍ତେଶ୍ଵର ତଲ୍‌ୱାଲ୍‌କରଙ୍କ ଘର ମହାରାଷ୍ଟ୍ରର ପୁନାରେ । ଦୀର୍ଘ କୋଡ଼ିଏ ବର୍ଷ ଦିଲ୍ଲୀରେ କଟାଇବା ପରେ ଭୁବନେଶ୍ୱର ସଂସ୍କରଣର ଦାୟିତ୍ୱ ନେଇ ଓଡ଼ିଶା ଆସିଛନ୍ତି । ଛଅ ଫୁଟ ଉଚ୍ଚ, ପତଳା, ଗୋରା, ତୀକ୍ଷ୍‍ଣ ନାକ, କାନର ଆକୃତି ଟିକେ ବଡ଼ ଏବଂ ମୁହଁ ଉପରେ ପ୍ରସନ୍ନତାର ଛାପ । ଦେଖିବା ପରି ବ୍ୟକ୍ତିତ୍ଵ ।

 

ସତ୍ୟକାମ ତାଙ୍କ ଆଗରେ ବସିବା ପରେ ସେ କହିଥିଲେ, “ଖବରକାଗଜ ସ୍ୱାଧୀନ ଜନସାଧାରଣଙ୍କର ମୁଖପତ୍ର, ମତପ୍ରକାଶ କରିବାର ଅଧିକାର ନେଇ କାମ କରେ । କିନ୍ତୁ ତମେ କହିପାରିବ ସତ୍ୟକାମ, ସତରେ ଆମେ ସ୍ଵାଧୀନ ? ଅଙ୍କୁଶ ନାହିଁ ଆମ ଉପରେ ? ପରିଚାଳନା କର୍ତ୍ତୃପକ୍ଷଙ୍କୁ ସୁହାଇବା ଭଳି ମତପ୍ରକାଶ କରିବାକୁ ବାଧ୍ୟବାଧକତା ନାହିଁ ଆମର ? ତମେ ଯୁବକ, ନୂଆ ଚାକିରି, ଜଗି ରଖି ଚଳିବା କାଏଦା ଶିଖିନ ଏ ଯାଏ । ତେଣୁ ସତ୍ୟ ପ୍ରକାଶ ଉପରେ ଏତେ ଗୁରୁତ୍ୱ ଦେଉଛ ! ତଥାପି ତମର ବିଶ୍ଵାସ ଓ ସାହସର ପ୍ରଶଂସା ନ କରି ରହିପାରୁନି ମୁଁ । ଗୋ ଏହେଡ଼୍‌... ।’’

 

ତାଙ୍କ କଥା ମନଦେଇ ଶୁଣୁଥିଲା ସତ୍ୟକାମ । ସେ ଶେଷ କଲାପରେ କହିଲା–“ଅପରାଧ ଜଗତର ଓ ରୋମାଞ୍ଚକର କାହାଣୀ ନ ଛାପିଲେ ଆମର ବିଶ୍ଵସନୀୟତା ରହିବ ନାହିଁ । ପାଠକମାନେ ଆମକୁ ବିଶ୍ଵାସ କରିବେ ନାହିଁ । କାଗଜର ଲୋକପ୍ରିୟତା ବଢ଼ାଇବାପାଇଁ ସତ୍ତା ଓ ସମ୍ପତ୍ତିର ନିୟନ୍ତ୍ରଣ କରୁଥିବା ଲୋକ ଆମର ଲକ୍ଷ୍ୟ ହୋଇ ରହିବେ । କାରଣ ସେମାନେ ଶାସନ ସହିତ ସମ୍ପୃକ୍ତ ଏବଂ ସେମାନେ ବି ଶୋଷକ... କଳାବଜାରୀ, ଖୁନୀ, ଧର୍ଷଣକାରୀ... । ସେମାନଙ୍କୁ ପଦାରେ ପକାଇବା ଆମ କାମ... ଦଣ୍ଡ ପାଇବେ କି ନା ମୁଁ ଜାଣେନା । କାରଣ ଆମର ଶାସନଡୋରି ସେମାନଙ୍କ ହାତରେ । ସେମାନଙ୍କ ଦୌଡ଼ ଦିଲ୍ଲୀର ସବୋଚ୍ଚ ସଂସ୍ଥା ପର୍ଯ୍ୟନ୍ତ । ଆଉ ଯଦି ବି ଆଇନ ହାତରୁ ଖସିଯାଆନ୍ତି ମୁଁ ନିଶ୍ଚିତ ଯେ ଜନସାଧାରଣ ସେମାନଙ୍କୁ କ୍ଷମା କରିବେ ନାହିଁ... ଈଶ୍ଵରଙ୍କ କୋପରୁ ସେମାନେ ତ୍ରାହି ପାଇବେ ନାହିଁ ।”

 

ତା’ କଥା ଶୁଣି ତଲ୍‌ୱାଲ୍‌କର ଖୁସି ହେଲେ ଏବଂ କହିଲେ - “ୟଙ୍ଗ୍‌ମ୍ୟାନ୍‌ ! ତମ ପରି ମୁଁ ବି ଏମିତି କହୁଥିଲି... କିନ୍ତୁ ପରିବାରର ଦାୟିତ୍ୱବୋଧ ଯେତିକି ବଢ଼ିଲା, ଏବଂ ତା’ ସହିତ ମୁଁ ଯେତେବେଳେ ଅନୁଭବ କଲି ଯେ ମୋର ଉପାର୍ଜନ ଉପରେ ଚାରି ଜଣଙ୍କ ସୁଖ ସମୃଦ୍ଧି ନିର୍ଭର କରୁଛି ସେତେବେଳେ ମୁଁ ମଥା ନୁଆଁଇଲି...।’’

 

ନ୍ୟସ୍ତସ୍ଵାର୍ଥଙ୍କ ସମ୍ପର୍କରେ ସତ୍ୟକାମ ପ୍ରସ୍ତୁତ କରିଥିବା ରିପୋର୍ଟ ତଲ୍‌ୱାଲ୍‌କରଙ୍କ ସାମନାରେ ରଖି କହିଲା - “ସାର୍‌ ! କିଛିଦିନ ପୂର୍ବେ ଘଟିଥିବା ଟ୍ରିପଲ୍‌ ମର୍ଡରର ସୂତ୍ର ପାଇଛି । ତିନିଜଣ ପ୍ରତିଦ୍ଵନ୍ଦ୍ୱୀଙ୍କୁ ହତ୍ୟା କରିବାପାଇଁ ଏମାନେ ସୁପାରି କିଲରମାନଙ୍କୁ ନିଯୁକ୍ତ କରିଥିଲେ । ମୋର ଅନୁସନ୍ଧାନ କିନ୍ତୁ ଏ ପର୍ଯ୍ୟନ୍ତ ଶେଷ ହୋଇନି... ସବୁ ପ୍ରମାଣ ମିଳିବା ପରେ ରିପୋର୍ଟ ଦାଖଲ କରିବି... ।’’

 

ମୁକ୍ତେଶ୍ଵର କହିଲେ - “କିନ୍ତୁ ବି ସିଓର ଏବାଉଟ୍‌ ୟୋର୍‌ ଫାକ୍ଟସ୍‌ । ତମର ଅନୁସନ୍ଧାନରେ ଛିଦ୍ର ନ ରହେ ଯେପରି... ସବୁ ଖିଅ ଯୋଡ଼ିବାପାଇଁ ଭୁଲିଯିବନି ।

 

ପ୍ରାଥମିକ ଅନୁସନ୍ଧାନରୁ ସେ ଯାହା ଜାଣିଛି ସେଥିରୁ ସେ ଅନୁମାନ କରିଛି ଯେ ଖବରକାଗଜରେ ପ୍ରକୃତ ଅପରାଧୀର ପ୍ରକାଶ ପାଉଥିବା ଚିତ୍ର ଠିକ୍‌ ନୁହେଁ...। ଏଇ ତିନୋଟି ହତ୍ୟା ପଛରେ କ୍ଷମତାଶାଳୀ ଓ ପ୍ରଭାବଶାଳୀ ଲୋକଙ୍କ ହାତ ଅଛି... । ଅଡ଼ୁଆ ସୂତା ଖୋଲି ସବୁ ଖିଅକୁ ଏକାଠି ଯୋଡ଼ି ସତ୍ୟରେ ଉପନୀତ ହେବା ସହଜ ନୁହେଁ, ସମୟ ସାପେକ୍ଷ । ସବୁ ସ୍ଥାନକୁ ଯିବା, ସବୁ ତଥ୍ୟ ସଂଗ୍ରହ କରିବା ଜଣକ ପକ୍ଷରେ ହୁଏତ ସମ୍ଭବ ନୁହେଁ, ହେଲେ ମଧ୍ୟ ଅନେକ ସମୟ ଲାଗିବ । ସେତେବେଳକୁ ଅପରାଧର ପ୍ରମାଣ ନଷ୍ଟ ହୋଇସାରିଥିବ ।

 

ତଲଓ୍ୱାଲ୍‌କର ପଚାରିଲେ - “ତମେ ଏକା ପାରିବ ନା ଆଉ କାହାର ସାହାଯ୍ୟ ଦରକାର-? ଭାବି ଚିନ୍ତି କୁହ ।”

 

ସତ୍ୟକାମ ଯେ ଏ ବିଷୟରେ ଭାବି ନ ଥିଲା ତାହା ନୁହେଁ । ବରଂ ମନେ ମନେ ସ୍ଥିର କରିଥିଲା ଯେ ସେ ଏକା ଏ କାମ କରିପାରିବ, କିନ୍ତୁ ଅନେକ ସମୟ ଲାଗିବ .. ବରଂ ଆଉ କାହାର ସହାୟତା ନେଲେ ଶୀଘ୍ର ଅନୁସନ୍ଧାନ ଶେଷ ହେବ । ସେ କହିଲା - ‘‘ସାର୍‌, ମୁଁ ଏକା କରିପାରିବି, କିନ୍ତୁ ସମୟ ଲାଗିବ । ଅପେକ୍ଷା ନ କରି ଶୀଘ୍ର କାମ ଶେଷ କରିବାକୁ ଚାହେଁ ମୁଁ... ହୁମାୟୁନ୍‍ କବୀରକୁ ଯଦି ମନୋନୀତ କରନ୍ତେ ତେବେ ମୁଁ କୃତଜ୍ଞ ରହନ୍ତି...।’’

 

ମୁକ୍ତେଶ୍ଵର ଖୁସି ହୋଇ କହିଲେ - “ପିଲାଟା ଭଲ । ତା’ଉପରେ ନିର୍ଭର କରାଯାଇପାରେ-। କିନ୍ତୁ କିପ୍‌ ଦିସ୍‌ ଇନ୍‌ଭେଷ୍ଟିଗେସନ ସିକ୍ରେଟ୍‌.. । ଶତ୍ରୁ ନ ଜାଣେ ଯେପରି ।”

 

ହୁମାୟୁନ୍‍ କବୀରକୁ ଡାକି ପଠାଇ ସତ୍ୟକାମ ସାମ୍ନାରେ କହିଲେ ତଲ୍‌ୱାଲ୍‌କର - ସତ୍ୟକାମ ଗୋଟେ ବିଷୟ ଅନୁସନ୍ଧାନ କରୁଛି । ତମେ ତାଙ୍କୁ ସାହାଯ୍ୟ କରିବ । କିନ୍ତୁ ବିଷୟ ଘୃଣାକ୍ଷରେ ବି ପ୍ରକାଶ ନ ପାଏ ଯେପରି । ଅନ୍ୟମାନେ ଜାଣିଗଲେ ସବୁ ପଣ୍ଡ ହୋଇଯିବ... ଅପରାଧୀ ଖସିଯିବ ହାତରୁ...।’’

 

ସତ୍ୟକାମ ତାଙ୍କଠାରୁ ବିଦାୟ ନେଇ ହୁମାୟୁନ୍‍ ସହିତ ନିଜ କୋଠରିକୁ ଗଲା ଏବଂ ଦୁହେଁ ଦୀର୍ଘ ସମୟ ଏ ବିଷୟରେ ଆଲୋଚନା କଲେ ।

 

ସେମାନଙ୍କ କାମ ଆହୁରି ସହଜ କରିବାପାଇଁ କହିଲା ହୁମାୟୁନ୍‌, “ଆମେ ଯଦି ଜଣେ ବିଶ୍ଵସ୍ତକୁ ଇନ୍‌ଫର୍ମରଭାବେ ବ୍ୟବହାର କରୁ ତେବେ କ୍ଷତି କ’ଣ ?”

 

- “ସେ କିଏ ?” ପଚାରିଲା ସତ୍ୟକାମ ।’’

 

- “ଅର୍କ ପଟ୍ଟନାୟକ । ଅପରାଧ ବିଜ୍ଞାନ (କ୍ରିମିନୋଲୋଜି)ର ସ୍ନାତକ । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ପଢ଼ୁଥିଲା ।’’ କହିଲା ହୁମାୟୁନ୍‌ ।

 

- ‘‘ତା’ ଉପରେ ନିର୍ଭର କରି ହେବ ?” ପଚାରିଲା ସତ୍ୟକାମ ।

 

- “ମୋର ବିଶ୍ଵାସ ଅଛି ତା’ ଉପରେ । ତମେ ବି ତା’ ବିଷୟରେ ଖୋଜଖବର ନେଇପାର ?’’ କହିଲା ହୁମାୟୁନ୍‌ ।

 

- “ନା, ଦରକାର ନାହିଁ । ମୁଁ ତାକୁ ଜାଣେ । କିନ୍ତୁ ସେଇ ଜାଣିବା ଗଭୀର ନୁହେଁ, ମାତ୍ର ଘଣ୍ଟାକର... ।’’

 

ତା’ପରେ ଦୁହେଁ ଆଲୋଚନାରେ ମାତିଗଲେ । ସତ୍ୟକାମ ସଂଗ୍ରହ କରିଥିବା ତଥ୍ୟ ସବୁ ଘାଣ୍ଟୁ ଘାଣ୍ଟୁ ଗୋଟେ ଫଟୋ ଦେଖି ଚମକିପଡ଼ିଲା ହୁମାୟୁନ୍‌ । ଏହି ଲୋକଟାକୁ ଥରେ ନୁହେଁ ଅନେକ ଥର ଦେଖିଛି ସେ । କେତେବେଳେ ରାଜଭବନର ବନ୍ଧୁମିଳନରେ ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଚା’ ଭୋଜିରେ । ହାଇ ପ୍ରୋଫାଇଲ୍‌ର ସ୍ମାର୍ଟ ମଧ୍ୟବୟସ୍କ ଲୋକଟା । ପାର୍ଟିରେ ପରିଚିତ ହେବାପାଇଁ ଏବଂ ଅନ୍ୟ ସହିତ ବନ୍ଧୁତା କରିବାପାଇଁ ଚକିରି ପରି ବୁଲନ୍ତି ଏ ମୁଣ୍ଡରୁ ସେ ମୁଣ୍ଡ । ଦାମୀ ସୁଟ୍‌ପ୍ୟାଣ୍ଟ୍‌ । ବେଳେବେଳେ ଖଦି ପୋଷାକ । ଆଖି ଦୁଇଟା ଜଳୁଥାଏ ସବୁବେଳେ ଶିକାରୀ ବାଘର ଆଖିପରି । ତାଙ୍କ ସାଙ୍ଗରେ ବେଳେ ବେଳେ ଆଉ ଜଣେ ଥାଏ । ଜାଣିବା ଲୋକ କହନ୍ତି ଏଇ ଲୋକ ତାଙ୍କ ଡାହାଣ ହାତ । ସବୁ କାମ ୟାରି ମାଧ୍ୟମରେ ହୁଏ । ଇଏ କୁଆଡ଼େ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ।

 

ସତ୍ୟକାମ ଆଡ଼କୁ ଫଟୋଟା ଆଗେଇ ଦେଇ କହିଲା, ‘‘ହୁମାୟୁନ୍, ତମେ ଜାଣ ଏ ଲୋକଟାକୁ ? ଦେଖିଛ କେଉଁଠି ?”

 

“ଠିକ୍‌ ମନେକରି ପାରୁନି । କିନ୍ତୁ ଥରେ ଦିଲ୍ଲୀରୁ ଇଣ୍ଡିଆନ୍‌ ଏୟାରଲାଇନ୍‍ସରେ ଭୁବନେଶ୍ୱର ଆସୁଥିବାବେଳେ ଠିକ୍‌ ଏଇପରି ଗୋଟେ ଲୋକ ଧୋତି- ପଞ୍ଜାବି ପିନ୍ଧି ମୋ ଆଗ ସିଟ୍‌ରେ ବସିଥିଲା । ସେ କିନ୍ତୁ ବନାରସ୍‌ରେ ଓହ୍ଲାଇଗଲା । ସେ ଛାଡ଼ି ଯାଇଥିବା ୱାଲେଟ୍‌ରୁ ମୁଁ ଗୋଟିଏ ଫଟୋ ଓ କେତେକ ପରିଚୟ କାର୍ଡ଼ ସଂଗ୍ରହ କରିଥିଲି । ଟଙ୍କା ପଇସା ନ ଥଲା ସେଥିରେ-। ସେଇ ଫଟୋଟା ତା’ ନିଜର.... ।’’

 

ଏହାପରେ ସେ ଆଲମାରି ଖୋଲି ଲକର ଭିତରୁ ଫଟୋ ଓ କାର୍ଡ଼ଗୁଡ଼ାକ ଥିବା ଫୋଲ୍‌ଡ଼ରଟାକୁ ବଢ଼େଇଦେଲା ହୁମାୟୁନ୍‌ ହାତକୁ । ଫଟୋ ଉପରେ ଆଖିବୁଲେଇ ନେଇ । କହିଲା, ‘‘ହୁମାୟୁନ୍‌, ଲୋକଟା ଯେ ଏଡ଼େ ଅସାବଧାନ ତାହା ତ ମନେହୁଏନା ଭାଇ ।’’

 

“ହୁଏତ ସେ ଓ୍ୱାଲେଟ୍‌ଟା ଜାଣିଶୁଣି ଛାଡ଼ି ଯାଇଥିବ ବା ଅନ୍ୟ କଛି ଉଦ୍ଦେଶ୍ୟ ଥିବ... ।’’

 

କମ୍ପାନୀର ପଦାଧିକାରୀମାନଙ୍କର ଫଟୋ ଓ କାର୍ଡ଼ଗୁଡ଼ାକୁ ପୁଣି ଫୋଲ୍ଡର ଭତରେ ଭର୍ତ୍ତିକରି କହିଲା, ହୁମାୟୁନ୍‌, ଏସବୁ ତମ ଆଲ୍‌ମାରିରେ ଥାଉ... ଦରକାରରେ ଆସିବ... ।’’ ତା’ପରେ ସେଇ କାର୍ଡ଼ ଭିତରୁ ଗୋଟେ କାର୍ଡ଼ ବାହାରିଲା, ଜଣେ ଉଚ୍ଚପଦାଧିକାରୀଙ୍କର । ଦିଲ୍ଲୀ ରାଜ୍ୟର ପ୍ରୋଟୋକଲ ଅଫିସରଙ୍କର । ନାମ ସନତକୁମାର ମେହେଟ୍ଟା... ।

 

- “ତମେ ସନତ୍‌ ମେହେଟ୍ଟାର ଅନୁସନ୍ଧାନ କର ହୁମାୟୁନ୍‌, ମୁଁ ସେଇ ଦୁଇଜଣଙ୍କ ସନ୍ଧାନ କରୁଛି... ତମେ ଯଦି କିଛି ସୁରାକ୍‌ ପାଅ ମୋତେ ଜଣାଇବ ନିଶ୍ଚୟ... ଏବଂ ମନେରଖ ଯେ ଦୁହେଁ ଏକାସାଙ୍ଗରେ କ୍ଵଚିତ୍‌ ଦେଖାଦିଅନ୍ତି.. ବୋଧହୁଏ ସୁବିଧା ଅନୁସାରେ ରୋଲ୍‌ ବଦଳ କରିବାପାଇଁ !” କହିଲା ସତ୍ୟକାମ ।

 

ଆଲୋଚନା ସରିବାବେଳକୁ ରାତି ଏଗାରଟା ବାଜି ଯାଇଥିଲା । ତା’ପରେ ସକାଳ ସଂସ୍କରଣପାଇଁ ଦୁଇଟା ରିପୋର୍ଟ ପ୍ରସ୍ତୁତ କରି ସମ୍ପାଦକଙ୍କୁ ଦେଇ ସେ ବାହାରିବାବେଳକୁ ଘଡ଼ିରେ ବାଜିଥିଲା ବାରଟା । ବେଶ୍‌ ଭୋକ ଲାଗୁଥିଲା । ଖାଲି ପେଟରେ କଫି ପିଇଥିବାରୁ କେମିତି ଅସ୍ଵସ୍ତିକର ଅନୁଭବ କରୁଥିଲା ସେ ।

 

ସ୍କୁଟର ଷ୍ଟାର୍ଟ କଲା ସତ୍ୟକାମ । କିଛି ବାଟ ଯିବାପରେ ଶୁନ୍‌ଶାନ୍‌ ରାସ୍ତାରେ ପଛଆଡ଼ୁ ଆଉ ଗୋଟେ ଗାଡ଼ି ଆସୁଥିବାର ଜାଣି ସାବଧାନ ହୋଇଗଲା ସେ । ସେ ସଡ଼କର ବାମ ପାଖ ମାଡ଼ି ସ୍କୁଟର ଚଲାଉଥିଲେ ବି ପଛରୁ ଆସୁଥିବା ଗାଡ଼ିଟା ତା’ ଆଡ଼କୁ ମାଡ଼ି ଆସିବାରୁ ସେ ସ୍କୁଟରରୁ ଡିଆଁ ମାରି ଡ୍ରେନ୍‌ ଭିତରେ ପଡ଼ିଲା; କିନ୍ତୁ ସ୍କୁଟରଟାକୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲିଗଲା ଗାଡ଼ି ।

 

ସ୍କୁଟରରୁ ଡିଆଁ ମାରି ଡ୍ରେନ୍‌ରେ ପଡ଼ିଥିଲା ସତ୍ୟକାମ । ଭାଗ୍ୟକୁ ମୁଣ୍ଡ ରକ୍ଷା ପାଇ ଯାଇଥିଲା, କିନ୍ତୁ ଡାହାଣ ହାତ କହୁଣିରୁ ପରସ୍ତେ ମାଂସ ଉଠିଯାଇ ରକ୍ତ ଝରୁଥିଲା । ପାଦ ଉଠାଇବାକୁ ଯାଇ ଯେତେବେଳେ ବାମ ପାଦ ଟେକିବାପାଇଁ ଚେଷ୍ଟାକଲା ସେତେବେଳେ ଯନ୍ତ୍ରଣାରେ ଶିର୍‌ ଶିରେଇ ଉଠିଲା ସର୍ବାଙ୍ଗ । ସେ ବୁଝିପାରିଲା ଯେ ବାମ ଗୋଡ଼ରେ ଆଘାତ ଲାଗିଛି । ହୁଏତ ହାଡ଼ ଭାଙ୍ଗି ଯାଇଥିବ, କିମ୍ବା ଗୋଇଠିରେ ଆଉ କିଛି ହୋଇଥିବ । ସେ ଚେଷ୍ଟା କରି ବି ଉଠିପାରୁ ନ ଥିଲା, ସ୍କୁଟରଟା କିଛି ଦୁରରେ ଡ୍ରେନ୍‌ ଭିତରେ ପଡ଼ଥିବାର ଦେଖିପାରୁଥିଲା ସେ ।

 

ଭାଗ୍ୟ ଭଲ, ଏଇ ସମୟରେ ରାତି ପେଟ୍ରୋଲିଂ କରୁଥିବା ପୁଲିସ୍‌ ଜିପ୍‌ ସେଇ ବାଟଦେଇ ଯିବାବେଳେ ତା’ ଡାକ ଶୁଣି ସେଇଠି ଅଟକିଲା । ଦୁଇଜଣ କନେଷ୍ଟବଳ ତାକୁ ଡ୍ରେନ୍‌ ଭିତରୁ ଉଠାଇ ଆଣି ଜିପ୍‌ରେ ବସାଇଲେ । ଇନ୍‍ସପେକ୍ଟର ମାନୁଏଲ ସାମଲ ସବୁ ଶୁଣିବା ପରେ କହିଲେ–“ହୁଏତ ଏତେବେଳକୁ ଅନେକ ମାଇଲ୍‌ ଯାଇଥିବ ଗାଡ଼ିଟା... ତା’ର ପିଛା କଲେ କିଛି ଲାଭ ହେବନି... ତଥାପି ଲେଭଲ୍‌ କ୍ରସିଂ ପର୍ଯ୍ୟନ୍ତ ଥିବା ଉଚିତ ହେବ... ଯଦି କୌଣସି କାରଣରୁ ଅଟକି ଯାଇଥାଏ... । ତା’ପରେ ମୁଁ ଆପଣଙ୍କୁ ହସ୍‍ପିଟାଲ ନେଇଯିବି...।’’

 

ଯନ୍ତ୍ରଣା ବଢ଼ୁଥିଲା ପାଦରେ ।

 

ଏତେ ବେଳଯାଏ ସେ ଘରକୁ ଫେରି ନ ଥିବାରୁ ମା’ ଯେ ଉଦ୍‌ବେଗରେ ଛଟପଟ ହେଉଥିବେ ଏହା ଭାବୁଥିଲା ସତ୍ୟକାମ ।

 

ପୁଲିସ୍‌ ଜିପ୍‌ ଆସି ଲେଭଲ୍‌କ୍ରସିଂ ପାଖରେ ପହଞ୍ଚିଲାବେଳକୁ ଫାଟକ ବନ୍ଦ ହୋଇଯାଇଥିଲା । ଗୋଟେ ମାଲ୍‌ଗାଡ଼ି ଆସୁଥିଲା ମଞ୍ଚେଶ୍ୱରଆଡ଼ୁ । କିନ୍ତୁ ପାଖ ଚା’ ଦୋକାନୀକୁ ପଚାରିବାରୁ ସେ କହିଲା ଯେ ପାଞ୍ଚମିନିଟ୍‌ ପୂର୍ବରୁ ଟାଟା ସୁମୋ ଏଇ ବାଟ ଦେଇ ଚାଲିଗଲା ।

 

- “ଗାଡ଼ିର ନମ୍ବର ମନେଅଛି ?” ସାମଲ ପଚାରିଲେ ।

- “ନା ସାର୍‌, ମୁଁ ଲକ୍ଷ୍ୟ କରିନି । କିନ୍ତୁ ଗାଡ଼ିର ଆଗ ସିଟ୍‌ରେ ଡ୍ରାଇଭର ପାଖରେ ଜଣେ ଲୋକ ଆଖି ଉପରେ କଳାଚଷମା ଲଗାଇ ବସିଥିବା ସ୍ପଷ୍ଟ ଦେଖିପାରିଥିଲି ମୁଁ... ।’’

ଆଉ କାଳବିଳମ୍ବ ନ କରି ବମିଖାଲ ଥାନା ଏବଂ ଫୁଲନଖରା ଥାନାକୁ ଏଲର୍ଟ କରିଦେଲେ ସାମଲ । ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ମଧ୍ୟ ଜଣାଇଲେ ଏବଂ ସବୁ ରାସ୍ତାର ଚେକ୍‌ ପଏଣ୍ଟଗୁଡ଼ାକୁ ସଜାଗ ରହିବାପାଇଁ ଆଦେଶ ଦବା ସକାଶେ କଣ୍ଟ୍ରୋଲ୍‌ ରୁମ୍‌କୁ ଅନୁରୋଧ କଲେ ।

ଡାକ୍ତରଖାନାରେ ପହଞ୍ଚିବାବେଳକୁ ଗୋଟାଏ ପନ୍ଦର ମିନିଟ୍‌ । ମୋବାଇଲ୍‌ ଫୋନ୍‌ରେ ଖବର ଦବାପାଇଁ ସେ ପକେଟ୍‌ ଅଣ୍ଡାଳିଲା, କିନ୍ତୁ ପାଇଲା ନାହିଁ । ବୋଧହୁଏ ଦୁର୍ଘଟଣା ଘଟିଥିବା ସ୍ଥାନରେ କୋଉଠି ମୋବାଇଲ ଫୋନ୍‌ଟା ପଡ଼ି ରହିଥିବ ।

ହସ୍‍ପିଟାଲରୁ ଫୋନ୍‍ କରି ସତ୍ୟକାମ ମା’ଙ୍କୁ ଜଣାଇଦେଲା ଯେ ଗୋଟେ ଦୁର୍ଘଟଣାରେ ପଡ଼ି ସେ ଡାକ୍ତରଖାନା ଆସିଛି । ଡାକ୍ତର ଦେଖିବା ପରେ କ’ଣ କରାଯିବ ସ୍ଥିର କରିବେ । ପୁଲିସ୍‌ଗାଡ଼ି ତାକୁ ହସ୍‍ପିଟାଲ ଆଣିଛି, ଭୟର କାରଣ ନାହିଁ । ବ୍ୟସ୍ତ ହେବାର କାରଣ ନାହିଁ । ଡାକ୍ତର ଦେଖିସାରିବା ପରେ ପୁଲିସ୍‌ ଗାଡ଼ି ତାକୁ ଛାଡ଼ିଦେଇ ଆସିବ ।

ମା’ଙ୍କୁ ସେ ସବୁକଥା ନ କହି ଏତିକି କହିଲା । ତଥାପି ସେ ଯେ ଶୋଇପାରିବେ ନାହିଁ ଏ ବିଷୟ ତାକୁ ବିବ୍ରତ କରୁଥିଲା ।

ଗୋଇଠିରୁ ଆଣ୍ଠୁ ପର୍ଯ୍ୟନ୍ତ ପ୍ଲାଷ୍ଟର ଖୋଲିବାବେଳକୁ ଏକୋଇଶ ଦିନ ଲାଗିବ । ଏକ୍ସରେ କରି ଡାକ୍ତର କହିଲେ ଆଉ ଚିନ୍ତା ନାହିଁ । ୟା’ ପରେ ଫିଜିଓ ଥେରାପି କରାନ୍ତୁ ଦଶ ଦିନ । ତା’ପରେ ସବୁ ଠିକ୍‌ ହୋଇଯିବ । ତଥାପି କିଛିଦିନ ବାମ ପାଦ ଉପରେ ବେଶି ପ୍ରେସର ଦେବେ ନାହିଁ, ଆପେ ଆପେ ସ୍ଵାଭାବିକ ହୋଇଯିବ ।

 

କିନ୍ତୁ ଡାକ୍ତର ତାଙ୍କୁ ଏଇ ପରାମର୍ଶ ଦେଇ ଛାଡ଼ିଦେଲେ ବି ଇନ୍‍ସପେକ୍ଟର ମାନୁଏଲ ସାମଲ ଛାଡ଼ିଲେ ନାହିଁ । ଆଗରୁ ତା’ର ବୟାନ୍‌ ରେକର୍ଡ଼ କରିଥିଲେ । ସେଇ ଖିଅ ଧରି ସାମଲ ପଚାରିଲେ - “ଏଇ ଘଟଣା ଷଡ଼ଯନ୍ତ୍ର ନା ଦୁର୍ଘଟଣା ସେ ବିଷୟରେ ମୁଁ ଅନୁସନ୍ଧାନ ଜାରି ରଖିବି । ଆପଣ କାହାକୁ ସନ୍ଦେହ କରନ୍ତି ?’’

 

- ‘‘ନା... କାହା ସହିତ ମୋର ଶତ୍ରୁତା ନାହିଁ । ମୋର କ୍ଷତି କରିବାପାଇଁ କାହିଁକି କେହି ଚେଷ୍ଟା କରିବ ?” ।

 

- ‘‘ସମୟ ବଦଳି ଯାଇଛି ସତ୍ୟକାମ ବାବୁ । ଆପଣ ଭୁଲି ଯାଉଛନ୍ତି ଯେ ଆପଣ ଜଣେ ସାମ୍ବାଦିକ... ଏପରି ଅନେକ ଖବର ଆପଣମାନେ ଛାପନ୍ତି ଯାହା ଅପରାଧୀର କ୍ଷତି କରୁଥିବ... ।’’

 

- ‘‘ହଁ, କିନ୍ତୁ ତାହା ତ ସତ୍ୟ ଉପରେ ଆଧାରିତ, କାହାରି କ୍ଷତି କରିବାପାଇଁ ଉଦ୍ଦିଷ୍ଟ ନୁହେଁ-।” କହିଲା ସତ୍ୟକାମ ।

 

- ‘‘ଆପଣ ସଂସାରକୁ ଯେତେ ସରଳ ଭାବନ୍ତି ସଂସାର ସେତେ ସରଳ ନୁହେଁ । ଜଟିଳ ଲୋକଙ୍କ ସଂଖ୍ୟା ବଢ଼ୁଛି । ସଂସାର ଜଟିଳ ହେଉଛି । ଅପରାଧର ବ୍ୟାଖ୍ୟା ବି ବଦଳି ଗଲାଣି ।” କହିଲେ ସାମଲ ।

 

ତାଙ୍କ କଥା ଶୁଣି ଚିନ୍ତାରେ ପଡ଼ିଗଲା ସତ୍ୟକାମ । ଗତ କେତେ ସପ୍ତାହ ମଧ୍ୟରେ ସେ ଯେତେସବୁ ଖବର ଦେଇଛି ସେଥିରେ ସେପରି କିଛି ନ ଥଲା । ଆଉ ଯେଉଁ ପୁରୁଣା ଅପରାଧର ଅସଜଡ଼ା ଛିଣ୍ଡା ସୂତାଖିଅଗୁଡ଼ାକୁ ସେ ଯୋଡ଼ିବାକୁ ଚେଷ୍ଟା କରୁଛି ସତ୍ୟରେ ପହଞ୍ଚିବାପାଇଁ ସେ ତ ଆରମ୍ଭ ହୋଇଛି ମାତ୍ର । ଏ ବିଷୟ ସେ ଜାଣେ, ସମ୍ପାଦକ ଜାଣନ୍ତି ଏବଂ ହୁମାୟୁନ୍‍ ଜାଣେ । ଆଉ କାହାକୁ କହିନି ସେ

 

ସତ୍ୟକାମକୁ ତା’ଘରେ ଛାଡ଼ି ଇନ୍‍ସପେକ୍ଟର ସାମଲ ବିଦାୟ ନବା ପୁର୍ବରୁ କହିଲେ, “ତଥାପି ଆପଣ ସାବଧାନ ରହିବେ । ରାତିରେ ଏକା ଏକା ବୁଲିବେ ନାହିଁ...। ସାଦା ପୋଷାକ ପିନ୍ଧା ପୁଲିସ୍‌ ବି ଆପଣଙ୍କ ନିରାପତ୍ତା ଉପରେ ଆଖି ରଖିବ । ମୁଁ ତ ଭାବୁଛି ଏମିତି କୌଣସି ଅନୁସନ୍ଧାନ ଆପଣ ହାତକୁ ନେଇଛନ୍ତି ଯାହାର ଟେର୍‌ ଅପରାଧୀ ପାଇଛି । କଥାରେ ଅଛି - ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିପାଁ କଳି । ହୁଏତ ପାଦତଳେ କଣ୍ଟା ବାଜିବା ଆଗରୁ ସେ ଏ କାମ କରିଥିବ...।’’

 

”ଇନ୍‍ସପେକ୍ଟର ସାମଲବାବୁ ଚାଲିଗଲା ପରେ ଶ୍ରୀମୟୀ ପୁଅ ପାଖରେ ବସିଲେ । ତା’ ମଥା ଆଉଁସି ଦେଇ କହିଲେ - “ଈଶ୍ଵର ତୋତେ ରକ୍ଷା କରନ୍ତୁ । ସତ୍ୟ ଓ ନ୍ୟାୟ ପଥରେ ଚାଲିବାହିଁ ବଡ଼ କଥା । ତାହାହିଁ ଧର୍ମ ପାଳନ । ତୁ କିନ୍ତୁ ସତର୍କ ରହିବୁ । ଦିନକାଳ ଭଲ ନୁହେଁ । ତୁ କେବଳ ଧର୍ମ ପାଳନ କଲେ କ’ଣ ହେବ; ଅଧର୍ମ, ଅନ୍ୟାୟ କରିବାପାଇଁ ଅନେକ ଲୋକ ଅଛନ୍ତି । ସେମାନେ ଅନୁଶାସନ ମାନନ୍ତି ନାହିଁ, ଅନୁଜ୍ଞା ପାଳନ କରିବାପାଇଁ ଶ୍ରଦ୍ଧା ନାହିଁ ସେମାନଙ୍କର ।”

 

॥ ଚାରି ॥

 

ପ୍ଲାଷ୍ଟର ଥିବା ପର୍ଯ୍ୟନ୍ତ ଅଫିସ୍‌ ଯିବା ବନ୍ଦ । ସମ୍ପାଦକ ଅନୁମତି ଦେଇଥିଲେ ତାକୁ ଘରେ ରହି କାମ କରିବାପାଇଁ । ସତ୍ୟକାମର ସୁପାରିସ ଗ୍ରହଣ କରି ସେ ଅର୍କ ପଟ୍ଟନାୟକକୁ ନିଯୁକ୍ତି ଦେଇଛନ୍ତି ତା’ ପାଖରେ କାମ କରିବାପାଇଁ ।

 

ସତ୍ୟକାମ ମା’ଙ୍କୁ କହିଲା - “ମୋ ପାଇଁ ଏଡ଼ିଟର୍‍ ସବୁ ସୁବିଧା କରିଦେଇଛନ୍ତି । ଅର୍କ ମୋତେ ସାହାଯ୍ୟ କରିବ । ତମ କଥା ମନେରଖିବି ମା’ । କିନ୍ତୁ ମୁଁ ତ କାହାକୁ ଶତ୍ରୁ ମନେକରେ ନାହିଁ, ମୋର ଶତ୍ରୁତା କିଏ କାହିଁକି କରିବ ? ମୋର କ୍ଷତି କରି କ’ଣ ଲାଭ ପାଇବ ?’’

 

ଶ୍ରୀମୟୀ କହିଲେ - “ତୋ ପରି ସରଳ ପିଲା ଏ ଦୁନିଆର ଜଟିଳତା ବୁଝିପାରିବ ନାହିଁ ସହଜରେ । ଦୁଷ୍କୃତକାରୀଙ୍କ ଗୋପନ କଥା ତୁ ଖୋଲିଦବୁ, ସେମାନଙ୍କ ମୁଖା ଖୋଲିଗଲେ ଅସଲ ମୁହଁ ଦେଖିବେ ଲୋକମାନେ । ସେମାନଙ୍କ ସ୍ଵରୂପ ଉଦ୍‌ଘାଟିତ ହେବ । ଲୋକ ଛି ଛି କରିବେ । ଆଉ ସେମାନେ ଚୁପ୍‌କରି ବସି ବସି ନିଜର ଲାଞ୍ଛନା ଶୁଣିବେ ? ତୋ କର୍ତ୍ତବ୍ୟ ତୁ କରିବୁ... ସେମାନେ ତୋତେ ବାଧା ଦେବେ, ତୋ ବାଟରେ ପ୍ରତିକୂଳତା ସୃଷ୍ଟି କରିବେ ।”

 

ସତ୍ୟକାମ ମଥା ବୁଲାଇଲା । ତା’ପରେ ଅନୁଚ୍ଚ ସ୍ଵରରେ କହିଲା - “କିନ୍ତୁ ଅନ୍ୟାୟ, ଅସତ୍ୟ ସହିତ ମୁଁ ତ ସାଲିସ୍‌ କରିପାରିବିନି ମା’ । ତମେ ମୋତେ ତ ସେଇ ଶିକ୍ଷା ଦେଇନ... ।’’

 

ଶ୍ରୀମୟୀଙ୍କ ମୁହଁ ଉଜ୍ଜ୍ଵଳ ଦିଶିଲା, ସେ ପୁଅର ଓଠ ଧରି କହିଲେ - “ତୋ ମୁହଁରୁ ଏଇକଥା ଶୁଣି ଶାନ୍ତି ଲାଗୁଛି... ଧନ୍ୟ ହୋଇଗଲି ଭାବୁଛି... ।’’

 

ତାଙ୍କ ପାଦ ଛୁଇଁଲା ସତ୍ୟକାମ । ତାଙ୍କ କଥା ଶୁଣି ଅନୁପ୍ରାଣିତ ହୁଏ ସତ୍ୟକାମ । ତାଙ୍କ ଅନ୍ତରର ଗଭୀରତା, ମନର ଉଚ୍ଚତା ମାପିବାପାଇଁ ସାହସ କରିପାରେନା । ମା’ଙ୍କ ମନ ତ ସ୍ପଟିକ ପରି ସ୍ଵଚ୍ଛ ହୃଦୟ ଫୁଲ ପରି ପବିତ୍ର ।

 

ପୁଅ ମୁହଁକୁ କିଛିକ୍ଷଣ ଅପଲକ ନୟନରେ ଅନାଇ ରହିଲେ ଶ୍ରୀମୟୀ । ତା’ପରେ ସେ ହଜିଗଲେ କେଉଁ ଏକ ଅଗ୍ନାଅଗ୍ନି ବନସ୍ତ ଭିତରେ । ନିଜର ଚାରିପାଖରେ ଘେରି ରହିଛି ନିର୍ଜନତା । ସେଇ ନିର୍ଜନତାରେ ହଠାତ୍‌ ଗୋଟାଏ ଅପରିଚିତ ଲୋକର ମୁହଁ ନଇଁ ଆସିଲା ତାଙ୍କ ଓଠ ଉପରକୁ... ।

 

ପଚିଶ ବର୍ଷ ତଳର ସେଇ ଘଟଣା ଚେଷ୍ଟା କରି ବି ଲିଭୁ ନାହିଁ ମନରୁ । କଳାଘୁମର ମେଘ ପୃଥିବୀ ଉପରେ ବଳତ୍କାର କରିବା ପରି... ହଠାତ୍‌ ସ୍ଥାନ କାଳ ପାତ୍ର ସବୁ ଭୁଲିଗଲେ ଶ୍ରୀମୟୀ । ପ୍ରତିରୋଧ କରିବାକୁ ଯାଇ ସେ ହାତ ପାଦ ଛାଟିବାକୁ ଲାଗିଲେ । କିନ୍ତୁ ସେ ସଇତାନ କିଛି ଶୁଣିଲା ନାହିଁ, କିଛି ବୁଝିଲା ନାହିଁ । ଗୋଟେ ମଦମତ୍ତ ହସ୍ତୀ ପଦ୍ମଫୁଲଟିକୁ ପାଦତଳେ ମକଚି ଦବାପରି ତାଙ୍କ ଉପରେ ଜନ୍ମ ଜନ୍ମାନ୍ତରର କଳଙ୍କ ଲେପି ଦେଇଗଲା ଜୋର କରି... ଅଣନିଶ୍ୱାସୀ ହୋଇଗଲେ ଏବଂ କେତେବେଳେ ଚେତା ହରାଇଲେ ତାହା ଆଜି ଆଉ ମନେପଡ଼ୁ ନାହିଁ ।

 

କିଛି ସମୟ ବିତିଗଲା ।

 

କେତେ ସମୟ ପରେ ସେ ଗୁମୁରି ଗୁମୁରି କାନ୍ଦିବାକୁ ଲାଗିଲେ । ସେତେବେଳେ ତାଙ୍କୁ ହଲାଇ ଦେଇ କହିଲା ସତ୍ୟକାମ - ‘‘କ’ଣ ହେଲା ମା’ ? ତମେ କାନ୍ଦୁଛ ଯେ... କ’ଣ ହେଲା ?’’

 

ଶ୍ରୀମୟୀଙ୍କୁ ଜାବୋଡ଼ି ଧରିଥିଲା ପଚିଶ ବର୍ଷ ତଳର ସେଇ ହାଲୁସିନେସନ । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଅଗ୍ନି ପରୀକ୍ଷା ଦବା ଅପେକ୍ଷା ସେ ନିଜକୁ ବିସର୍ଜନ ଦବାକୁ ଚାହୁଁଥିଲେ ।

 

ତାଙ୍କୁ ନିଜ ଉପରକୁ ଆଉଜାଇ ଦେଇ ତାଙ୍କ ପିଠି ଉପରେ ହାତ ବୁଲାଇ ଆଣିଲା ସତ୍ୟକାମ । ସେ ଧୀରେ ଧୀରେ ପୁଅ କୋଳରେ ନିର୍ଜୀବ ପରି ଶୋଇପଡ଼ିଲେ ।

 

ସତ୍ୟକାମର ପାଦ ଠିକ୍‌ଥିଲେ ସେ ମା’ଙ୍କୁ ବୋହି ନେଇ ଖଟ ଉପରେ ଶୁଆଇ ଦେଇ ଆସିଥାଆନ୍ତା ।

 

ସେ ଶୋଇଥିଲେ ତଳକୁ ମୁହଁକରି । ସଦା ପ୍ରସନ୍ନତା ଲାଗି ରହିଥିବା ମୁହଁଟି ତାଙ୍କର କଳା ପଡ଼ି ଯାଇଥିଲା । ହଠାତ୍‌ ତାଙ୍କର ଏପରି କାହିଁକି ବେଳେ ବେଳେ ହୋଇଯାଏ ବୁଝିପାରେନା ସତ୍ୟକାମ । ଡାକ୍ତରଙ୍କ ପାଖକୁ କେତେଥର ଯାଇଛନ୍ତି ଶ୍ରୀମୟୀ । କିନ୍ତୁ ସ୍ଵପ୍ନରେ ହେଉ ବା ବାସ୍ତବରେ ହେଉ ଗୋଟେ ହାଲୁସିନେସନ୍‌ ଭୂତ ପରି ତାଙ୍କ ଉପରେ ସବାର ହୋଇଯାଏ । ସେ ଛାଟିପିଟି ହୁଅନ୍ତି । ପ୍ରତିରୋଧ କରିବାକୁ ଚେଷ୍ଟା କରନ୍ତି । ସେତେବେଳେ ତାଙ୍କୁ ଦୁଇ ଜଣ ସମର୍ଥ ଲୋକ ଅଟକାଇବା ସମ୍ଭବ ହୁଏ ନାହିଁ । କେଉଁଠୁ ଏତେ ବଳ ଆସେ କେଜାଣି !

 

ଆଜି ବି ସେହିପରି ହେଲା । ସତ୍ୟକାମ ଭୟରେ ଶିହରି ଉଠିଥିଲା । ଏ ସଂସାରରେ ତା’ର ସାହାରା ବୋଲି ଆଉ କେହି ନାହିଁ । ମା’ହିଁ ସର୍ବସ୍ୱ । ତାଙ୍କୁ ଘେରି ତା’ର ସୁଖ ଦୁଃଖ, ସଂଗ୍ରାମ ଓ ସମ୍ପର୍କ । ଆଉ ଜଣେ ପରମ ହିତୈଷୀ ଫାଦର୍‍ ଆବ୍ରାହମ୍‍ । ପୁନାରେ ସେମାନେ ଥିବାବେଳେ ତାଙ୍କ ସ୍ନେହ, ସାନ୍ନିଧ୍ୟ ଓ ପୋଷକତା ପାଇ ଧନ୍ୟ ମନେକରୁଥିଲା ସତ୍ୟକାମ । ସେ ଆଉ ପୁନାରେ ନାହାଁନ୍ତି । କୋଇମ୍ବାଟୋର ଚାଲି ଯାଇଛନ୍ତି । ଦୁଇବର୍ଷ ହେଲା ତାଙ୍କ ସହିତ ଦେଖା ହୋଇନି ।

 

ଥରେ ତାଙ୍କୁ ମା’ଙ୍କ ବିଷୟରେ ପଚାରିଥିଲା ସତ୍ୟକାମ । ବର୍ଷକରେ ଥରେ ବା ଦୁଇଥର ଏହିପରି ବେହୋସ ହୋଇ ଯାଉଥିବାର କାରଣ ଜାଣିବାକୁ ଚାହିଁଥିଲା । ସେ ତା’ ପିଠି ଆଉଁସି ଦେଇ କହିଥିଲେ ସବୁ ଧର୍ମରେ ସଇତାନର କାହାଣୀ ରହିଛି । ଦେବତା ଓ ସଇତାନ ମଧ୍ୟରେ କାଳ କାଳ ଧରି ଯୁଦ୍ଧ ଚାଲିଛି । ଦେବତାଙ୍କୁ ପରାସ୍ତ କରି ନ ପାରି ସଇତାନ କିନ୍ତୁ ମୁହଁମାଡ଼ି ପଡ଼ି ରହେନାହିଁ । ସୁଯୋଗ ଉଣ୍ଡୁଥାଏ କେତେବେଳେ ଆଉ ଗୋଟେ ଅସହାୟ ମୁହୂର୍ତ୍ତ ଆସିବ ଏବଂ ସେ ମାଡ଼ିବସିବ ଦେବତା ଉପରେ । ଈଶ୍ଵର ଦେବତାମାନଙ୍କ ସପକ୍ଷରେ । ତାଙ୍କୁ ପ୍ରାର୍ଥନା କରନ୍ତି ଦେବତାମାନେ । ସଇତାନ ଯଦି ବି ଅକସ୍ମାତ୍‌ କେତେବେଳେ ଆକ୍ରମଣ କରେ ଈଶ୍ଵର ଦେବତାଙ୍କୁ ଏତେ ଶକ୍ତି ଦିଅନ୍ତ ଯେ ସଇତାନ ପରାସ୍ତ ହୁଏ ।

 

ଆଜି ବି ହୁଏତ ସେହିପରି କିଛି ହୋଇଥିବ । ସଇତାନକୁ ଈଶ୍ଵର ତଡ଼ି ଦେଇଥିବେ ।

 

ଶ୍ରୀମୟୀ କଡ଼ ଲେଉଟାଇଲେ । ପୁଅ ପାଖରେ ବସିଥିବା ଦେଖି ପାଣି ପିଇବେ କହିଲେ-

 

ଜଗ୍‌ରୁ ପାଣି ଆଣି ତାଙ୍କ ମୁହଁ ପାଖରେ ଗ୍ଲାସ୍‌ ରଖିଲା ସତ୍ୟକାମ । ସେ ଉଠିବାକୁ ଚେଷ୍ଟା କଲେ । ସତ୍ୟକାମ ସାହାଯ୍ୟ କଲା ତାଙ୍କୁ । ଢକ ଢକ କରି ପାଣି ଗିଲାସେ ପିଇଦେଇ କହିଲେ, ‘‘ଆଉ ଗିଲାସେ ।’’ ସତ୍ୟକାମ ଆଉ ଗିଲାସେ ପାଣି ଦେଲା, ସେତକ ପିଇସାରି ସାଷ୍ଟମ ହେଲେ ଶ୍ରୀମୟୀ । ଓଦା ତଉଲିଆରେ ତାଙ୍କ ମୁହଁ ପୋଛିଦେଲା ସତ୍ୟକାମ ଏବଂ କହିଲା, ‘‘ଭୋକ କରୁଥିବ - ବିସ୍କୁଟ ଦୁଇଟା ଖାଇ ଚା’ ପିଇଲେ ଭଲ ଲାଗିବ ମା’ ।’’

 

ମଥା ହଲାଇଲେ ଶ୍ରୀମୟୀ ।

 

ଗୋଟେ ପ୍ଲେଟ୍‌ରେ ଦୁଇ ଖଣ୍ଡ ଟୋଷ୍ଟ ଆଉ କପେ ଚା’ ଆଣିଲା ଲକ୍ଷ୍ମୀ । ହାତ ବଢ଼ାଇ ପୁଅ ହାତକୁ ଗୋଟେ ଟୋଷ୍ଟ ଉଠାଇ ଦେଇ କହିଲେ - ‘‘ତୋତେ ବି ତ ଭୋକ ଲାଗୁଥିବ । ବରଂ ଲକ୍ଷ୍ମୀ ଆଉ ଦୁଇଟା ଟୋଷ୍ଟ ଆଣୁ ।’’

 

ଲକ୍ଷ୍ମୀ ଚାଲିଗଲା ।

 

ସତ୍ୟକାମ ମା’ ମୁହଁରେ ଟୋଷ୍ଟରୁ ଟିକେ ଭର୍ତ୍ତିକରି କହିଲା - ‘‘ଆଜି ଆଗେ ତମେ ଖାଇବ ମା’... ମୁଁ ତୁମର ଅଭିଭାବକ ।’’

 

ଶ୍ରୀମୟୀଙ୍କ ମୁହଁ ଉପରେ ହସର ସରୁ ରେଖାଟିଏ ଖେଳିଗଲା ଏବଂ ସେ କହିଲେ - ‘‘ତୁ ମୋ ବାପା ପରା ! ମୋ ଉପରେ ତୋର ପୂରା ଅଧିକାର... ।’’

 

ପୁଅ ଖୁଆଇ ଦେଉଥାଏ, ବାଧ୍ୟ ପିଲାଟି ପରି ଖାଉଥାନ୍ତି ଶ୍ରୀମୟୀ ।

 

ଲକ୍ଷ୍ମୀ ଆଉ ସମ୍ଭାଳି ନ ପାରି କହିଲା - ‘‘ବାପାମାନେ ଝିଅମାନଙ୍କ ସେବା କଲେ ଏମିତି ସୁନ୍ଦର ଦିଶେ ମା’...।

 

ଶ୍ରୀମୟୀ ତା’ ଆଡ଼କୁ ଚାହିଁ ମୁରୁକି ହସିଲେ ।

 

ଚା’ ଜଳଖିଆ ଖାଇସାରିବାପରେ ଶ୍ରୀମୟୀ ଧୀରେ ଧୀରେ ଚାଲିଗଲେ ଗାଧୁଆ ଘରକୁ । ଧୁଆଧୋଇ ହେଲେ ଭଲ ଲାଗିବ, ସତେଜ ଲାଗିବ ।

 

ସତ୍ୟକାମ ଫେରିଆସିଲା ନିଜ ଜଗତକୁ । ଏଇ କେତେଦିନ ବସି ବସି ଥକ୍କା ଲାଗୁଛି ତାକୁ । କାମ କରି ଥକ୍କା ଲାଗିବା ଓ କାମ ନ କରି ଥକ୍କା ଲାଗିବା ମଧ୍ୟରେ ଫରକଟା ଏଥର ବେଶ୍‌ ବାରି ପାରିଲା ସେ । କାମ ସାରିବା ପରେ ଥକ୍କା ଲାଗିଲେ ଦେହରୁ ପ୍ରସନ୍ନତା ହଜିଯାଏ ନାହିଁ, କେବଳ ଟିକେ ବିଶ୍ରାମ କଲେ, ମୁହଁ ହାତ ଧୋଇ ଚା’ କପେ ପିଇଲେ ପୁଣି କାମ କରିବାକୁ ଇଚ୍ଛା ହୁଏ; ବାକି କାମଗୁଡ଼ା ସାରିଦବାପାଇଁ ହାତଗୋଡ଼ ଖଲବଲ ହୁଏ । କିନ୍ତୁ ବସି ବସି ଥକିଯିବା ଯନ୍ତ୍ରଣାଦାୟକ । ମନର ଅବସନ୍ନତା ବଢ଼େ ସିନା କମେ ନାହିଁ । କିଛିଦିନ ବସିରହିଲେ ଦେହରେ ମେଦ ବୃଦ୍ଧି ହୁଏ, ରକ୍ତପ୍ରବାହ ଶିଥିଳ ହୋଇଯାଏ ।

 

ସନ୍ଧ୍ୟାବେଳକୁ ମୁକ୍ତେଶ୍ଵର ତଲ୍‌ୱାଲ୍‌କର ପହଞ୍ଚିଗଲେ ହୁମାୟୁନ୍‌କୁ ସାଙ୍ଗରେ ନେଇ ।

 

ସତ୍ୟକାମ ହାତଯୋଡ଼ି ନମସ୍କାର କଲା । ବସିବାପାଇଁ ଅନୁରୋଧ କଲା ।

 

ମୁକ୍ତେଶ୍ଵର ତା’ର କୁଶଳାଦି ପଚାରି ବୁଝିବା ପରେ କହିଲେ, ‘‘ତମେ ସେଦିନ ଚାଲି ଆସିବା ପରେ ମୋର ସିକ୍‌ସ୍ଥ୍‌ ସେନ୍‍ସ କହୁଥିଲା ତମକୁ ବାରଣ କରିବାପାଇଁ ଏତେ ରାତିରେ ନ ବାହାରିବାପାଇଁ । କାହିଁକି କେଜାଣି ମୋତେ କେମିତି କେମିତି ଲାଗୁଥିଲା... ଗୋଟେ ଉଦ୍‌ବେଗ ଧୀରେ ଧୀରେ ପ୍ରସାରିତ ହେଉଥିଲା ମନର ଗୋଟିଏ କୋଣରୁ ଅନ୍ୟ କୋଣକୁ ... ।’’

 

ସତ୍ୟକାମ କହିଲା -‘‘ସାର୍‌ ! ଆପଣ ଆମ ସଭିଙ୍କୁ ସ୍ନେହ କରନ୍ତି ସେଥିପାଇଁ ଏପରି ଅନୁଭବ ହୁଏ... ।’’

 

‘‘କିନ୍ତୁ ମୁଁ କଣ ଭାବେ ଜାଣ ! ନିଜ ଲୋକଙ୍କ ଆସନ୍ନ ବିପଦ ଏଇ ଷଷ୍ଠ ଇନ୍ଦ୍ରିୟକୁ ଜାଗ୍ରତ କରିଦିଏ । ଅନ୍ୟ ସମୟରେ ଏଇଟା ଅକାମୀ ହୋଇପଡ଼ିଥାଏ... ଆଉ ଏଇ ଇନ୍ଦ୍ରିୟଟା ସିଧା ଚାଳିତ ହୁଏ ଈଶ୍ୱରଙ୍କଦ୍ୱାରା । ନ ହେଲେ ହଜାରେ ମାଇଲ୍‌ ଦୂରରେ ଝିଅ ବା ପୁଅର କିଛି ହେଲେ ମା’ର ମନ ଗୋଳେଇ ଘାଣ୍ଟି କାହିଁକି ହୁଏ ! ଯେତେବେଳେ ଟେଲିଫୋନ ଆସେ ସେ ଦୂରୁ ଦୂରୁ ଛାତିରେ ରିସିଭର ମୁହଁ ପାଖରେ ରଖିବାକ୍ଷଣି କେହି ସେପାଖରୁ ଦୁଃସମ୍ବାଦ ଜଣାଇଦିଏ...।’’

 

ସେ ଯୋଗକଲେ - ’’ମୁଁ ଖବର ପାଇଲି ବଡ଼ିଭୋରରୁ । ଥାନାରୁ । ପୁଲିସ୍‌ ଇନ୍‍ସପେକ୍ଟର ମାନୁଏଲ୍‌ ସାମଲ ଫୋନ୍‌ କରିଥିଲେ ।’’ ‘‘ସେଇ ବାଟ ଦେଇ ପୁଲିସ୍‌ ପେଟ୍ରୋଲିଂ ପାର୍ଟି ଯାଉଥିଲା ସାର୍‌... ନ ହେଲେ ମୋତେ ସେଠାରୁ ଉଦ୍ଧାର କରଥାନ୍ତା କିଏ ? ଈଶ୍ଵରଙ୍କ ଦୟାରୁ ବଞ୍ଚିଗଲି...।’’ କହିଲା ସତ୍ୟକାମ ।

 

‘‘ଈଶ୍ଵରଙ୍କ ଦୟା ଏମିତି ଅଯାଚିତଭାବେ ଆସେ ସାର୍‌... ଆଲ୍ଲା ଇଜ୍‌ ଗ୍ରେଟ୍‌...।’’ କହିଲା ହୁମାୟୁନ୍‌ ।

 

‘‘କିନ୍ତୁ ଏ ଅବସ୍ଥାରେ କାମ ବିଷୟ ବେଶି ନ ଭାବି ଶୀଘ୍ର କିପରି ଉଠିବସିବ ସେଇ କଥା ଭାବ ସତ୍ୟକାମ । ଆମ ଜବ୍‌ ହାଜାର୍ଡ଼ ଦେଖି ବେଳେ ବେଳେ ଭାବେ କାହିଁକି ଏ ଚାକିରିରେ ପଶିଲି, କିନ୍ତୁ ପରମୁହୂର୍ତ୍ତରେ କିଏ ମୋତେ ମନେପକାଇ ଦିଏ ଯେ ମେସିନ୍‌ ଚଳାଉଥିବା ମଣିଷଟି ଟିକେ ଅସାବଧାନ ହେଲେ ତା’ ହାତ କଟିଯିବ...। ଗୃହିଣୀ ପିଲାଙ୍କପାଇଁ ଦୁଧ ଉତୁରାଉଥିବାବେଳେ ଅନ୍ୟମନସ୍କ ହେଲେ ଗରମ ଦୁଧ ଦେହରେ ପଡ଼ି ଖଣ୍ଡେ ଅଂଶ ଫୋଟକା ହୋଇଯାଇପାରେ । ଗ୍ୟାସ୍‌ଚୁଲି ଜାଳିବାବେଳେ ଶାଢ଼ିରେ ନିଆଁ ଲାଗିଯାଇପାରେ... । ସବୁ କାମରେ ବିପଦ ଅଛି । କିଛି ନ କରି ଗାଧୁଆ ଘରେ ସ୍ଲିପ୍‌କରି ହିପ୍‌ ଖସି ଯାଉଥିବା ଅନେକ ଘଟଣା ଶୁଣିଥିବ । ଏହାକୁ ଦୁର୍ଘଟଣା କହି ରହିଗଲେ ଚଳିବ ନାହିଁ । ବରଂ ଏହାର କାରଣ ଖୋଜି ତାହା ଯେପରି ଆଉ ନ ଉପୁଜେ ତାହା କରିବାକୁ ପଡ଼ିବ ।’’

 

ମୁକ୍ତେଶ୍ଵର ବେଶ୍‌ ପଣ୍ତିତ ଲୋକ । ଲୋକ ଚିହ୍ନିବାରେ ଭୁଲ ହୁଏନା ତାଙ୍କର । ସେଥିପାଇଁ ସତ୍ୟକାମକୁ ଅଳ୍ପଦିନ ମଧ୍ୟରେ ସେ ବିଶ୍ଵାସ କରିଥିଲେ ।

 

ସେମାନଙ୍କପାଇଁ ଲକ୍ଷ୍ମୀ ହାତରେ ଜଳଖିଆ, କଫି ପଠାଇ ନ ଦେଇ ନିଜେ ଶ୍ରୀମୟୀ ଆସିଲେ ପ୍ଲେଟ୍‌ନେଇ । ତାଙ୍କ ପରିଚୟ ଦେଇ କହିଲା ସତ୍ୟକାମ - ‘‘ମା’ ! ଇଏ ହେଉଛନ୍ତି ମୋ ବସ୍‌ ଶ୍ରୀଯୁକ୍ତ ମୁକ୍ତେଶ୍ଵର ତଲ୍‌ୱାଲ୍‌କର ଏବଂ ଇଏ ମୋ ସହକର୍ମୀ ହୁମାୟୁନ୍‌ କବୀର... ।’’

 

- ‘‘ଆପଣ ଏତେ କଷ୍ଟ, ନ କରିଥିଲେ ଚଳିଥାନ୍ତା ।’’ - ନମ୍ର ସ୍ୱରରେ କହିଲେ ତଲ୍‌ୱାଲ୍‌କର ।

 

ଶ୍ରୀମୟୀ କହିଲେ - ‘‘ଆମ ଭାରତୀୟ ସଂସ୍କୃତି ଭୁଲିଯିବି କିପରି ? ଆଜି ଆରମ୍ଭ ମାତ୍ର । ମ୍ୟାଡ଼ାମ୍‌ଙ୍କୁ ନେଇ ଦିନେ ନିଶ୍ଚେ ଆସିବେ । ଆମ ଘରେ ରାତ୍ରିଭୋଜନ କଲେ ମୁଁ କୃତଜ୍ଞ ରହିବି...-।’’

 

କଫି ଓ ଜଳଖିଆର ସଦ୍‌ବ୍ୟବହାର କରିବାପରେ ଆଉ ଅଳ୍ପ ସମୟ ଅଫିସ୍‌ କାମ ସମ୍ପର୍କରେ ମତ ବିନିମୟ କଲେ ସେମାନେ । ତା’ପରେ ଉଠିବାବେଳକୁ କହିଲେ ମୁକ୍ତେଶ୍ଵର - ‘‘ବ୍ୟସ୍ତ ହୁଅନା । ଯେତିକି ପାରିବ କର । କିନ୍ତୁ ସତର୍କ ରହିବ ସତ୍ୟକାମ । ମୋର କାହିଁକି ସନ୍ଦେହ ହେଉଛି ଯେ ଏଇଟା ଗୋଟେ ଦୁର୍ଘଟଣା ନୁହେଁ, ଇଟ୍‌ ୱାଜ୍‌ ଇଣ୍ଟେନ୍‍ସନାଲ ପ୍ରିପ୍ଲାନ୍‌ଡ । କେହି ବୋଧହୁଏ ଜାଣିଶୁଣି ତମର କ୍ଷତି କରିବାକୁ ସ୍ଥିର କରିଥିଲା... ।’’

 

ସତ୍ୟକାମ କହିଲା - ‘‘ମୁଁ କିଛି କାହାର କ୍ଷତି କରିନି ସାର୍‌ !’’

 

‘‘ଭଲ ଲୋକମାନେ ଏପରି କହିଥାନ୍ତି । ତମେ କାହାରି କ୍ଷତି କରିନ । କିନ୍ତୁ ତମେ ସତ୍ୟ ଜାଣିବାପାଇଁ ଅନୁସନ୍ଧାନ କରୁଛ । ଆଳୁ ଖୋଳୁ ଖୋଳୁ ଯେ ମହାଦେବ ନ ବାହାରିବେ କେମିତି ଜାଣିଲ ? ସଇତାନ ହୁଏତ ଖବର ରଖିଛି ତମେ କ’ଣ କରୁଛ । ସେଥିପାଇଁ ସତର୍କ କରୁଛି ସାବଧାନ ହବାପାଇଁ ।’’

 

ସେମାନେ ବିଦାୟ ନେଇ ବାହାରିଯିବା ପରେ ଶ୍ରୀମୟୀ କହିଲେ, ‘‘ତାଙ୍କ ଯିବାବେଳର କଥା ମୁଁ ଶୁଣିଛି ବାପା । ପର୍ଦ୍ଦା ଉହାଡ଼ରେ ମୁଁ ଅପେକ୍ଷା କରୁଥିଲି । ମୋର ଭୟ ହେଉଛି ତାଙ୍କ କଥା ଶୁଣି ।’’

 

ମା’ଙ୍କୁ ଭରସା ଦବାପାଇଁ କହିଲା ସତ୍ୟକାମ - ‘‘ତୁମେ ନିର୍ଭୟ ହୁଅ ମା’ ! ମୁଁ ମୋ କର୍ତ୍ତବ୍ୟ କରିବି ସିନା ଅଯଥା ଶତ୍ରୁ ସୃଷ୍ଟି କରିବି ନାହିଁ । ମୋ ଅନୁସନ୍ଧାନ ଜାଲରେ ସେମାନେ ଯଦି ପଡ଼ିବେ ମୁଁ ନାଚାର । କିନ୍ତୁ ତାହା ମୋର ଦୋଷ ନୁହେଁ । ସେମାନେ ନିଜ ଜାଲରେ ନିଜେ ପଡ଼ିବେ-। ଆଇନର ହାତ ଅନେକ ଲମ୍ବା... ।’’

 

ପୁଅର ମୁହଁକୁ ଅନାଇ ରହିଥିଲେ ଶ୍ରୀମୟୀ । ତା’ର ଆତ୍ମବିଶ୍ଵାସ ତାଙ୍କୁ ମୁଗ୍ଧ କରୁଥିଲା, କିନ୍ତୁ ଛାତି ତଳେ କେଉଁଠି କେଜାଣି ଆତଙ୍କ ଲୁଚି ରହିଥିଲା ସମୟ ପାଇଲେ ମାଡ଼ିବସିବ ବୋଲି । ମନେପଡ଼ିଲା ଫାଦର୍‍ ଆବ୍ରାହମ୍‌ଙ୍କ କଥା । ସେ କହିଥିଲେ ନିଜକୁ କର୍ତ୍ତା ନ ଭାବି ସବୁ ଈଶ୍ଵରଙ୍କ ଉପରେ ଛାଡ଼ିଦିଅ... ତମେ ଯଦି ସତ୍‌ପଥରେ ଥିବ ଦେଖିବ ସହାୟତା ନିଶ୍ଚୟ ମିଳିବ । ତମେ ତାଙ୍କୁ ଡାକିବା ପୂର୍ବରୁ ସେ ତମ ଆଡ଼କୁ ହାତ ବଢ଼ାଇଦେବେ ।’’

 

ଶ୍ରୀମୟୀ ଭିତରକୁ ଗଲେ । ଦେହଟା ଭାଙ୍ଗି ପଡ଼ୁଛି କ୍ଲାନ୍ତିରେ । ସେ ନିରୋଳାରେ ଟିକେ ଶୋଇପଡ଼ିଲେ । କିଏ କହିଥିଲା କେଜାଣି ବିବର୍ତ୍ତନର ଧାରା ବନ୍ଦ ହୋଇନାହିଁ । ଜଗତର ଅଜ୍ଞାତରେ ଚାଲିଛି ସେଇ ଧାରା, ବିବର୍ତ୍ତନ ମାର୍ଗ ଯେତେବେଳେ ଦୃଶ୍ୟ ହେବ ସେତେବେଳକୁ ଜଗତର ସାମ୍ଭାବ୍ୟ ରୂପ ଆହୁରି ଆଲୋକିତ ହୋଇଥିବ।

 

ଶ୍ରୀମା’ଙ୍କ ବାଣୀ ମନେପଡ଼ିଲା ।

 

ସେ କହିଛନ୍ତି ଯେ, ଗୋଟିଏ ନୂତନ ପୃଥିବୀ ଜନ୍ମ ନେଇଛି, ନୂତନ ଆଲୋକ ପୃଥିବୀ ଉପରେ ଅବତରଣ କରିଛି ଏବଂ ଅତୀତରେ ମଣିଷକୁ ଦିଆଯାଇଥିବା ସକଳ ପ୍ରତିଶ୍ରୁତି ପୂର୍ଣ୍ଣ ହୋଇଛି । ସେଇ ବାଣୀର ମର୍ମାର୍ଥ ବୁଝିବାକୁ ଚେଷ୍ଟାକଲା । ଅତିମାନସ ଶକ୍ତି ଅବତରଣ କରିଛି, ତେଣୁ ସେଇ ମାଧ୍ୟମରେ ଏଇ ବିବର୍ତ୍ତନ ସଂଘଟିତ ହେବ । ମହତ୍‌କାର୍ଯ୍ୟ ହେବା ପୂର୍ବରୁ ବାଧାବିଘ୍ନ ଆସେ । ଶ୍ରେୟାଂସି ବହୁ ବିଘ୍ନାନି । କିନ୍ତୁ ସେଇ ବାଧାବିଘ୍ନକୁ ଅତିକ୍ରମ କରିବାକୁ ହେବ ।

 

ହଠାତ୍‌ ଟେଲିଫୋନ୍‌ଟା ବାଜିଉଠିଲା ।

 

ରିସିଭର ଉଠାଇ ନେଇ କହିଲା ସତ୍ୟକାମ - ‘‘ହ୍ୟାଲୋ...’’

 

ସେ ପାଖରୁ କହୁଥିଲା ଜଣେ ଅପରିଚିତ ଲୋକ କର୍କଶ କଣ୍ଠରେ - ‘‘ତମକୁ ସାବଧାନ କରି ଦେଇଥିଲି, ତଥାପି ତମେ ବୁଝିପାରିଲ ନାହିଁ । ଏଥର ତମ ଗୋଡ଼ ଭାଙ୍ଗିଛି, ଆଗ ଥରକୁ ଆହୁରି ବଡ଼ ବିପଦ ପଡ଼ିପାରେ... ମୁଁ ଆଶା କରିବି ଯେ ମୋତେ ତୁମେ ବାଧ୍ୟ କରିବ ନାହିଁ ଆଉ କିଛି କରିବାପାଇଁ... ।’’

 

-“କିଏ ? କିଏ ? କିଏ କହୁଛ ?’’ ପଚାରି ଚାଲିଥିଲା ସତ୍ୟକାମ ।

 

କିନ୍ତୁ ସେ ଉତ୍ତର ନ ଦେଇ ରିସିଭର ରଖି ଦେଇଥିଲା କ୍ରାଡ଼ଲ ଉପରେ ।

 

॥ ପାଞ୍ଚ ॥

 

କଲିକତାରୁ କୋଇମ୍ବାଟୋର ଫେରିବା ବାଟରେ ଭୁବନେଶ୍ୱରଠାରେ ବାଟ ଭାଙ୍ଗି ଓହ୍ଲାଇ ପଡ଼ିଲେ ଫାଦର୍‍ ଆବ୍ରାହମ୍‌ । ଶ୍ରୀମୟୀ ଓ ତାଙ୍କ ପୁଅକୁ ଦେଖିଯିବା ଏକମାତ୍ର ଉଦ୍ଦେଶ୍ୟ । ଏଇ କେତେବର୍ଷ ହେଲା ସେମାନଙ୍କ ସହିତ ଦେଖାହୋଇନି, ଯଦିବା ଟେଲିଫୋନ୍‌, ଇ-ମେଲ ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଯୋଗାଯୋଗ ଅବ୍ୟାହତ ଅଛି । କଲିକତାରେ କ୍ୟାଥଲିକ୍‌ ମିଶନର ଗୋଟେ ମିଟିଂ ଥିଲା, ସେଥିରେ ଯୋଗ ଦେଇ ଫେରୁଥିଲେ ଫାଦର୍‍ ।

କରମଣ୍ଡଳ ଏକ୍ଵପ୍ରେସ୍‌ରୁ ଓହ୍ଲାଇବାକ୍ଷଣି ତାଙ୍କ ପାଦ ଛୁଇଁ ପ୍ରଣାମ କଲେ ଶ୍ରୀମୟୀ । ତାଙ୍କ ମଥା ଉପରେ ହାତ ରଖି କହିଲେ ଫାଦର୍‍ - ‘‘ଗଡ଼୍‌ ବ୍ଲେସ୍‌ ୟୁ ମାଇଁ ଡଟର । ସତ୍ୟ କାହିଁ ? କେମିତି ଅଛି ? ତୁମ ଦୁହିଁଙ୍କୁ ଦେଖିବାପାଇଁ ମନ ବ୍ୟାକୁଳ ହେଲା । ବାଟ ଭାଙ୍ଗିଲି ଭୁବନେଶ୍ୱରରେ... ।’’

ଶ୍ରୀମୟୀ କହଲେ - ‘‘ଗୋଟାଏ ଦୁର୍ଘଟଣା ଯୋଗୁଁ ତା’ ଗୋଡ଼ ଭାଙ୍ଗିଥିଲା । ବ୍ୟାଣ୍ଡେଜ୍‌ ଖୋଲିବା ପରେ କାମରେ ଯୋଗ ଦେଇଛି । କ’ଣ ଗୋଟେ ଜରୁରୀ କାମରେ ବାହାରି ଯାଇଥିଲା, ଫେରିପାରିନି । କିନ୍ତୁ ଫୋନ୍‌ କରି ଜଣାଇ ଦେଲା ଯେ ସେ ସିଧା ଘରକୁ ଫେରିବ ଆପଣଙ୍କୁ ସାକ୍ଷାତ୍‌ କରିବାପାଇଁ... ।’’

‘‘କାମ ପାଗଳ । ପିଲାଦିନୁ ଏଇ ଅଭ୍ୟାସ ରହିଛି ତା’ର । କର୍ତ୍ତବ୍ୟ ଈଶ୍ୱରଙ୍କ ସେବା ସହିତ ସମାନ ଶ୍ରୀମୟୀ, ମୁଁ ତୁମକୁ ପୂର୍ବରୁ କହିଛି, ଆଜି ଆଉଥରେ କହି ରଖୁଛି ଯେ ସେ ଦିନେ ଅନେକ ବଡ଼ ହେବ... ଖ୍ୟାତି ଅର୍ଜନ କରିବ... ।’’

ଶ୍ରୀମୟୀଙ୍କୁ ସୁଖ ଲାଗୁଥିଲା ଫାଦର୍‍ଙ୍କ କଥା ଶୁଣିବାପାଇଁ । ତା’ ସହିତ ଫାଦର୍‍ଙ୍କ ପ୍ରତି କୃତଜ୍ଞତାରେ ମଥା ନଇଁ ପଡ଼ୁଥିଲା । ତାଙ୍କ ସହିତ ସାକ୍ଷାତ୍‌ ହୋଇ ନ ଥିଲେ ମା’ ପୁଅ କୋଉଠି ହଜିଯାଇଥାନ୍ତେ ଈଶ୍ଵର ଜାଣନ୍ତି । ସେଇ ଦିନଗୁଡ଼ା ମନେପଡ଼ିଲେ ଦେହ ଶୀତେଇ ଉଠେ । ଭଗବାନ ଫାଦର୍‍ଙ୍କ ରୂପରେ ଆସି ତାଙ୍କୁ ସେଦିନ ଚର୍ଚ୍ଚକୁ ନେଇଯାଇଥିଲେ ବୋଲି ଆଜି ସେ ମଥାଟେକି ଚାଲୁଛନ୍ତି । ପୁଅ ଭଲ ଶିକ୍ଷା ପାଇଛି । ସେ ବି ଘରେ ବସି ନାହାଁନ୍ତି । କନଭେଣ୍ଟ୍ ସ୍କୁଲର ପ୍ରିନ୍‌ସିପାଲ ହେବା ସୌଭାଗ୍ୟର ବିଷୟ ।

 

ଫାଦର୍‍ଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିବାବେଳେ ବାଟରେ କହିଲେ ଶ୍ରୀମୟୀ–‘‘ସାମ୍ବାଦିକତା କରୁଛି ସତ୍ୟ ନିଜ ଇଚ୍ଛାରେ । ଭଲ ଲାଗୁଛି ତାକୁ । ସତ୍ୟର ଅନୁସନ୍ଧାନ କରିବା କୁଆଡ଼େ ସବୁଠାରୁ ବେଶୀ ରୋମାଞ୍ଚକର...।’’

 

‘‘ହଁ, ସେ ସତ କହିଛି, ସତ୍ୟର ଅନୁସନ୍ଧାନ କରିବା ସାମାନ୍ୟ କଥା ନୁହେଁ । ସତ୍ୟ ଅଛି ବୋଲି ସଂସାରରେ ନ୍ୟାୟ, ନୀତି ଅଛି । ଗାନ୍ଧିଜୀ କହିଥିଲେ ନା ସତ୍ୟହିଁ ସାକ୍ଷାତ୍‍ ଈଶ୍ଵର ।’’

 

ଦ୍ଵାର ମୁହଁରେ ଗାଡ଼ି ଛିଡ଼ା ହେଲା ।

 

ସତ୍ୟ ଗାଡ଼ିର ଦରଜା ଖୋଲିଦେଲା, ଫାଦର୍‍ ଓହ୍ଲାଇ ପଡ଼ିବାକ୍ଷଣି ତାଙ୍କ ପାଦ ଛୁଇବାପାଇଁ ନଇଁପଡ଼ିବା ବେଳକୁ ତାକୁ ଉଠାଇ ଦେଇ ଆଲିଙ୍ଗନ କଲେ ଫାଦର୍‍ । କହଲେ ‘‘ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ପୁଅ... ତମର ଉଜ୍ଜ୍ଵଳ ଭବିଷ୍ୟତ ମୁଁ କାମନା କରୁଛି... ।’’

 

ଫାଦର୍‍ ବୁଢ଼ା ହୋଇ ଗଲେଣି । ତାଙ୍କ ବୟସ ଅନୁପାତରେ କିନ୍ତୁ କମ ବୟସ ବୋଲି ଧାରଣା ହୁଏ । କେଶ ସବୁ ପାଚିଗଲାଣି । ମୁହଁ ଉଜ୍ଜ୍ଵଳ ଦିଶୁଥିଲେ ବି ବୟସର ରେଖା ଗଣି ହେଉଛି । ସତସ୍ତରି ଚାଲିଛି । କିନ୍ତୁ ମୁହଁ ଉପରେ ସଦାବେଳେ ରହିଥିଲା ସେଇ ପ୍ରସନ୍ନତା ।

 

ଫାଦର୍‍ ଧୁଆଧୋଇ ହୋଇ ବାହାରିବାବେଳକୁ ଶ୍ରୀମୟୀ ଟେବୁଲ ଉପରେ ଡିନର ସଜାଇ ରଖିଥିଲେ ।

 

ଫାଦର୍‍ କହିଲେ - “ତେବେ ଆଉ ଡେରି କାହିଁକି ? ବସ, ସମସ୍ତେ ସାଙ୍ଗ ହୋଇ ଖାଇବା... ।’’

 

ସତ୍ୟକାମ ତାଙ୍କ ପାଖରେ ବସିଲା ।

 

ଫାଦର୍‍ କହିଲେ - ‘‘କାମ କିପରି ଲାଗୁଛି...’’

 

- ‘‘ଭଲ ଲାଗୁଛି ଫାଦର୍‍ । କ୍ଵାଇଟ୍‌ ଏକ୍‌ସାଇଟିଂ... ଟ୍ରୁଥ୍‌ ହ୍ୟାଜ୍‌ ଟୁ ବି ଏଷ୍ଟାବ୍ଲିସ୍‌ଡ଼୍‌... । ସତ୍ୟ ପ୍ରତିଷ୍ଠା କରିବା କାମଟି ବେଶ୍‌ ଉଦ୍ଦୀପକ ।’’ କହିଲା ସତ୍ୟକାମ ।

 

ସୁପ୍‌ ଶେଷକରି କହିଲେ ଫାଦର୍‍ - ‘‘ଏକ୍ସଲେଣ୍ଟ ସୁପ୍‌ ଶ୍ରୀ...’’

 

- ‘‘ଥ୍ୟାଙ୍କ୍‌ ୟୁ ଫାଦର୍‍... ଲାଉ ସୁପ୍‌...’’ ପୁନାରେ ଥିବାବେଳେ ଶିଖିଥିଲି ।’’

 

- ‘‘କଲିକତାରୁ ଫେରିବା ବାଟରେ ଏଠାରେ ଓହ୍ଲାଇବାର ଆଉ ଗୋଟେ ବି କାରଣ ଅଛି ଶ୍ରୀ । ମୋତେ ଆମ ବିଶପ୍‌ ଡାକିଥିଲେ । ଓଡ଼ିଶାରେ ଆମ ସଂଗଠନର ଦାୟିତ୍ୱ ମୋତେ ଦବାପାଇଁ ତାଙ୍କର ଇଚ୍ଛା... ମୋ ମତ ଜାଣିବାକୁ ଚାହୁଁଥିଲେ ।’’

 

- ‘‘ଫାଦର୍‍, ଆପଣ କ’ଣ କହିଲେ ?’’ ସତ୍ୟକାମ ଆଗ୍ରହ ଚାପି ରଖି ନ ପାରି ପଚାରିଦେଲା ।

 

ଶ୍ରୀମୟୀ ଫାଦର୍‍ଙ୍କ ଉତ୍ତର ଶୁଣିବାପାଇଁ ଅନାଇ ରହିଲେ ।

 

ଫାଦର୍‍ କହିଲେ -‘‘ତମ ଦୁହିଁଙ୍କ ମୁହଁ ମନେପଡ଼ିଲା । ଯଦି ପ୍ରଭୁ ଚାହାଁନ୍ତି ଯେ ମୁଁ ତୁମ ଦୁହିଁଙ୍କ ପାଖରେ ରହେ, ତେବେ ତାହାହିଁ ହେବ । ମୋର ନିଜର ଇଚ୍ଛା ଅନିଚ୍ଛା ବୋଲି କିଛି ନାହିଁ । ମୁଁ ତାଙ୍କରି ଇଚ୍ଛାନୁସାରେ କାର୍ଯ୍ୟ କରିବି... ।’’

 

ଖରାରେ ଚାଲି ଚାଲି ଥକି ପଡ଼ିଥିବା ପଥିକ ଟିକେ ଶାନ୍ତିରେ ବିଶ୍ରାମ ନବାପାଇଁ ବଟବୃକ୍ଷର ଛାଇତଳେ ବସି ପଡ଼ିବା ପରି ଫାଦର୍‍ଙ୍କ ସାନ୍ନିଧ୍ୟରେ ନିଶ୍ଚିନ୍ତ ହେବାର ସୁଯୋଗ ପାଇବା ସମ୍ଭାବନା ଦେଖି ଶ୍ରୀମୟୀଙ୍କ ମୁହଁ ଉପରେ ପରିତୃପ୍ତିର ହସ ଖେଳିଗଲା । ସେ ଆହ୍ଲାଦିନୀର ସନ୍ତୋଷ ନେଇ କହିଲେ, ‘‘ଈଶ୍ୱର ମହାନ୍‌... ସେ ଆମ ପରି ଦୁଇ ଜଣ ନିଃସହାୟ ପ୍ରାଣୀଙ୍କୁ ନିଶ୍ଚିନ୍ତ ହେବାପାଇଁ ଯେ ଏଇ ବ୍ୟବସ୍ଥା କରିଛନ୍ତି ଏଥିରେ ମୋ ମନରେ ସଂଶୟ ନାହିଁ ।’’

 

-‘‘ଆପଣ କେବେ ଆସିବେ ଫାଦର୍‍ ?” ପଚାରିଲା ସତ୍ୟକାମ ।

 

-‘‘ବର୍ଷା ୠତୁ । କେତେଗୁଡ଼ା କାମ ବାକି ଅଛି ସେଠାରେ... ସେସବୁ ଏଇ ଦୁଇ ତିନି ମାସ ମଧ୍ୟରେ ଶେଷ କରିଦେବି । ତା’ପରେ କୋଇମ୍ବାଟୋରରୁ ଭୁବନେଶ୍ୱର..।’’ ସେମାନଙ୍କୁ ଆଶ୍ଵାସନା ଦବାପରି କହିଲେ ଫାଦର୍‍ ।’’

 

ସେଦିନ ଭୋଜନ ଆହୁରି ସ୍ଵାଦିଷ୍ଟ ମନେହେଲା । ଫାଦର୍‍ଙ୍କ ନରମ ନରମ କଥା ଶୁଣି ପଲ୍ଲବିତ ହେଉଥିଲେ ଶ୍ରୀମୟୀ । ଆଗାମୀ କାଲିର ପୃଥିବୀକୁ ଆହୁରି ଦୃଢ଼ତାର ସହିତ ସାମ୍ନା କରିବାପାଇଁ ମନରେ ଭରସା ହେଉଥିଲା ସତ୍ୟକାମର । ଫାଦର୍‍ ଭୁବନେଶ୍ୱରରେ ରହିଲେ ମା’ ନିର୍ଭୟ ହେବେ, ତାଙ୍କ ମନରୁ ଦୁଶ୍ଚିନ୍ତା ଦୂର ହେବ । ତିନିଦିନ ସେମାନଙ୍କ ସହିତ ରହିଗଲେ ଫାଦର୍‍-। ଏଇ ପରିଣତ ବୟସରେ ବି ତାଙ୍କର ଆତ୍ମବିଶ୍ଵାସ, ପ୍ରାଣପ୍ରାଚୁର୍ଯ୍ୟ ଏବଂ କାମ କରିବାର ଉତ୍ସାହ ଦେଖି ସତ୍ୟକାମର ମନ ଆହୁରି ଦୃଢ଼ ହୋଇଥଲା ଏବଂ ସେ ଯେ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବ ନାହିଁ ଏଇ ପ୍ରତ୍ୟୟ ଜାତ ହୋଇଥିଲା ମନରେ ।

 

ଫାଦର୍‍ ପ୍ରବଚନ ଦେଲାପରି ଦିନେ ସନ୍ଧ୍ୟାବେଳେ କହୁଥିଲେ ସେମାନଙ୍କୁ - ‘‘ବିଭିନ୍ନ ଧର୍ମର ପତାକା ଧରି ଦୁନିଆର ମଣିଷମାନେ ସିନା ବାଣ୍ଟି ହୋଇଯାଇଛନ୍ତି ବିଭିନ୍ନ ଶିବିର ମଧ୍ୟରେ, କିନ୍ତୁ ପ୍ରକୃତରେ ଧର୍ମ ଗୋଟିଏ, ଈଶ୍ଵର ଜଣେ, ସେ ଏକ ଓ ଅଦ୍ୱିତୀୟ । ସବୁ ପ୍ରେରଣାର ଉତ୍ସ । ସବୁ ବିଶ୍ଵାସର ମୂଳ । ତାଙ୍କ ଆଗରେ ସମସ୍ତେ ସମାନ । ସେ କରୁଣାମୟ ।’’

 

ଶ୍ରୀରାମକୃଷ୍ଣ ପରମହଂସ ସେଇ ଏକ କଥା କହନ୍ତି । ସାଧୁସନ୍ଥମାନେ ଈଶ୍ଵରଙ୍କୁ ଭିନ୍ନ ରୂପରେ ଦେଖିଲେ ମଧ୍ୟ ସେ ଏକ । ବେଦ କହିଛନ୍ତି - ‘ଏକମ୍‌ ସଦ୍‌ବିପ୍ରା ବହୁଧା ବଦନ୍ତି ।’ ଈଶ୍ଵର ଏକ, କିନ୍ତୁ ତତ୍ତ୍ଵଜ୍ଞମାନେ ତାଙ୍କୁ ବହୁରୂପରେ ଦେଖନ୍ତି, ସେ କିନ୍ତୁ ଏକ ଓ ଅଭିନ୍ନ ।

 

ତଥାପି ମଣିଷମାନେ କଳି କରନ୍ତି ଧର୍ମକୁ ନେଇ । ଈଶ୍ଵରଙ୍କୁ ନେଇ । କିଏ କହେ ମୋ ଈଶ୍ଵରହିଁ ବଡ଼, ସେ କେବଳ ମହାନ୍‌, ଅନ୍ୟ ସମସ୍ତେ ମିଥ୍ୟା । ସେଥିପାଇଁ ତାଙ୍କୁ ମାଧ୍ୟମ କରି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଗଠନ କରାଯାଇଛି । ତାଙ୍କ ପତାକା ଧରି ଯୁଦ୍ଧ ହୁଏ । ଧର୍ମ ଏକତ୍ରୀକରଣର ଉତ୍ସ ହେବା ପରିବର୍ତ୍ତେ ବିଭାଜନର କାରଣ ହୋଇଛି । ତାଙ୍କ ନାମ ବିସ୍ତାର କରିବା ସକାଶେ ଆତଙ୍କ ସୃଷ୍ଟି କରିବା ଧର୍ମ ନୁହେଁ... ।

 

ଧର୍ମ ନାମରେ ବାଣ୍ଟି ହୋଇଯାଇଛନ୍ତି ଜଗତର ସାତ ଶହ କୋଟି ମଣିଷ । ସେମାନଙ୍କର ରଙ୍ଗ ଭିନ୍ନ ହୋଇପାରେ, ସେମାନଙ୍କ ତୁଣ୍ଡର ଉଚ୍ଚାରଣ ଅଲଗା, ଦେଶ କାଳପାତ୍ର ବି ଭିନ୍ନ ଭିନ୍ନ । କିନ୍ତୁ ସମସ୍ତେ ପ୍ରଭୁଙ୍କ ସନ୍ତାନ, ସମସ୍ତେ ତାଙ୍କର ପ୍ରିୟ ଭାଇ ଭାଇ, ଭଉଣୀ ଭଉଣୀ ।

 

ଫାଦର୍‍ ଶ୍ରୀମୟୀଙ୍କୁ ମନେପକାଇ ଦେଇ କହିଲେ - ‘‘ଭାଗବତରେ ଲେଖାଅଛି ବୋଲି ତୁମେ ମୋତେ ଯେଉଁକଥା କହିଥିଲ ମନେଥିବ ଶ୍ରୀ ।’’

 

‘‘ସକଳ ଘଟେ ନାରାୟଣ

ବସନ୍ତି ଅନାଦି କାରଣ ।’’

 

‘‘ଏଇ କଥାର ଅର୍ଥ ବୁଝିଲେ ସବୁ ସଂଶୟ ଦୂର ହେବ, ସବୁ ବାଦବିବାଦ ଉଭେଇଯିବ ଏବଂ ପୃଥିବୀ ଗୋଟିଏ ପରିବାରରେ ପରିଣତ ହେବ । ବସୁଧୈବ କୁଟୁମ୍ବକମ୍‌ ।’’

 

ଫାଦର୍‍ଙ୍କ ମୁହଁକୁ ଗୋଟିଏ ଲୟରେ ଚାହିଁରହିଥିଲା ସତ୍ୟକାମ । ଧୀରେ ଧୀରେ ଗୋଟିଏ ଆଲୋକିତ ଆନନ୍ଦମୟ ପୃଥିବୀର ରୂପ ଝଲସି ଉଠୁଥିଲା ଆଖି ଆଗରେ । ତଥାପି କାହିଁକି ଜଣକ ହୃଦୟରେ ଆଉ ଜଣକପାଇଁ ପ୍ରେମ ବଦଳରେ ଘୃଣା ଶତ୍ରୁତା ସୃଷ୍ଟି ହୁଏ ? ସେଇ ଲୋକଟା କାହିଁକି ତାକୁ ମାରିଦବାପାଇଁ ଚେଷ୍ଟା କରିଥିଲା ? ସେ କ’ଣ ଦୋଷ କରିଛି ? ତାକୁ ଆହତ କରିବା ପରେ ବି ସେ ସନ୍ତୁଷ୍ଟ ନୁହେଁ, ଧମକ ଦେଇଛି ଆହୁରି କ’ଣ ଅନିଷ୍ଟ କରିବ ବୋଲି... ଫାଦର୍‍ଙ୍କୁ କହିବ କହିବ ହେଉଥିଲେ ବି ସେ କହିପାରିଲା ନାହିଁ । ସେ ସଂସାର ଜଞ୍ଜାଳରୁ ମୁକ୍ତ । ତାଙ୍କୁ ସଂସାରର ଜଟିଳତା ମଧ୍ୟକୁ ଟାଣି ଆଣିବାପାଇଁ କିଏ ଯେପରି ବାରଣ କଲା ସତ୍ୟକାମକୁ ।

 

କିନ୍ତୁ ମା’ ମନ ଅନ୍ୟପ୍ରକାର । କାଳେ ଖରାପ ସମୟ ପଡ଼ିଥିବ, ସେଇ ଅପରାଧୀ ଆଉ କିଛି ବଡ଼ଧରଣର ଅନିଷ୍ଟ କରିବ ଏଇ ଆଶଙ୍କା ଅସ୍ଥିର କରୁଥିଲା ତାଙ୍କୁ । ସେଦିନ ସନ୍ଧ୍ୟାବେଳେ ଚା’ ପାନ କଲାବେଳେ କହିଦେଲେ ଶ୍ରୀମୟୀ ଯାହା ଘଟିଥିଲା । ସେ ଲୋକଟା ଧମକ ଦେଇଛି ସତ୍ୟକାମ ତା’ ବାଟରୁ ହଟି ନ ଗଲେ ଆଉ କ’ଣ ସାଂଘାତିକ କିଛି କରିପାରେ ।

 

ଫାଦର୍‍ ମନଦେଇ ସବୁ ଶୁଣିଲେ । କିଛି ସମୟ ଆଖିବୁଜି କ’ଣ ଭାବିଲେ । ତା’ପରେ ଶ୍ରୀମୟୀଙ୍କୁ ସାହସ ଦବାପାଇଁ କହିଲେ ସେ - ‘‘ପ୍ରଭୁ ରକ୍ଷା କରିବେ ନିଶ୍ଚୟ । ସେଇ ଲୋକଟା ନିଜକୁ ସର୍ବଶକ୍ତିମାନ୍‌ ମନେକରୁଛି । କିନ୍ତୁ ତା’ଠାରୁ କୋଟି କୋଟି ଗୁଣରେ ବଡ଼ ଯେ ଆହୁରି ଗୋଟିଏ ମହାନ୍‌ ଶକ୍ତି ଅଛି ତାହା ସେ ଜାଣେ ନାହିଁ । ପାପୀମାନଙ୍କ ଅବବୋଧରେ ଈଶ୍ଵର ସହଜରେ ଧରାଦିଅନ୍ତି ନାହିଁ ।’’

 

‘‘ତଥାପି ସାବଧାନ ରହିବା ଉଚିତ । ଜାଣି ଜାଣି ବିପଦ ଭିତରକୁ ଝାମ୍ପଦବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ସତ୍ୟକାମ ଭାବିଚିନ୍ତି କାମ କରିବ । ତୁମେ ବି ସତର୍କ ରହିବ । ପ୍ରଭୁଙ୍କ ଉପରେ ଦାୟିତ୍ୱ ଛାଡ଼ିଦିଅ । ସେ ଠିକ୍‌ ସମୟରେ ପ୍ରାର୍ଥନା ଶୁଣିବେ । ମହାଭାରତର ଦ୍ରୌପଦୀ ବସ୍ତ୍ରହରଣ କଥା ମନେପକାଅ । ପୁରାଣର ଗଜ ଉଦ୍ଧାରଣ କାହାଣୀ ସ୍ମରଣ କର । ସତ୍‌ପଥରେ ଧର୍ମମାର୍ଗରେ ଥିବା ଭକ୍ତକୁ ସେ ସର୍ବତୋଭାବେ ରକ୍ଷା କରନ୍ତି । ଯୋଗକ୍ଷେମ ବହ୍ଵାୱହମ୍‌ । ଗୀତାରେ ତ ଶ୍ରୀକୃଷ୍ଣ ସେଇ ସନ୍ଦେଶ ଦେଇଛନ୍ତି । ଆଉ ବାଇବେଲରେ ପ୍ରଭୁଙ୍କ ଅଲୌକିକତା ବିଷୟ ତମେ ଜାଣିଛ ।’’

 

ଫାଦର୍‍ ଖ୍ରୀଷ୍ଟାନ୍‌ । କିନ୍ତୁ ହିନ୍ଦୁଧର୍ମର ମୂଳକଥା ମନେରଖିଛନ୍ତି । ବିଭିନ୍ନ ଶାସ୍ତ୍ର ପୁରାଣ ଓ ଧର୍ମ ପୁସ୍ତକ ଅଧ୍ୟୟନ କରନ୍ତି । ତେବେ ଅନ୍ୟଧର୍ମର ଲୋକଙ୍କୁ ପ୍ରଲୋଭନ ଦେଖାନ୍ତି ନାହିଁ ଧର୍ମ ବଦଳ କରିବାପାଇଁ । ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଅଛି ନିଜ ବିଶ୍ଵାସ ଅନୁସାରେ ଚଳିବାପାଇଁ । ବାଧ୍ୟବାଧକତା ଲୋଡ଼ା ହୁଏନା ।

 

ସେଇ ରାତିରେ ନିରୁଦ୍‌ବିଗ୍ନ ମନରେ ଶୋଇଲେ ଶ୍ରୀମୟୀ । ସ୍ଵପ୍ନରେ ମଧ୍ୟ ତାଙ୍କୁ କେହି କହୁଥିବା ଶୁଣିଲେ ସେ - ‘ତାଙ୍କୁ ସ୍ମରଣ କର, ସତ୍‌ମାର୍ଗରେ ଚାଲ, ସେ ରକ୍ଷା କରିବେ ।’

 

ସତ୍ୟକାମ ସକାଳୁ ଉଠି ମା’ଙ୍କୁ କହିଲା - ‘‘ଫାଦର୍‍ ଆମ ସହିତ ଅଛନ୍ତି ବୋଲି ସମୟ କେଡ଼େ ମଧୁର ମନେହେଉଛି ଦେଖୁଛ ମା’ ! ସେ ଈଶ୍ଵରଙ୍କ ମଣିଷ... ।’’

 

ଶ୍ରୀମୟୀ ତା’ କାନ୍ଧ ଆଉଁସି ଦେଇ କହିଲେ - ‘‘ମୋ ବିଶ୍ୱାସରେ ମୁଁ ଅଟଳ ଅଛି । ତୁ ତୋ କର୍ତ୍ତବ୍ୟ କରିଯିବୁ... ସବୁ ସମର୍ପଣ କରିବୁ ତାଙ୍କୁ । ତାଙ୍କରି କାମ ତୋଦ୍ଵାରା ସେ କରାଇ ନେଉଛନ୍ତି ଭାବି ନିଖୁଣଭାବେ କରିବୁ । ତୋର କେହି ଶତ୍ରୁ ନାହିଁ, ସମସ୍ତେ ମିତ୍ର... ।’’

 

ଫାଦର୍‍ ଶୁଣୁଥିଲେ ପର୍ଦ୍ଦା ସେପାଖରୁ । ପର୍ଦ୍ଦା ଆଡ଼େଇ ଆଗକୁ ଆସି କହିଲେ - ‘‘ଠିକ୍‌ କହିଛ ଶ୍ରୀମୟୀ । ଏ ଜଗତରେ ସମସ୍ତେ ମିତ୍ର... ଯଦି ଆଉ କେହି ଶତ୍ରୁ ଭାବୁଥାଏ ତାକୁ ଭାବିବାକୁ ଦିଅ । ସେ ଦିନେ ତା’ ଭୁଲ ବୁଝିପାରିବ । ପ୍ରଭୁ କ୍ରୁଶବିଦ୍ଧ ଥିବାବେଳେ କହିଥିଲେ ନା - ‘‘ହେ ଈଶ୍ଵର-! ସେମାନଙ୍କୁ କ୍ଷମା କର... କାରଣ ସେମାନେ ଜାଣନ୍ତି ନାହିଁ କ’ଣ କରୁଛନ୍ତି ।’’

 

ସତ୍ୟକାମ କହିଲା - ‘‘ଆପଣ ଆଶୀର୍ବାଦ କରନ୍ତୁ । ମୋପାଇଁ ଈଶ୍ୱରଙ୍କୁ ଜଣାନ୍ତୁ... ମୁଁ ଯେପରି ଜଗତକୁ ସେଇ ଦୃଷ୍ଟିରେ ଦେଖେ ।’’

 

ଫାଦର୍‍ ହାତ ଟେକି ଆଶୀର୍ବାଦ କଲେ ।

 

କାମରେ ବାହାରିଗଲା ସତ୍ୟକାମ ।

 

ଫାଦର୍‍ଙ୍କୁ ଏକୁଟିଆ ପାଇ ତାଙ୍କ ସାଙ୍ଗରେ ବସି ଦୁଃଖସୁଖ ହେବାପାଇଁ ଇଚ୍ଛା ହେଲା ଶ୍ରୀମୟୀଙ୍କର ।

 

ବୈଠକଖାନାରେ ବସିଲେ ଦୁହେଁ । ।

 

ଫୁଲଦାନିରେ ଚହଟୁଥିବା ରଜନୀଗନ୍ଧା ଫୁଲ ଦେଖି କହିଲେ ଫାଦର୍‍ - ‘‘ଏଇ ଫୁଲ ପରି ଶୁଦ୍ଧ ପବିତ୍ର ହେବାପାଇଁ ମଣିଷ ଜନ୍ମ ହୁଏ... କିନ୍ତୁ ସାରାଜୀବନ ସେ ବିଷପାନ କରି ନିଜକୁ ମୃତ୍ୟୁଆଡ଼କୁ ଟାଣିନିଏ । ନିଜ ହାତରେ ନିଜକୁ ଗଢ଼ିବାପାଇଁ ଯିଏ ନ ଶିଖେ ତାକୁ ପ୍ରଭୁ କ’ଣ ଶିକ୍ଷା ଦେବେ ? ସେ ତ ଆମକୁ ହାତ, ଗୋଡ଼ ଦେଇଛନ୍ତି କାମ କରିବାପାଇଁ, ବୁଦ୍ଧି ଦେଇଛନ୍ତି ଭଲ ମନ୍ଦ ବିଚାର କରି କର୍ତ୍ତବ୍ୟ କରିବାପାଇଁ । ବିବେକ ଦେଇଛନ୍ତି ସଂକଟ ପଡ଼ିଲେ ଠିକ୍‌ରାସ୍ତା ବାଛିବାପାଇଁ... ସେ ଆମ ଭିତରେ ଅଛନ୍ତି... ତାଙ୍କୁ ଦେଖି ନ ପାରିବା ଆମର ଦୋଷ...।’’

 

‘‘ମୋର ତ ବେଳେ ବେଳେ କ’ଣ ହୋଇଯାଏ କେଜାଣି ମୁଁ ନିଜକୁ ହଜାଇ ଦିଏ ସଂସାର ଭିତରେ... ମୋ ଆଖି ଆଗରେ ନାଚିଯାଏ ଅତୀତର ସେଇ ବିଭୀଷିକା... ଭୁଲିବାକୁ ଚେଷ୍ଟା କରି ବି ଭୁଲିପାରୁନି... ସେଇ ସଇତାନ ମୋର ସବୁ ଖବର ରଖେ ବୋଲି ମୋର କାହିଁକି ମନେହୁଏ ଫାଦର୍‍... ଆପଣ କହନ୍ତୁ, ମୁଁ କ’ଣ କରିବି... । ମୁଁ ନିଃସହାୟ ମନେକରୁଛି...।’’ କହିଲେ ଶ୍ରୀମୟୀ ।

 

ଫାଦର୍‍ ଦଣ୍ଡେ ଚୁପ୍‌ ହୋଇ ରହିଲେ । ତା’ପରେ ଛାତି ଉପରେ କ୍ରସ୍‌ କାଟି ଧୀର ଶାନ୍ତ ସ୍ୱରରେ କହିଲେ - ‘‘ସବୁକଥା ଭୁଲିଯିବା ସମ୍ଭବ ନୁହେଁ ଶ୍ରୀ... ତଥାପି ସେଇ ବିଭୀଷିକା ମନେପକାଇ ଆତଙ୍କିତ ହେବା ମଧ୍ୟ ଉଚିତ ନୁହେଁ । ସେଦିନର କଥା ସବୁକୁ ଦୁଃସ୍ୱପ୍ନ ପରି ଭୁଲିଯାଅ । ଯଦି କେତେବେଳେ ନିଜକୁ ଦୁର୍ବଳ ମନେକର ତେବେ ପ୍ରଭୁଙ୍କୁ ଡାକ, ସେ ରକ୍ଷା କରିବେ । ତମେ ତା’ ବିଷୟ ଭୁଲିଯାଇଛ... ସେ ଭୁଲି ନାହିଁ... କାରଣ କ’ଣ ଜାଣ ? ସେ ନିଜ ଅପରାଧପାଇଁ ଅନୁତାପ କରୁଛି, କିନ୍ତୁ କହିପାରୁନି ସେକଥା । ସେଥିପାଇଁ ହୁଏତ ପ୍ରତିଶୋଧ ନବାକୁ ଚାହିଁପାରେ । ଅତି ବ୍ୟକ୍ତିଗତ ଗୋପନୀୟ ବିଷୟଟି ପଦାରେ ପଡ଼ିଯାଉ ଏହା କେହି ଚାହାଁନ୍ତି ନାହିଁ । ନିଜର ଅସଲ ଚରିତ୍ର ଓ ସ୍ଵରୂପକୁ ଘୋଡ଼ାଇ ରଖି ଯେଉଁମାନେ ବାହାରେ ଆଉ ଗୋଟିଏ ପ୍ରକାର ବ୍ୟକ୍ତିତ୍ୱ ପ୍ରକାଶ କରି ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୁଅନ୍ତି ତାହା ପଦାରେ ପଡ଼ିଯାଉ- ଏହା କେହି ଚାହାଁନ୍ତି ନାହିଁ । ନିଜର ଅସଲ ରୂପଟି ଘୋଡ଼ାଇ ରଖି ଯେଉଁମାନେ ଆଉ ଗୋଟିଏ ପ୍ରକାର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରନ୍ତି ବାହାରେ, ସେଇ ଘୋଡ଼ଣି ଖୋଲିବାପାଇଁ କେହି ଚେଷ୍ଟାକଲେ ସେମାନେ ତାହା କ୍ଷମା କରନ୍ତି ନାହିଁ । ଏ ଲୋକଟା ହୁଏତ ସେଇପରି ହୋଇଥିବ । ଭିତରର ପାପ-ପ୍ରତିମାକୁ ଘୋଡ଼ାଇ ରଖି ବାହାରେ ପବିତ୍ର ପ୍ରତିମାର ଭେକ ଧାରଣ କରିଥିବ ।’’

 

ଶ୍ରୀମୟୀ ବିସ୍ମୟରେ ବିମୂଢ଼ ହୋଇଯାଇଥିଲେ । ଜଣେ ବ୍ୟକ୍ତିର ଅସଲି ରୂପ ଓ ଭେକ ମଧ୍ୟରେ ଏତେ ପ୍ରଭେଦ ଥାଇପାରେ ତାହା ଭାବିଲେ ଯେ କେହି ଚମକି ପଡ଼ିବ ।

 

ସେଇ ଲୋକଟା ହୁଏତ ନିଜର ପାପ ଘୋଡ଼ାଇ ରଖି ବାହାରେ ଧୁଆ ତୁଳସୀ ପତ୍ର ପରି ଶୁଦ୍ଧ ପବିତ୍ର ବୋଲାଉଥିବ ଏବଂ ସେ ଯେ କେବଳ ଗୋଟିଏ ଜୀବନ ନଷ୍ଟ କରି ସେତିକିରେ ସେଇଠି ଅଟକି ରହିଥିବ ତାହା ମଧ୍ୟ ନୁହେଁ; ହୁଏତ ଆହୁରି ଅନେକ ଜୀବନ ନଷ୍ଟ କରିଥିବ, ଅନେକ ସଂସାରରେ ନିଆଁ ଲଗାଇଥିବ ଏବଂ ତାହା କରିବାପାଇଁ ଏପରି କୌଣସି ଘୃଣିତ କାର୍ଯ୍ୟ ନାହିଁ ଯାହା ସେ କରି ନ ପାରିବ ।

 

କିନ୍ତୁ ଶ୍ରୀମୟୀଙ୍କ ଶେତା ମୁହଁକୁ ଅନାଇ ତାଙ୍କୁ କ’ଣ କହି ସାନ୍ତ୍ୱନା ଦେବେ ସେଇ ବିଷୟ ଭାବୁଥିଲେ ଫାଦର୍‍ । ଶ୍ରୀମୟୀଙ୍କ ଆଖିରୁ ଦୁଲ ଧାର ଲୁହ ଗଡ଼ିପଡ଼ୁଥିବା ଦେଖି ତାହା ପୋଛିଦେଇ ପରମଶ୍ରଦ୍ଧାର ସହିତ କହିଲେ ଫାଦର୍‍ - ‘‘ଆଉ ବ୍ୟସ୍ତ ହୁଅନା ମା’, ଏବେ ସତ୍ୟକାମ ଯେଉଁ କାମ ଆରମ୍ଭ କରିଛି ସେଥିରେ ତାକୁ ସାହାଯ୍ୟ କର, ସେ ଯେପରି ସଫଳ ହୁଏ ତାକୁ ଆଶୀର୍ବାଦ କର ।’’

 

ଫାଦର୍‍ଙ୍କ କଥା ଶୁଣି ସ୍ତବ୍ଧ ହୋଇଗଲେ ଶ୍ରୀମୟୀ ।

 

ସତ୍ୟକାମ ତା’ହେଲେ ସେଇ ଲୋକଟାର ପିଛା କରୁଛି... ତାହାରି ଇତିବୃତ୍ତ ସଂଗ୍ରହ କରୁଛି... ସେଇ ଧୂର୍ତ୍ତ ଲୋକଟା ଏହା ଜାଣିସାରିଥିବ ବୋଧହୁଏ । ସେଇଥିପାଇଁ ପାଦ ତଳର କଣ୍ଟା କାଢ଼ିବାକୁ ଯାଇ ଦୁର୍ଘଟଣା ଘଟାଇ ସତର୍କ କରିଦେଇଗଲା ତାକୁ... ହାୟ ଭଗବାନ୍‌... । ଏହାପରେ ଯଦି ସେ ଆହୁରି ସାଂଘାତିକ କିଛି କରେ... ।

 

ଫାଦର୍‍ କହିଥିବା କଥା କାନରେ ପଡ଼ିଲା ତାଙ୍କର.. ‘‘ରାବଣ ନିହତ ହୋଇଛି, ଦୁର୍ଯ୍ୟୋଧନ ବି ଶେଷ ନିଶ୍ଵାସ ତ୍ୟାଗ କରିଛି... କିନ୍ତୁ ସେମାନଙ୍କ ପରେ ଯେ ଚିରକାଳ ସେପରି ଦୁରାଚାରୀ ଆଉ ଜନ୍ମ ଗ୍ରହଣ କରିବେ ନାହିଁ ତାହା ଭାବିବା ଭୁଲ ଶ୍ରୀମୟୀ... କିନ୍ତୁ ବିଶ୍ଵାସ ହରାଅ ନାହିଁ, ପାପାତ୍ମାକୁ ନିପାତ କରିବାପାଇଁ ଅବତାର ପୁରୁଷ ବି ଜନ୍ମଗ୍ରହଣ କରିବେ । କିଏ ଜାଣେ ହୁଏତ ତମ ଗର୍ଭରୁ ସିଏ ଜନ୍ମିଛି ସେଇ କାର୍ଯ୍ୟ ସମ୍ପାଦନ କରି ଧରଣୀକୁ ଆଶ୍ୱସ୍ତ କରିବାପାଇଁ... ।’’

 

॥ ଛଅ ॥

 

ସତ୍ୟକାମ ସକାଳେ ବଗିଚାରେ ପାଣି ଦେଉଥିବାବେଳେ ଭାବୁଥିଲା ଏଇ ମଲ୍ଲୀ ଯୁଇ, ଜାଇ, ରଜନୀଗନ୍ଧା, ଗୋଲାପ ଓ ଆହୁରି ଅନେକ ରଙ୍ଗର ଫୁଲ ପରି ମଣିଷ ହୋଇପାରନ୍ତା କି ! ଏମାନେ ପାଖାପାଖି ରହିଲେ ବି କେହି କାହାରି କ୍ଷତି କରନ୍ତି ନାହିଁ; ବରଂ ଅନେକ ରଙ୍ଗର, ଅନେକ ଜାତିର ଫୁଲ ଥିବାରୁ ବଗିଚାର ଶୋଭା ବଢ଼େ । ତା’ପରେ ତା’ ମନ ଭିତରୁ କିଏ ଯେପରି କହିଲା - ମଣିଷ ଆକ୍ରୋଶ ନେଇ ଜନ୍ମିଛି.... ଆଉ ଫୁଲମାନେ ସୁବାସ ବାଣ୍ଟିବାପାଇଁ ଫୁଟନ୍ତି... ନିଜେ ଜଳପାନ ନ କରି ନଦୀ ଜଳ ବାଣ୍ଟି ବାଣ୍ଟି ଚାଲିଛି... ଆଉ ଗାଈ କ୍ଷୀର ଦିଏ ପରର ଉପକାରପାଇଁ । ଏଇ ଶରୀର ବି ସେହିପରି ପରୋପକାର କରିବା ସକାଶେ ଉଦ୍ଦିଷ୍ଟ ।

 

ଜଲ୍‌ଦି ବଗିଚା କାମ ଶେଷକରି ସେ ଆମ୍ବଗଛ ମୂଳେ ଦଣ୍ଡେ ଠିଆ ହେଲା । ହଠାତ୍‌ ତା’ ଆଖିରେ ପଡ଼ିଗଲା ହଳଦୀବସନ୍ତଟିଏ । ମନ ଖୁସିରେ ଉତୁରି ପଡ଼ିଲା । ସତ୍ୟକାମର ମନେପଡ଼ିଗଲା ଯେ ଦିନେ ମା’ କହିଥିଲେ ହଳଦୀବସନ୍ତ ଦେଖିଲେ ଶୁଭ ହୁଏ... ହଳଦୀ ରଙ୍ଗ ସହିତ କଳାରଙ୍ଗ ତାକୁ ଆହୁରି ବେଶି ସୁନ୍ଦର କରିଛି ।

 

ଚଢ଼େଇମାନଙ୍କ ସହିତ କଥାଭାଷା ହେବାପାଇଁ ଇଚ୍ଛା ହୁଏ ସତ୍ୟକାମର । ଫୁଲମାନଙ୍କ ମହକ ବୋଳିହୋଇ ସମୟ କଟାଇବାପାଇଁ ମନହୁଏ । କିନ୍ତୁ ଏତେ ସମୟ ନାହିଁ ତା’ ହାତରେ । ଚାକିରି କରିବା ପରେ ବ୍ୟସ୍ତତା ବଢ଼ୁଛି, ଚବିଶ ଘଣ୍ଟା ଅକୁଳାଣ ମନେହେଉଛି ।

 

ଆଉ ବିଳମ୍ବ ନ କରି ସେ କାମ ସାରିଦବାପାଇଁ ସ୍ନାନଘରେ ପ୍ରବେଶ କଲା ।

 

କିନ୍ତୁ ଟେଲିଫୋନ୍‍ ବାଜୁଥିବା ଶୁଣି ସେ ସ୍ନାନଘରୁ ବାହାରି ଆସି ରିସିଭର ଉଠାଇ ନେଲା-

 

ସେପାଖରୁ ଭାସି ଆସିଲା ଗୋଟିଏ ଅପରିଚିତ ସ୍ଵର - ‘‘ମୁଁ ଅସୀମା କହୁଛି.... ଗୁଡ଼୍‌ମର୍ଣ୍ଣିଂ ସାର୍‌, ହୁମାୟୁନ୍‌ର ସାନଭଉଣୀ ମୁଁ ।’’

 

- ‘‘ତମକୁ ଦେଖିନି କେବେ ..... ଥ୍ୟାଙ୍କ୍‌ ୟୁ, ଗଡ଼୍‌ ବ୍ଲେସ୍‌ ୟୁ... କୁହ... ।’’

 

ଭାଇ ତରତର ହୋଇ ବାହାରିଗଲେ । କିନ୍ତୁ ମୋତେ ଜଣାଇଦବାପାଇଁ କହି ଯାଇଛନ୍ତି ଯେ ଆପଣ ତାଙ୍କୁ ଅପେକ୍ଷା କରିବେ ନାହିଁ । ସେ କାମ ସାରି ଅଫିସ୍‌କୁ ଫେରିବେ ଲଞ୍ଚ୍ ଟାଇମ୍‌ ପରେ ... ।

 

-‘‘ଓକେ, ଅସୀମା... ବାୟ...।’’

 

ରିସିଭର ରଖିଦେଇ ପୁଣି ସ୍ନାନ ଘରକୁ ଗଲା ସତ୍ୟ । ଗାଧୋଇବାବେଳେ ହଠାତ୍‌ କାହିଁକି କେଜାଣି ତା’ର ମନେହେଲା ଯେ ସେ ଠିକ୍‌ କରିନାହିଁ... ଅସୀମା ତାକୁ ଏତେକଥା କହିଲା, ଅଥଚ ସେ କ’ଣ କରେ, କେମିତି ଅଛି, ଘରେ ଆଉ କିଏ ଅଛି ସେସବୁ କିଛି ପଚାରି ପାରିଲା ନାହିଁ-। ଅଭଦ୍ରାମି ହୋଇ ନାହିଁତ !

 

ଆଜିକାଲି କେବଳ ପ୍ରକୃତି ବଦଳୁ ନାହିଁ, ଲୋକଙ୍କ ମନ, ଆଚରଣ ମଧ୍ୟ ବଦଳି ଯାଉଛି ଦ୍ରୁତ ଗତିରେ । ଶୀଳତା, ସୌଜନ୍ୟ ଓ ଶିଷ୍ଟାଚାର ବହି ଭିତରେ ରହିଯାଇଛି; ଆଉ ତାହା ଆଚରଣରେ ପ୍ରତିଫଳିତ ହେଉ ନାହିଁ । ନୂଆପିଢ଼ିର ପିଲାମାନେ କୂଳଭଙ୍ଗା ନଈ ପରି ବହି ଯିବାକୁ ଚାହାଁନ୍ତି... ତଦ୍ଵାରା ବାଟରେ କାହାର କ’ଣ କ୍ଷତି ହେଲା ସେଇ ହିସାବ ସେମାନେ ରଖନ୍ତି ନାହିଁ । ସେମାନେ ଯେ ସମାଜର ଅଂଶ, ପରିବାରର ସଭ୍ୟ ସେକଥା ଭୁଲି ଯାଆନ୍ତି; ବରଂ ସେମାନେ ଆତ୍ମକୈନ୍ଦ୍ରିକ ହୋଇଉଠୁଥିବାର ସବୁ ଚିହ୍ନ ବିଦ୍ୟମାନ ସେମାନଙ୍କ ଆଚାର-ବିଚାରରେ ।

 

ଜଳଖିଆ ଖାଇ ସାରି ଶୀଘ୍ର ଶୀଘ୍ର ବାହାରିଗଲା, ମା’ଙ୍କ ପାଦଧୂଳି ନେଇପାରିଲା ନାହିଁ, କାରଣ ସେ ଆଗରୁ ସ୍କୁଲ ଚାଲି ଯାଇଥିଲେ । ତାଙ୍କ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଖ ହୋଇ ଆସୁଛି... ।

 

ସ୍କୁଟର ଷ୍ଟାର୍ଟ କରିବାବେଳେ ମନେପଡ଼ିଲା ଫାଦର୍‍ ଆବ୍ରାହମ୍‌ଙ୍କ କଥା । ତାଙ୍କୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ଉଠାଇଦବାବେଳେ ସେ ତା’ କାନ୍ଧ ଉପରେ ହାତ ରଖି କହିଥିଲେ – ‘‘ହ୍ୟାଭ୍‌ ଫେଥ୍‌ ଇନ୍‌ ଗଡ୍‌... ବିଲିଭ୍‌ ଇନ୍‌ ଦି ଡିଭାଇନ୍‌.. ।’’

 

ତାଙ୍କ କଥା ଭାବୁ ଭାବୁ କେତେବେଳେ ସେ ଲକ୍ଷ୍ୟସ୍ଥଳ ପାରିହୋଇ ଆସିଛି ଜାଣିପାରିଲା ନାହିଁ । ପୁଣି ପଛକୁ ଫେରିବାବେଳେ ହାତ ହଲାଇ ତାକୁ ରୋକିଦେଇ କାର୍‌ରୁ ଓହ୍ଲାଇ ପଡ଼ିଲା ଆଉ ଜଣେ ।

 

ଶୁଭାଶିଷ ସାହୁ । ଜେ.ଏନ୍‌.ୟୁ.ରେ ସହପାଠୀ ଥିଲା ସତ୍ୟକାମର । ବେଶ୍‌ ସ୍ମାର୍ଟ । ସ୍ପୋର୍ଟ୍ସମ୍ୟାନ୍‌ ପରି ଚେହେରା ।

 

- ‘‘ଆରେ ଶୁଭାଶିଷ ଯେ... ତୁ ଏଠି କ’ଣ କରୁଛୁ ? ଏବେ କୋଉଠି ଅଛୁ ?’’ କହିଲା ସତ୍ୟକାମ ।

 

ତାକୁ କୁଣ୍ଢେଇ ପକାଇ ଶୁଭାଶିଷ କହିଲା - ‘‘ସକାଳେ ସକାଳେ ବନ୍ଧୁ ଭେଟ । ଆଇ ଏମ୍‌ ଥ୍ରୀଲ୍‌ଡ଼୍‌... ତୁ ଏଠାରେ କ’ଣ କରୁଛୁ, କିପରି ଅଛୁ କହ ? ଦିଲ୍ଲୀ ଛାଡ଼ିବା ପରେ ମୁଁ କ’ଣ କରୁଛି ତୋ କଥା ଶୁଣିସାରିବା ପରେ କହିବି... ।’’

 

- ‘‘ମୁଁ କାମ କରୁଛି ‘ନିଉ ଟାଇମ୍ସ୍’ ଖବରକାଗଜରେ । ସିନିଅର ରିପୋର୍ଟର୍‌, ବେଶ୍‌ ଭଲ ଲାଗୁଛି ନୂଆ କାମ । କ୍ଵାଇଟ୍‌ ଇଣ୍ଟରେଷ୍ଟିଂ... ଆଉ ତୁ ?”

 

ତା’ ମୁହଁରୁ କଥା ଛଡ଼ାଇ ନେଇ କହିଲା ଶୁଭାଶିଷ - ‘‘ମୁଁ ଈଶ୍ଵର ଫିଶ୍ଵରରେ ବିଶ୍ଵାସ କରେ ନାହିଁ । କିନ୍ତୁ ତୋତେ ଦେଖିବା ପରେ ଲାଗୁଛି ଏମିତି କେହି ଜଣେ ଅଛି ଯାହା ଆଜ୍ଞାରେ ଘଟଣା ଘଟେ... ଆପେ ଆପେ କିଛି ଘଟେ ନାହିଁ... ମୁଁ ଇଣ୍ଟେଲିଜେନ୍‍ସରେ ଅଛି । ଦିଲ୍ଲୀରେ ଟ୍ରେନିଂ ଶେଷ କରିବା ପରେ ଇଷ୍ଟର୍ଣ୍ଣ ରିଜିଅନ୍‍ସ ଅଫିସରେ ଜଏନ୍‌ କରିଛି । କଲିକତା, ଗୌହାଟି, ଭୁବନେଶ୍ୱର ମୋ ଇଲାକା ଭିତରେ । ଦରକାର ପଡ଼ିଲେ ଯେକୌଣସି ଜାଗାକୁ ଯିବାକୁ ହୁଏ - ଫଲୋ କଲେ କ’ଣ ସେମାନଙ୍କ ଗତିବିଧି ଜାଣି ହେବ ?’’

 

- ‘‘କୋଉମାନଙ୍କ ଗତିବିଧି କଥା କହୁଛୁ ? ସ୍କଗଲର, କଳାବଜାରୀ, ଲାଞ୍ଚୁଆ ଅଫିସର୍‌ ? ଦେଶର ଅସ୍ତ୍ରଶସ୍ତ୍ର, ମିଲିଟାରି ଘାଟି ସମ୍ପର୍କରେ ଶତ୍ରୁ ପକ୍ଷକୁ ତଥ୍ୟ ଯୋଗାଇ ଯେଉଁମାନେ ଅର୍ଥ ରୋଜଗାର କରନ୍ତି ?’’

 

‘‘ହଁ, ସେମାନଙ୍କୁ ଓ ସେମାନଙ୍କୁ ଯିଏ ଚଳାଏ... ଯିଏ ସେମାନଙ୍କ ମ୍ୟାନେଜର ତାକୁ ବି ଠାବ କରୁ । ତୁ ବି ତ ଏମାନଙ୍କ ପଛେ ପଛେ ଗୋଡ଼ାଉଥିବୁ ! ବେଶ୍‌ ଭଲ ହେଲା । ଅପ୍ରତ୍ୟାଶିତଭାବେ ଭେଟ ହୋଇଗଲା ଆମର । ଏହାପରେ ତୋ କାମ ସହଜ ହେବ, ମୋ କାମ ବି ସହଜ ହେବ । ସାଙ୍ଗ ହୋଇ କାମ କରିବା... ।’’ ଉତ୍ତର ଦେଲା ଶୁଭାଶିଷ ।

 

- ‘‘ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ୍‍ କୌଶଳ କ୍ରିମିନାଲମାନେ ବି ଶିଖିଗଲେଣି । ଦେଖୁନୁ ସମାଜ ଓ ରାଜନୀତିର ଅପରାଧୀକରଣ କେତେ ଦ୍ରୁତଗତିରେ ଘଟୁଛି । ଏମାନେ ମହାଧୂର୍ତ୍ତ । ଦେଶ ସେବା, ଲୋକ ସଂଗଠନ କରିବା ନାମରେ ଏମାନେ ରାଜନୀତିରେ ପ୍ରବେଶ କରନ୍ତି, କଳେବଳେ କୌଶଳ କରି କ୍ଷମତାର ଅପପ୍ରୟୋଗ କରି ଶାସନ ଓ ସମାଜକୁ ନିୟନ୍ତ୍ରଣ କରନ୍ତି । ପାପ ଓ ପୁଣ୍ୟର କୌଣସି ବିଚାର ନାହିଁ ଏମାନଙ୍କର । କେବଳ ସମ୍ପତ୍ତି, କ୍ଷମତା, ସମ୍ଭୋଗ ଏମାନଙ୍କ ଚାଳକ ଶକ୍ତି ହୋଇ ରହିଛି । ଲୋକଙ୍କର ଫୁଳମାଳ ଓ କରତାଳିରେ ପୋତି ହୋଇପଡ଼ୁଥିବା ଏଇ ଅପରାଧ ଜଗତର ମ୍ୟାନେଜରମାନଙ୍କ କେଶ ସ୍ପର୍ଶ କରିବା ସହଜ ନୁହେଁ । କିନ୍ତୁ ମୁଁ ତ ଶପଥ ନେଇସାରିଛି ଶୁଭାଶିଷ.. ସେମାନଙ୍କ ଏଇ ଭାଣ୍ଡାମି ବାହାରେ ପ୍ରକାଶ କରିବାପାଇଁ । ଏଥିପାଇଁ ତୋ ସାହାଯ୍ୟ ଚାହେଁ... ଏଇ କାମ ଦିନେ ନା ଦିନେ କାହାକୁ କରିବାପାଇଁ ହେବ । ଦରକାର ହେଲେ ସେମାନଙ୍କ ଗୁଳିରେ ପ୍ରାଣ ଦବାକୁ ହେବ । ଏଇ କାମ କରିବାପାଇଁ ସ୍ୱର୍ଗରୁ କେହି ଓହ୍ଲାଇ ଆସିବେନି, ଆମକୁହିଁ ଏଇ କାମ କରିବାକୁ ହେବ... ।’’

 

ତା’ ପିଠି ଥାପୁଡ଼ାଇ କହିଲା ଶୁଭାଶିଷ - ‘‘ଗୁଡ଼୍‌ଲକ୍‌ ଆଣ୍ଡ୍‌ ଗଡ଼ ସ୍‍ପିଡ୍‌... ତୁ ଆଗେଇ ଯାଆ... ମୁଁ ତୋ ସାଙ୍ଗରେ ଅଛି । ତୋତେ ମୁଁ ସାହାଯ୍ୟ କରିବି, ତୁ ମୋତେ ସାହାଯ୍ୟ କରିବୁ । ଏଇଠି ଆରମ୍ଭ ହେଉ ଧର୍ମଯୁଦ୍ଧ ପାଇଁ ପ୍ରସ୍ତୁତି... ।’’

 

ସତ୍ୟକାମର ମୁହଁ ଉଜ୍ଜ୍ୱଳ ଦିଶୁଥିଲା ନୂତନ ଦୀପ୍ତିରେ । ତା’ ମନରେ ନୂତନ ଆତ୍ମବିଶ୍ଵାସ ଏବଂ ସାହସ ସଞ୍ଚରିତ ହେଲା ଏବଂ ନୂତନ ଫଗୁଣର ପ୍ରଥମ ମଳୟର ପରଶ ପାଇ ଯେପରି ତରୁ ଶାଖା ମଞ୍ଜରି ଉଠେ ଏବଂ ନୂତନ କିଶଳୟର ଶୋଭା ଦିବ୍ୟଭାବନାର ଶିହରଣ ସୃଷ୍ଟି କରେ, ହୃଦୟରେ ସେଇପରି ଗୋଟିଏ ନୂତନ ଚେତନା ଉଦ୍ଭାସରେ ଉଜ୍ଜ୍ୱଳି ଉଠୁଥିଲା ସକାଳର ପ୍ରଥମ ରଶ୍ମିରେ ଦୂର୍ବାଦଳ ଉପରେ ଟଳମଳ କରୁଥିବା କାକର ବିନ୍ଦୁ ପରି ।

 

ଦୁଇ ବନ୍ଧୁ ପାଖରେ ଥିବା ଗୋଟେ ରେସ୍ତୋଁରା ଭିତରକୁ ଗଲେ । ସେମାନେ ଭିତରକୁ ପ୍ରବେଶ କରୁଥିବାବେଳେ ଭିତରୁ ପାର୍ଷଦମାନଙ୍କ ଗହଣରେ ଜଣେ ଭି.ଆଇ.ପି. ବାହାରକୁ ଆସୁଥିବା ଦେଖି ବାଟ ଛାଡ଼ିଦେଲେ ସେମାନେ । ସେଇ ଅହଙ୍କାରୀ ବ୍ୟକ୍ତି କିନ୍ତୁ ସେମାନଙ୍କୁ ନ ଦେଖିବା ପରି ଛଳନା କରି ଆଗକୁ ପାଦ ଟେକିଥିବାବେଳେ ତାଙ୍କ ସହିତ ଯାଉଥିବା ପାଞ୍ଚଜଣ ଲୋକଙ୍କ ମଧ୍ୟରୁ ଜଣକର ହାତ ଧରି ପକାଇ କହିଲା ଶୁଭାଶିଷ - ‘‘ପ୍ଲିଜ୍‌ ଓ୍ୱେଟ୍‌... ଆଇ ହ୍ୟାଭ୍‌ ସମଥିଂ ଟୁ ସେ... ଟିକେ ଅପେକ୍ଷା କର, ତୁମ ସହିତ ମୋର କଥା ଅଛି... ।’’

 

ସେଇ ଲୋକଟା କିନ୍ତୁ ହାତ ଛିଞ୍ଚାଡ଼ି ଦେଇ ଶୁଭାଶିଷ ହାତକୁ ଗୋଟେ କାର୍ଡ଼ ବଢ଼ାଇ ଦେଇ କହିଲା- ‘‘ଏଇ ଠିକଣା ଜାଣିବା ପରେ ଯଦି ଦରକାର ମନେକର ତେବେ ଆସିବ, କଥାଭାଷା ହେବା... ।’’

 

ସେମାନେ ଚାଲିଗଲେ ଗୋଟିଏ ଇସ୍ପାତ ରଙ୍ଗର ଟାଟା ସୁମୋରେ ।

 

ଗାଡ଼ିଟା ଚାଲିଗଲା ପରେ ସେଇ ଗାଡ଼ି କେଉଁଠି ମୁହୂର୍ତ୍ତେ ଦେଖିଥିବା ପରି ଲାଗିଲା ସତ୍ୟକାମକୁ । ସେ ନମ୍ବରଟା ଟିପି ରଖିଲା ପକେଟ ବହିରେ । ତା’ପରେ କହିଲା - ‘‘ଚାଲ୍‌ ଭିତରକୁ ଯିବା ... ୟା’ ପରେ କପେ କୋଲ୍ଡ କଫି ପିଇବା ଦରକାର... ।’’

ଦୁହେଁ ଯାଇ ଗୋଟେ ଟେବୁଲ ଦଖଲ କଲେ ଏବଂ ସତ୍ୟକାମ କଫିପାଇଁ ଅର୍ଡ଼ର ଦେଇସାରିବା ପରେ କହିଲା - ସେଇ କାର୍ଡ଼ଟା ଦେଲୁ... ।’’

ତା’ ହାତକୁ କାର୍ଡ଼ଟା ବଢ଼ାଇ ଦେଇ କହିଲା ଶୁଭାଶିଷ - ‘‘ହି ଇଜ୍‌ ଏନ୍‌ ଇମ୍ପୋର୍ଟାଣ୍ଟ ମ୍ୟାନ୍‌-। ଚିଦାନନ୍ଦ ମହାନ୍ତି । ପୂର୍ବରୁ କେନ୍ଦ୍ରରେ ଉପମନ୍ତ୍ରୀ ଥିଲେ, ଏବେ ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପାଇଁ ଯୋଜନା କରୁଛନ୍ତି ।’’

କଫି ଦେଇଗଲା ବୟ ।

ପାଇପ ଲଗାଇ କଫି ଟିକେ ପିଇବା ପରେ କହିଲା ସତ୍ୟକାମ - ‘‘ଏତିକି ପରିଚୟ ନା ଆଉ କିଛି ଅଛି...?

ଶୁଭାଶିଷ ଚାରିଆଡ଼କୁ ଚାହିଁଲା, ପାଖରେ କେହି ନ ଥବା ଦେଖି ଫିସ୍‌ ଫିସ୍‌ କରି କହିଲା - ‘‘ଏଠାରେ ନୁହେଁ, ପରେ କହିବି... ।’

ସେଇ ଭି ଆଇ.ପି. ଛାଡ଼ି ଯାଇଥିବା ମଦ ଓ ଚିରୁଟର ଗନ୍ଧ ପରିବେଶକୁ ଅସ୍ଵସ୍ତିକର କରିଦେଇଥିଲା । ଦୁହେଁ କଫି ପିଇଲେ ସତ, କିନ୍ତୁ କଫି ପାନ ସେମାନଙ୍କୁ ଖୁସି କରିପାରିଲା ନାହିଁ-

ବାହାରକୁ ଆସିବା ପରେ କହିଲା ସତ୍ୟକାମ - “ମୁଁ ତ ଓଡ଼ିଶା ବାହାରେ ବଢ଼ିଛି ଭାଇ, ଭୁବନେଶ୍ୱରର ବଦଳୁଥିବା ଚେହେରା ଦେଖି ମୁଁ ଭାବେ ଯେ ହଠାତ୍‌ ଏଇ ଭିଆଇପିଙ୍କ ପରି ଏଇ ସହର ନୂଆବାଟ ଖୋଜୁନାହିଁ ତ !’’

 

‘‘ତୁ ଦାର୍ଶନିକ କୋଉଦିନୁ ହେଲୁ ? ମନେରଖ ଯେ ତୁ ‘ନିଉ ଟାଇମ୍ସ୍’ର ରିପୋର୍ଟର । ମୁଁ ଜଣେ ସତ୍ୟକାମଙ୍କ ଅନୁଗତ ଇଣ୍ଟେଲିଜେନ୍‍ସ ଅଫିସର, ଏଇ ସହରରେ ତୋ ପରି ମୁଁ ବି ନୂଆ । ମୁଁ ତ ଷ୍ଟୁଆର୍ଟରୁ ହାୟାର ସେକେଣ୍ଡାରୀ ପରେ ଚାଲିଗଲି ଦିଲ୍ଲୀ ବାପାଙ୍କ ସହିତ । ସେଠାରେ ଅବଶିଷ୍ଟ ଚାକିରି କାଳ ସମାପ୍ତ କରି ବାପା ରହିଗଲେ ଦିଲ୍ଲୀରେ । ମୟୂରବିହାରରେ ଘର ଖଣ୍ଡେ ଅଛି । ବୋଉ ତ ଆଗରୁ ଚାଲିଯାଇଛି । ଭଉଣୀ ବାହାହେବା ପରେ ଆମେରିକାରେ ଅଛି । ମୁଁ କେତେବର୍ଷ ପରେ ଭୁବନେଶ୍ୱର ଫେରିଆସି ଦେଖୁଛି ଓଡ଼ିଶା ସତରେ ଆଗେଇ ଗଲାଣି । ଦେଖୁନୁ ପଛପଟେ ଦାରିଦ୍ର୍ୟ ଲୁଚାଇ ରଖି ସାମ୍ନାର ରାଜପଥ କିପରି ଚଉଡ଼ା କରାଯାଉଛି... କିନ୍ତୁ ମୋର କ’ଣ ଇଚ୍ଛା ଜାଣୁ ? ବମ୍ବେ ବା ଦିଲ୍ଲୀ ପରି ହେବାପାଇଁ ଚେଷ୍ଟା ନ କରି ଓଡ଼ିଶା ନିଜ ଐତିହ୍ୟ ଜଗି ଚାଲୁ । ତେବେ ଯାଇ ଓଡ଼ିଆମାନେ ସମୟ ଓ ସୁଯୋଗ ପାଇବେ ଓଡ଼ିଶାକୁ ସଜାଡ଼ିବାପାଇଁ... ଚାରି ଶହ ବର୍ଷର ସହଜିଆ ମାର୍ଗ କ’ଣ ଏତେଶୀଘ୍ର ଛାଡ଼ିଯିବ ଭାବିଛୁ ? ଶ୍ରୀଚୈତନ୍ୟ ମହାପ୍ରଭୁ କି ମନ୍ତ୍ର ଦେଇଗଲେ କେଜାଣି, ଏବେବି ଯତ୍ରତତ୍ର ମନ୍ଦିର ନିର୍ମାଣ କରି ଖୋଳ କରତାଳ ଧରି ନାମକୀର୍ତ୍ତନ କରୁଥିବା ଦୃଶ୍ୟ ସବୁଠି ଦେଖିବାକୁ ମିଳେ ଏଇ ରାଜଧାନୀରେ .. ।’’

 

‘ଆଉ ଦିନ ବା ରାତିର ଯେକୌଣସି ସମୟରେ ତୁ ଷ୍ଟେସନକୁ ଗଲେ ନିଶ୍ଚୟ ତୋ ଆଖିରେ ପଡ଼ିବେ କାମଦାମ ଛାଡ଼ି ଶୋଇଥିବା ଓଡ଼ିଆ ବୀରମାନେ...’’ ଯୋଗ କଲା ସତ୍ୟକାମ ।

 

ତା’ପରେ ସତ୍ୟକାମ କହିଲା - ‘‘ଆ ମୋ ସାଙ୍ଗରେ ମା’ଙ୍କୁ ଦେଖାକରି ଯିବୁ ।’’

 

ଶୁଭାଶିଷକୁ ମାଆଙ୍କ ସହିତ ପରିଚୟ କରାଇ ଦେଇ କହିଲା ସତ୍ୟକାମ - ‘‘ଏବେ ମୁଁ ଏକା ନୁହଁ ମା’, ମୋତେ ସାହାଯ୍ୟ କରିବାପାଇଁ ଈଶ୍ୱର ଏଇ ଦେବଦୂତକୁ ପଠାଇ ଦେଇଛନ୍ତି...।’’

 

ଶ୍ରୀମୟୀ ହସିଲେ । କହିଲେ, ‘‘ତମେମାନେ ବସ, ମୁଁ କିଛି ଜଳଖିଆ ନେଇଆସେ । ତମେ ଦୁହେଁ ଖାଉଥିବ, ଆଉ ସମସ୍ତେ ଗଳ୍ପ କରୁଥିବା ।’’

 

ସେ ଚାଲିଗଲା ପରେ କହିଲା ଶୁଭାଶିଷ- ‘‘ତୋ ମା’ଙ୍କୁ ଦେଖିବାମାତ୍ରେ ମୋ ବୋଉ ମନେପଡ଼ି ଯାଉଛିରେ ସତ୍ୟ । ବାପା ତ ଚାକିରି ନେଇ ବ୍ୟସ୍ତ ରହନ୍ତି, କିନ୍ତୁ ବୋଉ ସବୁ ସମୟ ଦେଇ ମୋତେ ଆଉ ଅପାକୁ ମଣିଷ କରିଛି । କିନ୍ତୁ ବୋଉ ଆଜି ମୋ ପାଖରେ ନାହିଁ, ତା’ର ସେବା କରିବାପାଇଁ ମୁଁ ଟିକେ ସୁଯୋଗ ପାଇଲି ନାହିଁ... ।’’

 

- ‘‘କିନ୍ତୁ ବୋଉଙ୍କ ସେବା କରିପାରିଲୁ ନାହିଁ ବୋଲି ଦୁଃଖ କରନା ଶୁଭ । ତୁ ଜନ୍ମଭୂମିର ସେବା କର । ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ । ତୋତେ ଏବେ ଅନେକ ସୁଯୋଗ ମିଳିବ ଦେଶ ସେବା କରିବାପାଇଁ । ଏଇ ନେତାମାନେ କ’ଣ ଭାବନ୍ତି ଜାଣୁ ? ଦେଶ ସେବାର ଏକଚାଟିଆ ଠିକା ସେମାନଙ୍କୁ ମିଳିଛି । କିନ୍ତୁ ସେମାନଙ୍କ ବାହାରେ କୋଟି କୋଟି ଲୋକ ଯେ ଏ ଦେଶର ଗର୍ବ ସେ କଥା ସେମାନେ ବୁଝନ୍ତି ନାହିଁ, ବୁଝିବାପାଇଁ ଚେଷ୍ଟା ବି କରନ୍ତି ନାହିଁ ।’’ କହିଲା ଶୁଭାଶିଷ ।

 

ଶ୍ରୀମୟୀ ଆଗରେ ବାଢ଼ିଦେଲେ ଚିଜ୍‌ ସ୍ୟାଣ୍ଡଓ୍ୱିଚ୍‌ ଏବଂ କେତେଖଣ୍ଡ ଲୁଣିଆ ବିସ୍କୁଟ୍‌ । ପଛେ ପଛେ ଆସି ବାମ୍ଫ ବାହାରୁଥିବା ଚା’ ରଖି ଦେଇଗଲା ଲକ୍ଷ୍ମୀ ।

 

ଜଳଖିଆ ଖାଇବାବେଳେ ଶ୍ରୀମୟୀ କହିଲେ - ‘‘ତମେ ବାବା ଏକା ଏକା ରହୁଛ... ଆମ ଏଇ ଘରଟା ଛୋଟ, ହେଲେବି ତୁମପାଇଁ ତ ଅନେକ ଜାଗା ଅଛି ଏଠାରେ... ।’’

 

ତାଙ୍କ କଥା ଶୁଣି ଶୁଭାଶିଷର ବୋଉ କଥା ମନେପଡ଼ିଗଲା ଆଉଥରେ । କେହି ସାଙ୍ଗ ଆସିଲେ ତାକୁ ଆଉ କୋଉଠି ନ ରହି ତାଙ୍କ ଘରେ ରହିବାପାଇଁ କହୁଥିଲେ । ଠିକ୍‌ ତାଙ୍କରି ଆତ୍ମୀୟତାଭରା ସ୍ଵରରେ ଯେପରି କହୁଥିଲେ ଶ୍ରୀମୟୀ ।

 

- ‘‘ମାଉସୀ ! ମୋ କାମ ଏମିତି ଯେ ମାସକରୁ ପନ୍ଦର କୋଡ଼ିଏ ଦିନ ମୋତେ ବୁଲିବାକୁ ହୁଏ । ସମୟ ତଥା ଅସମୟ କିଛି ବିଚାର ନ କରି କେତେବେଳେ ଦରକାର ହେଲେ ବାହାରିବାକୁ ହୁଏ । ମୁଁ ତ ଆଠଘଣ୍ଟିଆ ସରକାରୀ ଚାକିରିଆ ନୁହେଁ, ଚବିଶ ଘଣ୍ଟିଆ ଗୁଲାମ... ।’’ କହିଲା ଶୁଭାଶିଷ ।

 

ତା’କଥା କହିବାର ଭଙ୍ଗୀ ଦେଖି ହସି ଉଠଲେ ସମସ୍ତେ ।

 

‘‘କିନ୍ତୁ ଯେତେବେଳେ ଇଛା ହେବ, ସମୟ ପାଇବ ଚାଲ ଆସିବ ବାପା “ମାଉସୀକୁ ଭୁଲି ନ ଯ଼ାଅ ଯେପରି ।’’ କହିଲେ ଶ୍ରୀମୟୀ ।

 

- ସେ ଭିତରକୁ ଚାଲିଗଲା ପରେ ସତ୍ୟକାମ କହିଲା - ‘‘ସେଇ ଲୋକଟା କଏ ? ଆଉ କ’ଣ କହିବୁ ବୋଲି କହୁଥିଲୁ ?’’

 

‘ଚିଦାନନ୍ଦ ମହାନ୍ତିଙ୍କ ଦୌଡ଼ ଅନେକ ଦୂର, ହାତ ଅନେକ ଲମ୍ବା । ଭୁବନେଶ୍ୱର କଥା ମୁଁ ଜାଣିନି, କିନ୍ତୁ ଦିଲ୍ଲୀରେ ସେ ତ ରାଜାସାହେବ । ତାଙ୍କ ଦରବାରକୁ ନାମୀ ଦାମୀ ଅନେକ ଆସନ୍ତି । ଦିଲ୍ଲୀର ନାମଜାଦା କ୍ଲବର ମେମ୍ବର ସେ । ତାଙ୍କ ଉପରେ ହାତ ପକାଇବା ପୂର୍ବରୁ ଅକାଟ୍ୟ ପ୍ରମାଣ ଯୋଗାଡ଼ କରିବାକୁ ହେବ । ଭାବି ଚିନ୍ତି ବାଟ ଚାଲିବାକୁ ହେବ । ତା’ ରାସ୍ତା ଯିଏ କାଟେ ତାକୁ କ୍ଷମାକରେ ନାହିଁ ଚିଦାନନ୍ଦ ମହାନ୍ତି । କିନ୍ତୁ ଆମକୁ ତ ସାମ୍ନା କରିବାକୁ ପଡ଼ିବ... ।’’ କହିଲା ଶୁଭାଶିଷ ।

 

‘‘ତୋ ସାଙ୍ଗରେ ମୁଁ ଅଛି... ସେଇ ଲୋକଟା ମୁଁ ଖୋଜୁଥିବା ଲୋକ ପରି ଅନୁମାନ କରୁଛି-। ଆଖିରେ ମୋଟା କଳା ଚଷମା ଲଗାଇଥିଲା । ମୁହଁ ଉପରେ ରୁମାଲ ଚାପିଥିଲା ବାହାରିବାବେଳେ । ମୁଁ ଠିକ୍‌ ଧରିପାରିଲି ନାହିଁ ଏଇ ଲୋକଟାକୁ ମୁଁ ଆଉ କେଉଁଠି ଦେଖିଛି କି ନାହିଁ । ପ୍ଲେନ୍‌ରେ ଆସୁଥିବା ସେଇ ଧୋତି ପଞ୍ଜାବି ପିନ୍ଧା ଲୋକଟା ଯେ ଏଇ ଲୋକ ମୁଁ ନିଶ୍ଚୟ କରି କହିପାରିବି ନାହିଁ ।

 

-‘‘ବି ସିଓର ଯେ ସେଇ ଲୋକଟା ଏଇ ଲୋକ । ଦୁଇ ଜଣ ଚିଦାନନ୍ଦ ମହାନ୍ତି ନାହାଁନ୍ତି । ତା’ ମୁହଁ ଢାଙ୍କିବାର କାରଣ ଏଇ ଯେ ତା’ ମୁହଁ ସମସ୍ତେ ଦେଖନ୍ତୁ ବା ଫଟୋ ଉଠାନ୍ତୁ ଏୟା ସେ ଚାହେଁନା ।”

 

ଆଉ କିଛି ସମୟ ଦୁଇ ବନ୍ଧୁ ଆଲୋଚନା କଲେ ପ୍ରସାରିତ ହେଉଥିବା ଅପରାଧ ଜଗତ ସମ୍ବନ୍ଧରେ । ଅପରାଧୀ ଓ ଅଣସାମାଜିକମାନେ ମଠମନ୍ଦିରଠାରୁ ଆରମ୍ଭକରି ସମାଜ ଓ ରାଜନୀତି, ଶାସନ ଓ ସମାଜସେବୀ ସର୍ବତ୍ର ପଶିଗଲେଣି । ଗେରୁଆ ଲୁଗା ଆଉ ଶୁଦ୍ଧତାର ପରଚୟ ଦିଏ ନାହଁ, ବରଂ ଗେରୁଆ ତଳେ ସଇତାନ ଛପି ରହିଥାଏ ।

 

ଶୁଭାଶିଷ ବିଦାୟ ନବା ପୂର୍ବରୁ ଟେଲିଫୋନ୍‌ ବାଜିଉଠିଲା, ସତ୍ୟକାମ ଭିତରର ଯାଇ ରିସିଭର୍‌ଟା ଉଠାଇ ନେଲା ।

 

ସେ ଆଡ଼ୁ ଭାସିଆସିଲା କାହାର କର୍କଶ ସ୍ଵର । ସେ କହି ଯାଉଥାଏ ସତ୍ୟକାମ ଶୁଣୁଥାଏ ତା’ ଗାଳି; ତା’ ଧମକ, ତା’ ଚେତାବନୀ ।

 

ସେ ଜାଣିଗଲା କିଏ ଟେଲିଫୋନ୍‌ କରିଛି ।

 

ଶୁଭାଶିଷ କହିଲା - କିଏ ଫୋନ୍‌ କରିଥିଲା ?

 

- ‘‘ସେଇ ଲୋକଟା... ଯିଏ ମୋ ଉପରେ ଆଖି ରଖିଛି... ଯାହା ବିଷୟରେ ମୁଁ ଅନୁସନ୍ଧାନ ଜାରି ରଖିଛି... ସ୍ୱର ଏକାପରି, ନାମ ପରିଚୟ ଅଜ୍ଞାତ ।’’

 

‘‘ମୁଁ ତୋତେ ଉପାୟ ବତାଇ ଦେବି । ଯଦି ଆଉ କେବେ ସେଇ ସ୍ଵର ଶୁଣୁ ବା ତାହାରି ସ୍ଵର ବୋଲି ସନ୍ଦେହ ହୁଏ ତେବେ ତା’ ଭଏସ୍‌ ରେକର୍ଡ଼ କରିନବୁ । କାମରେ ଆସିବ ।”

 

ଚିଦାନନ୍ଦ ସମ୍ପର୍କରେ ଶୁଭାଶିଷ ଦେଇଥିବା ସୂଚନା ତାକୁ ଭାବିବାପାଇଁ ବାଧ୍ୟ କରୁଥିଲା । ଦିଲ୍ଲୀର ଚିଦାନନ୍ଦ ଓରଫ୍‌ ରାଜାସାହେବଙ୍କ ଇତିବୃତ୍ତ ଜାଣିବାପାଇଁ ଇଚ୍ଛା ପ୍ରବଳ ହେଲା ସତ୍ୟକାମର । କିନ୍ତୁ ଏ ବିଷୟରେ ଅଧିକ ଜାଣିବାପାଇଁ ଦିଲ୍ଳୀ ନୁହେଁ ପ୍ରଥମେ ଓଡ଼ିଶାରୁ ଆରମ୍ଭ କରିବାକୁ ହେବ । ସେଠାରେ ଯଦି ତାଙ୍କ ମୂଳ, ତେବେ ସେଇ ମୂନକୁ ପ୍ରଥମେ ଠାବ କରାଯାଉ, ତା’ପରେ ଚେରମାନଙ୍କ ବିସ୍ତାର କେତେ ତାହା ଆପେ ଆପେ ସ୍ପଷ୍ଟ ହୋଇଯିବ ।

 

ଚିଦାନନ୍ଦ ମହାନ୍ତିଙ୍କ ଦୌଡ଼ ଅନେକ ଦୂର, ହାତ ଅନେକ ଲମ୍ବା କହିଥିଲା ଶୁଭାଶିଷ । ଦିଲ୍ଲୀରେ ଚାଷ କିଆରି, ଭୁବନେଶ୍ୱରରେ କିନ୍ତୁ ଫସଲ କାଟନ୍ତି ସେ ।

 

ଏଇ ଲୋକମାନେ ଭଦ୍ର ବେଶରେ ବୁଲନ୍ତି, କିନ୍ତୁ ଧର୍ମ ହେଉଛି ସଇତାନର ।

 

ଚିଦାନନ୍ଦ ମହାନ୍ତିଙ୍କ ଠିକଣା ଦେଇଥିଲା ଶୁଭାଶିଷ ।

ଦିଲ୍ଲୀର ସାକେତ ଅଞ୍ଚଳର ମନ୍ଦିର ମାର୍ଗରେ । ତାଙ୍କ ଠିକଣାଟା ଟିପି ରଖିଥିଲା ସତ୍ୟକାମ ନୋଟ୍‌ ବହିରେ । କେବେ ଦିଲ୍ଲୀ ଗଲେ ତଲାସ କରିବ ତାଙ୍କୁ । ମୁଖା ପିନ୍ଧା ଏଇସବୁ ହାଇଫାଇ ଲୋକଙ୍କ ଅନେକ ଠିକଣା, ଅନେକ ବେଶ । କେତେବେଳେ ସଫାରି ସୁଟ୍‌ରେ ତ ଆଉ କେତେବେଳେ ଦାମୀ ସୁଟ୍‌କୋଟ୍‌ଟାଇ । ସୁଯୋଗ ମିଳିଲେ ଧୋତି ପଞ୍ଜାବି, କାନ୍ଧରେ ଚାଦର । କିନ୍ତୁ ଆଖି ଉପରେ ସଦାବେଳେ କଳା ଚଷମା । ପୃଥିବୀକୁ କୁତ୍ସିତ କରନ୍ତି ଚିଦାନନ୍ଦମାନେ, କିନ୍ତୁ ସେଇ କୁତ୍ସିତ ରୂପ ଦେଖିବାପାଇଁ ପସନ୍ଦ ନ କରି ସବୁଆଡ଼େ ଦେଖନ୍ତି ସବୁଜ ରଙ୍ଗର ତାରୁଣ୍ୟ । ତାରୁଣ୍ୟହିଁ ଭୋଗର ସମୟ । ସେଥିପାଇଁ ବେଳେ ବେଳେ ଚିଦାନନ୍ଦଙ୍କ ମୁହଁରୁ ବାହାରିପଡ଼େ - ‘ତାରୁଣ୍ୟ ଦୀର୍ଘଜୀବୀ ହେଉ... ।’

କିନ୍ତୁ ବୟସ ଲୁଚାଇ ରଖିବାପାଇଁ ଆମେରିକା ଯାଇ ପ୍ଲାଷ୍ଟିକ ସର୍ଜରୀ କରି ଆସିଥିଲେ ଚିଦାନନ୍ଦ । ଯେପରି ବୟସ ବିତୁ ନାହିଁ, ଗୋଟିଏ ଜାଗାରେ ଛିଡ଼ା ହୋଇ ରହିଛି ।

ମନ୍ଦିର ମାର୍ଗରେ ସେ ରହନ୍ତି ସିନା, କିନ୍ତୁ ଅଧେ ସମୟ ବିତାନ୍ତି ହୋଟେଲମାନଙ୍କରେ । ଅଶୋକା ହୋଟେଲରେ ବାସ କରୁଥିବା ଜ୍ୟୋତିଷ ଯୋଗେଶ ମୂର୍ତ୍ତି କୁଆଡ଼େ ଚିଦାନନ୍ଦକୁ କହିଛନ୍ତି ଯେ ସେ ଦିନେ ମୁଖ୍ୟମନ୍ତ୍ରୀ ହେବେ... ସମଗ୍ର ରାଜ୍ୟର କ୍ଷମତା ରହିବ ତାଙ୍କ ହାତ ମୁଠାରେ ।

ସେଇଦିନୁ ସେ ଓଡ଼ିଶାରେ ଖୋଲିଛନ୍ତି କ୍ୟାମ୍ପ ଅଫିସ୍ । ‘ତ୍ରିଧାରା’ ପ୍ୟାଲେସ୍‌ରେ ଗୋଟେ ଫାଇଭ୍‌ ବେଡ଼ରୁମ୍‌ ଫ୍ଲାଟ୍‌ରେ ଖୋଲିଛନ୍ତି ଅଫିସ୍‌ । ରାଜନୀତି କରିବାକୁ ହେଲେ ମିଛ କହିବାକୁ ହୁଏ, ଛଳନା କରିବାକୁ ହୁଏ । ସେଥିପାଇଁ ଚାକିରିର ଲୋଭ ଦେଖାଇ ଅନେକ ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଆକର୍ଷଣ କରନ୍ତି । ଅଫିସ୍‌ ଚଳାନ୍ତି ମ୍ୟାନେଜ୍‌ମେଣ୍ଟ୍‍ ବିଶାରଦ ଯଶପାଲ । ଦିଲ୍ଲୀର ଲୋକ । ପାଞ୍ଚଟା କମ୍ପ୍ୟୁଟର ଟର୍‌ମିନାଲ ଖଞ୍ଜା ହୋଇଛି ଅଫିସ୍‌ରେ ପ୍ରାସଙ୍ଗିକ ଖବର ସାଇତି ରଖିବାପାଇଁ । ମଡ଼ର୍ଣ୍ଣ ମ୍ୟାନେଜ୍‌ମେଣ୍ଟ୍‍ ପଦ୍ଧତିରେ ପାର୍ଟି ଚଳାଇବାପାଇଁ ସବୁ ବ୍ୟବସ୍ଥା ହୋଇଛି । ଏଇ କେତେ ମାସ ମଧ୍ୟରେ ଚିଫ୍‌ମିନିଷ୍ଟର, ଚିଫ୍‌ସେକ୍ରେଟାରୀ, ଅନ୍ୟାନ୍ୟ ପ୍ରଭାବଶାଳୀ ଅଫିସରମାନଙ୍କ ସହତି ସମ୍ପର୍କ ଗାଢ଼ କରିପାରିଛନ୍ତି । ଚ୍ୟାମ୍ବର୍ସ ଅଫ୍‌ କମର୍ସର ସେ ଜଣେ ନୂତନ ସଭ୍ୟ ହେଲେ ମଧ୍ୟ ତାଙ୍କ ଉପଦେଶ ହେଉ ବା ଆଦେଶ ହେଉ ମାନି ଚଳିବାପାଇଁ ପ୍ରତିଯୋଗିତା ଲାଗେ ସେଠାରେ ।

ଆମେରିକାରୁ ବିଦେଶୀ ପୁଞ୍ଜିପତି ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାପାଇଁ, ଭିଭିଭୂମିର ବିକାଶପାଇଁ, କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ଗବେଷଣା କରିବାପାଇଁ ଆସନ୍ତି ଚିଦାନନ୍ଦଙ୍କ ମାରଫତ୍‌ରେ । ସେ ସମସ୍ତଙ୍କ ପଥ ପ୍ରଦର୍ଶକ । ଲିଆସନିଂ ଓ ଲବିର ମାଧ୍ୟମ ସେ ।

ଅଳ୍ପଦିନ ମଧ୍ୟରେ ‘ତ୍ରିଧାରା’ରୁ ଅନେକ ତଥ୍ୟ ସଂଗ୍ରହ କରିଥିଲା ସତ୍ୟକାମ । ସେ ଯେତିକି ଭିତରକୁ ଗଲା ସେତିକି ଆଶ୍ଚର୍ଯ୍ୟ ହେଲା ଚିଦାନନ୍ଦଙ୍କ ପୋତା ସମ୍ପତ୍ତିର ଟେରପାଇ । ଏତେ ଅର୍ଥ ସେ କିପରି ଯୋଗାଡ଼ କରିଛନ୍ତି ଏଇ ପ୍ରଶ୍ନଟା ବାରମ୍ବାର ବିଚଳିତ କରେ ତାକୁ ।

 

ଦିନେ ‘ତ୍ରିଧାରା’ରେ ଚାଲିଥିବା ଗୋଟେ ୟୁଥ୍‌ ପ୍ରୋଗ୍ରାମ୍‌ରେ ଯୋଗ ଦବା ବାହାନା କରି ଯାଇଥିଲାବେଳେ ଏପରି ଜଣକ ସହିତ ସାକ୍ଷାତ୍‌ ହେଲା ଯିଏ ଚିଦାନନ୍ଦଙ୍କ ପ୍ରାଇଭେଟ୍‍ ସେକ୍ରେଟାରୀର ଅନ୍ତରଙ୍ଗ । ମୃଦୁଳା କୁଲକର୍ଣ୍ଣି । ମୁମ୍ବାଇର ଝିଅ । ଦିଲ୍ଲୀ ବାଟ ଦେଇ ଭୁବନେଶ୍ୱର ପହଞ୍ଚିଛି ।

 

ସତ୍ୟକାମକୁ କଫି ପାନରେ ଆପ୍ୟାୟିତ କରୁଥିବାବେଳେ ସେ କହିଦେଲା ଯେ ଜେ.ଏନ୍‌.ୟୁ.ର ଛାତ୍ର ଥିବାବେଳେ ବାମପନ୍ଥୀ ଆଦର୍ଶ ନେଇ ମାତିଥିଲା ।

 

ସତ୍ୟକାମ ଯେ ତା’ଠାରୁ ବର୍ଷେ ସିନିଅର ଥିଲା ଏହା ଜାଣିବାମାତ୍ରେ ବନ୍ଧୁତ୍ୱ ଜମି ଯାଇଥିଲା ।

 

ମୃଦୁଳା ଶୁଣେ କମ୍‌, କହେ ବେଶି । ବେଶ୍‌ ପ୍ରଗଳ୍ଭା । ସୋସାଇଟି ଗାର୍ଲଭାବେ ନାମ କରିଛି ଏକାମ୍ର ନଗରୀରେ ।

 

ସତ୍ୟକାମ ତା’ ପ୍ରଶଂସାରେ ପଞ୍ଚମୁଖ ହେବାକ୍ଷଣି ମୃଦୁଳା କହିଲା, ‘‘ନିରୋଳାରେ ଚାଲ କଥାଭାଷା ହେବା । ଏଇ ପାଖରେ କେଦାରଗୌରୀ ଏସି ରୋସ୍ତୋରାଁ ।’’

 

ସେଇଠାରେ ବସି ଗପୁ ଗପୁ ହଠାତ୍‌ କହିପକାଇଲା ମୃଦୁଳା, “ଚିଦାନନ୍ଦ ବ୍ୟାଚଲର । ଫେମିଲି ନାହିଁ । କେତେ ଗପ ତାଙ୍କ ନାମରେ ଶୁଣାଯାଏ । ଦିଲ୍ଲୀରେ ସେଣ୍ଟ ଷ୍ଟିଫେନ୍‍ସରେ ପଢ଼ୁଥିବାବେଳେ ଅନେକ ଝିଅଙ୍କୁ ନଷ୍ଟ କରିଛନ୍ତି... । କିନ୍ତୁ ମୋ ପାଖରେ ସେସବୁ ଅଭଦ୍ରାମି ଚଳିବ ନାହିଁ । କ’ଣ ଜାଣ ସତ୍ୟକାମ, ତାଙ୍କର ଗୋଟାଏ ଫାର୍ମ ଅଛି । ଅନେକଙ୍କୁ ଭୁଲେଇ ଆଣି ପୁଣି ଛାଡ଼ି ସାରିଲେଣି । କିନ୍ତୁ ଗୋଟେ ନାମ ଖୋଜୁଛନ୍ତି ସେ । ଗୋଟାଏ ଜେନେରେସନ୍‌ ଧରି... । ଦିଲ୍ଲୀ, ମୁମ୍ୱାଇ, କଲିକତା, ଭୁବନେଶ୍ୱର ସବୁଠି ଖୋଜି ଖୋଜି ଶେଷରେ ଏଇଠି କୁଆଡ଼େ ସେ ଠାବ କରିଛନ୍ତି । ତାଙ୍କ ପ୍ରିୟ ବାନ୍ଧବୀକୁ... ସେ କହନ୍ତି ଯେ ଓଲ୍ଡ ଇଜ୍‌ ଗୋଲ୍ଡ,..।

 

ଏଇଠି ଅଟକିଗଲା ସତ୍ୟକାମ ।

 

ତା’ ସର୍ବାଙ୍ଗରେ ହେମାଳ ପବନ ବହିଗଲା । ସେ ହଠାତ୍‌ ଆଳାପ ଶେଷ କରି ଦବାପାଇଁ କହିଲା – ‘ଆଉ ଦିନେ ମୃଦୁଳା... ଭୁଲି ଯାଇଥିଲି ଗୋଟେ ଅର୍ଜେଣ୍ଟ କାମ । ହଠାତ୍‌ ମନେପଡ଼ିଗଲା-। ଏଇନେ ଯିବାକୁ ହେବ... ।”

 

ମୃଦୁଳା କହିଲା - “ତମ ଠିକଣା ତ ଦେଲନି ?”

 

ସତ୍ୟକାମ କହିଲା - “ମୁଁ ଗୋଟାଏ କାଗଜରେ କାମ କରେ... ନୂଆ କାଗଜ...।’’

 

ହାତ ତାଳି ମାରି କହିଲା ମୃଦୁଳା, “ଏକ୍ସ‌ଲେଣ୍ଟ୍‌ । କାଗଜରେ କାମ କରୁଛ ଯେତେବେଳେ ପବ୍ଲିସିଟି କରିବା ସୁବିଧା ହେବ... । ମିଡ଼ିଆ ଖୁବ୍‌ ପାୱାରଫୁଲ୍‌ । ମିଡ଼ିଆ ଓଲଟ ପାଲଟ କରିଦେଇପାରିବ, ଭାଙ୍ଗି ଦେଇପାରିବ ଅନେକ ସ୍ଵପ୍ନ, ପୁଣି ସ୍ୱର୍ଗକୁ ନିଶୁଣୀ ଲଗାଇ ବି ପାରିବ... ।”

 

ମୃଦୁଳା ଏତେ ଉତ୍‌ଫୁଲ୍ଲ ହୋଇଗଲା ସତ୍ୟକାମର ପରିଚୟ ପାଇ ଯେ ସେ ସ୍ଥାନ କାଳ ପାତ୍ର ବିବେଚନା ନ କରି ସତ୍ୟର ହାତଟା ଟାଣିଦେଇ ତା’ ପାପୁଲି ଉପରେ ଚୁମାଟିଏ ଆଙ୍କିଦେଲା-

 

ଆଉ ଉଠିବସି ଲାଜରା ଆଖିରେ ସତ୍ୟକାମକୁ ଚାହିଁଦେଇ କହିଲା, “କୌତୁକ କରୁଥିଲି...ରାଗି ଯାଇନ ତ ?”

 

କ’ଣ ଉତ୍ତର ଦବ ଭାବିପାରୁ ନ ଥିଲା ସତ୍ୟକାମ । ସେ ଅପ୍ରସ୍ତୁତ ହୋଇ ପଡ଼ିଥିଲା । ତଥାପି ସମ୍ଭାଳି ନେଇ କହିଲା, “ରାଗିପାରିବି ତୁମ ଉପରେ ? ଅନେକ ସୁଯୋଗ ମିଳିବ ସାଙ୍ଗହୋଇ କାମ କରିବାପାଇଁ । ସେଲ୍‌ ଆଇ ଆସ୍ୟୁମ୍‌ ଦ୍ୟାଟ୍‌ ଆଇ ସାଲ୍‌ବି ସିଓର ଅଫ୍‌ ଇଓର କୋଅପରେସନ୍‌ ଆଣ୍ଡ୍ ହେଲ୍‌ପ...?’’

 

- “ଆଇ ପ୍ରମିଜ୍‌... ଆଇ ପ୍ରମିଜ୍‌... ।” ଦୋହରାଇଲା ମୃଦୁଳା ।

 

ତାକୁ ‘ତ୍ରିଧାରା’ରେ ଛାଡ଼ିଦେଇ ଫେରୁଥିବାବେଳେ ଭାବୁଥିଲା, ‘ଝିଅଟା ଅତି ସ୍ମାର୍ଟ... ରାଭିସିଙ୍ଗ୍‌ଲି ଡେଆରିଂ... ଏମିତି ଲୋକଙ୍କଠାରୁ ବହୁତ କିଛି ସାହାଯ୍ୟ ଆଶା କରାଯାଇପାରେ । ପାଣିର ଗଭୀରତା ନ ଜାଣି ସେମାନେ ଡେଇଁପଡ଼ନ୍ତି ନଈ ଭିତରକୁ ।’

 

ଠିକ୍‌ ଅଛି । ଚିଦାନନ୍ଦଙ୍କ ସମ୍ପର୍କରେ କିଛି ଜାଣିବାର ସୁଯୋଗ ମିଳିଲା । ଆହୁରି ଅନେକ ଜାଣିବାକୁ ବାକି ଅଛି । ସଇତାନମାନଙ୍କୁ ଧରିବା ସହଜ ନୁହେଁ... ଦଣ୍ଡ ଦବା ଆହୁରି କଠିନ... ।

 

ଘରକୁ ଫେରିବା ବାଟରେ ସିବିଆଇ ଅଫିସକୁ ଗଲା ପଲ୍ଲବ ସାଙ୍ଗରେ ସାକ୍ଷାତ୍‌ କରିବାପାଇଁ । ସେ ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ୁଥିବାବେଳେ ତା’ ସହିତ ପରିଚୟ । ‘କ୍ରିମିନୋଲୋଜି’ରେ ଫାଷ୍ଟ କ୍ଲାସ୍‌ ଫାଷ୍ଟ ହୋଇଥିଲା ୟୁନିର୍ସିଟିରେ । ତା’ ପରେ ସିବିଆଇରେ ପ୍ରବେଶ କରିଛି । ପ୍ରମିଜିଂ ଅଫିସର । ଅନେକ ଉପରକୁ ଉଠିବ । ସତ୍ୟଠାରୁ ତିନି ବର୍ଷ ସିନିଅର ।

 

ଶୁଭାଶିଷ ସାହାଯ୍ୟ କରିବାପାଇଁ ରାଜି ହୋଇଛି ଶୁଣି ଖୁସି ହେଲା ପଲ୍ଲବ । ଏଣିକି ସୁବିଧା ଦୁଇ ଦିଗରୁ ନିରୀକ୍ଷଣ କରିବାପାଇଁ । ସଇତାନଗୁଡ଼ାଙ୍କୁ ଶାଏସ୍ତା ନ କଲେ ଦେଶକୁ ବି ବିକ୍ରି କରିଦେବେ ।

 

ସତ୍ୟକାମକୁ ଆଶ୍ଵାସନା ଦେଇ କହିଲା ପଲ୍ଲବ, “ବି ସିଓର, ତୋର ଅସୁବିଧା ରହିବ ନାହିଁ...ଆମେ ସମସ୍ତେ ମିଳିମିଶି କରିବା ।’’

 

- “ତମେ ଶୁଭାଶିଷକୁ ଆଗରୁ ଜାଣିଥିଲ ଭାଇ ?” ପଚାରିଲା ସତ୍ୟ ।

 

- “ଶୁଭାଶିଷ ଦାସ ତ ? ଓ ସିଓର...”

 

- “ଶୁଭାଶିଷ ଦାସ ମୋର କ୍ଲାସ୍‌ମେଟ୍‌ ଥିଲା ଜେ.ଏନ୍‌.ୟୁ.ରେ ।”

 

- “ଓ ଇଣ୍ଟେଲିଜେନ୍‍ସ ବ୍ୟୁରୋର ଶୁଭାଶିଷ କଥା କହୁଛୁ ? ସେ ତ ମୋ ଘନିଷ୍ଠ ବନ୍ଧୁ ।”

 

- “ହଁ, ଏବେ ତା’ହେଲେ ବେଶ୍‌ ଜମିବ ଭାଇ... ସଇତାନର ଲମ୍ୱାହାତ ତିନି ଆଡ଼ୁ କାଟିବାପାଇଁ ସୁଯୋଗ ମିଳିବ ।” କହିଲା ସତ୍ୟକାମ ।

ଆଲୋଚନାବେଳେ ପଲ୍ଲବ କହିଲା, ଚିଦାନନ୍ଦ ମହାନ୍ତି ଅନେକ ଲୋକଙ୍କୁ ହାତରେ ରଖଛି । ଅନେକ ଅର୍ଥ ଖର୍ଚ୍ଚ କରେ ।”

- “କିନ୍ତୁ ଏତେ ଅର୍ଥ ଆସେ କୋଉଠୁ ?”

- “ଅନେକ ସୋର୍ସ ତାଙ୍କର । ଠିକାଦାରଙ୍କ କାର୍ଟେଲରୁ ଟେଣ୍ଡର ଫିକ୍ସିଂ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି...।”

- “ଟ୍ରିପଲ ମର୍ଡରରେ ସେ ଇନଭଲଡ଼୍‌ ନୁହେଁ ତ ?”

- “ଇନ୍‌ଭେଷ୍ଟିଗେସନ ଚାଲିଛି, ତୁ ବି ଆଖି କାନ ଖୋଲା ରଖିଥା... । ମୋର ବିଶ୍ଵାସ ଶୀଘ୍ର ଆମେ ଏ ବିଷୟରେ ତଥ୍ୟ ପାଇଯିବା । କିନ୍ତୁ ତୁ ସତର୍କ ଥିବୁ, ଚିଦାନନ୍ଦ ମହାନ୍ତିର ଅନେକ ଗୁପ୍ତଚର ଅଛନ୍ତି । ସେମାନଙ୍କ ଜରିଆରେ ତୋ ସମ୍ବନ୍ଧରେ ସେ ବି ଖବର ସଂଗ୍ରହ କରୁଥିବ । ତୁ ନୂଆ । ଶୀଘ୍ର ଦେଖିବୁ ସେ ବା ତା’ ଲୋକ ତୋ ଅଫିସ୍‌ରୁ ତୋ ବିଷୟରେ ଖବର ସଂଗ୍ରହ କରିବା କାମ ଆରମ୍ଭ କରିଦେବେ ।”

ଟିକେ ରହି ପୁଣି କହିଲା ପଲ୍ଲବ, “ସେ ଲୋକଟାର ଗୋଟେ ବଡ଼ ଦୁର୍ବଳତା ହେଉଛି ସେକ୍ସ । ଅନେକ ଝିଅଙ୍କ ସର୍ବନାଶ କରିଛି ସେ । ଟ୍ରାପ୍‌ରେ ତାକୁ ପକାଇବାପାଇଁ ହେଲେ ଗୋଟେ ନୂଆ କୌଶଳ ଉଦ୍ଭାବନ କରିବାକୁ ପଡ଼ିବ ।”

ପଲ୍ଲଵଠାରୁ ବିଦାୟ ନେଇ ପ୍ରେସ୍‌କୁ ଯିବା ବାଟରେ ଭାବୁଥିଲା ସତ୍ୟ, କ’ଣ ସେଇ ଟ୍ରାପ୍‌ ଯଦ୍ଦ୍ୱାରା ଆସାମୀ ଅପରାଧ କରୁଥିବା ବେଳର ଅକାଟ୍ୟ ପ୍ରମାଣ ଯୋଗାଡ଼ କରିହେବ ? ଏଇ କଥା ମନକୁ ଆସିବାକ୍ଷଣି ମୃଦୂଳା ମନେପଡ଼ିଲା । ଯଦି ସବୁ କୌଶଳ କରି ତାକୁ ବ୍ୟବହାର କରିବା ସମ୍ଭବ ହୁଅନ୍ତା ତେବେ ଚିଦାନନ୍ଦ ମହାନ୍ତି ନିଜ ଡେନ୍‌ରେ ଧରାପଡ଼ନ୍ତେ ।

 

ସେ ଘରେ ପହଞ୍ଚି ଧୁଆଧୋଇ ହୋଇ ଗୋଟେ କ୍ରାଇମ୍‌ ଷ୍ଟୋରି ପଢ଼ୁଥିବାବେଳେ ଫୋନ୍‌ଆସିଲା ।

 

ରିସିଭର୍‌ଟା ଉଠାଇ ନେଇ କହିଲା ସତ୍ୟ, ‘‘ହ୍ୟାଲୋ’’

 

- “ମୃଦୁଳା କହୁଛି । ତମ ସାଙ୍ଗରେ ଦୁଇ ଘଣ୍ଟା କଟାଇବାର ମଧୁର ସ୍ମୃତି ମୁଁ ସାଇତି ରଖିଛି ସତ୍ୟ । କିନ୍ତୁ ବି ଡିସ୍‌କ୍ରିଟ୍‌ ଆଣ୍ଡ ଟାକ୍ଟଫୁଲ୍‌ । ମୋ ସମ୍ବନ୍ଧରେ ତମେ ଆଉ କାହା ସହିତ ଆଲୋଚନା କରିବ ନାହିଁ । ମୋ ବସ୍‌କୁ ତମେ ଚିହ୍ନିନ... ବଡ଼ ଇର୍ଷାପରାୟଣ । ବୁଝିପାରୁଛ ନିଶ୍ଚୟ-।’’

 

- “ହଁ ହଁ ।”

 

- “ସିରିୟସ୍‌ ବ୍ୟାପାର । ତମେ ପନ୍ଦର ମିନିଟ୍‌ ମଧ୍ୟରେ ଆସିପାରିବ କି ? ମୁଁ ଓମ୍‌ଫେଡ଼୍‌ ବୁଥ୍‌ ପାଖରେ ଥିବା ପି.ସି.ଓ. କଲ୍‌ ଅଫିସ୍‌ ପାଖରେ ଅପେକ୍ଷା କରିଥିବି... ।”

 

‘‘- ଓକେ...”

 

ଘରକୁ ନ ଯାଇ ସିଧା ଚାଲିଲା ସତ୍ୟକାମ ଗନ୍ତବ୍ୟସ୍ଥଳକୁ । ମୃଦୁଳାକୁ ବାହାର କରିବା ଅସୁବିଧା ହେଲାନି, ଯଦିବା ସେତେବେଳକୁ ସନ୍ଧ୍ୟା ନଇଁ ଆସିଥିଲା । ସତ୍ୟକୁ ଦେଖପାରି ଇସାରା ଦେଲା ଟିକେ ଆଗକୁ ଯିବାପାଇଁ । ସେଇ ଜାଗାଟା ଆହୁରି ନିରୋଳା ।

 

ସତ୍ୟକାମ କହିଲା, “ତମେ ଭାରି ଚିନ୍ତିତ ଦିଶୁଛ ? ଏଇ ଅଳ୍ପ ସମୟ ମଧରେ କ’ଣ ହେଲା ?”

 

ମୃଦୁଳା କହିଲା, “ମୁଁ ନ ଥିବା ସମୟରେ ଗୋଟେ ସିରିଅସ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ହୋଇଯାଇଛି । ମୁଁ ଜାଣି ନ ଥିଲି ଯେ ଟେଣ୍ଡର ଫିକ୍ସିଙ୍ଗ ସମ୍ପର୍କରେ ସେଇ ସମୟରେ ଆସିଥିବେ ସେମାନେ...।”

 

- ‘‘କିନ୍ତ କିଏ ସେମାନେ ? ନାମ ଠିକଣା ଜାଣିଛ... ?’’ ପ୍ରଶ୍ନକଲା ସତ୍ୟ ।

 

ସେ ଗୋଟେ ଛୋଟ କାଗଜ ବଢ଼ାଇ ଦେଇ କହିଲା - “ଏଥରେ ଅଛି । ଏମାନଙ୍କୁ ଚିହ୍ନିପାରିବ । କିନ୍ତୁ ଷ୍ଟ୍ରିକ୍ଟଲି ସିକ୍ରେଟ୍‌... ଖବର ଲିକ୍‌ କରିଗଲେ ମୋ ଚାକିରି ତ ଯିବ, ବେକଟା ବି କଟିଯିବ... ।’’

 

- ‘‘ନୋ, ନୋ । ବି ସିଓର ମୃଦୁଳା... ।” କହିଲା ସତ୍ୟକାମ ।

 

“ମୁଁ ତୁମ ସହିତ ରେସ୍ତୋଁରାରୁ ଫେରିବା ପରେ ଦେଖିଲି ସେମାନେ ଅପେକ୍ଷା କରୁଥିଲେ-। ବସ୍‌ଙ୍କ ସହିତ ସେମାନେ ସନ୍ଧ୍ୟା ପୂର୍ବରୁ ଚାରିଟା ତିରିଶ ମିନିଟ୍‌ରେ ଭେଟିବାର ଥଲା । ଏଇ ମିଟିଂ କଥା ଏକା ମୁଁ ଜାଣିଥିଲି । କନଫରେନ୍‍ସ ରୁମ୍‌ ଦାୟିତ୍ଵ ମୋର । ସେଠାରେ ଥିବା ଫୁଲଝାଡ଼ ଭିତରେ ମୁଁ ଟେପ୍‌ ରେକର୍ଡର ଓ କନ୍‌ସିଲ୍‌ କ୍ୟାମେରା ରଖିଥିଲି... ।”

 

- “କାହିକିଁ ଏତେବଡ଼ ରିକ୍ସ ନେଉଥିଲ ?” ସତ୍ୟକାମ ପଚାରିଲା ।

 

- “ମୁଁ ଭାବୁଥିଲି ମୋତେ ଗୋଟାଏ ଇନ୍‌ଷ୍ଟ୍ରୁମେଣ୍ଟ କରି କାମ ଆଦାୟ କରାଯାଇଛି । ମୋତେ ଯଦି ଦିନେ ବିନା ନୋଟିସ୍‌ରେ ବାହାର କରଦିଅନ୍ତି ତେବେ ମୋର କ’ଣ ହେବ ? ଜବ୍‌ ସିକ୍ୟୁରିଟି ତ ନାହିଁ । ତେଣୁ ଇମିତି କିଛି ଅସ୍ତ୍ର ହାତରେ ରହିବା ଦରକାର ଯାହା ମୁଁ ବ୍ୟବହାର କରିପାରିବି । କିନ୍ତୁ ସେଇ ସମୟଟା ଏତେଶୀଘ୍ର ଆସିବ ଜାଣି ନ ଥିଲି । ତୁମକୁ ଛାଡ଼ି ଫେରିବାବେଳେ ମୋର ମିଟିଂ କଥା ମନେପଡ଼ିଲା । ସେତେବେଳକୁ ୪ଟା ବାଜିଥିଲା । ୪.୩୦ରେ ମିଟିଂ । ହାତରେ ଅଳ୍ପ ସମୟ । ମୁଁ ଗୋଟେ ରିସ୍କ ନେଲି । କନ୍‌ସିଲ କ୍ୟାମେରା ଆଉ ରେକର୍ଡ଼ରଟା ଏମିତି ସ୍ଥାନରେ ରଖିଲି ଯାହା ଟେର୍‌ ପାଇବା ସମ୍ଭବ ନୁହେଁ । ମୋ ଅନୁମାନ ସତ ହେଲା । ମିଟିଂ ଚାଲିଲା ଦୁଇ ଘଣ୍ଟା । ସେମାନେ ଚାଲିଗଲେଣି । ବସ୍‌ ବି ସନ୍ଧ୍ୟା ଫ୍ଲାଇଟ୍‌ରେ କଲିକତା ହୋଇ ଦିଲ୍ଲୀ ଚାଲିଗଲେ । ମୁଁ ଭାବିଲି ଏଇଟା ସୁଯୋଗ ମୋ ପାଖରେ । ଏଇ ଟପ୍‌ ସିକ୍ରେଟ୍‌ ମ୍ୟାଟର୍‌ ନ ରଖି ତୁମକୁ ହସ୍ତାନ୍ତର କରିଦିଏ... ମୋତେ ଜୀବନରେ ମାରିଦେଲେ ବି ଆଉ ଏଇ ଜିନିଷ କୋଉଠି ଅଛି ଜଣାପଡ଼ିବ ନାହିଁ । ବର୍ତ୍ତମାନ ମୁଁ ତୁମର ହୋଷ୍ଟେଜ୍‌... ତମେ ଯେମିତି ଚାହିଁବ ମୋତେ ବ୍ୟବହାର କରିପାର... । କିନ୍ତୁ ମୁଁ କାହିଁକି ଆଉ କାହାକୁ ନ ଦେଇ ତୁମକୁ ଦେଇଛି ସେଇ କାରଣଟା ବି ଶୁଣ । ଗୋଟାଏ ମୁହୂର୍ତ୍ତର ଭାବପ୍ରବଣତା କହିପାର... ମୁଁ ତୁମକୁ ହଠାତ୍‌ ଭଲପାଇ ବସିଛି । ଏସବୁ ଟପ୍‌ ସିକ୍ରେଟ୍‌ ମେଟେରିଆଲ୍‌ ଆଉ କାହା ହାତରେ ନ ଦେଇ ତୁମକୁ ଦେଉଛି । ତମର ଇଚ୍ଛା ହେଲେ ତମେ ବ୍ୟବହାର କରିବ । କିନ୍ତୁ ବି ସିଓର୍‌ ଯେପରି ବସ୍‌ ବା ତାଙ୍କ ଲୋକ ନ ଜାଣନ୍ତି ଘୁଣାକ୍ଷରରେ ବି ।” ଏତେଗୁଡ଼ା କଥା ଏକାଥରକେ କହିଦେଇ ଧଇଁସଇଁ ହୋଇଯାଇଥିଲା ମୃଦୁଳା

 

ପ୍ୟାକେଟ୍‌ଟା ସତ୍ୟକାମ ହାତକୁ ବଢ଼ାଇ ଦେଇ କପାଳରୁ ଝାଳ ପୋଛିଲା । ସେଇ ସ୍ତିମିତ ଆଲୁଅରେ ବି ସ୍ପଷ୍ଟ ଦେଖିପାରୁଥିଲା ସତ୍ୟକାମ ଯେ ମୃଦୁଳାର ଆଖି ଛଳଛଳ... ।

 

Unknown

॥ ସାତ ॥

 

ଦିଲ୍ଲୀର ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରେ ପହଞ୍ଚିବାବେଳକୁ ଚାରିଟା ବାଜି ଥିଲା । ଲଗେଜ୍‌ ନେଇ ଗୋଟେ ପ୍ରିପେଡ଼ ଟ୍ୟାକ୍ସି ନବାପାଇଁ କାଉଣ୍ଟର ଆଗରେ ଛିଡ଼ା ହୋଇଥିବାବେଳେ କାହାର ପରିଚିତ ସ୍ଵର ଶୁଣି ଫେରି ଚାହିଁଲା ସତ୍ୟକାମ ।

 

ରାକେଶ ବୁଦ୍ଧିରାଜ ସ୍ଵାଗତ ଜଣାଇ କହିଲା - “ମୁଁ ପରା ଦିଲ୍ଲୀରେ ଥାଏ ବୁଦ୍ଦୁ ! ମୋ କଥା ଏତେଶୀଘ୍ର ଭୁଲିଗଲୁ ? କୋଉଠିକି ଯିବୁ ଟ୍ୟାକ୍ସିରେ ?”

 

“ଓଡ଼ିଶା ଭବନ !” କହିଲା ସତ୍ୟକାମ ।

 

“ଏଣ୍ଡୁଅର ଦୌଡ଼ ବାରୁଣା ମୁଣ୍ଡ ପର୍ଯ୍ୟନ୍ତ । ମୋ ସହିତ ନ ରହି ତୁ କୋଉ ଦୁଃଖରେ ରହିବୁ ଓଡ଼ିଶା ନିବାସରେ ? କୋଉ ମନ୍ତ୍ରୀଯନ୍ତ୍ରୀଙ୍କ ପିଛା ଧରିନାହୁଁ ତ !” କହିଲା ରାକେଶ ।

 

“ନା ଭାଇ ନା । ଅଯାଚିତ ଆମନ୍ତ୍ରଣପାଇଁ ତୋତେ ଅନେକ ଧନ୍ୟବାଦ... କିନ୍ତୁ ତୁ କ’ଣ ସଂସାର କଲୁଣି, ନା ବୁଲୁଛୁ କ୍ଲବରୁ କ୍ଲବ୍‌, ରେସ୍ତୋଁରାରୁ ରେସ୍ତାଁରା ?” ହସି ହସି ପଚାରିଲା ସତ୍ୟକାମ ।

 

ଲଗେଜ ଟ୍ରଲିଟା ତା’ ହାତରୁ ଛଡ଼ାଇ ନେଇ କହିଲା ରାକେଶ - “ମୁଁ ଆସିଥିଲି ସି ଅଫ୍‌ କରିବାପାଇଁ ଜଣେ ବାନ୍ଧବୀକୁ । କାଠମାଣ୍ଡୁ ଗଲା । ବିଉଟି କଣ୍ଟେଷ୍ଟରେ ପାର୍ଟିସିପେଟ୍‌ କଲା, କିନ୍ତୁ ତା’ ଭାଗ୍ୟ ଖରାପ, କମର ଟିକେ ମୋଟା ହୋଇଯାଇଥିବାରୁ କଟିଗଲା... ।’’

 

ରାକେଶଟା ବଜାରୀ ପରି କଥା କହେ । ନିଜେ ନ ହସି ସମସ୍ତଙ୍କୁ ହସାଏ । କିନ୍ତୁ ଜେ.ଏନ୍‌.ୟୁ.ର ବ୍ରିଲିଏଣ୍ଟ ବୟ । ରାଜନୀତି ବିଜ୍ଞାନରେ ସେ ଫାଷ୍ଟକ୍ଲାସ୍‌ । ଗୋଲ୍ଡ ମେଡାଲିଷ୍ଟ ! କିନ୍ତୁ ସିଭିଲ ସର୍ଭିସ୍‌ ଦେଲାନି । ଚାକିରି କରିବ ନାହିଁ ବୋଲି ସଂକଳ୍ପ କରିଛି । ନିକଟରେ ଜାମିଆ ମିଲିଆରେ ସହକାରୀ ଅଧ୍ୟାପକ ପଦରେ ଯୋଗ ଦେଇଛି । ଚୀନ୍‌ର ସ୍ପେଶାଲିଷ୍ଟ ସେ । ବର୍ଷକ ଭିତରେ ଦୁଇ ଥର ଯାଇ ଲୁହା ପରଦାର ଅନ୍ତରାଳରେ ଦୁଇ ଦଶକ ଭିତରେ ଦ୍ରୁତ ଗତିରେ ବଢ଼ୁଥିବା ପୃଥିବୀର ସବୁଠାରୁ ଉତ୍ପାଦନକ୍ଷମ ଅର୍ଥନୀତିର ସବୁଦିଗ ତନ୍ନ ତନ୍ନ କରି ବିଶ୍ଳେଷଣ କରି ଫେରିଆସିଛି । ଗଣତନ୍ତ୍ର ଅଟକି ରହିଛି ଚିଏନମିନ୍‌ ସ୍କୋୟାରରେ । ବୁଲ୍‌ଡୋଜର ଓ ଟ୍ୟାଙ୍କ ଆଗରେ ବଳି ପଡ଼ିଥିବା ଛାତ୍ରମାନଙ୍କ ସ୍ଵର କିନ୍ତୁ ମାଟିତଳେ ପୋତି ହୋଇଯାଇନି । ମୁକ୍ତିର ଅଭିଳାଷ ଜାଗୁଛି ଚୀନା ଛାତ୍ର ଓ ଯୁବ ମାନସରେ । ସେ ସ୍ଵର ଏବେବି କ୍ଷୀଣ । କିନ୍ତୁ ଦିନେ ଭସ୍ମସ୍ତୂପ ମଧ୍ୟରୁ ଫିନିକ୍ସ ଉଠିବା ପରି ଚୀନ୍‍ର ମୁକ୍ତିକାମୀ ତରୁଣମାନେ ବି ଉଠିବେ ମାନବିକ ଅଧିକାରର ପତାକା ଧରି... ସେଦିନ ଆସିବାକୁ ହୁଏତ ଡେରି ଅଛି... କିନ୍ତୁ ଯେ ମାର୍କ୍ସ ଓ ଚୀନ୍‍ ଯେ ମାର୍କ ଓ ମାଓବାଦର ମୁଖା ପିନ୍ଧି ବଜାର ଅର୍ଥନୀତିକୁ ଆପଣେଇ ନେଇଛି ଏବଂ ପୁଞ୍ଜିବାଦୀ ଆମେରିକାକୁ ତାହାରି ଭୂଇଁରେ ହରାଇ ଦେଇଛି ଏହା ତ ଗ୍ରେଟ୍‌ୱାଲ୍‌ ପରି ବିସ୍ମୟକର ।

 

ରାକେଶ ସାଉଥ ଏକ୍‌ସଟେନ୍‍ସନ୍‌ରେ ନିଜ ଘରେ ରହେ । ତା’ ବାପା ନବୀନ ବୁଦ୍ଧିରାଜ କୋଟିପତି ବ୍ୟବସାୟୀ । ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟବସାୟୀ । କ୍ଷମତାରେ ଯେଉଁ ଦଳ ରହେ ସେଇ ଦଳ ତାଙ୍କର । ପୁଣି ସରକାରର ବିରୋଧ କରୁଥିବା ଦଳ ମଧ୍ୟ ତାଙ୍କର । ଦୁଇ ପକ୍ଷ ସହିତ ବାଲାନ୍‍ସ ରଖି ଚାଲନ୍ତି ନବୀନ ବୁଦ୍ଧିରାଜ । ଦୁଇ ଦଳକୁ ଚାନ୍ଦା ଦିଅନ୍ତି । କ୍ଷମତାସୀନ ଦଳକୁ କୋଟିଏ ଦେଲେ ବିରୋଧୀ ଦଳକୁ ନବେ ଲକ୍ଷ । ସେ ଚାହୁଁଥିଲେ ରାକେଶ ବି ତାଙ୍କ ବ୍ୟବସାୟରେ ପ୍ରବେଶ କରୁ । କିନ୍ତୁ ସେ ରାଜି ହେଲାନି । ଅଧ୍ୟାପକ ହବା ଭଲ । ସାନଭାଇ ରମେଶ ବାପାଙ୍କ ସହିତ ବ୍ୟବସାୟ କରେ ।

 

ଘରେ ଜିନିଷପତ୍ର ରଖିବାପରେ ଫ୍ରେସ୍‌ ହେଲେ ଦୁଇ ଜଣ । ତା’ପରେ ବାଲ୍‌କୋନୀରେ ବସି ଚା’ପିଇଲେ । ଗପସପ କଲେ ।

 

ହଠାତ୍‌ ପଚାରିଲା ରାକେଶ - “ତୁ ‘ନିଉ ଟାଇମ୍ସ୍’ରେ ଯୋଗ ଦେଇଛୁ । ଭଲ । ପେପରଟା ଅଳ୍ପ କେତେ ବର୍ଷ ମଧ୍ୟରେ ବେଶ୍‌ ନାମ କରିଛି । ପ୍ରସାର ବି ବଢ଼ୁଛି । ଅନେକଗୁଡ଼ା ବଡ଼ ବଡ଼ ସ୍କାଣ୍ଡାଲର ପର୍ଦ୍ଦା ଫାଶ କରିଛି ‘ ନିଉ ଟାଇମ୍ସ୍’ । ତୁ ସେମିତି କିଛି ପ୍ଲାନ୍‌ କରି ଦିଲ୍ଲୀ ଆସିନୁ ତ ସତ୍ୟ ?”

 

ମୁହଁ ଉପରେ ହସ ଖେଳାଇ କହିଲା ସତ୍ୟକାମ - “ସେଇଟା ଟ୍ରେଡ଼୍‌ ସିକ୍ରେଟ୍‌... ।”

 

ତା’ପରେ ରାକେଶ କହିଲା - “ଆବେ ତୁ ଡ୍ରିଙ୍କ୍‌ଫ୍ରିଙ୍କ୍ କିଛି କରୁ ନା ପୂର୍ବପରି ସାଧୁ ରହିଯାଇଛୁ ?”

 

ସତ୍ୟକାମ ମଥା ହଲାଇଲା ଏବଂ କହିଲା, “ଖଟା କି ମିଠା ଚାଖିନି... ଏବେ ମୋ ପ୍ଲାନ୍‌ଟା କହୁଛି ମନଦେଇ ଶୁଣ୍‌ ।”

 

ତା’ପରେ ଚିଦାନନ୍ଦ ମହାନ୍ତି ବିଷୟରେ କହିଗଲା ଠିକେ ଠିକେ । ସେ ବେଶି କହିବା ପୂର୍ବରୁ କହିଲା ରାକେଶ ବୁଦ୍ଧିରାଜ୍‌- “ସେ ଚିଦାନନ୍ଦ ତ ଦିଲ୍ଲୀର ଗୋଟେ ବଡ଼ ସୋସିଆଲିଟ୍‌ରେ ସତ୍ୟ । ତା’ ଆଖିରେ ନ ପଡ଼ିବାପାଇଁ ଅନେକେ ଚେଷ୍ଟା କରନ୍ତି । ଭଲ ଝିଅ, ବୋହୂ ଦେଖିଲେ ବିଲେଇ ମୁଷା ପଛରେ ଗୋଡ଼ାଇବା ପରି ସେ ଗୋଡ଼ାଇବ । ସେଇଟା ଗୋଟେ ନିଶା ତା’ର । କିନ୍ତୁ ବିଷୟ କ’ଣ ଜାଣୁ ? ଅନେକ ରେପ୍‌ କେସ୍‌ରେ, ଆଉଟ୍‌ରେଜିଂ ମଡେଷ୍ଟି ମାମଲା ତା’ ନାମରେ ଏବେବି କୋର୍ଟରେ ମୋକଦ୍ଦମା ଚାଲିଛି, କିନ୍ତୁ କୌଣସିଟିରେ ସେ ଦୋଷୀ ପ୍ରମାଣିତ ହୋଇନାହିଁ । ଏସବୁ କାମପାଇଁ ଟଙ୍କା ଦରକାର । କିଏ ଫାଇନାନ୍‍ସ କରେ କେଜାଣି, ତା’ ପାଖରେ ଅଜସ୍ର ଟଙ୍କା....।’’

 

-“ତା’ ବିଷୟରେ ମୁଁ ଅଧିକ କିଛି ଜାଣିବାକୁ ଚାହେଁ । ତା’ ଛାତ୍ର ଜୀବନରୁ ଆରମ୍ଭ କରି ଏପର୍ଯ୍ୟନ୍ତ...’’

 

-‘‘ସେ ତ ପୋଥିଟିଏ ହେବରେ... ଥାଉ ତା’କଥା ଜାଣିବାବେଳେ ତୁ ଆଉ ଏବର କେତେକ ବଡ଼ ବଡ଼ ଲୋକଙ୍କ କଥା ଜାଣିବୁ ଯାହା ତୁ ନ ଶୁଣିଲେ ଭଲ ହୋଇଥାନ୍ତା ବୋଲି ପରେ ଅନୁତାପ କରିବୁ ।”

 

ଏକାନ୍ତରେ ଦୁଇ ବନ୍ଧୁ ଏଇ ବିଷୟରେ ଚର୍ଚ୍ଚା କଲେ । ସତ୍ୟକାମ ଆଣିଥିବା ଫଟୋଗୁଡ଼ା ସବୁ ଦେଖାଇଲା ରାକେଶକୁ । ତା’ପାଖରେ ଥିବା ଅନେକ ଖବର ଶୁଣିଲା ସତ୍ୟକାମ । ଆଳୁ ଖୋଳୁ ଖୋଳୁ ଶେଷରେ ଯେ ମହାଦେବଙ୍କ ସନ୍ଧାନ ମିଳିବ ଏଇ ଆଶା ଦୃଢ଼ ହେଲା ମନରେ । କିନ୍ତୁ ଏତେଶୀଘ୍ର ଯେ ସେ ମୂଳରେ ପହଞ୍ଚିଯାଇପାରିବ ସେ ବିଷୟରେ ଆଶଙ୍କା ଥିଲା ମନରେ । ଚିଦାନନ୍ଦ ମହାନ୍ତି ବିଷୟରେ ଜାଣିବାକୁ ହେଲେ ବେଶ୍ୟାଳୟ ଓ ମଦ ଖଟିଠାରୁ କୋଟିପତିଙ୍କ ଉଆସ ଓ ଚିତ୍ରତାରକାଙ୍କ ପାଖରୁ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ । କିନ୍ତୁ ତାକୁ ଚିନ୍ତିତ ହେବା ଦେଖି ରାକେଶ କହିଲା - “ଆରେ ୟାର୍‌ ! ତୁ ଡରିଯାଉଛୁ ନା କ’ଣ । ମୁଁ ପରା ଅଛି, ଆମେ ଦୁଇଜଣ ମିଶିଲେ ଅସାଧ୍ୟ ସାଧନ କରିହେବ । ତୁ ସେ ମୁଣ୍ଡରୁ କାମ ଆରମ୍ଭ କର, ମୁଁ ଏ ମୁଣ୍ଡରୁ କରିବି । ଏଣ୍ଡୁଅ ଦଉଡ଼ି ଦଉଡ଼ି ଯିବ କେତେବାଟ - ସେଇ ବାରୁଣା ମୁଣ୍ଡ ପର୍ଯ୍ୟନ୍ତ । ହଁ, କିନ୍ତୁ କାମଟା ସହଜ ନୁହେଁ, ବିପଦ ମଧ୍ୟ ଅଛି । ସେ ଯେଉଁସବୁ ଚିହ୍ନ ଛାଡ଼ି ଯାଇଛି ପଛରେ ସେସବୁ ଉପରେ ସମୟ ଓ ପରିବେଶର ଘୋଡ଼ଣି ଢାଙ୍କି ହୋଇ ରହିଛି । ତା’ ଅସଲ ମୁହଁଟା ସମସ୍ତଙ୍କୁ ଦିଶିବ । କେତେବେଳେ ଚିଦାନନ୍ଦ କେତେବେଳେ ଶ୍ୟାମସୁନ୍ଦର ତ ଆଉ କେତେବେଳେ ନଟନାଗର ନଟବର ଚରିତ୍ରରେ ଅଭିନୟ କରିଛି ସବୁ ଜଣାପଡ଼ିଯିବ ।’’

 

ତା’ପରେ ଟିକେ ରହିଯାଇ ରାକେଶ କହିଲା, ‘‘କିନ୍ତୁ ଏଥିରୁ ତୋତେ ଲାଭ ମିଳିବ କ’ଣ-? ତୁ ପାଇବୁ କ’ଣ? ବରଂ ସେ ଧରାପଡ଼ିଲେ ବି ଅଦାଲତରୁ ଖସିଆସିପାରେ । ଆଉ ଜାଣିରଖ ଯେ ମହୁଫେଣାରେ ହାତ ମାରିଲେ ଗୋଟେ ମହୁମାଛି ତୋତେ ଗୋଡ଼ାଇବ ନାହିଁ, ଅନେକ ମହୁମାଛି ତୋ ପଛରେ ଧାଇଁବେ ବିନ୍ଧିବାପାଇଁ... ।”

 

“ସେଥିପାଇଁ ମାନସିକ ଦୃଢ଼ତା ଅଛି । ମୁଁ ଲକ୍ଷ୍ୟ ସ୍ଥିର କରିସାରିଛି । ଅପରାଧୀକୁ ଯଦି ସଜା ଦିଆ ନ ଯାଏ ତେବେ କେବଳ ପ୍ରବଚନ ଇ ଦେଲେ ଅପରାଧ ବନ୍ଦ ହେବ ନାହିଁ । ଆଉ ଏଇ କାମ କରିବାକୁ ଯାଇ ମୁଁ ଯଦି ବିପଦରେ ପଡ଼େ, କ୍ଷତି ସହେ, ତେବେ ସେଥିପ୍ରତି ମୋର ପରୁଆ ନାହିଁ । ଅପରାଧୀକୁ ଚିହ୍ନଟ କରିବାହିଁ ମୋର କାମ... ।”

 

ତା’ ହାତ ସହିତ ହାତ ମିଳାଇ କହିଲା ରାକେଶ, “ତୁ ଚିନ୍ତା କରନା । ଗୋ ଏହେଡ୍‌ । ମୁଁ ଆଜି ତୋତେ ରାତିରେ ଏମିତି ଗୋଟେ ଜାଗାକୁ ନେଇଯିବି ଯେଉଁଠି ଭାଗ୍ୟରେ ଥିଲେ ଚିଦାନନ୍ଦ ଓରଫ ନଟବର ନାଗର ସହିତ ତୋର ଦେଖା ହୋଇଯାଇପାରେ । ଆଉ ଯଦି ବି ନ ହୁଏ ତୋତେ ଅନୁତାପ କରିବାକୁ ପଡ଼ିବ ନାହିଁ । ତୁ ଏବର କିଛି ସୂତ୍ର ପାଇଯିବୁ ଯେଉଁ ସବୁ ସୂତ୍ର ତୋତେ ବାଟ ଦେଖାଇବ ଆଗକୁ ଯବା ପାଇ ।”

 

ଦୁହେଁ ପ୍ରସ୍ତୁତ ହୋଇଗଲେ । ରାକେଶ ମୋବାଇଲ ଫୋନ୍‌ କରି କରି ଶେଷରେ କହିଲା–“ଚାଲ୍‌ ଆମେ ଯିବା ହୋଟେଲ ମୌର୍ଯ୍ୟ ସେରାଟନ । ମିଷ୍ଟର ଯୋଗେଶ ମୂର୍ତ୍ତିଙ୍କଠାରୁ ମୁଁ ଆପଏଣ୍ଟମେଣ୍ଟ୍‍ ନେଇଛି । ନଅଟା ପୂର୍ବରୁ ପହଞ୍ଚିବାକୁ ହେବ ।’’

 

ଗାଡ଼ି ଚଲାଉଥାଏ ରାକେଶ । ଟ୍ରାଫିକ୍‌ ସିଗ୍‌ନାଲ ନ ପାଇ ଗାଡ଼ି ଛିଡ଼ା ହୋଇଥିବାବେଳେ ସତ୍ୟକାମ ପଚାରିଲା - “କିନ୍ତୁ ଯୋଗେଶ ମୂର୍ତ୍ତି କିଏ ? ସାଉଥ୍‌ ଇଣ୍ଡିଆନ ପରି ଲାଗୁଛି ।”

 

- “ହଁ ତୋ ଅନୁମାନ ଠିକ୍‌ । ସେ ବାଙ୍ଗାଲୋର ନିବାସୀ, କିନ୍ତୁ ତେଲଗୁ । ପେସା ତାଙ୍କର ଜ୍ୟୋତିଷଶାସ୍ତ୍ର ଏବଂ ତନ୍ତ୍ର ମନ୍ତ୍ର । ଭାରି ନାମ ଓ ଆଦର ଭି.ଭି.ଆଇ.ପି.ମାନଙ୍କ ଗହଣରେ ।

 

- “ମୁଁ ଭାବିଥିଲି ଚାକିରି ନ ପାଇ, ନିସ୍କର୍ମା ବସିଥିବା ଟୋକାମାନେ କେବଳ ଜାତକ ଦେଖାନ୍ତି, ହାତ ଦେଖାନ୍ତି ଭବିଷ୍ୟ ଜାଣିବାପାଇଁ । କିନ୍ତୁ ଘିଅ ମହୁରେ ବୁଡ଼ି ରହିଥିବା ଭି.ଭି.ଆଇ.ପି.ମାନେ ଭବିଷ୍ୟ ଗଣନା କରନ୍ତି କୋଉ ଦୁଃଖରେ ? ଆଉ କ’ଣ ଅପ୍ରାପ୍ତି ଅଛି ଯେ ତନ୍ତ୍ର ମନ୍ତ୍ରର ସହାୟତା ଆବଶ୍ୟକ ?” କହିଲା ସତ୍ୟକାମ ।

 

ଉତ୍ତର ଦବା ଆଗରୁ ଗ୍ରିନ୍‌ ସିଗ୍‌ନାଲ୍‌ ଜଳିଉଠିଲା ଏବଂ ରାକେଶ ଗାଡ଼ି ଛାଡ଼ିଦେଲା ।

 

ଯୋଗେଶ ମୂର୍ତ୍ତିଙ୍କ ଭି.ଭି.ଆଇ.ପି. ସୁଇଟ୍‌ରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଲେ ସେମାନେ । ସେମାନଙ୍କୁ ସ୍ଵାଗତ କରି କହିଲେ ସେ - “ୱେଲ୍‌କମ୍‌ ୟଙ୍ଗ୍‌ମ୍ୟାନ୍‌ ! ଗଡ଼୍‌ ବ୍ଲେସ୍‌ ବୋଥ୍‌ ଅଫ୍‌ ୟୁ...”

 

ରାକେଶ କହିଲା, “ଧନ୍ୟବାଦ୍‌ ! କିନ୍ତୁ ଈଶ୍ୱରଙ୍କ ଆଶୀର୍ବାଦ ମିଳିବା ଆଗରୁ ଆମେ ଆପଣଙ୍କ ଆଶୀର୍ବାଦ ଚାହୁଁ... ।”

 

- ‘‘ଓ ସିଓର ସିଓର । ମୋ ଆଶୀର୍ବାଦ ମୁଁ କୁଣ୍ଠା ନ କରି ଦଉଛି... ‘‘ଅଭୟମୁଦ୍ରା ଦେଖାଇ କହିଲେ ମୁର୍ତ୍ତି, “ଏବେ କୁହ କ’ଣପାଇଁ ଆସିଛ ?”

 

ତା’ ପୂର୍ବରୁ ସତ୍ୟକାମକୁ ଚିହ୍ନା କରାଇ ଦେଇ କହିଲା ରାକେଶ, “ମୋ ସାଙ୍ଗ, ସହପାଠୀ-। ଜେ.ଏନ୍‌.ୟୁ.ରେ ପଢ଼ୁଥିଲୁ... ସେ ନିଉ ଟାଇମ୍ସର ସାମ୍ବାଦିକ । ସତ୍ୟକାମ ।”

 

- “ଏ ଭେରି ଚ୍ୟାଲେନ୍‌ଜିଙ୍ଗ ଜବ୍‌...’’ ମନ୍ତବ୍ୟ ଦେଲେ ।

 

-“ସେଥିପାଇଁ ତ ତାକୁ ନେଇ ଆସିଛି ମୁଁ ଆପଣଙ୍କ ପାଖକୁ । ତା’ ହାତରେ ଗୋଟେ ଜଟିଳ କେଶ୍‌ ଅଛି । କିନ୍ତୁ ଅନ୍ଧାରରେ ବାଡ଼ି ବୁଲେଇ ଲାଭ କିଛି ହୋଇନି । ଆପଣ ତ ଶୁକ୍ରାଚାର୍ଯ୍ୟଙ୍କ ପରି ଅସୁର, ଦେବତା ସମସ୍ତଙ୍କ ବିଶ୍ୱସଭାଜନ । ସେଥିପାଇଁ ସତ୍ୟକାମକୁ ନେଇଆସିଛି ଆପଣଙ୍କ ପାଖକୁ । ଏବେ ଯାହା ପଚାରିବେ ତାକୁ ପଚାରନ୍ତୁ, ସେ ଉତ୍ତର ଦେବ ।”

 

ଯୋଗେଶ ମୂର୍ତ୍ତି ଆଖି ବୁଜି ରହିଲେ କେତେକ୍ଷଣ । ତା’ପରେ ସତ୍ୟକାମର କପାଳ ନିରୀକ୍ଷଣ କଲେ, ତା” ଦୁଇହାତ ପାପୁଲିର ହସ୍ତରେଖା ଉପରେ ମଧ୍ୟ ଆଖି ବୁଲାଇ ନେଲେ । ତା’ପରେ ଗମ୍ଭୀର ହୋଇଯାଇ କହିଲେ - “ତୁମକୁ ଦେଖି ମୁଁ ଯେତିକି ଖୁସି ସେତିକି ଆଶ୍ଚର୍ଯ୍ୟ ! ତମେ ତ ଅନ୍ୟ ବାଟରେ ଯାଇଥାନ୍ତ, ଏ ବାଟରେ ଆସିଲ କାହିଁକି ? କିନ୍ତୁ ଆସିଛ ଯେତେବେଳେ ତୁମକୁ କହିଦିଏ ଯେ - ଏ ବାଟ ହେଉ ବା ଆଉ କେଉଁ ବାଟ ହେଉ ସଫଳତା ପାଇବା ବିଧି ନିର୍ଦ୍ଦିଷ୍ଟ-।”

 

ତାଙ୍କ ଇଙ୍ଗିତ ପାଇ ସତ୍ୟକାମ କହିଗଲା ଠିକେ ଠିକେ ସେଇ ଲୋକଟା ବିଷୟରେ । ଅନେକ ରହସ୍ୟର ଉନ୍ମୋଚନ ହେବ ଯଦି ସେ ସତ୍ୟାନୁସନ୍ଧାନରେ ସଫଳ ହୁଏ ।

 

ମୁର୍ତ୍ତି ଆଖି ବନ୍ଦ କରି ରହିଲେ କିଛିକ୍ଷଣ । ତା’ପରେ କହିଲେ - ପାପାଚାର ଲୁଚି ରହେ ନାହିଁ । ଯେଉଁ ମହାଶୟଙ୍କ ବିଷୟ ଜାଣିବାପାଇଁ ଚାହୁଁଛ ତାଙ୍କ ଜୀବନଚରିତ ରହସ୍ୟମୟ । ତଥାପି ସମୁଦ୍ରରେ ଭାସମାନ ବରଫ ପାହାଡ଼ର ଚୂଡ଼ା ଦେଖି ଆମେ କିଛି ଅନୁମାନ କରିପାରୁ, ୟାଙ୍କ ବିଷୟ ବି ସେହିପରି । ତାଙ୍କ ମା’ଙ୍କ ତପସ୍ୟାରୁ ସେ ଏମିତି ଗୋଟିଏ ତିଳଚିହ୍ନ ପାଇଛନ୍ତି ଯାହା ତାଙ୍କୁ ରକ୍ଷା କରୁଛି ଏ ପର୍ଯ୍ୟନ୍ତ । କିନ୍ତୁ ସମୟ ସରି ଆସୁଛି । ଅଧର୍ମ ବହୁତ ହେଲାଣି, ଏହାପରେ ଧର୍ମ ପ୍ରତିଶୋଧ ନବ ।”

 

ସତ୍ୟକାମ କହିଲା - ‘ଏପରି ଲୋକ କାହା ବଳରେ ଉପରକୁ ଉଠୁଛନ୍ତି ? ସମାଜକୁ ଅପରାଧୀକରଣ କରିସାରିଲେଣି ! ଏମାନଙ୍କ ପିଛା ମୁଁ ଛାଡ଼ୁନି... ଜାଣେ ବିପଦ ଅଛି, କିନ୍ତୁ ଆପଣ କହନ୍ତୁ ତ ଟ୍ରିପଲ୍‌ମର୍ଡର କରିଥିବା ଏଇ ଲୋକଟାକୁ ମୁଁ ଛାଡ଼ିଦେବି ?” ସତ୍ୟକାମ ଏତକ କହି ତାଙ୍କ ମୁହଁକୁ ଚାହିଁ ରହିଲା ।

 

ସେ କହିଲେ, ‘ନା, ଟ୍ରିପଲ୍‌ମର୍ଡର ସେ କରିନାହାଁନ୍ତି, ଯଦି ବି ତାଙ୍କ ପ୍ରରୋଚନା ନ ଥିଲେ ଏଇ ହତ୍ୟା ହୋଇ ନ ଥାନ୍ତା । କିନ୍ତୁ ସେ ଅନେକ ମହିଳାଙ୍କ ସର୍ବସ୍ଵ ହରଣ କରିଛନ୍ତି । ସେମାନଙ୍କ ଅଭିଶାପରୁ ମୁକ୍ତି ପାଇବେ ନାହିଁ । ଆଉ ହଁ, ତମେ ବିପଦକୁ ଡରିବନି । କାମକଲେ ବିପଦ ପଡ଼ିବ-। କିନ୍ତୁ ଜାଣିରଖ ଯେ ତୁମ ମା’ ବି ତୁମକୁ ଏମିତି ଗୋଟେ ଅସ୍ତ୍ର ଦେଇଛନ୍ତି ଯେ ତାହା ତୁମ ପାଖେ ଥିବା ପର୍ଯ୍ୟନ୍ତ କେହି ତୁମର ବଡ଼ ଧରଣର ଅନିଷ୍ଟ କରିପାରିବ ନାହିଁ... ।’’

 

- ‘ସେଇଟା କ’ଣ ଜାଣିପାରେ କି ସାର୍‌... ?’ ଉତ୍କଣ୍ଠାର ସହିତ ପ୍ରଶ୍ନ କଲା ସତ୍ୟକାମ ।

 

- ‘‘ସେ ବିଷୟ ପରେ ଜାଣିବ । ତରତର କାହିଁକି ? ତମେ ଅନୁସନ୍ଧାନ ଜାରି ରଖ । ସେଇ ଲୋକଟାକୁ ଅଟକାଅ... ନ ହେଲେ ସେ ଆଉ ଗୋଟେ ବଡ଼ ଜାଗା ମାଡ଼ି ବସିବ.. ସେଇ ଆସନରେ ବସିଲେ ଆହୁରି ଜଘନ୍ୟ ଅପରାଧ କରିବ । ଆଉ ମନେରଖ ଯେ ସେଥିରୁ ରକ୍ଷାପାଇବା ସକାଶେ ସେ ଧର୍ମସଭା, ଯାଗଯଜ୍ଞ, ପ୍ରବଚନ ସବୁଥିରେ ଥିବ କେବଳ ଲୋକଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରବାପାଇଁ ଯେ ସେ ସତ୍ୟ, ଧର୍ମ ମାର୍ଗର ପଥିକ । କିନ୍ତୁ ତା’ର ଏଇ ଯାତ୍ରାଭିନୟ ବି ଦିନେ ଶେଷ ହେବ... ।’’

 

ମୂର୍ତ୍ତି ସେଦିନପାଇଁ ଏତିକିରେ ଶେଷ କଲେ । ରାକେଶ କହିଲା - ‘‘ମୋତେ ଆଉ କିଛି କହିବେ ?’’

 

- ‘‘ତୁମକୁ ତ ସବୁ କହିସାରିଛି । ତମର ରାସ୍ତା ସିଧା ଥିବା ଯାଏ ପଛାଅ ନାହିଁ । ଗୋଟିଏ କଥା ମନେରଖ ଯେ ଭଲର ବିକଳ୍ପ ନାହିଁ । ତୁମେ ଅନ୍ୟାୟ ନ କଲେ ତମ ପ୍ରତି ଅନ୍ୟାୟ ହେବ ନାହିଁ, ଆଉ କେହି ଚେଷ୍ଟାକଲେ ମଧ୍ୟ ବିଧାତା ସେଥିରେ ବାଧା ଦେବେ... ।’’

 

ଦୁଇ ବନ୍ଧୁଙ୍କୁ ବିଦାୟ ଦବାବେଳେ ଯୋଗେଶ ମୂର୍ତ୍ତି ଦୁହିଁଙ୍କ ହାତକୁ ଗୋଟେ ଗୋଟେ ଆପେଲ୍‌ ବଢ଼ାଇ ଦେଇ କହିଲେ - ‘‘ପ୍ରସାଦ ତମପାଇଁ ରଖିଥିଲି ।’’

 

ତାଙ୍କୁ ପ୍ରଣାମ କରି ଦୁହେଁ ମୌର୍ଯ୍ୟ ସେରାଟନ ହୋଟେଲ୍‌ର ପାଞ୍ଚ ମହଲାରୁ ଲିଫ୍ଟରେ ଓହ୍ଲାଇବାବେଳେ ତଳେ ପହଞ୍ଚିବାକ୍ଷଣି ଆଉ ଜଣେ ଲିଫ୍ଟରେ ଉଠିବାପାଇଁ ଅପେକ୍ଷା କରିଥିବା ଦୃଷ୍ଟିରେ ପଡ଼ିଲା ସତ୍ୟକାମର ।

 

ସେ ତୀକ୍ଷ୍‍ଣ ଦୃଷ୍ଟିରେ ଅନାଇଲା ସେଇ ଅପରିଚିତର ମୁହଁକୁ । କଳା ଚଷମା ଆଖି ଯୋଡ଼ିକୁ ପୂରାପୂରି ଢାଙ୍କି ରଖିଥିଲେ ବି ଡାହାଣ ଆଖି ତଳେ ଗୋଟ ବଡ଼ କଳାଜାଇ ମନ୍ଦା ଚହଟି ଉଠିଲା ତା’ ଆଖି ଆଗରେ ପୂର୍ଣ୍ଣିମା ଦିନ ପୂର୍ବାକାଶରେ ଚନ୍ଦ୍ରମା ଚହଟି ଉଠିବା ପରି ।

 

ସେ ଠିଆ ହୋଇ ରହିଥିଲା, ତାକୁ ଟାଣିନେଇ କହିଲା ରାକେଶ୍‌- ‘‘ଲୁକ୍‌ ଆଟ୍‌ ଦି ଗ୍ରାଉଣ୍ଡ ରିୟାଲିଟି ।’’

 

ସେମାନଙ୍କ ଆଖି ଆଗରେ ପ୍ରାୟ ଛଅଫୁଟ ଉଚ୍ଚର ସେଇ ସୌମ୍ୟଦର୍ଶନ ପୁରୁଷ ଲିଫ୍ଟ ବନ୍ଦ କରି ଉପରକୁ ଉଠିବାବେଳେ ସେଇ ବାଟଦେଇ ଆଗେଇ ଯାଉଥିବା ଆଉ ଜଣେ କହୁଥିବା କେତୋଟି ଶବ୍ଦ କାନରେ ପଡ଼ିଲା ସତ୍ୟକାମର... ‘‘ଶଳା, ତୋ ସମୟ ବି ଦିନେ ଶେଷ ହେବ... ।’’

 

ଉଚ୍ଚ ସମ୍ଭ୍ରାନ୍ତମାନଙ୍କର ଏଇ ପଞ୍ଚତାରକା ଆଭିଜାତ୍ୟପୂର୍ଣ୍ଣ ହୋଟେଲର ବାସ୍ନା ଲାଗିଥିଲା ନାକରେ ।

 

ତାକୁ ଠେଲି ଦେଇ କହିଲା ରାକେଶ - ‘‘ମୂର୍ତ୍ତି ଯେଉଁ ଭିଆଇପି ସୁଇଟ୍‌ରେ ଥିଲେ ତା’ର ଦିନକୁ ଭଡ଼ା କେତେ ଜାଣୁ ? କୋଡ଼ିଏ ହଜାର... ।’’

 

ଆକାଶରୁ ପଡ଼ିବା ପରି କହିଲା ସତ୍ୟକାମ - ‘‘ଏତେ ଟଙ୍କା ସେ ଦିଅନ୍ତି ?’’

 

‘‘ନା, ଦବାପାଇଁ ଅନେକ ଲୋକ ଅଛନ୍ତି... ସେ କେବଳ ମାନନୀୟ ଅତିଥ...’’

 

ସେମାନେ ଚାଲିଯାଉଥିଲେ, କିନ୍ତୁ ସେତିକିବେଳେ ଜଣେ ଆଗନ୍ତୁକଙ୍କ ସହିତ ରିସେପ୍‌ସନ୍‌ ଲାଉଞ୍ଜରେ ଦେଖା ହୋଇଗଲା ରାକେଶର । ସେ ତାକୁ କୁଣ୍ଢେଇ ପକେଇ ଟାଣି ନେଇଗଲେ ଟିକେ ଦୂରକୁ ଏବଂ ବସିଗଲେ ଦୁହେଁ ସୋଫା ଉପରେ ।

 

ଏଇ ଅବସରରେ କାଉଣ୍ଟର ପାଖକୁ ଯାଇ ପଚାରିଲା ସତ୍ୟକାମ, ‘‘ଆମେ ଲିଫ୍ଟରେ ପାଞ୍ଚ ମହଲାରୁ ଓହ୍ଲାଇବାବେଳେ ତଳେ ଅପେକ୍ଷା କରୁଥିଲେ ଆଉ ଜଣେ ଭଦ୍ରଲୋକ ଉପରକୁ ଯିବା ପାଇଁ । ବେଶ୍‌ସ୍ମାର୍ଟ, ପୋଷାକ ସଫାରି ସୁଟ୍‌... ମୁହଁରେ ଥିଲା କଳାଚଷମା କାହିଁ ଦେଖିଥିବା ପରି ଲାଗିଲା, କିନ୍ତୁ ଠିକ୍‌ ଠଉରାଇ ପାରିଲି ନାହିଁ; ସେ କିଏ ?’’

 

‘‘ଓ ! ଏଇ ରାଜାସାହେବ କଥା କହୁଛନ୍ତି । ଓଡ଼ିଶାର ଲୋକ । ଏଇ ହୋଟେଲରେ ତାଙ୍କପାଇଁ ଗୋଟେ ସୁଇଟ୍‌ ବର୍ଷସାରା ରିଜର୍ଭ ଥାଏ । ସାତ ତାଲାରେ । ଭାରି ମେଳାପୀ । ସୋସିଆଲିଟ୍‌ ଯାହାକୁ କହନ୍ତି... । ସାକେତ ଅଞ୍ଚଳରେ ମନ୍ଦିର ମାର୍ଗରେ ପ୍ୟାଲେସ୍‌ ପରି ବିରାଟ ଉଆସ ତାଙ୍କର ।’’

 

ରିସେପ୍‌ସନ୍‌ର ସେଇ ତରୁଣୀଙ୍କ ପ୍ରଗଳ୍ଭ ବର୍ଣ୍ଣନା ବେଶ୍‌ ଆଗ୍ରହ ସୃଷ୍ଟି କରିଥିଲା ସତ୍ୟକାମର ମନରେ । ନାମଟା ସେ ପୂର୍ବରୁ କେବେ ଶୁଣି ନ ଥଲା । ତାଙ୍କୁ ଦେଖିବା ତ ଦୂରର କଥା । ତାଙ୍କ ସମ୍ବନ୍ଧରେ ଜାଣିବାପାଇଁ ପୂର୍ବରୁ ଦେଖିଥିବ ବୋଲି ମିଛ କହି ଦେଇଥିଲା ବୋଲି ନିଜ ଉପରେ ବିରକ୍ତ ହେଲା ସତ୍ୟକାମ । କିନ୍ତୁ ତା’ ଭିତରୁ ବିବେକ ଅତି ପରିଚିତ ସ୍ଵରରେ କହିଲା ଏଇ ମିଥ୍ୟା ପାପ ନୁହେଁ, ତମେ ଏପରି ନ କଲେ ସାମ୍ବାଦିକର କର୍ତ୍ତବ୍ୟ କରିପାରିବ ନାହିଁ... । ବରଂ ସେ ଲୋକଟା ବିଷୟରେ ଆଉକିଛି ଜାଣିବାପାଇଁ ଚେଷ୍ଟାକର ।

 

ସତ୍ୟକାମ ରିସେପ୍‌ସନ୍‌ର ସେଇ ଝିଅଟିକୁ କହିଲା - ‘‘ମୋ ହାତରେ ଏଇନେ ସମୟ ନାହିଁ ତାଙ୍କ ସହିତ ଦେଖା କରିବାପାଇଁ । କିନ୍ତୁ ତାଙ୍କ ସହିତ ଦେଖାକରିବା ପ୍ରୟୋଜନ ଅଛି ମୋର-। ମୁଁ ଗୋଟେ ମେସେଜ୍‌ ଦେଇପାରେ କି ?’’

 

‘‘କଥା ହେବେ ? ଲାଇନ୍‌ରେ ଦେବି କି ?’’

 

ସେ ଟେଲିଫୋନ୍‌ ସଂଯୋଗ କରି ସତ୍ୟକାମ ହାତକୁ ବଢ଼ାଇ ଦେଇ କହିଲା - ‘‘ଏଇ ନିଅନ୍ତୁ...’’

 

- ‘‘ମୁଁ ଓଡ଼ିଶାରୁ ଆସିଛି ସାର । ‘ନିଉ ଟାଇମ୍ସ୍’ର ରିପୋର୍ଟର । ଆପଣଙ୍କ ସହିତ କାଲି ଦେଖା କରିବାପାଇଁ ଯଦି ଅନୁମତି ଦିଅନ୍ତି...’’

 

ସେ ପାଖରୁ ସେ କହିଲେ - ‘‘କାଲି ନୁହେଁ, ମୋର ଅନେକ ଏନ୍‌ଗେଜ୍‌ମେଣ୍ଟ୍‍ ଅଛି । ପରଦିନ ଅର୍ଥାତ୍‌ ସଟର ଡେ ସକାଳ ଆଠଟା । ମୋ ସହିତ ପ୍ରାତଃଭୋଜନ ପାଇଁ ଆମନ୍ତ୍ରଣ ରହିଲା - ସେତେବେଳେ କଥା ହେବା । ଠିକ୍‌ ଅଛି ?’’

 

- ‘‘ୟେସ୍‌ ସାର୍‌... ଅନେକ ଧନ୍ୟବାଦ... ଆପଣଙ୍କ ସେଲ୍‌ଫୋନ ନମ୍ବରଟା ପାଇପାରେ କି ?’’ କହିଲା ସତ୍ୟକାମ ।

 

ତା’ପରେ ଲେଖିବାକୁ ଆରମ୍ଭ କଲା - ୯୩୩୭୭୭୩୩୩୯ ।

 

ସେ କାଗଜଟାକୁ ପକେଟ ଭିତରେ ରଖିବାବେଳେ ରାକେଶ ଫେରିଆସି କହିଲା - ‘‘କିରେ, ଡିନରପାଇଁ ରହିଯିବା ? ମୋ ବନ୍ଧୁ ଦୀନେଶ କୋଠାରୀ ଖୁସି ହେବେ ତୁ ଡିନରରେ ଯୋଗଦେଲେ...’’

 

ସତ୍ୟକାମ କିଛି କହିବା ପୂର୍ବରୁ କୋଠାରୀ ପାଖରେ ପହଞ୍ଚିଯାଇ କହିଲେ - ‘‘ଆଇ ଏମ୍‌ ଦୀନେଶ କୋଠାରୀ ।’’

 

ସତ୍ୟକାମ ହାତ ମିଳାଇଲା ତାଙ୍କ ସହିତ ।

 

ସେ କହିଲେ - ‘‘ରାକେଶ ମୋର ବନ୍ଧୁ । ଆପଣ ତା’ର ବନ୍ଧୁ... ତେଣୁ ଆପଣ ମଧ୍ୟ ମୋର ବନ୍ଧୁ... ଆପଣ ଡିନରପାଇଁ ରହିଗଲେ ମୁଁ କୃତଜ୍ଞ ହେବି... ।”

 

ତାଙ୍କ ମଧୁର ସୌଜନ୍ୟ ଦେଖି ମୁଗ୍ଧ ହେଲା ସତ୍ୟକାମ । ନା କରିପାରିଲା ନାହିଁ । ବରଂ ତୁଣ୍ଡରୁ ବାହାରିଲା -ଥ୍ୟାଙ୍କ ୟୁ... ଥ୍ୟାଙ୍କ ୟୁ ଭେରି ମଚ୍‌... ।

 

ସେମାନେ ଉପରକୁ ଉଠିଲେ ସାଙ୍ଗ ହୋଇ ।

 

ଡାଇନିଂ ଟେବୁଲରେ ବସିଥିବାବେଳେ ରାଜାସାହେବ ଦୁଇଜଣ ସୁନ୍ଦରୀ ତରୁଣୀଙ୍କ ସାଙ୍ଗରେ ଆସି ପାଖରେ ଆଉ ଗୋଟେ ଟେବୁଲ ଦଖଲ କଲେ । ପରିଧାନରେ ଦାମୀ ସୁଟ୍‌ । ଲାଲ ଟାଇ । ନାକତଳେ ଅଭିମାନୀ ନିଶ, ଆଖି ଉପରେ କଳା ଚଷମା । ଦେଖିବା ପରି ଚେହେରା-

 

ସତ୍ୟକାମର କାନ ପାଖରେ ଫିସ୍‌ଫିସ୍‌ କରି କହିଲା ରାକେଶ - ‘‘ତମ ଓଡ଼ିଶାର ରାଜା... ରସିକ ପୁରୁଷ ।’’

 

ଦୀନେଶ କୋଠାରୀ କହିଲେ - ରାକେଶକୁ ଅର୍ଡର ଦବା ପାଇଁ । ‘‘ଯଦି ପିଇବାର ଇଛା ଥାଏ ତେବେ କହିଦିଅ ବୟକୁ ।’’ କିନ୍ତୁ ସେ କହିଲେ - ‘‘ସୁଇଟ୍‌ ଲେମନ୍‌ ମୋର ପସନ୍ଦ... ।’’

 

ରାକେଶ କହିଲା - ତୋର ଆପତ୍ତି ନାହିଁ ତ ?

 

ସତ୍ୟକାମ ମଥା ହଲାଇଲା ।

 

ସେ ରାଜା ସାହେବଙ୍କ ଆଡ଼କୁ ଲକ୍ଷ୍ୟ କରୁଥିଲା । ଏଇ ତା’ହେଲେ ସେଇ ଯାହାଙ୍କ ସହିତ କେତେ ମିନିଟ୍‌ପୂର୍ବରୁ କଥା ହୋଇଥଲା ସେ ଟେଲିଫୋନ୍‌ରେ ।

 

ମନ ଭିତରେ ଉତ୍କଣ୍ଠା ବଢ଼ିବାକୁ ଲାଗିଲା ତାଙ୍କ ବିଷୟରେ ଅଧିକ ଜାଣିବାପାଇଁ । ତା’ ଭିତରୁ କିଏ ଯେପରି କହିଲା - ଇଏ ସିଏ ନୁହେଁ ତ ! କିନ୍ତୁ କଳା ଚଷମାଟା ମାଡ଼ି ବସିଛି ମୁହଁ ଉପରେ ଯେ ଆଖିର ଚାହାଣି, ଆଖି ତଳର କାହାଣୀ ରହସ୍ୟ ହୋଇ ରହିଛି... । ମୁହଁଟା କୋଉଠି ଦେଖିଥିବା ପରି ମନେହେଲେ ବି ଠିକ୍‌ କିଛି ମନେପଡ଼ୁ ନାହିଁ ।

 

॥ ଆଠ ॥

 

ତିନି ଦିନପାଇଁ ଆସିଥିଲା, କିନ୍ତୁ ଅଡ଼ୁଆ ସୂତାରୁ ଖିଅ ବାହାର କରିବାବେଳକୁ ସାତଦିନ ଲାଗିଗଲା । ଫୋନ୍‌କରି ଜଣାଇ ଦେଇଥିଲା ରେସିଡେଣ୍ଟ୍‍ ଏଡ଼ିଟର୍‍ ମୁକ୍ତେଶ୍ଵର ତଲ୍‌ୱାଲ୍‌କରଙ୍କୁ । ମା’ଙ୍କୁ ଓ ହୁମାୟୁନ୍‌କୁ ବି କହିଥିଲା ଫେରିବାରେ ବିଳମ୍ବ ହେବାର କାରଣ ସମ୍ପର୍କରେ ।

 

କଲମ୍ବସ୍‌ ଆମେରିକା ଫେରିବା ପୂର୍ବରୁ ରେଡ୍‌ ଇଣ୍ଡିଆନ (ଲୋହିତ ଭାରତୀୟ) ଓ ଅନ୍ୟାନ୍ୟ ଜନଜାତିର ଲୋକ ବାସ କରୁଥିଲେ । କିନ୍ତୁ କଲମ୍ବସ୍‌ ଆମେରିକା ଆବିଷ୍କାର କରିବାର ପାଞ୍ଚଶହ ବର୍ଷ ପୂରିବା ଦିନଟି ଇତିହାସର ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିବାପାଇଁ ସେଦିନ ଯେତେବେଳେ ଓାଶିଂଟନ୍‌ରେ ସରକାର ନିଷ୍ପତ୍ତି ନେଲେ ସେତେବେଳେ କିଏ ଜାଣିଥିଲା ଯେ ଏଇ ପାଞ୍ଚଶହ ବର୍ଷ ପୂର୍ବରୁ ଯେଉଁମାନେ ସେଇ ଦେଶରେ ବାସ କରୁଥିଲେ ସେମାନେହିଁ ମୂଳ ଅଧିବାସୀ-। ସେମାନଙ୍କ ମୂଳ ଉପାଡ଼ି ବିଦେଶାଗତ ବହୁ ଜାତିଗୋଷ୍ଠୀର ଲୋକ ଆମେରିକାକୁ ନିଜ ପିତୃଭୂମିଭାବେ ଗ୍ରହଣ କରିନେଲେ । କିନ୍ତୁ ସେମାନଙ୍କର ପାଞ୍ଚଶହ ବର୍ଷର ଚେର ବେଶି ଭିତରକୁ ଯାଇ ନାହିଁ । ଲୋହିତ ଭାରତୀୟମାନଙ୍କ ଚେର ତ ପାଞ୍ଚ ହଜାର ବର୍ଷର ହେବ ! ମୂଳ ଖୋଜିବା କାମ କଷ୍ଟକର, ତଥାପି ମୂଳ ନ ଜାଣି ଡାଳକୁ ଚିହ୍ନିବା ଠିକ୍‌ ହେବ ନାହିଁ । ଏଇ ଦୃଷ୍ଟାନ୍ତ ମନରେ ରଖି ଇନ୍ଦ୍ରପ୍ରସ୍ଥ କଲେଜର ଜଣେ ଛାତ୍ରୀକୁ ଅପହରଣ କରି ନେଇଥିବା ସେଇ ଟୋକାର ଇତିବୃତ୍ତ ସନ୍ଧାନ କରୁଥିଲା ସତ୍ୟକାମ । ଇତି ମଧ୍ୟରେ ସେ ଯେତିକି ଖବର ସଂଗ୍ରହ କରିଛି ସେତିକି ହୁଏତ ଯଥେଷ୍ଟ ନୁହେଁ, କିନ୍ତୁ ରାବଣ ବା ଦୁର୍ଯ୍ୟୋଧନର ଚେର ମାଟି ଭିତରେ ଅନେକ ତଳେ ଯେପରି ରହିଥାଏ ସେଇପରି ସେଇ ଟୋକାର ଚେର କେଉଁଠି ତାହା ନ ଜାଣିଲେ ଅନେକ କିଛି ଅଜଣା ରହିଯିବ । ପଚିଶ ବର୍ଷରେ ଯେଉଁ ଦ୍ରୁମ ଠିଆ ହୋଇଥିବ ତାହାର ଚେହେରା ଦେଖିବାପାଇଁ ମନସ୍ଥ କରିଥଲା ସତ୍ୟକାମ । ତା’ ସହିତ ମନ ଭିତରେ କେଉଁ ଗୋଟିଏ ଅନ୍ଧକାର କୋଣରେ ପ୍ରତିହିଂସା ଗୁମୁରି ଉଠିଥିଲା ତା’ର ଅଜ୍ଞାତରେ । ସେ ନିଜ ଭିତରର ସେଇ ଜନ୍ତୁକୁ ପିଞ୍ଜାରା ଭିତରେ ବନ୍ଦକରି ରଖିବାପାଇଁ ଅନେକ ଚେଷ୍ଟା କରିଛି । ଫାଦର୍‍ ଆବ୍ରାହମ୍‌ କେବଳ ଜାଣନ୍ତି ଏ ବିଷୟରେ । ତାଙ୍କରିଠାରୁ ଯେତିକି ଶୁଣିଥିଲା ସେ ଏବଂ ମା’ଙ୍କ ମୁହଁରୁ ତାଙ୍କ ଅବଚେତନ ମନର ଯେଉଁ କେତେଖଣ୍ତ ଅଡ଼ୁଆ ସୂତା ଖିଅ ତା’ ହାତକୁ ଆସିଥିଲା ସେ ସବୁର ମୂଳ ଖୋଜି ଖୋଜି ସେ ଅନେକ ଦୂରକୁ ଆଗେଇ ଆସିଛି, ଅନେକ ପଥ ଅତିକ୍ରମ କରିଛି । ଏବେବି ଯେ ସେ ମୂଳରୁ ଚୂଳ ପର୍ଯ୍ୟନ୍ତ ସବୁ ତଥ୍ୟ ସଂଗ୍ରହ କରିପାରିନାହିଁ । ଅନେକ ଅଜ୍ଞାତ ଅଧ୍ୟାୟ ମାଟିତଳେ ପୋତିହୋଇ ରହିଛି । ତା’ ଭିତରୁ ସତ୍ୟ ଉଦ୍ଧାର କରିବା ସହଜ ବିଷୟ ନୁହେଁ । ସାତତାଳ ପାଣି ଭିତରେ ବୁଢ଼ୀ ଅସୁରୁଣୀର ସିନ୍ଦୁକ ଭିତରେ ଥବା ଲୁହା ବାକ୍ସ ଭିତରେ ସୁନାର ଫରୁଆ । ସେଇ ଫରୁଆ ଭିତରେ ରାଜକୁମାରକୁ ମାଛଟିଏ କରି ଲୁଚାଇ ରଖିଛି ବୁଢ଼ୀ ଅସୁରୁଣୀ । ସାତତାଳ ପାଣି ଭିତରେ ତା’ର ରହସ୍ୟ ଆବିଷ୍କାର କରିବା ଯେମିତି ରୋମାଞ୍ଚକର ସେହିପରି ଇତିବୃତ୍ତର ଅଡ଼ୁଆ ସୂତାର ଖିଅ ବାହାର କରି ଗଣ୍ଠି ପରେ ଗଣ୍ଠି ଖୋଲିବା ଆହୁରି ଅଧିକ ରୋମାଞ୍ଚକର ।

 

ନିଜର କାମ ନେଇ ନିଜେ ବ୍ୟସ୍ତ ରହୁଥିଲା ସତ୍ୟକାମ । ଦି’ପହରର ସେଇ ନିର୍ଜନ ମୁହୂର୍ତ୍ତରେ ଦିଲ୍ଲୀର ସାଉଥ୍‌ ଏକ୍ସ‌ଟେନ୍‍ସନର ରାକେଶ ବୁଦ୍ଧିରାଜର ବାସଭବନରେ ସେ ଭାବନାରେ ସାତତାଳ ପାଣି ଭିତରେ ନିଜକୁ ହଜାଇ ଦେଇଥିବାବେଳେ ଜାଣିପାରିଲା ନାହିଁ ଯେ ଟେଲିଫୋନଟା ବାଜିଚାଲିଛି କେତେ ମିନିଟ୍‌ ଧରି... ।

 

ରିସିଭର୍‌ଟା ଉଠାଇ ନେଇ ସେ କହିଲା - ‘‘ହ୍ୟାଲୋ...’’ ଜଣେ କିଏ ରୁକ୍ଷ ସ୍ଵରରେ କହିଲା - ‘‘ଏବେ ସବୁ ଜାଣିଲୁ ତ, ନା ଆଉ କିଛି ବାକି ଅଛି... ।’’

 

ସତ୍ୟକାମ ସଚେତନ ହୋଇଗଲା ଏବଂ ଟେଲିଫୋନ୍‌ କଥାଭାଷାକୁ ଟେପ୍‌କରି ନବାପାଇଁ ଯନ୍ତ୍ରଟା ଖଞ୍ଜିଦେଲା ଟେଲିଫୋନ୍‌ର ମାଉଥ୍‌ପିସ୍‌ରେ ।

 

ପ୍ରାୟ ଦଶ ମିନିଟ୍‌ଧରି ସେମାନେ କଥା ହେଲେ... । ମଝିରେ ମଝିରେ ଚାଲୁ ରଖିବାପାଇଁ ସତ୍ୟକାମ କେବଳ ହୁଁ, ଇୟେସ୍‌, ନୋ ଇତ୍ୟାଦି ପଦେ ଅଧେ କହୁଥାଏ ସିନା କିନ୍ତୁ ସେତକ ସେ ପାଖର ଲୋକକୁ ତତାଇ ଦବାପାଇଁ ଥିଲା ଯଥେଷ୍ଟ । ଟେଲିଫୋନ୍‌ କଥାଭାଷା ଶେଷ କରିବା ପୂର୍ବରୁ ସେ ଦୃଢ଼ ସ୍ଵରରେ ଜାଣିବାକୁ ଚାହିଁଲା -‘‘ମୋ ମୂଳ ହୁଏତ ଜାଣିଛୁ, କିନ୍ତୁ ମୁଁ ଯେ ଡାଳରୁ ଡାଳକୁ ଗତିକରେ ତାହା ତୁ ଜାଣୁନା, ଜ୍ୟୋତିଷର ଗଣନାରେ ସେସବୁ ଧରାପଡ଼ିବ ନାହିଁ-। ତୋତେ ସତର୍କ କରିଦେଉଛି, ଯଦି ବେଶି ଧୂର୍ତ୍ତାମି କରିବାକୁ ଚେଷ୍ଟାକରୁ ତେବେ ସେଦିନ ଗୋଟେ ଗୋଡ଼ ଭାଙ୍ଗିଥିଲା, ଏଥର ଦୁଇଟାଯାକ ଗୋଡ଼ ହରାଇବୁ... ବୁଝିଲୁ ... ବାଷ୍ଟାର୍ଡ଼... !’’

 

ସତ୍ୟକାମ ଥରୁଥିଲା ଘୃଣା ଓ ରାଗରେ ।

 

ତା’ ମୁହଁରୁ ଆଉ ଶବ୍ଦଟିଏ ବି ବାହାରି ନାହିଁ ।

 

ଅନେକ ସମୟ ପରେ ସେ ମୃତ ରିସିଭରଟାକୁ କ୍ରାଡ଼ଲ ଉପରେ ରଖିଦେଇ ଦୀର୍ଘ ନିଶ୍ଵାସ ଛାଡ଼ିଲା ।

 

ସେଦିନ ଆଉ ବାହାରକୁ ଗଲା ନାହିଁ ସତ୍ୟକାମ । ଏ ପର୍ଯ୍ୟନ୍ତ ସଇତାନମାନଙ୍କ ସମ୍ବନ୍ଧରେ ଯେଉଁସବୁ ତଥ୍ୟ ସେ ସଂଗ୍ରହ କରିଛି ସେସବୁକୁ ସଜାଡ଼ିଲା ଏବଂ ତା’ର ନକଲ ସିଲ୍‌ କରି ଭିନ୍ନ ସ୍ଥାନରେ ରଖିଦେଲା । ତାକୁ ଲାଗୁଥିଲା ଯେ ହୁଏତ ସଇତାନ ତାକୁ ସହଜରେ ବାଟ ଛାଡ଼ି ଦବ ନାହିଁ, ଏପରିକି ତା’ର ଜୀବନ ସହିତ ମଧ୍ୟ ଖେଳ ଖେଳିପାରେ । ସତ୍ୟକୁ ଠାବ କରିବାପାଇଁ ଯେକୌଣସି ମୂଲ୍ୟ ଦବାପାଇଁ ସତ୍ୟକାମ ପ୍ରସ୍ତୁତ ଥିଲା ଏବଂ ସେ ବିଷୟରେ ଅଧିକ ଭାବିବାପାଇଁ ବାଲକୋନୀରେ ବସି ବସି ଚିନ୍ତା କରିବାକୁ ଲାଗିଲା ।

 

ରାକେଶ ଦିନକପାଇଁ ଚଣ୍ଡୀଗଡ଼ ଯାଇଥିଲା ଗୋଟେ ଜରୁରୀ କାମରେ । ସେ ଫେରିବାବେଳକୁ ରାତି ହେବ । ସକାଳ ବି ହୋଇପାରେ । ଯଦି ରାତିରେ ଫେରି ନ ପାରେ ତେବେ ସକାଳ ଗାଡ଼ିରେ ପହଞ୍ଚିବ । ଯଦି ସମ୍ଭବ ହୁଏ ସେ କାର ଡ୍ରାଇଭ କରି ଷ୍ଟେସନକୁ ଆସିଲେ ଦୁହେଁ ସାଙ୍ଗ ହୋଇ ଫେରିବେ ।

 

ରାତି ବାରଟା ପର୍ଯ୍ୟନ୍ତ ଅପେକ୍ଷା କଲା ସତ୍ୟକାମ, କିନ୍ତୁ ଫେରିଲା ନାହିଁ ରାକେଶ । ଫୋନ୍‌ ମଧ୍ୟ କଲା ନାହିଁ । ଏଆଡ଼ୁ ଯେତେଥର ମୋବାଇଲ୍‌ରେ ନମ୍ବର ଟିପିଲା କେବଳ ଶୁଣାଗଲା–‘‘ ଆଉଟ୍‌ ଅଫ୍‌ ରେଞ୍ଜ୍‌-’’

 

ଟ୍ରେନ୍‌ ଦିଲ୍ଲୀ ଷ୍ଟେସନରେ ପହଞ୍ଚିବ ସାଢ଼େ ପାଞ୍ଚଟାରେ । ଚାରିଟାବେଳକୁ ଉଠିପଡ଼ି ସତ୍ୟକାମ ପ୍ରାତଃକୃତ୍ୟ ସାରି ଚାରିଟା ପଇଁଚାଳିଶ ମିନିଟରେ ଗ୍ୟାରେଜରୁ ଗାଡ଼ି ବାହାର କରି ଷ୍ଟେସନ ଆଡ଼କୁ ଚାଲିଲା ।

 

ସକାଳ ହୋଇ ନ ଥାଏ । ଏବେ ବି ବିଦ୍ୟୁତ୍‌ ଆଲୁଅ ଝଲମଲ କରୁଥାଏ ରାସ୍ତା ଉପରେ । ସେ କ୍ରସିଂ ଉପରେ ବାମ ଦିଗକୁ ଗାଡ଼ି କାଟିବା ବେଳକୁ ତା’ ଆଗରେ ହଠାତ୍‌ ଗୋଟେ ଟ୍ରକ୍‌ ଛିଡ଼ା ହେବାର ଦେଖି ଅଟକିଗଲା ସତ୍ୟକାମ ।

 

ପଛଆଡ଼ୁ ସେଇ ସମୟରେ ଗୋଟାଏ ଟାଟା ସୁମୋ ଆସି ଠିକ୍‌ ତା’ ପାଖରେ ଛିଡ଼ା ହେଲା ଏବଂ କ’ଣ ଘଟିବାକୁ ଯାଉଛି ତାହା ଭାବିବା ପୂର୍ବରୁ କେହି ଜଣେ ତା’ ନାକରେ ଗୋଟେ ରୁମାଲ ଜାକି ତାକୁ ଗାଡ଼ି ଭିତରକୁ ଟାଣିନେଲା । ଏଡ଼େ ବେଗରେ ସେ ଏଇ କାମ କଲା ଯେ କ’ଣ କରିବ ଭାବିବା ଆଗରୁ କ୍ଲୋରୋଫର୍ମର ଉତ୍କଟ ଗନ୍ଧ ନାକ ଭିତରକୁ ପ୍ରବେଶ କରିବା ପରେ ସେ ଅଚେତ ହୋଇଗଲା ।

 

ରାକେଶର ଗାଡ଼ି ସେଇଠି ପଡ଼ିରହିଲା । ଟ୍ରକ୍‌ ପୂର୍ବ ଯୋଜନା ଅନୁସାରେ ବିପରୀତ ଦିଗରେ ଚାଲିଗଲା । ଟାଟା ସୁମୋ ସାତ ବାଙ୍କ ଡେଇଁ ଗୁରୁଗାଁଓ ଆଡ଼କୁ ତୀର ବେଗରେ ଛୁଟିଲା-

 

ଚେକ୍‌ ଗେଟ୍‌ରେ ଆଗରୁ ପ୍ରସ୍ତୁତ ହୋଇ ଅପେକ୍ଷା କରୁଥିଲା ଜଣେ । ସେ ଗାଡ଼ି ଭିତରକୁ କୁଦି ପଡ଼ିବା ପରେ ପୁଲିସ୍‌ ଗ୍ରୀନ୍‌ ସିଗ୍‌ନାଲ ଦେଲା ଏବଂ ଚଳାଚଳ ପୁଣି ଆରମ୍ଭ ହୋଇଗଲା ।

 

ସତ୍ୟକାମର ଚେତା ଫେରିବାବେଳକୁ ସେ ନିଜକୁ ଆବିଷ୍କାର କଲା ଗୋଟେ ବନ୍ଦ କୋଠରି ଭିତରେ । ଚିତ୍କାର କରି ଲାଭ ନାହିଁ ଜାଣି ସେ କେବଳ ଅପେକ୍ଷା କଲା କ’ଣ ଘଟିବ ଦେଖିବାପାଇଁ ।

 

ସକାଳ ଦଶଟାବେଳେ ତାକୁ ଦୁଇ ଖଣ୍ଡ ବନ୍‌ ଏବଂ ଗୋଟିଏ ବଡ଼ ମଗରେ ଚା’ ଦେଇଗଲା ଜଣେ । ଦିନ ଦୁଇଟାବେଳକୁ ରୋଟି ଦୁଇ ଖଣ୍ଡ ଏବଂ କିଛି ତରକାରି ଏବଂ କଦଳୀ ଗୋଟେ । ଓପାସ ରହି ଲାଭ ନାହିଁ, ସେ ନ ଖାଇ ଅନଶନ କଲେ ତା’ର ଦାବି ପୂରଣ କରିବାପାଇଁ କେହି ଆଗେଇ ଆସିବ ନାହିଁ । ତେଣୁ ଖାଦ୍ୟ ଫେରାଇ ନ ଦେଇ ଖାଇଲା ସତ୍ୟକାମ । କୋଠରି ଭିତରୁ ପଳାଇବା ସମ୍ଭବ ନୁହେଁ ଏହା ଜାଣିବା ପରେ ସେ ସେଇ ଅନାଗତର ଆଗମନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିବାକୁ ଲାଗିଲା । ଦିନସାରା କିଛି ଘଟିଲା ନାହିଁ ।

 

ସନ୍ଧ୍ୟାର ପ୍ରଥମ ପ୍ରହର ଉତ୍ତୀର୍ଣ୍ଣ ହେବାବେଳକୁ ତା’ ମୁହଁ ଉପରେ କଳା ପଟି ବାନ୍ଧି ତାକୁ ଦୁଇ ଜଣ ଗୁଣ୍ଡା ଆଉ ଗୋଟେ ଅନ୍ଧାରିଆ ଜାଗାକୁ ନେଇଗଲେ । ଆଖୁ ଗଛ ଦେଖି ଜାଣିଲା ଯେ କାହାର ଫାର୍ମହାଉସ୍‌ ଭିତରେ ସାରାଦିନ କଟାଇଛି ସେ । ରାତି କ୍ରମଶଃ ବଢ଼ିଲା ଏବଂ ଅନ୍ଧାର ଘନୀଭୂତ ହେଲା । ନିଜର ଅନ୍ତିମ ମୁହୂର୍ତ୍ତ ସମାଗମ ଜାଣି ମଧ୍ୟ ସତ୍ୟକାମ ବିଚଳିତ ହେଲା ନାହିଁ ବା ପଳାଇବାପାଇଁ ଚେଷ୍ଟା କଲା ନାହିଁ । ହୁଏତ ରାତି ପାହିବା ପରେ ସେ ଜାଣିବ କୋଉଠି ଅଛି ।

 

କିଛି ସମୟ ପରେ ସାଇରନ୍‌ ଶବ୍ଦ ଶୁଣାଗଲା । ସେଇ ଶବ୍ଦ ପାଖରେ ଶୁଣି ସତ୍ୟକାମ ଜାଣିଲା ଯେ ହୁଏତ ପୁଲିସ୍‌ଗାଡ଼ି ହୋଇଥିବ । କିନ୍ତୁ ସେ କ’ଣ ଘଟିବାକୁ ଯାଉଛି ଜାଣିବାପାଇଁ ଯେମିତି ପାଦେ ଆଗକୁ ଯାଇଛି ତା’ ଉପରେ ଝାମ୍ପି ପଡ଼ିଲେ ଦୁଇଜଣ ଏବଂ ତା’ପରେ କ’ଣ ହେଲା ମନେନାହିଁ ସତ୍ୟକାମର । ଅସାମାଜିକ ଭାବି ପୁଲିସ୍‍ ତାକୁ ଗିରଫ କରିପାରେ । କିନ୍ତୁ ଯଦି ପୁଲିସ୍‌ ତାକୁ ଆଣିଥାଆନ୍ତା ତେବେ ସେମାନେ ନିଶ୍ଚୟ ଲୁଚି ନ ଥାନ୍ତେ, ତାକୁ ପ୍ରଶ୍ନ ପଚାରି ଅତିଷ୍ଠ କରୁଥାଆନ୍ତେ, ନ ହେଲେ ତା’ ମୁହଁରୁ କିଛି ସ୍ଵୀକାରୋନ୍ତି ଶୁଣିବାପାଇଁ ତାକୁ ଶାରୀରିକ କଷ୍ଟ ଦେଉଥାନ୍ତେ ।

 

ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଶୀଘ୍ର ଦୁଇ ଜଣ ପହିଲମାନ୍‌ ପରି ବଳବାନ୍‌ ଲୋକ ଆସି ତା’ ଆଗରେ ଛିଡ଼ା ହେଲେ ।

 

ଜଣେ କର୍କଶ ସ୍ଵରରେ କହିଲା, ‘‘ତୋର ଭାଗ୍ୟ ଭଲ ଯେ ତୁ ଏ ପର୍ଯ୍ୟନ୍ତ ଜୀବିତ ଅଛୁ । ତୋତେ ଜୀବନରେ ମାରିବା ଆମର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ତୁ ଯେଉଁ ବାଟ ଧରିଛୁ ସେଇ ବାଟରେ ଚାଲିବାପାଇଁ ଜିଦ୍‌ କରୁ ତେବେ ତୋତେ ଓ ତୋ ପରିବାରକୁ ମୂଲ୍ୟ ଦେବାକୁ ପଡ଼ିବ ।’’

 

ପରିବାର କହିଲେ ମା’ ବ୍ୟତୀତ ସତ୍ୟକାମର ଆଉ କେହି ନାହିଁ । ହୁଏତ ସଇତାନମାନେ ତାଙ୍କୁ କଷ୍ଟ ଦବାପାଇଁ ପଛେଇବେ ନାହିଁ । ତଥାପି ସତ୍ୟକାମ ଡରି ଗଲାନି, ନିରବରେ ଛିଡ଼ା ହୋଇ ରହିଲା ।

 

ଏତିକିବେଳେ ସେଲଫୋନ୍‌ ବାଜିଉଠିଲା । ଦୁଇ ଜଣଙ୍କ ମଧ୍ୟରୁ ଡାହାଣ ପାଖରେ ଥିବା ଲୋକଟା ସେଲ୍‌ଫୋନ୍‌ ଧରି କହିଲା - ‘ହ୍ୟାଲୋ’... !

 

ତା’ପରେ ସେ ଟିକେ ଦୂରକୁ ଚାଲିଗଲା ଏବଂ ପ୍ରାୟ ପାଞ୍ଚ ମିନିଟ୍‌ପରେ ଫେରି ଆସି କହିଲା - ‘‘ତୋତେ ଯଦି ଆମେ ଖଲାସ କରୁ ତୁ କୁଆଡ଼େ ଯିବୁ ?’’

 

ସତ୍ୟକାମ କିଛି କହିଲା ନାହିଁ ।

 

ସେଇ ଲୋକଟା ପୁଣି କହିଲା - ‘‘ତୁ ଯଦି ବଞ୍ଚିବାକୁ ଚାହୁଁ ପଳା ଏଠାରୁ । ଉତ୍ତର ଦିଗ ବାଟ ଖୋଲା ଅଛି । ସିଧା ଚାଲିଯିବୁ । ତୁ ହରିୟାନା ସୀମା ପାରହେବା ପର୍ଯ୍ୟନ୍ତ ଆମ ଲୋକ ତୋ ପଛେ ପଛେ ଯାଉଥବେ... ।’’

 

ସେମାନେ ତାକୁ ଛାଡ଼ିଦେଲେ । ଉତ୍ତର ଦିଗରେ କିଛି ବାଟ ଯିବା ପରେ ସତ୍ୟକାମ ସଡ଼କ ଉପରକୁ ଆସିଲା । ଗୋଟେ ବସ୍‌ ଆସୁଥିବା ଦେଖି ହାତ ଦେଖାଇଲା ଏବଂ ସେ ବସ୍‌ରେ ଉଠିଯିବା ଦେଖି ପଛେ ପଛେ ଆସୁଥିବା ଦୁଇ ଜଣ ବିପରୀତ ଦିଗରୁ ଆସୁଥିବା ଗୋଟେ ଜିପ୍‌ରେ ଅଦୃଶ୍ୟ ହୋଇଗଲେ । ଆଉ ଜଣେ କି ଦୁଇ ଜଣ ଯାତ୍ରୀ ଓହ୍ଲାଇଲେ ଏବଂ ଜଣେ କିଏ ଉଠିଲା ତାହା ନିରୀକ୍ଷଣ କରିବାପାଇଁ ଇଚ୍ଛା ନ ଥିଲା ସତ୍ୟକାମର ।

 

ଜଣେ ଯାତ୍ରୀ ପଢ଼ୁଥିବା ଖବରକାଗଜ ପଞ୍ଜାବକେଶରୀ ଉପରେ ଦୃଷ୍ଟି ପଡ଼ିଲା ସତ୍ୟକାମର ।

 

ଶିରୋନାମା ପଢ଼ି ଚମକି ପଡ଼ିଲା ସେ । ‘ନିଉ ଟାଇମ୍ସର ସାମ୍ବାଦିକ ହରଣଚାଲ୍‌ ।’ ‘ତାଙ୍କୁ ଉଦ୍ଧାର କରିବାପାଇଁ ପୁଲିସ୍‍ର ତନାଘନା ଉଦ୍ୟମ ।’

 

ତା’ପରେ ସେ ଭଦ୍ରଲୋକଙ୍କଠାରୁ ଖବରକାଗଜଟା ମାଗିନେଇ ପଢ଼ିବାକୁ ଲାଗିଲା । ‘ପଞ୍ଜାବ କେଶରୀ'ର ଦିଲ୍ଲୀ ସଂସ୍କରଣ । ଏତେବେଳକୁ ହୁଏତ ସମଗ୍ର ଦେଶରେ ପହଞ୍ଜି ଯାଇଥିବ ଏଇ ସମ୍ବାଦ ।

 

ମା’ଙ୍କ କଥା ଭାବି ସତ୍ୟକାମର ଦେହରୁ ଝାଳ ବୋହିଗଲା ।

 

ସେ ଯଦି ଜାଣିଥିବେ ଯେ ପୁଅ ହରଣଚାଳ ହୋଇଯାଇଛି ତେବେ କ’ଣ ହେବ ? କେତେପ୍ରକାର ଗୁଜବ ରଟିବ ।

 

ଯେଉଁ ସହଯାତ୍ରୀଠାରୁ ଖବରକାଗଜ ମାଗିନେଇଥିଲା ସତ୍ୟକାମ, ସେ କହିଲେ, ‘‘ସମୟ ଖରାପ । ଖବରକାଗଜର ସାମ୍ବାଦିକ ବି ସୁରକ୍ଷିତ ନୁହେଁ । ହୁଏତ କୌଣସି ଗୁରୁତର ବିଷୟ ଅନୁସନ୍ଧାନ କରୁଥିବା ଜାଣି ଅପରାଧୀମାନେ ତାଙ୍କୁ ହରଣଚାଲ କରି ନେଇଥିବେ । ବିଚରା ! ଏତେବେଳକୁ ବଞ୍ଚିଥିବ କି ନା କିଏ ଜାଣେ ?’’

 

ସତ୍ୟକାମର ଇଚ୍ଛା ହେଉଥିଲା ନିଜ ପରିଚୟ ଦବାପାଇଁ । ପୁଣି ଭାବିଲା ଯେ ପରିଚୟ ଦବା ନିର୍ବୁଦ୍ଧିତା ହେବ । କିଏ ଜାଣେ ଯେଉଁମାନେ ତାକୁ ଧରି ନେଇଥିଲେ ଏବଂ ପରିସ୍ଥିତିର ବାଧ୍ୟବାଧକତାରୁ ତାକୁ ହତ୍ୟା ନ କରି ପାହାନ୍ତାରେ ଛାଡ଼ି ଦେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ତାକୁ ଅନୁସରଣ କରୁଛି କି ନାହିଁ । ସେ ତରତରରେ ବସ୍‌ ଭିତରକୁ ଉଠି ଆସିବାବେଳେ ଆଉ କିଏ ଓହ୍ଲାଇଗଲା ବା ଉଠିଲା ସେ ଦିଗକୁ ଆଦୌ ଦୃଷ୍ଟି ଦେଇ ନ ଥିଲା ।

 

ତନଖି ଫାଟକ ଆଗରେ ବସ୍‌ ଅଟକିଲା । ବସ୍‌ ଭିତରକୁ ପଶି ଆସିଲେ ତିନି ଜଣ ବନ୍ଧୁକଧାରୀ ପୁଲିସ୍‌ । ସେମାନଙ୍କ ଆଗରେ ଥିବା ସବ୍‌-ଇନ୍‍ସପେକ୍ଟର କହିଲେ ହାତରେ ଗୋଟିଏ ଫଟୋ ଧରି - ସମସ୍ତେ ହରିୟାଣାର ନା ବାହାରର କେହି ଅଛନ୍ତି ?

 

ସତ୍ୟକାମ ହାତ ଟେକିଲା । ତା’ ପାଖକୁ ଆସି ସବ୍‌-ଇନ୍‍ସପେକ୍ଟର କହିଲେ, ‘‘ଆପଣଙ୍କ ପରିଚୟ ?’’ ସତ୍ୟକାମ ଠିକ୍‌ ଠିକ୍‌ କହିଗଲା । ଫଟୋ ସହିତ ତା’ ଚେହେରା ମିଳି ଯାଉଥଲା । ଆଉ ସନ୍ଦେହର ଅବକାଶ ନ ଥିଲା । ତାକୁ ଅନୁରୋଧ କଲାପରି କହିଲେ ସବ୍‌-ଇନ୍‍ସପେକ୍ଟର ହରିଲାଲ, ‘‘ଆପଣ ଆସନ୍ତୁ, ଆମ ସାଙ୍ଗରେ ଯିବେ ।’’

 

କିଛି ନ କହି ସତ୍ୟକାମ ଓହ୍ଲାଇଗଲା ସେମାନଙ୍କ ସହିତ । କିନ୍ତୁ ଓହ୍ଲାଇଯିବାବେଳେ ବସ୍‌ର ଗୋଟିଏ କୋଣରେ ମୁହଁ ଢାଙ୍କି ବସିଥିବା ଯାତ୍ରୀର ତଲାସି ନେବାପାଇଁ ଆଦେଶ ଦେଲେ କନେଷ୍ଟବଳମାନଙ୍କୁ । ସେ ପ୍ରତିରୋଧ କରିବା ପୂର୍ବରୁ ଦୁଇ ବାହୁ ଦୁଇଜଣ ଧରି ତଳକୁ ଓହ୍ଲାଇ ଆଣିଲେ ସେମାନେ ।

 

ସେଇ ଲୋକର ଛାତି ଉପରେ ରିଭଲଭର ରଖି ତାକୁ ସବୁ କହିବାକୁ ଆଦେଶ ଦେଲେ ହରିଲାଲ । କୌଣସି ଅସ୍ତ୍ରଶସ୍ତ୍ର ମିଳିଲା ନାହିଁ, କିନ୍ତୁ କିଛି କାଗଜ ମିଳିଲା । ସେଥିରୁ ବେଶ୍‌ ସ୍ପଷ୍ଟ ହୋଇଗଲା ଯେ ଜଣେ ଦାଗୀ, ପୁଲିସ୍‌ ତାକୁ ଅନେକ ଦିନୁ ଖୋଜୁଛି । ହରିଲାଲ ତାକୁ ଜିପ୍‌ରେ ବସାଇଲେ, କନେଷ୍ଟବଳ ଚାରିଜଣ ତାକୁ ଘେରି ରହିଥାନ୍ତି । ଆଗ ସିଟ୍‌ରେ ଡ୍ରାଇଭର ପାଖରେ ସତ୍ୟକାମ ଆଉ ହରିଲାଲ । ଜେରାରୁ ଜଣାପଡ଼ିଲା ଯେ ଦାଗୀର ନାମ ଧୀରଜ କୁମାର... ଉତ୍ତରପ୍ରଦେଶର ନୋଇଡାର ଲୋକ ।

 

ତାଙ୍କ ପ୍ରଶ୍ନର ଉତ୍ତରରେ ସତ୍ୟକାମ କହିଲା ଯେ ଏଇ ଲୋକଟା କେତେବେଳେ ବସ୍‌ରେ ଉଠିଲା ସେ ଦେଖି ନାହିଁ । ସେ ତରତର ହୋଇ ବସ୍‌ ଭିତରକୁ ଉଠିଗଲାବେଳେ କିଏ ଓହ୍ଲାଇଲା ବା ଉଠିଲା ସେଥିପ୍ରତି ଦୃଷ୍ଟି ଦେଇ ନ ଥିଲା । କିନ୍ତୁ ତାକୁ ସତର୍କ କରିଦବାପାଇଁ ହରିଲାଲ କହିଲେ - ‘‘ସେ ଯେ ଆପଣଙ୍କ ପଛେ ପଛେ ବସ୍‌ରେ ଉଠିଛି ଏହାର ସୁରାକ ପୁଲିସ୍‍ ପାଇଥିଲା ଆଗରୁ । ଆମ ଇନ୍‌ଫର୍‌ମାର ଖବର ଦେଇଥିଲା ଆଗରୁ । ଭଲ ହେଲା ଯେ ଆପଣଙ୍କ ଆଉ କିଛି କ୍ଷତି କରିବା ପୂର୍ବରୁ ସେ ଧରାପଡ଼ିଗଲା । ଏବେ ତ ପୂରା ମଜା ଚାଖିବ ହାଜତରେ ।’’

 

ସତ୍ୟକାମ ଆଶ୍ଚର୍ଯ୍ୟ ହେଲା କିନ୍ତୁ କିଛି କହିଲା ନାହିଁ । ଗୋଟିକ ପରେ ଗୋଟିଏ ଘଟଣା ଏଡ଼େ ବେଗରେ ଘଟି ଯାଉଥିଲା ଯେ ସେସବୁକୁ ଏକାଠି କରି ଗଣ୍ଠି ଫିଟାଇବାପାଇଁ ଆଦୌ ଆଗ୍ରହ ନ ଥଲା ତା’ର । କିନ୍ତୁ ଗୋଟିଏ ପ୍ରଶ୍ନ ବାରମ୍ବାର ମନରେ ଉଠୁଥିଲା- ତାକୁ କିଡ଼୍‌ନାପ୍‌ କରିବାର ଉଦ୍ଦେଶ୍ୟ କ’ଣ ? କିଏ ଏ କାମ କରିବାପାଇଁ ନିର୍ଦ୍ଦେଶ ଦେଲା, କିଏ ତା’ ପଛେ ପଛେ ଚାଲିଛି ତା’ ସମ୍ବନ୍ଧରେ ଖବର ସଂଗ୍ରହ କରିବାପାଇଁ ?

 

କେବଳ ଖବର ସଂଗ୍ରହ ନା ଆଉ କିଛି ? ଜୀବନରେ ତାକୁ ମାରିଦବାପାଇଁ କେହି ଷଡ଼ଯନ୍ତ୍ର ରଚନା କରି ନାହିଁତ ? ଆଉ ଭାବିପାରିଲା ନାହିଁ ସେ । ତଳିପାରୁ ତାଳୁଯାଏ ଗୋଟାଏ ହିମପ୍ରବାହ ଖେଳିଗଲା ।

 

ମୋବାଇଲ୍‌ ଫୋନ୍‌ରେ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇଦେଲେ ହରିଲାଲ । ପାଖ ଚା’ ଦୋକାନରୁ ଚା’ ବିସ୍କୁଟ ଆଣି ତାଙ୍କୁ ଖାଇବାକୁ ଦେଲେ । ସତ୍ୟକାମ କହିଲା, ‘‘ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ...’’

 

‘‘ଆରେ ସାହେବ, ଇଏତ ଆମ ରୁଟିନ୍‌ କାମ । ଆଜିକାଲି ସମୟ ଖରାପ... ସବୁଆଡ଼େ ଖୁନ୍‌ଖରାବି... ଟେରୋରିଷ୍ଟ, ହମ୍‌ଲୋଗ କା ଜାନ୍‌ଭୀ ଖତରେ ମେଁ ହୈ ।’’

 

॥ ନଅ ॥

 

ଡେପୁଟି କବିସନର ଶୋଭନ୍‌ ସାକ୍‌ସେନା ଘଣ୍ଟାଏ ଧରି ତାକୁ ଜେରା କଲେ । ତା’ଠାରୁ ଅନେକ ଖବର ସଂଗ୍ରହ କଲେ । ‘ନିଉ ଟାଇମ୍ସ୍’ରେ ଏଇ ଘଟଣା ନେଇ ବରିଷ୍ଠ ସାମ୍ବାଦିକା ଚେତନା ଶର୍ମା ଆଇନଶୃଙ୍ଖଳାର କେତେ ଅଧୋଗତି ହେଲାଣି ସେତିକି କେବଳ ଲେଖି ନ ଥିଲେ, ରାଜଧାନୀର ପ୍ରମୁଖ ଖବରକାଗଜମାନଙ୍କରେ ମଧ୍ୟ ଏ ବିଷୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆଇ.ଏନ.ଏସ୍‌. ପକ୍ଷରୁ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସମ୍ବାଦପତ୍ରର ସ୍ଵାଧୀନତା ନିଶ୍ଚିତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ତାକୁ ବିଦାୟ ଦବା ପୂର୍ବରୁ ସାକ୍‌ସେନା ଜାଣିବାକୁ ଚାହିଁଥିଲେ ସେ ଅନୁସନ୍ଧାନ କରୁଥିବା କାହାଣୀ ବିଷୟରେ । ତାଙ୍କୁ ବିଶ୍ୱାସକୁ ନେଇ ସେ ବିଷୟରେ କିଛି ସୂଚନା ଦେଇଥିଲା ସତ୍ୟକାମ । ସବୁ କଥା ପୁଲିସ୍‌କୁ କହିବା ଠିକ୍‌ ହେବ ନାହିଁ ଭାବି ସେ କେବଳ କହିଥିଲା କେତେଜଣ ସନ୍ଦିଗ୍ଧ ଅସାମାଜିକ ପ୍ରଭାବଶାଳୀ ଲୋକଙ୍କ ସମ୍ପର୍କରେ... । କିନ୍ତୁ ସେମାନଙ୍କ ପରିଚୟ ସମ୍ପର୍କରେ ସତ୍ୟକାମ ବି ନିଶ୍ଚିତ ନୁହେଁ, ସେମାନଙ୍କ ବିଷୟରେ ପୁଲିସ୍‌କୁ କହିଦେଲେ ହୁଏତ ତା’ର ଅନୁସନ୍ଧାନ ବାଟବଣା ହୋଇଯବ ଏବଂ ଶେଷରେ ପୁଲିସ୍‌ ଆସାମୀମାନଙ୍କୁ ଖୋଜି ବାହାର କରିବାର ବାହାଦୁରି ମାରିନବ ଏବଂ ହୁଏତ ରାଜନୀତିକ ଚାପରୁ ଏଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାର୍ଯ୍ୟଟି ତଳେ ଚାପା ପଡ଼ିଯିବ ।

ଶୋଭନ ସାକ୍‌ସେନା କିନ୍ତୁ ଏପରି କିଛି ସୁରାକ୍‌ ଦେଲେ ଯାହା ସେ ଜାଣି ନ ଥିଲା । ଭଦ୍ର ବେଶରେ ରାଜଧାନୀରେ ଉଚ୍ଚସମାଜରେ କିଛି ଲୋକ ବୁଲନ୍ତି ଦଲାଲି କରିବାପାଇଁ ତ ଆଉ କିଛି ଲୋକ ନେତାମାନଙ୍କ ବାଟ ସଫା କରିବାପାଇଁ ଓ ପାଦତଳୁ କଣ୍ଟା କାଢ଼ି ଫୋପାଡ଼ି ଦବା କାର୍ଯ୍ୟରେ ସେମାନେ ସିଦ୍ଧହସ୍ତ । ସତ୍ୟକାମର ଭୟ ହୁଏ ଏପରି ଲୋକଙ୍କ କଥା ଭାବିବାପାଇଁ । ସେ ପୁଲିସ୍‌ ନୁହେଁ ଯେ ଅପରାଧୀର ପଛେ ପଛେ ଦୌଡ଼ିବ... । ସେ ଜଣେ ସାମ୍ବାଦିକ । ଅପରାଧ ପଛରେ ବେଳେ ବେଳେ ଯେଉଁସବୁ ବଡ଼ ଲୋକଙ୍କ ହାତ ଥାଏ ସେମାନଙ୍କ ଅସାମାଜିକ କାମ ପଦାରେ ପକାଇଦବା ହେଉଛି ତା’ର କାମ । ଦେଶସେବା କରିବା ନାମରେ, ଲୋକସେବା ଓ ଲୋକ ସଂଗଠନ କାଯ୍ୟ କରିବା ବାହାନା କରି କିଛି ଲୋକ ଏପରି ଜଘନ୍ୟ କାମ କରନ୍ତି ଯାହାର ପର୍ଦ୍ଦାଫାସ୍‌ କରିବା ହେଉଛି ସାମ୍ବାଦିକର ଧର୍ମ । ହୁଏତ ଯେଉଁ ଲୋକଟା ବିଷୟରେ ସତ୍ୟକାମ ଅନୁସନ୍ଧାନ କରୁଛି ସେ ଏକା ନୁହେଁ ତା’ ସହିତ ଆଉ କେତେଜଣ ବି ଥିବେ ।

ସାକ୍‌ସେନାଙ୍କୁ କିନ୍ତୁ ସେ କହିଥିଲା ଯେ ଯଦି ସେପରି କିଛି ବିଶ୍ୱାସଯୋଗ୍ୟ ସୂଚନା ତା’ ହାବୁଡ଼ରେ ପଡ଼େ ତେବେ ସେ ତାହା ତାଙ୍କୁ ଅବଶ୍ୟ ଜଣାଇବ । କାରଣ ଅପରାଧୀକୁ ଧରି ଆଇନ ଅନୁସାରେ ଦଣ୍ଡ ଦବା ହେଉଛି ପୁଲିସ୍‍ର କାର୍ଯ୍ୟ । ସାମ୍ବାଦିକ କେବଳ ଖିଅ ଧରାଇ ଦବ, ଆସାମୀକୁ କାଠଗଡ଼ାକୁ ବା ଫାଶୀ ଖୁଣ୍ଟକୁ ଟାଣିନେଇ ପାରିବ ନାହିଁ । ସେ କାମ ପୁଲିସ୍‍ର ।

 

ରାକେଶ ଅପେକ୍ଷା କରିଥଲା ତା’ ପାଇଁ । ସେ ପହଞ୍ଚବା ମାତ୍ରେ ତାକୁ କୁଣ୍ଢାଇ ପକାଇ କହିଲା, ‘‘ଇଶ୍ୱର ମହାନ୍‌ ! ସେ ତୋତେ ରକ୍ଷା କଲେ । ଯେଉଁମାନଙ୍କ ହାତରେ ପଡ଼ିଥିଲୁ ସେମାନଙ୍କ ହାତରୁ କେହି ନିସ୍ତାର ପାଆନ୍ତି ନାହିଁ ।’’

 

କଫି ଓ କଚୋଡ଼ି ଆଣିବାପାଇଁ ନବୀନକୁ ବରାଦ କରି ସେ କହିଲା - “ମାଉସୀଙ୍କ କାନରେ ପଡ଼ିଛି ତୋ କିଡ଼ନାପିଂ ଖବର । ସେ ତିନିଥର ଫୋନ କରିସାରିଲେଣି । ଆଗେ ତୁ ତାଙ୍କ ସହିତ କଥା କହିନେ... ପରେ ଅନ୍ୟ କଥା ।’’

 

ସତ୍ୟକାମ ଫୋନ୍‌କଲା ମାଆଙ୍କୁ ।

 

ସେପାଖରୁ ତାଙ୍କ ସ୍ଵର ଶୁଣି କହିଲା ସତ୍ୟକାମ, “ତମ ଆଶୀର୍ବାଦରୁ ମୁଁ ଭଲରେ ଫେରିଆସିଛି ମା’... ସେମାନେ ମୋର କୌଣସି କ୍ଷତି କରିନାହାଁନ୍ତି । ଏଇ ପାଞ୍ଚ ମିନିଟ୍‌ ହେଲା ପହଞ୍ଚିଲି.... ।”

 

ତାଙ୍କ ସ୍ଵରରେ ଥିଲା ବ୍ୟାକୁଳତା, ଉଦ୍‌ବେଗ ଏବଂ ଜନନୀର ଅସରନ୍ତି ଆବେଗ । ଠିକ୍‌ ଠିକ୍‌ ତାଙ୍କୁ ସବୁ କହିଲା ସତ୍ୟକାମ ।

 

-“ତୁ କେବେ ଫେରିବୁ ବାବା ? ତିନିଦିନ ପାଇଁ ଯାଇଥିଲୁ... ସପ୍ତାହେ ହେଲାଣି... ତୁ କାଲି ସକାଳେ ବିମାନରେ ଚାଲିଆ...”

 

- “ମୁଁ ସେୟା ଭାବିଛି’... କାମ ବି ସରି ଆସିଛି...’’

 

କଚୋଡ଼ି ଏବଂ କଫି ରଖି ଦେଇଗଲା ନବୀନ ।

 

କଚୋଡ଼ିରୁ ଫାଳେ ପାଟିରେ ଭାଙ୍ଗିକରି କଫି କପ୍‌ ଉଠାଇବାବେଳକୁ ରାକେଶ କହିଲା- ସେଦିନ ଠିକ୍‌ ସମୟରେ ଗାଡ଼ି ପହଞ୍ଚିଲା ଷ୍ଟେସନରେ... କିନ୍ତୁ ତୋତେ ନ ଦେଖି ମୁଁ ଫୋନ୍‌ କଲି ଘରକୁ... କେହି ନ ଥିଲେ ଉତ୍ତର ଦବା ପାଇଁ... ମନରେ ଝଟକା ଲାଗଲା । ମୁଁ ପାଖ ପଡ଼ୋଶୀ ବ୍ରଜମୋହନକୁ ଫୋନ୍‌ କଲି । ସେ ଦଶମିନିଟ୍‌ପରେ ମୋତେ ଜଣାଇଲା ଯେ ଗାଡ଼ି ନେଇ ତୁ ବାହାରି ଯାଇଛୁ... ବୋଧହୁଏ ରାସ୍ତାରେ ଥିବୁ... ଯେକୌଣସି ମୁହୂର୍ତ୍ତରେ ପହଞ୍ଚି ଯିବୁ । କିନ୍ତୁ ଅନେକ ସମୟ ଅପେକ୍ଷା କଲାପରେ ବି ତୁ ନ ପହଞ୍ଚିବା ଦେଖି ଭାବିଲି ହୁଏତ ରାସ୍ତାରେ ଗାଡ଼ି ଖରାପ ହୋଇଥିବ... ବା ଆଉ କିଛି । ମୋବାଇଲ ବ୍ୟବହାର କରିପାରିଥାନ୍ତି... କିନ୍ତୁ ବ୍ୟାଟେରୀ ଡାଇନ୍‌ ହୋଇଯାଇଥିଲା । ବୁଥ୍‌ରୁ ଟେଲିଫୋନ୍‌ କଲି ତୋ ପାଖକୁ । କିନ୍ତୁ ଉତ୍ତର ଆସିଲା ସୁଇଚ୍‌ ଅଫ୍‌...”

 

ରାକେଶକୁ ସତ୍ୟକାମ କହିଲା ସବୁ କାହାଣୀ ମୂଳରୁ ଶେଷ ପର୍ଯ୍ୟନ୍ତ ।

 

ରାକେଶ କହିଲା, “ପୁଲିସ୍‌ କମିସନର ମୋ ପରିଚିତ । ତାଙ୍କୁ କହିଥିଲି ମୁଁ । ସେଥିପାଇଁ କାଳ ବିଳମ୍ବ ନ କରି ପୁଲିସ୍‌ କାର୍ଯ୍ୟ ଆରମ୍ଭ କରିଦେଲା । ହରିୟାନା ପୁଲିସ୍‌, ଚଣ୍ଡୀଗଡ଼ ଓ ପଞ୍ଜାବ ପୁଲିସ୍‍ ଚେକ୍‌ଗେଟ ସବୁଠାକୁ ବେତାର ଖବର ଗଲା ଚେକ୍‌ କରିବାପାଇଁ ସବୁ ଫାର୍ମହାଉସ୍‌ ଉପରେ ନଜର ରଖିବାପାଇଁ ।”

 

“ମୁଁ ରାତି ଅଧରେ ଖବର ପାଇଲି ଯେ ପୁଲିସ୍‌ ଫାର୍ମହାଉସ୍‌ ଉପରେ ଚଢ଼ଉ କରିବାପାଇଁ ଯାଇଛି । ତା’ପରେ ଭୋର ଭୋର ଖବର ମିଳିଲା ତୋତେ ନେଇ ସେମାନେ ଉଭାନ୍‌ ହୋଇଗଲେ... । ମୁଁ ଭଗବାନ୍‌ଙ୍କୁ ଡାକୁଥାଏ... ଆଉ କ’ଣ କରିବି କିଛି ବୁଦ୍ଧି ଦିଶୁ ନ ଥାଏ ।”

 

- “ହଁ ଆଉ ଗୋଟେ ଖବର ବି ଶୁଣ । ପୁଲିସ୍‌ ତୋତେ ବସ୍‌ରୁ ଓହ୍ଲାଇ ସାଙ୍ଗରେ ନେଇ ଫେରୁଥିବା ଖବର କେହି ଜଣେ ମୋତେ ଦେଲା, କିନ୍ତୁ ନାମ କହିଲା ନାହିଁ । କେବଳ ଏତିକି କହିଲା, ‘‘ତୁମ ବନ୍ଧୁକୁ ସାବଧାନ କରିଦିଅ... ସେ ଯାହା ଖୋଜୁଛନ୍ତି ପାଇବା ପୂର୍ବରୁ ତାଙ୍କୁ ସଂସାରରୁ ବିଦାୟ ନବାକୁ ପଡ଼ିବ ।”

 

ସତ୍ୟକାମ ରାକେଶର କାନ୍ଧ ଉପରେ ହାତରଖି କହିଲା - “ସେଇ ଗୋଟେ ଲୋକ ସବୁ ନାଟର ଗୋବର୍ଦ୍ଧନ...”

 

-‘‘କିଏ ସେ ?” ପଚାରିଲା ରାକେଶ ।

 

-“ତ୍ରିଗୁଣ ରଜ୍ଜୁ ହସ୍ତେ ଧରି ମୃଗୀ ନଚାଏ ନରହରି...” ତା’ପରେ ତାକୁ ୟାର ଅର୍ଥ ବୁଝାଇ ଦେଇ କହିଲା, “ମୋର ବିଶ୍ୱାସ ରାଜାସାହେବ ବ୍ୟତୀତ ଆଉ କେହି ନୁହେଁ... ।” ସ୍ତବ୍ଧ ରାକେଶ ଅନାଇ ରହିଲା ସତ୍ୟକାମର ମୁହଁକୁ ଚାହିଁ ।

 

ଅଳ୍ପ ସମୟ ପରେ କହିଲା ରାକେଶ - “ରାଜାସାହେବ ତା’ ହେଲେ ଯାହା ଘଟୁଛି ଓଡ଼ିଶାରେ ସେସବୁର କିଙ୍ଗପିନ୍‌....।’’

 

-‘‘ମୋର ଅନୁମାନ ସେୟା । ଅଡ଼ୁଆ ସୂତାର ଗଣ୍ଠି ଖୋଲିସାରିବା ପରେ ହୁଏତ ସତ୍ୟ ଜଣାପଡ଼ିବ । ସେତିକିବେଳେ ସେ ଚିତ୍ତାକାଶର ଇନ୍ଦ୍ର ନା ଅପରାଧ ଜଗତର ସମ୍ରାଟ୍‌ ଦୃଢ଼ତାର ସହିତ କହିପାରିବି ମୁଁ... ।”

 

“କାଲି ସକାଳ ଦଶଟା ଫ୍ଲାଇଟ୍‌ରେ ମୁଁ ଫେରିଯିବି ରାକେଶ । କାମ ତ ଅନେକ ଅଛି କରିବାପାଇଁ । ଦିଲ୍ଲୀର କାମ ବି ଶେଷ ହୋଇନି । କିନ୍ତୁ ଗଣ୍ଠିଗୁଡ଼ା ଖୋଲିସାରିବା ପରେ ମୁଁ ଫେରିବି ପୁଣି ଖିଅ ଯୋଡ଼ି କାହାଣୀ ରଚନା କରିବାପାଇଁ । ସେତେବେଳେ ଚିଦାନନ୍ଦ, ଯୋଗେଶ ମୂର୍ତ୍ତି ଏବଂ ଭାରତ କନ୍‌ଷ୍ଟ୍ରକ୍ସନର ଏମ୍‌. ଡ଼ି. ଚନ୍ଦ୍ରମୌଳି ଶ୍ରୀବାସ୍ତବ ପ୍ରଭୃତିଙ୍କ ଖୋଜାପଡ଼ିବ... ।”

 

-“ଚିଦାନନ୍ଦ ବା ଚନ୍ଦ୍ରମୌଳି ବିଷୟରେ ତୁ ଏଯାଏ କିଛି କହିନୁ ମୋତେ ?” ପଚାରିଲା ରାକେଶ ।

 

-“ନା କହିନି । ଅଡ଼ୁଆ ସୂତା ଖୋଲି ନ ସାରିବା ପର୍ଯ୍ୟନ୍ତ ସବୁକଥା ନିଶ୍ଚୟ କରି କହିପାରିବି ନାହିଁ । କିନ୍ତୁ ଏତିକି ଜାଣିରଖ ଯେ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଏବଂ ରାଜାସାହେବ ଓରଫ୍‌ ଚିଦାନନ୍ଦ ମହାନ୍ତି ଭିନ୍ନ ଭିନ୍ନ ନାମଧାରୀ ଦୁଇ ଜଣ ସ୍ୱତନ୍ତ୍ର ବ୍ୟକ୍ତି ହୋଇପାରନ୍ତି... ଦୁଇ ଜଣ ଗୋଟିଏ ବୃନ୍ତର ଦୁଇଟି ଫଳ । ଯମଜ ସନ୍ତାନ ପରି ।”

 

- “ଷ୍ଟ୍ରେଞ୍ଜ୍‍... ଭେରି ଷ୍ଟ୍ରେଞ୍ଜ୍‍... ମୋ ପାଦତଳର ପୃଥବୀ ଘୂରୁଥିବା ପରି ଲାଗୁଛି । ଏମାନେ ଅଲଗା ଅଲଗା ହୁଅନ୍ତୁ ବା ବିଭିନ୍ନ ନାମ ଥାଇ ଜଣେ ହୁଅନ୍ତୁ - ଏମାନେ ସାମାନ୍ୟ ଲୋକ ନୁହଁନ୍ତି । ଏମାନଙ୍କ ଦୌଡ଼ ଅନେକ ଦୂର । ଏମାନଙ୍କ ସାମ୍ରାଜ୍ୟ ଅନେକ ବଡ଼ - ଶେଷରେ ଏମାନଙ୍କୁ ଧରିବାକୁ ଯାଇ ତୁ ଗୁଡ଼ାଏ କ୍ଷମତାଶାଳୀ ଲୋକଙ୍କୁ ଶତ୍ରୁରେ ପରିଣତ କରିବୁ ନାହିଁତ ?” କହିଲା ରାକେଶ ।

 

-“ଯଦି ତାହାହିଁ କରିବା ଦରକାର ହୁଏ ତେବେ ପଛଘୁଞ୍ଚା ଦେବି ନାହିଁରେ ରାକେଶ । ହୁଏତ ମୋତେ ସ୍ୱର୍ଗକୁ ପଠାଇଦେବେ ସେମାନେ ନ ହେଲେ ସେମାନଙ୍କ ସ୍ୱର୍ଗକୁ ଯିବା ବାଟ ମୁଁ ଯେ ସଫା କରିବାପାଇଁ ଲାଗିଥିବି ଏଥିରେ ସନ୍ଦେହ ନାହିଁ ଭାଇ ।”

 

ରାକେଶ ଚିନ୍ତାରେ ବୁଡ଼ିଗଲା । ତା’ର ମୁହଁ ଶେତା ପଡ଼ିଯାଇଥିଲା । ଆଖି ଆଗରେ ତାସର ଘରପରି ଅନେକ ସାମ୍ରାଜ୍ୟର ପତନ ହେବ ଭାବି ଆଶଙ୍କାରେ ତା‘ ଛାତି ତଳୁ ଅତଡ଼ା ଖସୁଥିଲା । ତଥାପି ସତ୍ୟକାମ ତା’ର ବନ୍ଧୁ । ତା’ ପକ୍ଷରେ ରହିବ ନା ଅପରାଧ ଜଗତର କ୍ଷମତାଶାଳୀଙ୍କ ଶିବିରରେ ରହିବ ସେ ବିଷୟ ନେଇ ବିବ୍ରତ ନୁହେଁ ସେ । ସତ୍ୟ, ଧର୍ମ ଯେଉଁଠି ଶ୍ରୀକୃଷ୍ଣ ସେଇ ଶିବିରରେ ରହିଥିଲେ । ସେଇ ମାର୍ଗରେ ତ ହଜାର ହଜାର ବର୍ଷଧରି ସାଧୁ ସନ୍ଥ ଆଚାର୍ଯ୍ୟମାନେ ଚାଲି ଆସିଛନ୍ତି । ସେ ପଛଘୁଞ୍ଚା ଦବ କାହିଁକି ? ଯଦି ସତ୍ୟ ପ୍ରତିଷ୍ଠା କରିବା ସକାଶେ କିଛି ତ୍ୟାଗ କରିବାକୁ ପଡ଼େ, କିଛି ଦୁଃଖ ସହିବାକୁ ପଡ଼େ, ତେବେ ତାହାହିଁ କାମ୍ୟ । ସତ୍ୟକାମକୁ ସାହାଯ୍ୟ କରିବ ଯଥାସାଧ୍ୟ ।

 

ସତ୍ୟକାମ କାଗଜପତ୍ର, ଫାଇଲ ସବୁ ସଜାଡ଼ିଲା ରାତି ବାରଟା ପର୍ଯ୍ୟନ୍ତ । ତା’ପରେ ସେମାନେ ଡିନର ଟେବୁଲକୁ ଯାଇ ବସିଛନ୍ତି ଟେଲିଫୋନ୍‌ ବାଜିଉଠିଲା -

 

- ‘ହ୍ୟାଲୋ ।’

 

-“ଥ୍ୟାଙ୍କ୍‌ ଗଡ଼, ୟୁ ହ୍ୟାଭ୍‌ ଏସ୍‌କେପ୍‌ଡ଼ ଦିସ୍‌ ଟାଇମ୍‌ । କିନ୍ତୁ ମନେରଖ ଯେ ସବୁବେଳେ ଇଶ୍ଵର ନ ଥାନ୍ତି ପାଖରେ ।”

 

-“ମେ ଆଇ ନୋ ହୁ ଇଜ୍‌ ସ୍‍ପିକିଂ ?” ପଚାରିଲା ସତ୍ୟକାମ ।

 

-‘‘ଯମରାଜ ସ୍‍ପିକିଂ... କାଲି ଫ୍ଳାଇଟ୍‌ରେ ଦେଖା ହେବ...”

 

ଟେଲିଫୋନ ରଖିଦବାର ଶବ୍ଦ ଭାସିଉଠିଲା ସେପାଖରୁ ।

 

ଦଣ୍ଡେ ଠିଆହୋଇ ରହିଲା ସତ୍ୟକାମ ।

 

ରାକେଶ କହିଲା - “ଟେବୁଲ୍‌କୁ ଆ... ଥଣ୍ଡା ହୋଇଯାଉଛି ସବୁ...”

 

ସତ୍ୟକାମ ବସୁ ବସୁ ଅନ୍ୟମନସ୍କଭାବେ କହିଲା - “ସେଇ ସମୟରେ କେହିଜଣେ ସତର୍କ କରିଦେଲା ମୋତେ । କାଲି ଫ୍ଲାଇଟ୍‌ରେ ଦେଖାହେବ କହିଛି... । କିନ୍ତୁ ସେ ଯଦି କାପୁରୁଷ ହୋଇ ନ ଥାନ୍ତା ତେବେ ଛଦ୍ମବେଶରେ ବା ଆଉ କାହାକୁ ଷ୍ଟେଜ୍‍ ଉପରକୁ ପଠାଇ ନିଜେ ଆତ୍ମଗୋପନ କରନ୍ତା ନାହିଁ ।”

 

॥ ଦଶ ॥

 

ଶ୍ରୀମୟୀ ଠିକ୍‌ ସମୟରେ ବିମାନ ବନ୍ଦରରେ ପହଞ୍ଚିଲେ ପୁଅକୁ ସଙ୍ଖୋଳି ନବା ପାଇଁ । ସେ ଯେ ସୁସ୍ଥ ଶରୀରରେ ଘରକୁ ଫେରିଆସୁଛି ଏହା ତ ଜଗନ୍ନାଥ ମହାପ୍ରଭୁଙ୍କ ଅସୀମ କରୁଣାର ନିଦର୍ଶନ । ଖବରକାଗଜ ପଢ଼ି ନ ଥିଲେ ସେ, କିନ୍ତୁ ପୁଅ ଉଭାନ୍‌ ହୋଇଯାଇଥିବା ବିଷୟ ତାଙ୍କୁ କହିଥିଲେ ‘ନିଉ ଟାଇମ୍ସ୍‍’ର ସମ୍ପାଦକ ମୁକ୍ତେଶ୍ଵର ତଲ୍‌ୱାଲ୍‌କର । ସେଇ ଖବର ପାଇ ସ୍ତବ୍ଧ ହୋଇଯାଇଥିଲେ ଶ୍ରୀମୟୀ । କିନ୍ତୁ ତଲ୍‌ୱାଲ୍‌କର ତାଙ୍କୁ ଆଶ୍ଵାସନା ଦେଇ କହିଥିଲେ ଯେ ପୁଲିସ୍‍ ଅନୁସନ୍ଧାନ ଚାଲିଛି ଏବଂ ସତ୍ୟକାମ ଯେ ସୁସ୍ଥ ଶରୀରରେ ଫେରିଆସିବ ଏଇ ବିଶ୍ଵାସ ଦିଲ୍ଲୀର ପୁଲିସ୍‌ କମିସନର ‘ନିଉ ଟାଇମ୍ସ୍’ର ମୁଖ୍ୟ ସମ୍ପାଦକଙ୍କୁ ନିଜେ କହିଛନ୍ତି । ଆଶ୍ଵାସନା ପାଇବା ପରେ ବି ଆଖିରୁ ତାଙ୍କର ଲୁହ ଝରିବା ବନ୍ଦ ହୋଇ ନ ଥିଲା ବା ସେ ନିଶ୍ଚିନ୍ତରେ ଶୋଇପାରି ନ ଥିଲେ । ଫାଦର୍‍ଙ୍କୁ ଫୋନ୍‌କରି ଜଣାଇଥିଲେ ସେ । ଫାଦର୍‍ ଆବ୍ରାହମ୍‍ ତାଙ୍କୁ ଆଶ୍ଵାସନା ଦେଇ କହିଥିଲେ ପ୍ରଭୁଙ୍କ ଉପରେ ଆସ୍ଥା ରଖିବାପାଇଁ । ନ ଖାଇ ଉପବାସରେ ଦିନ କାଟିଲେ ସତ୍ୟକାମ ଯଦି ଫେରିଆସନ୍ତା ତେବେ ସେ ବି ଅନାହାରରେ ଦିନ କାଟନ୍ତେ । ଫାଦର୍‍ଙ୍କ ସହୃଦୟତା ଏବଂ ପିତୃସୁଲଭ ଆଶ୍ଵାସନା ଶୁଣିବା ପରେ ଦମ୍ଭ ଧରିଥିଲେ ଶ୍ରୀମୟୀ । ଟିକେ ସୁଜି ଉପମା ଆଉ ଚା’ କପେ ଖାଇଥିଲେ ।

 

ସତ୍ୟକାମ ସହିତ କଥା ହେବାପରେ ସେ ନିଶ୍ଚିନ୍ତ ହୋଇଥିଲେ ଯେ ପୁଅ ଫେରିଆସିବ । ତଥାପି ଆଖି ଓଦା ହେଉଥାଏ ବେଳେ ବେଳେ, ଛାତି ତଳର କୋହ ଚାପି ରଖିବାକୁ ଯାଇ ସେ ଛାତି ଉପରେ ହାତ ବୁଲାଉଥାନ୍ତି ।

 

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ଗଲେ ଇନ୍‌କୁଆରୀ ଅଫିସ୍‌କୁ ବିମାନ କେତେବେଳେ ପହଞ୍ଚିବ ଜାଣିବାପାଇଁ । କିନ୍ତୁ ଅନୁସନ୍ଧାନ କାଉଣ୍ଟର ଭିଡ଼ ଦେଖି ସେ ଠେଲି ପେଲି ଆଗକୁ ଚାଲି ଯାଇଥିଲେ କାହା କଥା ନ ଶୁଣି । କାଉଣ୍ଟରରେ ବସିଥିବା ଯୁବକ କିନ୍ତୁ ନିର୍ଲିପ୍ତ ସ୍ଵରରେ କହିଲେ ଯେ ବିମାନରେ ବୋମା ଥିବା ଖବର କୌଣସି ଅଜ୍ଞାତ ସୂତ୍ରରୁ ଜାଣିବା ପରେ ବିମାନ ଦିଲ୍ଲୀ ଛାଡ଼ିବା ପରେ ପୁଣି ପାଇଲଟକୁ ସଂକେତଦ୍ଵାରା ଫେରି ଆସିବାକୁ କୁହାଯାଇଥିଲା । ବିମାନ ବନ୍ଦରରେ ବିମାନ ଓହ୍ଲାଇ ସାରିଛି ଏବଂ ସମସ୍ତ ଯାତ୍ରୀ ନିରାପଦରେ ଅଛନ୍ତି । ବିମାନ ଭିତରେ ତନ୍ନ ତନ୍ନ କରି ଅନୁସନ୍ଧାନ କରୁଛି ପୁଲିସ୍‍ । ଭୟର କାରଣ ନାହିଁ । ତିନି ଘଣ୍ଟା ବିଳମ୍ବରେ ବିମାନ ଛାଡ଼ିବ ବୋଲି ସୂଚନା ମିଳିଛି ।

 

ଶ୍ରୀମୟୀଙ୍କ କଣ୍ଠରୁ ବାହାରିଗଲା - “ହେ ଭଗବାନ୍‌ ! ଏତେ ପରେ ବି ପରୀକ୍ଷା ଶେଷ ହୋଇନି ତୁମର ।”

 

ସେ ଘରକୁ ଫେରି ନ ଆସି ବିମାନ ବନ୍ଦରରେ ଅପେକ୍ଷା କରିବା ଉଚିତ ହେବ ଭାବି ଗୋଟିଏ ଚୌକି ଦଖଲ କଲେ ଏବଂ ମୋବାଇଲରେ ଫୋନ୍‌ କଲେ ସତ୍ୟକାମକୁ ।

 

କିନ୍ତୁ ବାରମ୍ବାର ସେଇ ଗୋଟିଏ ଉତ୍ତର ମିଳୁଥାଏ – ‘ଲାଇନ୍‌ ବିଜି’ । ପୁଅକୁ ନେଇ ଯେତେ ଦୁର୍ଭାବନା । ସାମ୍ବାଦିକର ଚାକିରି ଯେ ଏଡ଼େ ବିପଦଶଙ୍କୁଳ ଏଇ ପ୍ରଥମ ଜାଣିଲେ ଶ୍ରୀମୟୀ-। ସତ୍ୟ ତା’ କର୍ତ୍ତବ୍ୟ କରୁଛି, ସେ କାହାରି କ୍ଷତି କରିବାପାଇଁ ସାମ୍ବାଦିକ ହୋଇନାହିଁ । କିନ୍ତୁ ସତ୍ୟ ଉଦ୍‌ଘାଟନ କରିବାକୁ ଯାଇ ଯଦି ଅପ୍ରିୟ ସତ୍ୟ ପ୍ରକାଶ କରିବାକୁ ହୁଏ ତେବେ ସେ ସତ୍ୟ ଗୋପନ ନ ରଖି ପ୍ରକାଶ କରିବ ନିଶ୍ଚୟ । ସତ୍ୟ କେବେ ଲୁଚି ରହେ ନାହିଁ; ପାଣିରେ ବୁଡ଼େ ନାହିଁ, ନିଆଁରେ ପୋଡ଼ିଯାଏ ନାହିଁ, ଆକାଶରେ ଉଡ଼ିଯାଏ ନାହିଁ... ।

 

ତାଙ୍କୁ ଗୋଟିଏ କୋଣରେ ବସିଥିବାର ଦେଖି ହୁମାୟୁନ୍‍ ପାଖକୁ ଆସି ପ୍ରଣାମ କରି କହିଲା, “ମାଉସୀ, ଆପଣ କେତେବେଳୁ ଆସିଲେଣି ? ମୁଁ ବାହାରିବା ଆଗରୁ ଆପଣଙ୍କୁ ଫୋନ୍‍ କରିଥିଲି, କିନ୍ତୁ କେହି ଉତ୍ତର ଦେଲେନି ।” ତା’ପରେ ପାଖରେ ଛିଡ଼ା ହୋଇଥିବା ଭଉଣୀକୁ ଚିହ୍ନାଇ ଦବାପାଇଁ କହିଲା - ‘‘ମୋ ସାନଭଉଣୀ ଅସୀମା ।”

 

ଅସୀମା ତାଙ୍କ ପାଦ ଛୁଇଁ ପ୍ରଣାମ କଲା ।

 

ଗୋଟିଏ ସଦ୍ୟ ପ୍ରସ୍ଫୁଟିତ ପଦ୍ମଫୁଲ ପରି ଦିଶୁଥିଲା ଅସୀମା । ତାକୁ ପାଖ ଆସନରେ ବସିବାପାଇଁ କହିଲେ ଶ୍ରୀମୟୀ । ହୁମାୟୁନ୍‍କୁ କହିଲେ ଇନ୍‌କୁଆରୀରୁ ବୁଝିଆସିବାପାଇଁ, ହୁଏତ ଇତିମଧ୍ୟରେ କିଛି ନୂଆ ସୂଚନା ଆସିଥିବ ।

 

ହୁମାୟୁନ୍‍ ଚାଲିଯିବା ପରେ ପରେ ଘୋଷଣା କରାଗଲା ଯେ ଅପରାହ୍ନ ଗୋଟାଏ ପନ୍ଦର ମିନିଟ୍‌ରେ ବିମାନ ଦିଲ୍ଲୀ ଛାଡ଼ିଛି, ତିନିଟା ପଚିଶ ମିନିଟ୍‌ ଭୁବନେଶ୍ୱରରେ ଅବତରଣ କରିବା ସମ୍ଭାବନା ରହିଛି ।

 

ହାତଯୋଡ଼ି ପୁଣିଥରେ ଠାକୁରଙ୍କୁ ଗୁହାରି ଜଣାଇଲେ ଶ୍ରୀମୟୀ ।

 

ଅସୀମା କହିଲା -“ଆଜିକାଲି ବିମାନ ଯାତ୍ରା ହେଉ, ଟ୍ରେନ୍‌ ବା ମୋଟର ଯାତ୍ରା ହେଉ ସବୁଠାରେ ଆତଙ୍କ... ଆତଙ୍କବାଦୀମାନେ ତ ସୁସ୍ଥ ମଣିଷ ନୁହଁନ୍ତି, ବିକାରଗ୍ରସ୍ତ ମଣିଷ ପଞ୍ଝାଏ... କିନ୍ତୁ ମାଉସୀ, ସେମାନଙ୍କ ଇଚ୍ଛାରେ ତ ପୃଥ୍ୱୀ ଘୂରୁ ନାହିଁ, ଆଉ ଜଣକ ଇଚ୍ଛାରୁ ହିଁ ଜଗତ ଚଳୁଛି । ସେଇ ସର୍ବଶକ୍ତିମାନ୍‌ଙ୍କ ଆଗରେ ମଣିଷ କେଡ଼େ ତୁଚ୍ଛ, କେଡ଼େ ନଗଣ୍ୟ ତାହା ଯଦି ଉଗ୍ରବାଦୀମାନେ ବୁଝୁଥାଆନ୍ତେ ତେବେ ପୃଥିବୀ କେଡ଼େ ସୁନ୍ଦର ହୁଅନ୍ତା...।”

 

ଶ୍ରୀମୟୀ କହିଲେ “ତମେ ଠିକ୍‌ କହିଛ... ଆମେ ପିଲାଦିନେ ପଢ଼ିଥିଲୁ - ଯାହାଙ୍କ ଆଜ୍ଞାରେ ପର୍ବତ, ଜଳେ ଭାସଇ ଶୋଲ ମତ... ।”

 

ହୁମାୟୁନ୍‍ ଫେରିଆସିଲା ଦୁଇ ହାତରେ ଦୁଇ କପ୍‌ କଫି ନେଇ । ଶ୍ରୀମୟୀ କହିଲେ - “ତୁମକୁ ଧନ୍ୟବାଦ ନ ଦେଇ ରହିପାରୁନି ହୁମାୟୁନ୍ । ଏତେବେଳେ ଅବସନ୍ନତା କାଟିବାପାଇଁ କପେ କଫିର ହିଁ ପ୍ରୟୋଜନ ଥିଲା... । କିନ୍ତୁ ତମପାଇଁ ଆଣିନ ଯେ ?”

 

-“ମୁଁ ଟିକେ ସ୍ୱାର୍ଥପର ମାଉସୀ । କପେ କଫି ପିଇ ଦେଇ ଆସିଛି...।” କହିଲା ହୁମାୟୁନ୍‌ ।

 

ଭାଇ ଭଉଣୀ ସହିତ ଗପ କରିବାବେଳେ ସେମାନଙ୍କ ପରିବାରର ଅନେକ କଥା ଜାଣିଗଲେ । ଅସୀମାର ସାନ୍ନିଧ୍ୟ ବେଶ୍‌ ଭଲ ଲାଗୁଥିଲା ଶ୍ରୀମୟୀଙ୍କୁ । ଇମିତି ଝିଅଟିଏ ସେ ଖୋଜୁଥିଲେ ମନେ ମନେ ସତ୍ୟକାମପାଇଁ । କିନ୍ତୁ ପୁଅକୁ ବାହା କରେଇବାପାଇଁ ହଠାତ୍‌ କାହିଁକି ତାଙ୍କ ମନ କହିଲା ସେ ବୁଝିପାରିଲେ ନାହିଁ । ଏଇଥପାଇଁ ପରା କୁହାଯାଏ ମନର ଗତି ପବନ ପରି-। ପବନକୁ ଧରି ହୁଏ ନାହିଁ, କି ବାନ୍ଧି ରଖି ହୁଏ ନାହିଁ, କେଉଁ ଛିଦ୍ର ପଥ ଦେଇ ପବନ ଗତିକରେ ଜାଣି ହୁଏ ନାହିଁ । ମନ ବି ଠିକ୍‌ ସେଇପରି । ମନର ଗତି ରହସ୍ୟମୟ ।

 

ଆହୁରି ଗପୁଥାଆନ୍ତେ ଶ୍ରୀମୟୀ । କିନ୍ତୁ ହୁମାୟୁନ୍‍ କହିଲା ଯେ ବିମାନ ଭୁବନେଶ୍ୱର ଉପରେ ଚକ୍କର କାଟୁଛି, ଏଇ ପାଞ୍ଚ ମିନିଟ ମଧ୍ୟରେ ଅବତରଣ କରବ ।

 

ଶ୍ରୀମୟୀ, ଅସୀମା ଠିଆ ହୋଇ ପଡ଼ିଲେ ।

 

ପୁଅକୁ ଆସୁଥିବା ଦେଖି ଭାବପ୍ରବଣ ହୋଇପଡ଼ିଲେ ଶ୍ରୀମୟୀ । ମା’ କୋଳରେ ଶିଶୁଟିଏ ପରି ସତ୍ୟକାମକୁ ଛାତି ଉପରେ ଜାକି ଧରିଥିଲେ ସେ । ଦୁଇ ଆଖିରୁ ବାଧା ନ ମାନି ଝରୁଥିଲା ଲୁହ । ତାଙ୍କ ମୁହଁରୁ ପଦଟିଏ କଥାବି ବାହାରୁ ନ ଥଲା । କିନ୍ତୁ ପ୍ରଥମେ ଆରମ୍ଭ କଲା ସତ୍ୟକାମ - “ତମେ ଏତେ ଶୁଖିଯାଇଛ...ଦେହ କଣ ଭଲ ନାଇଁ ମା’ ?”

 

ତା’ ମଥା ଆଉଁସି ଦେଇ କହିଲେ ଶ୍ରୀମୟୀ - “ତୁ ମୋ କୋଳକୁ ଫେରିଆସିଛୁ ଏବେ ସବୁ ଠିକ୍‌ହୋଇଯିବ... ।’’

 

ମା” କୋଳରୁ ମୁହଁ ଉଠାଇବାକ୍ଷଣି ତା’ ହାତକୁ ପୁଷ୍ପଗୁଚ୍ଛ ବଢ଼ାଇ ଦେଇ କହିଲା ହୁମାୟୁନ୍‍–“ତମେ ଫେରି ଆସିଛ ଏୟା କ’ଣ କମ ବଡ଼ ଆନନ୍ଦ... ଏଡ଼ିଟର୍‍ ମୋତେ ପଠାଇଲେ ଏଆରପୋର୍ଟକୁ । ସେ ସେକ୍ରେଟେରିଏଟ୍‌ରେ ଗୋଟେ ମିଟିଂରେ ଅଛନ୍ତି । ସେଠାରୁ ଅଫିସ୍‌କୁ ଫେରିବା ବାଟରେ ତମ ଘରକୁ ଆସିବେ ସଙ୍ଖୋଳି ଯିବାପାଇ...।”

 

ଅସୀମା ଚୁପ୍‌ହୋଇ ଛିଡ଼ା ହୋଇଥବା ଦେଖି କହିଲେ ଶ୍ରୀମୟୀ - “ଆରେ ତୁ ୟାକୁ ଚିହ୍ନିନୁ କି ? ଇଏ ପରା ଅସୀମା, ହୁମାୟୁନ୍‍ର ସାନଭଉଣୀ...’’

 

ଅସୀମା ନମସ୍କାର କଲା ।

 

ସତ୍ୟକାମ କହିଲା - “ଥରେ ଟେଲିଫୋନ୍‌ରେ କଥା ହୋଇଥିଲି, କେବେ ଦେଖି ନ ଥଲି... ମୁଁ ଦୁଃଖିତ ଅସୀମା... । କିପରି ଅଛ ?’’

 

ଉତ୍ତରରେ ଅସୀମାର ମୁହଁ ଉପରେ ଖେଳିଗଲା ପ୍ରସନ୍ନତାର ହସ କେରାଏ ।

 

ସେମାନେ ବାହାରକୁ ଆସିଲେ । ଅଫିସରୁ ଗାଡ଼ି ନେଇ ଆସିଥଲା ହୁମାୟୁନ୍‌ । ସମସ୍ତେ ଏକା ସାଙ୍ଗରେ ଫେରିବାବେଳେ କହିଲା ହୁମାୟୁନ୍‍ - “ମାଉସୀ, ଆଜି ସନ୍ଧ୍ୟାବେଳେ କିଛି ପ୍ରୋଗ୍ରାମ ରଖି ନ ଥିବ... ମୁଁ ଏଇନେ କିଛି କହୁନି । ନିଜେ ତଲ୍‌ୱାଲ୍‌କର ସାହେବ କହିବେ... ।”

 

ଶ୍ରୀମୟୀ କହିଲେ - “ମୋର କ’ଣ ମନେହେଉଛି ଜାଣ... ମୁଁ ପୁଅକୁ କୋଳରେ ଧରି ବୁଲୁଥାଆନ୍ତି ସହରସାରା.....କହୁଥାଆନ୍ତି ଏଇ ଦେଖ ......ମୁଁ ତାକୁ ଜନ୍ମ ଦେଇଛି ସିନା, ସେ କିନ୍ତୁ ଇଶ୍ଵରଙ୍କ ଉପହାର... । ତାଙ୍କର କୃପାରୁ ଆଉ ତୁମ ସମସ୍ତଙ୍କର ଶୁଭକାମନାରୁ ସେ ଅକ୍ଷତ ଶରୀରରେ ଫେରିଆସିଛି ମୋ କୋଳକୁ...।”

 

ନିଜ ଘରକୁ ଫେରିଆସିଲା ସତ୍ୟକାମ, କିନ୍ତୁ ଦ୍ଵାର ମୁହଁରେ ପୂର୍ଣ୍ଣକଳସ ଓ ଆମ୍ବଡାଳ ଝୁଲୁଥିବା ଦେଖି ଏବଂ ପ୍ରତ୍ୟେକ କୋଠରିରେ ଫୁଲଦାନିରେ ସଜା ହୋଇଥିବା ବିଭିନ୍ନ ରଙ୍ଗର ଫୁଲ ଦେଖି ପେଟର ଭୋକ ମରିଗଲା ସତ୍ୟକାମର । ମା ନ ଥିବା ଘର ସତରେ କେଡ଼େ ନିର୍ଜନ, ନିରବ ହୋଇଥିବ ଏହା ମନେ ମନେ ଭାବୁଥିଲା ସେ ।

 

ଅଳ୍ପ ସମୟ ପରେ ‘ନିଉ ଟାଇମ୍ସ୍’ର ସମ୍ପାଦକ ମୁକ୍ତେଶ୍ଵର ତଲ୍‌ଓ୍ୱାଲ୍‌କର ଆସି ପହଞ୍ଚିଲେ-। ସତ୍ୟକାମ ତାଙ୍କୁ ନମସ୍କାର କରିବାପାଇଁ ଠିଆ ହୋଇ ପଡ଼ୁଥିବା ଦେଖି ତାକୁ ଆଲିଙ୍ଗନ କରି କହିଲେ ସେ - “ଇଶ୍ୱର ମହାନ୍‌... ଯାହା ଘଟିଗଲା ତାହା ପ୍ରକୃତରେ ଯେକୌଣସି ଆତ୍ମୀୟର ମେରୁଦଣ୍ଡ ଥରାଇଦବ... ଏବେ ଖୁସିର ସମୟ ଏବଂ ଆମେ ତୁମ ସହିତ ସମସ୍ତେ ଅଛୁ ଏୟା ଭୁଲିଯିବନି ସତ୍ୟକାମ ।”

 

“ଶ୍ରୀମୟୀ କୋଠରି ଭିତରକୁ ପ୍ରବେଶ କଲାକ୍ଷଣି ଉଠିବସି କହିଲେ ତଲ୍‌ୱାଲ୍‌କର - “ଆପଣ ଅନୁମତି ଦେଲେ ଆମେ ସେଲିବ୍ରେଟ୍‌ କରିବୁ... ସତ୍ୟକାମକୁ ସଙ୍ଖୋଳିବାପାଇଁ ସମସ୍ତଙ୍କର ଇଚ୍ଛା । ଆଜି ସନ୍ଧ୍ୟାରେ ହୋଟେଲ ମେରିଅନ୍‌ରେ... ଗାଡ଼ି ନେଇ ହୁମାୟୁନ୍‍ ଆସିବ ଆପଣମାନଙ୍କୁ ନେଇଯିବାପାଇଁ ।”

 

ତାଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀମୟୀ ।

 

ଟ୍ରେ ଧରି ଲକ୍ଷ୍ମୀ ଛିଡ଼ା ହୋଇଥିଲା ପଛରେ । ସମସ୍ତଙ୍କ ହାତକୁ ଆମ୍ବରସ ଗିଲାସେ ଗିଲାସେ ବଢ଼ାଇଦେଲେ ଶ୍ରୀମୟୀ ।

 

ବିଦାୟ ନବା ପୂର୍ବରୁ କହିଲେ ମୁକ୍ତେଶ୍ଵର ତଲ୍‌ୱାଲ୍‌କର - “ଏଇ କେତେଦିନ ଧରି ତମ ମା’ କେଡ଼େ ଉଦ୍‌ବେଗରେ ଥିଲେ, ଆମେ ସମସ୍ତେ କିପରି ଉତ୍କଣ୍ଠାରେ ଅପେକ୍ଷା କରୁଥିଲୁ ତୁମର ଫେରିଆସିବା ବାଟକୁ ତାହା ତୁମେ ଭୁଲି ଯିବନି ସତ୍ୟକାମ । ମୋର ଗୋଟେ ଅନୁରୋଧ, ଆଉ ଆଦେଶ ବି, ତମେ ବେପରୁଆ ରାତି ଅଧରେ ଏଣେତେଣେ ବୁଲିବ ନାହିଁ । ହୋମ୍‌ ସେକ୍ରେଟାରୀଙ୍କ ସହିତ ଆଲୋଚନା କରିଆସିଛି ମୁଁ, ଆଜିଠାରୁ ସାଦା ପୋଷାକରେ ଦୁଇ ଜଣ ଇଣ୍ଟେଲିଜେନ୍‍ସର ଲୋକ ତମ ସାଙ୍ଗରେ ସବୁବେଳେ କାୟାର ଛାୟା ପରି ରହିଥବେ । ବାହାରକୁ ଗୋଡ଼ ଟେକିବା ପୂର୍ବରୁ ତମେ ସେମାନଙ୍କୁ ଜଣେଇବ ତମର ଗତିପଥ ଓ ଲକ୍ଷ୍ୟସ୍ଥଳ ସମ୍ପର୍କରେ...।”

 

ସତ୍ୟକାମ କହିଲା - “ଆପଣଙ୍କ ସହିତ କେତେକ ଜରୁରୀ ବିଷୟରେ ଆଲୋଚନା କରିବାର ଅଛି...।”

 

ମୁକ୍ତେଶ୍ୱର କହିଲେ- ‘‘ଆଜି ବିଶ୍ରାମ କର..... କାଲି ସକାଳ ଦଶଟା ....ମୁଁ ତୁମକୁ ଅପେକ୍ଷା କରିଥିବି ।’’

 

ସେମାନେ ସମସ୍ତେ ଚାଲିଯିବା ପରେ ଶ୍ରୀମୟୀ କହିଲେ - “ତୁ ଫାଦର୍‍ଙ୍କୁ ଫୋନ୍‌ କରିବୁ-?”

 

“ହଁ ମା’ !” କହିଲା ସତ୍ୟକାମ ।’’

 

-‘‘ଆଉ ଡେରି ନ କରି ଏଇନେ ଫୋନ୍‍ କରି ଜଣାଇ ଦେ ଯେ ତୁ ଭଲରେ ଫେରିଆସିଛୁ... ମୁଁ ତାଙ୍କୁ କହିଥିଲି... ଶୁଣିବାକ୍ଷଣି ସେ କ’ଣ କହିଲେ ଜାଣୁ... କିଛି ଚିନ୍ତା କରନା, ତମ ପୁଅପାଇଁ ମୁଁ ପ୍ରାର୍ଥନା କରିବି ପ୍ରଭୁଙ୍କୁ... ଅଖଣ୍ଡ ପ୍ରାର୍ଥନା ଚାଲିବ ସେ ଫେରିବା ପର୍ଯ୍ୟନ୍ତ... । ତାଙ୍କୁ ତୁ ସାଙ୍ଗେ ସାଙ୍ଗେ କହିଦେ ବାପା... ।’’

 

ଫାଦର୍‍ ବୋଧହୁଏ ଅପେକ୍ଷା କରୁଥିଲେ ଶୁଭ ଖବର ଶୁଣିବାପାଇଁ । ଟେଲିଫୋନ୍‌ରେ ପ୍ରଥମ ଶବ୍ଦ ଶୁଣିବାକ୍ଷଣି କଣ୍ଠସ୍ଵର ଜାଣିପାରି ଫାଦର୍‍ ଚିତ୍କାର କଲେ – ‘‘ହିପ୍‌ହିପ୍‌ ହୁର୍‌ରେ ମାଇଁ ସନ୍‌... ଏ ଗ୍ରେଟ୍‌ ବ୍ଲେସିଂ ଅଫ୍‍ ଗଡ଼....ତାଙ୍କ କରୁଣା ବିନା କିଛିହିଁ ଘଟେ ନାହିଁ... “ସେ ତମ ସହିତ ସବୁବେଳେ ସବୁଠାରେ ଅଛନ୍ତି...।’’

 

ଫାଦର୍‍ଙ୍କୁ କୃତଜ୍ଞତା ଜଣାଇଲା ସତ୍ୟକାମ ।

 

ମନେପଡ଼ିଗଲା ପନ୍ଦର ବର୍ଷ ତଳର ଘଟଣାଟିଏ । ସେ ଫୁଟବଲ ଖେଳିବାକୁ ଯାଇଥିଲା । ଫାଇନାଲ୍‌ ମ୍ୟାଚ୍‌ ଥାଏ ସେଦିନ । ଗୋଟିଏ ପାଖରେ ସତ୍ୟକାମ ଓ ତା’ ଦଳ ଏବଂ ଅନ୍ୟ ପାଖରେ ଡାନିଏଲ୍‌ ଏବଂ ତା’ ଦଳ । କିଏ ଗୋଲ ଦବ ତାହାହିଁ ଥାଏ ସମସ୍ତଙ୍କ ପ୍ରଶ୍ନ... ।

 

ହଠାତ୍‌ ବଲ୍‌ଟା ତା’ ପାଦତଳେ ପଡ଼ିଲା ଆସି ଏବଂ ଛାତି ଉପରେ କ୍ରସ୍‌ ଆଙ୍କି ବଲ୍‌ଧରି ଗୋଲ ପୋଷ୍ଟ ଆଡ଼କୁ ଦୌଡ଼ିଲା ସେ । କେହି ଅଟକାଇ ପାରିଲେ ନାହିଁ ତାକୁ... କିନ୍ତୁ ବଲ୍‌ ସିନା ଗୋଲ୍‌ପୋଷ୍ଟ ଭିତରେ ପଡ଼ିଲା, ସେ କିନ୍ତୁ ବାଡ଼େଇ ହୋଇଗଲା ଗୋଲପୋଷ୍ଟ ଉପରେ ।

 

ତାକୁ ଅଚେତ ଅବସ୍ଥାରେ ଟେକିଆଣିଲେ ଶିକ୍ଷକମାନେ । କିନ୍ତୁ ଫାଦର୍‍ ଆବ୍ରାହମ୍‍ ପ୍ରାର୍ଥନା ଗୃହକୁ ଯାଇ ଆବୃତ୍ତି କରି ଚାଲିଲେ ଆତ୍ମ ସମର୍ପଣର ପ୍ରାର୍ଥନା... ।

 

ତା’ର ଚେତା ଫେରିବାବେଳକୁ ସେ କାହାକୁ ଖୋଜୁଥିବା ପରି ଚାହିଁବା ଦେଖି ଜଣେ ଶିକ୍ଷକ କହିଲେ - “ଫାଦର୍‍ ଚର୍ଚ୍ଚରେ...ଖବର ପାଇସାରିବେଣି ଏତେବେଳକୁ...

 

ଯେକୌଣସି ମୁହୂର୍ତ୍ତରେ ପହଞ୍ଚିଯିବେ...।”

 

ତାଙ୍କ ମୁହଁରୁ କଥା ସରି ନ ଥାଏ, ଫାଦର୍‍ ଆବ୍ରାହମ୍ ଦ୍ରୁତ ପାଦରେ ଆସି ତାକୁ କୋଳକୁ ଟେକିନେଇ ଆଉଁସି ପକାଇଲେ... ତା’ କପାଳରେ ଚୁମାଟିଏ ଦେଲେ ଏବଂ କହିଲେ, ‘‘ଭୟ ନାହିଁ, ସେ ସଦାବେଳେ ସବୁଠାରେ ଆମ ସହିତ ଅଛନ୍ତି ।’’

 

ଆଜି ବି ଫାଦର୍‍ଙ୍କ ମୁହଁରୁ ସେଇ କଥାଶୁଣି ଈଶ୍ଵର କେତେ ବଡ଼ ନିରାପଦ ଆଶ୍ରୟ ତାହା ଭାବି ନତମସ୍ତକ ହେଲା ସତ୍ୟକାମ ।

 

ଠିକ୍‌ ଆଠଟାବେଳେ ହୁମାୟୁନ୍‌ ଆସି ପହଞ୍ଚିଲା ଗାଡ଼ିନେଇ । ମା’ଙ୍କ ସହିତ ଘରୁ ବାହାରିବାବେଳକୁ ଦୁଇ ଜଣ ଅପରିଚିତ ହୃଷ୍ଟପୁଷ୍ଟ ଯୁବକଙ୍କୁ ଦେଖି ପଚାରିଲା ସତ୍ୟକାମ, ସେମାନେ କିଏ ? ସେମାନେ ଆଗେଇ ଆସି ତାକୁ ଅଭିବାଦନ କରି ଛିଡ଼ା ହେଲେ ।

 

ସତ୍ୟକାମର ମୁହଁରୁ ବାହାରିଗଲା - ହୋଟେଲ ମେରିଅନ...

 

ଗାଡ଼ି ଛାଡ଼ିଲା । ମୋଟର ସାଇକେଲରେ ଦୁହେଁ ଅନୁସରଣ କଲେ ସତ୍ୟକାମକୁ । ଗାଡ଼ି ହୋଟେଲର ପୋର୍ଟିକୋରେ ଛିଡ଼ାହେଲା । ଆଗ ସତ୍ୟକାମ ଏବଂ ତା’ପରେ ଶ୍ରୀମୟୀ ଓହ୍ଲାଉଥିବାବେଳେ କ୍ୟାମେରା ହାତରେ ଜଣେ କେହି ଆଗେଇ ଆସୁଥିବା ଦେଖି ତାକୁ ଠେଲିଦେଇ ଆଗରେ ଠିଆ ହୋଇଗଲା ସେମାନଙ୍କ ସହିତ ଆସିଥିବା ଜଣେ ଯୁବକ । ଅନ୍ୟଜଣେ ସେଇ ଫଟୋଗ୍ରାଫରକୁ ଠେଲି ଠେଲି ବାହାରକୁ ନେଇ ଯାଉଥିବା ଦେଖିଲା ସତ୍ୟକାମ, କିନ୍ତୁ କିଛି କହିଲା ନାହିଁ ।

 

ସେଇ ଫଟୋଗ୍ରାଫରକୁ ପୂର୍ବରୁ କେଉଁଠି ଦେଖିବା ପରି ମନେହେଲା ନାହିଁ ତା’ର । କେଉଁ କାଗଜର ବା ଟି.ଭି. ଚ୍ୟାନେଲର ପ୍ରତିନିଧି ସେ ? ସେଠାରେ ଆଉ କେତେଜଣ ଫଟୋଗ୍ରାଫର ମଧ୍ୟ ଥିଲେ । କିନ୍ତୁ ସେମାନଙ୍କୁ ଛାଡ଼ି ଜଣକୁ କେବଳ ବାହାରକୁ ସେ ଭିଡ଼ିନେଲା କାହିଁକି ?

 

ରାତ୍ରି ଭୋଜନ ପରେ ଫେରିବା ପୂର୍ବରୁ ସେଇ ଦୁଇଜଣ ତାକୁ ଏକାନ୍ତରେ କହିଲେ, “ମୋ ନାମ ମାର୍ଟିନ ଆଉ ଇଏ ବଲବୀର୍‍ । ଆମେ ପୁଲିସ୍‍ର ଲୋକ...

 

ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ଆସିବାବେଳର ଘଟଣା ଦେଖି... ଜଣେ ଅବାଞ୍ଛିତ ବ୍ୟକ୍ତି ପଶି ଆସିଥିଲା । ତା’ର ଉଦ୍ଦେଶ୍ୟ କଣ ଅବଶ୍ୟ ଜଣାନାହିଁ । ପୁଲିସ୍‍ ହେପାଜତରେ ଥିବ ଏଇନେ ଇନ୍‌ଭେଷ୍ଟିଗେସନ୍‍ ପାଇଁ ।” ଘରକୁ ଫେରିବା ପରେ ଶ୍ରୀମୟୀ କହିଲେ - “ଭଗବାନ୍‌ ଆମ ପାଖେ ପାଖେ ଅଛନ୍ତି, ନ ହେଲେ- ଏତେ ଲୋକଙ୍କର ଶୁଭକାମନା, ସଦ୍ଦିଚ୍ଛା ଆମେ ପାଇ ନ ଥାନ୍ତେ..... ମୁଁ ଭଗବାନ୍‌ଙ୍କୁ କ’ଣ କହୁଛି ଜାଣୁ... ତୋ ପରି ପୁଅ ମୋ କୋଳକୁ ଜନ୍ମ ଜନ୍ମ ଧରି ଆସୁଥାଉ ।’’

 

॥ ଏଗାର ॥

 

ଦୀର୍ଘ ସମୟ ଧରି ମୁକ୍ତେଶ୍ଵର ତଲ୍‌ଓ୍ୱାଲ୍‍କରଙ୍କ ସହିତ ଆଲୋଚନା କଲାବେଳେ ସେ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁ ଥାଆନ୍ତି ଏବଂ ସତ୍ୟକାମ ଉତ୍ତର ଦେଇ ଚାଲିଥାଏ । ତିନିଜଣ ଲୋକଙ୍କୁ ଏକାଦିନେ ତିନିଟି ନିର୍ଦ୍ଦିଷ୍ଟ ସ୍ଥାନରେ ହତ୍ୟା କରିବା ପରେ ଏବଂ ତିନୋଟି ହତ୍ୟାକାଣ୍ଡକୁ ଭିନ୍ନ ଭିନ୍ନ ଘଟଣାଭାବେ ତଦନ୍ତ ନ କରି ଏସବୁ ଜଣକର ରଚନା ସେଇ ସିଦ୍ଧାନ୍ତ ଆଉ କେହି ବିଶ୍ଵାସ କରୁ ନ ଥିଲେ ମଧ୍ୟ ସତ୍ୟକାମ ସେଇ ତିନୋଟି ଖିଅର ମୂଳ ଗୋଟିଏ ତାହାହିଁ ପ୍ରମାଣ କରିବାକୁ ଚାହୁଁଥିଲା-। ଏଇ ତତ୍ତ୍ୱ ଯଦି ପ୍ରମାଣ ହୋଇଯାଏ ତେବେ ହତ୍ୟାକାରୀ ଏକାଧିକ ବ୍ୟକ୍ତି ହୋଇଥିଲେ ବି ତାହା ଯେ ଦୁଇ ଜଣ ବା ତିନି ଜଣଙ୍କର ଭିନ୍ନ ଭିନ୍ନ ଷଡ଼ଯନ୍ତ୍ରର ପରିଣତି ନୁହେଁ ବରଂ ଜଣକର ଷଡ଼ଯନ୍ତ୍ରର ଶେଷ ପରିଣତି ତାହା ମଧ୍ୟ ପ୍ରମାଣ କରିଦେଇପାରିବ ସେ ।

 

ତା’ କଥା ଶୁଣି ଭାନୁମତୀର କୁହୁକ ପେଡ଼ିରେ ହଜିଯିବା ପରି ଲାଗୁଥାଏ ମୁକ୍ତେଶ୍ଵରଙ୍କୁ । ସମ୍ବାଦପତ୍ରର ବିଭିନ୍ନ ଭୂମିକାରେ ଦୀର୍ଘ ସମୟ ଧରି ସେ କାମ କରି ଆସିଛନ୍ତି । ସେଥିରୁ ସେ ପ୍ରଚୁର ଅଭିଜ୍ଞତା ଅର୍ଜନ କରିଛନ୍ତି । କିନ୍ତୁ ଏପରି ସଂଯୋଜିତ ଓ ସଞ୍ଚାଳିତ ନାଟକର ନିର୍ଦ୍ଦେଶକ ଯେ ଏକାଧିକ ବ୍ୟକ୍ତି ନୁହଁନ୍ତି ମାତ୍ର ଜଣେ ତାହାହିଁ ତାଙ୍କୁ ଚକିତ କରୁଥାଏ ଏବଂ ସେଇ ରହସ୍ୟ ଉନ୍ମୋଚନ କରିବା ନାମରେ ସେ ଟାଣିହୋଇ ଯାଉଥାନ୍ତି ସେଇଆଡ଼କୁ ।

 

ସତ୍ୟକାମ କହିଲା, “ସାର୍‌, ଆମେ ପ୍ରଥମେ ତିନୋଟି ହତ୍ୟାକାଣ୍ଡର ଅନୁସନ୍ଧାନ କରିବା । ତା’ ପରେ ତାହା କିଏ କଲା, କାହିଁକି ଓ କିପରି କଲା ସେ ବିଷୟରେ ଆଲୋଚନା କରିବା । ମୋର ବିଶ୍ଵାସ ମୁଁ ଆପଣଙ୍କୁ ବୁଝାଇ ଦେଇପାରିବି...।”

 

ମୁକ୍ତେଶ୍ଵର କହିଲେ - “ତୁମ କଥା ଶୁଣି ମୁଁ ବିଶ୍ଵାସ କରିପାରୁନାହିଁ ଯେ ଏସବୁ ପରସ୍ପର ସହିତ ଜଡ଼ିତ ଏବଂ ଜଣେ ଲୋକର ସୁଚିନ୍ତିତ ପରିକଳ୍ପନାର ପରିଣତି ଯଦି ପ୍ରକୃତରେ ଆମେ ଏଇ ରହସ୍ୟ ଉନ୍ମୋଚନ କରିଦେଇପାରିବା ତେବେ ‘ନିଉ ଟାଇମ୍ସ୍’ ଓଡ଼ିଶାବାସୀଙ୍କ ଆସ୍ଥା ଭୋଟରେ ବିଜୟୀ ହେବ ଏବଂ ତା’ପରେ ଆମ କାଗଜ ‘ଏକ ନମ୍ବର କାଗଜ’ ହେବାରେ ବେଶି ସମୟ ଲାଗିବ ନାହିଁ ...।”

 

ମୁଁ ମଧ୍ୟ ଏ ବିଷୟ ଅନେକ ଭାବିଛି ସାର୍‌ ! ମୁଁ ଆପଣଙ୍କୁ ମିଛ ପ୍ରତିଶ୍ରୁତି ଦେବି ନାହିଁ । ଆପଣଙ୍କ ଚାରି ପାଖରେ ମିଛ କୁହୁଡ଼ି ସୃଷ୍ଚି କରିବା କ୍ଷମତା ମୋର ନାହିଁ । କିନ୍ତୁ ମୁଁ କେବଳ ଭାବୁଛି ଆଉ ଗୋଟିଏ ଦିଗ...”

 

ତା’ କଥାରେ ବାଧାଦେଇ କହିଲେ ମୁକ୍ତେଶ୍ଵର - “ସେଇ ଦିଗଟି ସ୍ପଷ୍ଟ କର... କ’ଣ ଅସୁବିଧା ଅଛି ସେଥିରେ ?”

 

“ସରକାର ଏଇ ଟ୍ରିପଲ୍‌ ମର୍ଡର ସମ୍ପର୍କରେ ନ୍ୟାୟିକ ଅନୁସନ୍ଧାନ କରିବାପାଇଁ ଘୋଷଣା କରିସାରିଛନ୍ତି । ଶୀଘ୍ର ଜଣେ ବିଚାରପତି ନିଯୁକ୍ତ ହେବେ । ପୁଲିସ୍‌ ମଧ୍ୟ ଚୁପ୍‌ହୋଇ ବସି ରହିନି । ଅନୁସନ୍ଧାନ ଚଲାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ମୋ ପାଖରେ ଥିବା ଖବର ଅନୁସାରେ ପୁଲିସ୍‌ ତିନୋଟି ହତ୍ୟାଘଟଣାକୁ ଭିନ୍ନ ଭିନ୍ନ ଘଟଣାଭାବେ ପ୍ରମାଣ କରିବାପାଇଁ ଉଦ୍ୟମ କରୁଛି... । କିନ୍ତୁ ଆମେ ଯଦି ଆଗରୁ କହିଦେଉ ଏ ବିଷୟରେ...?”

 

ଟେବୁଲ ଉପରେ ହାତ ବାଡ଼େଇ କହିଲେ ମୁକ୍ତେଶ୍ଵର - “ଭେରି ଇଣ୍ଟରେଷ୍ଟିଂ... ଆମେ ଆମ ଅନୁସନ୍ଧାନ ଜାରି ରଖିବା, ସବୁ ତଥ୍ୟ ସଂଗ୍ରହ କରିବା ଏବଂ ତଥ୍ୟର ବିଶ୍ଳେଷଣ କରି ସିଦ୍ଧାନ୍ତରେ ମଧ୍ୟ ପହଞ୍ଚିବା । ପୁଲିସ୍‍ ତା’ କାମ କରୁ । ଆମେ ସେଥିରେ ବାଧା ଦବୁନି, କିମ୍ବା ପୁଲିସ୍‌କୁ ବିଭ୍ରାନ୍ତ କରିବାପାଇଁ ଉଦ୍ୟମ କରିବୁ ନାହିଁ । କିନ୍ତୁ ଯେତେବେଳେ ପୁଲିସ୍‍ର ତଥ୍ୟ ସରକାର ଗ୍ରହଣ କରିବାପାଇଁ ବିଚାର କରୁଥିବେ ବିଚାରପତି ମଧ୍ୟ ସେଇ ସତ୍ୟରେ ଉପନୀତ ହେବାପାଇଁ ଚିନ୍ତା କରୁଥିବେ ସେତେବେଳେ ଆମେ ଆମ ଅନୁସନ୍ଧାନର ଫଳ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦବୁ । ବିରୋଧୀ ଦଳକୁ ଗୋଟେ ବଡ଼ ଅସ୍ତ୍ର ମିଳିଯିବ ସରକାରକୁ ଅପଦସ୍ଥ କରିବାପାଇଁ... ନିର୍ବାଚନ ପାଖେଇ ଆସୁଛି... ତମେ ବୁଝିପାରୁଥିବ ସରକାରଙ୍କ ଅବସ୍ଥା କ’ଣ ହେବ-!!’’

 

ମୁକ୍ତେଶ୍ଵର କିଛି ସମୟ କ’ଣ ଭାବି ପୁଣି କହିଲେ - “କିନ୍ତୁ ସତ୍ୟକାମ ତୁମେ ଯେ ଏପରି ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେବାକୁ ଯାଉଛ ଏ ସମ୍ପର୍କରେ ଆଉ କେହି ଜାଣିନି ତ ! ତମେ ବୁଝିପାରୁଥିବ ଯେ ଏ ବିଷୟ ସାମାଜିକ ଓ ରାଜନୀତିକ ଦୃଷ୍ଟିରୁ ଅତି ବିସ୍ଫୋରକ... । ପର୍ଦ୍ଦା ଉଠାଇବା ପରେ ଭିତରର ସବୁ ଘଟଣା, ସବୁ ଚରିତ୍ର ଯେତେବେଳେ ଜଣାପଡ଼ିଯିବ ସେତେବେଳେ ଦର୍ଶକମାନଙ୍କ ହାତତାଳି ପ୍ରତି ଲୋଭ ନ ରଖି ପରବର୍ତ୍ତୀ ପରିସ୍ଥିତି ସମ୍ଭାଳିବାପାଇଁ ପୂର୍ବରୁ ପ୍ରସ୍ତୁତି ଥିବା ଦରକାର । ଆମ କାଗଜରେ ଏଇ କାହାଣୀ ପ୍ରକାଶ ପାଇବା ଆଗରୁ ଯଦି କେହି ଜାଣିଯାଏ ତେବେ କ’ଣ ନା କ’ଣ ଘଟି ଯାଇପାରେ ଚିନ୍ତା କର । ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜି ଯେତେ ଅଗ୍ରଗତି କଲାଣି ଗୋଟେ ଷ୍ଟୋରିକୁ ଲିକ୍ କରିବାପାଇଁ ଆଦୌ ସମୟ ଲାଗିବ ନାହିଁ । ତମ ମୋ ଭିତରେ କଥାଟା ରହେ ଯେପରି । ହୁମାୟୁନ୍‌ଠାରୁ ଖବର ସଂଗ୍ରହ କର, କିନ୍ତୁ କ’ଣ ନିଷ୍ପତ୍ତିରେ ପହଞ୍ଚିବ ତାହା ତୁମର ନିଜସ୍ଵ ନିଷ୍ପତ୍ତି ହେବା ବାଞ୍ଛନୀୟ । ସେଥିରୁ ଆଉ କେହି ଭାଗ ନ ନିଏ ଯେପରି ।’’

ସତ୍ୟକାମ ମଥା ହଲାଇ ସମ୍ମତି ଜଣାଇଲା ।

ଅନୁସନ୍ଧାନରୁ ମିଳିଥିବା ସବୁ ତଥ୍ୟ, ସବୁ ବିବରଣୀ ଅତି ଗୋପନୀୟ । ସେସବୁ ଆଉ ନିଜ କୋଠରିରେ ରଖିବା ନିରାପଦ ହେବ ନାହିଁ ଭାବି ଏ ବିଷୟରେ ଏଡ଼ିଟର୍‍ଙ୍କ ପରାମର୍ଶ ନେବା ମାତ୍ରେ ସେ କହିଲେ - “ମୋ ଷ୍ଟ୍ରଙ୍ଗରୁମ୍‌ରେ ଗୋଟେ କପ୍‌ବୋର୍ଡ଼ ଖାଲି ଅଛି । ସେଇଠି ରଖ । ତମ ପାଖରେ ଗୋଟେ ଚାବିକାଠି ରଖ, ଡୁପ୍ଳିକେଟ୍‌ ମୋ ପାଖରେ ଥାଉ । ହଁ, ତମେ ଯେତେବେଳେ କପ୍‌ବୋର୍ଡ଼ ଖୋଲିବ ତାହା ମୋ ଉପସ୍ଥିତିରେ କରିବ ଯେ ସେତେବେଳେ ଆଉ କୋଠରିରେ ଯେପରି କେହି ପ୍ରବେଶ ନ କରେ ତାହା ମୁଁ ନିଶ୍ଚିତ କରିବି ।

ଅଫିସରୁ କାମସାରି ବାହାରିବାବେଳକୁ ରାତି ଦଶଟା ବାଜି ଯାଇଥଲା । କାଲି ରବିବାର-। ଅନେକ କର୍ମଚାରୀ ଘରକୁ ଯାଆନ୍ତି ଶନିବାର । ସେମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଚାଲି ଯାଇଥବାରୁ ଖାଲି ଖାଲି ଲାଗୁଥିଲା । ହୁମାୟୁନ୍‍ ବି ଚାଲିଯାଇଥିଲା । ଅର୍କ ବି ନ ଥିଲା । ସେ ମୋଟରସାଇକେଲ ବାହାର କରି ଷ୍ଟାର୍ଟ କଲାବେଳକୁ କେହି ଜଣେ ପାଚେରି ସେପଟେ ଲୁଚିଯିବା ପରି ଲାଗିଲା ତାକୁ । ସେ ନଡ଼ିଆଗଛ ପାଖରୁ ବୁଲି ଆସିଲା । ପାଚେରି ସେ ପାଖରୁ ଦୃଷ୍ଟି ବୁଲାଇ ଆଣିଲା । କିନ୍ତୁ କାହାକୁ କେଉଁଠି ନ ପାଇ ଗାଡ଼ି ଷ୍ଟାର୍ଟ କରି ବାହାରିଗଲା ।

ଠିକ୍‌ ତା’ ପଛେ ପଛେ ଦୁଇ ଜଣ ଗୋଟେ ହିରୋହୋଣ୍ଡା ଚଢ଼ି ବାହାରି ଯାଉଥବା ଦେଖି ଦରଓ୍ୱାନ୍‌ ନମ୍ବରଟା ଲେଖି ରଖିଲା । ପ୍ରତିଦିନ ସେ ଏପରି କରେ । ଅଫିସ୍‌ ଭିତରକୁ ବା ଅଫିସ୍‌ ବାହାରକୁ ଯାଉଥବା ଗାଡ଼ି ବା ମୋଟରସାଇକେଲ ନମ୍ବର ଓ ସମୟ ଲେଖି ରଖେ । ହିରୋହୋଣ୍ଡା ଯଦି ବା ଅଫିସ୍‌ ଫାଟକ ସାମ୍ନାରେ ଗଲା ତଥାପି କେଜାଣି କାହିଁକି ସେ ନୋଟ କରିନେଲା ନମ୍ବର । ସମ୍ବାଦପତ୍ର ଅଫିସ୍‌ ଉପରେ ଅନେକ ଲୋକଙ୍କ ଛଞ୍ଚାଣ ଦୃଷ୍ଟି ଥାଏ । କିଏ କେଉଁ ସ୍ଵାର୍ଥ ନେଇ ଆସନ୍ତି ତାହା ଜାଣିବା ଅସମ୍ଭବ । ତଥାପି ସିକ୍ୟୁରିଟି ଅଫିସରଙ୍କ ନିର୍ଦ୍ଦେଶାନୁସାରେ କାମ କରିଥାଆନ୍ତି ଫାଟକ ଓ ପଛପଟ ପ୍ରବେଶ ଦ୍ଵାର ଜଗିଥିବା ଜଗୁଆଳିମାନେ !

ଘରେ ପହଞ୍ଚବାବେଳକୁ ସାଢ଼େ ଦଶଟା । ମା’ ଅପେକ୍ଷା କରିଥିଲେ ତା’ ପାଇଁ । ସତ୍ୟ ମୁହଁ ହାତ ଧୋଇ ଖାଇବାପାଇଁ ଟେବୁଲ ଉପରକୁ ଆସିଗଲା । ଶ୍ରୀମୟୀ କହିଲେ

-‘‘ଜଳଖିଆ ଖାଇନୁ ବୋଧହୁଏ, ଭୋକ କରୁଥିବ...।’’

-“ତମେ ବି ବସ ମା” । ଏକା ସାଙ୍ଗରେ ଖାଇବା...।’’

-‘‘କିନ୍ତୁ ତୋତେ ଖୁଆଇ ପାରିଲେ ତ ମୋ ପେଟ ଭର୍ତ୍ତି ହୋଇଯାଏ ବାପା...।’’

-‘‘ନା, ନା, ଆଜି ଆଉ ତମେ ଫାଙ୍କି ଦେଇପାରିବ ନାହିଁ, ସାଙ୍ଗହୋଇ ଖାଇବା । ତମ ଥାଳି ଆଣ... ।”

ପୁଅର ଝୁଙ୍କ ମାନିନେଲେ ଶ୍ରୀମୟୀ ।

ଦିନବେଳେ ଭାତ ଖାଇବାପାଇଁ ସୁବିଧା ହୁଏନା ବୋଲି ରାତିରେ ଭାତ ଖାଏ ସତ୍ୟକାମ-। ଭାତ, ଡାଲି, ସନ୍ତୁଳା, ମାଛବେସର, ମାଛ ଭଜା ଏବଂ ଦହିବାଇଗଣ । “ମାଛ ଖାଇବାକୁ ଭଲପାଏ ସେ । ବେସରରୁ ଖଣ୍ଡିଏ, ଭଜା ଖଣ୍ଡିଏ ଦେଇଥିଲେ ଶ୍ରୀମୟୀ । ଭଜା ଖଣ୍ଡିଏ ଖାଇସାରିଛି, କିନ୍ତୁ ଏଯାଏ ବେସରରେ ହାତ ଦେଇ ନ ଥିବାରୁ କହିଲେ, “ଆଉ ଖଣ୍ଡେ ଭଜା ନେ... ବେସର ବି ତୁ ଭଲ ପାଉ । ଛାଡ଼ିବୁନି କିଛି ।’’ ସ୍ଵଳ୍ପାହାରୀ ସତ୍ୟକାମ ନା, ନା କହୁ କହୁ ତା’ ଥାଳିରେ ଆଉ ଖଣ୍ଡେ ମାଛଭଜା ଦେଇ କହିଲେ, ତୋତେ ଗୋଟେ କଥା ପଚାରିବି ପଚାରିବି ହେଉଛି, କନ୍ତୁ ସମୟ ପାଉନି । ଖାଇସାର, ବସିବା...।”

 

-‘‘ଖାଇବାବେଳେ ପଚାରି ଦେଉନ କାହିଁକି ମା’ । ତମେ ଜାଣ ମୁଁ ଖାଇସାରିବା ପରେ ଶୀଘ୍ର ଶୋଇପଡ଼େ...।”

 

ତା’ ସରଳ ପ୍ରସନ୍ନ ମୁହଁକୁ ଚାହିଁଲେ ଶ୍ରୀମୟୀ । ତା’ପରେ କହିଲେ - “ମୋତେ କେବେ ମୁକ୍ତି ଦବୁ ଏ ସଂସାର ଜଞ୍ଜାଳରୁ ?”

 

ସତ୍ୟକାମ ମର୍ମ ବୁଝି ନ ପାରି କହିଲା - “ମା’ ! ତୁମେ ତ ଶିଖାଇଥିଲ ନା ଏଇ ସଂସାର ଅଟଇ ବୈକୁଣ୍ଠ ସମାନ । ତେବେ ହଠାତ୍‌ ସଂସାର ବୈରାଗ୍ୟ ହେବ କାହିଁକି ?’’

 

“ନାରେ ପାଗଳା, ମୁଁ ବାବାଜି ମାତାଜୀଙ୍କ ବୈରାଗ୍ୟ କଥା କହୁନି । ମୁଁ କହୁଚି...”

 

ସତ୍ୟକାମ କହିଲା - “ଆଉ କାହା ହାତକୁ ଦାୟିତ୍ୱ ସମର୍ପିଦବା ଇଚ୍ଛା ତମର ନା ।’’

 

‘‘ହଁ ହଁ ଠିକ୍‌ କହିଛୁ । ମୁଁ ଚାହେଁ ତୋତେ ସାନ୍ନିଧ୍ୟ ଦବାପାଇଁ କେହି ଆସୁ ଏ ଘରକୁ...।’’

 

“ମା’ ! ତୁମଠାରୁ ଆଉ କିଏ ବେଶି ମୋ କଥା ବୁଝିବ କହିଲ ? ତୁମକୁ କେନ୍ଦ୍ରକରି ମୁଁ ଘୂରୁଛି ସୂର୍ଯ୍ୟ ଚାରିପାଖରେ ପୃଥିବୀ ବୁଲିବା ପରି... ମୋତେ ନିରାଶ କରିବ ସେଥିରୁ ?”

 

“ନା, ମୋ’ଠାରୁ ତୁ ଯାହା ପାଉଥୁଲୁ ସବୁ ପାଇବୁ... କିନ୍ତୁ ତୁ ବଡ଼ ହେଲୁ... ସଂସାର ଚଳାଇ ପାରିବୁ... ଏଥର ତୋ କାନ୍ଧରେ କିଛି ଅଧିକ ଦାୟିତ୍ୱ ପଡ଼ୁ...”

 

“ତାହାହିଁ ଯଦି ତୁମ ଇଚ୍ଛା ତମେ ଯାହା କହିବ ମୁଁ କରିବି... ।”

 

ଶ୍ରୀମୟୀ ପ୍ରାଣଖୋଲା ହସ ହସି କହିଲେ - “ତୁ ଯେ ଅବାଧ୍ୟ ହବୁନି ମୁଁ ଜାଣେ । କିନ୍ତୁ ଆଗେ ତୋ ମନକଥା ଜାଣିନିଏ... ତୋ ଦୃଷ୍ଟିରେ କେହି ଏପରି ଅଛି ନା ମୁଁ ଖୋଜିବି... ?”

 

ମୁହୂର୍ତ୍ତେ ନିରବ ରହି କହିଲା ସତ୍ୟକାମ - “ବରଂ ତମେ ଠିକ୍‌ କର... ମୋତେ ସେ ଭିତରେ ପୂରାଅ ନାହିଁ...”

 

ଆଜି ଏତିକିରେ ରହିବାପାଇଁ ଠିକ୍‌ କଲେ ଶ୍ରୀମୟୀ । ଅସୀମା ସହିତ ପରିଚୟ ବୋଧହୁଏ ପାକଳ ହୋଇନି... ସେଦିନ ଉଭୟଙ୍କ ଦୃଷ୍ଟିରେ ପୂର୍ବ ରାଗର ସଂକେତ ଦେଖିବା ପରି ଲାଗିଥିଲା ତାଙ୍କୁ ।

 

ରାତିସାରା ଭାବିଲେ ଶ୍ରୀମୟୀ ଏ ବିଷୟରେ । ଆଗେ ଅସୀମାର ମତ ଜାଣିବା ଦରକାର... ତା’ପରେ ତା’ ଭାଇ ଓ ପରିବାରର । ସେମାନେ ମୁସଲମାନ, ହିନ୍ଦୁ ଘରେ ଝିଅ ଦେବେ କି ନାହିଁ କିଏ ଜାଣେ ? କିନ୍ତୁ ହିନ୍ଦୁ ଘରକୁ ମୁସଲମାନ ବୋହୂ ଆଣିବାପାଇଁ ତାଙ୍କର ଆପତ୍ତି ନାହିଁ । ମଣିଷମାନଙ୍କ ଧର୍ମ ଭିନ୍ନ ହୋଇପାରେ, କିନ୍ତୁ ଧର୍ମ ଓ ସମ୍ପ୍ରଦାୟକୁ ଭିତ୍ତି କରି ସେ ଲୋକମାନଙ୍କୁ ଭାଗ ଭାଗ କରିବାକୁ ଇଶ୍ଵର ଚାହାଁନ୍ତି ନାହିଁ । ପରସ୍ପରର ସ୍ୱାଧୀନତା ରହୁ ନିଜ ବିଶ୍ଵାସ ଅନୁସାରେ ପୂଜା ପ୍ରାର୍ଥନା କରିବାପାଇଁ ବା ନିରୀଶ୍ଵର ରହିବାପାଇଁ । ଏ ବିଷୟରେ ପ୍ରତ୍ୟେକ ବ୍ୟକ୍ତିର ପୂର୍ଣ୍ଣ ସ୍ଵାଧୀନତା ରହିବା ଆବଶ୍ୟକ ।

 

ନିଦ ହେଉ ନ ଥାଏ ବୋଲି ବାରମ୍ବାର କଡ଼ ଲେଉଟାଉଥାନ୍ତି ଶ୍ରୀମୟୀ । ବାହାରେ କ’ଣ ଶବ୍ଦ ଶୁଣି ଉଠି ବସିଲେ, ଝରକା ଦେଇ ବାହାରକୁ ଚାହିଁଲେ । କେହି ଦୃଷ୍ଟିରେ ପଡ଼ିଲେ ନାହିଁ । ହୁଏତ ପକ୍ଷୀଟିଏ ହୋଇଥିବ...ବା ବିଲେଇ କି କୁକୁର ଗୋଟେ ଦଉଡ଼ି ଯାଇଥିବ...।

 

ବାହାରେ ବିଛେଇ ହୋଇ ପଡ଼ିଥିଲା ଜହ୍ନ ଆଲୁଅ । ଆମ୍ବଗଛ ଉହାଡ଼ରେ କିଏ ଜଣେ ଠିଆ ହୋଇଥିବା ପରି ଲାଗିଲା ତାଙ୍କୁ । ରାତି ଦୁଇଟାବେଳେ କିଏ ଫାଟକ ଖୋଲି ବଗିଚା ଭିତରେ ପ୍ରବେଶ କରିବ ?

 

ଚୋର ତସ୍କର ?

 

କିନ୍ତୁ ପରକ୍ଷଣରେ ନିଜକୁ ସଂଶୋଧନ କରିବାପାଇଁ ମନକୁ ମନ କହିଲେ - କଅଣ ଅଛି ଆମ ଘରେ ଯେ ଚୋର ତସ୍କର ଆସିବ ? କିଛି ଫର୍ଣ୍ଣିଚର, କିଛି ଲୁଗାପଟା, ବାସନକୁସନ ଆଉ ଅଳ୍ପ କିଛି ଟଙ୍କା...ଏତିକିପାଇଁ ଫାଟକ ଡେଇଁ ଧରାପଡ଼ିବାର ରିସ୍କ୍ ନେଇ କିଏ କାହିଁକି ଚୋରି କରିବ ?

 

ମେଘ ଦେହରେ ବିଦ୍ୟୁତ୍‌ ଚମକିବା ପରି ତାଙ୍କ ମନେପଡ଼ିଗଲା ଅତୀତର ସେଇ ସକ୍ରିୟ ସ୍ମୃତି... । ସେଦିନ କିନ୍ତୁ ରାସ୍ତାରେ ଆଲୁଅ ନ ଥିଲା । ଆକାଶରେ ଜହ୍ନ ବି ନ ଥିଲା । ପାପଗୁଡ଼ାକୁ ଲୁଚାଇ ରଖିବାପାଇଁ ବୋଧହୁଏ ଅନ୍ଧାରର ସୃଷ୍ଟି ।

 

ଗୋଟେ ଛାୟାମୁର୍ତ୍ତି ତାଙ୍କଆଡ଼କୁ ଆସୁଥିବା ପରି ଲାଗିଲା ଶ୍ରୀମୟୀଙ୍କୁ ।

 

“କିଏ ! କିଏ ସେ !”

 

ସେତେବେଳକୁ ସେ ଲୋକଟା ପାଖକୁ ଆସି ସାରିଥିଲା । ସେ କହିଲା, “ପାଟି କରନା... ଅନ୍ୟମାନେ ଉଠି ବସିବେ । ମୁଁ ଆସିଛି, ମୋ କଥା କହି ଫେରିଯିବି । ତମର କ୍ଷତି କରିବାକୁ ଆସିନି... ମୁଁ ଚୋର କି ତସ୍କର ନୁହେଁ...।’’

 

ଏତିକି ରାତିରେ ବି ମୁହଁ ଉପରେ ସେଇ କଳା ଚଷମା । ମୁହଟାକୁ ଅସ୍ପଷ୍ଟ କରି ରଖିଥାଏ-

 

-‘‘ତମେ କିଏ ? କ’ଣ କହିବ ବୋଲି ଏତେ ରାତିରେ ଆସିଛ ଚୋର ପରି... ।” କହିଲେ ଶ୍ରୀମୟୀ ।

 

ସେ କିନ୍ତୁ ଆରମ୍ଭ କଲା - “ତୁମ ପୁଅ ମୋ ପଛରେ ପଡ଼ିଛି... ମୋର ସର୍ବନାଶ କରିବାପାଇଁ ଅଭିଯାନ ଆରମ୍ଭ କରିଛି ସେ... କିନ୍ତୁ କ’ଣ ପାଇବ ସେଥିରୁ ? ତାକୁ ନିବର୍ତ୍ତାଅ ସେ ଅଭିଯାନରୁ...”

 

-“ତମେ ତା’ ହେଲେ ନିଶ୍ଚୟ ଖୁନୀ ହୋଇଥିବ ବା ସେହିପରି କୌଣସି ଘୃଣ୍ୟ କାମ କରଥିବ... ମୋ ପୁଅ ନିର୍ଦ୍ଦୋଷ ! ଭଦ୍ର ପୋଷାକ ତଳେ ଅସଲ ପରିଚୟ ଢାଙ୍କି ଯେଉଁମାନେ ସମାଜର କ୍ଷତି କରନ୍ତି, ଅନ୍ୟାୟ କରନ୍ତି, ପାପ କରନ୍ତି ସେମାନଙ୍କୁ ଆଇନ ଛାଡ଼େ ନାହିଁ... କନ୍ତୁ ତମେ ତ ମୋ ପ୍ରଥମ ପ୍ରଶ୍ନର ଉତ୍ତର ଦେଲ ନାହିଁ... ତମେ କିଏ, ଏତେ ରାତରେ କାହିଁକି ଆସିଛ-?’’

 

ଆଗନ୍ତୁକ କିଛି ନ କହି କ’ଣ ଭାବିଲା ବୋଧହୁଏ... । ତା’ପରେ କହିଲା - ‘‘ଇତିହାସର ପୃଷ୍ଠା ଓଲଟାଇ ଲାଭ କ’ଣ ? ତମ ଜୀବନକୁ ଯିଏ ଓଲଟପାଲଟ କରି ଦେଇଛି ସେ ତ କ୍ଷମାର ଅଯୋଗ୍ୟ ।’’

 

ରୁକ୍ଷ ସ୍ୱରରେ କହିଲେ ଶ୍ରୀମୟୀ - “ତମେ କ’ଣ ସେଇ ଲୋକ ?”

 

ଆଗନ୍ତୁକ ଦୀର୍ଘନିଶ୍ଵାସ ଛାଡ଼ିଲା... ତା’ ତୁଣ୍ଡରୁ ପଦଟିଏ ବି ବାହାରିଲା ନାହିଁ । କିନ୍ତୁ ତା’ର ସେଇ ସବାକ୍‌ ନିରବତାହିଁ ଜଣାଇଦେଲା ଯେ ସେ ଆଉ କେହି ନୁହେଁ, ସେଇ ପାଷାଣ୍ଡ !

 

ଶ୍ରୀମୟୀ ଆହୁରି କଠୋର ସ୍ଵରରେ କହିଲେ- “ତମେ ଚୋର ପରି ଆସିଥିଲ, ଚୋର ପରି ବାହାରି ଯାଅ । ତମର ଉପସ୍ଥିତି ମୁଁ ସହ୍ୟ କରିପାରିବି ନାହିଁ । ତୁମ କଳାମୁହଁ ଲୁଚିଯାଉ ଅନ୍ଧାରରେ...”

 

ସେ ମୁହଁ ବୁଲେଇଲା । କିନ୍ତୁ ପାଦ ଉଠାଇବା ପୂର୍ବରୁ କହିଲା - “ସତ୍ୟକାମକୁ କହିବନି ଏକଥା, ମୁଁ ଫେରିଯାଉଛି, କିନ୍ତୁ ଯଦି କେବେ ପ୍ରୟୋଜନ ହୁଏ, ଏ ଅପରାଧୀ ତୁମ କାଠଗଡ଼ାରେ ହାଜର ହେବ କ୍ଷମା ଭିକ୍ଷା କରିବାପାଇଁ...।”

 

ସେ ଯେପରି ଆସିଥିଲା ସେହିପରି ଫେରିଗଲା । କିନ୍ତୁ ଛାଡ଼ିଦେଇଗଲା ଏପରି ଏକ ନିର୍ଜନତା ଯାହା ବିଦୀର୍ଣ୍ଣ କରୁଥିଲା ଶ୍ରୀମୟୀଙ୍କ ଅନ୍ତଃସ୍ଥଳ ।

 

ସେ ଧୀରେ ଧୀରେ କୋଠରି ଭିତରକୁ ଚାଲିଗଲେ... ବାହାରେ ପଡ଼ିରହିଲା ପାପୀର ପାଦଚିହ୍ନ ତାଙ୍କୁ ମନେପକାଇ ଦେବାପାଇଁ ଯେ ପାପୀ ଏବେବି ବଞ୍ଚିଛି... ବୋଧହୁଏ ପାପ ବଞ୍ଚିଥାଏ ଏହିପରି । ପାପୀର ମୃତ୍ୟୁ ହୁଏ, କିନ୍ତୁ ପାପର ଅନ୍ତ ହୁଏ ନାହିଁ । ପାପର ପ୍ରାୟଶ୍ଚିତ୍ତ ନାହିଁ, ପାପୀର ପ୍ରାୟଶ୍ଚିତ୍ତ ଅଛି ।

 

କବାଟ ବନ୍ଦ କରି ବିଛଣା ଉପରେ ଲୋଟିପଡ଼ିଲେ କୋହ ସମ୍ବରଣ କରି ନ ପାରି । କେତେବେଳ ପର୍ଯ୍ୟନ୍ତ ସେ କାନ୍ଦିଥିବେ କେଜାଣି, ସକାଳେ ପୁଅର ଡାକ ଶୁଣି ସେ ଉଠିବାବେଳକୁ ଘଡ଼ିରେ ଆଠଟା ବାଜି ସାରିଥିଲା ।

 

ସତ୍ୟକାମ ପ୍ରାତଃକୃତ୍ୟ ଶେଷ କରିସାରିଥିଲା ସେତେବେଳକୁ ବାହାରିବା ପୂର୍ବରୁ ମା’ଙ୍କ ପାଦସ୍ପର୍ଶ କରିବା ତା’ର ଅଭ୍ୟାସ । ସେ ନଇଁପଡ଼ିବାବେଳେ ତାକୁ ଉଠାଇନେଇ ତାହାରି କାନ୍ଧ ଉପରେ ମୁହଁ ରଖିଲେ ଶ୍ରୀମୟୀ... ଆଖିରେ ଏବେବି ଯେ ଏତେ ଲୁହ ଥିଲା ତାହା ଏତେବେଳେ ଜାଣିଲେ ।

 

ସତ୍ୟକାମ ଫାଟକ ପାରି ହେବା ପୂର୍ବରୁ ଆମ୍ବଗଛ ମୂଳେ ଠିଆହେଲା ମୂହୂର୍ତ୍ତେ । ତା’ପରେ ଚାରିଆଡ଼କୁ ସତର୍କ ଦୃଷ୍ଟି ବୁଲାଇଆଣି ନଇଁପଡ଼ି ଘାସଉପରୁ କାଗଜଟାଏ ଗୋଟାଇ ଆଣିଲା । ସେଇ କାଗଜ ଟୁକୁରା ପ୍ରମାଣ ହୋଇ ରହିଗଲା ତା’ ହାତରେ ଚିରକାଳପାଇଁ ।

 

କିନ୍ତୁ ସେ ଶପଥ ନେଇସାରିଛି ପାପୀକୁ ଆବିଷ୍କାର କରିବାପାଇଁ, ସଂକଳ୍ପ କରିଛି ସେ ଯେତେ ବଡ଼ ହେଉନା କାହିଁକି ତାକୁ ଯେପରି ଉପଯୁକ୍ତ ଶାସ୍ତି ମିଳେ ତାହା ନିଶ୍ଚୟ କରିବାପାଇଁ । କିନ୍ତୁ ଏବେବି ସେ ନିଃସନ୍ଦେହ ହୋଇ ନାହିଁ ରାତିର ଆଗନ୍ତୁକର ପରିଚୟ ଓ ଠିକଣା ସମ୍ପର୍କରେ । ସେ ଧୋତି ପଞ୍ଜାବି ପିନ୍ଧି ଆସି ନ ଥିଲା, ଦାମୀ ସଫାରୀ ସୁଟ୍‌ ପିନ୍ଧି ନ ଥିଲା, ପିନ୍ଧିଥିଲା କଳା ଟ୍ରାଉଜର ଆଉ କଳା ସ୍ପୋର୍ଟସ୍‌ ଗଞ୍ଜି । ପାଦରେ ଥିଲା କ୍ୟାନ୍‌ଭ୍ୟାସ୍‌ ସୁ । ବାହାରେ କୌଣସି ଗାଡ଼ିଥିବା ରାତିରେ ଦେଖି ନ ଥିଲା ସତ୍ୟକାମ । ହୁଏତ ଛକ ପାଖରେ ଗାଡ଼ି ଛାଡ଼ି ସେ ଆସିଥିଲା ଚାଲି ଚାଲି ସ୍ଵୀକାରୋକ୍ତି କରିବାପାଇଁ ।

 

ଲକ୍ଷ୍ମୀ କବାଟ ବନ୍ଦ କରିଦେଲା ।

 

ମୋଟରସାଇକେଲ ଷ୍ଟାର୍ଟ କରି ବାହାରିଗଲା ସତ୍ୟକାମ । କିନ୍ତୁ ମା’ କ’ଣ ତାକୁ ଚିହ୍ନନ୍ତି ? ସେ ଆସିବ ବୋଲି କ’ଣ ଜାଣିଥିଲେ ମା’ ? ଏତେ ରାତିରେ ସେ ଚୋର ପରି ନ ଆସି ଦିନର ଆଲୁଅରେ ସେ ଆସିପାରିଥାନ୍ତା । ହୁଏତ ବ୍ଲାକ୍‌ମେଲ କରିବା ଥିଲା ତା’ର ଉଦ୍ଦେଶ୍ୟ ବା ଆଉ କିଛି ! କିନ୍ତୁ ମା’ ଯେ ସବୁ ଦ୍ୱନ୍ଦ୍ୱ ଓ ସଂଶୟର ଉର୍ଦ୍ଧ୍ୱରେ ଫୁଲ ପରି ନିର୍ମଳ, ପବିତ୍ର ଏଇ ଭାବଟା ଆହୁରି ଦୃଢ଼ ହେଉଥିଲା ତା’ ମନରେ । ବାହାରର ଟୁପ୍‌ଟାପ୍‌ ଶବ୍ଦ ଶୁଣି ତା’ ନିଦ ଭାଙ୍ଗିଯାଇଥିଲା । ସେ ଉଠିପଡ଼ି ଝର୍କା ବାହାରକୁ ଅନାଇଲା । ଶେଷ ଦୁଇ ପଦ ଶୁଣି ସେ ଚମକି ପଡ଼ିଥିଲା ।

 

ସତ୍ୟକାମ ଯେତିକି ଭାବୁଥିଲା ଏ ବିଷୟରେ ସେତିକି ରହସ୍ୟମୟ ମନେହେଉଥଲା ସବୁ । ମା’ଙ୍କ ଶେଷ ପଦକ କଥା ସେ ଶୁଣିଥିଲା । ମା’ କହିଥିଲେ “ତୁମେ ଚୋର ପରି ଆସିଥିଲ ଚୋର ପରି ବାହାରିଯାଅ । ତୁମ କଳା ମୁହଁ ଲୁଚିଯାଉ ରାତିର ଅନ୍ଧାରରେ...।”

 

ଏହାର ପ୍ରତ୍ୟୁତ୍ତରରେ ଆଗନ୍ତୁକ କହିଥିଲା - “ସତ୍ୟକାମକୁ କହିବନି ଏକଥା... ମୁଁ ଫେରଯାଉଛି... କିନ୍ତୁ ଯଦି କେବେ ପ୍ରୟୋଜନ ହୁଏ ଏ ଅପରାଧୀ ଦିନେ ତୁମ କାଠଗଡ଼ାରେ ହାଜର ହେବ କ୍ଷମାଭିକ୍ଷା କରିବାପାଇଁ -”

 

କାହିଁକି ସେ କ୍ଷମା ମାଗିବ, କ’ଣ ଅପରାଧ କରିଛି ସେ ? ଯେତିକି ଭାବୁଥିଲେ ସେତିକି ରହସ୍ୟମୟ ହୋଇଉଠୁଥିଲା ଏ ବିଷୟ ।

 

ଅଫିସ୍‌ ପହଞ୍ଚିବା ପରେ ପେଣ୍ଟ ପକେଟ୍‌ରୁ ବାହାର କଲା ସେଇ କାଗଜ ଖଣ୍ଡକ - ତାହା ଥିଲା ଠିକଣା ଥିବା କାର୍ଡ଼ଟିଏ- ଠିକଣା ପଢ଼ିବା ପରେ ତା’ର ପାଦରୁ ମସ୍ତକ ପର୍ଯ୍ୟନ୍ତ ଗୋଟିଏ ଅନନୁଭୂତ ନିଦାରୁଣ ହିମ ପ୍ରବାହ ହୋଇଗଲା । ସେ ଚୌକି ଉପରେ ବସିରହିଲା ସ୍ଥାଣୁ ପରି ।

 

Unknown

॥ ବାଆର ॥

 

ସ୍କୁଲ୍‌ରୁ ଫେରିବା ବାଟରେ ଅସୀମା ସହିତ ହଠାତ୍‌ ଦେଖା ହୋଇଗଲା ଶ୍ରୀମୟୀଙ୍କର । ମନେପଡ଼ିଗଲା ଓଡ଼ିଆ ଢଗଟିଏ - ‘ହଜିଲା ବଳଦ ଖୋଜିଲା ଠେଇଁ’ । ସେ ମନେ ମନେ ଏଇ କେତେଦିନ ଖୋଜୁଥିଲେ ତାକୁ, କିନ୍ତୁ କିଛି ପର୍ବପର୍ବାଣି, ଉତ୍ସବ ବା ପ୍ରସଙ୍ଗକୁ ଉପଲକ୍ଷ୍ୟ କରି ଡାକିବେ ବୋଲି ଭାବିଥିଲେ ବି ନାନାଦି କାମରେ ଛନ୍ଦି ହୋଇ ଅସୀମା କଥା ଭୁଲି ଯାଇଥିଲେ । ପୂଜାଛୁଟି ପାଖେଇ ଆସୁଛି । ସୋସିଓଲଜିରେ ଏମ୍‌.ଏ. ପାସ୍‌ କରିବା ପରେ ଘରେ ବସିଛି । ସିଭିଲ ସର୍ଭିସ୍‌ ପରୀକ୍ଷା ଦବାପାଇଁ ଇଚ୍ଛା ଥିଲା, କିନ୍ତୁ ତାହା ହେଲାନି ବୋଲି ସେଦିନ ତା’ ମୁହଁରୁ ଶୁଣିଥିଲେ ସେ । କ’ଣ କରୁଥିବ କେଜାଣି ? ସ୍କୁଲରେ ନୂଆ ଶିକ୍ଷୟିତ୍ରୀ ନିଆଯିବ । ଯଦି ଚାହିଁବ ହୁଏତ ଶିକ୍ଷୟିତ୍ରୀ କାମ ମିଳି ଯାଇପାରେ । ଝିଅମାନଙ୍କୁ ନର୍ସ, ଡାକ୍ତରାଣୀ, ଶିକ୍ଷୟିତ୍ରୀ ବା ଅଫିସ୍‌ କାମ ବେଶି ସୁବିଧା ହୁଏ ।

 

ତାଙ୍କ ପାଦଛୁଇଁ ପ୍ରଣାମ କରି ଅସୀମା ଯେ ଛିଡ଼ା ହୋଇଥିଲା ଆଗରେ ଶ୍ରୀମୟୀ ଭୁଲିଯାଇଥିଲେ । ଅସୀମାର ସ୍ଵର ଶୁଣି ସେ ସଂଯତ ହୋଇଯାଇ କହିଲେ, ‘ତମକୁ ଖୋଜୁଥିଲି ମନେ ମନେ । ହୁମାୟୁନ୍ ସହିତ ବି ଦେଖା ହୋଇନି ଆଉ । କେମିତି ଅଛ... ଘରେ ସବୁ ଭଲ ତ !’

 

ଅସୀମାଠାରୁ କୁଶଳ ସମାଚାର ଜାଣିବା ପରେ ଶ୍ରୀମୟୀ କହିଲେ, “ଆମ ଘର ତ ଏଇ ପାଖରେ । ଆସୁନା ମୋ ସାଙ୍ଗରେ... ଗପ କରନ୍ତେ ଟିକେ... ।’’

 

ଅସୀମା ମନା କରିପାରିଲା ନାହିଁ

 

ଘରେ ପହଞ୍ଚିବାକ୍ଷଣି ଲକ୍ଷ୍ମୀକୁ ଜଳଖିଆ ତିଆରି କରିବାପାଇଁ ତାଗିଦ କରିଦେଇ ଅସୀମା ପାଖରେ ବସିଲେ ଆସି ।

 

କାନ୍ଥରେ ଥିବା ଗୋଟେ ଫଟୋ ଦେଖୁଥାଏ ଅସୀମା । ଶ୍ରୀମୟୀ କହିଲେ, ‘ଇଏ ହେଉଛନ୍ତି ଫାଦର୍‍ ଆବ୍ରାହମ୍‍ । ଆମର ଶୁଭଚିନ୍ତକ । ଗାର୍ଡିଆନ୍‌ ବି କହିପାର । ଭାରି ଭଲ ମଣିଷ । ପୁନାରେ ଥିଲେ, ଏବେ କୋଇମ୍ବାଟୁରରେ ଅଛନ୍ତି । ହୁଏତ ଶୀଘ୍ର ଓଡ଼ିଶାକୁ ବଦଳି ହୋଇ ଆସିବେ-।’

 

-‘‘ଚର୍ଚ୍ଚରେ ବି କ’ଣ ବଦଳି ହୁଏ ?’’

 

ଅସୀମାର ପ୍ରଶ୍ନ ଶୁଣି କହିଲେ ଶ୍ରୀମୟୀ, “ହଁ ହୁଏ - ବେଳେବେଳେ । ଗୋଟେ ଚର୍ଚ୍ଚରୁ ଆଉ ଗୋଟିକୁ । ଆବଶ୍ୟକତା ଥିଲେ ବଦଳି ହୁଏ । କ୍ୟାଥଲିକ ମିସନ ପକ୍ଷରୁ ଓଡ଼ିଶାରେ ଅନେକ ସୋସିଆଲ ଓ୍ୱାର୍କ ହାତକୁ ନେଇଛନ୍ତି ବୋଲି କହୁଥିଲେ ଫାଦର୍‍ । ସେଥିପାଇଁ ଓଡ଼ିଶା ଦାୟିତ୍ଵ ତାଙ୍କୁ ଦବାପାଇଁ ବିଶପ୍ ଚାହାଁନ୍ତି... ।”

 

ଅସୀମା କହିଲା, “ଆପଣଙ୍କୁ ପଚାରିବି ପଚାରିବି ହେଉଥିଲି, କିନ୍ତୁ ସୁଯୋଗ ପାଇନି । ମୁଁ ତ ଘରେ ବସିଛି । ବସି ବସି ବିରକ୍ତ ଲାଗୁଛି । ଇନ୍ଦିରାଗାନ୍ଧୀ ଓପନ ୟୁନିଭର୍ସିଟିରେ ଜର୍ଣ୍ଣାଲିଜିମ୍‌ କୋର୍ସ କରିବି ବୋଲି ଭାବିଛି... ଭାଇକୁ ପଚାରିଲେ ସେ ହସିଦେଇ ଉଡ଼େଇ ଦିଏ ମୋ କଥା... ଝିଅମାନେ କ’ଣ ଅନୁପଯୁକ୍ତ ସେ କାମ ପାଇଁ ?’’

 

-“ନା ନା, ଅନୁପଯୁକ୍ତ ହେବେ କାହିଁକି ? ଝିଅମାନେ ଜେଟ ବିମାନ ଚଳାଇ ପାରୁଛନ୍ତି, କାର୍‌ ଚଲାଇ ସବୁଆଡ଼କୁ ଯାଇପାରୁଛନ୍ତି, ଜର୍ଣ୍ଣାଲିଜିମ୍‌ କ’ଣ ଏଡ଼େ କଷ୍ଟ ? ନା, ତା’ ନୁହେଁ । କିନ୍ତୁ ଜବ୍‌ ହାଜାର୍ଡ଼ ବଢ଼ୁଛି । ସାମ୍ବାଦିକ ଯଦି ସତକଥା ଲେଖେ ଏବଂ ତାହା ଯଦି ଅପ୍ରିୟ ହୁଏ ତେବେ ସେ ଶତ୍ରୁ ହୋଇଯାଏ । କିନ୍ତୁ ତୁମେ ଯଦି ସେଇ ରିସ୍କ୍ ନବାପାଇଁ ପ୍ରସ୍ତୁତ ତେବେ ପାରିବ... ବେଶ୍‌ ପାରିବ... ।”

 

ଅସୀମା ଖୁସିହେଲା ତାଙ୍କ କଥା ଶୁଣି । ତାକୁ ସମର୍ଥନ କରୁଥିବା ଜାଣି ଅସୀମା କହିଲା, “ମୁଁ ଅନ୍ୟ କାମ ବି କରିପାରିବି । ଏଇ ଧରନ୍ତୁ ଶିକ୍ଷୟିତ୍ରୀ କିମ୍ବା ସମାଜ କଲ୍ୟାଣ...।”

 

ସୁଯୋଗ ପାଇଗଲେ ଶ୍ରୀମୟୀ ମନକଥା କହିବାପାଇଁ - ‘ଶିକ୍ଷୟିତ୍ରୀ ହବାକୁ ମନ ?’’

 

‘‘ହଁ... ଭଲ ଲାଗିବ ପିଲାଙ୍କ ସହିତ ସମୟ କାଟିବାପାଇଁ ।’

 

-‘ଆମ ସ୍କୁଲ୍‌ରେ ସୋସିଓଲୋଜିରେ ଗୋଟେ ପୋଷ୍ଟ ଖାଲି ଅଛି । ଏ ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦିଆ ଯାଇନି । ଜୋଗ୍ରାଫି, ହୋମ୍‌ସାଇନ୍‍ସରେ ବି ଖାଲି ଅଛି ଜାଗା । ତମେ ଗୋଟେ ଦରଖାସ୍ତ ପକାଇ ଦଉନ । ଟ୍ରାୟ କଲେ କ୍ଷତି କ’ଣ ?

 

ଅସୀମା ହାତରେ ଚାନ୍ଦ ପାଇଲା ଯେପରି । ସେ କହିଲା, ‘ମୁଁ କାଲି ଆସି ଦରଖାସ୍ତ ଦେଇଯବି ସ୍କୁଲରେ... କାହାକୁ ଆଡ୍ରେସ୍ କରିବି... ?’

 

‘‘ସେକ୍ରେଟାରୀ ମ୍ୟାନେଜିଂ କମିଟି । ତାଙ୍କ ହାତରେ ଦବ ଦରଖାସ୍ତଟା । ଅର୍ଦ୍ଧେନ୍ଦୁ ସାମଲ-। ପୁରୀ କଲେଜରୁ ଅବସର ନବାପରେ ଆମ ସ୍କୁଲ ପରିଚାଳନା ଦାୟିତ୍ୱ ନେଇଛନ୍ତି । ପ୍ରେସିଡ଼େଣ୍ଟ୍‍ ତ ହେଉଛନ୍ତି ରିଟାୟାର୍ଡ଼ ଡିପିଆଇ ଅନିରୁଦ୍ଧ ପୁରୋହିତ । ପଣ୍ଡିତ ଲୋକ ।

 

ଲକ୍ଷ୍ମୀ ଜଳଖିଆ ପ୍ଲେଟ୍‌ ରଖି ଦେଇଗଲା । ସଦ୍ୟ ଛଣା ହୋଇଥିବା ଗରମ ବରା, ସିଙ୍ଗଡ଼ା ଆଉ ଗୋଲାପଜାମୁ...।

 

ଅସୀମା କହିଲା- ‘‘ବା ବା ଏତେ ଦେଇଛନ୍ତି ମାଉସୀ...!’

 

-‘ନା ମ ! କେତେ ଯେ... ଝିଅମାନେ ସ୍ଳିମ୍‌ ହେବା ପାଇଁ ଆଜିକାଲି ଡାଏଟିଂ କରୁଛନ୍ତି ବୋଲି କମ ଖାଆନ୍ତି... ତମେ ନ ହେଲା ଆଜି ଡାଏଟିଂ ନ କଲ... ।’

 

ତାଙ୍କର ମଧୁର ବ୍ୟବହାର ଭଲ ଲାଗୁଥାଏ ଅସୀମାକୁ । ସେ ଗରମ ଗରମ ଦୁଇଟା ବରା, ଗୋଟେ ସିଙ୍ଗଡ଼ା, ଗୋଲାମଜାମୁ ଖାଇଦେଲା ।

 

-“ତମ ଘରେ ଆଉ ସବୁ କିଏ ଅଛନ୍ତି ?”

 

-ବାପା, ବୋଉ, ଭାଇ, ମୁଁ ବାସ୍‌ ଏଇ ଚାରି ଜଣ । ବାପା ତ ଟ୍ରେଜେରୀ ଅଫିସର ଥିଲେ-। ବର୍ଷେ ହେଲା ରିଟାୟାର କରିଛନ୍ତି । ବୋଉ ଡାକ୍ତର ଥିଲେ । କିନ୍ତୁ ଆମ ପଢ଼ାପଢ଼ିରେ ଅସୁବିଧା ହେବାରୁ ସେ ପାଞ୍ଚବର୍ଷ ପୂର୍ବେ ସ୍ଵେଚ୍ଛାକୃତ ଭାବରେ ଅବସର ନେଇଗଲେ । ଏବେ ପ୍ରାଇଭେଟ୍ ପ୍ରାକ୍ଟିସ୍‌ କରନ୍ତି... ।

 

ବାଃ ଗୋଟେ ସମ୍ଭ୍ରାନ୍ତ ପରିବାର ! ଶ୍ରୀମୟୀ ଖୁସି ହୋଇ କହିଲେ ।

 

ଲକ୍ଷ୍ମୀ ଆସି ଖବର ଦେଲା ଅର୍କ ଅପେକ୍ଷା କରିଛି । ତାକୁ ଭିତରକୁ ଡାକିଲେ ଶ୍ରୀମୟୀ । ଅର୍କ କହିଲା, “ମାଉସୀ ! ଚକେଇସିଆଣି ରସୁଲଗଡ଼ ଅଞ୍ଚଳରେ ସାମାନ୍ୟ କାରଣରୁ ଉତ୍ତେଜନା ସ୍ପଷ୍ଟି ହୋଇଛି । ଦୁର୍ବୃତ୍ତମାନେ କେତେଟା କେବିନ୍‌ରେ ନିଆଁ ଲଗାଇ ଦେଇଛନ୍ତି । ଦୁଇ ଦଳ ମଧ୍ୟରେ ସଂଘର୍ଷ ହେବାରୁ ତିନିଜଣ ଗୁରୁତର ଆହତ ଲୋକଙ୍କୁ ପୁଲିସ୍‍ ଡାକ୍ତରଖାନା ପଠାଇଛି । ସେଇ ଅଞ୍ଚଳ ସିଲ୍‌କରି ଦେଇଛି ପୁଲିସ୍‌ । ୧୪୪ ଧାରା ଜାରି ହୋଇଛି । ମୁଁ ସେଇଠାରୁ ଫେରୁଛି, ଅଫିସ୍‌ ଯିବା ବାଟରେ ଆପଣଙ୍କୁ ଖବର ଦେଲି । ବାହାରକୁ ନ ଯିବା ଭଲ ।’’

 

ଶ୍ରୀମୟୀ ଅବାକ୍‌ ହୋଇଗଲେ । ଭୁବନେଶ୍ୱରରେ ଏଇ ପ୍ରଥମ ଗୋଷ୍ଠୀ ସଂଘର୍ଷ । କିନ୍ତୁ କାରଣ କ’ଣ ? ଏପରି ହଠାତ୍‌ ହିଂସାକାଣ୍ଡ ଘଟିଲା କାହିଁକି ?

 

ତାଙ୍କ ମନକଥା ଜାଣିପାରି କହିଲା ଅର୍କ, ‘ମସ୍‌ଜିଦ୍‌ ପଛପଟେ କେହି ମଲା ଘୁଷୁରିଟାଏ ପକେଇ ଦେଇଥିଲା । ସେଥରୁ ବଚସା ଏବଂ ତା’ପରେ ଗଣ୍ଡଗୋଳ... ଘୁଷୁରିଟାର ଲାସ୍‌ଟା ପୁଲିସ୍‌ ନେଇଗଲାଣି ।

 

‘‘ଜିଲ୍ଲା ମାଜିଷ୍ଟେଟ୍ ଆସି ବୁଲିଗଲେଣି । ପୁଲିସ୍‍ ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି । ତଥାପି ସାମ୍ପ୍ରଦାୟିକ ଦଙ୍ଗା ଯେତେବେଳେ ଆରମ୍ଭ ହୋଇଛି ମନ ଫଟାଫଟିରୁ ନିଶ୍ଚୟ ଏପରି ହୋଇଥିବ । ବାହାରକୁ ନ ଯିବା ଭଲ । କିଛି ଦରକାର ହେଲେ ମୋତେ ଫୋନ୍‌ କରିବେ... ।’’

 

-‘କିନ୍ତୁ ସତ୍ୟ କେଉଁଠି ? ହୁମାୟୁନ୍‍ କେଉଁଠି ? ସେମାନେ ସେଠାକୁ ଯାଇ ନାହାଁନ୍ତି ?’’ ଶ୍ରୀମୟୀ ପ୍ରଶ୍ନ କଲେ ।

 

-‘ନା, ସେମାନେ ଆଉ ଗୋଟେ ସିରିଅସ୍‌ କେସ୍‌ର ଅନୁସନ୍ଧାନ କରିବାପାଇଁ ବ୍ୟସ୍ତ ଅଛନ୍ତି-। ମୁଁ ଘଟଣାସ୍ଥଳ ପରିଦର୍ଶନ କରି ଅଫିସ୍‌ ଯାଉଛି । ଏଡ଼ିଟର୍‍ଙ୍କୁ ସବୁ ଜଣାଇବା ପରେ ପୁଣି ଦରକାର ହେଲେ ଆସିବି... ।’

 

ଅର୍କ ତରତର ହୋଇ ଚାଲିଗଲା ।

 

କେତେ ମିନିଟ୍‌ ନିରବରେ ଦୁହେଁ ବସି ରହିଲେ । ତା’ପରେ ଅସୀମାର ମୁହଁକୁ ଚାହିଁଦେଇ କହିଲେ ଶ୍ରୀମୟୀ -‘‘ତୁମର କ’ଣ ହେଲା, ହଁ ତୁମେ ଏମିତି ବିଷର୍ଣ୍ଣ ହୋଇଗଲ ଯେ... ? ଏମିତି ଘଟଣା ଘଟେ ବଡ଼ ବଡ଼ ସହରରେ । ତା’ ସତ୍ତ୍ୱେ କିଛି ସମୟ ପରେ ପୁଣି ସବୁ ଠିକ୍‌ ଠାକ୍‌ ହୋଇଯାଏ । ପଡ଼ୋଶୀମାନେ ଜାଣନ୍ତି ଯେ ସେମାନେ ଜାଗାଛାଡ଼ି ଚାଲିଯାଇ ପାରିବେ ନାହିଁ । ପଡ଼ୋଶୀ ବଦଳ କରି ହୁଏ ନାହିଁ । ପୁଣି ମିଳାମିଶା ହୁଏ... ଶାନ୍ତି, ସହାବସ୍ଥାନ ଫେରିଆସେ... ।’

 

- ‘ମୁଁ କ’ଣ କରିବି ମାଉସୀ ? ଘରେ ମା’ ବ୍ୟସ୍ତ ହେଉଥିବେ...।’ କହିଲା ଅସୀମା ।

 

-‘‘ମୁଁ ତାଙ୍କୁ ଫୋନ୍‌ କରିଦେଉଛି, ତାଙ୍କୁ କହିଦେବି ଯେ ସେ ନିଶ୍ଚନ୍ତ ରହନ୍ତୁ...ଶଙ୍କାର କୌଣସି କାରଣ ନାହିଁ...। ଦେଲ ଟେଲିଫୋନ ନମ୍ବରଟା...’’

 

ଶ୍ରୀମୟୀ ଟେଲିଫୋନ୍‌ କଲେ, କିନ୍ତୁ ସେପାଖରୁ କେହି ଉତ୍ତର ଦେଲେ ନାହିଁ । ତିନି ଚାରି ଥର ଡାଏଲ କଲେ ସେଇ ଏକ ଅବସ୍ଥା । ଟେଲିଫୋନ୍‌ ବାଜି ଚାଲିଛି, କେହି ଉଠାଉ ନାହାଁନ୍ତି । କିଛି ଆପଦ ବିପଦ ଘଟି ନାହିଁ ତ ?

 

ଶ୍ରୀମୟୀ କିନ୍ତୁ ଅସୀମାକୁ ସାହସ ଦବାପାଇଁ କହିଲେ - ‘ତୁମେ ଦମ୍ଭ ଧର । ଭରସା ରଖ-। ମୁଁ ତ ପାଖରେ ଅଛି । ମା’, ବାପା ହୁଏତ କୁଆଡ଼େ ଯାଇଥିବେ । ମୁଁ ଅର୍କକୁ କହିବି ସେମାନଙ୍କ ଖୋଜଖବର ନବ ଆଉ ଶୀଘ୍ର ଆମକୁ ଜଣାଇବ ।

 

ଟେଲିଫୋନ୍‌ କଲା କିଛି ସମୟ ପରେ । ଅର୍କ ଧରିଲା ଟେଲିଫୋନ୍‌ । ତାକୁ ସବୁ କଥା କହିଲେ ଶ୍ରୀମୟୀ । ସେ ପୁଲିସ୍‍ ସୂତ୍ରରୁ ଖବର ସଂଗ୍ରହ କରି ଶୀଘ୍ର ଟେଲିଫୋନ କରିବ କହିଲା ।

 

କିନ୍ତୁ ସେ ଟେଲିଫୋନ କରିବା ପୂର୍ବରୁ ଆଉ ଜଣେ ଟେଲିଫୋନ କଲା । ରିସିଭରଟା ଉଠାଇ ନେଲେ ଶ୍ରୀମୟୀ ।

 

ସେ ପାଖରୁ କେହି ଜଣେ ଅପରିଚିତ ରୁକ୍ଷ ସ୍ଵରରେ କହୁଥିଲା -‘‘ତମ ଘରେ ସେଇ ଝିଅକୁ କାହିଁକି ଆଶ୍ରା ଦେଇଛ ? ତାକୁ ଆଶ୍ରା ଦେଇ ତମର ନିରାପତ୍ତା ବିପନ୍ନ କରୁଛ କାହିଁକି ? ଶୀଘ୍ର ତାକୁ ଘରୁ ବାହାର କରିଦିଅ, ନ ହେଲେ ପରିଣାମ ଭଲ ହେବ ନାହିଁ ।’’

 

ଲୋକଟା ଟେଲିଫୋନ ଛାଡ଼ିଦେଲା । ତା’ର ଧମକ ଶୁଣି ଶ୍ରୀମୟୀଙ୍କ ମୁହଁ ଶେତା ପଡ଼ିଗଲା । ସେ ନିଜ ନିରାପତ୍ତା ବିଷୟ ଭାବୁ ନ ଥିଲେ, ଅସୀମାର ନିରାପତ୍ତା ତାଙ୍କୁ ବିବ୍ରତ କରୁଥଲା । ଦୁର୍ବୃତ୍ତମାନେ ତା’ ହେଲେ ଜାଣିଗଲେଣି ଯେ ଅସୀମା ତାଙ୍କ ଘରେ ଅଛି । କିଏ କହିଲା ସେମାନଙ୍କୁ ଏକଥା ? ସେମାନେ ତା’ହେଲେ ତା’ ବାପା ମା’ଙ୍କ କଥା ବି ଜାଣିଥିବେ । କିନ୍ତୁ ଆଉ ବିଳମ୍ବ ନ କରି ପୁଅକୁ ଜଣାଇବା ଉଚିତ ହେବ ଭାବି ସେ ଅର୍କକୁ ଫୋନ୍‌ କଲେ ଏବଂ ଯେଉଁଠି ଥାଉ ସତ୍ୟକାମ ଯେପରି ତାଙ୍କ ସହିତ ସଂଯୋଗ ରକ୍ଷା କରେ ତାହା ନିଶ୍ଚିତ କରିବାପାଇଁ କହିଲେ-। ଅର୍କକୁ ଏହା ମଧ୍ୟ କହିଲେ ଯେ ନିରାପତ୍ତା ନେଇ ତାଙ୍କର ଆଶଙ୍କା ରହିଛି । ପୁଲିସ୍‌କୁ ଆଗରୁ ଜଣାଇଦେବା ଭଲ । ମୁକ୍ତେଶ୍ଵର ତଲ୍‌ୱାଲ୍‌କର ଯଦି ଶାସନକର୍ତ୍ତାମାନଙ୍କୁ ଜଣାନ୍ତି ତେବେ ହୁଏତ ଶୀଘ୍ର କିଛି ବ୍ୟବସ୍ଥା ହେବ । ଅର୍କ ତାଙ୍କୁ ଆଶ୍ଵାସନା ଦେଇ କହିଲା, ସେ ଯାହା କହିଛନ୍ତି ଅକ୍ଷରେ ଅକ୍ଷରେ ପାଳନ କରିବ ।

 

ଏ ବିଷୟରେ ଭାବିବାକ୍ଷଣି ତାଙ୍କ ଛାତି ତଳର ଅତଡ଼ା ଖସିଲା । ମନେପଡ଼ିଲା ଯେ ସ୍କୁଲ ମ୍ୟାନେଜିଂ କମିଟିର ଚେୟାରମ୍ୟାନ ଅନିରୁଦ୍ଧ ପୁରୋହିତ ବେଶ୍‌ ପ୍ରଭାବଶାଳୀ ଲୋକ । ଦଶ ବର୍ଷ ପୂର୍ବରୁ ରାଜ୍ୟସଭାର ସଦସ୍ୟ ଥିଲେ । ଏଇନେ ସମାଜ କଲ୍ୟାଣ କାର୍ଯ୍ୟ ନେଇ ବ୍ୟସ୍ତ । ଯୁବଗୋଷ୍ଠୀ, ପୁଲିସ୍‌ ଓ ପ୍ରଶାସନ ସହିତ ତାଙ୍କର ସମ୍ପର୍କ ଭଲ।

 

ଶ୍ରୀମୟୀ ତାଙ୍କୁ ଫୋନ୍‌ କରି ସବୁ ଜଣାଇଲେ ଏବଂ ସେଇ ଅପରିଚିତ ଲୋକଟା ଯେ ତାଙ୍କୁ ଧମକ ଦେଇଛି ତାହା ମଧ୍ୟ ସେ କହିଲେ ।

 

ଅନିରୁଦ୍ଧବାବୁ ଚତୁର ଲୋକ । ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ଏପରି କିଛି ଆଶ୍ଵାସନା ଦେଇ କହିଲେ- ‘ମୂଳ କଥାଟି ହେଉଛି ଦୁଇ ଗୋଷ୍ଠୀର ଗୁଣ୍ଡାବାହନୀ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଦାୟୀ । କିନ୍ତୁ ସଂଖ୍ୟାଲଘୁମାନେ ଭାବୁଚନ୍ତି ଯେ ମଲା ଘୁଷୁରି ମସ୍‌ଜିଦ ପାଖରେ ଦଳେ ଅସାମାଜିକ ଲୋକ ଜାଣିଶୁଣି ପକାଇଥିବେ ଗଣ୍ଡଗୋଳ ସୃଷ୍ଟି କରିବାପାଇଁ । ମୁଁ ମଧ୍ୟ ସେୟା ଭାବୁଛି । ତଥାପି ଗଣ୍ଡଗୋଳ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପାଇଁ ଶାନ୍ତି କମିଟିର ନେତାମାନେ ପରାମର୍ଶ କରୁଛନ୍ତି । କିନ୍ତୁ ଏଇ ସଙ୍କଟ ସମୟରେ ନିଜର ସୁରକ୍ଷା ବିଷୟ ନ ଭାବି ଅନ୍ୟକୁ ଆଶ୍ରୟ ଦବା ବୁଦ୍ଧିମାନର କାର୍ଯ୍ୟ ନୁହେଁ... ।’

 

ଶ୍ରୀମୟୀଙ୍କ ଶୁଖିଲା ମୁହଁ କାଳେ ଅସୀମା ଦୃଷ୍ଟିରେ ପଡ଼ିଯିବ ସେଥିପାଇଁ ସେ ମୁହଁ ଓଲଟା ଦିଗକୁ କରି କହିଲେ ‘‘ଆପଣଙ୍କ କଥା ସମସ୍ତେ ମାନିବେ । ସରକାର ବି ଆପଣଙ୍କ କଥା ଶୁଣିବେ । ପୁଲିସ୍‍କୁ ଟିକେ କହିଦେଲେ ସେ ଆମ ଉପରେ ଦୃଷ୍ଟି ରଖିବ... ।’’

 

ଅନିରୁଦ୍ଧ ଟେଲିଫୋନ କାଟିଦେଲେ ।

 

ଶ୍ରୀମୟୀ ନିଜେ ସଦର ଦରଜା ଓ ବାରିପଟ ଦରଜା ବନ୍ଦକରି ଆସିଲେ । କେହି ଅଚିହ୍ନା ଲୋକ ଡାକିଲେ ଦ୍ଵାର ନ ଖୋଲିବାପାଇଁ କହିଲେ । ଏବଂ ଲକ୍ଷ୍ମୀକୁ ରୋଷେଇ ଘରକୁ ଡାକି ନେଇ ଚୁପ୍‌ ଚୁପ୍‌ କହିଲେ, ‘‘ଆମଘରେ ତୁ ଓ ମୁଁ ଅଛୁ -ଆଉ କେହି ନାହିଁ ବୋଲି କେହି ପଚାରିଲେ କହିବୁ-। ସତ୍ୟ ପ୍ରେସ୍‌ ଯାଇଛି - ଏତିକିରୁ ଆଉ ଅଧିକ କିଛି କହିବୁ ନାହିଁ ।’’

 

ଅସୀମାକୁ ଭିତର ଘରକୁ ଡାକିନେଇ ନିଜ ଶୋଇବା ଘରେ ବସାଇଦେଇ କହିଲେ ଶ୍ରୀମୟୀ, ‘ତୁମେ ଚିନ୍ତା କରନା । ବାପା ମା’ ନିରାପଦରେ ଥିବେ । ହୁମାୟୁନ୍‍ ତ ସତ୍ୟ ସାଙ୍ଗରେ ଅଛି । ମୁଁ ବି ଅର୍କକୁ କହିଛି, ସେ ଚେଷ୍ଟା କରିବ ତୁମ ବାପା ମା’ଙ୍କୁ ଖୋଜି ବାହାର କରିବାପାଇଁ । ତୁମେ ନିଶ୍ଚିନ୍ତରେ ଟି.ଭି. ଦେଖ... ମୁଁ ଆଉ ଥରେ ଅର୍କ ସହିତ କଥା ହୋଇ ଫେରିଆସୁଛି... ।’

 

ତାକୁ ଏକା ଛାଡ଼ି ବସିବା ଘରକୁ ଫୋନ କରିବାପାଇଁ ଯିବାବେଳେ ଭାବୁଥିଲେ ଶ୍ରୀମୟୀ, ହଜାର ଶହ ଶହ ବର୍ଷ ଧରି ଭାଇ ଭାଇ ପରି ଚଳି ଆସିଥିବା ଗୋଟେ ଜାଗାର ଲୋକ ହଠାତ୍‌ ପରସ୍ପରର ଶତ୍ରୁ ହୋଇଯାଆନ୍ତି କିପରି ? କେଉଁ ସ୍ଵାର୍ଥ ପାଇଁ ? ଧର୍ମ କ’ଣ ଶିକ୍ଷା ଦେଇଛି ପରସ୍ପରର ତଣ୍ଟି କାଟିବାପାଇଁ ? କୌଣସି ଧର୍ମ ଘୃଣା, ହିଂସା, ହତ୍ୟା, ବଳାତ୍କାରକୁ ପ୍ରଶ୍ରୟ ଦିଏ ନାହିଁ । ସମସ୍ତେ ଈଶ୍ଵରଙ୍କ ସନ୍ତାନ । ସେ ଏକ ଓ ଅଦ୍ୱିତୀୟ... ତାଙ୍କୁ ନିଜ ନିଜର ବିଶ୍ୱାସ ଅନୁସାରେ ଉପାସନା, ପୂଜାର୍ଚ୍ଚନା କରନ୍ତି ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ । ସବୁ ଧର୍ମର ମୂଳ ହେଉଛି ମାନବ ଧର୍ମ । ମଣିଷମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସହାବସ୍ଥାନ ହିଁ ମୂଳକଥା । ଧର୍ମ ଓ ବିଶ୍ଵାସ ଭିନ୍ନ ହୋଇପାରେ, କିନ୍ତୁ ଇଶ୍ଵର ତ ଏକ ଏବଂ ଅଭିନ୍ନ । ସମସ୍ତ ଜଗତ ତାଙ୍କରି ସୃଷ୍ଟି, ସମସ୍ତ ମଣିଷ ତାଙ୍କରି ସନ୍ତାନ । ତେବେ ଏତେ ଧର୍ମ ଓ ସମ୍ପ୍ରଦାୟକୁ ନେଇ ଏତେ ବିତର୍କ, ଏତେ ବିଘଟନ, ଏତେ ବାଦବିସମ୍ବାଦ ଏବଂ ସଂଘର୍ଷ ହେଉଛି କାହିଁକି ?

 

ଆହୁରି କ’ଣ ଭାବି ଥାଆନ୍ତେ ଶ୍ରୀମୟୀ । କିନ୍ତୁ ଅର୍କ ତାଙ୍କୁ ଜଣାଇଦେଲା ଯେ ବୀର ସୁରେନ୍ଦ୍ର ସାଏ ନଗରରେ ଗଣ୍ଡଗୋଳ ହେବାର ସମ୍ଭାବନା ଥିବାରୁ କବୀର ସାହେବଙ୍କ ପରିବାରର ସୁରକ୍ଷାପାଇଁ ଏସ୍‍ପି ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି ଏବଂ କିଛି ଅଘଟଣ ଘଟିବାର ଆଶଙ୍କା ଥିଲେ ତାଙ୍କୁ ମୋବାଇଲ୍‌ ଫୋନ୍‌ରେ ବା କଣ୍ଟ୍ରୋଲ ରୁମ୍‌କୁ ତତ୍‌କ୍ଷଣାତ୍‌ ଜଣାଇବା ଦରକାର । ଦୁଇଟି ଟେଲିଫୋନ୍‌ ନମ୍ବର ଶ୍ରୀମୟୀ ଲେଖିନେଲେ ଡାଏରୀରେ ।

 

କିନ୍ତୁ ରାତି ଆଠଟା ପର୍ଯ୍ୟନ୍ତ ହୁମାୟୁନ୍‍ର ବାପା, ମା’ଙ୍କ କୌଣସି ଖବର ମିଳି ପାରିଲା ନାହିଁ । ଅସୀମାକୁ କ’ଣ ସାନ୍ତ୍ୱନା ଦେବେ ଭାବିପାରୁ ନ ଥାନ୍ତି ଶ୍ରୀମୟୀ । ତା’ ବାପା ମା’ କେଉଁଠି ଅଛନ୍ତି କିପରି ଅଛନ୍ତି ତାହା ଅସୀମା ଜାଣିବାର ଉପାୟ ନାହିଁ । ସେମାନେ ମଧ୍ୟ ଜାଣିପାରୁ ନ ଥିବେ ଝିଅ, ପୁଅ କେଉଁଠି ଅଛନ୍ତି କିପରି ଅଛନ୍ତି । ପ୍ରତିଟି ମୁହୂର୍ତ୍ତ ଉଦ୍‌ବେଗରେ କଟାଉଥିବେ । ଟେଲିଫୋନ ବାଜିଲାକ୍ଷଣି ଛାତିତଳେ ଅତଡ଼ା ଖସିବାର ଶବ୍ଦ ଶୁଣିପାରନ୍ତି ଶ୍ରୀମୟୀ । ସତ୍ୟ ବି ସେ ପର୍ଯ୍ୟନ୍ତ ଫେରି ନ ଥାଏ, କିମ୍ୱା ସେ ଓ ହୁମାୟୁନ୍‍ କୋଉଠି ସେ ବିଷୟରେ କୌଣସି ଖବର ନେଇପାରି ନ ଥିଲେ । ବରଂ ବାରମ୍ବାର ଅର୍କଠାରୁ ଖବର ନେଉଥିଲେ ଶ୍ରୀମୟୀ

 

କେବଳ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ବ୍ୟତୀତ ଅନ୍ୟଗତି ନାହିଁ । ସଙ୍କଟ ସମୟରେ ମନ ଶାନ୍ତ ରଖିବା ଓ ଧୈର୍ଯ୍ୟର ସହ ସଙ୍କଟର ମୁକାବିଲା କରିବାପାଇଁ ଫାଦର୍‍ ଆବ୍ରାହମ୍‌ ତାଙ୍କୁ ପ୍ରଥମରୁ ଶିକ୍ଷା ଦେଇଥିଲେ ପୁନେ ଚର୍ଚ୍ଚରେ ଥିବାବେଳେ । ସେତିକି ବେଳେ ସେ କହିଥିଲେ ଯେ ନିଜର ବା ପରିବାରର ସୁରକ୍ଷାପାଇଁ ଆବଶ୍ୟକ ପଦକ୍ଷେପ ନବାରେ ହେଳା କରିବ ନାହିଁ । କିନ୍ତୁ ସେସବୁ କରିବା ସତ୍ତ୍ଵେ ସେଇ ପ୍ରଭୁଙ୍କ ଉପରେ ସବୁ ଦାୟିତ୍ୱ ସମର୍ପି ଦେବାପାଇଁ ଫାଦର୍‍ ଉପଦେଶ ଦେଉଥିଲେ ଏବଂ ମହାଭାରତର ଦ୍ରୌପଦୀଙ୍କ କଥା କହୁଥିଲେ । ପଶାଖେଳରେ ପାଣ୍ଡବମାନେ ତାଙ୍କୁ ବାଜିରଖି ହାରିଗଲେ ଏବଂ ଦୁଃଶାସନଙ୍କୁ ଦୁର୍ଯ୍ୟୋଧନ ଆଦେଶ ଦେଲେ ଯେପରି ଅବସ୍ଥାରେ ଥାଆନ୍ତୁ ନା କାହିଁକି ଦ୍ରୌପଦୀଙ୍କୁ ସଭାଗୃହକୁ ଆଣିବାପାଇଁ । ଦ୍ରୌପଦୀ ସ୍ଵେଚ୍ଛାରେ ନ ଆସିବାରୁ ତାଙ୍କ କେଶଧରି ଟାଣି ଟାଣି କୁରୁସଭାକୁ ନେଇ ଆସିଥିଲା ଦୁଃଶାସନ ଏବଂ ବଡ଼ଭାଇ ଦୁର୍ଯ୍ୟୋଧନଙ୍କ ଆଜ୍ଞା ପାଳନ କରିବା ସକାଶେ ଦ୍ରୌପଦୀଙ୍କୁ ରାଜସଭାରେ ସମସ୍ତଙ୍କ ଉପସ୍ଥିତିରେ ବିବସ୍ତ୍ର କରିବାକୁ ଲାଗିଲା । ଦୁଃଶାସନ ତାଙ୍କୁ ବିବସ୍ତ୍ର କଲାବେଳେ ଦ୍ରୌପଦୀ ଗୋଟିଏ ହାତ ଛାତିରେ ଥିବା ବସ୍ତ୍ର ଉପରେ ରଖିଥାନ୍ତି ଏବଂ ଆଉ ଗୋଟିଏ ହାତ ଉପରକୁ ଟେକି କୃଷ୍ଣଙ୍କୁ ଡାକୁଥାଆନ୍ତି । ତଥାପି ଦୁଃଶାସନ ବସ୍ତ୍ର ଫିଟାଉଥାଏ ତାଙ୍କୁ ବିବସ୍ତ୍ର କରିବାପାଇଁ । ଶେଷରେ ଅନ୍ୟ ଉପାୟ ନ ଦେଖି ସେଇ ଗୋଟିଏ ହାତ ବି ଛାତିରୁ ଖସିଗଲା ଏବଂ ଦୁଇ ହାତ ଟେକି ଦ୍ରୌପଦୀ ଡାକିଲେ ପ୍ରଭୁଙ୍କୁ - ‘ରକ୍ଷାକର, ଲଜ୍ଜା ନିବାରଣ କର ପ୍ରଭୁ ! ତୁମେ ଥାଉ ଥାଉ ଧର୍ମ, ନ୍ୟାୟ ବଳି ପଡ଼ିଲେ ପୃଥିବୀରେ ଅରାଜକତା ବ୍ୟାପିଯିବ...।’’ ଦ୍ରୌପଦୀଙ୍କ ଡାକ ପହଞ୍ଚିଲା ପ୍ରଭୁଙ୍କ କାନରେ ଏବଂ ଦୁଃଶାସନ ବସ୍ତ୍ର ଟାଣୁଥାଏ କିନ୍ତୁ ଦ୍ରୌପଦୀଙ୍କ ଦେହ ଆବୃତ ହୋଇ ରହିଥାଏ । ଶେଷରେ ଦୁଃଶାସନ କ୍ଷାନ୍ତ ହେଲା । ସେଇ ଅଲୌକିକ ଘଟଣା ଦେଖି କୁରୁସଭା ସ୍ତମ୍ଭୀଭୂତ ହେଲା । ପ୍ରଭୁଙ୍କ ଯଶ ବାନା ଉଡ଼ିଲା ଉକ୍ତ ସଭାରେ । ଫାଦର୍‍ କହନ୍ତି ଯେ ପର୍ଯ୍ୟନ୍ତ ଦ୍ରୌପଦୀ ନିଜେ ନିଜକୁ ରକ୍ଷା କରିବାପାଇଁ ଗୋଟିଏ ହାତ ଛାତି ଉପରେ ରଖିଥିଲେ ସେପର୍ଯ୍ୟନ୍ତ ସେ ପ୍ରଭୁଙ୍କ ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରି ନ ଥିଲେ । ଯେମିତି ଦୁଇ ବାହୁ ଟେକି ‘ଶରଣ ଗଲି ଶରଣ ଗଲି’ କହିଲେ ସେହିକ୍ଷଣି ଭକ୍ତର ଡାକ ଶୁଣି ପ୍ରଭୁ ବସ୍ତ୍ର ଯୋଗାଇଲେ ତାଙ୍କୁ ରକ୍ଷା କରିବାପାଇଁ । ଏଇ ଦୃଷ୍ଟାନ୍ତ ପରି ଅଜସ୍ର ଦୃଷ୍ଟାନ୍ତ ଅଛି ସବୁ ଧର୍ମଶାସ୍ତ୍ରରେ । ପ୍ରଭୁ ଯୀଶୁ ପାପୀ, କ୍ଷୁଧାର୍ତ୍ତ, ବିଶ୍ଵାସୀମାନଙ୍କୁ କିପରି ମହାସଙ୍କଟରୁ ରକ୍ଷା କରିଥିଲେ ସେଇ କଥା ବି କହୁଥିଲେ ଫାଦର୍‍ ।

 

ଆଜି ତାଙ୍କ କଥା ମନେପଡ଼ୁଛି । ସେ ପାଖରେ ନାହାଁନ୍ତି ଭରସା ଦବା ପାଇଁ । କିନ୍ତୁ ତାଙ୍କ ନାମ ଧରି ଡାକିଲେ ସେ ଯେଉଁଠି ଥିଲେ ବି ଶୁଣନ୍ତି । ଏଥିପାଇଁ ଧୈର୍ଯ୍ୟ ଲୋଡ଼ା, ଶରଣାଗତ ହେବାପାଇଁ ପରମ ବ୍ୟାକୁଳତା ଓ ସମ୍ପୂର୍ଣ୍ଣ ସମର୍ପଣ ପ୍ରୟୋଜନ ।

 

ଆଉ କାଳବିଳମ୍ବ ନ କରି ଧ୍ୟାନରେ ବସିଗଲେ ଶ୍ରୀମୟୀ ।

 

କିଛି ସମୟ ପରେ କବାଟ ସେପାଖରେ ଥାଇ ସତ୍ୟକାମ କହିଲା -‘‘କବାଟ ଖୋଲ ମା’... ମୁଁ ଆସିଛି... ହୁମାୟୁନ୍‌ ଆସିଛି... ଭୟ ନାହିଁ... ମୋ ସାଙ୍ଗରେ ସଶସ୍ତ୍ର ପୁଲିସ୍‍ ଆସିଛନ୍ତି । ଏଥର ଆଉ ଭୟ ନାହିଁ...’’

 

‘‘ଧ୍ୟାନରୁ ଉଠି ଧୀରେ ଧୀରେ କବାଟ ଖୋଲିଲେ ଶ୍ରୀମୟୀ ।’’

 

ତାଙ୍କର ପାଦଧୂଳି ନେଇ କହିଲା ସତ୍ୟକାମ – ‘ଦେଖ ମୋ ସାଙ୍ଗରେ କିଏ ସବୁ ଆସିଛନ୍ତି ।’ ମୁହଁ ଟେକି ଚାହିଁଲେ ଶ୍ରୀମୟୀ । ତାଙ୍କ ସମ୍ମୁଖରେ ସତ୍ୟକାମ, ହୁମାୟୁନ୍‍, ତା’ ବାପା କବୀର ସାହେବ ଓ ବେଗମ୍‌ ସୁରେୟା ଠିଆ ହୋଇଥିବା ଦେଖି ସେ ପ୍ରଭୁଙ୍କ ନାମ ସ୍ମରଣ କରି କହିଲେ -‘ଆସନ୍ତୁ ସମସ୍ତେ, ଭିତରକୁ ଆସନ୍ତୁ, ମୋ ପାଖରେ ଅସୀମା ଅଛି । ସେ ନିରାପଦରେ ଅଛି ।’

 

ସମସ୍ତଙ୍କ ମୁହଁ ଉପରେ ପ୍ରସନ୍ନତା ଖେଳିଗଲା ।

 

ପୁଲିସ୍‍ ଘରର ନିରାପତ୍ତା ରକ୍ଷା ଦାୟିତ୍ୱ ନେଲେ ।

 

ତିନିଦିନ ତାଙ୍କ ଘରେ ଅତିଥି ହେବାପରେ ଯେତେବେଳେ ପୁଲିସ୍‍ ଗାଡ଼ିରେ ବସି କବୀର ପରିବାର ନିଜ ଘରକୁ ଫେରିବାପାଇଁ ବାହାରିଲେ - ଡାକ୍ତର ସୁରେୟା ଶ୍ରୀମୟୀଙ୍କୁ କୁଣ୍ଢେଇ ପକାଇ କହିଲେ, ‘ଭଉଣୀ ! ଆପଣଙ୍କ ଋଣ ପରିଶୋଧ କରିବାର ସାହସ ମୋର ନାହିଁ... ଆଲ୍ଲା ଆପଣମାନଙ୍କୁ ସୁଖରେ ରଖନ୍ତୁ... ।’

 

ମୁହଁ ଉପରେ ଟୁକୁରାଏ ହସର ଛିଟା ଉକୁଟି ଉଠିଲା ଶ୍ରୀମୟୀଙ୍କର । ସେ କହିଲେ -‘ଋଣ ପରିଶୋଧର ବେଳ ଆସିବ ଭଉଣୀ । ସେତେବେଳେ ଭଗବାନ୍‌ ଜାଣନ୍ତି କିଏ କାହାର ଋଣ ପରିଶୋଧ କରିବ ।’

 

ତାଙ୍କ କଥାର ତାତ୍ପର୍ଯ୍ୟ ବୁଝିବା ଆଗରୁ ଗାଡ଼ି ଛାଡ଼ି ଦେଇଥିଲା ।

 

ରାଜଧାନୀରେ ପ୍ରଥମ ଥରପାଇଁ ଏଇ ସାମ୍ପ୍ରଦାୟିକ ଦଙ୍ଗା ଅପ୍ରତ୍ୟାଶିତଭାବେ ଘଟିଗଲା । ସାମାନ୍ୟ ଆଘାତ ପାଇ କାଚଗ୍ଲାସ୍‌ ଯେପରି ଭାଙ୍ଗିଯାଏ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ଶହ ଶହ ବର୍ଷର ପାରମ୍ପରିକ ଭ୍ରାତୃଭାବ ଓ ଶାନ୍ତି ସାମାନ୍ୟ କାରଣରୁ ଭାଙ୍ଗିଗଲା । ସକାଳ ପାହିଲେ ଏକା ସାଙ୍ଗରେ ପାଦକୁ ପାଦ ମିଳାଇ କାରଖାନାକୁ କାମ କରିବାପାଇଁ ଯାଉଥିବା ଦୁଇ ସାଥୀ ଆଉ ପରସ୍ପରକୁ ବିଶ୍ଵାସ ନ କରି ଭିନ୍ନ ବାଟ ଧରିବାପାଇଁ ପସନ୍ଦ କଲେ । ରସୁଲଗଡ଼ ଛକ ଉପରେ ଚାଳିଶ ବର୍ଷ ଧରି ଖାଣ୍ଟି ଖାସି ମାଂସ ବିକ୍ରି କରୁଥିବା ବଡ଼େ ମିଆଁର ଦୋକାନକୁ ହିନ୍ଦୁ ଗରାଖମାନେ ଆଉ ଆସିଲେ ନାହିଁ । ଇଦ୍‌ପର୍ବ ପାଳନବେଳେ ମୁସଲମାନମାନଙ୍କ ଉପବାସ ଭଙ୍ଗ ପରେ ଭୋଜି ଏବଂ ହସ ଉଲ୍ଲାସରେ ଅନ୍ୟ ଧର୍ମର ଲୋକ ସ୍ଵତଃସ୍ଫୁର୍ତ୍ତଭାବେ ଯୋଗଦେଲେ ନାହିଁ କି ଦଶହରା ଦିନ ଭସାଣି ଉତ୍ସବରେ ଦେବୀ ବିସର୍ଜନ କରିବାପାଇଁ ଦୁଇ ସମ୍ପ୍ରଦାୟର ଲୋକମାନେ ଆତସବାଜି ଫୁଟାଇ ବ୍ୟାଣ୍ଡବାଜା ବଜାଇ ଆଉ ମିଳିମିଶି ଶୋଭାଯାତ୍ରାରେ ବାହାରିଲେ ନାହିଁ ।

 

ସନ୍ଧ୍ୟା ପରେ ରାଜଧାନୀର ରସୁଲଗଡ଼, ଚକେଇସିଆଣୀ, ଭିଏସ୍‌ଏସ୍‌ ନଗର ଓ ସନ୍ନିକଟ ଅଞ୍ଚଳର ରାସ୍ତାଘାଟରେ ବୁଲିବା ନିରାପଦ ମନେ ନ କରି ବାଟ ଭାଙ୍ଗି ଉଭୟ ସମ୍ପ୍ରଦାୟର ଲୋକ ବୁଲା ବାଟରେ ଘରକୁ ଫେରିଲେ । ହାଟରେ କୁକୁଡ଼ା ଓ ଅଣ୍ଡା ବିକ୍ରି କରୁଥିବା ସଲାମତ ଖାଁ ଏବଂ ରହମାନ୍‌ର ଦୋକାନ ଦୁର୍ବୃତ୍ତମାନେ ପୋଡ଼ି ଦବା ପରେ ସେମାନେ ଆଉ ସାହସ କରି ନୂଆ ଦୋକାନ ନ ଖୋଲି ଭଲ ସମୟ ଆସିବା ପର୍ଯ୍ୟନ୍ତ ଘରେ ବସିଲେ ଆଣ୍ଠୁ ଉପରେ ମୁହଁ ଜାକି ।

 

ଜାତୀୟ ଖବରକାଗଜ ଏବଂ ଟିଭିରେ ସାମ୍ପ୍ରଦାୟିକ ସଂଘର୍ଷ ଏଡ଼ିଦେଇ ନ ପାରିବା ଯୋଗୁଁ ସରକାରଙ୍କୁ ନିନ୍ଦା କରାଗଲା । ପୁଲିସ୍‌ ଅସଲ ସୂତ୍ରଧରମାନଙ୍କୁ ଗିରଫ ନ କରି କେବଳ ଧର୍ମକୁ ଆଖିମିଟିକା ମାରିବାପାଇଁ ଉଭୟ ଗୋଷ୍ଠୀର କେତେଜଣ ଦାଗୀ ଓ ଅପରାଧୀଙ୍କୁ ଗିରଫ କରି ଆଣିଲା । ଅବସ୍ଥା ସ୍ଵାଭାବିକ ହେବା ପର୍ଯ୍ୟନ୍ତ ସିଆର୍‌ପିଏଫ୍‌ ଫ୍ଲାଗ୍‌ମାର୍ଚ୍ଚ କଲା ଏବଂ ରାତିରେ ଛକ ଜାଗାମାନଙ୍କରେ ପୁଲିସ୍‍ ଗାଡ଼ି ଜଗି ରହିଲା କୌଣସି ଅଘଟଣ ଘଟିବାମାତ୍ରେ ଝାମ୍ପିପଡ଼ିବାପାଇଁ ।

 

କିନ୍ତୁ ତିନିଦିନ ପରେ ମଧ୍ୟ ଦଙ୍ଗା କାହିଁକି ଉଗ୍ର ରୂପ ନବା ଆଗରୁ ରୋକାଯାଇ ପାରିଲା ନାହିଁ ଏବଂ ଓଡ଼ିଶା ପରି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟର ପାରମ୍ପରିକ ସାମ୍ପ୍ରଦାୟିକ ସଦ୍‌ଭାବ ଗୋଟିଏ ଘଟଣାରେ ବିପର୍ଯ୍ୟସ୍ତ ହୋଇଗଲା । ତାହାର ମୂଳ ଖୋଜି ବାହାର କରି ନ ପାରିବାରୁ ପୁଲିସ୍‌ ଓ ପ୍ରଶାସନର ଅପାରଗତା ଯୋଗୁଁ ଯେ ଏଇ ଅପ୍ରୀତିକର ଘଟଣା ଘଟିଗଲା । ସେଥିପାଇଁ ସରକାରଙ୍କୁ ଛିଡ଼ା ହେବାକୁ ହେଲା ବିଧାନସଭାର କାଠଗଡ଼ାରେ ବିରୋଧୀ ଦଳର ତୀକ୍ଷ୍‍ଣ ପ୍ରଶ୍ନର ଉତ୍ତର ଦବାପାଇଁ । ସରକାରୀ ଦଳ ଝାଳନାଳ ଅବସ୍ଥାରେ ପଡ଼ି ଆତ୍ମରକ୍ଷା କରିବାପାଇଁ ଉପାୟ ଖୋଜୁଥିବାବେଳେ ମୁଖ୍ୟମନ୍ତ୍ରୀ ପୋଖତ ନେତାମାନଙ୍କ ସହିତ ପରାମର୍ଶ କରି ଘୋଷଣା କରିଦେଲେ ଯେ, “ସପ୍ତାହ ପୂରିବା ଆଗରୁ ପ୍ରକୃତ ଆସାମୀକୁ ଠାବ କରାଯିବ ଏବଂ ଏଇ ଘଟଣାପାଇଁ ଯେଉଁମାନେ ଦାୟୀ ସେମାନେ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି ଆଇନ ହାତରୁ ଖସି ଯାଇପାରିବେ ନାହିଁ ।’’

 

ପୁଲିସ୍‌ ଏବଂ ଗୋଇନ୍ଦାମାନେ ଲାଗିଗଲେ ମୂଳ କାରଣ ଖୋଜି ବାହାର କରିବା ପାଇଁ । ସନ୍ଦେହ ଘେରରେ ଯେଉଁମାନେ ରହିଲେ ସେମାନଙ୍କୁ ପୁଲିସ୍‌ ଧରି ଆଣି ପଚରା ଉଚୁରା କଲା । କେତେଜଣ ଗୁଣ୍ଡା ଓ ଅସାମାଜିକ ଲୋକ ଗିରଫ ମଧ୍ୟ ହେଲେ । ମାନବିକ ଅଧିକାର କମିସନ ସରଜମିନ କରି ପ୍ରକୃତ ତଥ୍ୟ ଜଣାଇବାପାଇଁ କମିସନର ଜଣେ ବରିଷ୍ଠ ସଭ୍ୟଙ୍କୁ ଭୁବନେଶ୍ୱର ପଠାଇଲେ । ଦଶଦିନ ପରେ ପାର୍ଲିଆମେଣ୍ଟ ଅଧିବେଶନ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ରସରକାର କେବଳ ରାଜ୍ୟସରକାର ଉପରେ ନିର୍ଭର ନ କରି ସିବିଆଇ କର୍ତ୍ତାମାନଙ୍କୁ ପଠାଇଲେ ସତ୍ୟ ଉଦ୍‌ଘାଟନ କରିବାପାଇଁ ।

 

ଏପରି ଅବସ୍ଥାରେ ଯେ ସମ୍ବାଦପତ୍ର ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ଦାୟିତ୍ୱ ଦଶଗୁଣ ବଢ଼ିଯାଏ ତାହା କହିବା ବାହୁଲ୍ୟମାତ୍ର । ଘଟଣାର ଗୁରୁତ୍ୱ ବୁଝି ଦ୍ୱିତୀୟ ଦିନ ସକାଳେ ‘ନିଉ ଟାଇମ୍ସ୍’ର ସମ୍ପାଦକ ମୁକ୍ତେଶ୍ଵର ତଲ୍‌ୱାଲ୍‌କର ସତ୍ୟକାମ ଏବଂ ହୁମାୟୁନ୍‍କୁ ଡାକି ସେମାନଙ୍କୁ ସତର୍କ କରିଦେଇ କହିଥିଲେ ଯେ ଏଇ ଇସ୍ୟୁ ଉପରେ ସାମାଜିକ ସ୍ଥିରତା ଓ ଶାନ୍ତି ନିର୍ଭର କରୁଥିବାରୁ ପ୍ରକୃତ ସତ୍ୟ ଉଦ୍‌ଘାଟନ କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଯଦି ‘‘ନିଉ ଟାଇମ୍ସ୍’’ ଗୋଇନ୍ଦା ବିଭାଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ପ୍ରକୃତ ସତ୍ୟ ଘଟଣା କହିଦିଏ ଏବଂ ଯେଉଁମାନଙ୍କ ହୀନ ଷଡ଼୍‌ଯନ୍ତ୍ର ଯୋଗୁଁ ଏପରି ନିନ୍ଦନୀୟ ଘଟଣା ଘଟିଲା ସେମାନଙ୍କୁ ଚିହ୍ନଟ କରିଦିଏ ତେବେ ଖବରକାଗଜର ଗ୍ରାହକ ସଂଖ୍ୟା ଏବଂ ବିଶ୍ୱସନୀୟତା ବଢ଼ିବ । ସରକାରର ଅସାମର୍ଥ୍ୟ ପଦାରେ ପକାଇ ଦେଇପାରିଲେ ଦେଶରେ ଆଉ ଯେପରି ଏପରି କ୍ଷତିକାରକ ଘଟଣା ନ ଘଟେ ତାହା ନିଶ୍ଚୟ କରିବା ସକାଶେ ସରକାର ପ୍ରତିଷେଧକ ବ୍ୟବସ୍ଥା ଦୃଢ଼ କରିବାପାଇଁ ବାଧ୍ୟ ହେବେ । ଏଇ ଜାତୀୟ ଦାୟିତ୍ଵ ‘‘ନିଉ ଟାଇମ୍ସ୍’’ ଗ୍ରହଣ କରୁ ଏବଂ ଏହାକୁ ଗୋଟେ ଚ୍ୟାଲେଞ୍ଜ ମନେକରି ସତ୍ୟପ୍ରକାଶ କରୁ ।

 

ତଲ୍‌ୱାଲ୍‌କରଙ୍କ ଆଦେଶ ଅନୁସାରେ ସାମ୍ପ୍ରଦାୟିକ ଦଙ୍ଗାର କାରଣ ଓ ଏଥିପାଇଁ କିଏ ଦାୟୀ ତାହା ଉଦ୍‌ଘାଟନ କରିବାପାଇଁ ଲାଗିଗଲେ ଦୁଇ ବନ୍ଧୁ । ଅର୍କ ସେମାନଙ୍କ ସହିତ ଯୋଗଦେଲା ଏବଂ ତାହାରି ଜରିଆରେ କେତେଜଣ ବିଶ୍ଵାସୀ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟ ମଧ୍ୟ ସେମାନେ ନେଲେ । କିନ୍ତୁ ମସ୍‌ଜିଦ୍‌ ଓ ମନ୍ଦିର ଏଇ ଅଞ୍ଚଳରେ ଦୀର୍ଘ କାଳ ଲୋକଙ୍କର ଉପାସନାର କେନ୍ଦ୍ର ହୋଇ ରହି ଆସିଥିଲେ ମଧ୍ୟ କେବେ ବିରୋଧର କେନ୍ଦ୍ର ହୋଇ ନ ଥିଲା । ମହରମ ସମୟରେ ମୁସଲମାନମାନେ ତାଜିଆ ନବାବେଳେ ମନ୍ଦିର ମାର୍ଗରେ ନ ଯାଇ ଅନ୍ୟବାଟରେ ଯାଉଥିଲେ ଏବଂ ହୋଲି ସମୟରେ ମସ୍‌ଜିଦ୍‌ ସାମ୍ନାରେ ଯେପରି ଗଣ୍ଡଗୋଳ ନ ହୁଏ ତାହା ନିଶ୍ଚୟ କରୁଥିଲେ ହିନ୍ଦୁମାନେ । ତଥାପି କିଏ କଲା ଏଇ କାଣ୍ଡ, କାହିଁକି କଲା, ଏବଂ ଏଥିସହିତ କୌଣସି ବ୍ୟକ୍ତିବିଶେଷ କିମ୍ୱା ଦଳ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଜଡ଼ିତ କି ନୁହଁ ତାହା ନ ଜାଣିବା ପର୍ଯ୍ୟନ୍ତ ଅପରାଧୀମାନଙ୍କ ଦୌଡ଼ କେତେଦୂର ତାହା ଜାଣିବା ଯେ ସମ୍ଭବ ନୁହେଁ ଏଇ ସିଦ୍ଧାନ୍ତରେ ଉପନୀତ ହେଲେ ସେମାନେ ।

 

ତିନିଜଣ ଏକାନ୍ତରେ ଅନୁସନ୍ଧାନର ଷ୍ଟ୍ରାଟେଜି ନେଇ ଆଲୋଚନା କରିବା ପରେ ଏକତ୍ର ନ ଯାଇ ବାଣ୍ଟିହୋଇ ଯିବାପାଇଁ ସ୍ଥିର ହେଲା । ଚକେଇସିଆଣି, ରସୁଲଗଡ଼, ଭିଏସ୍‌ଏସ୍‌ ନଗରରେ ରହି ସେମାନେ ନିଜ ନିଜ ଉପାୟରେ ତଥ୍ୟ ସଂଗ୍ରହ କରିବାପାଇଁ ବାହାରିଯିବା ପୂର୍ବରୁ ସତ୍ୟକାମ କହିଲା, ‘ମୋବାଇଲ୍‌ରେ ସଂଯୋଗ କରିବ । କିନ୍ତୁ ନିଜ ନାମ ପ୍ରକାଶ ନ କରି ଯେଉଁ ନାମ ଆମେ ସ୍ଥିର କରିଛୁ ସେଇ ଛଦ୍ମନାମ ବ୍ୟବହାର କରିବ । ସେମାନେ ଯେପରି ଟେର ନ ପାଆନ୍ତି ଯେ ଆମେ ଖବରକାଗଜ ବା ସରକାରର ଗୁପ୍ତଚର ।’

 

ଚକେଇସିଆଣିର ଗୋଟେ ଜଳଖିଆ ଦୋକାନରେ କେତେଜଣ ବସି ବରା ପକୋଡ଼ି ଖାଉଥିଲେ । ବରା ଛାଣୁଥିଲା ଦୋକାନୀ । ସେଇ ବାସ୍ନା ଟାଣି ନେଇଗଲା ସତ୍ୟକାମକୁ । ସେ କାଠବେଞ୍ଚର ଗୋଟିଏ ପାଖରେ ବସି କହିଲା -‘ଦୁଇଟା ବରା, ଆଉ କପେ ଚା’ ।’ ତା’ ମୁହଁକୁ ଅନାଇଲା ଦୋକାନୀ । ନୂଆ ଲୋକ ହୋଇଥିବେ ଏମିତି ଜଣେ ମାର୍ଜିତ ଯୁବକ ତ ଚକେଇସିଆଣି ବାସିନ୍ଦା ହୋଇପାରେନା ।

 

କିନ୍ତୁ ବରାରୁ ଖଣ୍ଡେ ଚୋବାଇସାରି କହିଲା ସତ୍ୟ, ‘‘ମୁଁ ଆଜି ଆସିଚି । ମୋ ସାଙ୍ଗ ଏଇ ପାଖରେ ରହେ । ୟୁନିଭର୍ସିଟିରୁ ଫେରୁଥିଲି । ଭୋକ ଲାଗୁଥିଲା, ତୁମ ବରାର ମହ ମହ ବାସ୍ନା ମୋତେ ଟାଣିଆଣିଲା ଦୋକାନକୁ । ମୋ ସାଙ୍ଗ କହିଥିଲା ଫେରିବାବେଳେ ରଘୁ ଯଦି ବରା ଛାଣୁଥାଏ ଦିଇଟା ଖାଇଦବୁ... ଏମିତି ବରା ସାରା ଭୁବନେଶ୍ୱରରେ ମିଳିବ ନାହିଁ । ଏବେ ଜାଣୁଛି ସେ ସତ କହିଥିଲା । ଏମିତି ସୁଆଦିଆ ବରା ଆଉ କାହିଁ ଖାଇନି ମୁଁ... ।’’

 

ବରା ଦୋକାନୀ ରଘୁ ଖୁସି ହୋଇଗଲା ତା’ କଥା ଶୁଣି ।

 

କହିଲା – ‘‘ଆଉ ଯୋଡ଼େ ଦିଏ ବାବୁ...’’

 

ତାକୁ ନିରାଶ ନ କରି କହିଲା ସତ୍ୟ- ‘‘ଦିଅ ଦିଅ... ।’’

 

ଆଗରୁ ବସିଥିବା ଲୋକମାନେ ପଇସା ଦେଇ ଉଠିଗଲେ । ଏକା ରହିଲା ସତ୍ୟ । ଏଇ ସୁଯୋଗରେ ପଚାରିଦେଲା, ‘କେତେଦିନ ହେଲା ଏଇ ଦୋକାନ... ବ୍ୟବସାୟ କେମିତି ଚାଲିଛି ?’

 

ରଘୁ କହିଲା, ‘‘ପାଞ୍ଚ ବରଷ ହେଲା ଏଇ ଦୋକାନ । ଆଉ ତ କିଛି ନାହିଁ, ଏଇ ବରାଦୋକାନହିଁ ପରିବାର ପୋଷିବାର ଉପାୟ । ତିନି ପ୍ରାଣୀ କୁଟୁମ୍ବ ଚଳି ଯାଆନ୍ତି.. ।’’

 

-‘‘ଆଜି ଏତେ ମାନ୍ଦା ଯେ... ଗରାଖ ବେଶି ନାହାଁନ୍ତି । ଶୂନ୍‌ଶାନ୍‌ ଲାଗୁଚି... ।’’ କହିଲା ସତ୍ୟ ।

 

- ‘‘ଦୁଇଦିନ ହେଲା ଏମିତି ମାନ୍ଦା ଚାଲିଛି ବାବୁ । ଜଣାନାହିଁ ଶୁଣାନାହିଁ, ହିନ୍ଦୁ ମୁସଲମାନ ବେଶ୍‌ ଭାଇ ଭାଇ ପରି ଚଳୁଥିଲେ, ସେଇ ମସ୍‌ଜିଦ୍‌ ପାଖରେ କିଏ ଜଣେ ମଲା ଘୁଷୁରି ଲାସ ପକାଇଲା କେଜାଣି... ସେଇଥିରୁ ଗଣ୍ଡଗୋଳର ଆରମ୍ଭ...’’

 

‘‘ସେମାନେ ପ୍ରତିବାଦ କରୁଥିବାବେଳେ କେହି ଟେକା ଫିଙ୍ଗିଲା ସେମାନଙ୍କ ଉପରକୁ... ତା’ପରେ ତ ରଣକ୍ଷେତ୍ରକୁ ଡେଇଁପଡ଼ିଲେ ସେମାନେ... ପାଖରେ ଥିବା ହିନ୍ଦୁମାନଙ୍କ ଚାରିଟା ଦୋକାନରେ ନିଆଁ ଲଗାଇଦେଲେ... ଏମାନେ ବି କମ୍‌ ନୁହଁନ୍ତି, ଜଣେ ଖଣ୍ଡା ଚୋଟରେ ମଲା... ଆଉ ଜଣକ ଘରେ ନିଆଁ ଲାଗିଲା... ।’’

 

ସତ୍ୟ ସେତେବେଳକୁ ଚା’ ପିଇ ସାରିଥିଲା । କହିଲା - ‘‘ଏସବୁ କିଏ କରିଥିବ କେଜାଣି, କିନ୍ତୁ କାମଟା ଭଲ ହେଲାନି... ଏହାର ଖରାପ ଫଳ ଭୋଗିବେ ଗରିବମାନେ.. ଯାହାର ଘର ପୋଡ଼ିଲା, ଯେଉଁମାନଙ୍କ ଦୋକାନ ପୋଡ଼ିଗଲା... ସେମାନଙ୍କ ସହାୟ ହେବ କିଏ ?’’

 

ତା’ କଥା ଶୁଣି ଅନୁଚ୍ଚ ସ୍ଵରରେ କହିଲା ରଘୁ, ‘‘ଏଇଠି ଗୋଟେ ନୂଆ ଦଳ ଗଢ଼ିଛନ୍ତି କେତେଜଣ ଟୋକା । ସନାତନ ଦଳ । କେତେଜଣ ଲାଦେନ୍‌ ଦଳ ଗଢ଼ିଥିଲେ ଆଗରୁ । ସେମାନଙ୍କୁ ଜବାବ ଦବାପାଇଁ ଏମାନେ ଗଢ଼ିଲେ ସନାତନ ଦଳ । ଲାଦେନ୍ ଦଳର ହାରୁ ମିଆଁ ଆଉ ସନାତନ ଦଳର ଦୁର୍ଯ୍ୟୋଧନ ଆଗେ ଭାରି ସାଙ୍ଗ ଥିଲେ, ଏକାଠି ମିଶି ବାଣଦୋକାନ ଖୋଲିଥିଲେ... ନୂଆ ବର୍ଷ କାର୍ଡ଼ ବି ବିକୁଥିଲେ । କିନ୍ତୁ ସେଇ ବ୍ୟବସାୟରୁ ଶତ୍ରୁତା... ଏବେ କେହି କାହାକୁ ସହନ୍ତି ନାହିଁ... ଉଣ୍ଡି ଥାଆନ୍ତି ପାନେ ଦବା ପାଇଁ... ।’’

 

-‘‘ଏମାନଙ୍କୁ ତ ଆଉ କେହି ସାହାଯ୍ୟ କରୁଥିବ ବାହାରୁ !’’ କହିଲା ସତ୍ୟ ।

 

-‘‘ହଁ ବାବୁ ! ସନାତନ ଦଳ ମୁନ୍‍ସିପାଲିଟି ନିର୍ବାଚନରେ ଦୁର୍ଯ୍ୟୋଧନକୁ ଛିଡ଼ା କରାଇଥିଲା । ଆଉ ଲାଦେନ୍ ଦଳ ଛିଡ଼ା କରାଇଥିଲା ହାରୁ ମିଆଁକୁ । ହାରୁ ହାରିଗଲା । ଦୁରୁଜା ଜିତିଗଲା, ତା’ପରେ ତ ଚକେଇସିଆଣି ଉଠୁଛି ପଡ଼ୁଛି... ଭିଏସ୍‌ଏସ୍‌ ନଗର, ରସୁଲଗଡ଼ ଟୋକାମାନେ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି ।’’

 

-‘‘କିନ୍ତୁ ମଲା ଘୁଷୁରିଟା ପାଇଲେ କୋଉଠୁ ? ମସ୍‌ଜିଦ୍‌ ପାଖରେ ରଖିଲା କିଏ ?’’ ପ୍ରଶ୍ନ କଲା ସତ୍ୟ ।

 

- ‘‘ଆଉ କିଏ କରିବ ବାବୁ ? ଦୁରୁଜା ସାଙ୍ଗମାନଙ୍କ ସହ କରିଛି । ଏଇଠି ବରା ଖାଇବାବେଳେ ଫୁସ୍‌ଫୁସ୍‌ କରି ଆଲୋଚନା କରୁଥିଲେ । ରସୁଲଗଡ଼ର ସଦା ନାଏକ ଘୁଷୁରି, ମେଣ୍ଢା, ଛେଳି କାରବାର କରେ, ତାହାରିଠୁ ଘୁଷୁରିଟାଏ ପାଇଗଲେ । ହାରୁ ମିଆଁର ସାଙ୍ଗ ଆଉ ଲାଦେନ୍ ଦଳର ନେତା ଶେଖ୍‌ ଅଖ୍‌ତାର ଉପରେ ପ୍ରତିଶୋଧ ନବାପାଇଁ ଦୁରୁଜାର ମାମୁ ଗଣିଆ ଦୋକାନୀ ସୁଯୋଗ ଖୋଜୁଥିଲା । ଦୁରୁଜା ମାମୁ ସାଙ୍ଗରେ ମିଶି ଏ କାମ କରିଛି । ଆଉ ତାକୁ ପାନେ ଦବାପାଇଁ ହାରୁ ମିଆଁ ଦଳ ଦୋକାନ ପୋଡ଼ିଦେଲେ... ପାଲଟା ଜବାବ ଦବାପାଇଁ ଗଣିଆର ଭାଇ ଶିବୁ ଆଉ ତା’ ସାଙ୍ଗ ଦୁର୍ଦ୍ଦାନ୍ତ ଗୁଣ୍ଡା ହରିଆ ମଳିକ ସୋଫିଆ ବିବିର ଘରେ ନିଆଁ ଲଗାଇଦେଲେ । ଭାଗ୍ୟକୁ ବିବି ଘରେ ନ ଥିଲା, ନ ହେଲେ ପୋଡ଼ି ମରିଥାନ୍ତା । ତା’ ସ୍ଵାମୀ ତ ପାରାଦ୍ଵୀପରେ ଚାକିରି କରେ । ପିଲା ଦି’ଟାଙ୍କୁ ନେଇ ବନ୍ଧୁଘରକୁ ଯାଇଥିଲା ଖାଇବାପାଇଁ । ଫେରିବାବେଳକୁ ତା’ ଘର ଜଳୁଥିବାର ଦେଖିଲା... ।’

 

-‘‘କିନ୍ତୁ ପୁଲିସ୍‍ ତ ଡାକି ନେଇଛି ଆଉ କେତେଜଣଙ୍କୁ । ଏମାନଙ୍କ ମଧ୍ୟରୁ କେହି ବି ଗିରଫ ହୋଇନାହିଁ... ।’’ କହିଲା ସତ୍ୟ ।

 

-‘‘ଗରିବ ମାଇପ ସମସ୍ତଙ୍କ ଶାଳୀ ବାବୁ । ଯିଏ ଗରିବ ତା’ର ଜାତି ନ ଥାଏ । ସବୁ ଗରିବଙ୍କ ଗୋଟିଏ ଜାତି । ଏମାନେ ସମସ୍ତେ ମଞ୍ଚେଶ୍ଵର ଅଞ୍ଚଳରେ କୁଲିକାମ କରନ୍ତି । କାମସାରି ସେଇ ବାଟଦେଇ ଫେରୁଥିବାବେଳେ ପୁଲିସ୍‍ ଗିରଫ କଲା - ତା’ ଆଗରୁ ଯେ ଏତେକାଣ୍ଡ ହୋଇଛି ସେମାନେ ଜାଣି ନ ଥିଲେ - ଜାଣି ନ ଥିଲେ ଯେ ୧୪୪ଧାରା ଜାରୀ କରିଛି ପୁଲିସ୍‌...’’

 

ସେମାନେ କଥାବାର୍ତ୍ତା ହେଉଥିବାବେଳେ ଆସି ପହଞ୍ଚିଲେ ଯଦୁ ଶର୍ମା । ତାଙ୍କ ସହିତ ଚିହ୍ନା ପରିଚୟ ହେଲା । ସେ ସ୍ଥାନୀୟ ଗୁରୁକୁଳ ବିଦ୍ୟାଳୟର ଶିକ୍ଷକ । ତାଙ୍କର ମୁହଁରୁ ସତ୍ୟକାମ ଶୁଣିଲା ଯେ ସାମ୍ପ୍ରଦାୟିକ ଦଙ୍ଗା ପଛରେ ବଡ଼ ବଡ଼ କ୍ଷମତାଶାଳୀ ରାଜନେତାଙ୍କ ହାତ ଅଛି । ଆକବର ସିନେମା ହଲର ମାଲିକ ଶେଖ୍‍ ଅଖ୍‍ତାର ହାରୁ ମିଆଁ ଓ ସଲମାନ୍‌ ଖାଁ ପ୍ରଭୃତି ନେତା । ଆଗାମୀ ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବାପାଇଁ ପ୍ରାୟ ମନ ସ୍ଥିର କରିସାରିଛନ୍ତି, ସଂଖ୍ୟାଲଘୁମାନଙ୍କୁ ନିଜ ଗୋଷ୍ଠୀରେ ରଖିବାକୁ ଚାହାଁନ୍ତି । ମସ୍‌ଜିଦ୍‌ ପରିଚାଳନା ଖର୍ଚ୍ଚର ଏକ ବଡ଼ ଅଂଶ ସେ ଦିଅନ୍ତି । ଏହା ବାହାରେ ଭୁବନେଶ୍ୱରର ଦିନମଜୁରିଆ ସଂଘର ସଭାପତି ସେ, ଭିଏସ୍‌ଏସ୍‌ ହାଟ ବ୍ୟବସାୟୀ ସଂଘର ସଭାପତି, ବଣିକ ସଂଘର ଉପସଭାପତି ଇତ୍ୟାଦି । କୀଚକ ବାହୁବଳେ ବିରାଟ ରାଜା ପରି ଶେଖ୍‌ ଅଖ୍‍ତାରଙ୍କ ବଳରେ ହାରୁମିଆଁ ଓ ଅନ୍ୟମାନେ ଚକେଇସିଆଣିର ରାଜା ।

ଶର୍ମାବାବୁ ଆହୁରି କହିଲେ ଯେ ମସ୍‌ଜିଦ୍‌ ପାଖରେ ମଲା ଘୁଷୁରି ପକାଇବାପାଇଁ ଦୁର୍ଯ୍ୟୋଧନ ସାହସ କରି ନ ଥାନ୍ତା । ଏଇ କାମ ପଛରେ ଖଣିମାଲିକ ନିକୁଞ୍ଜ ଦାସ ମହାପାତ୍ରଙ୍କ ହାତ ଅଛି । ଲୋକଙ୍କ ଆଢ଼ୁଆଳରେ ତାଙ୍କୁ ମୁଖପାତ୍ର କରି କାମ କରନ୍ତି ପୂର୍ବତନ ମନ୍ତ୍ରୀ କରୁଣାକିଙ୍କର ଦଳବେହେରା । ସେ ମହାଶୟ ‘ନୂତନ ଓଡିଶା’ ପାର୍ଟିର ସଭାପତି ଏବଂ ଆସନ୍ତା ନିର୍ବାଚନରେ କଟକ, ଭୁବନେଶ୍ୱର, ଜଟଣୀ, କେନ୍ଦ୍ରାପଡ଼ା ପ୍ରଭୃତି ଏକୋଇଶଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦବାପାଇଁ ଚାହାଁନ୍ତି । ଦଶଜଣ ବିଧାୟକ ହାତରେ ରହିଲେ ସେ ସବୁଠାରୁ ବଡ଼ ଦଳରେ ନ ଥାଇ ମଧ୍ୟ କ୍ଷମତାକୁ ଫେରିବାର ସମ୍ଭାବନା ଉଜ୍ଜ୍ଵଳ । ସେଥିପାଇଁ ସେ ଦୁର୍ଯ୍ୟୋଧନ, ଗଣିଆ, ଶିଶୁ ଏମାନଙ୍କ ସାହାଯ୍ୟରେ ଶିଳ୍ପାଞ୍ଚଳର ଲୋକଙ୍କୁ ଭୋଟ ବ୍ୟାଙ୍କ କରିବା ଲାଗି ଅନେକ ଖର୍ଚ୍ଚ ବି କରିଥାନ୍ତି ।

ଆଉ ବିଳମ୍ବ ନ କରି ସତ୍ୟକାମ ସିଧା ଗଲା ପ୍ରେସ୍‌କୁ । ତା’ର ଟେଲିଫୋନ୍‌ ପାଇ ହୁମାୟୁନ୍‌ ଏବଂ ଅର୍କ ମଧ୍ୟ ସେଠାରେ ପହଞ୍ଚିଲେ । ସମସ୍ତେ ସଂଗ୍ରହ କରିଥିବା ତଥ୍ୟ ଉପରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କଲେ ସେମାନେ । ଅନେକ ରହସ୍ୟ ଓ ଅଜ୍ଞାତ ତଥ୍ୟର ପର୍ଦ୍ଦାଫାଶ କରିଥିଲେ ସାମ୍ବାଦିକମାନେ । ପ୍ରାତଃ- ସଂସ୍କରଣରେ ଏଇ ରିପୋର୍ଟ ପ୍ରକାଶ ପାଇଲେ ଯେ ସମଗ୍ର ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହବ ଏଥିରେ ସନ୍ଦେହ ନ ଥିଲା ସତ୍ୟକାମର । ଏଇ ଅନୁସନ୍ଧାନମୂଳକ ରିପୋର୍ଟ ଖବରକାଗଜରେ ପ୍ରକାଶ ପାଇଲେ ରାଜନେତାମାନଙ୍କ ମଧ୍ୟରେ ହଇଚଇ ପଡ଼ିଯିବ । ଖୋଳତାଡ଼ ଆରମ୍ଭ ହେବ ସତ୍ୟାସତ୍ୟ ଜାଣିବାପାଇଁ । ପୁଣି ଆହୁରି ଗୋପନୀୟ ତଥ୍ୟ ପରେ ପ୍ରକାଶ ପାଇବ ସେଇ ଆଶଙ୍କାରେ ରାଜନେତାମାନେ ଦୌଡ଼ାଦୌଡ଼ି ଆରମ୍ଭ କରିଦେବେ । କରୁଣାକିଙ୍କରଙ୍କ କ୍ଷମତାସୀନ ଦଳର ମୁଖ୍ୟଙ୍କ ସହିତ ପୂର୍ବରୁ ବନ୍ଧୁତା ଥିବା ସମସ୍ତେ ଜାଣନ୍ତି । କରୁଣାକିଙ୍କର ଦଳରେ ଯେଉଁମାନେ ନିର୍ବାଚନରେ ଛିଡ଼ା ହେବେ ସେମାନେ କ୍ଷମତାସୀନ ନୂତନ ପ୍ରଗତିଦଳର ମୁଖ୍ୟ ଦୀପଙ୍କର ମିଶ୍ରଙ୍କ ସମର୍ଥକ ।

ସବୁ ସାମାଜିକ ଓ ସାମ୍ପ୍ରଦାୟିକ ସଂଘର୍ଷ ମୂଳରେ ରାଜନେତାମାନଙ୍କ ରାଜନୀତି । କିଏ କାହାକୁ କେଉଁଠି ଓ କିପରି ହରାଇବ ଏବଂ ଉପରକୁ ଉଠିବ ଏଇ ତଣ୍ଟିକଟା ରାଟ୍ ରେସ୍ ଚାଲିଛି ରାଜ୍ୟରେ । ଓଡ଼ିଶାର ଦାରିଦ୍ର୍ୟ ଦୂର କରିବାପାଇଁ ଉପାୟ ନିର୍ଦ୍ଧାରଣ ଓ କାର୍ଯ୍ୟକାରୀ କରିବା ସକାଶେ କାହାରି ସମୟ ନାହିଁ । କେବଳ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ସେଥିରୁ ସେମାନେ କେତେ ଭାଗ ପାଇବେ ସେଇ ବିଷୟ ନେଇ ସଦାବେଳେ ଯୋଜନା ଚାଲିଥାଏ ।

ରାଜନୀତିର ଅପରାଧୀକରଣ ଘଟିଛି ନେତାମାନଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ କ୍ଷମତା ଓ ଧନଲୋଭ ଚରିତାର୍ଥ କରିବାପାଇଁ । ସମସ୍ତେ ଆଶାୟୀ ଇନ୍ଦ୍ରପଦ ପାଇବା ପାଇଁ । କିନ୍ତୁ ଇନ୍ଦ୍ରପଦ ଯେ କେବଳ ଗୋଟିଏ ସେଇ ଚିନ୍ତା ନ ଥାଏ ସେମାନଙ୍କର । ଏଇ କାରଣରୁ ସମାଜ ସେବା, ଲୋକ ସଂଗଠନ ଓ ରଚନାତ୍ମକ କାର୍ଯ୍ୟର ଗୁରୁତ୍ୱ ଆଉ ନାହିଁ । ବରଂ ତା’ ଜାଗାରେ କୌଣସି ପ୍ରକାର ଧନ ଓ ବାହୁବଳରେ ଲୋକମାନଙ୍କୁ ଆୟତ୍ତ କରିବାପାଇଁ ଚାଲିଛି ଷଡ଼ଯନ୍ତ୍ର ।

ଯେତିକି ଭାବଲା ଏ ସମ୍ପର୍କରେ ସେତିକି ମ୍ରିୟମାଣ ହେଲା ସତ୍ୟକାମ । ବୁଦ୍ଧିଜୀବୀ, ଉଚ୍ଚଶିକ୍ଷିତମାନେ ଏଇ ଅଧଃପତନ ବନ୍ଦ କରିବାପାଇଁ କିଛି ତ କରୁ ନାହାଁନ୍ତି ବରଂ ଏଥିରୁ ଲାଭ ଉଠାଇବାପାଇଁ ଉଦ୍ୟମ ଜାରି ରଖିଥିବାରୁ ପରିସ୍ଥିତି ଅସହ୍ୟ ହେଉଛି ।

ସତ୍ୟକାମର ଅନ୍ତର ଭିତରୁ କିଏ ଯେପରି ଘୋଷଣା କଲା ନିଶ୍ଚଳ ସ୍ଵରରେ - ନା, ନା, ଏ ଅଧୋଗତି ବନ୍ଦ କରିବାକୁ ପଡ଼ିବ, ପ୍ରତିରୋଧ କରିବାକୁ ପଡ଼ିବ ଜାତୀୟ ଚରିତ୍ରର ସ୍ଖଳନକୁ । ଆଉ ଏଥିପାଇଁ ଯଦି ଧର୍ମଯୁଦ୍ଧର ପ୍ରୟୋଜନ ହୁଏ ସେଥିରେ ସେ ଲମ୍ଫ ଦବାକୁ କୁଣ୍ଠା କରିବ ନାହିଁ । ନେତୃତ୍ୱ ନବାର ଯୋଗ୍ୟତା ତା’ର ନାହିଁ, କିନ୍ତୁ ଗୁଣ୍ଡୁଚି ମୂଷା ସେତୁବନ୍ଧ ବାନ୍ଧିବା କାର୍ଯ୍ୟରେ ଯୋଗ ଦବାପରି ସେ ବି ଯୋଗ ଦବ ଧର୍ମ ଯୁଦ୍ଧରେ ଜଣେ ସାଧାରଣ ସୈନିକ ପରି । ଚନ୍ଦ୍ରମୌଳି ଶ୍ରୀବାସ୍ତବ, ଚିଦାନନ୍ଦ ମହାନ୍ତି ଓରଫ୍‌ ରାଜାସାହେବଙ୍କ ପରି ଖଳନାୟକମାନଙ୍କ ଚେର ଉପାଡ଼ି ଦବାପାଇଁ ଦରକାର ହେଲେ ଆତ୍ମବଳି ଦବାକୁ ସେ ପଛାଇବ ନାହିଁ ।

ପ୍ରେସ୍‌ରୁ ଘରକୁ ଫେରିବାବେଳକୁ ଦୁଇଟା ବାଜି ଯାଇଥିଲା । ଫାଟକ ଖୋଲିବାର ଶବ୍ଦ ଶୁଣି ଶ୍ରୀମୟୀ କବାଟ ଖୋଲିଲେ । ପୁଅର ମଥା ଆଉଁସି ଦେଇ କହିଲେ - ‘ଏତେ ରାତିଯାଏ କାମ କରୁଛୁ... ମୋ ଛାତି ଧଡ଼ପଡ଼ ହେଉଥିଲା... । ସହରର ଅବସ୍ଥା ତ ଭଲ ନୁହେଁ... ସାମ୍ପ୍ରଦାୟିକ ସଂଘର୍ଷ ଘଟିବା ପରେ ଅବିଶ୍ୱାସର ବିଷ ବୁଣି ହୋଇଯାଇଛି ସାହି ଓ ବସ୍ତିରେ । ଭାଗ୍ୟକୁ ସାଦା ପୋଷାକଧାରୀ ପୁଲିସ୍‍ ଦୁଇ ଜଣ ତୋ ପାଖେ ପାଖେ ଅଛନ୍ତି ବୋଲି ମୁଁ ଭାଙ୍ଗିପଡ଼ିନି ।

ସତ୍ୟକାମ ତାଙ୍କର ମହିମାମୟୀ ରୂପ ଦେଖି ଉତ୍ସାହିତ ହେଲା । ମା’ଙ୍କ ହାତ ଦେହରେ ବାଜିଲେ, ମା’ଙ୍କ ଲୁଗା କାନିରେ ଝାଳ ପୋଛିଲେ ଶରୀରରେ ଶକ୍ତ ସଞ୍ଚାର ହୁଏ ।

ପୁଅକୁ ଖୁଆଇବାପାଇଁ ବ୍ୟଗ୍ର ହୋଇପଡ଼ିଲେ ଶ୍ରୀମୟୀ । କିନ୍ତୁ ସତ୍ୟକାମ କହିଲା - ‘ଆଉ ଏତେ ରାତିରେ ଖାଇବାକୁ ମନ ନାହିଁ ମା’ । ଅଫିସ୍‌ରେ ସ୍ୟାଣ୍ଡୱିଚ ଦୁଇଟା ଖାଇ କଫି ପିଇଥିଲି । ଆଉ କିଛି ଖାଇବାପାଇଁ ଇଚ୍ଛା ନାହିଁ । ବରଂ ପାଣି ଗିଲାସେ ଦିଅ...’

ଲୁଗା ବଦଳ କରି ପାଣି ପିଇ ଶୋଇପଡ଼ିଲା ସତ୍ୟକାମ । ଆଖିକୁ ନିଦ ଆସୁ ନ ଥିଲା ଶ୍ରୀମୟୀଙ୍କର । ଏପାଖ ସେପାଖ ହେଉଥିବାବେଳେ ହଠାତ୍‌ ଟେଲିଫୋନ୍‌ଟା ବାଜି ଉଠିବାରୁ ସେ ହାତବଢ଼ାଇ ରିସିଭର୍‌ଟା ଉଠାଇନେଲେ...

ସେ ପାଖରୁ କିଏ ଜଣେ କଠୋର ସ୍ଵରରେ କହୁଥିଲା, ‘ତୋ ପୁଅ ଖସିଗଲା ଆଜି... ସାପ ଗାତରେ ହାତ ପୁରାଇ ଅକ୍ଷତ ଅବସ୍ଥାରେ କେହ ଫେରନ୍ତି ନାହିଁ । ସେ ଯଦି ସାବଧାନ ନ ହୁଏ ତେବେ ନିଆଁ ଜଳିବ... । ପୁଲିସ୍‍ ତାକୁ ରକ୍ଷା କରିପାରିବନି ।’

ପୁଅକୁ ଉଠାଇ ଏକଥା କହିବେ କି ନାହିଁ ଭାବୁଥିଲେ ଶ୍ରୀମୟୀ । ସେତିକିବେଳେ ଆଉ ଜଣେ ଫୋନ୍‌ କରି କହିଲା – ‘‘ମୁଁ ପ୍ରେସ୍‌ରୁ କହୁଛି । ପ୍ରେସ୍‌ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି... କିନ୍ତୁ ତା’ ଆଗରୁ କାଗଜ ବାହାରି ଯାଇଛି... ଆପଣ ଆସିଲେ ଭଲ ହେବ... ଗାଡ଼ି ଯାଇଛି ଆଣିବାପାଇଁ... ।’’

ଅଣନିଃଶ୍ଵାସୀ ହୋଇ ଶୁଣୁଥିଲେ ଶ୍ରୀମୟୀ ।

ସତ୍ୟକାମକୁ ବାଧ୍ୟ ହୋଇ ଉଠାଇଲେ ଏବଂ ତାଙ୍କ ମୁହଁରୁ କଥା ସରିବାବେଳକୁ ବାହାରେ ଗାଡ଼ି ଛିଡ଼ା ହେବାର ଶବ୍ଦ ଭାସି ଆସିଲା । ସେ କହିଲେ – ‘‘ଅଫିସ୍‌ଗାଡ଼ି ଆସିଗଲା ବୋଧହୁଏ ।’’

 

ସତ୍ୟକାମ ଅଫିସ୍‌ଗାଡ଼ିରେ ବାହାରିଯିବା ପୂର୍ବରୁ କହିଲା ମା’ଙ୍କୁ – ‘‘ସିକ୍ୟୁରିଟି ଗାର୍ଡ଼ ତ ଅଛନ୍ତି, ତଥାପି ସାବଧାନ ଥିବ ମା’ ...। ପ୍ରେସ୍‌ରେ ପହଞ୍ଚିବା ପରେ ମୁଁ ଶୀଘ୍ର ଖବର ଦେବି ।’’

 

ଆକାଶ ସେତେବେଳକୁ ଫର୍ଚ୍ଚା ହୋଇ ଆସୁଥିଲା । ପୂର୍ବଦିଗରେ ସୂର୍ଯ୍ୟ ଚହଟି ଉଠିବା ପୂର୍ବରୁ ହୁତ୍‌ହୁତ୍‌ ହୋଇ ନିଆଁ ଉଠୁଥିଲା ଉପରକୁ । ପ୍ରେସ୍‌ର କାଗଜ ଗୋଦାମ୍‌ରେ ନିଆଁ ଲାଗିଥିଲା-। କିନ୍ତୁ ନିଆଁ ଲାଗିବା ପୂର୍ବରୁ ପ୍ରେସ୍‌ଭିତରୁ ସକାଳ ସଂସ୍କରଣର ଖବରକାଗଜ ଚାଲିଯାଇଥିଲା ବଜାରକୁ ।

 

ସକାଳ ସୂର୍ଯ୍ୟାଲୋକକୁ ସ୍ଵାଗତକରି ଉଚ୍ଚାରଣ କରୁଥିଲା ସତ୍ୟକାମ -

 

‘‘ଜବାକୁସୁମ ସଙ୍କାଶଂ କାଶ୍ୟପେୟଂ ମହାଦ୍ୟୁତିମ୍‌...

ଧ୍ୟାନ୍ତାରି ସର୍ବପାପୋଘ୍ନଂ ପ୍ରଣତସ୍ମୈ ଦିବାକରମ୍‌।’’

 

॥ ଚଉଦ ॥

 

ସେଦିନ ଗାଧୋଇବା, ଖାଇବାପାଇଁ ଆଉ ଘରକୁ ଫେରିପାରିଲା ନାହିଁ ସତ୍ୟକାମ । ହୁମାୟୁନ୍‍, ଅର୍କ ମଧ୍ୟ ଅଟକିଗଲେ ପ୍ରେସ୍‌ରେ । ମୁକ୍ତେଶ୍ଵର ବ୍ୟସ୍ତ ଥିଲେ ଉଚ୍ଚ ପୁଲିସ୍‌ ଓ ପ୍ରଶାସକମାନଙ୍କ ସହିତ ଆଲୋଚନା କରିବାପାଇଁ । ଓଡ଼ିଶା ପରି ଗୋଟିଏ ଶାନ୍ତିପ୍ରିୟ ରାଜ୍ୟରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମର କଣ୍ଠରୋଧ କରିବାପାଇଁ ହୋଇଥିବା ଉଦ୍ୟମର ସମସ୍ତେ ନିନ୍ଦା କଲେ । ଘଟଣାର, ନ୍ୟାୟିକ ତଦନ୍ତ କରିବାପାଇଁ ସରକାର ଆଦେଶ ଦେଲେ ଏବଂ ଦୁର୍ବୃତ୍ତମାନଙ୍କୁ ଠାବ କରିବାପାଇଁ ଓ ସେମାନେ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି ଆଇନ ସେମାନଙ୍କ କଥା ବୁଝିବ ବୋଲି ଘୋଷଣା ମଧ୍ୟ କଲେ । କିନ୍ତୁ ଏହାସତ୍ତ୍ଵେ ‘ନିଉ ଟାଇମ୍ସ୍‍’ ଖବରକାଗଜ ସତ୍ୟକଥନ କରିଥିବାରୁ ସମାଜ-ଦ୍ରୋହୀମାନେ ଯେ ଖବରକାଗଜର କଣ୍ଠରୋଧ କରିବା ସକାଶେ ଏତେ ଜଘନ୍ୟ କାର୍ଯ୍ୟ କରିବେ ଏହା କେହି କଳ୍ପନା କରି ନ ଥିଲେ । ତଦନ୍ତ ଦାୟିତ୍ୱ ରାଜ୍ୟସରକାର ସିଆଇଡ଼ି ଉପରେ ନ୍ୟସ୍ତ ନ କରି ସିବିଆଇ ହାତରେ ନ୍ୟସ୍ତ କରିବାପାଇଁ ପ୍ରବଳ ଦାବି ହେଲା ସାରା ଦେଶରେ । କିନ୍ତୁ ଆଇନଶୃଙ୍ଖଳା ବିଷୟ ରାଜ୍ୟସରକାରଙ୍କ ସାମ୍ବଧାନିକ ଅଧିକାରଭୁକ୍ତ ହୋଇଥିବାରୁ ଏବଂ ସିଆଇଡ଼ି ଉପରେ ସରକାରଙ୍କ ପୁଣି ଆସ୍ଥା ଥିବାରୁ ସିବିଆଇ ଅନୁସନ୍ଧାନ କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ହରଗୋବିନ୍ଦ ଦଳେଇ କହିଲେ । କିନ୍ତୁ ନ୍ୟାୟିକ ଦଣ୍ଡ ହେବ ବୋଲି ସରକାର ଘୋଷଣା କଲେ ।

 

ସତ୍ୟକାମ ମନକୁ ମନ କହିଲା - ରାଜ୍ୟସରକାର ବୋଧହୁଏ କିଛି ଲୁଚାଇବାପାଇଁ ଚାହାଁନ୍ତି, ନ ହେଲେ ସିବିଆଇ ହାତରେ ତଦନ୍ତ ଦାୟିତ୍ୱ ଦବାପାଇଁ ରାଜି ନ ହେବାର କୌଣସି କାରଣ ନାହିଁ । ସିଆଇଡ଼ି ରାଜ୍ୟ ସରକାରଙ୍କ ଅଧୀନରେ କାମ କରେ, ତେଣୁ ରାଜ୍ୟସରକାରଙ୍କ ଆଜ୍ଞାବହଭାବେ କାର୍ଯ୍ୟ କରିବ । ‘ନିଉ ଟାଇମ୍ସ୍’ପରି ଏକ ଜାତୀୟ ଖବରକାଗଜ ସାମ୍ପ୍ରଦାୟିକ ଶକ୍ତିକୁ ପଦାରେ ପକାଇ ଦେଇଛି । ପ୍ରକୃତ ଦୋଷୀ ଦାଣ୍ଡରେ ବୁଲୁଥିବାବେଳେ ପୁଲିସ୍‍ କେତେଜଣ ନିର୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରି ହାଜତରେ ରଖିଛି । ଦଙ୍ଗାର ପ୍ରକୃତ ସୂତ୍ରଧର କେଉଁମାନେ ସେମାନଙ୍କ ଘୃଣ୍ୟ ରାଜନୀତିର ଭିତିରି ରହସ୍ୟ ପଦାରେ ପକାଇ ଦେଇଥିବାରୁ ‘ନିଉ ଟାଇମ୍ସ୍’ ଉପରେ ଏତେ ରାଗ । କିନ୍ତୁ ସତ୍ୟ ପ୍ରକାଶକୁ ଭୟ ଦେଖାଇ, ପ୍ରେସ୍‌ ଉପରେ ଆକ୍ରମଣ କରି ଦବାଇ ଦେଇ ହେବ ନାହିଁ । ଚତୁର୍ଥ ସ୍ତମ୍ଭ ସରକାର ବା ନ୍ୟସ୍ତ ସ୍ଵାର୍ଥର ପ୍ରହରୀ ନୁହେଁ, ଜନ ସ୍ଵାର୍ଥରକ୍ଷା ଓ ସତ୍ୟ ପ୍ରକାଶ ଏହାର ଧର୍ମ... ।

 

ମୁକ୍ତେଶ୍ଵରଙ୍କ ଡାକରା ପାଇ ସେ ତାଙ୍କ କୋଠରୀକୁ ଗଲା । ତାଙ୍କ ଆଗରେ ଜଣେ ଅପରିଚିତ ଭଦ୍ରଲୋକ ବସିଥିଲେ । ତାଙ୍କ ସହିତ ସତ୍ୟକାମର ପରିଚୟ କରାଇଦେଇ କହିଲେ ମୁକ୍ତେଶ୍ଵର - ‘‘ସିଆଇଡ଼ି ଅଫିସର ନବାରୁଣ ହାଲ୍‍ଦାର ।’’

 

ସତ୍ୟକାମ ତାଙ୍କ ନାମ ଶୁଣି ତୀକ୍ଷ୍‍ଣତା । ମୁହଁ ଉପରେ ଅସ୍ଵାଭାବିକ ଗାମ୍ଭୀର୍ଯ୍ୟ ।

 

ସେ କହିଲେ – ‘‘ଆପଣଙ୍କ ରିପୋର୍ଟ ମୁଁ ପଢ଼ିଛି । କିନ୍ତୁ ଅନେକ ଅଛିଣ୍ଡା ଖିଅ ଯୋଡ଼ିବାପାଇଁ ଚେଷ୍ଟା ନ କରି କିପରି ସିଦ୍ଧାନ୍ତ କରିନେଲେ ଯେ ରାଜନୀତିକ ନେତାମାନଙ୍କ ବାହୁଛାୟାତଳେ ସାମ୍ପ୍ରଦାୟିକ ଶକ୍ତି ସବୁ କାର୍ଯ୍ୟ କରନ୍ତି ?’’

 

ସତ୍ୟକାମ କହିଲା – ‘‘କେବଳ ଏଠାରେ ନୁହେଁ, ଏଇ ବାସ୍ତବତା ସମଗ୍ର ଦେଶରେ । ସାମ୍ପ୍ରଦାୟିକ ବ୍ୟକ୍ତି ସବୁ ରାଜନୀତିକ ଦଳମାନଙ୍କ ଆଶ୍ରୟ ପାଇ ଗଢ଼ି ଉଠିଥାନ୍ତି...’’

 

‘‘ପ୍ରମାଣ ନ ଥାଇ ଏପରି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେବା ଠିକ୍‌ ନୁହେଁ...’’ ତା’ର ଉତ୍ତର ଶେଷ ହେବା ପୁର୍ବରୁ କହିଲେ ନବାରୁଣ ।

 

- ‘‘ସାର୍‌, ଆପଣଙ୍କର ଦୀର୍ଘ ଦିନର ଅଭିଜ୍ଞତା ଅଛି, ଆପଣ ମଧ୍ୟ ଜାଣିଥିବେ । ଆପଣ ଯଦି ଚାହାଁନ୍ତି ମୁଁ ପ୍ରମାଣ ଦେଇପାରିବି... ।’’

 

ତା’ର ଦୃଢ଼ କଣ୍ଠସ୍ଵର ଏବଂ ନିର୍ଭୀକ ଉତ୍ତର ଶୁଣି ତା’ ଆଡ଼କୁ ଆଉଥରେ ଭଲ କରି ଚାହିଁଲେ ନବାରୁଣ ଦାଲ୍‍ଦାର । କିଛି ସମୟ ଭାବିବା ପରେ କହିଲେ- ‘‘ଅଦାଲତରେ ପ୍ରମାଣ ଦବାକୁ ହେବ... କଥା ଯେତେବେଳେ ଏତେଦୂର ଆସିଲାଣି ଏଇଠି ଏ ବିଷୟ ଶେଷ ହେବ ନାହିଁ ।’’

 

-‘‘ଆମେ ବି ସେୟା ଚାହୁଁ... ଅଦାଲତରେ ସତ୍ୟାସତ୍ୟ ଫଇସଲା ହେଉ... ଦେଖିବେ ସାର୍‌, ସେତେବେଳେ ଦଣ୍ଡିକିରି କେରାଣ୍ଡି ଜାଲରେ ପଡ଼ିବେ ନାଇଁ, ପଡ଼ିବେ ରୋହି ବାଳିଆ ବଡ଼ ବଡ଼ ମାଛ...।’’ କହିଲା ସତ୍ୟକାମ ।

 

ତାକୁ ବାଗକୁ ଆଣିବାପାଇଁ ଚାହୁଁଥିଲେ ନବାରୁଣ ହାଲ୍‍ଦାର ।

 

ମୁକ୍ତେଶ୍ଵର ତଲ୍‌ୱାଲ୍‌କର କହିଲେ - ‘ଆପଣ ଚାହିଁଲେ ସତ୍ୟକାମ ସହିତ ଏ ବିଷୟରେ ଏକାନ୍ତରେ ବିସ୍ତୃତ ଆଲୋଚନା କରିପାରନ୍ତି... କିନ୍ତୁ ମୁଁ ଆପଣଙ୍କୁ ଆଶ୍ଵାସନା ଦବାକୁ ଚାହେଁ ଯେ ତଥ୍ୟ ନ ଥାଇ କେବଳ ଗୁଜବ ଉପରେ ଭିତ୍ତିକରି ‘ନିଉ ଟାଇମ୍ସ୍’ କିଛି କହେ ନାହିଁ । ଆମେ ଶାସନ ବିରୋଧରେ ନୋହୁଁ... କିନ୍ତୁ ସମାଜ ବିରୋଧୀ ସଂଗଠିତ ଶକ୍ତିର ମୁକାବିଲା କରିବାକୁ ପଛାଇବୁ ନାହିଁ ।’

 

ନବାରୁଣ ପୁଲିସ୍‌ ଅଫିସର । ଏତେଶୀଘ୍ର ହାର୍‌ ମାନିବା ଲୋକ ନୁହଁନ୍ତି । ଶେଷଅସ୍ତ୍ର ପ୍ରୟୋଗ କରି କହିଲେ - ‘କିନ୍ତୁ ଗଣମାଧ୍ୟମର ମଧ୍ୟ ନିରଙ୍କୁଶ ସ୍ଵାଧୀନତା ନାହିଁ ଆଇନର ପରିସର ମଧ୍ୟରେ କାମ କରିବାକୁ ସମସ୍ତେ ବାଧ୍ୟ...’

 

ସତ୍ୟକାମ କ’ଣ କହିବାକୁ ଯାଉଥିଲା ତାକୁ ଚୁପ୍‌ ରହିବାପାଇଁ ସଙ୍କେତ ଦେଇ କହିଲେ ମୁକ୍ତେଶ୍ଵର ତଲ୍‌ୱାଲ୍‌କର - ‘‘ଆମେ ଏ ବିଷୟରେ ବେଶ୍‌ ସଚେତନ, କିନ୍ତୁ ଶାସନ ଜାଣେ କି ନା ମୁଁ କହିପାରିବି ନାହିଁ, କାରଣ ପ୍ରତିଦିନ ଶାସନକଳ ଏତେ ବେଆଇନ କାମ କରେ ଯେ ତାହା ଆଇନ ସମ୍ମତ ବୋଲି ଆମେ ମାନି ନେଇପାରିବୁ ନାହିଁ ... ।’

 

ଆଉ ଅପେକ୍ଷା ନ କରି ନବାରୁଣ ହାଲ୍‌ଦାର ଉଠି ବସିଲେ । ଶିଷ୍ଟାଚାର ରକ୍ଷାକରି ତାଙ୍କୁ ଦ୍ଵାର ପର୍ଯ୍ୟନ୍ତ ଆଗେଇ ଦେଇ ଆସିଲେ ମୁକ୍ତେଶ୍ଵର ।

 

ସେ ଫେରିଆସି ବସିଲେ ଚୌକିରେ ।

 

ସତ୍ୟକାମ କହିଲା - ‘ସାର୍‌, ଆପଣ ଏଡ଼େ କଠୋର ହେଲେ କାହିଁକି ?’ ତଲ୍‌ୱାଲ୍‌କର କହିଲେ - ‘ମରାଠାମାନଙ୍କ ରକ୍ତର ଦୋଷ... କେହି ଯଦି ଯୁଦ୍ଧପାଇଁ ଡାକରା ଦିଏ ସେମାନେ ତଲୱାର ବାହାର କରି ତତ୍‌କ୍ଷଣାତ୍‌ ଝାମ୍ପ ଦିଅନ୍ତି ଯୁଦ୍ଧ କ୍ଷେତ୍ରରେ... ମୋ ଆଗରେ ଯେ ତୁମକୁ ଧମକ ଦେଇଯିବ ଏବଂ ‘ନିଉ ଟାଇମ୍ସ୍’ ମିଛକଥା ଛାପିଛି ବୋଲି ଇଙ୍ଗିତ କରିବ ଏହା କୌଣସି ସମ୍ପାଦକ ସହ୍ୟ କରିପାରିବ ନାହିଁ... ।’

 

ତା’ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ଆଲୋଚନା କଲେ ଦୁହେଁ । ସତ୍ୟକାମ କହଲା - ‘ଏସବୁ ଘଟଣାବଳୀ ଜାଣିବାପରେ ମୋତେ ଲାଗୁଚି ଗୋଟେ ‘କଳାଗୋଡ଼’ କୋଉଠି ଲୁଚିରହିଚି ଆମ ଅନୁଷ୍ଠାନରେ... ।’

 

ମୁକ୍ତେଶ୍ଵର କହିଲେ - ‘ମୁଁ ବି ସେୟା ଭାବୁଚି । ନ ହେଲେ ଖବରକାଗଜରେ ଏଇ ଘଟଣା ଛାପା ହେବା ବିଷୟ ବାହାର ଲୋକ ଜାଣିଲେ କିପରି ? ଭାଗ୍ୟକୁ ସେମାନଙ୍କ ଆସିବା ପୂର୍ବରୁ ଟ୍ରକ୍‌ଗୁଡ଼ା ଖବରକାଗଜ ନେଇ ବାହାରି ଯାଇଥିଲେ... । ପ୍ରତିଦିନ ୩.୩୦ରେ ଟ୍ରକ୍‌ଛାଡ଼େ, କାଲି କିନ୍ତୁ ଦଶ ମିନିଟ୍‌ପୂର୍ବରୁ ଛାଡ଼ିଥିଲା ।’

 

ମୁହଁ ଉପରେ ସ୍ମିତହାସ୍ୟ ଖେଳାଇ କହିଲେ ମୁକ୍ତେଶ୍ଵର - ‘ସେୟା ଯୋଜନା କରିଥିଲି ମୁଁ-। ଯେଉଁଦିନ କ୍ଷମତାଶାଳୀମାନଙ୍କ ବିରୋଧରେ କୌଣସି ଖବର ଛାପିବ ସେଦିନ ସାବଧାନ ନ ହେଲେ ହୁଏତ ତମ ମେସିନରୁ କାଗଜ ବାହାରିବ ନାହିଁ... ଆଉ ଯଦିବା ବାହାରେ ବାଟରେ ଅଟକି ରହିବ... । ୟଙ୍ଗ୍‌ମ୍ୟାନ୍‌ ! ପ୍ରତିପକ୍ଷକୁ କେବେ ଦୁର୍ବଳ ମନେକରିବ ନାହିଁ । ସେମାନେ ପତ୍ରରେ ଗଲେ ତମେ ଶିରାରେ ଯିବାପାଇଁ ପ୍ଲାନ୍‌ ନ କଲେ ଠକିଯିବ ପ୍ରତିଯୋଗିତାରେ... ।’

 

ରାଜ୍ୟସରକାର ‘ନିଉ ଟାଇମ୍ସ୍’ର ଖବର ଖଣ୍ଡନ ବା ଗ୍ରହଣ କରି ନ ପାରି ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିବାରୁ ସାରାଦେଶର ଗଣମାଧ୍ୟମ ସରକାରଙ୍କ ନୀତିର ନିନ୍ଦା କଲେ । ଅସାମାଜିକ ଓ ଅପରାଧୀମାନେ ପ୍ରେସ୍‌ରେ ନିଆଁ ଲଗାଇ ଦେବାସତ୍ତ୍ୱେ ଏ ପର୍ଯ୍ୟନ୍ତ ଅପରାଧୀ ଗିରଫ ନ ହେବାରୁ କଟୁ ସମାଲୋଚନା କଲେ । ଏଇ କାରଣରୁ କେନ୍ଦ୍ର ରିପୋର୍ଟ ମାଗିଲା ଘରୋଇ ବିଭାଗକୁ । ସାମ୍ପ୍ରଦାୟିକ ଶକ୍ତିର ମୁକାବିଲା ନ କରି ପ୍ରେସ୍‌ ସ୍ଵାଧୀନତା ଉପରେ ଆକ୍ରମଣ ଗଣତନ୍ତ୍ର ପ୍ରତି ଯେ ବିପଦ ସୃଷ୍ଟି କରିବ ତାହା କେନ୍ଦ୍ର ପକ୍ଷରୁ ଜଣାଇ ଦିଆଗଲା ରାଜ୍ୟସରକାରଙ୍କୁ । ଆବଶ୍ୟକ ହେଲେ କେନ୍ଦ୍ର ହସ୍ତକ୍ଷେପ କରିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦିଆଗଲା ।

କିନ୍ତୁ ଏପରି ବାଚନିକ ପ୍ରତିକ୍ରିୟା ଯେ ଯଥେଷ୍ଟ ନୁହେଁ ତାହା ସମସ୍ତେ ବୁଝୁଥିଲେ । ତଥାପି ଏହି ପରିସ୍ଥିତିରେ ବି ଯେ ସାମ୍ପ୍ରଦାୟିକ ଶକ୍ତି ଏବଂ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ପ୍ରେସ୍‌ ସ୍ଵାଧୀନତା ଉପରେ ମିଳିତ ଆକ୍ରମଣ କରିବେ ତାହା ସ୍ପଷ୍ଟ ହୋଇଗଲା । ରାତି ପ୍ରାୟ ଏଗାରଟା ସମୟରେ ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳରେ ଅବସ୍ଥିତ ‘ନିଉ ଟାଇମ୍ସ୍’ର ବ୍ୟୁରୋ ଚିଫ୍‌ ଦୀନେଶ ହଜାରୀ ପ୍ରେସରୁ ଘରକୁ ଫେରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତମାନେ । କ୍ଷତବିକ୍ଷତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ଏବଂ ସେଠାରେ ପୁଲିସ୍‌ ମଧ୍ୟ ତାଙ୍କର ବୟାନ ଲିପିବଦ୍ଧ କଲା । କିନ୍ତୁ ଏଇ ଘଟଣାର ଗୁରୁତ୍ୱ କମାଇଦବାପାଇଁ ପୁଲିସ୍‍ ପକ୍ଷରୁ କୁହାଗଲା ଯେ ବ୍ୟକ୍ତିଗତ ଅସନ୍ତୋଷର ଏହା ଫଳ ଏବଂ ଏଇ ବିଷୟ ସାମ୍ପ୍ରଦାୟିକ ଶକ୍ତି ସହିତ ସମ୍ପୃକ୍ତ ନୁହେଁ ବା ଏହା ପଛରେ ରାଜନୀତିକ ନେତାମାନଙ୍କ ସମ୍ପର୍କ ନାହିଁ ।

କିନ୍ତୁ ଦୀନେଶ ହଜାରୀଙ୍କୁ ସେମାନେ ଆକ୍ରମଣ କଲାବେଳେ ସେ ତାଙ୍କ ମୋବାଇଲ ଫୋନରେ ସେମାନଙ୍କର ଫଟୋ ଉଠାଇ ନେଇଥିଲେ । ସେଇ ଫଟୋ ଯେତେବେଳେ ପୁଲିସ୍‌ର ବିବୃତି ପାଖରେ ପ୍ରକାଶ ପାଇଲା ଦିନକପରେ ‘ନିଉ ଟାଇମ୍ସ୍’ର ସକାଳ ସଂସ୍କରଣରେ, ସେତେବେଳେ ସରକାରଙ୍କ ଗୃହମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସ୍ଵୀକାର କଲେ ଯେ ପୁଲିସ୍‌ ଦେଇଥିବା ବିବରଣୀ ଠିକ୍‌ ନୁହେଁ, ନିଉ ଟାଇମ୍ସର ଦୀନେଶ ହଜାରୀଙ୍କୁ ଆକ୍ରମଣ କଲାବେଳେ ଯେଉଁମାନଙ୍କ ଫଟୋ ଉଠିଥିଲା ସେମାନେ ଥିଲେ ଅସାମାଜିକ ଏବଂ କୌଣସି ଉଦ୍ଦେଶ୍ୟ ରଖି ଆକ୍ରମଣ କରିଥିଲେ ।

ସତ୍ୟକାମ ଘରକୁ ଫେରିଲା ମୋଟର ସାଇକେଲରେ ନୁହେଁ ଅଫିସ୍‌ ଗାଡ଼ିରେ । ଶ୍ରୀମୟୀ ତାକୁ ଅପେକ୍ଷା କରିଥିବା ଦେଖି ସତ୍ୟକାମ ନିଜକୁ ଦୋଷୀ ମନେକଲା । ସେ ଜାଣେ ଯେ ଘରକୁ ନ ଫେରିବା ପର୍ଯ୍ୟନ୍ତ ମା’ଙ୍କ ଭୋକ ଶୋଷ ନ ଥିବ ବା ସେ ନିଶ୍ଚିନ୍ତ ହେବେ ନାହିଁ । ସେ ଘର ଭିତରକୁ ପ୍ରବେଶ କଲାବେଳେ କହିଲା, ‘ଏତେବେଳେ - ଖିଆପିଆ ନ କରି ରହିଲେ ତମ ଦେହ ଖରାପ ହେବ... ।’

 

ଶ୍ରୀମୟୀ କହିଲେ - ‘ଠିକ୍‌ ସମୟରେ ଖାଇବା ଶୋଇବା ମୋଠାରୁ ତୋର ଅଧିକ ପ୍ରୟୋଜନ । ତୁ ସେକଥା କେବେ ଭାବୁ ?’

 

ହସିଦେଇ କହିଲା ସତ୍ୟ, ‘ତମେ ଭାବୁଛ ଯେତେବେଳେ ମୋ ବିଷୟରେ ମୁଁ ଆଉ ଭାବିବି କାହିଁକି ! ମୁଁ ନିଶ୍ଚିନ୍ତ... ।’

 

ରାତି ଦୁଇଟାରେ କେବଳ ଖଣ୍ଡେ କେକ୍‌ ଖାଇ ପାଣି ଗିଲାସେ ପିଇ ଶୋଇପଡ଼ିଲା ସତ୍ୟକାମ । ରାତି ଏଗାରଟା ପରେ ଖାଇବା ଅଭ୍ୟାସ ନାହିଁ ଶ୍ରୀମୟୀଙ୍କର ।

 

ସେ ଚେଷ୍ଟାକଲା ନିଦରେ ଶୋଇଯିବାପାଇଁ । କିନ୍ତୁ ଆଖି ବନ୍ଦ କଲେ ବି ମନ ଖୋଲାରହିଲା, ଘଟଣାଗୁଡ଼ାକର ଖିଅ ରୁଣ୍ଡ କରି ଯୋଡ଼ିବାକୁ ଲାଗିଲା । ରାତି ପାହାନ୍ତାବେଳକୁ ଗୋଟେ ସୂତ୍ର ପାଇଗଲା ପରି କହିଲା -‘ୟୁରେକା ଯୁରେକା...।’

 

ଠିକ୍‌ ସେଇ ଅସମୟରେ ତା’ ମୋବାଇଲ ଫୋନ୍‌ ବାଜି ଉଠିଲା । କାନ ଲଗାଇବା ପୂର୍ବରୁ ସେ ଟ୍ୟାପ୍‌ଟା ଅନ୍‌କରି ଦେଇଥିଲା । ସେପାଖରୁ କିଏ ଜଣେ କହୁଥିଲା - ‘ଏ ବିଷୟରେ ଆଉ ନ ଆଗେଇବାପାଇଁ ତମକୁ ସତର୍କ କରିଦେଇଥିଲି ମୁଁ... କିନ୍ତୁ ତମେ ଶୁଣିଲ ନାହିଁ... ଏହାର ପରିଣାମ କିନ୍ତୁ ଭଲ ହେବ ନାହିଁ... ଆଉ ମନେରଖ ଯେ ସେଇ ମାଷ୍ଟର ତମକୁ ଯାହା ଖବର ଦେଇଥିଲା ସେଥିପାଇଁ ସେ ଦେବଲୋକକୁ ଚାଲିଗଲାଣି... ତମ ଇହଲୋକରେ ସେ ଆଉ ନାହିଁ ।’

 

ସୁଇଚ୍‌ ଅଫ୍‌ କରିଦେଲା ସେ ଲୋକଟା । କିନ୍ତୁ ଉଠିବସି ସଙ୍ଗେ ସଙ୍ଗେ ଫୋନ୍‌ କଲା ଅର୍କକୁ ଏବଂ କହିଲା - ‘ଥାନାକୁ ଯାଇ ବୁଝିବୁ ଆଉ କିଛି ନୂଆ ଘଟଣା ଘଟିଛି କି ରାତିରେ । ଯଦୁନାଥ ଶର୍ମାଙ୍କ ଘର ଭିଏସ୍‌ଏସ୍‌ ନଗର ଦୁଇ ନମ୍ବର ଲେଭଲକ୍ରସିଂ ପାଖରେ । ତାଙ୍କ ନିରାପତ୍ତା ବୁଝିବୁ ଏବଂ ଦରକାର ହେଲେ ମୋତେ ଜଣାଇବୁ ... ।’

 

ଅର୍କ ଆଉ ଅପେକ୍ଷା ନ କରି ସାଙ୍ଗେ ସାଙ୍ଗେ ବାହାରିଯାଉଛି ବୋଲି କହିଲା ଏବଂ ଥାନାରେ ପହଞ୍ଚବା ପରେ ସେଠାରୁ ଯାହା ଶୁଣିଲା ସେତକ ପ୍ରଥମେ କହିଦେଲା ସତ୍ୟକୁ - କ୍ରସିଂ ପାଖରେ ରାତି ମଝିରେ ଦଳେ ଗୁଣ୍ଡା ଘର ଭାଙ୍ଗି ମାରଧର କରିଥିବା ଖବର ପାଇ ପୁଲିସ୍‌ ପାଖକୁ ଯାଇଥଲା । ସେଇ ଘରେ ରଘୁ ବି ରହୁଥିଲା । ତା’ର ପତ୍ତା ପାଉନି ପୁଲିସ୍‌ । ସେ ସମ୍ବନ୍ଧରେ ଅନୁସନ୍ଧାନ ଚାଲିଛି । ଗୁଣ୍ଡାମାନେ ରଘୁକୁ ଧରି ନେଇଥିବା ପୁଲିସ୍‍ ସନ୍ଦେହ କରୁଛି । କିନ୍ତୁ ଯଦୁନାଥ କ’ଣ ଗୋଟେ ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ଯାଇଥିଲେ କି ନାହିଁ ବା କୋଉଠି ଥିବେ କେହି ଠିକ୍‌ କହିପାରିଲେ ନାହିଁ ।

 

ଯଦୁନାଥ ଓ ରଘୁକୁ ନେଇ ଚିନ୍ତାରେ ପଡ଼ିଗଲା ସତ୍ୟକାମ । ସେମାନେ ସତ କହିବାର ପରିଣତି କ’ଣ ହେବ ତାହା ନ ଭାବି ଯାହା ଘଟୁଛି ସେଇ ବିଷୟରେ କେବଳ ସୂଚନା ଦେଇଥିଲେ ତାକୁ । ଯଦି ସେମାନଙ୍କର କିଛି ହୋଇଯାଏ ତେବେ ସତ୍ୟର ଅପମୃତ୍ୟୁ କେବଳ ହେବ ନାହିଁ ସତ୍ୟକାମ ମଧ୍ୟ ନିଜକୁ ଏଥିପାଇଁ ଦାୟୀ ମନେକରିବ ।

 

ଶରୀରରୁ ଅବସନ୍ନତା ଦୂର କରିବାପାଇଁ ନିଜ ହାତରେ କଫି ତିଆରି କରି କପେ ପିଇଲା ସତ୍ୟକାମ । ତା’ପରେ ବିଛଣା ଉପରେ ନଥିପତ୍ରଗୁଡ଼ାକୁ ମେଲାଇ ଦେଲା ଏବଂ ସେସବୁ ମ୍ୟାଗ୍ନିଫାଇଙ୍ଗ ଗ୍ଲାସ୍‌ରେ ପରୀକ୍ଷା କରିବାକୁ ଲାଗିଲା ।

 

ହଠାତ୍‌ ଗୋଟିଏ ବ୍ୟାଙ୍କ ଚେକ୍‌ର ନମ୍ବର ମିଳିଗଲା ସେ ଦିଲ୍ଲୀରୁ ସଂଗ୍ରହ କରିଥିବା ନମ୍ବର ସହିତ । ଦେହରୁ କ୍ଳାନ୍ତି ଦୂର ହୋଇସାରିଥିଲା ସେତେବେଳକୁ । ସେ ଅନ୍ୟସବୁ କାଗଜପତ୍ର ଦେଖୁଥିବାବେଳେ ଦିଲ୍ଲୀରେ ଥିବାବେଳେ ହୋଟେଲରୁ ସଂଗ୍ରହ କରିଥିବା ରାଜାସାହେବଙ୍କ ଗୋଟିଏ ପାସ୍‌ପୋର୍ଟ ସାଇଜ ଫଟୋ ସହିତ ସେଦିନ ପାହାନ୍ତାରେ ମା’ ଯେଉଁ ଆଗନ୍ତୁକଙ୍କ ସହିତ କଥା ହେଉଥବା ଅନୁମାନ କରିଥିଲା ତାହାର କ’ଣ ସାମଞ୍ଜସ୍ୟ ଅଛି ଭାବୁଥିଲା । ସେଇ ଲୋକଟାର ମୁହଁ ସହିତ ଫଟୋର ମୁହଁ ଅବିକଳ ମିଶି ଯାଉଛି । ସେ ଗଛମୂଳେ ଛିଡ଼ା ହୋଇଥିଲେ ମଧ୍ୟ ପୋର୍ଟିକୋର ଉଜ୍ଜ୍ଵଳ ଆଲୁଅ ଛିଟା ତା’ ମୁହଁ ଉପରେ ପଡ଼ିଥିଲା ଏବଂ ସେ ମୁହଁ ଏବେବି ତା’ ସ୍ମୃତିପଟରୁ ଅନ୍ତର୍ହିତ ହୋଇନାହିଁ । ଆଉ ସେଇ ବ୍ୟାଙ୍କ ଚେକ୍‌ନମ୍ବର ଯେ ଦିଲ୍ଲୀରୁ ସଂଗ୍ରହ କରିଥିଲା ତାହା ଯେ ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ଆକାଉଣ୍ଟର ଚେକ୍‌ନମ୍ବର । ହଙ୍ଗକଙ୍ଗ ବ୍ୟାଙ୍କରୁ ଭୁବନେଶ୍ୱରର ଶେଖ୍‍ ଅଖ୍‍ତାର ନାମରେ ଟ୍ରାନ୍‍ସଫର କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ପ୍ରମାଣ ।

 

ସତ୍ୟକାମର ମନରୁ ଜମାଟବନ୍ଧା ସଂଶୟ ସୂର୍ଯ୍ୟକିରଣ ପାଇ ବରଫ ତରଳିବା ପରି ଧୀରେ ଧୀରେ ଅପସରି ଗଲା । ଚିଦାନନ୍ଦ କେତେବେଳେ ନିଜ ନାମରେ ତ ଆଉ କେତେବେଳେ ଅନ୍ୟ ନାମରେ କାମ କରନ୍ତି । ହୁଏତ ଏଇଟା ଜଏଣ୍ଟ ଆକାଉଣ୍ଟ ବି ଥାଇପାରେ । ରାଜବଂଶର ଆଭିଜାତ୍ୟ କେବେ ପ୍ରାଧାନ୍ୟ ପାଏ ତ ଆଉ କେତେବେଳେ ଆବଶ୍ୟକତାକୁ ଚାହିଁ ସେ ପାଲଟି ଯାଆନ୍ତି ବିଜ୍‌ନେସ୍‌ମ୍ୟାନ୍‌ ବା ଦେଶଭକ୍ତ ସ୍ୱେଚ୍ଛାସେବୀ । ଛଳନା, ଅପରାଧର ମୂର୍ତ୍ତିମନ୍ତ ପ୍ରତୀକ ଚିଦାନନ୍ଦ ମହାନ୍ତି ଆଉ ତାଙ୍କ ପାର୍ଟନର ଚନ୍ଦ୍ରମୌଳି ଶ୍ରୀବାସ୍ତବ । ଶେଖ୍‌ ଅଖ୍‌ତାର ତାଙ୍କର ଜଏଣ୍ଟଭାବେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକରି ନିଉ ଟାଇମ୍ସର ଆଭିମୁଖ୍ୟ ଏବଂ ସତ୍ୟକାମର ଅନୁସନ୍ଧାନରେ ବିଘ୍ନ ସୃଷ୍ଟି କରିବାପାଇଁ ଚାହୁଁଥିଲା, ସେମାନଙ୍କଠାରୁ ଅର୍ଥ ନେଇ ବିଭିନ୍ନ କାର୍ଯ୍ୟରେ ଲଗାଉଥିଲା ଶେଖ୍‍ ଅଖ୍‍ତାର ନିଜ ଗୋଷ୍ଠୀକୁ ସଂଗଠିତ କରିବାପାଇଁ । ଚିଦାନନ୍ଦ ଓ ଚନ୍ଦ୍ରମୌଳିର ଯେ ପାର୍ଟନର ଚେକ୍‌ରୁ ତାହା ପ୍ରମାଣ ହୋଇଯିବ ଏବଂ ସେହି ଚେକ୍‌ ଶେଖ୍‌ ଅଖ୍‍ତାର ନାମରେ ଆସିଥିବାରୁ ସେ ଯେ ସେମାନଙ୍କ ଏଜେଣ୍ଟ ତାହା ମଧ୍ୟ ପ୍ରମାଣ ହେବ ।

 

କିନ୍ତୁ ଏକଥା ତା’ ମନକୁ ଆସିବାକ୍ଷଣି ପର ମୁହୂର୍ତ୍ତରେ ଆଉ ଏକ ଅଜ୍ଞାତ ଭୟ ହିମପ୍ରବାହ ପରି ତା’ର ମେରୁଦଣ୍ଡକୁ ଥରାଇଦେଲା ।

 

ସେଇ ଶେଷ ରାତିରେ ଯେଉଁ ଲୋକଟି କଥା ହେଉଥଲା ସେ ତେବେ କଣ ଚିଦାନନ୍ଦ ନା ଚନ୍ଦ୍ରମୌଳି ଶ୍ରୀବାସ୍ତବ ? ଦୁହେଁ ଏକ ନ ହେଲେ ମଧ୍ୟ ଦୁହିଙ୍କ ଆକୃତିରେ ଅନେକ ସାମଞ୍ଜସ୍ୟ ଅଛି-

 

ଏଇ ପ୍ରଶ୍ନର ଉତ୍ତର କେବଳ ସାବ୍ୟସ୍ତ କରାଯାଇପାରିବ ଅଦାଲତରେ ।

 

କିନ୍ତୁ ତା’ହେଲେ ସେମାନେ ସମସ୍ତେ ଟାଣି ହୋଇଯିବେ ଅଦାଲତକୁ । ସାମ୍ୱାଦିକତା କରିବାକୁ ଯାଇ ସେ କ’ଣ ଏତେବଡ଼ ବିପର୍ଯ୍ୟୟ ଡାକି ଆଣିବ ମା’ଙ୍କ ପାଇଁ ?

 

ଝାଳ ବୋହିଗଲା ସତ୍ୟକାମର ଦେହରୁ । ସେ ମୁହଁ ଢାଙ୍କି ବସିରହିଲା କାତର ହୋଇ ।

 

॥ ପନ୍ଦର ॥

 

କୋଇମ୍ୱୋଟୋର ଛାଡ଼ି ଭୁବନେଶ୍ୱର ଆସୁଥିଲେ ଫାଦର୍‍ ଆବ୍ରାହମ୍‌ । ଚେନ୍ନାଇରୁ ସେ ବିମାନରେ ଆସି ପହଞ୍ଚିବେ ଭୁବନେଶ୍ଵରରେ ଦିନ ୯ଟାବେଳେ । ସେ ଚର୍ଚ୍ଚ ପରିସରକୁ ଯିବା ପୂର୍ବରୁ ତିନିଦିନ ରହିବେ ଶ୍ରୀମୟୀଙ୍କ ପାଖରେ । ସେଥିପାଇଁ ତାଙ୍କ ରହଣିପାଇଁ କୋଠରି ସଜାଡୁ ଥିଲେ ସେ । ମା’ଙ୍କୁ ସେଇ କାମ କରିବାକୁ ଛାଡ଼ିଦେଇ ସତ୍ୟକାମ ଏକା ଗଲା ବିମାନ ବନ୍ଦରକୁ ଫାଦର୍‍ଙ୍କୁ ସଙ୍ଖୋଳି ଆଣିବାପାଇଁ ।

 

କିନ୍ତୁ ଘର ସଜାଡୁଥିବାବେଳେ ଶ୍ରୀମୟୀ ଭାବୁଥିଲେ ଅନେକ କଥା । ତାଙ୍କ ଆଦ୍ୟ ଯୌବନର ଅଜ୍ଞାତ କାହାଣୀରୁ କଞ୍ଚିତ୍‌ ସତ୍ୟକାମ ଜାଣିଥିବା ପରି ଲାଗୁଥିଲା ତାଙ୍କୁ । ଟ୍ରିପଲ ମର୍ଡର ଓ ରାଜଧାନୀରେ ନେତାମାନଙ୍କ ପୋଷକତା ପାଇ ବଢ଼ୁଥିବା ଅପରାଧର ଖିଅ ଯୋଡ଼ିବାକୁ ଯାଇ ସେ ହୁଏତ ଝୁଣ୍ଟି ପଡ଼ିଥିବ ଇମିତି ଗୋଟିଏ ଜାଗାରେ ଯେଉଁଠି ଚିଦାନନ୍ଦ ମହାନ୍ତିର ଅପରାଧ ପ୍ରବଣତା ସମ୍ପକରେ କିଛି ସୁରାକ ପାଇଥିବ ଅନୁସନ୍ଧାନ କଲାବେଳେ । ସେ ବି କ’ଣ ଜାଣିଥିଲେ ପୂର୍ବରୁ ଚିଦାନନ୍ଦର ପ୍ରକୃତ ନାମ, ଠିକଣା ଓ ପରିଚୟ ? କେତେଥର ଟେଲଫୋନ୍‌ରେ ସେଇ ଅଜ୍ଞାତ ବ୍ୟକ୍ତିର ସ୍ଵର ଶୁଣିଛନ୍ତି ସେ, କିନ୍ତୁ ସେତେବେଳେ କୌତୂହଳ ହୋଇଛି ସେ କିଏ ଜାଣିବାପାଇଁ । ସତ୍ୟକାମକୁ ଧମକ ଦବାପାଇଁ ସେଇ ଟେଲିଫୋନ୍‌ କଲ୍‌ସବୁ ଉଦ୍ଦିଷ୍ଟ ଥିଲେବି ସେ ଯେ ତାଙ୍କ ଜୀବନର ଅଡ଼ୁଆ ସୂତାର ଖିଅ ବାହାର କରିବାପାଇଁ ଚେଷ୍ଠା କରୁ ନ ଥିବ ପ୍ରଥମେ ଅନୁମାନ କରି ନ ଥିଲେ ଶ୍ରୀମୟୀ । କିନ୍ତୁ ଯେଉଁଦିନ ତାଙ୍କୁହିଁ ଉଦ୍ଦେଶ୍ୟ କରି ପାହାନ୍ତାର ଆବେଗଭରା ରାତିର ନୀରବତା ଭାଙ୍ଗି ଲନ୍‌ର ଗୋଟିଏ କୋଣରେ ଆମ୍ବଗଛ ମୂଳେ ଛିଡ଼ା ହୋଇଥିବା ଜଣେ ଲୋକକୁ ଦେଖିଲେ ଶ୍ରୀମୟୀ, ସେତେବେଳେ ଟିକେ ଭୟ ଲାଗିଥିଲା ଅବଶ୍ୟ । କିନ୍ତୁ ତଥାପି ସାହସ କରି ତା’ର କଥା ଶୁଣିଥିଲେ ଏବଂ ତା’ ସ୍ୱର ଶୁଣିବା ପରେ ସେଇ ସ୍ଵର ଯେ ପରିଚିତ ଏତିକି ମନେ ହୋଇଥିଲା । କିନ୍ତୁ ସେ ଯେ ଅତୀତର ସେଇ ବିସ୍ମୃତିର କଳଙ୍କ କାଳିମା ତାହା ତାଙ୍କର ସବୁ ଭାବନାକୁ ଓଲଟ ପାଲଟ କରି ଦେଉଥିଲା । ସକାଳେ ପୁଅ ଉଠିବା ଆଗରୁ ସେ ଉଠୁଥିଲେ । ଆଜି ବି ଏହାର ବ୍ୟତିକ୍ରମ ହୋଇ ନ ଥଲା । ରାତିଟା ପ୍ରାୟ ଅନିଦ୍ରାରେ କଟାଇଥିବା ସତ୍ତ୍ଵେ ସେ ଠିକ୍‌ ସମୟରେ ଉଠିଥିଲେ । ପୁଅ ଉଠିଚି କି ନାହିଁ ଦେଖିବାପାଇଁ କୋଠରି ଭିତରକୁ ପ୍ରବେଶ କରିବା ପରେ ସେ ଦେଖିଲେ ଯେ ତା’ର ବିଛଣା ଉପରେ ଅନେକ କାଗଜପତ୍ର ଓ ଫଟୋ ଖେଳାଇ ହୋଇ ରହିଥିଲା, କିନ୍ତୁ ସତ୍ୟ ବିଛଣା ଉପରେ ମୁଣ୍ଡ ରଖି ଶୋଇପଡ଼ିଥିଲା ନିଦରେ । ସେତିକିବେଳେ ଗୋଟେ ଫଟୋ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହଁ ସେଇ ମୁହଁ, ଡାହାଣ ପାଖ ଆଖିତଳେ ସେଇ କଳାଜାଇ ତାଙ୍କ ଦୃଷ୍ଟିରେ ଚହଟି ଉଠିଲା ଏବଂ ସେ ଶିହରି ଉଠିଲେ ଆତଙ୍କରେ । ଉତ୍ତେଜନାରେ ଥରୁଥିଲେ ସେ । ଫଟୋଟା ଉଠାଇ ନେଇ କିଏ ଜାଣିବାପାଇଁ ଓଲଟାଇ ଦବାବେଳକୁ ପଛପଟେ ଲେଖାଥିବା ନାମଟା ତାଙ୍କ ଆଖିରେ ପଡ଼ିଲା । ସେଇ କେତୋଟି ମୁହୂର୍ତ୍ତରେ ତାଙ୍କର ଭାବନା ଓଲଟପାଲଟ ହୋଇଗଲା ଏବଂ ସେଇ ନାମଟା ଯେ ପୋଛି ହୋଇଯାଇ ନାହିଁ ବରଂ ଜୀବନର କୋଉ ଏକ ଅଜ୍ଞାତ ସ୍ଥାନରେ ପଡ଼ି ରହିଥିବା ଟୁକୁରାଏ ଛିଣ୍ଡା କାଗଜ ଗୋଟେ ରହସ୍ୟମୟ ଅଧ୍ୟାୟର ଦଲିଲ ତାହା ତାଙ୍କ ପ୍ରାଣଶକ୍ତିକୁ ଥରାଇଦେଲା ।

 

ସେ ଭୁଲି ଯାଇଥିଲେ ଅତୀତକୁ । କିନ୍ତୁ ସତ୍ୟକାମ ସାମ୍ବାଦିକ ବୃତ୍ତି ଗ୍ରହଣ କରିବା ପରେ ଦିନେନା ଦିନେ ଯେ ସେଇ ଅଜ୍ଞାତ ପୁରୁଷ ସହିତ ତାଙ୍କର ଅକସ୍ମାତ୍‌ ଭେଟ ହୋଇଯିବ ଏଇ ଆଶଙ୍କା ତାଙ୍କ ଭିତରେ ହାଲୁସିନେସନ ସୃଷ୍ଟି କରୁଥିଲା ।

 

କୋଠରି ଭିତରେ ଆଉ ରହିବା ଉଚିତ ହେବ ନାହିଁ ଭାବି ବାହାରିଆସି ଚାଲିଗଲେ ରୋଷଘରକୁ ।

 

ସେ ଚାଲିଯିବା ପରେ ନିଦ ଭାଙ୍ଗିଲା ସତ୍ୟର । ସେ ସବୁ କାଗଜପତ୍ର ଓ ଫଟୋଗୁଡ଼ାକୁ ଗୋଟେଇ ଆଣି ଗୋଟେ ବଡ଼ କଭର ଭିତରେ ଭର୍ଜି କଲାବେଳେ ହଠାତ୍‌ କିଏ କହିଲା ତାକୁ - ଏଇ ଫଟୋ ମା’ ଦେଖି ନାହାଁନ୍ତି ତ ?

 

ଆଉ ଭାବିବାପାଇଁ ବେଳ ନ ଥଲା ତା’ ହାତରେ । ସେ ଶୀଘ୍ର ପ୍ରାତଃକୃତ ଶେଷକରି ଚା’ କପେ ପିଇସାରି କହିଲା, ‘‘ମା’ ! ଆଜି ଅନେକବେଳ ଶୋଇପଡ଼ିଲି । ଫାଦର୍‍ ଆସିବେ ପରା ! ଆଉ ହାତରେ ସମୟ ନାହିଁ । ମୁଁ ବାହାରି ଯାଉଛି ଏୟାରପୋର୍ଟ... । ଫାଦର୍‍ଙ୍କ ସହିତ ଜଳଖିଆ କରିବି... ତମେ ଟିକେ ଡାକି ଦେଲନି... ?’’

 

ଶ୍ରୀମତୀ ଆଶ୍ୱସ୍ତ ହେଲେ ଯେ ପୁଅ ଶୋଇଥିବାବେଳେ ଯେ ସେ ତା’ କୋଠରି ଭିତରେ ପ୍ରବେଶ କରିଥିଲେ ଏବଂ କେତୋଟି ଫଟୋ ଦେଖିଥିଲେ । ଏଇ କାମ ଗର୍ହିତ ହେଲେ ବି ପୁଅ ଜାଣିପାରିନି । ଶ୍ରୀମୟୀ ଅନେକଟା ନିଶ୍ଚିନ୍ତ ହେଲେ ଏବଂ ଫାଦର୍‍ଙ୍କୁ ସ୍ଵାଗତ କରିବାପାଇଁ ଦ୍ଵାର ମୁହଁରେ ଅପେକ୍ଷା କରିବାକୁ ଲାଗିଲେ ।

 

ଫାଟକ ଖୋଲି ସେମାନଙ୍କ ଗାଡ଼ି ଠିଆ ହେଲା ଆସି ପୋର୍ଟିକୋରେ । ଦରଜା ଖୋଲିଦେଲା ସତ୍ୟକାମ । ଓହ୍ଲାଇ ପଡ଼ିଲେ ଫାଦର୍‍ ଆବ୍ରାହମ୍‌ ।

 

ତାଙ୍କ ପାଦଧୂଳି ନେଇ ଶ୍ରୀମୟୀ କହିଲେ, ‘‘ଗୁଡ଼ମର୍ଣିଂ ଫାଦର୍‍... କିନ୍ତୁ ଆପଣ ଏତେ ଝଡ଼ି ଯାଇଛନ୍ତି ଯେ... ଦେହ ଅସୁସୁ ଥିଲା ?’’

 

ମୁହଁ ଉପରେ ସରଳ ସାନ ହସର ରେଖା ଫୁଟାଇ କହିଲେ ଫାଦର୍‍, ’ଫ୍ଲୁରେ ପଡ଼ିଥିଲି ଚାରି ଦିନ । ଆଗରୁ ପ୍ଲେନ୍‌ ଓ ଟ୍ରେନ୍‌ ରିଜର୍ଭେସନ୍‌ କରିସାରିଥଲି । କ୍ୟାନ୍‌ସେଲ କରିବାପାଇଁ ଇଚ୍ଛା ହେଲାନି । ତିନି ଦିନ ବିଶ୍ରାମ କରିବା ପରେ ବାହାରି ପଡ଼ିଲି ।’

 

-‘ଆପଣ ଆସିଲେ ଆମ ପାଖକୁ... ଆଉ କିଛି ଭୟ ନାହିଁ... କିନ୍ତୁ ଆପଣ ରିସ୍କ୍‍ ନବା ଠିକ୍‌ ହେଲାନି... ।କହିଲା ସତ୍ୟ ।

 

ତା’ ପିଠି ଉପରେ ହାତରଖି କହିଲେ ଫାଦର୍‍ - ‘‘ମୁଁ ଖୁସି ଯେ, ତୁମଘରେ ରହିବି କେଇଦିନ । ପୂରା ସୁସ୍ଥ‌ହେବାପରେ ଯିବି ଚର୍ଚ୍ଚର କ୍ଵାର୍ଟରକୁ । ତମ ଦୁହିଁଙ୍କ ସେବା ଯତ୍ନ ମିଳିବ ମୋତେ... ଆଉ ଶ୍ରୀମୟୀଙ୍କ ହାତରନ୍ଧା ସୁସ୍ୱାଦୁ ଖାଦ୍ୟ... ।’’

 

ଶ୍ରୀମୟୀ କହିଲେ - ‘‘ବେଳ ହୋଇଗଲାଣି, ଆଗେ ବ୍ରେକ୍‌ଫାଷ୍ଟ କରନ୍ତୁ... ତା’ପରେ କଥା ହବା... ।’’

 

-‘‘ତମେ କେମିତି ଜାଣିଲ ଯେ ଫାଦର୍‍ ଫ୍ଲାଇଟ୍‌ରେ ବ୍ରେକ୍‌ଫାଷ୍ଟ କରି ନାହାଁନ୍ତି ?’’ କହିଲା ସତ୍ୟକାମ ।

 

ପ୍ରାଣଖୋଲା ହସ ହସିଲେ ଫାଦର୍‍ । କହିଲେ – ‘‘ୟୋର ମଦର ଇଜ୍‌ ମାଇଁ ମଦର । ସେ ଜାଣିବନି ?’’

 

ଶ୍ରୀମୟୀ ତନ୍ମୟ ହୋଇଯାଇଥିଲେ ଫାଦର୍‍ଙ୍କ ମିଠା ମିଠା କଥା ଶୁଣି । ଟିକେ ଆଗର ବିଷର୍ଣ୍ଣତା ଦୂର ହୋଇଯାଇଥିଲା ମନରୁ । ରାତି ଅନିଦ୍ରାର କ୍ଳାନ୍ତି ଅପସରି ଯାଇଥିଲା ଶରୀରରୁ ।

 

ଘର ଭିତରକୁ ଫାଦର୍‍ ପ୍ରବେଶ କରିବା ପୂର୍ବରୁ ତାଙ୍କ ହାତକୁ ଗୋଛାଏ ରଜନୀଗନ୍ଧା ବଢ଼ାଇଦେଲେ ଶ୍ରୀମୟୀ ।

 

- ‘ଗଡ଼ ବ୍ଲେସ୍‌ୟୁ ଡଟର୍‌...’ ଫାଦର୍‍ କହିଲେ ।

 

- ‘ଆଉ ସବୁ କ’ଣ ହେଉଛି... ସତ୍ୟର କାମ କିପରି ଚାଲିଚି... ତମ ଦେହ ଭଲ ରହୁଚି କି ନାହିଁ.. ?’ ଏସବୁ ବିଷୟ ଜାଣିବାକୁ ଚାହିଁଲେ ଫାଦର୍‍ ।

 

‘ଈଶ୍ଵରଙ୍କ କରୁଣା, ଆପଣଙ୍କ ଆଶୀର୍ବାଦରୁ ସବୁ ଠିକ୍‌ ଚାଲିଚି ଫାଦର୍‍... ସଂସାରରେ ତ ଉତ୍ଥାନ ପତନ ରହିବ ଅବଶ୍ୟ । କିନ୍ତୁ ସତ୍ୟ ଏତେ କାମ ହାତକୁ ନେଇଛି ଯେ ଶୋଇବାକୁ ସମୟ ନାହିଁ, ଖାଇବାକୁ ବେଳ ନାହିଁ ।’ ସ୍ନେହପୂର୍ଣ୍ଣ ନାଲିସ କଲେ ଶ୍ରୀମୟୀ ।

 

ଫାଦର୍‍ ସତ୍ୟର ମଥା ଆଉଁସି ଦେଇ କହିଲେ - ‘ଦ୍ୟାଟ୍‌ ଇଜ୍‌ ଲାଇକ୍‌ ଏ ଗୁଡ଼୍‌ ୟଙ୍ଗ ସନ୍‌... ଯୁବା ପୁଅ ତ ଏହିପରି ହେବ ଶ୍ରୀମୟୀ । କିନ୍ତୁ ଲଗାମ ତ ତୁମ ହାତରେ... ଯେତେବେଳେ ଚାହିବ ନିୟନ୍ତ୍ରଣ କରିବ... ।’

 

- ‘ସେଇ ଦାୟିତ୍ୱ ମୁଁ ପାଳନ କରିବାପାଇଁ ଅସମର୍ଥ ଫାଦର୍‍... ତାକୁ ଥକି ଯାଉଥିବା ଦେଖି ବି କର୍ତ୍ତବ୍ୟରେ କାଳେ ହେଳା ହେବ ବୋଲି ମୁଁ ବାରଣ କରିପାରେନି... ।’

 

ଲକ୍ଷ୍ମୀ ଆସି ମନେପକାଇଦେଲା ଯେ ବ୍ରେକ୍‌ଫାଷ୍ଟ ବଢ଼ା ହୋଇଚି ଟେବୁଲ୍‌ ଉପରେ ।

 

ସମସ୍ତେ ବସିଲେ ଯାଇ ପ୍ରାତଃଭୋଜନ କରିବାପାଇଁ । ଫାଦର୍‍ଙ୍କ ପାଇଁ ପରିଜ୍‌... କିଛି ବଏଲ୍‌ଡ଼ ଭେଜିଟେବୁଲ ଏବଂ କଫି । ମା’ ପୁଅଙ୍କପାଇଁ ପରିଜ୍‌, ବ୍ରେଡ଼ ଆଉ ବଟର, ବଏଲଡ଼ ଭେଜିଟେବୁଲ୍‌...

 

ଜଳଖିଆ ପର୍ବ ଶେଷ ହେବା ପରେ ସତ୍ୟକାମ ପ୍ରେସ୍‌ ବାହାରିଗଲା । ଆରାମ ଚୌକିରେ ବସି ଖବରକାଗଜ ପଢ଼ିଲେ ଫାଦର୍‍ ।

 

କିଛି ସମୟ ପରେ ଶ୍ରୀମୟୀ ଆସି ପାଖରେ ବସିଲେ । ଫାଦର୍‍ଙ୍କ କାଗଜ ପଢ଼ା ଶେଷ ହୋଇଥଲା, ସେ ଶ୍ରୀମୟୀଙ୍କୁ କହିଲେ - ‘ସେଦିନ ଟେଲିଫୋନ୍‌ରେ କହୁଥିଲ ନା କ’ଣ କହିବ ବୋଲି... ଏଇନେ କହିପାର... ।’

 

ଶ୍ରୀମୟୀ କହିଲେ - ‘ଫାଦର୍‍ ଆପଣଙ୍କ ସମୟ ହେଲେ ମୁଁ ଜଣକୁ ଡାକନ୍ତି...’

 

- ‘ସେ କିଏ ?’

 

- ‘ସତ୍ୟର ସାଙ୍ଗ ହୁମାୟୁନ୍‌ର ଭଉଣୀ... ଅସୀମା...’

 

- ‘ତା’ ସହିତ ତମର କ’ଣ କାମ ?’

 

- ‘ଅସୀମା ପ୍ରତି ସତ୍ୟର କିଛି ଆକର୍ଷଣ ଅଛି... ମୁଁ କ’ଣ କରିବି ଜାଣିପାରୁନି... ବାଧା ଦେଲେ ପରିଣାମ ଭଲ ନ ହୋଇପାରେ...’

 

- ‘କିନ୍ତୁ ବାଧା ଦବ କାହିଁକି ? ଯଦି ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଛି ତେବେ ତୁମର ଆପତ୍ତି କାହିଁକି ?’

 

- ‘ନା, ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ଏହାର ସାମାଜିକ ଦିଗ ବି ଅଛି, ଆପଣ କ’ଣ କରିବା ଉଚିତ ହେବ ପରାମର୍ଶ ଦିଅନ୍ତୁ.. ।’ କହିଲେ ଶ୍ରୀମୟୀ ।

 

- ‘ସାମାଜିକ ଦିଗଟା ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେ ଆଗକୁ ଦେଖି ନିଜକୁ ସଜାଡ଼ିବାପାଇଁ ଚେଷ୍ଟାକରୁ... କିନ୍ତୁ ସମାଜର ସ୍ଥିତାବସ୍ଥା ତାହା ଆଉ ଗୋଟେ ବାଟରେ ଚାଲେ... ।’

 

ତା’ପରେ କେତେକ୍ଷଣ ଭାବିଲେ ଏବଂ କହିଲେ, ‘ଧର୍ମ, ଜାତି ଏସବୁର ଗଣ୍ଠି ଫିଟାଇବାପାଇଁ ଅବଶ୍ୟ ଚେଷ୍ଟା ଚାଲିଛି - ଯଦିବା ସେଇ ଚେଷ୍ଟା ଏବେବି ସାମାଜିକ ସ୍ଵୀକୃତି ପାଇନାହିଁ, କେବଳ ବ୍ୟକ୍ତିଗତ ସ୍ତରରେ ରହିଛି । ଏଇ କାରଣରୁ ବାଟ ଭାଙ୍ଗି ନୂଆ ବାଟ ତିଆରି କରୁଥିବା ଲୋକକୁ ବାଧା ଦିଆଯାଉଛି... କିନ୍ତୁ ମୁଁ ଭାବୁଚି କ’ଣ ଜାଣ ଶ୍ରୀମୟୀ ? ଯଦି ଦୁଇ ପରିବାର ଏ ବିଷୟେରେ ସହମତ ଏବଂ ଝିଅ ଓ ପୁଅ ଆଗ୍ରହୀ ତେବେ ପ୍ରଥା, ପରମ୍ପରା ଭାଙ୍ଗିବା ସହଜ । ବିରୋଧ ଭିତରୁ ନୁହେଁ; ବାହାରୁ ଆସିବ ଏବଂ ବାହାରୁ ଯେଉଁ ବିରୋଧ ଆସିବ ତାହାର ସାମ୍ନା କରିବା କଷ୍ଟ ନୁହେଁ, କାରଣ ପୂର୍ବ କାଳର ମୌଳବାଦୀ ଆଭିମୁଖ୍ୟ ଆଉ ନାହିଁ, ବରଂ ଅନେକ ନୂଆଚଳଣି ଲୋକମାନେ ସ୍ୱୀକାର କରିନେଲେଣି । ଯଦି ବି କିଛି ବାଧାବିଘ୍ନ ଅଛି ସେସବୁ ଆଉ ଦଶବର୍ଷ ପରେ ନ ଥିବ... ।’

 

ଶ୍ରୀମୟୀ କହିଲେ - ‘ଓଡ଼ିଆ ସମାଜ ରକ୍ଷଣଶୀଳ । କେରଳ ପରି ନୁହେଁ । ଜଗନ୍ନାଥ ସଂସ୍କୃତିର ଉଦାରବାଦୀ ଚେତନା ଦୁଇ ହଜାର ବର୍ଷ ଧରି ରଖିଥିଲେ ସୁଦ୍ଧା ମନ୍ଦିର ବାହାରେ ଏକତ୍ର ବସି ବ୍ରାହ୍ନଣ ଓ ଅନ୍ୟ ଜାତିର ଲୋକ ଭୋଜନ କରିବା ପ୍ରଥା ଚଳି ନାହିଁ । ଅବଶ୍ୟ ଧୀରେ ଧୀରେ ଯେ ଏହାର ପରିବର୍ତ୍ତନ ହେବ ଏଥରେ ସନ୍ଦେହ ନାହିଁ । ଓଡ଼ିଶାକୁ ରକ୍ଷଣଶୀଳ, ଅନଗ୍ରସର କୁହାଯାଏ । କିନ୍ତୁ ଦକ୍ଷିଣ ପରି ଓଡ଼ିଶାରେ ଜାତି ଗୋତ୍ରକୁ ଆଧାର କରି ରାଜନୀତି ହୁଏ ନାହିଁ କି ଚଳଚ୍ଚିତ୍ର ଅଭିନେତାମାନେ ଏଠାରେ ଗୋଟିଏ ହେଲେ ନିର୍ବାଚନରେ ବି ଜିତି ନାହାଁନ୍ତି... ।’

 

- ‘ଭେରି ଇଣ୍ଟରେଷ୍ଟିଂ... ଓଡ଼ିଶା ଗରିବ ହୋଇପାରେ କିନ୍ତୁ ମନରେ ପଛୁଆ ହବ କାହିଁକି-?’ ଫାଦର୍‍ କହିଲେ । ‘ହଁ, ଆମେ ସତ୍ୟର ବିବାହ ପ୍ରସଙ୍ଗ ଆରମ୍ଭ କରି ଅନ୍ୟଆଡ଼େ ଚାଲି ଆସିଲୁ । ତମେ ମୋତେ ସେଇ ଝିଅକୁ ଥରେ ଦେଖାଇ ଦେଇପାରିବ ?’

 

ଶ୍ରୀମୟୀ କହିଲା - ‘ଆଜି ସନ୍ଧ୍ୟାବେଳେ ତାକୁ ଆସିବାକୁ କହିବି । ବୁଲିଯିବ, ଆପଣଙ୍କ ସହିତ ଦେଖା ବି ହୋଇଯିବ... ।’

 

- ‘ହଁ ସେୟା ଭଲ ହେବ । ସତ୍ୟକୁ ଜନ୍ମରୁ ମୁଁ ଦେଖି ଆସୁଚି... । ଭାରି ସ୍ଵାଭିମାନୀ, ସଚେତନ... ଏତେବଡ଼ ନିଷ୍ପତ୍ତି ନବାପୂର୍ବରୁ ଭୁଲ ଯେପରି ନ ହୁଏ... ।’ କହିଲେ ଫାଦର୍‍

 

ଶ୍ରୀମୟୀ ଫୋନ କଲା ଅସୀମା ପାଖକୁ । ସେ ରାଜି ହୋଇଗଲା ପାଞ୍ଚଟାବେଳେ ଆସିବାପାଇଁ । ନଭେମ୍ବର ମାସ । ଶେଷ ମଧ୍ୟାହ୍ନର ନରମ ଆଲୁଅରେ ଉଦ୍ଭାସିତ ହେଉଥିଲା ଧରଣୀ । ବାରିବଗିଚାରେ ଫୁଟିଥିଲା ଅନେକ ପ୍ରକାର ଫୁଲ । ପୋଖରୀରେ ପବନର ପରଶ ପାଇ ଖେଳୁଥିଲେ ତରଙ୍ଗମାନେ... ସୂର୍ଯ୍ୟର ଉତ୍ତାପ ନ ଥିଲା ସତ, କିନ୍ତୁ କାନ୍ଧରେ ବ୍ୟାଗ୍‌ ଓହଳାଇ ଫେରୁଥିଲେ କୁନି କୁନି ଛାତ୍ରମାନେ ନର୍ସରୀ ସ୍କୁଲରୁ ।

 

ଅସୀମା ସମ୍ପର୍କରେ ଫାଦର୍‍ଙ୍କୁ ଆହୁରି କହିଲେ ଶ୍ରୀମୟୀ ଯେ ମୁସଲମାନ ନୁହେଁ କି ହିନ୍ଦୁ ନୁହେଁ ଭାରତୀୟ ସଂସ୍କୃତିର ଛାପ ପଡ଼ିଛି ତା’ ଆଚାର-ବ୍ୟବହାରରେ । ଧର୍ମୀୟ ବିବିଧତାର ସମନ୍ୱୟର ପ୍ରତିଶ୍ରୁତି ସେ ।

 

ଖୁସି ହେଲେ ଫାଦର୍‍ । ସେ ସଦାବେଳେ କାମନା କରନ୍ତି ଧର୍ମନିରପେକ୍ଷ ଭାରତର ସମନ୍ୱିତ ସ୍ଖଳିତ ସଂସ୍କୃତିକୁ ଆଧାର କରି ବଢ଼ନ୍ତୁ ଏ ଦେଶର ଅଗଣିତ ଶିଶୁ, କିଶୋର ଓ ତରୁଣ । ସେମାନଙ୍କ ମଧ୍ୟରେ ଧର୍ମ, ଜାତି, ଭାଷାକୁ ନେଇ ବିଭେଦ ନ ଥିବ, ଥିବ କିନ୍ତୁ ସମନ୍ଵୟ, ସହଯୋଗ ଓ ସହିଷ୍ଣୁତାର ଏକତ୍ୱବୋଧ । ବୁଦ୍ଧ, ଗାନ୍ଧୀଙ୍କ ଦେଶ ଏଇ ଭାରତବର୍ଷ । କରୁଣା, ପ୍ରଜ୍ଞା ଏବଂ ଶକ୍ତିର ଭୂମି ଏଇ ଆର୍ଯ୍ୟାବର୍ଭ ।

 

ଅର୍କ ଆସି ପହଞ୍ଚିଲା ଗୋଟେ ଖବର ନେଇ । ‘ନିଉ ଟାଇମ୍ସ୍’ର ଆବାସିକ ସମ୍ପାଦକଙ୍କ ବାର୍ତ୍ତ ପ୍ରକାଶ କରି କହିଲା - ‘କାଲି ସନ୍ଧ୍ୟାରେ ଫାଦର୍‍ଙ୍କୁ ଏବଂ ଆପଣଙ୍କୁ ତାଙ୍କ ବାସଭବନରେ ଚା’ ପାଇଁ ଆମନ୍ତ୍ରଣ କରିଛନ୍ତ ସମ୍ପାଦକ ।’

 

ଫାଦର୍‍ କହିଲେ - ‘ମୁଁ ବର୍ତ୍ତମାନ ଶ୍ରୀମୟୀଙ୍କ ଅତିଥି । ସେ ଯେଉଁ କାର୍ଯ୍ୟସୂଚୀ ସ୍ଥିର କରିବେ ମୁଁ ସେଥିରେ ରାଜି...।’

 

ଶ୍ରୀମୟୀ ଅର୍କକୁ କହିଲେ ମୁକ୍ତେଶ୍ଵରଙ୍କୁ ଧନ୍ୟବାଦ ଜଣାଇବାପାଇଁ । ସେମାନେ ଆନନ୍ଦର ସହିତ ତାଙ୍କ ଆମନ୍ତ୍ରଣ ଗ୍ରହଣ କରୁଛନ୍ତି... ।

 

ଠିକ୍‌ ସେତିକିବେଳେ ଫୋନ୍‌ ଆସିଲା ମୁକ୍ତେଶ୍ଵରଙ୍କ ପାଖରୁ । ସେ କହିଲେ- ‘କାଳେ ଆପଣ କ’ଣ ଭାବିବେ ବୋଲି ମୁଁ ନିଜେ କହୁଛି । ଆପଣ ଏବଂ ଶ୍ରୀମୟୀ ଦେବୀ ଆମ ଘରେ ସନ୍ଧ୍ୟାବେଳେ ଚା’ ପାନ କଲେ ଆମେ ଧନ୍ୟ ମନେକରିବୁ । ଆଉ ହଁ, ମୋ ପରି ଆପଣ ମଧ୍ୟ ନୂଆ ଏ ରାଜ୍ୟରେ । କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଆପଣ ଆମ ସହଯୋଗ ସଦାବେଳେ ପାଇବେ । ସତ୍ୟକାମଠାରୁ ମୁଁ ଶୁଣିଛି ଯେ ଆପଣ ମହତ୍‌ ଉଦ୍ଦେଶ୍ୟ ନେଇ ଆସିଛନ୍ତି, ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପ୍ରସାରକୁ ଚର୍ଚ୍ଚ ଅଧିକ ଗୁରୁତ୍ୱ ଦେବାକୁ ଯାଉଛି... ।’

 

- ‘ଥ୍ୟାଙ୍କ ୟୁ ଏଡ଼ିଟର୍‍... ଆପଣଙ୍କୁ, ଅଶେଷ ଧନ୍ୟବାଦ । କାଲି ଦେଖାହେବ... ହ୍ୟାଭ୍‌ ଏ ଗୁଡ଼୍‌ ଡେ...।’

 

ମଧ୍ୟାହ୍ନ ଭୋଜନ କରିବାପାଇଁ ସାଧାରଣତଃ ଆସେନା ସତ୍ୟକାମ । ଆଜି କିନ୍ତୁ ବ୍ୟତିକ୍ରମ ହେଲା । ଫାଦର୍‍ଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାପାଇଁ ଠିକ୍‌ ଗୋଟାଏବେଳେ ଆସି ପହଞ୍ଚିଲା ଘରେ । ଶ୍ରୀମୟୀ କହିଲେ - ‘ଆଜି ସାର୍ଥକ ଦିନଟିଏ... କୋଡ଼ିଏ ବର୍ଷ ପୂର୍ବରୁ ଆପଣଙ୍କ ପାଖରେ ବସି ସତ୍ୟ ଯେମିତି ବାଧ୍ୟ ପିଲାଟି ପରି ବସୁଥିଲା, ଆଜି ବି ସେହିପରି ବସିବ ।’

 

ମୁହଁରେ ହସ ଖେଳାଇ କହିଲେ ଫାଦର୍‍ - ‘ସେତେବେଳେ ସେ ବାଧ୍ୟ ଥିଲା, ଏବେ କ’ଣ ଅବାଧ୍ୟ ହେଉଛି ?’

 

ମା’ କିଛି କହିବା ପୂର୍ବରୁ ସତ୍ୟ କହିଲା - ‘ମା’ କୋଳରେ ପୋଷା ବିଲେଇଟି ପରି ବସିରହିଲେ ସେ ମୋ ବିଷୟରେ ଚିନ୍ତା ନ କରି ନିଶ୍ଚିନ୍ତ ହୁଅନ୍ତେ... ।’

 

ସମସ୍ତେ ଏକା ସାଙ୍ଗରେ ହସିଉଠିଲେ । ଫାଦର୍‍ଙ୍କ ଦୁର୍ବଳ ମୁହଁ ପ୍ରସନ୍ନତାରେ ଭରିଗଲା ।

 

ଲକ୍ଷ୍ମୀ ଖବର ଦେଲା ଖାଇବା ପ୍ରସ୍ତୁତ... ବସିଲେ ହେଲା...। ସମସ୍ତେ ଏକା ସାଙ୍ଗରେ ଖାଇଲେ । ଭାତ, ମାଛ ତରକାରି, ସମ୍ବର, ବଡ଼ିଚୂରା, ସନ୍ତୁଳା ଆଉ ଦହି ।

 

ଖାଇବାବେଳେ ଫାଦର୍‍ ପଚାରିଲେ - ‘ତମ ଇନ୍‌ଭେଷ୍ଟିଗେସନ୍‌ କିମିତି ଚାଲିଛି ? ଅପରାଧୀମାନେ ଧରାପଡ଼ିବେ ?’

 

- ମୁଁ ସେ ବିଷୟରେ ନିଶ୍ଚିନ୍ତ ଫାଦର୍‍ । ଜାଲ ପକାଇବା ମୋର କାମ... ମାଛ ଧରାପଡ଼ିବେ ନିଶ୍ଚୟ ।’

 

ଭାତରେ ଦହି ଗୋଳାଇ କିଛି ଖାଇବା ପରେ କହିଲେ ଫାଦର୍‍ - ‘ସମାଜର ଦ୍ରୁତ ଅବକ୍ଷୟ ଘଟୁଛି । ଅପରାଧର ଜଗତ ପ୍ରସାରିତ ହେଉଛି... କିନ୍ତୁ ଅପରାଧୀ ଧରା ପଡ଼ୁନାହାଁନ୍ତି... ଆଉ ସେମାନେ ଦାଣ୍ଡରେ ବୁଲୁଥିଲେ ବି ସେମାନଙ୍କୁ ଧରିବା ସହଜ ନୁହେଁ, କାରଣ ସେମାନଙ୍କ ରକ୍ଷାକର୍ତ୍ତା ହେଉଛନ୍ତି ନେତାମାନେ... ସବୁ ଦଳରେ ଅସାମାଜିକ, ଅପରାଧୀମାନଙ୍କ ପ୍ରଭାବ ବଢ଼ୁଛି... ତା’ ସହିତ ବଢ଼ୁଛି କଳା ଟଙ୍କାର ରାଜତ୍ୱ, ସାଧାରଣ ଲୋକଙ୍କ. ସ୍ୱାର୍ଥରକ୍ଷା ନ କରି ଶାସନ ଖଳ ଲୋକଙ୍କ ବୋଲକରାରେ ପରିଣତ ହୋଇଛି...।’

 

- ‘‘ପୁଲିସ୍‌ ଯେଉଁଠି ପ୍ରବେଶ କରିପାରୁନି ଗଣମାଧ୍ୟମ ସେଠାରେ ପ୍ରବେଶ କରୁଛି... ସ୍ୱାଧୀନତାଠାରୁ ଏ ପର୍ଯ୍ୟନ୍ତ ଯେତେ ବଡ଼ ବଡ଼ ଅପରାଧ, ରାଜନୀତିକ କେଲେଙ୍କାରୀ, ସାମ୍ପ୍ରଦାୟିକ ସଂଘର୍ଷ ଏବଂ ଦୁର୍ନୀତି ଘଟିଛି ସେସବୁ ପୁଲିସ୍‌ ଧରି ନାହିଁ, ସାମ୍ବାଦିକମାନେ ଧରିଛନ୍ତି । ଅବଶ୍ୟ ସେଥିପାଇଁ ସେମାନେ କ୍ଷତି ବି ସହିଛନ୍ତି ବେଶି...କେତେକଙ୍କୁ ବଳି ପଡ଼ିବାକୁ ହୋଇଛି... ।’

 

ଶିହରି ଉଠି କହିଲେ ଶ୍ରୀମୟୀ - ‘ମୋର ତ ଭୟ ହୁଏ ଫାଦର୍‍... ସତ୍ୟକୁ ପ୍ରଭୁ ରକ୍ଷା କରନ୍ତୁ ଏଇ ପ୍ରାର୍ଥନା ସଦାବେଳେ କରୁଛି... ।’

 

ତାଙ୍କୁ ଆଶ୍ଵାସନା ଓ ଭରସା ଦବାପାଇଁ କହିଲେ ଫାଦର୍‍ - ‘ପ୍ରଭୁ ଅବଶ୍ୟ ରକ୍ଷା କରନ୍ତି ନିରୀହ, ନିର୍ଦ୍ଦୋଷ ଏବଂ ସତ୍ୟ ଓ ଧର୍ମ ମାର୍ଗରେ ଚାଲିଥିବା ଲୋକମାନଙ୍କୁ । ସମାଜରୁ ଆବର୍ଜନା କାଢ଼ିବା କାମ ସମସ୍ତେ କରନ୍ତି ନାହିଁ, ଯେଉଁମାନେ କରନ୍ତି ସେମାନଙ୍କ ସଂଖ୍ୟା ଅନେକ କମ୍‌ । ସେମାନେ ନିଜେ ଶୁଦ୍ଧ, ନିର୍ମଳ, ବିଶ୍ୱାସୀ ନ ହେଲେ ଏ କାମ କରିପାରିବେ ନାହିଁ । ସତ୍ୟ ଯେ ସେମାନଙ୍କ ମଧ୍ୟରୁ ଜଣେ ହେବ... ସମସ୍ତ ଅଗ୍ନି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବ ଏ ବିଶ୍ଵାସ ମୋର ଅଛି ।’

 

ଭୋଜନ ଶେଷ ହେବା ପୂର୍ବରୁ ଫ୍ରୁଟ୍‌ସାଲାଡ଼୍‌ ରଖି ଦେଇଗଲା ଲକ୍ଷ୍ମୀ ! ପରିତୃପ୍ତ ଆହାର ପରେ ଘଣ୍ଟାଏ ବିଶ୍ରାମ କରନ୍ତି ଫାଦର୍‍ । ତାଙ୍କଠାରୁ ଅନୁମତି ନେଇ ପୁଣି ବାହାରିଗଲା ସତ୍ୟ । ଶେଖ୍‌ ଅଖ୍‍ତାରର ଚେର କେତେଦୂରକୁ ଲମ୍ବିଛି ତାହା ଜାଣିବାପାଇଁ ଅନୁସନ୍ଧାନ ଚାଲିଛି । ବିଦେଶୀ ଆତଙ୍କବାଦୀଙ୍କ ସହିତ ତା’ର ଯୋଗସୂତ୍ର ଥିବା ପରି କିଛି ସୁରାକ ଇତି ମଧ୍ୟରେ ପାଇଛି ସେ । ଆହୁରି ତଥ୍ୟ ସଂଗ୍ରହର ପ୍ରୟୋଜନ ଅଛି । ମୁମ୍ବାଇ ଅଣ୍ଡରଗ୍ରାଉଣ୍ଡ ମାଫିଆମାନଙ୍କ ସହିତ ଅଖ୍‍ତାରର ସମ୍ପର୍କ ଥିବା ସୂଚନା ମିଳିଛି । କିନ୍ତୁ ଦାଉଦ ସହିତ ତା’ର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅନୁସନ୍ଧାନର ବିଷୟ । ଶେଖ୍‌ ଅଖ୍‍ତାରର ଅପରାଧ ଜଗତ ନିୟନ୍ତ୍ରଣ କରନ୍ତି ଚନ୍ଦ୍ରମୌଳି ଓ ଚିଦାନନ୍ଦ କୋମ୍ପାନୀ । ଯିଏ ତାଙ୍କ ବାଟ କାଟିବାକୁ ଚେଷ୍ଟାକରେ ଆଭାସ ମାତ୍ରେ ଅଖ୍‍ତାରର ଗ୍ୟାଙ୍ଗ ତାକୁ ମୂଳପୋଛ କରିବାରେ ବିଳମ୍ବ କରନ୍ତି ନାହିଁ ।

 

ସେ ପ୍ରେସ୍‌କୁ ନ ଯାଇ ଗୋଟେ ପଞ୍ଚତାରକା ହୋଟେଲକୁ ଗଲା । ହୁମାୟୁନ୍‍ ଦେଇଥିଲା ଗୋଟିଏ ନାମ । ସେଇ ଭଦ୍ରଲୋକ ବୋଧହୁଏ ଏତେବେଳକୁ ମୁମ୍ବାଇ ଫ୍ଲାଇଟ୍‌ରେ ଆସି ପହଞ୍ଚିଯିବେଣି । ହୋଟେଲ୍‌ ‘ଗ୍ରୀନ୍‌ହେଭେନ୍‍ସ’ରେ ସେ ନିଜ ନାମ ନୁହେଁ ଛଦ୍ମ ନାମରେ ରହିବେ ବୋଲି ଧରି ନେଇଥିଲା ସତ୍ୟକାମ । ଏଇ ଲୋକମାନେ ନିଜ ନାମ ଗୋପନ ରଖି ଛଦ୍ନନାମରେ ଏଇଥିପାଇଁ କାମ କରନ୍ତି ଯେ ସେମାନଙ୍କ ଠିକ୍‌ ପରିଚୟ କେହି ଜାଣିପାରିବେ ନାହିଁ । ପୁଲିସ୍‌କୁ ବାଟବଣା କରିବାର ଇଏ ଗୋଟିଏ ବଡ଼ ଉପାୟ । କିନ୍ତୁ ହୁମାୟୁନ୍‍ ଯେଉଁ ସୂତ୍ରରୁ ସୂଚନା ପାଇଛି ସେ ମିଛ ଖବର ଦବ ନାହିଁ । ଯାଞ୍ଚ କରି ନିଶ୍ଚିତ ହେବା ପରେ ଯେ ସେ ହୁମାୟୁନ୍‍କୁ କହିଛି ।

 

ହୋଟେଲ୍‌ ‘ଗ୍ରୀନ୍‌ହେଭେନ୍‍ସ’ ଖଣ୍ଡଗିରି ପାହାଡ଼ର ପାଦ ଦେଶରେ । ସାଧାରଣ ଲୋକଙ୍କ ଦୃଷ୍ଟି ଏଠାରେ ପଡ଼େ ନାହିଁ । ଏଇ ପଞ୍ଚତାରକା ହୋଟେଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲାଦିନୁ ସମ୍ଭ୍ରାନ୍ତମାନଙ୍କର ସୁଅ ଛୁଟିଛି ହୋଟେଲ୍‌କୁ ।

 

ବାହାରେ ଗାଡ଼ି ରଖି ସେ ରିସେପ୍‌ସନ୍‌କୁ ଗଲା ଏବଂ ମୁମ୍ବାଇ ଫ୍ଲାଇଟ୍‌ରେ ଆସିଥିବା ରସିକଲାଲ ପାରିଖ୍‌ କେଉଁ ସୁଇଟ୍‌ରେ ଥିବେ ତାହା ଜାଣିବାକୁ ଚାହିଁଲା । କିନ୍ତୁ ଅଭ୍ୟର୍ଥନା କାଉଣ୍ଟରରେ ବସିଥିବା ସେଇ ଝିଅଟି ବିନମ୍ର ସ୍ଵରରେ କହିଲା - ‘ସରି ସାର୍‌... ସେ କଥା ମୁଁ କହିପାରିବି ନାହିଁ । ମୁମ୍ବାଇ ଫ୍ଲାଇଟ୍‌ ବା ଦିଲ୍ଲୀ ଫ୍ଲାଇଟ୍‌ରେ କିଏ ଆସିଲା ମୁଁ ଜାଣିବି କିପରି ?’

 

ସତ୍ୟକାମ ତା’ କାର୍ଡ଼ ଖଣ୍ଡେ ବଢ଼ାଇ ଦେଇ କହିଲା - ‘ମୁଁ ‘ନିଉ ଟାଇମ୍ସ୍’ର ସାମ୍ବାଦିକ । ତାଙ୍କ ପାଖରେ ମୋର ବିଶେଷ କାମ ଅଛି ଏତେବଡ଼ ଜଣେ ଲୋକ ଆମ ରାଜଧାନୀକୁ ଆସିବା ବିରଳ ଘଟଣା । ମୁଁ ତାଙ୍କର ଇଣ୍ଟରଭିଉ ନେବି । ଖବରକାଗଜ ପ୍ରଥମ ପୃଷ୍ଠାରେ ନାମ ବାହାରିବ ତାଙ୍କର... ।’

 

ଏହାପରେ ସେଇ ଝିଅଟି କ’ଣ ଭାବିଲା କେଜାଣି କହିଲା, କିନ୍ତୁ ରୁମ୍‌ ନମ୍ବର ନ କହିବା ଆମର ଟ୍ରେଡ଼୍‌ସିକ୍ରେଟ୍‌ । ସିକ୍ୟୁରିଟି କଡ଼ାକଡ଼ି କରାଯାଇଛି ଭିଆଇପି ଆସିଥିବାରୁ... ତଥାପି ମୁଁ ଆପଣଙ୍କୁ ଏତିକି କହିବି ଯେ ସେ ଠିକ୍‌ପାଞ୍ଚଟାବେଳେ ବାହାରକୁ ଯିବାର ଅଛି । ସେତିକିବେଳେ ଯଦି ଆପଣ ସାକ୍ଷାତ୍‌ କରି ଆପଏଣ୍ଟମେଣ୍ଟ୍‍ ନିଅନ୍ତି ତେବେ ସହଜରେ ଇଣ୍ଟରଭିଉ କରିପାରିବେ ।

 

ସତ୍ୟକାମ ଆଉ ଯୁକ୍ତି ନ କରି କହିଲା- ‘ମୁଁ ଅପେକ୍ଷା କରିବି । କିନ୍ତୁ ସେ ଯେ ସେଇ ଲୋକ ମୁଁ ଜାଣିବି କିପରି ? ମୁଁ ତ ତାଙ୍କୁ ପୂର୍ବରୁ କେବେ ଦେଖିନି । ଯଦି ସେତିକିବେଳେ ଆଉ କେହି ସାଙ୍ଗରେ ଥାଆନ୍ତି ତେବେ ମୋ ଗଣନା ଭୁଲ ହୋଇଯିବ... ।

 

ଝିଅଟି କହିଲା - ‘ଯାହା ମଥା ଉପରେ ଧଳା ଟୋପିଥିବ ସେଇ ହେଉଚନ୍ତି ରସିକଲାଲ ପାରିଖ... ମୁମ୍ୱାଇର ନାମଜାଦା ଶେଠ୍‌ ।’

 

ସେ ଝିଅଟି ଯାହା କହୁଥିଲା ସବୁ ରେକର୍ଡ଼ ହୋଇଯାଉଥିଲା ତା’ ଅଜ୍ଞାତରେ । ତା’ ଫଟୋ ମଧ୍ୟ ରହିଯାଇଥିଲା ମୋବାଇଲ୍‌ରେ ।

ଆହୁରି ଅଧଘଣ୍ଟା ବାକି । ସତ୍ୟକାମ କଫି ବାର୍‌କୁ ଗଲାବେଳେ ଝିଅଟି କହିଲା- ସାର୍‌... ଆପଣଙ୍କୁ ଗୋଟେ ବିଶେଷ ଅନୁରୋଧ, ମୁଁ ଆପଣଙ୍କୁ ଏସବୁ କହିଛି ବୋଲି ଆପଣ ଘୁଣାକ୍ଷରେ ବି ପ୍ରକାଶ କରିବେ ନାହିଁ । ତାଙ୍କ ସମ୍ବନ୍ଧରେ ସାମ୍ବାଦିକ, ପୁଲିସ୍‌ ଏମାନଙ୍କୁ କିଛି ନ କହବାପାଇ କଡ଼ା ଆଦେଶ ରହିଛି... ’

- ‘ଥ୍ୟାଙ୍କ୍ ୟୁ କରିନା... ମୁଁ କାହାକୁ କିଛି କହିବି ନାହିଁ ।’

- ‘କିନ୍ତୁ ଆପଣ ମୋ ନାମ ଜାଣିଲେ କିପରି ?’ ଝିଅଟି ପଚାରିଦେଲା । କହିବା ଆଗରୁ ସେ ଭୁଲି ଯାଇଥିଲା ଯେ ତା’ ବାମ କାନ୍ଧ ତଳେ ତା’ ନାମ ଫଳକଟି ଝୁଲୁଛି ।

କରିନା ଅପ୍ରସ୍ତୁତ ହୋଇଗଲା, କ’ଣ ଗୋଟେ ଅପରାଧ କରିପକାଇଥିବା ପରି ତା’ ଭ୍ରୂକୁଞ୍ଚନରୁ ଜଣାଗଲା । କପାଳ ଉପରେ ଦୁଇଟା ଗାର ଟାଣି ହୋଇଗଲା ।

ସତ୍ୟ କହିଲା - ‘ବି ଇଜି... କିଛି ଭୟ କରନା, ମୁଁ କିଛି ପ୍ରକାଶ କରିବି ନାହିଁ, କଥା ଦଉଛି... ।’

କରିନା କିନ୍ତୁ ମନେ ମନେ କହିଲା - ‘ପୁଲିସ୍‍ ଆଉ ରିପୋର୍ଟର ଏମାନଙ୍କୁ ବିଶ୍ଵାସ ନାହିଁ । ପ୍ରୟୋଜନ ମନେକଲେ ନିଜ ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅନୁଭବ ମଧ୍ୟ ସିଡ଼ିରେ ରେକର୍ଡ଼ କରିବାକୁ ପଛାଇବେ ନାହିଁ ।’

ସତ୍ୟ ସେତେବେଳକୁ କଫି ବାର୍‌ ଭିତରକୁ ପ୍ରବେଶ କରିସାରିଥିଲା ।

 

କରିନା ଫୋନ୍‌ ନମ୍ବର ଟିପିଲା... ।

 

କିନ୍ତୁ ସେପାଖରୁ ବୋଧହୁଏ କୌଣସି ଜବାବ ନ ପାଇ ସେ ନିଜେ ଲିଫ୍ଟ ଚଢ଼ି ପାଞ୍ଚ ତାଲା ଉପରକୁ ଚାଲିଗଲା... ତା’ ଛାତି ତଳ ଧଡ଼୍‌ପଡ଼୍‌ ହେଉଥିଲା । ଭିଆଇପି ଗେଷ୍ଟ ଯଦି ଜାଣନ୍ତି ଯେ କୌଣସି ସୂତ୍ରରୁ ତାଙ୍କ ରହଣିର ଗୋପନୀୟତା ରକ୍ଷା କରାଯାଇନି ତେବେ ତା’ ଚାକିରି ଖଣ୍ଡକ ଚାଲିଯିବ । ସେତେବେଳେ ଧରପଗଡ଼ ଲାଗିଯିବ ଏବଂ ତାହାରି ମୁଣ୍ଡ ଉପରେ ଅଠାବୋଳି ଅନ୍ୟମାନେ ଖସିଯିବେ ।

 

ସୁଇଟ୍‌ ଆଗରେ ଛିଡ଼ା ହୋଇ ବେଲ୍‌ ଟିପିଲା କରିନା ।

 

କବାଟ ଖୋଲିଗଲା, ଜଣେ ସମର୍ଥ ଛଅ ଫୁଟ ଲମ୍ବା ଯୁବକ ବାହାରି ଆସି କହିଲା - ‘କାହାକୁ ଖୋଜୁଛ ?’

 

କରିନା ମିଛ କହିଲା ।

 

‘ଜଣେ ଅଜ୍ଞାତ ବ୍ୟକ୍ତି ହୋଟେଲକୁ ଆସି ଶେଠ୍‌ଙ୍କ ବିଷୟରେ ଖବର ସଂଗ୍ରହ କରୁଥିଲା... ସେ କଫି ବାର୍‌ରେ ଅଛି...’

 

- ‘ଓକେ ! ତମେ ଫେରିଯାଅ । ଶେଠ୍‌ଜୀ ଲବି ବାଟ ଦେଇ ତଳକୁ ନ ଓହ୍ଲାଇ ସାଇଡ୍‌ବାଟେ ବାହାରିଯିବେ... କେହି ଜାଣିପାରିବେ ନାହିଁ ।’

 

କରିନା ନିଜ ସିଟ୍‌କୁ ଫେରି ଆସିଲା । ଶୀତତାପ ନିୟନ୍ତ୍ରିତ ହୋଟେଲରେ ଥାଇ ମଧ୍ୟ ତା’ ଦେହରୁ ଝାଳ ବାହାରୁଥିଲା ।

 

ପାଞ୍ଚଟା ବାଜିବାପାଇଁ ପାଞ୍ଚ ମିନିଟ୍ ଥାଏ, ସତ୍ୟକାମ କଫିବାର୍‌ରୁ ବାହାରିଆସି ଲାଉଞ୍ଜରେ ଅପେକ୍ଷା କଲା । ଠିକ୍‌ ସାଢ଼େ ପାଞ୍ଚଟାରେ ଲିଫ୍ଟଦ୍ଵାର ଖୋଲିଗଲା ଏବଂ ବାହାରି ଆସିଲେ ଭିଆପି ସିକ୍ୟୁରିଟି ଦାୟିତ୍ୱରେ ଥିବା ପଲ୍ଲବ ପଟ୍ଟନାୟକ ।

 

ସତ୍ୟକାମ ଆଗେଇଗଲା ତାଙ୍କ ପାଖକୁ ।

 

ସେ କହିଲେ ‘ଆରେ ତୁ ୟେ... ?’

 

‘ଭିଆଇପି କେହି ଆସିଛନ୍ତି କି ?’ କିଛି ନ ଜାଣିବା ପରି ପଚାରିଲା ସତ୍ୟକାମ ।

 

ପଲ୍ଲବ କହିଲେ - ‘ଭିଆଇପି ନୁହେଁ, ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ଆସିଥିଲା, କିନ୍ତୁ ମୁଁ ପହଞ୍ଚିବା ପାଞ୍ଚ ମିନିଟ ପୂର୍ବରୁ ସେ ଚାଲି ଯାଇଛି ।’

 

‘ରସିକଲାଲ ପାରିଖ ?’ ପ୍ରଶ୍ନ କଲା ସତ୍ୟକାମ ।

 

- ‘ନା, ମୋହନଲାଲ ଫୌଜ... ମୋଷ୍ଟ ଓ୍ୱାଣ୍ଚେଡ଼୍‌ ଡନ୍‌ ଅଫ୍‌ ମୁମ୍ବାଇ ଅଣ୍ଡର ଓ୍ୱାର୍ଲ୍‌ଡ଼ ।’

 

- ‘ଏଠାରେ ଶାଖା କାର୍ଯ୍ୟାଳୟ ଖୋଲିଛି ନା କ’ଣ ? ପୁଣି ପ୍ରଶ୍ନ କଲା ସତ୍ୟକାମ ।

 

- ‘ସାମ୍ୱାଦିକମାନେ ଜାଣିବା କଥା କିନ୍ତୁ ସମୟ ନାହିଁ ଭାଇ... ତା’ ପିଛା କରିବାକୁ ପଡ଼ିବ-। କିନ୍ତୁ ଏଠାରେ ରହି ଆଉ ପରେ ଦେଖାହେବାପାଇଁ... ।’

 

॥ ଷୋହଳ ॥

 

ସେଦିନର ଅକସ୍ମାତ୍‌ ସାକ୍ଷାତ୍‌ ପରେ ସତ୍ୟକାମ ଜାଣିଲା ଯେ ଟେଣ୍ଡର ଫିକ୍ସିଂ ଓ ଟ୍ରିପଲ ମର୍ଡ଼ର ସେ ଯେପରି ଅନୁସନ୍ଧାନ କରୁଛି ପଲ୍ଲବ ପଟ୍ଟନାୟକ ବି ସେଇ ବିଷୟରେ ଅନୁସନ୍ଧାନ ଜାରି ରଖିଛନ୍ତି । ସେଦିନ ହୋଟେଲରୁ ବାହାରି ଆସିବା ପରେ ପଲ୍ଲବ କହିଲେ - ‘‘ଆଉ ସେଠାରେ ରହି ଲାଭ କ’ଣ ?’’ କିନ୍ତୁ ତାଙ୍କୁ ସତ୍ୟ କହିଥିଲା ଯେ ସେଇ ଲୋକଟା ସିନା ଧୋକାଦେଇ ପାଖ ଦରଜା ଦେଇ ବାହାରିଗଲା ସେମାନଙ୍କ ଆଖିରେ ଧୂଳି ଦେଇ, କିନ୍ତୁ ସେ ଯେ ଗୋଟେ ରାତି ଏବଂ ଅଧେ ଦିନ ଏଇ ହୋଟେଲରେ କଟାଇଛି ସେଇ ସମୟର କିଛି ନିଶାଣ ହୁଏତ ମିଳିଯିବ ଯଦି ସେମାନେ ସେଇ କୋଠରି ଓ ହୋଟେଲର କାଗଜପତ୍ର ସବୁ ତନ୍ନ ତନ୍ନ କରି ପରୀକ୍ଷା କରନ୍ତି ।

 

- ‘ତା’ହେଲେ ସେ ଚାଲିଗଲା ପରେ ଆଜି ସନ୍ଧ୍ୟାରୁ ସେ କାମ ଆରମ୍ଭ କଲେ ଭଲ ହେବ-। କାରଣ ସେ ଛାଡ଼ି ଯାଇଥିବା ସୁଇଟ୍‌ର ବାଥ୍‌ରୁମ୍‌, ଏପରିକି ପରିତ୍ୟକ୍ତ ଜିନିଷ ପଡ଼ିଥିବା ବାସ୍କେଟ୍‌ ମଧ୍ୟ ତନ୍ନ ତନ୍ନ କରି ଦେଖିବା ଉଚିତ ହେବ ।’ ସତ୍ୟ ସହିତ ଏକମତ ହୋଇ କହିଲେ ପଲ୍ଲବ ।

 

ସେମାନେ ତା’ପରଦିନ ଫେରିଲେ ପୁଣି । ସିଧା ଉପରକୁ ଗଲେ ଏବଂ ରୁମ୍‌ ବୟକୁ ସୁଇଟ୍‌ ଖୋଲି ଦେଖାଇବାପାଇଁ କହିଲେ । ପଲ୍ଲବ ପୁଲିସ୍‌ ଅଫିସର ବୋଲି ସେ ଜାଣିଥିଲା, ତେଣୁ ମନା କରିପାରିଲା ନାହିଁ । ସବୁ ସ୍ଥାନ ତନ୍ନ ତନ୍ନ କରି ଖୋଜିଲେ ସେମାନେ । ହଠାତ୍‌ ରାଇଟିଂ ପ୍ୟାଡ଼୍‌ ଉପରେ ଲେଖାଥିବା ଗୋଟେ ଟେଲିଫୋନ୍‌ ନମ୍ବର ପାଇ ଖୁସି ହୋଇଗଲେ ପଲ୍ଲବ । ସତ୍ୟକାମ ସେଇ ନମ୍ବରଟା ଟିପିନେଲା । ବାସ୍କେଟ୍‌ ଭିତରେ ପଡ଼ିଥିବା ଟୁକୁରାଏ କାଗଜରୁ ସେମାନେ ଜାଣିଲେ ଯେ ଶେଖ୍‌ ଅଖ୍‌ତାର ତାଙ୍କୁ ଦେଖା କରିବାକୁ ଆସିଥିଲା । ଆକାଉଣ୍ଟସ୍‌ ଓ ଟେଲିଫୋନ୍‌ ବହିରୁ ସେଇ କୋଠରିକୁ କେଉଁଠାରୁ ଟେଲିଫୋନ୍‌ ଆସିଥିଲା ଓ ଯାଇଥିଲା ତାହା ମଧ୍ୟ ଟିପିନେଲେ, କିନ୍ତୁ ତାଙ୍କ ମୋବାଇଲ ନମ୍ବର ମିଳିଲା ନାହିଁ । ହୋଟେଲରୁ ପଲ୍ଲବଙ୍କ ଅଫିସ୍‌ ପହଞ୍ଚିବାବେଳକୁ ଆଠଟା ବାଜି ଯାଇଥିଲା । ସେଇଠାରୁ ମୁମ୍ବାଇ ଅଫିସ୍‌ ସହିତ ଯୋଗାଯୋଗ କଲେ ପଲ୍ଲବ ଏବଂ ଅଳ୍ପ ସମୟ ପରେ ମୁମ୍ବାଇର ସିବିଆଇ ଅଫିସର ସିକନ୍ଦର ଅଲ୍ଲୀ କହିଲେ ଯେ ସେଇ ନମ୍ବରଟା ଭାରତର ନୁହେଁ, ଦୁବାଇର । କିନ୍ତୁ ଦୁବାଇର କାହା ନମ୍ବର ତାହା ଜାଣିବାପାଇଁ ଅନୁସନ୍ଧାନ ଆବଶ୍ୟକ । କାରଣ ସେଇ ନମ୍ବରରେ ମୁମ୍ବାଇ ଅଫସ୍‌ ଫୋନ୍‍ କରି ଜାଣିଲା ଯେ ସେଇ ନମ୍ବର ହେଉଛି ଜଣେ ଏନ୍‌ଆର୍‌ଆଇ ତରିକ୍‌ ଅହମ୍ମଦର । ସେ ଜଣେ ଷ୍ଟକ୍‌ଏକ୍ସଚେଞ୍ଜ-ବ୍ରୋକର ଏବଂ ଦୁବାଇର ସହର ତଳିରେ ସେ ରହେ ।

 

ପଲ୍ଲବ କହିଲେ - ‘ମୁଁ ହେଡ଼୍‌କ୍ୱାର୍ଟର୍ସକୁ କହିବି ଅନୁସନ୍ଧାନ ଜାରି ରଖିବାପାଇଁ । ଦୁବାଇରେ ଏଇ ଲୋକଟାର ପୂର୍ଣ୍ଣ ବିବରଣୀ ମିଳିଗଲେ ତା’ର ଅଖ୍‍ତାର ସହିତ ମଧ୍ୟ ସମ୍ପର୍କ ପ୍ରମାଣିତ ହୋଇଯିବ ଏବଂ ଅପରାଧୀକୁ ଠାବ କରିବାପାଇଁ ବିଳମ୍ବ ହେବ ନାହିଁ ।

 

ସେଠାରୁ ଘରକୁ ଫେରିବା ପୂର୍ବରୁ ପ୍ରେସ୍‌କୁ ଗଲା ସତ୍ୟକାମ । ଏଡ଼ିଟର୍‍ଙ୍କୁ ଅନୁସନ୍ଧାନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ସେ ହୁମାୟୁନ୍‍ ସହିତ ଫେରିଲା ଘରକୁ । ତାକୁ ଘରେ ଛାଡ଼ି ହୁମାୟୁନ୍‍ ଫେରିଲା ନିଜ ଘରକୁ । କିନ୍ତୁ କଳ୍ପନା ଛକରୁ କଟକ ରୋଡ଼୍‍ରେ ଯାଉଥିବାବେଳେ ଚକ ପମ୍ପ୍‌ଚର ହେଲା ଏବଂ ସେଇଠି ଅଟକିଗଲା ସେ । ସେତେବେଳକୁ ଦୋକାନ ବଜାର ସବୁ ବନ୍ଦ ହୋଇଗଲାଣି । ଗୋଟିଏ ବି ଖୋଲା ନାହିଁ । ଷ୍ଟେପିନ୍‌ବଦଳ କରିବାପାଇଁ ପନ୍ଦର ମିନିଟ୍‌ ଲାଗିଗଲା-। ତା’ପରେ ସେ ଗାଡ଼ି ଉପରକୁ ଉଠୁଥିବାବେଳେ ଜଣେ କେହି ତା’ ପାଖକୁ ଆସି କହିଲା - ‘ତମେ ‘ନିଉ ଟାଇମ୍ସ୍’ରେ କାମ କର ?’

 

- ‘ହଁ, କାହିଁକି ?’

 

- ‘ନା, ସେଦିନ ତମକୁ ‘ନିଉ ଟାଇମ୍ସ୍’ ଅଫିସ୍‌ ଭିତରକୁ ପ୍ରବେଶ କରୁଥିବାବେଳେ ଦେଖିଥଲି ଯେ... ।’

 

କୌତୁହଳ ଲାଗିଲା ଆଗନ୍ତୁକ ବିଷୟରେ ଜାଣିବାପାଇଁ । ହୁମାୟୁନ୍‍ କହିଲା- ‘ତମେ ସେଠାକୁ କାହିଁକି ଯାଇଥିଲ ?’

 

- ‘ଗୋଟେ ବିଜ୍ଞାପନ ଦେବା ପାଇଁ... ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା...’

 

- ‘ତମେ କେଉଁଠି କାମ କର ?’ ପଚାରିଲା ହୁମାୟୁନ୍‍ ।

 

- ‘ମୁଁ ଚାକିରି କରେନା । ମୋର ଗୋଟେ ଛୋଟ ହୋଟେଲ ଅଛି ବମିଖାଲରେ ।’ ସେ କହିଲା ।

 

- ‘କେମିତି ଚାଲିଛି ?’

 

- ‘ଭଲ ।’

 

- ‘ତମ ନାମ, ହୋଟେଲର ନାମ କହିଲେ ମୁଁ ଆସନ୍ତି ଦିନେ ପରଖିବାପାଇଁ ତୁମ ହୋଟେଲର କୁଇଜିନ୍‌ କିପରି ?’

 

ସେ ଲୋକଟି କହିଲା - ‘ମୋ ନାମ ତରୁଣ ଘୋଷ... ହୋଟେଲର ନାମ ‘ତରୁଣ’ । ହୁଏତ ତୁମ ଦୃଷ୍ଟିରେ ପଡ଼ିନି ଏଯାଏ... ।’

 

- ‘ପଡ଼ିଛି ଯେ; ଭିତରକୁ କେବେ ଯାଇନି...’ କହିଲା ହୁମାୟୁନ୍‌ ।

 

ତରୁଣ କହିଲା - ‘ବେଳକାଳ ଭଲ ନୁହେଁ ବାବୁ... ବାଧ୍ୟ ହୋଇ ଯାଇଥିଲି ଜଟଣି, ଫେରିବାବେଳକୁ ରାତି ହୋଇଗଲା... ।’

 

ତରୁଣ ଚାଲିଗଲା ପରେ ଭାବିଲା ହୁମାୟୁନ୍‌, ଏଇ ଲୋକଟା ବମିଖାଲରେ ରହୁଛି । ରସୁଲଗଡ଼, ଚକେଇସିଆଣି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସମ୍ବନ୍ଧରେ ଖବର ନିଶ୍ଚୟ ଜାଣିଥିବ । ଛୋଟ ହୋଟେଲ ମାଲିକ ବଡ଼ ହୋଟେଲ ମାଲିକଙ୍କ ଅପେକ୍ଷା ସ୍ଥାନୀୟ ଖବର ବେଶି ଜାଣନ୍ତି । ଅଖ୍‍ତାରର ଉଭା ଯେତେ ପୋତା ତା’ ଠାରୁ ଅଧିକ । ବାହାରେ ସେ ଭଦ୍ର, ନମ୍ର, ନାଗରିକ... । କିନ୍ତୁ ଭିତରେ ପକ୍କା ସଇତାନ । ତା’ ଚେର କେତେ ତଳକୁ ଯାଇଛି ଏବଂ କୁଆଡ଼କୁ ଲମ୍ବିଛି ତାହା ଜାଣିବା ଦରକାର । ଚିଦାନନ୍ଦର ଚେଲା ଯେତେବେଳେ ସେହିପରି ଚତୁର ହୋଇଥିବ... ।

 

ସେ ଘରେ ଆସି ପହଞ୍ଚିବା ପରେ ମାଆଙ୍କଠାରୁ ଶୁଣିଲା ଅସୀମା ଯାଇଥଲା ସତ୍ୟକାମ ଘରକୁ ମାଉସୀଙ୍କ ଡାକରା ପାଇ । ହୁମାୟୁନ୍‌ ଏ ବିଷୟରେ କିଛି ଜାଣି ନ ଥିଲା, ସେ ଭାବିଥିଲା. ଯେ ହୁଏତ ମାଉସୀ ଏକା ଏକା ବୋର ମନେକରି ଡାକିଥିବେ ଭଉଣୀକୁ । କିନ୍ତୁ ସୁରେୟା କହିଲେ–‘ମୋତେ କିନ୍ତୁ କେମିତି କେମିତି ଲାଗୁଛି... ।’

 

- ‘କାହିଁକି ?’ ପଚାରିଲା ହୁମାୟୁନ୍‍ ।

 

- ‘ଏମିତି... ଅବଶ୍ୟ ମୁଁ ଭୁଲ ଭାବିଥୁବି... କିନ୍ତୁ ଶ୍ରୀମୟୀ ତ ଏତେ ଭଲ ଯେ ତାଙ୍କୁ ନା କହି ହୁଏ ନାହିଁ... ।’

 

- ‘କିନ୍ତୁ ତୁମେ କ’ଣ ଭାବୁଚ ଫିଟାଇ କରି କହୁନ କାହିଁକି ?’ ପଚାରିଦେଇ ମା’ଙ୍କ ମୁହଁକୁ ଅନାଇ ରହିଲା ହୁମାୟୁନ୍‍ ।

 

- ‘ସେ ଅସୀମାକୁ ପସନ୍ଦ କରନ୍ତି... ଶ୍ରଦ୍ଧା କରନ୍ତି...’ କହିଲେ ସୁରେୟା ।

 

- ‘ମୋତେ ତ କିନ୍ତୁ ଖୁବ୍‌ ଭଲ ଲାଗୁଚି ମା’ ! ଆଉ ମୋ ଭଉଣୀକୁ କିଏ ପସନ୍ଦ ନ କରିବ କହିଲ ?’ ହୁମାୟୁନ୍‍ର ଦୃଷ୍ଟି ରହସ୍ୟମୟ ମନେହେଲା ସୁରେୟାଙ୍କର ।

 

- ‘କିନ୍ତୁ ଏ ବିଷୟକୁ ଯେତେ ସହଜ ଓ ସରଳ ମନେକରୁଛୁ ସେପରି ନୁହଁ । ଆମ ଘରେ ବନ୍ଧୁ ବାନ୍ଧିବା ତାଙ୍କ ଇଚ୍ଛା... ।’ କେହି ନ ଶୁଣିବା ପରି ଶାନ୍ତ ସ୍ୱରରେ ଧୀରେ ଧୀରେ କହିଲେ ସେ ।

 

ହୁମାୟୁନ୍‍ କିନ୍ତୁ ଆଶ୍ଚର୍ଯ୍ୟ ହେଲା ନାହିଁ । ଅସୀମା କଥା ତା’ ମୁହଁରୁ ଶୁଣିଲେ ସତ୍ୟକାମର ମୁହଁ କିପରି ଯୂଇ ଫୁଲ ପରି ମହ ମହ କରେ ତା’ ସେ ଦେଖିଛି... ।

 

ସେ କହିଲା - ‘ଯଦି ତା’ ସତ ହୁଏ କ୍ଷତି କ’ଣ ?’

 

- ‘ତୁ ବୁଝି ବିଚାରି କହୁଛୁ ତ ପୁଅ ? ଆମ ରକ୍ଷଣଶୀଳ ସମାଜ, ଧର୍ମର କଠୋର ବିଧିବିଧାନ... ଏସବୁ ଭାଙ୍ଗି ମୁ ସାହସ କରିପାରୁନି ।’

 

- ‘କିନ୍ତୁ ବ୍ୟକ୍ତିଗତ ଇଚ୍ଛା ଅନିଚ୍ଛା ଧର୍ମ ନିୟନ୍ତ୍ରଣ କରିବ କାହିଁକି ?’ କହିଲା ହୁମାୟୁନ୍‍ ।

 

- ‘ମୋତେ ତ ଭୟ ଲାଗୁଚି ତୋ ବାପାଙ୍କୁ କହିବାପାଇଁ । ସେ ଯଦି ବିଗିଡ଼ି ଯିବେ ତେବେ... ?’ ଚୁପ୍‌ଚୁପ୍‌ କହିଲେ ସୁରେୟା ।

 

- ‘ସମୟ ଆସୁ ତାଙ୍କୁ ମୁଁ କହିବି । କିନ୍ତୁ ମା’ ! ତମେ ଆଗେ କୁହ ତ ଅସୀମାର ମତ କ’ଣ ?’

 

ସୁରେୟା କିଛି କହିବା ପୂର୍ବରୁ ପଛ ଆଡ଼କୁ ଚାହିଁଦେଲେ ଏବଂ ଅସୀମା ଯେ ଏ ଯାଏ ପରଦା ସେପାଖରେ ଛିଡ଼ା ହୋଇ ଶୁଣୁଥିଲା ସେ ବୁଝିପାରିଲେ ।

 

- ‘ମୋତେ କ’ଣ ଏଡ଼େ ସହଜରେ କହିବ, ତୁ ପଚାରୁନୁ ?’

 

ହୁମାୟୁନ୍‍ କହିଲା - ‘ହଉ ! ମୁଁ ପଚାରିବି । କିନ୍ତୁ ବାପା କୁଆଡ଼େ ଗଲେ ?’

 

- ‘ଅଖ୍‍ତାର ସାହେବ କ’ଣ ମିଟିଂ ଡାକିଚନ୍ତି ଯେ ଯାଇଛନ୍ତି ।’ କହିଲେ ସୁରେୟା ।

 

- ‘କିନ୍ତୁ ଅଖ୍‍ତାର ସାହେବଙ୍କଠାରୁ ଦୂରରେ ରହିବାପାଇଁ ମୁଁ କହିଥିଲି ନା ମା’ ?’

 

- ‘କିନ୍ତୁ ସାଙ୍ଗସାଥୀମାନଙ୍କ ମିଟିଂକୁ ନ ଗଲେ କ’ଣ ଭାବିବେ ସେମାନେ ?’

 

ହୁମାୟୁନ୍‍ କହିଲା - ‘ଦେହ ଭଲ ନାହିଁ କହି ରହିଯାଇ ପାରିଥାନ୍ତେ... ।’

 

- ‘କିନ୍ତୁ ମୁଁ ତୋ ବାପାଙ୍କ ପାଖରୁ ଯେତିକି ଶୁଣିଛି ସେଥିରୁ ଜାଣିଛି ଯେ ଅଖ୍‍ତାର ସାହେବଙ୍କ ପିଛାରେ ସିବିଆଇ ଲାଗିଛି । ସେ ତାଙ୍କ ସାଙ୍ଗଠାରୁ ଶୁଣିଚନ୍ତି । କିନ୍ତୁ ଏ ବିଷୟ ତୁ ଆଉ କାହାକୁ ନ କହୁ ଯେପରି... ।’ ସୁରେୟା ସାବଧାନ କରିଦେଲେ ।

 

- ‘ଏ ବିଷୟ ଆମ ଅଫିସ୍‌ରେ ଅନ୍ତତଃ ଆମେ ତିନି ଜଣ ଜାଣୁ - ମୁଁ, ସତ୍ୟ ଆଉ ଏଡ଼ିଟର୍‍ ସାହେବ... ।’

 

- ‘ବାପାଙ୍କୁ କହିଥିଲୁ ଏକଥା ?’

 

- ‘ନା, ଏସବୁ ଗୋପନୀୟ କଥା ଯେତେଦୂର ସମ୍ଭବ ଗୋପନୀୟ ରହିବା ଦରକାର । ମୁଁ ତୁମକୁ କହିଲି ବାଧ୍ୟ ହୋଇ... ଏହାପରେ ତମେ ବାପାଙ୍କୁ ନ କୁହ ଯେପରି... ତୁଣ୍ଡରୁ ତୁଣ୍ଡ ଦଶ ଜଣ ଜାଣିଯିବେ... ।’

 

- ‘କିନ୍ତୁ କେତେଦିନ ଗୋପନୀୟ ରହିବ ହୁମାୟୁନ୍‍ ?’

 

- ‘ମୁଁ ଜାଣେ । କିନ୍ତୁ ମା’, ଗୋପନୀୟତା ପ୍ରଥମ ଭାଙ୍ଗିବାର ବାହାଦୁରି ଆମ ମିଡ଼ିଆ ପାଉ, ଏୟା ମୁଁ ଚାହେଁ... ।

 

ଦୁଷ୍ଟାମି ହସ ମୁହଁ ଉପରେ ଖେଳାଇ କହିଲା ହୁମାୟୁନ୍‍ ।

 

ଅସୀମା ପଛଆଡ଼ୁ କହିଲା - ‘ଭାଇ ! କେତେବେଳୁ ଆସିଲଣି, ମୁହଁ ହାତ ଧୁଅ । ରାତି କେତେ ହେଲାଣି ଜାଣିଛ ?’

 

ସେ ହାତଘଡ଼ିକୁ ଚାହିଁ କହିଲା - ‘ଆରେ ସତେତ ସାଢ଼େ ଦଶଟା... ’

 

ତଥାପି ଆଉ କିଛି ସମୟ ବାପାଙ୍କୁ ଅପେକ୍ଷା କଲେ । ତାଙ୍କର ଆହୁରି ଡେରି ହେଉଥିବା ଦେଖି ଭାଇଭଉଣୀ ଖାଇବସିଲେ । ସୁରେୟା ସେମାନଙ୍କୁ ବାଢ଼ିଦେଇ ପୋର୍ଟିକୋରେ ଗାଡ଼ି ରହିବା ଶବ୍ଦ ଶୁଣି ଆଗେଇଗଲେ କବାଟ ଖୋଲିବାପାଇଁ ।

 

- କବାବରୁ ଖଣ୍ଡେ ପାଟିରେ ପୂରାଇ କହିଲା ହୁମାୟୁନ୍‍ - ‘ଆଜି ମାଉସୀ କ’ଣ କହିଲେ ବାନୁ...’

 

- ‘ଗପିଲେ.... ଫାଦର୍‍ଙ୍କ ସହିତ ପରିଚୟ କରାଇଦେଲେ । ଫାଦର୍‍ ଆବ୍ରାହମ୍‌ ଭାରି ସ୍ନେହୀ, ଭାରି ଭଲ ମଣିଷ ଭାଇ ।’

 

- ‘ତୋତେ କାହିଁକି ଡାକିଥିଲେ ଜାଣୁ ?’

 

- ‘ନା... ।’ କିନ୍ତୁ ତା’ ପ୍ରଶ୍ନ ଶୁଣି ଅସୀମାର ମୁହଁ ଯେ ଲାଲ ହୋଇଯାଇଥିଲା ତାହା ଦେଖିବାକୁ ବାକି ନ ଥିଲା ହୁମାୟୁନ୍‍ର ।

 

- ‘ତୋର ମତ କ’ଣ ? ଡୁ ୟୁ ଲାଇକ୍‌ ସତ୍ୟକାମ ?’

 

ପଚାରି ଦେଇ ତା’ ମୁହଁକୁ ଅନାଇ ରହିଲେ ହୁମାୟୁନ୍‍ । ଅସୀମା ଉତ୍ତର ଦବା ପୂର୍ବରୁ ଘର ଭିତରକୁ ପଶି ଆସି କହିଲେ ଜାଫର ସାହେବ - ‘ତମେ ସମସ୍ତେ ଖାଇନିଅ । ମୁଁ ଖାଇ ଆସିଛି ।’

 

ତାଙ୍କ ମୁହଁକୁ ଚାହିଁ ଆଶ୍ଚର୍ଯ୍ୟ ହୋଇଗଲା ହୁମାୟୁନ୍‍ । ଯେଉଁ ଅଖ୍‍ତାର ସାହେବ ନାମ ଶୁଣିଲେ ସେ ନାଗ ସାପ ପରି ଫଁ ଫଁ ହୁଅନ୍ତି ଆଜି ତାଙ୍କରି ନିମନ୍ତ୍ରଣ ରକ୍ଷାକରି ରାତ୍ରିଭୋଜନ କଲେ ତାଙ୍କ ସହିତ । ଏ ବିଷୟକୁ ସେ ସହଜ ମନରେ ଗ୍ରହଣ କରିପାରିଲା ନାହିଁ ।

 

କାଳେ ଅଧିକ କଥା ଆଗେଇଲେ ଯୁକ୍ତିତର୍କ ଉପରକୁ ବାପ ପୁଅ ଆସିଯିବେ ସେଥିପାଇଁ ସୁରେୟା କହିଲେ- ‘ରାତି ହେଲାଣି ତମେ ଦୁହେଁ ଖାଇନିଅ... ମୁଁ ଆସୁଚି ।’

 

ସେ ସମସ୍ତଙ୍କୁ ଛାଡ଼ିଦେଇ ଭିତରକୁ ଚାଲିଗଲେ ।

 

॥ ସତର ॥

 

କ୍ୟାଲେଣ୍ଡର ପୃଷ୍ଠାରେ ସତ୍ୟକାମର ଜନ୍ମଦିନ ତାରିଖ ଚାରି ପାଖରେ ନାଲି ଗାର ଟାଣି ଦେଇଥିଲା ଅସୀମା, ଯେପରି ଚାହିଁଦେଲାକ୍ଷଣି ଦୃଷ୍ଟିରେ ପଡ଼ିବ । ସେଦିନ ଫାଦର୍‍ କହୁଥିବା-କଥାଟିଏ ମନେପଡ଼ିଲା - ‘‘ଇଫ୍‌ ୟୁ ଓାଣ୍ଟ୍‍ ଟୁ ବ୍ରିଙ୍ଗ୍ ସମ ଓ୍ୱାନ ନିଅର ଦେନ୍‌ ରିମେମ୍ବର୍‌ ହିମ୍‌ ଅନ୍‌ ହିଜ୍‌ ବର୍ଥ ଡେ ।’’ ଯଦି ତୁମେ କାହା ନିକଟତର ହେବାକୁ ଚାହଁ ତେବେ ତାଙ୍କୁ ତାଙ୍କ ଜନ୍ଜଦିନରେ ମନେପକାଅ ।

 

ଆଜି ଶୁଭ ଶୁକ୍ରବାର । ଚଉଦ ନଭେମ୍ବର । ଘଣ୍ଟାରେ ବାଜିଛି ଆଠଟା । ଆଉ ବିଳମ୍ବ ନ କରି ରିସିଭର୍‌ଟା ଉଠାଇ ଦେଇ ଡାଏଲ୍‌ କଲା ଅସୀମା । ସେ ପାଖରୁ ଭାସି ଆସିଲା ସେଇ ପରିଚିତ ମଧୁର ସ୍ଵର – ‘ଗୁଡ଼ମର୍ଣ୍ଣିଂ... ସତ୍ୟକାମ କହୁଛି...’

 

ପ୍ରଥମେ କ’ଣ କହିବ ସ୍ଥିର କରିପାରିଲା ନାହିଁ ଅସୀମା । କିନ୍ତୁ କେଇ ମୁହୂର୍ତ୍ତ ମଧ୍ୟରେ ନିଜକୁ ସଜାଡ଼ି ନେଇ କହିଲା ସେ - ‘‘ଗୁଡ୍‌ମର୍ଣ୍ଣିଂ ଭାଇ... ହ୍ୟାପି ବର୍ଥ ଡେ ଟୁ ୟୁ... ଆମର ଶତ ଶତ ଶୁଭେଚ୍ଛା... ତୁମେ ଫୁଲ ପରି ଫୁଟିଥାଅ...।”

 

ସତ୍ୟକାମ ପଲ୍ଲବିତ ହୋଇଗଲା ବସନ୍ତର ରୋମାଞ୍ଚ ଲାଗିଲେ ଶାଖା ପ୍ରଶାଖାରେ ନୂଆ ପତ୍ର କଅଁଳିବା ପରି ।

 

- ‘‘ଧନ୍ୟବାଦ ଅସୀମା... ତମେ କିପରି ଅଛ... ତମ ରେଜଲ୍ଟ ତ ବାହାରି ଯାଇଛି । କ’ଣ କରିବ ଠିକ୍‌ କଲ ?”

 

- ‘‘ଏଯାଏ କିଛି ଠିକ୍‌ ହେଇନି ଭାଇ... ମୁଁ ଚାହେଁ ଭାଇ ପରି ଜର୍ଣ୍ଣାଲିଷ୍ଟ ହେବା ପାଇଁ... ମା’ କହନ୍ତି ସିଭିଲ ସର୍ଭିସ୍‌ପାଇଁ ପ୍ରିପେୟାର କରିବାପାଇଁ... ବାପାଙ୍କ ଇଚ୍ଛା ଏମ୍‌ଫିଲ୍‌ କରେ... ତା’ପରେ ପିଏଚ୍‌.ଡି...”

 

- ‘‘ତମର ପ୍ରିଫରେନ୍‍ସ କ’ଣ ?’’

 

- ‘‘ସାମ୍ବାଦିକତା...”

 

- ‘‘ଆଜିକାଲି ତ ଅନେକ ଝିଅ ଆସିଲେଣି ଏ ଲାଇନ୍‌କୁ ।”

 

- “ତମେ କ’ଣ ଭାବୁଛ ?’’

 

- ‘‘ମୋ ଲାଇନ୍‌କୁ ଆସ... ସାଙ୍ଗ ହୋଇ କାମ କରିବା...”

 

- ‘‘ତମ କଥା ରହିବ... ଆଉଥରେ ଜନ୍ନଦିନର ଅଭିନନ୍ଦନ...”

 

- ‘‘ସନ୍ଧ୍ୟାବେଳେ ମେରିନାରେ ପାର୍ଟି... ଆସିବ ନିଶ୍ଚୟ...”

 

- ‘‘ଭାଇ ସାଙ୍ଗରେ ଯିବି...’’

 

- ‘‘ବାୟ’’

 

ବାହାରେ ଟୁପୁ ଟୁପୁ ବର୍ଷା ପଡ଼ୁଥିଲା ।

 

ତାକୁ ଭାରି ହାଲୁକା ଲାଗୁଥିଲା । ମଥା ଉପରେ ବର୍ଷା ପଡ଼ିଲେ ସେ ଭାବେ ଯେ ଦେବତାମାନେ ତାକୁ ଆଶୀର୍ବାଦ କରୁଛନ୍ତି... । ମନେପଡ଼ିଗଲା, ମହାକବିଙ୍କ ପଦୁଟିଏ... ‘ମୁଚ୍ୟନ୍ତି ମେଘା କୁସୁମଞ୍ଚ ବୃଷ୍ଟି...।’ ମେଘମାନେ ସତରେ ପୁଷ୍ପ ବୃଷ୍ଟି ତ କରନ୍ତି । ଆଜି ତା’ର ଜନ୍ମଦିନ.... ଏ ପୃଥିବୀରେ କୋଟି କୋଟି ପ୍ରାଣୀ ପ୍ରତିଦିନ ଜନ୍ମଗ୍ରହଣ କରନ୍ତି, ପ୍ରତିଦିନ ମରନ୍ତି । ତଥାପି ଏସବୁ ଦେଖି ବି ମଣିଷ ଭାବେ ଯେ ସେ ଅମର... । ପ୍ରଶ୍ନର ଉତ୍ତର ଦେଇ ଯକ୍ଷକୁ କହିଥିଲେ ଯୁଧିଷ୍ଠିର - ଏହାସତ୍ତ୍ୱେ ମଣିଷ ଭାବେ ଯେ ସେ ଅମର... । ସେ କିନ୍ତୁ ଅମର ହେବାକୁ ଇଚ୍ଛା କରିନି କେବେ, ବରଂ ଇଚ୍ଛା କରିଛି ବୃକ୍ଷଟିଏ ପରି ହେବାପାଇଁ । କେବଳ ଦେଇଯିବ ଆଞ୍ଜୁଳା ଭରି ବୃକ୍ଷ ଯେପରି ଦେଇଯାଏ ଛାଇ, ପତ୍ର, ଫୁଲ, ଫଳ, କାଠ...। ନିଜକୁ ସମର୍ପି ଦେବାରେ ତା’ର ଆନନ୍ଦ । ନଦୀପରି ସେ ବହି ଯିବାକୁ ଚାହେଁ... ସେଇ ପାଣି ପଶୁପକ୍ଷୀ ମଣିଷ ପିଇବେ... ସେଇ ପାଣିରୁ ରସ ଟାଣି ଗଛମାନେ ପଲ୍ଲବିତ ହେବେ... ଶସ୍ୟଶ୍ୟାମଳ ହେବ ଧରଣୀ... ସେଇ ନଦୀକୂଳେ ଗଢ଼ିଉଠିବ ଜନବସତି... ।

 

ହଠାତ୍‌ ଚମକି ପଡ଼ିବା ପରି କାନ ଡେରିଲା କାହାର ସ୍ଵର ଶୁଣି । କେହି ଯେପରି ତାକୁ ପଚାରୁଥିଲା ସତ୍ୟକାମ, ତମେ ପଚିଶ ବର୍ଷ ଅତିକ୍ରମ କରିବ ଆଜି, କିନ୍ତୁ ଦନେ ହେଲେ କହିଲ ନାଇଁ ତ କିଏ ତମର ପିତା... କେଉଁଠି ତମର ଠିକଣା... ତମର ବଂଶଲତା... ।

 

ବାହାରେ ବର୍ଷାର ଟୁପ୍‌ଟାପ୍‌ ଶବ୍ଦ ।

 

ମଥା ଉପରେ ସାୱାର ବନ୍ଦ ହୋଇଯାଇଥିଲା ସେତେବେଳକୁ । ଦେବତାମାନେ କ’ଣ ସେଇ ପ୍ରଶ୍ନ ପଚାରୁଥିଲେ ନା କୌଣସି ଦାନବ ? କିଏ ସେ ?

 

ଭାବିବାକ୍ଷଣି ଶୀତଳ ସ୍ନିଗ୍ଧ ହୋଇଆସୁଥିବା ଶରୀର ଭିତରୁ ଅଗ୍ନି ଉଦ୍‌ଗୀରଣ ହେବାପରି ଲାଗିଲା ତାକୁ... ଯେମିତି ଭୂଇଁ ଫଟାଇ ଶହ ଶହ ଫୁଟ ମାଟିର ସର ଭେଦ କରି ଲାଭା ଉଦ୍‌ଗୀରଣ କରେ ଆଗ୍ନେୟଗିରି... । ଯନ୍ତ୍ରଣାକାତର ଦେହଟାକୁ କୌଣସି ପ୍ରକାର ଟାଣି ନେଇ ସେ କୋଠରି ଭିତରକୁ ପଶିଗଲା ଏବଂ ଭିତରପଟୁ କବାଟ କିଳିଦେଲା ।

 

ପ୍ରାର୍ଥନାର ସମୟ ହେଲାଣି... ଫାଦର୍‍ ଅପେକ୍ଷା କରିଛନ୍ତି ବସିବା ଘରେ । ସେ ଆସିଲେ ତାକୁ ଆଶୀର୍ବାଦ କରିବେ... । ହୁମାୟୁନ୍‍, ଅର୍କ ବି ଆସିଛନ୍ତି ଫୁଲ ତୋଡ଼ା ନେଇ... । ସକାଳେ ଟେଲିଫୋନ କରି ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ ମୁକ୍ତେଶ୍ଵର ।

 

ଏତେ ବିଳମ୍ବ ଦେଖି ଦ୍ଵାର ମୁହଁକୁ ଯାଇ କହିଲେ ଶ୍ରୀମୟୀ - ‘ସତ୍ୟ ! ସାରିଲୁଣି କ... ? ସମସ୍ତେ ତୋତେ ଅପେକ୍ଷା କରୁଛନ୍ତି... ।’

 

ସତ୍ୟର ହୋସ ଫେରିଆସିଲା । ସେ ବାସ୍ତବ ଜଗତକୁ ଫେରିଆସିଲା ପୁଣି । ମୁହାଁମୁହିଁ ହେବାକୁ ପଡ଼ିବ ସତ୍ୟ ସହିତ, ବାସ୍ତବତା ସହିତ । ହଟିଗଲେ ଲୋକମାନେ କହିବେ ଭୀରୁ କାପୁରୁଷ... ଏଇ ସାମାନ୍ୟ କଥା ଶୁଣି ଅଟକିଗଲୁ... ? ବାପର ପରିଚୟ ନ ଥାଉ, ମା’ର ପରିଚୟ ନେଇ ସାବ୍ୟସ୍ତ କର ଆତ୍ମପରିଚୟ... ମନେ ପକା କର୍ଣ୍ଣଙ୍କ ବାଣୀ - ମୁଁ କାହାର ପୁତ୍ର ସେଇଟା ମୋ ପରିଚୟ ନୁହେଁ... ପୌରୁଷ ମୋର ଅଧୀନରେ । ପୌରୁଷର ପରାକ୍ରମଦ୍ୱାରା ମୁଁ ପ୍ରମାଣ କରିବି ମୋ ପରିଚୟ... ।

 

ଟିକେ ପରେ ସେ କବାଟ ଖୋଲିଲା । ଶ୍ରୀମୟୀଙ୍କ ପାଦଧୂଳି ନବାପାଇଁ ସେ ନଇଁପଡ଼ୁଥିବାବେଳେ ତାକୁ ଛାତି ଉପରେ ଜାକି ରଖି ଆଶୀର୍ବାଦ ଅଜାଡ଼ି ଦେଲେ ସେ... ।

 

ସ୍ଵର୍ଗଠାରୁ ବଡ଼ ଏଇ ମା’ । ମା’ ସ୍ତନରୁ ଦୁଧ ଖାଇ ସେ ବଡ଼ ହୋଇଛି... ଡର କାହାକୁ ? ଲଜ୍ଜା କ’ଣ ? ଭୀରୁତା କାହିଁକି ?

 

ତା’ର ଫୁଲା ଫୁଲା ଆଖି ଦେଖି କହିଲେ ଶ୍ରୀମୟୀ - ‘କ’ଣ କରୁଥିଲୁ ଭିତରେ ? ତୋ ଆଖିର ଅସ୍ପଷ୍ଟତା ସବୁ ଧୋଇ ହୋଇଗଲା ସ୍ନାନ ଘରେ ?’

 

ସତ୍ୟକାମ ମୁହଁ ଉପରେ ଖେଳିଗଲା ମ୍ଳାନ ହସର ସରୁ ରେଖାଟିଏ । କିନ୍ତୁ ପର ମୁହୂର୍ତ୍ତରେ ସେ ମା’ଙ୍କ ମୁହଁରେ ହସ ଫୁଟାଇବାପାଇଁ କହିଲା - ‘ତମେ ମୋର ଗର୍ବ ମା’... ମୋର ଗୌରବ... ତମେ ଆଶୀର୍ବାଦ କରୁଥାଅ... ଦେଖିବ ମୁଁ ଗୋଟିକ ପରେ ଗୋଟିଏ ରଣକ୍ଷେତ୍ରରେ ବିଜୟୀ ହୋଇ ବୀରପରି ଚାଲିଥିବି ଆଗକୁ... ଆଗକୁ... ।’

 

ଫାଦର୍‍ ଅପେକ୍ଷା କରିଥିଲେ । ସତ୍ୟ ତାଙ୍କ ପାଦଧୂଳି ନବାକ୍ଷଣି ସେ ତା’ ମଥା ଆଉଁସି ଦେଇ କହିଲେ- ‘ଗଡ଼ ବ୍ଲେସ୍‌ ୟୁ ମାଇଁ ସନ୍‌... ତୋତେ ଯଶ ଦିଅନ୍ତୁ, ଶକ୍ତି ଦିଅନ୍ତୁ... ଭଲ ମଣିଷ କରନ୍ତୁ... ନିଜପାଇଁ ନୁହଁ ପରପାଇଁ ବଞ୍ଚିବା ଲାଗି ତୋ କାନ୍ଧରେ ବଳ ହେଉ... ।’

 

ଫାଦର୍‍ଙ୍କ ହାତରୁ ଗୋଟିଏ ଅଧାଫୁଟା ଗୋଲାପ କଢ଼ି ନେଇ କୃତଜ୍ଞ ହେଲା ସତ୍ୟକାମ-

 

ଆଗେଇ ଆସିଲେ ହୁମାୟୁନ୍‍, ଅର୍କ...

 

ହୁମାୟୁନ୍‍ ହାତରେ ଥିଲା ରଜନୀଗନ୍ଧାର ସ୍ତବକ... ଆଉ ଅର୍କ ଆଣିଥିଲା ଅନେକ ରଙ୍ଗର ଫୁଲ ଥିବା ସ୍ତବକଟିଏ... ।

 

ସମସ୍ତଙ୍କପାଇଁ ପ୍ରାତଃଭୋଜନର ବ୍ୟବସ୍ଥା କରିଥିଲେ ଶ୍ରୀମୟୀ । ପୋଡ଼ପିଠା, ନଡ଼ିଆ ଚଟଣି, ପୁରକାକରା ଏବଂ ଗଜାମୁଗ ସାଲାଡ଼ ।

 

କଥା ପ୍ରସଙ୍ଗରେ ଫାଦର୍‍ କହିଲେ ହୁମାୟୁନ୍‍କୁ ଅସୀମା କଥା । ତା’ ସହିତ ଦେଖା ହୋଇଥିଲା ତାଙ୍କର ଏଇ ଘରେ ଶ୍ରୀମୟୀଙ୍କ ଉପସ୍ଥିତିରେ । ଅସୀମାର ପ୍ରଶଂସା କରି କହିଲେ ଫାଦର୍‍, ‘ସେ କ’ଣ କରିବ ତା’ ଉପରେ ଛାଡ଼ିଦିଅ... ଆଜିକାଲି ତ ଝିଅମାନେ ଅମଡ଼ା ବାଟରେ ଚାଲିବାପାଇଁ ବେଶି ଉତ୍ସାହ ଦେଖାଉଛନ୍ତି । ସେମାନଙ୍କପାଇଁ ନୂଆବାଟ ତିଆରି ହେବ ଏଇ ଆଶାରେ । ସେନାବାହିନୀରେ, ନୌ ଏବଂ ବାୟୁସେନାରେ ଯୋଗଦବାପାଇଁ. ସୁଯୋଗ ଅଛି, ଯଦି କିଏ ସାମ୍ବାଦିକ ବା ଆଉ କେହି ମାର୍କେଟିଂ ମ୍ୟାନେଜର ହୁଏ ତେବେ ଆପତ୍ତି କ’ଣ ? ଏ ବିଗ୍‌ ଓ୍ୱାଇଡ଼୍‌ ଓ୍ୱାର୍ଲଡ଼ ଇଜ୍‌ ଓ୍ୱେଟିଂ ଫର୍‌ ଦେମ୍‌.... ଗୋଟିଏ ବିରାଟ ବିସ୍ତୃତ ପୃଥିବୀ ସେମାନଙ୍କୁ ଅପେକ୍ଷା କରୁଛି... । ସେମାନଙ୍କୁ ଆଗକୁ ଯିବାକୁ ଦିଅ... ।’

 

ହୁମାୟୁନ୍‍ କହିଲା, ‘ଆପଣଙ୍କ ସହିତ ମୁଁ ସହମତ ଫାଦର୍‍ । ପାଠପଢ଼ି ଝିଅମାନେ ଅନେକ ଦେଖିଲେଣି... ଅନେକ ଶିଖିଲେଣି... ଡର ଭୟ କାହିଁକି ?’

 

ଶ୍ରୀମୟୀ କହିଲେ, ‘ସେ ଯାହା କରିବ କରୁ.... ଆଜି ସେ ଭଲ ଝିଅଟିଏ ଅଛି, ହୁଏତ ଆସନ୍ତାବର୍ଷ ଭଲ ଶିକ୍ଷକ ବା ସାମ୍ବାଦିକ ହେବ... ତା’ ପରେ ବଧୂ ହେବ କି ମୁକ୍ତିର ଅନ୍ଵେଷଣ କରିବ ସେ ସମୟ କହିବ... ।’

ହୁମାୟୁନ୍‍ ସହିତ କେତେପଦ କଥା କହି ଫାଦର୍‍ ଜାଣିଗଲେ ଯେ ସେମାନେ କଠୋରପନ୍ଥୀ ନୁହଁନ୍ତି । ସୁରେୟା ବିବି ତ ଆଧୁନିକା ଏବଂ ଉଦାରପନ୍ଥୀ । ଝିଅ, ପୁଅଙ୍କ ଉପରେ ତାଙ୍କର ପ୍ରଭାବ ବେଶି ପଡ଼ିଛି । ଜାଫର ସାହେବଙ୍କ ବୟସ ବଢ଼ୁଚି ଯେତିକି ସେ ରକ୍ଷଣଶୀଳ ହେଉଛନ୍ତି ସେତିକି ।

ଜନ୍ମଦିନ ପାଇଁ ଛୁଟି ନେଇ ନ ଥିଲା ସତ୍ୟକାମ । ଆରାମ୍‌ ହରାମ୍‌ ହୈ । କାମ ଅନେକ ଅଛି ସାରିବାପାଇଁ । ଅଡ଼ୁଆ ସୂତାରୁ ଖିଅ ବାହାର କରି ଗଣ୍ଠି ଫିଟାଇବା କାମ ବାକି ପଡ଼ିଛି । ସେ ହୁମାୟୁନ୍‍ ଓ ଅର୍କ ସହିତ ଅଫିସ୍‌ ବାହାରିଗଲା - ମା’ଙ୍କୁ ଏତିକି କହିଲା ଯେ ପାଞ୍ଚଟା ସୁଦ୍ଧା ଫେରି ଆସିବ । ବାର୍ଥଡ଼େ ପାର୍ଟି ତ ସନ୍ଧ୍ୟା ସାତଟାରେ... । ଅର୍କ କିନ୍ତୁ କହିଗଲା ଯେ ସେ ତିନିଟାବେଳକୁ ଆସିବ, ଆଉ ଯାହା ବାକି ଅଛି ସେସବୁ ସାତଟା ଆଗରୁ ସାରିବା ଦାୟିତ୍ୱ ତା’ର ।

ସେମାନେ ଫାଟକ ପାରି ହେବା ଆଗରୁ ଗୋଟିଏ ଟ୍ୟାକ୍ସି ଆସି ଛିଡ଼ା ହେଲା ଘର ଆଗରେ । ଜଣେ ଯୁବକ ହାତରେ ଗୋଟେ ବଡ଼ ପୁଷ୍ପସ୍ତବକ ଓ ଗୋଟେ ପ୍ୟାକେଟ୍‌ ନେଇ ଓହ୍ଲାଇ ପଡ଼ିଲେ ।

ସେ କହିଲେ ‘ଏସବୁ ଏଠାରେ ଦେଇଯିବାପାଇଁ ମୋତେ ଆଦେଶ ମିଳିଛି ।’

- ‘କିନ୍ତୁ କିଏ ପଠାଇଛି ଏସବୁ, କେଉଁଠୁ ଆସିଛି ?’ ପଚାରିଲା ହୁମାୟୁନ୍‌।

- ‘ଓ୍ୱେଲ୍‌ଉଇସର୍‌ ଜଣେ ଦିଲ୍ଲୀରୁ ହୋଟେଲ ଦୟାକୁ ବାର୍ତ୍ତା ପଠାଇଥିଲେ ସତ୍ୟକାମବାବୁଙ୍କ ଜନ୍ମଦିନରେ ପୁଷ୍ପସ୍ତବକ, ଆଉ କେକ୍‌ ଏଇ ଠିକଣାରେ ଡେଲିଭରି ଦବାପାଇଁ...-।’

ସତ୍ୟକୁ ହୁମାୟୁନ୍‌ କହିଲା - ‘ଦିଲ୍ଲୀରୁ ତୁମର କେହି ଶୁଭଚିନ୍ତକ ପଠାଇଛନ୍ତି... ମୁଁ ଘରେ ରଖିଦେଇ ଆସେ... ୟାଙ୍କୁ ଯଦି କିଛି ମେସେଜ୍‌ ଦବ କହିଦିଅ... ।’

ସତ୍ୟକାମ କହିଲା ଆଗନ୍ତୁକଙ୍କୁ - ‘ଥ୍ୟାଙ୍କ୍ ୟୁ... ଯେଉଁଠୁ ବାର୍ତ୍ତା ଆସିଛି ତାଙ୍କୁ ଆମର ଧନ୍ୟବାଦ୍‌ ଜଣାଇଦେବ ।’

‘କିନ୍ତୁ କିଏ ପଠାଇଛି, ତାହା ଜାଣିନବା ଭଲ । ଠିକଣା ଥିବ କୋଉଠି, ଦେଖିନିଅ ।’ କହିଲେ ଫାଦର୍‍ ।

ସତ୍ୟକାମ କହିଲା ‘ସତେ ତ କିଏ ପଠାଇଛି, ଠିକଣା କ’ଣ ଜାଣିବା ନିହାତି ଜରୁରୀ’ । କିନ୍ତୁ ସେତେବେଳକୁ ‘ହୋଟେଲ ଦୟା’ରୁ ଯିଏ ଆସିଥିଲେ ସେ ଦିଶୁ ନ ଥିଲେ ପାଖରେ... ।

ସେତେବେଳକୁ ଆଗନ୍ତୁକ ମୋଟର ସାଇକେଲରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ସେଠାରୁ ।

ହୁମାୟୁନ୍‍ ତନ୍ନ ତନ୍ନ କରି ଆଣିଥିବା ପ୍ୟାକେଟ୍‌ ଓ ଫୁଲତୋଡ଼ା ନିରୀକ୍ଷଣ କଲା, କିନ୍ତୁ କୌଣସି କାର୍ଡ଼ ବା ‘ମେସେଜ୍‌’ ନ ଥିଲା ସେଥିରେ । ସେମାନେ ଅଗତ୍ୟା ଧରିନେଲେ ଯେ ହୁଏତ କୌଣସି ହିତୈଷୀ ଏହା ପଠାଇଥିବ ଏବଂ ମେସେଜ୍‌ କାର୍ଡ଼ ଦବାପାଇଁ ଭୁଲିଯାଇଥିବ ।

ସମସ୍ତେ ଏକଥା ଭୁଲିଗଲେ ସାଙ୍ଗେ ସାଙ୍ଗେ । କିନ୍ତୁ ସତ୍ୟକାମର ମନ ଭିତରେ କଥାଟା ରହିଗଲା । ସେ ଭାବିବାକୁ ଲାଗିଲା । କିଏ ଏ କାମ କରିଥିବ ତାହା ଜାଣିବା ନିହାତି ଜରୁରୀ । ତା’ ଜନ୍ମ ରହସ୍ୟ ପରି ଜନ୍ନଦିନର ଉପହାରଟା ବି ନ ହେଲେ ରହସ୍ୟ ହୋଇ ରହିଯିବ ।

 

ଏ ପୃଥିବୀରେ କେତେ ଶିଶୁ ପ୍ରତିଦିନ ଜନ୍ମ ହୁଅନ୍ତି । କେତେ ଜୀବନଦୀପ ବି ଲିଭିଯାଏ ପ୍ରତି ମୁହୂର୍ତ୍ତରେ । ଏହାର ହିସାବ କିଏ ରଖିଛି ? ସତ୍ୟକାମ ଜାଣେ ଯେ ଏଇ ଭୂଇଁ ଉପରେ ସେ ବି ଦିନେ ଜନ୍ମ ହୋଇଥିଲା । ସେତେବେଳେ ତା’ର ପରିଚୟ କଣ ଥିଲା ? କିନ୍ତୁ ଶ୍ରୀମୟୀ କେବଳ ମନେରଖିଛନ୍ତି ପୁଅର ଇତିବୃତ୍ତ । କୁନ୍ତୀ ପାଞ୍ଚ ପୁତ୍ରଙ୍କୁ ପାଇଥିଲେ ଜଣେ ଜଣେ ଶକ୍ତିଧର ଦେବତାଙ୍କୁ ଚିନ୍ତା କରିବାକ୍ଷଣି । କିନ୍ତୁ ସେଇକଥା ସେ ଆଉ କାହାକୁ କହିପାରି ନ ଥିଲେ ଅନେକ ଦିନ ପର୍ଯ୍ୟନ୍ତ । କେବଳ ଭଗବାନ୍‌ ଶ୍ରୀକୃଷ୍ଣ ଜାଣିଥିଲେ ପଞ୍ଚ ପାଣ୍ଡବଙ୍କ ପିତା କିଏ, କର୍ଣ୍ଣଙ୍କ ପିତା କିଏ ! ଶ୍ରୀମୟୀ ଏବେବି ଅସ୍ପଷ୍ଟ କିଏ ସେଇ କାଳସନ୍ଧ୍ୟାରେ ତାଙ୍କ ଜୀବନର ଶ୍ରେଷ୍ଠ ଏଶ୍ଵର୍ଯ୍ୟ ହରଣ କରିନେଇ ଛାଡ଼ି ଚାଲିଗଲା ଏଇ ସନ୍ତାନ । ଶ୍ରୀମୟୀଙ୍କ ମନରେ ଯେ ଏ ପ୍ରଶ୍ନ କେବେ ଉଠିନି ତାହା ନୁହେଁ, କିନ୍ତୁ ସେକଥା ମନେପଡ଼ିଲେ ସେ ଚାହୁଁଥିଲେ ଅନ୍ୟ ପ୍ରସଙ୍ଗକୁ ଯିବାପାଇଁ । ତାଙ୍କର ଆଦୌ ଇଚ୍ଛା ହେଉ ନ ଥିଲା ଏ ବିଷୟରେ ଅଧିକ ଜାଣିବାପାଇଁ ।

 

ଯେତେବେଳେ ପୁଅ ସାମ୍ବାଦିକ ହେଲା ସେତେବେଳେ ସେ ଆଦୌ ଜାଣି ନ ଥିଲେ ଯେ ଦିନେ ହୁଏତ ସତ୍ୟର ଅନ୍ଵେଷଣ କରିବାକୁ ଯାଇ ପୁଅ ଝୁଣ୍ଟିପଡ଼ିବ ମିଥ୍ୟା, ଛଳନା, ଅପରାଧର ପାହାଡ଼ ଆଗରେ । ସେଇ ପାହାଡ଼ ଡେଇଁବା ଏତେ ସହଜସାଧ ନ ଥିଲା ତା’ ପାଖରେ । ତଥାପି ପାହାଡ଼ ପାଖରୁ ଫେରି ନ ଆସି, ପାହାଡ଼ ଉପରେ ଓ ସେପାଖରେ ଥିବା ଜୀବଜନ୍ତୁ ସରୀସୃପ ଗଛଲତାମାନଙ୍କୁ ଥରେ ଦେଖିନବାପାଇଁ, ସତ୍ୟାନ୍ଵେଷୀର ଉତ୍କଣ୍ଠା ହୁଏ । ସେଇ ଉତ୍କଣ୍ଠା ସତ୍ୟକାମର ବି ହୋଇଥଲା ତା’ ଜନ୍ମ ରହସ୍ୟ ଜାଣିବାପାଇଁ । କେତେଗୁଡ଼ାଏ ଖିଅର ଗଣ୍ଠି ଖୋଲିବାକୁ ଯାଇ ଏପରି ଗୋଟେ ଜାଗାରେ ସେ ହାବୁଡ଼ି ପଡ଼ିଲା ଯାହା ତାକୁ ଚମକାଇ ଦେଲା ।

ସତ୍ୟ ଜାଣିବା, ସତ୍ୟର ମୁହାଁମୁହିଁ ହେବା ସବୁବେଳେ ପ୍ରୀତିକର ହୁଏ ନାହିଁ । ସେଥିପାଇଁ କୁହାଯାଇଛି ଯେ ‘ସତ୍ୟମ୍‌ ବୃୟାତ୍‌, ପ୍ରିୟମ୍‌ ବୃୟାତ, ମା’ ବୃୟାତ୍‌ ସତ୍ୟମ୍‌ ଅପ୍ରିୟମ୍‌।’ ସତ୍ୟ କହିବ, ପ୍ରିୟ କଥା କହିବ, କିନ୍ତୁ ଅପ୍ରିୟ ସତ୍ୟ କହିବ ନାହିଁ । କିନ୍ତୁ ସାମ୍ବାଦିକକୁ ବେଳେ ବେଳେ ଅପ୍ରିୟ ସତ୍ୟକଥା କହିବାକୁ ହୁଏ । ସତ କହିବା ତା’ର ଧର୍ମ, ସତ୍ୟହିଁ ଶୁଦ୍ଧ... ।

ସେ ବାଟବଣା ପଥିକ ପରି ହଜିଯାଇଥିଲା ନିଜ ଭିତରେ ।

ଫାଦର୍‍ କହିଲେ, ‘କ’ଣ ଭାବୁଛ ଏତେ... କେହି ଜଣେ ଶୁଭକାମନା ଜଣାଇଛି ଜନ୍ମଦିନରେ... ତାକୁ ଆନ୍ତରିକ ଧନ୍ୟବାଦ ଦିଅ । ସେ କିଏ, କାହିଁକି ଶୁଭକାମନା ଜଣାଇଛି ଏସବୁ ଥାଉ ବର୍ତ୍ତମାନ...।

ହୁମାୟୁନ୍‌ କହିଲା, ‘ଆପଣ ଆମ୍ଭମାନଙ୍କ ପଥପ୍ରଦର୍ଶକ ଫାଦର୍‍... । ଶୁଭଦିନର ମଧୁରତାକୁ ତିକ୍ତ କରିବା ଉଚିତ ହେବ ନାହିଁ । ଉପର ଓଳି ତ ବନ୍ଧୁମାନେ ଆସିବେ । କୋଳାହଳରେ ଭରିଯିବ ପ୍ରାଙ୍ଗଣ... ।’

ଶ୍ରୀମୟୀ ଶୁଣୁଥିଲେ, ଏପର୍ଯ୍ୟନ୍ତ ପଦଟିଏ ବି କହି ନ ଥିଲେ । କିନ୍ତୁ ସେ ବି ମନେ ମନେ କ’ଣ ଅଣ୍ଡାଳୁ ଥିଲେ ମନର ନିଭୃତ କୋଣରେ । ହୁଏତ ସେଇ ଠିକଣାଟା ମିଳିଯିବ । ତାହା ଜାଣିବାରେ ମଧୁରତା ବା ଆଗ୍ରହ ଆଉ ନାହିଁ । ବରଂ ତାହାହିଁ ହେବ ତାଙ୍କ ଜୀବନର ତିକ୍ତତମ ମୁହୂର୍ତ୍ତ । ଆଜି ପରି ଶୁଭଦିନରେ ତିକ୍ତ ନୁହେଁ, ମଧୁର ଅନୁଭୂତି ସଞ୍ଚୟ କରିବାପାଇଁ ଚାହାଁନ୍ତି ସେ...-

 

ଜଣେ କେହି ଫୋନ୍‌ କଲେ । ରିସିଭର୍‌ଟା ଉଠାଇନେଲେ ଶ୍ରୀମୟୀ ।

 

ସେ ପାଖରୁ କାହାର କଣ୍ଠସ୍ଵର ଭାସିଆସିଲା, ‘ଅନେକ ଅନେକ ଶୁଭେଚ୍ଛା ସତ୍ୟକାମ... ଶତ୍ରୁ ବୋଲି ଭାବ ନାହିଁ, ଆମେ ତମର ମିତ୍ରପକ୍ଷ... ଶୁଭଚିନ୍ତକ...’ ଏପାଖରୁ କିଛି କହିବା ଆଗରୁ ଲାଇନ୍‌ କଟିଗଲା ।

 

Unknown

॥ ଅଠର ॥

 

ସତ୍ୟକାମର ନିରାପତ୍ତା ଜଗିବାପାଇଁ ଜଣେ ସାଦା ପୋଷାକଧାରୀ ପୁଲିସ୍‌ ରହିଛି । ସତ୍ୟକାମ ମନା କରୁଥିଲା, କିନ୍ତୁ ପୁଲିସ୍‌ ପଦାଧିକାରୀମାନେ ତାକୁ ବୁଝାଇବା ପରେ ସେ ବାଧ୍ୟ ହେଲା ହଁ କରିବାପାଇଁ । ସାମ୍ବାଦିକ ଜନସାଧାରଣଙ୍କ ମୁଖପାତ୍ର । ସେ ଯଦି ପୁଲିସ୍‌ ବ୍ୟୂହ ଭିତରେ ରହେ ତେବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଘ୍ନ ସୃଷ୍ଟି ହେବ । ଶ୍ରୀମୟୀ ଓ ଫାଦର୍‍ ଆବ୍ରାହମ୍‍ ବି ତାକୁ ପରାମର୍ଶ ଦେଲେ ପୁଲିସ୍‍ ସାହାଯ୍ୟ ଗ୍ରହଣପାଇଁ । ଦିନକାଳ ଭଲ ନୁହେଁ । ଦେଶ ସ୍ଵାଧୀନ ହେବାର ଷାଠିଏ ବର୍ଷ ପୂରି ନାହିଁ, କିନ୍ତୁ କିଏ ଜାଣିଥିଲା ଯେ ଏଇ ଅଳ୍ପ କେତେବର୍ଷ ମଧ୍ୟରେ ଦେଶ ଅରାଜକତା ଆଡ଼କୁ ମୁହାଁଇବ । ଗଣତନ୍ତ୍ର ନାମରେ ଗୋଠତନ୍ତ୍ର ଶକ୍ତିଶାଳୀ ହେଉଛି-। ମତପ୍ରକାଶ କରିବାର ସ୍ଵାଧୀନତାର ଅପବ୍ୟବହାର କରାଯାଉଛି । ସାଧାରଣ ଜୀବନରୁ ଭଦ୍ରତା, ଶାଳୀନତା କ୍ରମଶଃ ଉଭେଇ ଯାଉଛି । ବିଧାନସଭା, ପାର୍ଲାମେଣ୍ଟ ପ୍ରଭୃତିରେ ହଟ୍ଟଗୋଳ, ହିଂସାକାଣ୍ଡ ବଢ଼ିବାରେ ଲାଗିଛି । ଆଲୋଚନାଦ୍ୱାରା ସମସ୍ୟାର ସମାଧାନ ନ କରି ପ୍ରତିପକ୍ଷକୁ ଜବତ୍‌ କରିବାପାଇଁ ଗୁଣ୍ଡା ନିଯୁକ୍ତ କରାଯାଉଛି । ଅସାମାଜିକ ଲୋକଙ୍କୁ ବ୍ୟବହାର କରି ପ୍ରତିଯୋଗୀମାନଙ୍କୁ ଅପହରଣ କରିବା ବା ନିପାତ କରିବାପାଇଁ ମନରେ କୁଣ୍ଠା ନାହିଁ । ଗଣତାନ୍ତ୍ରିକ ମୂଲ୍ୟବୋଧ ଅପାଙ୍‌କ୍ତେୟ ହୋଇଯାଇଛି ।

 

ଗୋଟିଏ ସୁନେଲି ସ୍ଵପ୍ନ ଦେଖୁଥିଲା ସତ୍ୟକାମ ଏ ଦେଶର ଭବିଷ୍ୟତ ସମ୍ପର୍କରେ । ଯଦି ଏପରି ଅବ୍ୟବସ୍ଥା ସବୁ କ୍ଷେତ୍ରରେ ଲାଗିରହେ ତେବେ ଦେଶର ବିକାଶ ଅପେକ୍ଷା ଗୋଷ୍ଠୀର ଓ ବ୍ୟକ୍ତିର ବିକାଶ ହେବ । ଭଲ ଓ ଭଦ୍ର ଲୋକମାନେ ସଂଗଠିତ ନୁହଁନ୍ତି, ତେଣୁ ସେମାନେ ନିର୍ଯାତନା ଭୋଗନ୍ତି । କିନ୍ତୁ ଅଭଦ୍ର, ଅସାମାଜିକ ଓ ଅପରାଧୀମାନଙ୍କ ଦଳ ଅଛି, ସଂଗଠନ ଅଛି । ସେମାନେ ସହର ଦଖଲ କରିନବା ପରେ ଏବେ ଗ୍ରାମ୍ୟଜୀବନକୁ କଳୁଷିତ କରିବାକୁ ଆରମ୍ଭ କରିଛନ୍ତି । ଶିକ୍ଷିତ, ସ୍ୱଚ୍ଛଳ ଓ ଉଚ୍ଚବର୍ଗର ଲୋକ ସଂଖ୍ୟାଲଘୁ । ସେଥିପାଇଁ ବୋଧେ ନ୍ୟସ୍ତସ୍ୱାର୍ଥୀମାନେ ଗଣତନ୍ତ୍ରରେ ଶକ୍ତି ହରାଇବା ଆଶଙ୍କା କରି ସଦା ଜାଗ୍ରତ ଅଛନ୍ତି ନିଜ ସାମ୍ରାଜ୍ୟର ସୁରକ୍ଷାପାଇଁ । ଅପରାଧୀମାନେ ସେମାନଙ୍କ ନିୟନ୍ତ୍ରଣରେ ।

 

ସେ ଜାଣେ ଯେ ସେ ଏକା ଏକା ଏସବୁର ପ୍ରତିକାର କରିପାରିବ ନାହିଁ କି ସମାଜର ଅଧୋଗତିକୁ ବନ୍ଦ କରିପାରିବ ନାହିଁ । କିନ୍ତୁ ତଥାପି ଚୁପ୍‌ହୋଇ ବସିରହିବା ଅର୍ଥ ଯେଉଁମାନେ ଖରାପ କାମ କରୁଛନ୍ତି ସେମାନଙ୍କୁ ସମର୍ଥନ କରିବା ପରି ହେବ । ଯିଏ ଆଉ ଜଣକୁ ହତ୍ୟାକରେ ଆଇନ ଆଗରେ ସେ ଦୋଷୀ, କିନ୍ତୁ ଯିଏ ଏଇ ଦୃଶ୍ୟ ନୀରବରେ ଦେଖିଯାଏ ସେ ମଧ୍ୟ ସେଇ ଦୋଷର ଅଂଶୀଦାର । ଅନ୍ୟାୟ, ଅପରାଧ ଘଟୁଛି । ଲୋକମାନେ ପ୍ରତିବାଦ ବା ପ୍ରତିରୋଧ କରୁନାହାଁନ୍ତି । ଯଦି ତାହା କରନ୍ତେ ତେବେ ମାଡ଼ ଖାଉଥିବା ନିରୀହ ଲୋକମାନେ ସାହସ କରନ୍ତେ ସଂଗଠିତ ହେବାପାଇଁ ।

 

ସ୍କୁଲରେ ପଢ଼ୁଥିବାବେଳେ ସତ୍ୟକାମ କରାଟେ ଶିଖିଥିଲା । ଏବେବି ସକାଳେ ଯୋଗ ସାରି ସେ କରାଟେର ଆତ୍ମରକ୍ଷା ଓ ଆତତାୟୀକୁ ଜବତ୍‌ କରିବା କୌଶଳ ଅଭ୍ୟାସ କରିନିଏ । ଆତ୍ମରକ୍ଷାହିଁ ଶ୍ରେଷ୍ଠ ପନ୍ଥା, ପୁଲିସ୍‌ ଉପଲକ୍ଷ ମାତ୍ର ।

 

ସେଦିନ ଜନ୍ମଦିନ ଉତ୍ସବ ଟିକେ ବିଳମ୍ବରେ ହୋଇଥଲା ବୋଲି କେତେଜଣ ବନ୍ଧୁ ଓ ହିତୈଷୀ ରହିପାରି ନ ଥିଲେ । ସେଇ କାରଣରୁ ସକାଳେ ଜାଫର ସାହେବ ଫୋନ୍‌ କରି ଦୁଃଖପ୍ରକାଶ କରିଥିଲେ ଏବଂ ତାକୁ ତାଙ୍କ ଘରକୁ ଆମନ୍ତ୍ରଣ କରିଥିଲେ ଚା’ ପାଇଁ ।

 

ପାଞ୍ଚଟା ବାଜିଗଲାଣି । ଆଉ ବିଳମ୍ବ ନ କରି ସତ୍ୟକାମ ବାହାରିପଡ଼ିଲା । ସେଠାରୁ ସେ ପ୍ରେସ୍‌କୁ ଯିବ ଓ ଫେରୁ ଫେରୁ ଦଶଟା ଏଗାରଟା ହେବ ବୋଲି ମା’ଙ୍କୁ କହିଯାଇଥିଲା ।

 

ଜାଫର ସାହେବ ତାକୁ ଅପେକ୍ଷା କରିଥିଲେ ପୋର୍ଟିକୋରେ । ସତ୍ୟକାମ ବାଇକ୍‌ରୁ ଓହ୍ଲାଇବାକ୍ଷଣି ତାକୁ ପାଛୋଟି ନେଇ ବସାଇଲେ ଡ୍ରଇଂରୁମ୍‌ରେ । ତାଙ୍କ ବୈଠକଖାନାକୁ ତା’ର ଆସିବା ଏଇ ପ୍ରଥମ । ଯେଉଁଦିନ ଆସିଛି ଲନ୍‌ରେ ବା ପୋର୍ଟିକୋରେ ହୁମାୟୁନ୍‌, ତା’ ମା’ ଓ ଭଉଣୀ ସହିତ ଆଳାପ କରି ଫେରିଯାଇଛି । ଆଜି କିନ୍ତୁ ତାକୁ ବୈଠକଖାନାକୁ ପାଛୋଟି ନେଇଗଲେ ଜାଫର ସାହେବ । କିଛି ସମୟ ଖୁସି ଗପ ହେବା ପରେ ଜାଫର ସାହେବ କହଲେ - ‘‘ତମ ଘରକୁ ନ ଯାଇ କାହିଁକି ତମକୁ ମୋ ଘରକୁ ଡାକିଲି ତାହା ହୁଏତ ନିଜକୁ ନିଜେ ପ୍ରଶ୍ନ କରୁଥିବ । କିନ୍ତୁ ଏହା ପଛରେ ଗୋଟେ କାରଣ ଅଛି । ସେଇ କାରଣ ହେଲା ତମେ ମୋ ପୁଅର ସାଙ୍ଗ, ପୁଣି ସହଯୋଗୀ । ସେଥିପାଇଁ ତୁମପ୍ରତି ମୋର ଶ୍ରଦ୍ଧା ଅଛି । ତମେ ଜାଣିଥିବ ଯେ ଚାକିରିରୁ ଅବସର ନବାପରେ ମୁଁ କିଛି ସାମାଜିକ କାର୍ଯ୍ୟ କରେ । କେତୋଟି ଅନୁଷ୍ଠାନ ସହିତ ବି ମୋର ସମ୍ପର୍କ ଅଛି । ଆଉ ମୁଁ ବି ରୋଟାରୀ କ୍ଲବ୍, ସ୍ପୋର୍ଟିଙ୍ଗ୍ ୟୁନିୟନ୍‌ର ଜଣେ କର୍ମକର୍ତ୍ତା । ରାଜନୀତି କରୁନି ମୁଁ, କିନ୍ତୁ ରାଜନେତାମାନଙ୍କ ସହିତ ମୋର ବି କିଛି ପରିଚୟ ଅଛି ।’’

 

ସତ୍ୟକାମ ମୁହଁ ଉପରେ ହସ ଖେଳାଇ କହିଲା - ‘ଚାଚା, ତା’ହେଲେ ତ ଆପଣ ଜଣେ ନାମୀ ଦାମୀ ବ୍ୟକ୍ତି । ଦରକାରବେଳେ କାମରେ ଆସିବେ...’

 

ତା’ କଥା ଶୁଣି ପ୍ରସନ୍ନ ହେଲେ ଜାଫର କବୀର ଏବଂ କହିଲେ - ‘କିନ୍ତୁ ସମ୍ବାଦପତ୍ରରେ ମିତ୍ର ସୃଷ୍ଟି କରିବାର ଏତେ ସୁଯୋଗ ଥିବାବେଳେ ତମେ ଶତ୍ରୁ ସୃଷ୍ଟି କରୁଛ କୋଉ ଦୁଃଖରେ ?’

 

ସତ୍ୟକାମ କହିଲା, ‘ଆପଣ ଜାଣନ୍ତି ଚାଚା, ମୁଁ ବ୍ୟକ୍ତିଗତ ସ୍ୱାର୍ଥପାଇଁ କିଛି କାର୍ଯ୍ୟ କରେନାହିଁ... ସାମ୍ୱାଦିକର କାର୍ଯ୍ୟଟି ସମ୍ବାଦପତ୍ରର କାର୍ଯ୍ୟ... ଏବଂ ସମ୍ବାଦପତ୍ର ହେଉଛି ଜନସାଧାରଣଙ୍କ ମୁଖପତ୍ର । ସେମାନେ ଯାହା ମୁହଁଖୋଲି କହିପାରନ୍ତି ନାହିଁ ଖବରକାଗଜ ସେଇ କଥା କହେ ସେମାନଙ୍କୁ ସଚେତନ କରିବାପାଇଁ । ସେଇ ପ୍ରକ୍ରିୟାରେ କର୍ତ୍ତବ୍ୟ କରୁଥିବା ମୁଁ ଜଣେ କର୍ମୀମାତ୍ର... । ଆପଣ ଦେଖିଥିବେ ଯେଉଁ ଅଫିସରମାନେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁ ନ ଥିଲେ, ସୂଚନା ଅଧିକାରର ଆଇନଲାଗୁ ହେବା ପରେ ସେମାନେ କେମିତି ଚୁପ୍‌ ହୋଇଗଲେଣି । ଏବେ ଲୋକମାନଙ୍କୁ କହିବାକୁ ଆରମ୍ଭ କଲେଣି ।’’

 

‘ବୁଝିଲି, ବୁଝିଲି... କିନ୍ତୁ ୟଙ୍ଗମ୍ୟାନ୍, ତମ ସିକ୍ୟୁରିଟି ବିଷୟରେ ତମେ ଏତେ ବୀତସ୍ପୃହ କାହିକିଁ ? ତମର ଜୀବନ ବି ମୂଲ୍ୟବାନ୍‌ । ଅଯଥା ତମେ ବିପଦକୁ ଆବାହନ କରୁଛ କାହିକିଁ ? ଅଳ୍ପଦିନରେ ତମେ କେତେସବୁ ପ୍ରତିରୋଧର ସାମ୍ନା କଲଣି ତାହା ଅନର୍ଥକ ଭାବି ଉଡ଼ାଇ ଦିଅନି । ନିଶ୍ଚିତଭାବେ କେହି ତମର କ୍ଷତି କରିବାକୁ ଚାହେଁ !’

 

-‘କିନ୍ତୁ କାହିକିଁ, ମୁଁ ତ କାହାରି ଅନିଷ୍ଟ କରିନି, କାହା ପ୍ରତି ମୋର ଆକ୍ରୋଶ ନାହିଁ କି ଦ୍ଵେଷ ନାହିଁ ।’

 

- ‘ସବୁ ଭଲ ମଣିଷ ଏମିତି କହନ୍ତି । କିନ୍ତୁ ଏ ଜଗତରେ ସମସ୍ତେ ତମପରି ନୁହଁନ୍ତି, ତୁମ ପରିଧି ବାହାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ତୁମ କାର୍ଯ୍ୟଯୋଗୁଁ କ୍ଷତିଗ୍ରସ୍ତ ହୁଅନ୍ତି-। ସେମାନଙ୍କ ବଞ୍ଚିବାର ଅଧିକାରରେ ତମେ ବାଧା ଦେବ କାହିଁକି ଯେ... ?’

 

- ‘ମୁଁ ତ ସାଲିସ କରିପାରିବିନି ଚାଚା । ଭଦ୍ରବେଶରେ ବୁଲୁଥିବା ଜଣେ ଲୋକର ମଥାତଳେ ଅପରାଧୀଟିଏ ବୁଲୁଚି ଜାଣି କିପରି ଚୁପ୍‌ହୋଇ ବସିବି ? ଭଲ ଲୋକଟି ମୋର ଶରବ୍ୟ ନୁହେଁ, କେବଳ ସେଇ ଅପରାଧୀଟି ମୋର ଲକ୍ଷ୍ୟ... । ସେ ଭାବିବା ଉଚିତ ନୁହେଁ ଯେ ସେ ମନଇଚ୍ଛା ଯାହା ଚାହିଁବ କରିଯିବ, ଆଉ ତାହା ଜାଣି ମଧ୍ୟ ସମସ୍ତେ ଚୁପ୍‌ଥିବେ । ’ କହିଲା ସତ୍ୟକାମ ।

 

-‘ଚୁପ୍‌ ରହିବାହିଁ ଭଲ । ଦିନକାଳ ଭଲ ନୁହେଁ । ଅନ୍ୟକୁ ନ୍ୟାୟ ଦବାପାଇଁ ତମେ ଠିକା ନେଇନ... ତାକୁ ତା’ କର୍ମଫଳ ଭୋଗିବାକୁ ଛାଡ଼ିଦିଅ... । ଆଉ ତମେ ଚାହିଁଲେ କ’ଣ ସବୁ ଅନ୍ୟାୟ ବନ୍ଦ କରିଦେଇ ପାରିବ ?’ ।

 

‘‘ନା ହବ ନାହିଁ, ତଥାପି ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚିମୂଷାର ଅବଦାନ ପରି ଆମେ ସମସ୍ତେ ଯଦି ଟିକେ ଟିକେ କିଛି ସୁଧାରିବାପାଇଁ ଚେଷ୍ଟା କରିବା ତେବେ ଏ ସମାଜ ସାଙ୍ଗେ ସାଙ୍ଗେ ନ ହେଲେ ମଧ୍ୟ ଦିନେ ନା ଦିନେ ବଦଳିବ... କଳିକାଳ କ’ଣ ସବୁଦିନ ରହିଥିବ ଚାଚା... କାନଡେରି ଶୁଣ ଦୂରରୁ ଭାସି ଆସୁଛି କାହାର ସ୍ୱର... ।’’

 

ସ୍କୁଲ ଛାତ୍ରୀମାନେ ଗାଉଥିଲେ–

 

‘‘ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି’’

 

ଜାଫର ସାହେବ ସ୍ତବ୍ଧ ହୋଇଗଲେ ସେଇ ଗୀତର ମୁର୍ଚ୍ଛନା ଶୁଣି । କିଛି ସମୟ ପରେ କହିଲେ - ‘‘ଭଲ ଲାଗୁଛି ତୁମ କଥା ଶୁଣିବାପାଇଁ । ନୂତନ ଯୁଗର ମଣିଷ ତମେ - କେତେ ନୂଆ ଆଶା, ନୂଆ ବିଶ୍ୱାସ ନେଇ ଜନ୍ମିଛ ଏଇ ଦେଶରେ... ମୋ କଥା କହୁଚି ଶୁଣ... ମୁଁ ଚୌଦ୍ଵାର ଜେଲର ସୁପରିଣ୍ଟେଣ୍ଡେଣ୍ଟ ଥିଲି ଦଶ ବର୍ଷ ଧରି... ବର୍ଷ ବର୍ଷ ଧରି ଜେଲ ଜୀବନର ସମୟ ଅପରାଧୀଙ୍କୁ କାବୁ କରିପାରିନାହିଁ... ଅଥଚ ଛଅ ମାସ ସଜା ଭୋଗୁଥିବା ଜଣେ ଯୁବକ ପ୍ରତିଦିନ ସୂର୍ଯ୍ୟଙ୍କୁ ଚାହିଁ କହୁଥିଲା - ‘ସୂର୍ଯ୍ୟ ଚନ୍ଦ୍ର ତାରା ସବୁ ଯଦି ସତ୍ୟ ତେବେ ଅପରାଧ ନ କରି ବି ମୁଁ ଜେଲକୁ ଆସିଲି କ’ଣପାଇଁ ? ପାପ ନ କରି ବି ପ୍ରାୟଶ୍ଚିତ୍ତ କରିବାକୁ ମୁଁ ଜନ୍ମ ହୋଇନି... ମୁଁ ଶପଥ କରି କହୁଛି ଶୁଣ ! ଦିନେ କେହି ନା କେହି ନିରପରାଧ ନିର୍ଦ୍ଦୋଷ ଯଦି ଦୋଷୀ ସାବ୍ୟସ୍ତ ହୋଇଯାଇ ଦଣ୍ଡ ଭୋଗେ ତେବେ ଜାଣିବ ଯେ ଏ ଜଗତରେ ନ୍ୟାୟ ଉପରେ ଚାବୁକ୍‌ ପଡ଼ୁଛି... ତା’ର ପ୍ରଳାପ ଶୁଣି ସେତେବେଳେ ଆମେ ଭାବୁଥିଲୁ ସେ ପାଗଳ ହୋଇଯାଇଛି ।’’

 

- ‘ସତରେ ଚାଚା, ସେ ପାଗଳ ନୁହେଁ, ଅନ୍ୟମାନେ ପାଗଳ... ନ ହେଲେ ଏଡ଼େ ସୁନ୍ଦର ପୃଥିବୀ ଏତେ ଅସୁନ୍ଦର ଦିଶନ୍ତା... ।’

 

ସତ୍ୟ ବିମର୍ଷ ହୋଇଗଲା ।

 

ସେଇ ସମୟରେ କାହାର ମୋଟରଗାଡ଼ି ଆସି ଘର ଆଗରେ ଛଡ଼ା ହେଲା । ଦରଜା ଖୋଲି ଜଣେ ଲମ୍ବା ହୃଷ୍ଟପୁଷ୍ଟ ପୁରୁଷ ବାହାରି ଆସିଲେ ଗାଡ଼ି ଭିତରୁ... ।

 

ପ୍ରାୟ ଦୌଡ଼ି ଚାଲିଗଲେ ଜାଫର ସାହେବ ତାଙ୍କୁ ସଙ୍ଖୋଳି ଆଣିବାପାଇଁ... ।

 

ସେ କହୁଥାନ୍ତି - ‘ମେ ମିଟିଂ ମେ ଯା ରହାଥା... ଆପକା ମକାନ କେ ସାମ୍ନେ ଉତ୍ତରଗୟା ହୁଁ, ସାୟଦ ଆପ ମେରେ ସାଥ୍‌ ଯାଏଁଗେ... ।’ କହିଲେ ସେ ।

 

-‘ହମାର ନସୀବ ଅଚ୍ଛା ହୈ, ନେହିଁ ତୋ ଆପକେ ଲାୟକ ବାଦଶାହ ହମାରେ କୁଟିଆ ମେଁ କ୍ୟୁଁ ଆୟେଁଗେ... ’ ବିନମ୍ର ସ୍ୱରରେ କହିଲେ ଜାଫର ସାହେବ ।

 

- ‘ଆରେ ନେହିଁ ଭାଇ... ଆପ୍‌କୋ ମୁସୀବତ ମେଁ ନହିଁ ଡାଲା ତୋ ?’ କହିଲେ ସେ ।

 

- ‘ମୁସିବତ କ୍ୟା... ହମାରା ସୌଭାଗ୍ୟ ହେ... ଓ୍ୱହ ନୌଜଓ୍ୱାନ ସେ ମିଲିୟେ... ୟେ ହୈ ନିଉ ଟାଇମ୍ସ୍ କୀ ସିନିଅର ସିଟି ରିପୋର୍ଟର ସତ୍ୟକାମ...’

 

ସେ ହାତ ବଢ଼ାଇ ଦେଲେ ସତ୍ୟକାମ ଆଡ଼କୁ... ।

 

ଚିହ୍ନା କରାଇ ଦବାପାଇଁ କହିଲେ କବୀର, ‘ସହର କେ ଖାନ୍ଦାନି ନାମୀ ଦାମୀ ଆଦ୍‌ମୀ ଅଖ୍‍ତାର ସାହେବ...

 

ହାତ ମିଳାଇଲା ସତ୍ୟକାମ ।

 

- “ଆଚ୍ଛା ହୁଆ ଆପ୍‌କେ ସାଥ୍‌ ମୁଲାକାତ ହୋଗୟା...’ କହିଲା ସତ୍ୟକାମ ।

 

ସମସ୍ତେ ବସିଲେ ନିଜ ନିଜ ଆସନରେ ।

 

ତା’ପରେ ଅଖ୍‍ତାର ସାହେବ କହିଲେ - ‘ମୁଁ ଏଇ ଓଡ଼ିଶା ମୁଲକର ଲୋକ... ଏଇଠି ମୋ ଘର... ଶୋ ସାଲ୍‌କା ବୁନିଆଦୀ ଖାନ୍ଦାନି...’’

କବୀର ସାହେବ ବ୍ୟସ୍ତ ହୋଇପଡ଼ିଲେ । ଭିତରକୁ ଯାଇ ଗରମ ଗରମ ଚା’, ସମୋଶା ଓ କଚୋଡ଼ି ଆଣିବାକୁ କହିଲେ ଖାନସାମାକୁ ।

ଫେରିଆସି କହିଲେ- ଆଜି ଘରେ ମୁଁ ଏକା । ହୁମାୟୁନ୍‌ କଟକ ଯାଇଛି, ବେଗମ ଔର ଲଡ଼କୀ ସହର ମେଁ... ।

ଅଖ୍‍ତାର କହିଲେ- ‘କୁଛ ପରୁୱା ନହୀ... ମୁଁ ଖୁସି ଯେ ସତ୍ୟକାମଜୀଙ୍କ ସହିତ ମୁଲାକାତ ହେଲା । ତାଙ୍କ ନାମ ଶୁଣଛି...’

ସତ୍ୟକାମ ଭାବୁଥିଲା ଅଖ୍‍ତାର ଏଠାରେ ଅପ୍ରତ୍ୟାଶିତଭାବେ ପହଞ୍ଚିଗଲେ ନା, ସେ ଆସିବା ପୂର୍ବ ନିର୍ଦ୍ଧାରିତ ଥିଲା ? ହୁଏତ ତା’ ସହିତ ମିଶିବାପାଇଁ ସେ ସୁଯୋଗ ଉଣ୍ଡୁଥିଲେ... ଜାଫର ସାହେବ ସେଇ ବ୍ୟବସ୍ଥା କଲେ... ।

ଅଖ୍‍ତାର କହିଲେ, ‘ଚିଫ୍‌ମିନିଷ୍ଟର ନେ କଲ୍‌ ଦଶ୍‌ବଜେ ବୁଲାୟା ହୈ । ସହର ମେଁ ଲ ଆଣ୍ଡ ଅର୍ଡ଼ର ଖରାପ୍‌ ହୋ ଜା ରହା ହେ... ଲେକିନ୍‌ ଭାଇ, ମେ ଅକେଲା କ୍ୟା କରୁଁ... ପୁଲିସ୍‌ବାଲେ ରିସ୍ପତ୍‌ଲେକର ବଦମାସ୍‌ଗୁଣ୍ଡେକୋ ଛୋଡ଼ ଦେତେ ହେ, ହମ କୈସେ ସମ୍ଭାଲୁଁ ?’

ସତ୍ୟକାମ କହିଲା - ‘ଆପଣଙ୍କ ଉପରେ ଭରସା ଅଛି ବୋଲି ତ ଚିଫ୍‌ମିନିଷ୍ଟର ଡାକିଛନ୍ତି-। ଆପଣଙ୍କର ପହଁଚ ମୁଖ୍ୟମନ୍ତ୍ରୀ ଜାଣନ୍ତି ହୋମ ସେକ୍ରେଟାରୀ ବି ଜାଣିଥିବେ... ତେବେ କଥା କ’ଣ କି ସାର୍‌... ଏଇସବୁ ଅପରାଧୀମାନଙ୍କ ସାହାରା ମିଳୁଛି ନେତାମାନଙ୍କଠାରୁ । ସେମାନେ ଏମାନଙ୍କୁ ସାହସ ଦେଉ ନ ଥିଲେ ଏସବୁ ବେଆଇନ କାମ ହୁଅନ୍ତା ନାହିଁ... ।’

- ‘ଓ ଠିକ୍‌ହୈ, ଲେକିନ ୟଭୀ ସଚ ହେ କି ଖୁନୀ, ଗୁଣ୍ଡେ, ବଦମାସ ବାହାର ସେ ନେହୀଁ ଆତେ ହୈ... ହମାରା ବିଚ୍‌ମେ ଘୁମ୍‌ତେ ହେ... ହମ୍‌ସବ୍‌ ମିଲ୍‌କର କାମ ମେଁ ଲଗ୍‌ଯାଏଁ ତୋ ଏଁ ଲୋଗ ଜଙ୍ଗଲ ମେଁ ଭାଗେଙ୍ଗେ...’

 

ଗରମ ଗରମ ସିଙ୍ଗଡ଼ା, ଖାସ୍ତା କଚୋଡ଼ି ଓ ଗୋଲାବଜାମୁ ଆଣି ଟେବୁଲ ଉପରେ ରଖିଲା ଖାନସାମା । ବାମ୍ଫ ବାହାରୁଥିବା ଚା’ କ୍ୟାଟଲି ଉପରେ ଟିକୁଜୀ ଘୋଡ଼ାଇ ଦେଇଥିଲା ଗରମ ରଖିବାପାଇଁ ।

 

ସେତିକିବେଳେ ହାରୁ ମିଆଁ ଆସି ପହଞ୍ଚିଲା । ତାକୁ ଦେଖି କହିଲେ ଅଖ୍‍ତାର - ‘ଆରେ ତୁ ଖାଲି ହାଥ୍‌ମେଁ ଆୟା କ୍ୟୁଁ ? ମେରେ ଗାଡ଼ି ମେ କ୍ୟାମେରା ହେ... ଲେ ଆନା... ଫଟୋ ଖିଚେଙ୍ଗେ...।’

 

ସତ୍ୟକାମର ଇଚ୍ଛା ନ ଥିଲା ସେମାନଙ୍କ ସହିତ ଫଟୋ ଉଠାଇବାପାଇଁ । କିନ୍ତୁ କବୀର ସାହେବ ଜୋର କରି ତାକୁ ବସାଇ ଦେଇ କହିଲେ - ‘ଏତେ ତରତର କାହିଁକି ? ଫଟୋ ଉଠୁ ସମସ୍ତଙ୍କର ।’

 

ସତ୍ୟକାମ ମଝିରେ ଏବଂ ବାମ ପାଖେ ଜାଫର ସାହେବ ଓ ଡାହାଣରେ ଅଖ୍‍ତାର । ହାରୁ ମିଆଁ ଫଟୋ ଉଠାଇଲା ବିଭିନ୍ନ ପୋଜ୍‌ରେ... କ୍ଲିକ୍‌କ୍ଲିକ୍‌...

 

ତା’ପରେ କହିଲେ ଅଖ୍‍ତାର - ‘ ହମାରା କୁଟିଆଁ ମେଁ କଭି ପଧାରେ ସାହାବ... ହମ କୋ ସେବା କରନେ କେ ଲିୟେ ମୌକା ଦିଜିଏ... ।

 

ସତ୍ୟ କହିଲା - ‘ହାଁ ହାଁ ଜରୁର... କହାଁ ନା କହାଁ ତ ମୁଲାକାତ ହୋ ଯାଏଗା... ।’

 

ଅଖ୍‍ତାରଙ୍କ ଭ୍ରୂକୁଞ୍ଚନ ଦେଖିପାରିଲା ନାହିଁ ସତ୍ୟ ବା ଜାଫର ସାହେବ... କିନ୍ତୁ ହାରୁ ମିଆଁ ଓ ଅଖ୍‍ତାର ଦୁହିଙ୍କୁ ମୋବାଇଲ ଫୋନ୍‌ରେ ରଖିନେଇଥିଲା ସତ୍ୟକାମ ।

 

ସେମାନେ ଚାଲିଗଲା ପରେ ଜାଫର କବୀର କହିଲେ - ‘ମୁଁ ଜୀବନର ସବୁଠାରୁ ଭଲ ସମୟ କଟାଇ ଦେଲି ଖୁନୀ ଆସାମୀ ଓ ଅପରାଧୀମାନଙ୍କ ସହିତ । ଚେଷ୍ଟା ଯେ କରି ନ ଥିଲି ତା’ ନୁହେଁ, କିନ୍ତୁ ଅପରାଧମନସ୍କତା ବଦଳାଇ ପାରି ନ ଥିଲି । ତାହା ଗୋଟିଏ ପ୍ରକାର ମାନିଆ, ବୁଝିଲ ସତ୍ୟକାମ । ଆପେ ଆପେ ହାତ ଚାଲିଯାଏ ଆଉ କାହାର ତଣ୍ଟି କାଟିବାପାଇଁ... । ଏଇ ହାରୁ ମିଆଁ ବିଷୟ...’’

 

ସତ୍ୟକାମ ଏ ପ୍ରସଙ୍ଗ ଏଡ଼ାଇଯିବାପାଇଁ ଚାହୁଁଥିଲା । କାରଣ ସେ କଥା ପ୍ରସଙ୍ଗରେ ଅଖ୍‍ତାର ବା ହାରୁ ମିଆଁ କାହାରି ବିଷୟରେ କିଛି ମତ ପ୍ରଦାନ କରିବାପାଇଁ ଚାହୁଁ ନ ଥିଲା ତାଙ୍କ ଆଗରେ ।

 

ମୋବାଇଲ୍‌ ଟେଲିଫୋନ୍‌ରେ କଲ୍‌ ଆସିଲା ପଲ୍ଲବ ପଟ୍ଟନାୟକଙ୍କଠାରୁ । ସେ କାନ ପାଖରେ ମୋବାଇଲ ରଖି କହିଲା -‘ କେବେ ଫେରିଲ ଭାଇ... ?’

 

-‘ହଁ ହଁ, ମୁଁ ତୁମ ସହିତ ଦେଖା କରିବି... ପ୍ରେସ୍‌କୁ ଯିବାପରେ ମୁଁ ତୁମକୁ ରିଙ୍ଗ୍ କରିବି...।

 

ଜାଫର ସାହେବ ଆଉ କ’ଣ କହିବାପାଇଁ ଇଚ୍ଛା କରୁଥିଲେ ବୋଧହୁଏ ।

 

ସତ୍ୟକାମ କହିଲା - ‘ଆଉ କିଛି କହିବେ ?’

 

- ‘ହଁ ହଁ... ଭୁଲି ଯାଇଥଲି... ବସ କହୁଛି...’

 

ସତ୍ୟ ବାଧ୍ୟ ହେଇ ବସିଲା ଶୁଣିବାପାଇଁ ।

 

ଜାଫର କବୀର କହିଲେ - ‘ଏଇ ଅଖ୍‍ତାର ସାହେବଙ୍କୁ ମୁଁ ଯେତେ ଦେଖୁଚି ସେତିକି ଆଶ୍ଚର୍ଯ୍ୟ ହେଉଛି ତାଙ୍କର ଉଦାରତା ଦେଖି । ସେ କାହିଁକି କେଜାଣି ତୁମକୁ ଭଲ ପାଇଯାଇଚନ୍ତି । ଆଜି ସିନା ତୁମ ସହିତ ମୁହାଁମୁହିଁ ହେଲେ, କିନ୍ତୁ ଏହା ପୂର୍ବରୁ ତୁମକୁ ଦେଖି ନ ଥିଲେ ବି ମୋତେ କେତେଥର କହିଥିବେ ତୁମ ବିଷୟରେ...’

 

-‘କ’ଣ କହନ୍ତି ?’ ପଚାରିଲା ସତ୍ୟ ।

 

-‘ସେଦିନ କହୁଥିଲେ ଏତେ କମ୍‌ବୟସରେ ଏତେ କମିଟେଡ଼୍‌ ପିଲା ସେ ଦେଖି ନ ଥିଲେ ଆଗରୁ । ତା’ ଆଗରୁ ଆଉ ଦିନେ କହୁଥିଲେ ତୁମକୁ ତାଙ୍କ ଘରକୁ ନେଇଯିବାପାଇଁ - କାରଣ ସେ ଶୁଣିଥିଲେ ଯେ ତୁମେ କୁଆଡ଼େ ଶତ୍ରୁକୁ ବି ମତ୍ର କରି ନେଇପାର.... । ’

 

ସତ୍ୟ ପରିହାସ କରି କହିଲା - ‘ଆଉ ମିତ୍ରକୁ ଶତ୍ରୁରେ ପରିଣତ କରିବାରେ ମୁଁ ଓସ୍ତାଦ ବୋଲି ତ କହୁ ନ ଥିଲେ କିଛି ?’

 

- ‘‘ନା, ନା । ସେ ଭଲ ଲୋକ । ହାଜ୍‌ ଯାତ୍ରୀମାନଙ୍କୁ ଅନେକ ସାହାଯ୍ୟ କରିଥିବା ମୁଁ ଜାଣେ । ଜଣେ ବୁଢ଼ା ସ୍କୁଲ ଶିକ୍ଷକ ପାଖରେ ଅର୍ଥ ନ ଥିଲା ଟିକଟ କରିବାପାଇଁ । ତାଙ୍କ ଆଖିରୁ ଲୁହ ପୋଛିଦେଇ କହିଲେ ଅଖ୍‍ତାର ସାହେବ -‘ ଇନ୍‌ସା ଆଲ୍ଲା, ତୁମ ଟଙ୍କା ମୁଁ ଦାଖଲ କରିଦଉଛି-। ଏଥର ଖୁସି ମନରେ ଯାଅ... ’ । ଆଉ ସେ ଅଖ୍‍ତାର ସାହେବଙ୍କୁ ଜାବୋଡ଼ି ଧରି କାନ୍ଦିଲେ କେବଳ... ।’’

 

- ‘ହଁ ମୁଁ ବି ଶୁଣିଛି ସେ ଦାନ କରନ୍ତି... ସତ୍ୟ କହିଲା ।

 

- ‘ତମେ ଶୁଣିଛି ତା’ହେଲେ । ଯେତେ ଢାଙ୍କିଲେ ବି ମହତ ଲୋକର ଗୁଣ ଢାଙ୍କି ହୁଏ ନାହିଁ । ତେବେ ତମେ କାହିଁକି ତାଙ୍କ ପଛରେ ଲାଗିଥିଲ ସତ୍ୟ... ମୁଁ କ’ଣ ମିଛ ଶୁଣିଛି ?’

 

- ‘ନା, ଆପଣ ସତ ଶୁଣିଛନ୍ତି । କିନ୍ତୁ ସେ ମୋର ଶତ୍ରୁ ନୁହଁନ୍ତି । ଗୋଟେ ବିଷୟରେ ଅନୁସନ୍ଧାନ କରୁଥିବାବେଳେ ତାଙ୍କ ନାମ ଆସିଗଲା, ତା’ ପରେ ମୁଁ ଚେଷ୍ଟା କଲି ଜାଣିବାପାଇଁ ଅଧିକ କିଛି...’

 

- ‘କିନ୍ତୁ କିଛି ପାଇ ନ ଥିବ... ନିଶ୍ଚୟ । ଏପରି ମହତ୍‌ ଲୋକଙ୍କ ବିରୋଧରେ ହୁଏତ ଦୁଷ୍ଟ ଲୋକ କହିଥିବେ କିଛି । ସେ କିନ୍ତୁ ସମାଜସେବୀ, ଦାନୀ...’

 

ସତ୍ୟ କହିଲା - ‘ମୋତେ ପ୍ରେସ୍‌କୁ ଯିବାକୁ ପଡ଼ିବ ଚାଚା, ତା’ପରେ ଆଉ ଜଣେ ବନ୍ଧୁଙ୍କୁ ଦେଖାକରିବି । ଆପଣ ବିଦାୟ ଦେଲେ... ’’

 

-‘ହଁ ହଁ, ନିଶ୍ଚୟ ଦେଖାହେବ... ଆଜି ତ ତୁମ ଆଣ୍ଟି ବି ନାହିଁ, ବାନୁ ବି ନାହିଁ (ଅସୀମାର ଡାକ ନାମ ବାନୁ) । ଆଉ ଦିନେ ଆସ ମା’ଙ୍କ ସାଙ୍ଗରେ, ଡିନର କରିବା ସାଙ୍ଗ ହୋଇ । ଆସିବ ନା-?’

 

ସତ୍ୟ କହିଲା - ‘ ଧନ୍ୟବାଦ ଅଙ୍କଲ, ଅନେକ ଧନ୍ୟବାଦ...’

 

ସେ କବୀର ସାହେବଙ୍କ ଘରୁ ବାହାରି ଯାଉଥିବାବେଳେ ଫାଟକ ଆଗରେ ଦେଖା ହୋଇଗଲା ଅସୀମା ଆଉ ତା’ ମା’ ସହିତ ।

 

ଅସୀମା କହିଲା - ‘ କାହିଁ ତମେ ଆସିବା କଥା ତ କହି ନ ଥିଲେ ଭାଇ ?’

 

-‘ନା, ଅଙ୍କଲ ଡାକିଲେ, ଚାଲି ଆସିଲି । ଦୁଇ ଘଣ୍ଟା ହେବ ଗପସପ କରୁଥିଲୁ...’

 

-‘ମାଇଁଗଡ୍‌ ! ମୁହଁ ଫିଟାଉ ନ ଥବା ଲୋକକୁ ତମେ ବାଚାଳ କରିଦେଇ ପାରିଲ ! କଂଗ୍ରାଟସ୍‌ ।’ କହିଲେ ସୁରେୟା କବୀର ।

 

ଠିଆ ଠିଆ ସେମାନଙ୍କୁ କଥା ହେବାକୁ ଛାଡ଼ିଦେଇ ଚାଲିଯିବାବେଳେ ସୁରେୟା କହିଲେ -‘ତମେ ଦିହେଁ କଥାବାର୍ତ୍ତା କର... ମୁଁ ଯାଉଛି । ଗୁଡ଼୍‌ ଇଭ୍‌ନିଙ୍ଗ୍‌... ।’

 

ସତ୍ୟ କିଛି କହିବା ଆଗରୁ ସେ ଦୂରକୁ ଚାଲି ଯାଇଥିଲେ ।

 

ସତ୍ୟ କହିଲା - ‘ତମର ପ୍ଲାନ୍‌ କ’ଣ ? ଦିନେ ଚାଲ ଏକାମ୍ରକାନନ ବୁଲି ଆସିବା... ନୂଆ ଗୋଲାପ ବଗିଚାରେ ଅନେକ ଫୁଲ ଫୁଟିଛି - ନାନା ରଙ୍ଗର ଗୋଲାପ... ଦେଖିଲେ ଖୁସି ହେବ ।’

 

ମୁହଁ ଉପରେ ହସ ଖେଳାଇ କହିଲା ଅସୀମା - ‘ମୁଁ ରାଜି, ତମେ ଆଗରୁ କହିବ କୋଉଦିନ ଯିବା... ମୁଁ ଅପେକ୍ଷା କରଥିବି.... ।

 

- ‘ଆଉ ତମର କ୍ୟାରିଅର ସମ୍ପର୍କରେ କ’ଣ ଭାବୁଛ ?’

 

- ଠିକ୍‌ କରିନି । ଦୋଛକିରେ ଅଟକି ଯାଇଛି ।’

 

-‘ଆଉ କେତେଦିନ ଏମିତି ଅପେକ୍ଷା କରିଥିବ ?’

 

ସହସା ଉତ୍ତର ଦେଇପାରିଲା ନାଇଁ ଅସୀମା । ସତ୍ୟକାମର ମୁହଁକୁ ଘଡ଼ିଏ ଅନାଇ ରହିଲା ଏବଂ ତା’ପରେ ଧୀରେ ଧୀରେ କମ୍ପିତ ଛାତିରେ କହିଲା - ‘ ମୁଁ ନଉକାରେ ବସିଛି, କିନ୍ତୁ ମଙ୍ଗ ଅଛି ଅନ୍ୟ କାହା ହାତରେ । ତଥାପି ଭରସା ଅଛି ଶୀଘ୍ର ହେଉ ବା ବିଳମ୍ବରେ ହେଉ ଠିକଣା ଜାଗାରେ ପହଞ୍ଚିବି...’

 

-‘ଠିକଣା ମନେପଡ଼ିବ ତ ଝଡ଼ ଉଠିଲେ ?’

 

-‘ତମେ ସାହସ ଦେଲେ ମୋର ଭୟ କାହାକୁ ?’ ।

 

ସତ୍ୟକାମ କହିଲା - ‘ ତେବେ ଆଉ ଚିନ୍ତା ନାହିଁ... ମୁଁ ମନ ସ୍ଥିର କରିସାରିଛି... ଆଇ ଲଭ୍‌ୟୁ... ।’

 

ଅସୀମା ମୁଗ୍ଧ ଦୃଷ୍ଟିରେ ସତ୍ୟର ମୁହଁକୁ ଅପଲକ ଆଖିରେ ଅନାଇ ରହିଲା । ସେ କ’ଣ କହିବାକୁ ଚାହୁଁଥିଲା... କିନ୍ତୁ ଓଠ ଥରିଉଠିଲା କେବଳ, ଶବ୍ଦ ସ୍ଫୁରିଲା ନାହିଁ ।

 

॥ ଉଣେଇଶ ॥

 

ଶେଖ୍‍ ଅଖ୍‍ତାରଙ୍କ ପୃଷ୍ଠପୋଷକତାରେ ଦୀପାବଳୀ ପରେ ନାମୀ ଦାମୀ କଳାକାରମାନଙ୍କ ସ୍ଵର ଶୁଣିବାପାଇଁ ‘ମେହଫିଲ’କୁ ଯିବ କି ନାହିଁ ସ୍ଥିର କରିପାରୁ ନ ଥିଲା ସତ୍ୟକାମ । ସେଦିନ ସିବିଆଇ ଅଫିସର ପଲ୍ଲବ ପଟ୍ଟନାୟକ ମୁମ୍ବାଇରୁ ଫେରି ତାକୁ ଯେଉଁସବୁ ତଥ୍ୟ କହିଥିଲେ ସେଥିରୁ ଶେଖ୍‌ ଅଖ୍‍ତାରଙ୍କ ଚେର ଯେ ଦୁବାଇ ପର୍ଯ୍ୟନ୍ତ ଲମ୍ବିଛି ଏଥିରେ ସନ୍ଦେହ ନ ଥିଲା । କେବଳ ସେତିକି ନୁହେଁ ଚନ୍ଦ୍ରମୌଳିଙ୍କ ସହିତ ତାଙ୍କର ସମ୍ପର୍କ ଏବଂ ମୁମ୍ବାଇର ଅଣ୍ଡରୱାର୍ଲଡ଼ ସହିତ ଗୋପନ କାରବାର ବିଷୟରେ ମଧ୍ୟ କିଛି ଆଭାସ ଦେଇଥିଲେ ପଲ୍ଲବ । ‘ମେହଫିଲ’କୁ ମୁମ୍ବାଇ ଚଳଚ୍ଚିତ୍ର ଜଗତର କେଉଁ କଳାକାରମାନେ ଆସିବେ ତାହାର ପୂର୍ଣ୍ଣ ବିବରଣୀ ମିଳି ନାହିଁ । କିନ୍ତୁ ଯେଉଁମାନେ ଆସିବେ ସେମାନଙ୍କପାଇଁ ମୋଟାଅଙ୍କର ଅର୍ଥ ଖର୍ଚ୍ଚ କରିବେ ଅଖ୍‍ତାର ସାହେବ । ସରକାରଙ୍କ କେତେଜଣ ବରିଷ୍ଠ ମନ୍ତ୍ରୀ, ପଦସ୍ଥ ଅଫିସର ଏବଂ ରାଜନୀତିକ ନେତା ମଧ୍ୟ ମେହଫିଲକୁ ଆସିବାର କାର୍ଯ୍ୟକ୍ରମ ରହିଛି । ହୁଏତ ଚନ୍ଦ୍ରମୌଳି ବି ଆସିପାରନ୍ତି ।

 

ପଲ୍ଲବ ସହିତ ପରାମର୍ଶ କରିବାପାଇଁ ସେ ସିଧା ଗଲା ସିବିଆଇ ଅଫିସ୍‌କୁ । ତାକୁ ଦେଖି ଖୁସି ହୋଇ ପଲ୍ଲବ କହିଲେ - ‘ଭଲ କଲୁ ଚାଲିଆସିଲୁ । ମୋ ପାଖରେ ଇତି ମଧ୍ୟରେ ଆଉ କିଛି ନୂଆ ଖବର ଆସି ପହଞ୍ଚିଛି । ଆଉ ତୁ କ’ଣ କହିବାପାଇଁ ଆସିଛୁ ଆଗ କହ... ।’

 

ଶେଖ୍‌ ଅଖ୍‍ତାର ଦଶହରା ଦିନ ଗୋଟେ ଆକର୍ଷଣୀୟ ‘ମେହଫିଲ’ ଆୟୋଜନ କରୁଛନ୍ତି ତମେ ଜାଣିଥିବ । ମୁଁ ମଧ୍ୟ ଗୋଟେ ନିମନ୍ତ୍ରଣ ପାଇଛି... କିନ୍ତୁ ସେଠାକୁ ଯିବା ଉଚିତ ହେବ କି ନା ଜାଣିପାରୁନି...

 

ପଲ୍ଲବ କହିଲେ - ‘ଆରେ ଯିବୁନି କାହିଁକି ? ପୁଲିସ୍‌ ଆଉ ସାମ୍ବାଦିକ ସବୁଠାକୁ ଯାଇପାରନ୍ତି । ବେଶ୍ୟାଳୟଠାରୁ ଅଣ୍ଡର ଓ୍ୱାର୍ଲଡ଼ ପର୍ଯ୍ୟନ୍ତ କୌଣସି ସ୍ଥାନ ସେମାନଙ୍କପାଇଁ ନିଷିଦ୍ଧ ନୁହେଁ । ତୁ ଜାଣିସାରିଛୁ ତାଙ୍କର ଆଉ ଏକ ନୂଆ ରୂପ ଦେଖିବାକୁ ପାଇବୁ ମେହଫିଲରେ ।’

 

- ‘ସେ କିଏ... ସେ କ’ଣ ତାଙ୍କର ଡୁପ୍ଲିକେଟ୍‌?’ ପଚାରିଦେଇ ଜିଜ୍ଞାସୁ ଦୃଷ୍ଟିରେ ଅନାଇ ରହିଲା ସତ୍ୟକାମ ।

 

‘ଠିକ୍‌ ଡୁପ୍ଲିକେଟ୍‌ ନୁହଁ, କିନ୍ତୁ ସେ ଦୁହେଁ ନାମ ଭିନ୍ନ ଭିନ୍ନ ହେଲେ ମଧ୍ୟ ଯେ ଗୋଟିଏ ମନ, ପ୍ରାୟ ଏକାପ୍ରକାର ଆକୃତିର’ ତାହା ପ୍ରାୟ ଖୁବ୍‌ କମ୍‌ଲୋକ ଜାଣନ୍ତି । ତୁ ବି ଠକି ଯାଇପାରୁ...।’

 

ସତ୍ୟକାମ ସ୍ତବ୍ଧ ହୋଇଗଲା ତାଙ୍କ କଥା ଶୁଣି । ଏ ପର୍ଯ୍ୟନ୍ତ ସେ ଭାବି ଆସିଥିଲା ଯେ ଚିଦାନନ୍ଦ ମହାନ୍ତି ଆଉ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତି, ସେମାନଙ୍କର ପେସା ଓ ନିଶା ଅଲଗା ଅଲଗା । କିନ୍ତୁ ପଲ୍ଲବଙ୍କଠାରୁ ଯାହା ଶୁଣୁଛି ସେଥିରୁ ତା’ର ଅନେକ କଳ୍ପନା ଜଳ୍ପନା ନିରର୍ଥକ ପାଲଟି ଯାଇଛି । ଚିଦାନନ୍ଦ ଓ ଚନ୍ଦ୍ରମୌଳି ସହପାଠୀ । ସେମାନଙ୍କ ଆକୃତିରେ ସାମାନ୍ୟ ପାର୍ଥକ୍ୟ ଅବଶ୍ୟ ଅଛି, କିନ୍ତୁ ଯିଏ ଦୁହିଁଙ୍କୁ ଦୂରରୁ ଦେଖିଥିବ ସେ ହୁଏତ ହଠାତ୍‌ ସେମାନଙ୍କୁ ଜଣେ ବ୍ୟକ୍ତି ବୋଲି ଭାବିବ । କିନ୍ତୁ ବାସ୍ତବରେ ଦୁହେଁ ଭିନ୍ନ ଭିନ୍ନ । ଦିଲ୍ଲୀରେ ହିନ୍ଦୁ କଲେଜରେ ପଢ଼ୁଥବାବେଳେ ସେ ଦୁହିଙ୍କର ମିତ୍ରତା ଆରମ୍ଭ ହୁଏ । ଚିଦାନନ୍ଦଙ୍କ ସାଙ୍ଗରେ ଚନ୍ଦ୍ରମୌଳି କେତେଥର ଓଡ଼ିଶା ଆସିଛନ୍ତି ବୁଲିବାପାଇଁ, ଆଉ ଚିଦାନନ୍ଦ ଚନ୍ଦ୍ରମୌଳି ଶ୍ରୀବାସ୍ତବର ଘର ଡେରାଡୁନ ସହରକୁ ଅନେକଥର ଯାଇଛନ୍ତି । ଚନ୍ଦ୍ରମୌଳିଙ୍କୁ ଓଡ଼ିଶାର ରାଜାସାହେବ ବୋଲି ଅନେକ ଜାଣିଥିଲେ, କାରଣ ଚନ୍ଦ୍ରମୌଳି ତାଙ୍କୁ ବେଳେ ବେଳେ ରାଜାସାହେବ ବୋଲି ଡାକୁଥିଲେ-। ଚିଦାନନ୍ଦଙ୍କ ଡାହାଣ ଆଖିତଳେ ବଡ଼ ଜାଇମନ୍ଦା, ଚନ୍ଦ୍ରମୌଳିଙ୍କ ଆଖିତଳେ ମଧ୍ୟ ଗୋଟିଏ ଜାଇମନ୍ଦା । ହୁଏତ ନିରେଖି ଦେଖିଲେ ଟିକେ ଛୋଟ ମନେ ହେବ ।

 

ଆଉ ଗୋଟିଏ ବିଷୟ ଯାହା ଦୁହିଁଙ୍କୁ ଅଭିନ୍ନ ଓ ଏକତ୍ର କରିଛି ତାହା ହେଉଛି କଲେଜରେ ପଢ଼ୁଥିବାବେଳେ ଏ ଦୁହେଁ ସାଙ୍ଗହୋଇ ଝିଅମାନଙ୍କ ପଛରେ ଗୋଡ଼ାଉଥିଲେ । ଗୋଟେ ଘଟନା ଏବେବି କେତେକ ପୁରୁଣା କର୍ମଚାରୀ କହନ୍ତି ଯେ ଦୁହେଁ ଜଣେ ଜୁନିଅର ଛାତ୍ରୀକୁ କିଡ଼ନାପ୍‌ କରିନେଇଥିଲେ ଦିନେ ସନ୍ଧ୍ୟାରେ । ପୁଲିସ୍‌ ଅନୁସନ୍ଧାନ କରି ଏ ଦୁହିଁଙ୍କୁ ଠାବକରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଆଗରୁ ସେମାନେ ଉଭାନ୍ ହୋଇଯାଇଥିଲେ କେତେ ସପ୍ତାହପାଇଁ । ଚନ୍ଦ୍ରମୌଳିଙ୍କ ବାପା ଅତ୍ୟନ୍ତ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ପିତା ମହେଶ୍ୱର ଚନ୍ଦ୍ରମୌଳି ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ଡେରାଡୁନ୍‌ ଓ ଦିଲ୍ଲୀ ଉଭୟ ସହରରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ । ସେ ପ୍ରଭାବ ବିସ୍ତାର କରି ଅର୍ଥବଳରେ ପୁଲିସ୍‍ର ମୁହଁ ବନ୍ଦ କରିଦେଇଥିଲେ । ଅପରାଧ ନଗରୀ ଦିଲ୍ଲୀରେ ଅନେକ ଘଟନା ପରି ଏଇ କାହାଣୀ ମଧ୍ୟ କାର୍ପେଟ ତଳେ ରହିଯାଇଥିଲା ।

 

ପଲ୍ଲବଠାରୁ ସତ୍ୟକାମ ଏଇ ଦୀର୍ଘ କାହାଣୀ ଶୁଣିବା ପରେ ନିର୍ବାକ୍‌ ହୋଇଗଲା କିଛି ସମୟ । ସିନେମା ହଲର ରୂପେଲି ପର୍ଦ୍ଦାରେ ସେ ତେବେ ଯେଉଁ ଛବି ଦେଖିଥିଲା ସେଇଟା କାଳ୍ପନିକ ନୁହେଁ, ବାସ୍ତବତାକୁ ଆଧାରକରି ଫିଲ୍ମ ହୋଇଛି ।

 

ତେବେ ସେଇ ଅଭାଗିନୀ ଛାତ୍ରୀଟି ସମ୍ପର୍କରେ ଆଉ କିଛି ଜାଣିବାପାଇଁ ଇଚ୍ଛା ହେଉଥିଲେ ବି କିଛି ପଚାରି ପାରିଲା ନାହିଁ ସତ୍ୟକାମ । ହୁଏତ ଦୀର୍ଘ ବର୍ଷ ପରେ ତା’ କଥା ବି ସମସ୍ତେ ଭୁଲି ଯାଇଥିବେ । ହୁଏତ ଘଟନା ପ୍ରଘଟ ହେବା ଭୟରେ ତା’ ପରିବାରର ଲୋକ ଉଚିତ ମଣିଥିବେ କଥାଟାକୁ ଚାପିଦବାପାଇଁ । ପୁଅମାନଙ୍କର ସାତ ଖୁଣ୍‌ମାଫ୍‌ । ସେମାନେ ଧୁଆ ତୁଳସୀ । କିନ୍ତୁ ଝିଅ ସେଇ କଳଙ୍କର ବୋଝ ମୁଣ୍ଡ ଉପରେ ନେଇ କୁଆଡ଼େ ଯାଇଥିବ, କ’ଣ କରୁଥିବ !

 

ସତ୍ୟକାମର ଆଖି ଛଳଛଳ ହୋଇଗଲା ।

 

‘କିରେ କ’ଣ ହେଲା, ତୁ ଚୁପ୍‌ହୋଇ ବସିଛୁ ଯେ...’ କହିଲେ ପଲ୍ଲବ ।

 

ସତ୍ୟ କହିଲା - ‘ତମେ ଯାଉଛ ଯେତେବେଳେ ମୁଁ ତ ନିଶ୍ଚୟ ଯିବି । ସେଇଠି ଦେଖାହେବ... । ’

 

- କିନ୍ତୁ ଆମେ ମୁହାଁମୁହିଁ ହେବା ନାହିଁ । ଅଲଗା ଅଲଗା ଜାଗାରେ ବସିବା । ଉଦ୍ଦେଶ୍ୟ କ’ଣ ବୁଝିଛୁ ? ସବୁ ଆଡ଼କୁ ଲକ୍ଷ୍ୟ ରଖିବା ସହଜ ହେବ । ତା’ପରେ ନୋଟ୍‌ ଏକ୍ସଚେଞ୍ଜ କରିବା...’

 

- ‘ତମେ ପକ୍କା ପୁଲିସ୍‌ ଅଫିସର ଭାଇ... ମୋର ତ ଛଞ୍ଚାଣ ଆଖି ନାହିଁ, ସେଇ ପ୍ରତ୍ୟୁତ୍ପନ୍ନମତିତା ବି ନାହିଁ । ଭଲ କଥା କହିଲ । ମନେରଖିବି... ।’ କହିଲା ସତ୍ୟ ।

 

ତାକୁ ସତର୍କ କରିଦବାପାଇଁ କହିଲେ ପଲ୍ଲବ - ‘‘ତୁ ସାମ୍ବାଦିକ ବୋଲି ଅନେକ ହୁଏତ ଜାଣିଥିବେ... ଏମିତି ଜାଗାଟିଏ ବାଛିନବୁ ଯେଉଁଠି ତୁ ବେଶି ଦୃଶ୍ୟ ହେବୁ ନାହିଁ, ଅନ୍ୟମାନେ ବେଶି ଦୃଶ୍ୟ ହେବେ... । ହଁ, ଆଉ ଗୋଟେ କଥା... ବଡ଼ ବଡ଼ ମନ୍ତ୍ରୀ ଓ ନେତାମାନେ ଆସିବେ । ଅଖ୍‍ତାର ପକେଟରେ ସେମାନେ... ନେତାଙ୍କର ଅଖ୍‍ତାର ହେଉଛି ଫାଇନାନ୍‍ସିୟର୍‌... ତାହାରି ହାତରୁ ଅର୍ଥ ନିଅନ୍ତି ସେମାନେ । ତେଣୁ ଅଖ୍‍ତାରର ଅନିଷ୍ଟ ହେବାପରି କୌଣସି କାମ ଯେପରି କେହି କରି ନ ପାରେ ଏଥିପ୍ରତି ସଜାଗ ରହନ୍ତି ସେମାନେ; ଆଲ୍‌ସେସିଆନ୍‌ ଯେମିତି ମାଲିକର ସ୍ୱାର୍ଥ ରକ୍ଷା କରେ... ।’’

 

ଫେରିବାବେଳେ ସେ ଭାବୁଥିଲା ଚନ୍ଦ୍ରମୌଳି ବିଷୟରେ । ଟ୍ରିପଲ୍‌ମର୍ଡରର ଅନୁସନ୍ଧାନ ଶେଷ ହୋଇ ଆସିଲାଣି । ସୁପାରିକିଲରମାନଙ୍କୁ ଯେ ଏଇ ଚନ୍ଦ୍ରମୌଳି ନିଯୁକ୍ତ କରିଥିଲା ଏଇ ପ୍ରମାଣ ବଳବତ୍ତର ହେଉଛି କ୍ରମଶଃ । ମୁମ୍ବାଇ ଚଳଚ୍ଚିତ୍ର ଜଗତ ସହିତ ସମ୍ପର୍କ ରଖିଥିବା ଅପରାଧ ଜଗତର ରାଜା ମହାରାଜାମାନେ ଟଙ୍କା ପାଇଲେ ଏପରି କୌଣସି କାର୍ଯ୍ୟ ନାହିଁ ଯାହା କରିପାରିବେ ନାହିଁ । ସେଇ ତିନିଜଣ ଉଦୀୟମାନ ଠିକାଦାର କେବଳ ପ୍ରତିଦ୍ଵନ୍ଦ୍ୱୀ ନ ଥିଲେ, ସେମାନଙ୍କ ବଢ଼ୁଥିବା ସାମ୍ରାଜ୍ୟର ସବୁ ଜାଗା ଦଖଲ କରିନେଲେ ଚନ୍ଦ୍ରମୌଳିଙ୍କ ସାମ୍ରାଜ୍ୟ ଯେ ସଂକୁଚିତ ବା ନିଶ୍ଚିହ୍ନ ହୋଇଯିବ ଏଇ ଭାବନା ହୁହିଁଙ୍କୁ ଅସ୍ଥିର କରିଥିବ । ଦୁଇବନ୍ଧୁ ମିଶି ଭାବିଚିନ୍ତି ଶେଷରେ ନିଷ୍ପତ୍ତି ନେଇଥବେ । ପଲ୍ଲବ କହୁଥିଲେ ଯେ କୌଣସି ବଡ଼ ନିଷ୍ପତ୍ତି ନବା ପୂର୍ବରୁ ଦୁହେଁ ପ୍ଲାନ କରନ୍ତି ଏବଂ ତାହା ଯେପରି ନିଖୁଣଭାବେ କାର୍ଯ୍ୟକାରୀ ହୁଏ ସେଥିପ୍ରତି ଦୁହେଁ ଦୃଷ୍ଟି ଦିଅନ୍ତି । ତେଣୁ ଅପରାଧୀ ଜଣେ ନୁହେଁ, ଦୁଇ ଜଣ । ହୁଏତ ଛାତ୍ର ଜୀବନର ସେଇ କିଡ଼୍‍ନାପିଙ୍ଗଠାରୁ ଏପର୍ଯ୍ୟନ୍ତ ଏଇ ପାର୍ଟନରସିପ୍‌ ଚାଲି ଆସିଛି । ଚନ୍ଦ୍ରମୌଳି ଜଣେ ନାମକରା ଜ୍ୟୋତିଷ ବୋଲି ମଧ୍ୟ ଅନେକ ଜାଣିଥିଲେ । ସେଥିପାଇଁ ସେ ଘନ ଘନ ଗସ୍ତ କରୁଥିଲେ ଓଡ଼ିଶା । ଭୁବନେଶ୍ୱର ଓ କଟକରେ ଚନ୍ଦ୍ରମୌଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ଅନେକ ମନ୍ତ୍ରୀ, ରାଜନେତା, ସଚିବ ଓ କୁବେର ତାଙ୍କ ପାଖକୁ ଜାତକ ନେଇ ଆସୁଥିଲେ ଗଣନା କରିବାପାଇଁ । ସେସବୁକୁ ସେ ଆଗ୍ରହର ସହିତ ଲେଖିରଖିଲାବେଳେ ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଟିପି ରଖୁଥିଲେ । ସେଇ ଠିକଣାକୁ ତାଙ୍କ ଗୁପ୍ତଚର ଯାଇ ସେମାନଙ୍କ ପାରିବାରିକ ଜୀବନ ଓ ପସନ୍ଦ, ଅପସନ୍ଦ ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କରି ଆଣୁଥିଲେ । ବନାରସର ଜଣେ ଭଲ ଜ୍ୟୋତିଷ ଜାତକ ଗଣନା କରି ଗୋଟିଏ କାଗଜରେ ସବୁ ଲେଖି ଦେଉଥିଲେ । ସେସବୁକୁ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନର ସମ୍ବନ୍ଧରେ ସଂଗୃହୀତ ଖବର ସହିତ ମିଶାଇ ଚନ୍ଦ୍ରମୌଳି ଶ୍ରୀବାସ୍ତବ ବିସ୍ତୃତ ଗଣନା ଲେଖି ଦେଉଥିଲେ । କହିବା ବାହୁଲ୍ୟ ଯେ ଅନେକ ବ୍ୟକ୍ତିଗତ ବିଷୟରେ ଯାହାକି ପରିବାରର ଲୋକ ବା ଜ୍ଞାତିକୁଟୁମ୍ବ ମଧ୍ୟ ଜାଣି ନ ଥିବେ ସେସବୁ ସେଇ ଗଣନାରେ ସ୍ଥାନ ପାଇଥିବାରୁ ଯେ କେହି ବ୍ୟକ୍ତି ନିର୍ଭୁଲ ଗଣନା ଦେଖି ଚକିତ ଓ ଅଭିଭୂତ ହେବା ସ୍ଵାଭାବିକ । ବର୍ତ୍ତମାନ ଯଦି ସତ ହେଲା ଭବିଷ୍ୟତ ମଧ୍ୟ ଦିନେ ଯେ ସତ ହେବ ଏଇ ବିଶ୍ଵାସ ସେମାନେ ରଖିଥିଲେ । ଦୁଇବର୍ଷ ଭିତରେ ଚନ୍ଦ୍ରମୌଳିଙ୍କ ଜାଲରେ ଯେଉଁସବୁ ବଡ଼ ବଡ଼ ରୋହି ଭାକୁର ବାଳିଆ ଧରାପଡ଼ିଲେ ସେମାନଙ୍କୁ କାମିନୀକାଞ୍ଚନ ଲୋଭରେ ବୁଡ଼ାଇ ସେ ତନ୍ତ୍ରସାଧନା ମଧ୍ୟ କରୁଥିଲେ ସେମାନଙ୍କୁ ସିଦ୍ଧିର ଫଳ ଦେବାପାଇଁ । ଚିଦାନନ୍ଦ ଓଡ଼ିଶାକୁ କମ୍‌ ଆସୁଥିଲେ, ଚନ୍ଦ୍ରମୌଳି ବେଶି ଆସୁଥିଲେ । ଲୋକ ଭାବୁଥିଲେ ଯେ ଦୁହେଁ ରାଜପରିବାର ବା ସମ୍ଭ୍ରାନ୍ତ ପରିବାରର ଲୋକ । ବିପୁଳ ସମ୍ପତ୍ତିର ମାଲିକ ।

 

ଚନ୍ଦ୍ରମୌଳିଙ୍କ କେତେକ ହାତଲେଖା ଗଣନା, ବ୍ୟକ୍ତିବିଶେଷଙ୍କ ବିବରଣୀ ଏବଂ କାଳଭୈରବ ମନ୍ଦିରରେ ମଧ୍ୟରାତ୍ର ତନ୍ତ୍ରସାଧନାର ଫଟୋଚିତ୍ର ପଲ୍ଲବଠାରୁ ପାଇବା ପରେ ତାଙ୍କ ଦୁର୍ଗ ଭାଙ୍ଗିବାର ସାହସ ହେଲା ସତ୍ୟକାମର । ସେ ପ୍ରଥମେ ଅଳ୍ପ ବ୍ୟବଧାନରେ ଟ୍ରିପଲ ମର୍ଡର ବିଷୟ, ଚନ୍ଦ୍ରମୌଳିଙ୍କ ଅପରାଧର କାହାଣୀ, ବନାରସର ଅସଲ ଜ୍ୟୋତିଷଙ୍କ ହାତଲେଖା ବିବରଣୀ ଏସବୁ ଗୋଟିକ ପରେ ଗୋଟିଏ ବିସ୍ଫୋରଣ ଖବରକାଗଜ ପୃଷ୍ଠାରେ ଛାପିବା ପରେ ଅପରାଧର ସୂତାଖିଅ ଧରି ପଲ୍ଲବ ଅଗ୍ରସର ହେବ ଅପରାଧୀକୁ ଧରିବାପାଇଁ । ଏଇ କାମ ଅତି ଚତୁରତା ଓ କୌଶଳର ସହିତ କରିବାକୁ ହେବ, ଯେପରି ଏ ସମ୍ବନ୍ଧରେ ଚନ୍ଦ୍ରମୌଳି ବା ତାଙ୍କ ଭିଆଇପି ଗ୍ରାହକମାନେ କୌଣସ ଟେର୍‌ ନ ପାଆନ୍ତି । ରିପୋର୍ଟ ବାହାରିବା ସହିତ ପଲ୍ଲବ ଓ ସିବିଆଇ ମଧ୍ୟ ଜାଲ ବିସ୍ତାର କରିବ ସେମାନଙ୍କୁ ଧରିବାପାଇଁ । ଯେଉଁଦିନ ଜାତୀୟ ସମ୍ବାଦପତ୍ରରେ ଟ୍ରିପଲ ମର୍ଡ଼ରର ପ୍ରମାଣଯୋଗ୍ୟ ରହସ୍ୟ ଉନ୍ମୋଚିତ ହେବ ସେଇଦିନ ହେବ ବିଜୟ ପର୍ବ ପାଳନର ଉଲ୍ଲେଖନୀୟ ଦିନ ।

 

ପଲ୍ଲବ ପାଖରୁ ସେ ସିଧା ପ୍ରେସ୍‌କୁ ଗଲା । ସେ ଆଗରୁ ସୂଚନା ଦେଇଥିଲା ମୁକ୍ତେଶ୍ଵର ତଲ୍‌ୱାଲ୍‌କରଙ୍କୁ । ସେ ଅପେକ୍ଷା କରୁଥିଲେ ତାକୁ ଭେଟିବାପାଇଁ ।

 

ସତ୍ୟକାମ ତାଙ୍କ କୋଠରି ଭିତରକୁ ପ୍ରବେଶ କରିବାକ୍ଷଣି ଆତ୍ମବିଶ୍ଵାସରେ ଉଜ୍ଜ୍ୱଳ ଦିଶୁଥିବା ତା’ ମୁହଁକୁ ଚାହିଁଦେଇ ଉଲ୍ଲସିତ ହୋଇ କହିଲେ ତଲ୍‌ୱାଲ୍‌କର - ‘‘କ’ଣ ଭାରି ପ୍ରସନ୍ନ ଦେଖାଯାଉଛ, କିଛି ନୂଆ ଖବର... ?’’

 

- ‘‘ଖବର ପୁରୁଣା, କିନ୍ତୁ ଯାହା ଏତେଦିନ ରହସ୍ୟ ହୋଇ ରହିଥିଲା ସେଇ ରହସ୍ୟ ଉନ୍ମୋଚନ କରିବାପାଇଁ ମୁଁ ତଥ୍ୟ ସଂଗ୍ରହରେ ସଫଳ ହୋଇଛି ସାର୍‌... ।’’

 

ମୁକ୍ତେଶ୍ଵର ତଲ୍‌ୱାଲ୍‌କର କଫି ପିଇସାରିବା ପରେ କବାଟ ବନ୍ଦ କରିଦେଲେ ଏବଂ ବାହାରେ ଲାଲ ଆଲୁଅ ଜଳିଉଠିଲା । ଅର୍ଥାତ୍‌ ସମ୍ପାଦକ ଅତି ଗୁରୁତ୍ୱପୂର୍ଣ୍ଣ କାଯ୍ୟ ନେଇ ବ୍ୟସ୍ତ, ତାଙ୍କୁ ଯେପରି ବ୍ୟସ୍ତ କରା ନ ଯାଏ ।

 

ସେମାନଙ୍କର ଆଲୋଚନା ଚାଲିଲା ତିନି ଘଣ୍ଟା ଧରି । ସବୁ ଶୁଣିସାରି ଏବଂ ତଥ୍ୟ ସବୁ ବିଶ୍ଲେଷଣ କରିବା ପରେ ଦୁହେଁ ଆଉ କେତେକ ଅଡ଼ୁଆ ଖିଅକୁ ସଜାଡ଼ିବାପାଇଁ ଲାଗିଗଲେ ଏବଂ ମୁମ୍ବାଇ, ଦିଲ୍ଲୀ ଓ ବନାରସ ଅଫିସରୁ ଠିକ୍‌ ଖବର ସଂଗ୍ରହ କରବା ପରେ ଖୁସିହୋଇ କହିଲେ ତଲ୍‌ୱାଲ୍‌କର - ‘ଆଜି ମୁଁ ବଡ଼ ଖୁସି ସତ୍ୟକାମ । ତୁମର ଆତ୍ମବିଶ୍ଵାସ, ଦୃଢ଼ସଂକଳ୍ପ ମୋତେ ମୁଗ୍ଧ କରିଛି । ଏବେବି ତମେ ଯୁବକ । ମୁଁ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମେ ଆହୁରି କୀର୍ତ୍ତି ଅର୍ଜନ କର... ଗଣମାଧ୍ୟମର ଖ୍ୟାତି ଓ ବିଶ୍ୱସନୀୟତା ବଢ଼ୁ । ଅପରାଧ ଧରିବାପାଇଁ ସରକାରଙ୍କ ଅନେକ ଲୋକ, ଅନେକ ସମ୍ବଳ ଅଛି । କିନ୍ତୁ ସେମାନେ ହାତଗୋଡ଼ ବାନ୍ଧି ନିରୁପାୟ ପରି ବସି ରହିଥିବାବେଳେ ତମେ ଏତେଶୀଘ୍ର ଟ୍ରିପଲ୍‌ମର୍ଡ଼ରର ରହସ୍ୟ ଖୋଲିଦେଲ ତାହା ଅପରାଧ ତଦନ୍ତର ମାଇଲସ୍ତମ୍ଭ ହୋଇ ରହିବ । ବର୍ତ୍ତମାନ ଆଉ ତୁମକୁ ମୁଁ ବାରଣ କରିବି ନାହିଁ ବା ତୁମ ବ୍ରେକ୍‌ କଷିବି ନାହିଁ... ତୁମେ ଆଗେଇ ଯାଅ... ଗୋ ଆହେଡ୍‌... ।’

 

ରାତି ଦଶଟା ହେଲାଣି । ଭୋକ କରୁଥିଲା ସତ୍ୟକାମକୁ । ତଲ୍‌ୱାଲ୍‌କରଙ୍କ ପିତୃହୃଦୟ ତାହା ଅନୁଭବ କଲା ଏବଂ ସ୍ୟାଣ୍ଡଉଇଚ୍‌, ସନ୍ଦେଶ ଓ କଫି ମଗାଇଲେ ସେ ।

 

ସତ୍ୟକାମ କହିଲା – ‘ଘରେ ମା’ ଅପେକ୍ଷା କରିଥିବେ... ।’

 

- ‘ମୁଁ ଜାଣେ, କିନ୍ତୁ ଏଇ ମୁହୂର୍ତ୍ତରେ ମୁଁ କ’ଣ ଭାବୁଚି ଜାଣ.. ତମର ଏଇ ସଫଳତା ମୁଁ ପ୍ରଥମେ ସେଲିବ୍ରେଟ୍‌ କରିବି... ମୋତେ ଏଇ ଅଧିକାର ଦିଅ ସତ୍ୟ... ।’

 

ହାତ ବଢ଼ାଇ ଦେଲେ ମୁକ୍ତେଶ୍ଵର । ସତ୍ୟକାମ ଠିଆ ହୋଇପଡ଼ିବାକ୍ଷଣି ତାକୁ ଛାତି ଉପରକୁ ଆଉଜାଇ ନେଇ କହିଲେ – ‘ଆଇ ଏମ୍‌ ପ୍ରାଉଡ଼୍‌ ଅଫ୍‌ ୟୁ..’.

 

ଠିକ୍‌ ଏଇ ସମୟରେ ଟେଲିଫୋନ୍‌ ବାଜିଉଠିଲା । ରିସିଭରଟା ଉଠାଇ ନେଇ କହଲେ ମୁକ୍ତେଶ୍ଵର - ‘ହ୍ୟାଲୋ...’

 

ସେପାଖରୁ ତାଙ୍କ ସ୍ତ୍ରୀଙ୍କ ସ୍ଵର ବାରି ହେଉଥିଲା । କିନ୍ତୁ ସେ କିଛି କହିବାପାଇଁ ଆରମ୍ଭ କରୁଥିବାବେଳେ ଆଉ ଗୋଟେ କ’ଣ ଶବ୍ଦ ହେଲା ଏବଂ ସ୍ତ୍ରୀଙ୍କ ସ୍ଵର ଶୁଣାଗଲା ନାହିଁ । ଟେଲିଫୋନ୍‌ ଲାଇନ୍‌ କଟିଗଲା ଭାବି ଏ ପାଖରୁ ସେ ଫୋନ୍‌କଲେ । ଫୋନ୍‌ ଏନ୍‌ଗେଜ୍‌ ସ୍ଵର ଭାସି ଆସିଲା । ଆଉ ଗୋଟାଏ ଟେଲିଫୋନ୍‌ ନମ୍ବର ଡାଏଲ କଲେ ମୁକ୍ତେଶ୍ଵର । କୌଣସି ଶବ୍ଦ ଶୁଣାଗଲା ନାହିଁ । ଟେଲିଫୋନ୍‌ ଡେଡ଼୍‌ ମନେହେଲା । ଏହାପରେ ସେ ମୋବାଇଲ୍‌ ଫୋନ୍‌ରେ ହାତ ରଖିବାକ୍ଷଣି ସତ୍ୟକାମ କହିଲା, ‘ସାର୍‌ ! କିଛି ଅସ୍ଵାଭାବିକ ମନେହେଉଛି । ଆଉ ସମୟ ନଷ୍ଟ ନ କରି ବରଂ ଗାଡ଼ିନେଇ ଆମେ ସିଧା ଆପଣଙ୍କ ବଙ୍ଗଳାକୁ ଯିବା ଉଚିତ ହେବ । ମୁଁ ପୁଲିସ୍‌ ଷ୍ଟେସନକୁ ସତର୍କ କରିଦେଉଛି... ଚାଲନ୍ତୁ... ଚାଲନ୍ତୁ...’

 

ଆଗପଛ ହୋଇ ତ୍ଵରିତ ପାଦରେ ଆଗେ ଆଗେ ସତ୍ୟକାମ ଓ ପଛେ ପଛେ ମୁକ୍ତେଶ୍ଵର ତଲ୍‌ୱାଲ୍‌କର ଅଫିସ ଭିତରୁ ବାହାରି ଆସିଲେ ।

 

ଡ୍ରାଇଭର ଇଞ୍ଜିନ୍‌ ଷ୍ଟାର୍ଟ କରି ନ ପାରି ଯେତେବେଳେ ନିରୁପାୟଭାବେ ଠିଆ ହୋଇରହିଲା - ତଲ୍‌ୱାଲ୍‌କର ବିରକ୍ତ ହୋଇ କହିଲେ, ‘କ’ଣ ହେଲା, ଏତିକିବେଳେ ଗାଡ଼ି ଷ୍ଟାଟ୍‌ ହେଉନି ଯେ... ।’

 

‘ଆପଣଟିକେ ଅପେକ୍ଷା କରନ୍ତୁ ସାର୍‌... ମୁଁ ଇଞ୍ଜିନ୍‌ ଖୋଲି ଦେଖିବି... ।’

 

କିନ୍ତୁ ସେତେବେଳକୁ ସତ୍ୟର ଡାକ ଶୁଣି ବାହାରି ଆସିଥିଲେ ହୁମାୟୁନ୍‌, ଅର୍କ... ।

 

‘ଅଫିସ୍‌ରେ ସେକେଣ୍ଡ୍ କାର୍‌ଟା ଗଲା କୁଆଡ଼େ ?’

 

‘ଡ୍ରାଇଭର ଖାଇବାକୁ ଯାଇଛି...’ କହିଲା ଦରଓ୍ୱାନ୍‌...

 

- ‘ଓ ! ମାଇଁ ଗଡ୍‌... ତେବେ କ’ଣ କରିବା ଏଇନେ... ?’

 

ସେତେବେଳକୁ ଅଫିସ୍‌ ଭ୍ୟାନଟାକୁ ବାହାର କରି ଆଣିଥିଲା ସତ୍ୟ । ଡ୍ରାଇଭର ପ୍ରସ୍ତୁତ ହୋଇ ରହିଥିଲା । ସମସ୍ତେ ସେଇ ଭ୍ୟାନ୍‌ଭିତରକୁ ପଶିଯିବାକ୍ଷଣି ଗାଡ଼ି ଷ୍ଟାର୍ଟକରି ବାହାରିଗଲା ଗନ୍ତବ୍ୟ ସ୍ଥଳକୁ ।

 

କିନ୍ତୁ ବଙ୍ଗଳା ସାମ୍ନାରେ ପହଞ୍ଚିବାବେଳକୁ ସବୁଆଡ଼ ଅନ୍ଧାରରେ ବୁଡ଼ି ରହିଥିଲା । ଫାଟକ ଖୋଲିବାବେଳେ ପୁଲିସ୍‌ ଜିପ୍‌ ଆସି ପହଞ୍ଚିଲା ସେଠାରେ । ଇନ୍‍ସପେକ୍ଟର ବରାଳବାବୁଙ୍କୁ କହିଲା ସତ୍ୟକାମ - ‘ଘରେ ଲୋକ ଥିଲେ, ଆଲୁଅ ଥିଲା; କିନ୍ତୁ ଦେଖୁଛନ୍ତି ତ ସବୁ ଅନ୍ଧାର । ଚାଲନ୍ତୁ ଭିତରକୁ ଯିବା । ତା’ପରେ ହୁଏତ ଜଣାପଡ଼ିବ ଘର ଅନ୍ଧାର କାହିଁକି ? ସୋରଶବଦ ଶୁଭୁନି କାହିଁକି-?’

 

ଅଭୟ ବରାଳ ପାରଦର୍ଶୀ ଇନ୍‍ସପେକ୍ଟର । ଏଇ ସହରର ଗଳିକନ୍ଦି ତାଙ୍କୁ ଜଣା । ଅପରାଧୀମାନଙ୍କ ଚଳାଚଳ ସମ୍ପର୍କରେ ଖବର ରଖନ୍ତି ସେ । ସେଥିପାଇଁ ରାଜଧାନୀର ବିଭିନ୍ନ ଥାନା ଦାୟିତ୍ୱରେ ଦଶ ବର୍ଷ ରହିଲେ ବି ବଦଳି ହୋଇ ନାହିଁ ।

 

ଅଭୟ ବରାଳ କହିଲେ - ‘ମୋର ତ ସନ୍ଦେହ ହେଉଛି... ଘରୁ ମ୍ୟାଡ଼ାମ୍‌ ଯେତେବେଳେ ଫୋନ୍‌ କରିଥିଲେ କେତେଟା ବାଜିଥିବ ?’

 

-‘ରାତି ଦଶଟା ଦଶ ମିନିଟ୍‌ହେବ... ।’

 

- ‘ଆମେ ଆସି ପହଞ୍ଚିଲୁ ଦଶଟା ପଇଁଚାଳିଶ ମିନିଟ୍‌ରେ... । ଆପଣମାନେ କେତେବେଳେ ପହଞ୍ଚିଲେ ?’

 

-‘ଏଇ ପାଞ୍ଚ ମିନିଟ୍‌ ହେବ... ।’ କହିଲେ ତଲ୍‌ୱାଲ୍‌କର ।

 

ସେମାନେ ଘର ଆଗରେ ପହଞ୍ଚିବା ପରେ ଟର୍ଚ୍ଚ ପକାଇଲେ ବରାଳବାବୁ । ମୁଖ୍ୟ କବାଟ ବନ୍ଦ ଥିଲା । ପାଖକୁ ଯାଇ ଦେଖିଲେ ଦରଜାରେ ତାଲା ଝୁଲୁଛି । ସେ ଆଶ୍ଚର୍ଯ୍ୟ ହେଲେ ଏବଂ ପଚାରିଲେ - ‘ମ୍ୟାଡ଼ାମ୍‌ଙ୍କ ସ୍ୱର ବାରିପାରିଲେ ?’

 

- ‘ହଁ ଇନ୍‍ସପେକ୍ଟର... । କିନ୍ତୁ ସେ ଗୋଟିଏ ଶବ୍ଦ ଉଚ୍ଚାରଣ କରିବା ପୂର୍ବରୁ ତାଙ୍କ କଣ୍ଠସ୍ଵର ଆଉ ଶୁଣାଗଲା ନାହିଁ । ଅତି ନିକଟରେ ବୋଧହୁଏ ଆଉ କେହି ଥିଲେ... କିଛି ଶବ୍ଦ ଶୁଣାଯାଉଥିଲା... ।’ କହିଲେ ମୁକ୍ତେଶ୍ଵର ।

ତାଲା ନ ଭାଙ୍ଗି ଘର ଚାରିପାଖ ବୁଲି ଆସିଲେ ଇନ୍‍ସପେକ୍ଟର । ପଛ ପଟ କବାଟ ବନ୍ଦ ଥିଲେ ବି ଭିତରୁ କିଳିଣି ଦିଆଯାଇ ନ ଥିଲା । ଠେଲିଦବାରୁ ଖୋଲିଗଲା । ତାଙ୍କ ଇସାରା ପାଇ ମୁକ୍ତେଶ୍ଵର ଆସିଲେ ଏବଂ ସେମାନେ ଘର ଭିତରକୁ ପ୍ରବେଶ କଲେ ।

ଘର ଭିତରେ କାହାକୁ ଦେଖିଲେ ନାହିଁ । ଇନ୍‍ସପେକ୍ଟର ବରାଳ କହିଲେ - ‘ବଙ୍ଗଳାରେ ଆଉ କିଏ ରହନ୍ତି ?’

- ‘ମୋ ସ୍ତ୍ରୀ ଏବଂ ଚାକରାଣୀ କୁନ୍ତୀ । ମୟୂରଭଞ୍ଜର ଆଦିବାସୀ ମହିଳା । ବିଶ୍ଵାସୀ ଏବଂ ଅନୁଗତ ।’

- ‘ଆଉ କେହି ?’

- ‘ଡ୍ରାଇଭରର ଡିଉଟି ଶେଷ ହେଲେ ଚାଲିଯାଏ । ପୁଣି ସକାଳ ନଅଟାରେ ଆସେ ।’

ସେମାନେ ପ୍ରତି କୋଠରି ତନ୍ନ ତନ୍ନ କରି ଦେଖିଲେ । କିନ୍ତୁ ପୂଜାଘର ଭିତରକୁ ପ୍ରବେଶ କରି ନ ଥିଲେ । କୁଆଡ଼େ ନ ପାଇ ନିରାଶ ହେବାବେଳେ ବରାଳ କହିଲେ - ଠାକୁରଘର ଖୋଲି ଦେଖିଲେ ଆପଣଙ୍କ ଆପତ୍ତି ଅଛି କି ?’

- ‘ନା, ନା । ମୁଁ ଖୋଲି ଦେଉଛି ।’ ସେ ଶିକୁଳି ଖୋଲି କବାଟ ଫିଟାଇ ଦେଇ ଚିତ୍କାର କରି ଉଠିଲେ -‘ଦେଖନ୍ତୁ ଦେଖନ୍ତୁ ମିଷ୍ଟର ବରାଳ...’’

ସେମାନେ ଦେଖିଲେ ଗୋଟିଏ କୋଣରେ କାନ୍ଥକୁ ଆଉଜି ବସିଥିଲେ ମାଧୁରୀ ତଲ୍‌ୱାଲ୍‌କର । ତାଙ୍କ ସେନ୍‍ସ ନ ଥିଲା ପରି ଲାଗୁଥିଲା ଏବଂ ମୁହଁ ଭିତରେ କନା ଭର୍ତ୍ତିକରି ପଟି ବାନ୍ଧି ଦିଆଯାଇଥିଲା । ସେ ଯେପରି କବାଟ ବାଡ଼େଇ ନ ପାରିବେ ସେଥିପାଇଁ ତାଙ୍କ ଦୁଇ ହାତ, ଦୁଇ ଗୋଡ଼ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରୁ କନାବିଣ୍ଡା କାଢ଼ିଦେଇ ନାକ ପାଖରେ ହାତଦେଇ କହିଲେ ଇନ୍‍ସପେକ୍ଟର ବରାଳ - ‘ନିଶ୍ଵାସ ପ୍ରଶ୍ଵାସ ଯାଉଛି । ଶକ୍‌ ଲାଗିଛି ବୋଧହୁଏ । ଚାଲନ୍ତୁ ୟାଙ୍କୁ ଆଗ ହସ୍‍ପିଟାଲ ନିଆଯାଉ । କିନ୍ତୁ ଚାକରାଣୀ ଗଲା କୁଆଡ଼େ ?’

ମାଧୁରୀଙ୍କୁ ମୁକ୍ତେଶ୍ଵର ସତ୍ୟକାମ ଆଉ ହୁମାୟୁନ୍‍ ମିଶି ବୋହି ନେଇ ଭ୍ୟାନ୍‌ଭିତରେ ରଖିଲେ । ଦୁଇ ଜଣ କନେଷ୍ଟବଳ ଆଉ ସବୁ ଜାଗା ବୁଲି ଆସି କହିଲେ, ‘କୁନ୍ତୀ ତ ମିଳୁନି... ।’’

 

କିନ୍ତୁ ସେତେବେଳକୁ ଖବର ପାଇ ଇଲେକ୍ଟ୍ରିବାଲା ଆସି ଲାଇନ୍‍ସଜାଡ଼ି ଦେଇଥିଲେ । ଆଲୁଅ ଆସିଲା । ସେମାନେ କହିଲେ ଯେ କେହି ଲାଇନ୍‌କାଟି ଦେଇଥିଲା । କିନ୍ତୁ ଗ୍ୟାରେଜ୍‌ ପାଖ ନଡ଼ିଆଗଛ ମୂଳେ କେହି ଜଣେ ଠିଆ ହୋଇଥିବା ଦେଖି ଦୌଡ଼ିଗଲେ ଇନ୍‍ସପେକ୍ଟର ବରାଳ ।

 

କୁନ୍ତୀ ବନ୍ଧା ହୋଇଥିଲା ନଡ଼ିଆ ଗଛରେ । ତା’ ହାତ ଓ ପାଦ ମଧ୍ୟ ବନ୍ଧା ଥିଲା । ମୁହଁ ଭିତରେ ଲୁଗା ଭର୍ଭିକରି ଦୁର୍ବୃତ୍ତମାନେ ପଟି ବାନ୍ଧି ଦେଇଥିଲେ । ତାକୁ ଉଦ୍ଧାର କରାଗଲା ଏବଂ କୁନ୍ତୀକୁ ମଧ୍ୟ ସେଇ ଭ୍ୟାନ୍‌ରେ ନେଇ ଛାଡ଼ି ଆସିଲେ ହୁମାୟୁନ୍‌ ଓ ଅର୍କ ।

 

ସତ୍ୟକାମ କହିଲା- ‘ମୋତେ ତ କେମିତି କେମିତି ଲାଗୁଛି ଇନ୍‍ସପେକ୍ଟର, ଦୁର୍ବୃତ୍ତମାନେ ହୁଏତ ମୁହୂର୍ତ୍ତକପାଇଁ ଭାବିଥିବେ ଏମାନଙ୍କ ଦୋଷ କ’ଣ ? ଏମାନଙ୍କୁ କାହିଁକି ଶାସ୍ତି ଦିଆଯିବ ? ବିବେକର ତାଡ଼ନାରେ ଆଉକିଛି ଅନିଷ୍ଟ ନ କରି ଏଇପରି ନିଃସହାୟ ଅବସ୍ଥାରେ ଛାଡ଼ିଦେଇ ଯାଇଛନ୍ତି । ତା’ପରେ କାଳେ ଆଉ କେହି ଆସି ପହଞ୍ଚିବେ ସେଥିପାଇଁ ତରତରରେ ଚାଲି ଯାଇଥିବେ । ଏକଥା ପରିଷ୍କାର ହେଉଛି ଯେ ସେମାନେ ବଙ୍ଗଳା ଭିତରକୁ ପ୍ରବେଶ କରିବା ପୂର୍ବରୁ ବିଦ୍ୟୁତ୍‌ କାଟି ଦେଇଥିବେ.... । ମ୍ୟାଡ଼ାମ୍‌ ଟେଲିଫୋନ୍‌ ଉଠାଇ କଥା କହିବା ପୁର୍ବରୁ ତାଙ୍କୁ ବିବଶ କରିଦେଇଥିବେ... ଏବଂ ତା’ପରେ ଯାହା ଘଟିଛି ଆମେ ଦେଖିଲୁ... । କିନ୍ତୁ ଚାଲନ୍ତୁ ଆଉ ବିଳମ୍ବ ନ କରି ଆମେ ହସ୍‍ପିଟାଲ ଯିବା ଏମାନଙ୍କର ସେବାଶୁଶ୍ରୂଷା ପାଇଁ ।’’

 

ଦୁଇ ଜଣ କନେଷ୍ଟବେଳଙ୍କୁ ସେଠାରେ ରଖି ସେମାନେ ବାହାରିଗଲେ ହସ୍‍ପିଟାଲ ଅଭିମୁଖେ । କିନ୍ତୁ ଘଣ୍ଟାକ ପରେ ହସ୍‍ପିଟାଲରୁ ଫେରିବା ବାଟରେ ଏଡ଼ିଟର ତଲ୍‌ୱାଲ୍‌କର ଓ ତାଙ୍କ ସହଧର୍ମିଣୀ ମାଧୁରୀ ଓ ପରିଚାରିକା କୁନ୍ତୀଙ୍କୁ ବଙ୍ଗଳାରେ ଛାଡ଼ି ଆସୁଥିବାବେଳେ ଫାଟକ ପାଖରେ ଗୋଟେ ନମ୍ବର ପ୍ଲେଟ୍‌ ପଡ଼ିଥିବା ଦେଖି ଗାଡ଼ି ଅଟକାଇଲେ ଇନ୍‍ସପେକ୍ଟର ।

 

ନମ୍ବରପ୍ଲେଟ୍‌ଟା ଉଠାଇ ନେଇ କୌଣସି ଗାଡ଼ିରୁ ତାହା ଖସିପଡ଼ିଥିବ ଭାବି ଗାଡ଼ି ଭିତରେ ରଖିଲେ । ନମ୍ବର ପ୍ଲେଟ ନ ଥିବା ଗାଡ଼ିକୁ ରୋକିବାପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦେଇ ବିଦାୟ ନବାବେଳେ ସତ୍ୟକାମ କହିଲା, ‘ହୁଏତ ଏଇ ନମ୍ବର ପ୍ଲେଟ୍‌ଟାରୁ କିଛି ସୂଚନା ମିଳିବ ।’

 

- ‘ସେୟା ତ ଆଶା କରୁଛି । ହୁଏତ ସେମାନେ ତରତର ହୋଇ ଚାଲିଗଲାବେଳେ ନମ୍ବର ପ୍ଲେଟ୍‌ଟା ଖସିପଡ଼ିଥିବ... ଆଉ ଏଇଟା ଯେ ଅଟୋରିକ୍ସାର ନମ୍ବର ପ୍ଲେଟ ତାହା ମୁଁ ଅନୁମାନ କରୁଛି-। ଅଟୋ ରିକ୍ସାରେ ଯେ ସେମାନେ ଆସିଥିଲେ ଏଇ ଅନୁମାନ ବର୍ତ୍ତମାନ ଦୃଢ଼ ହେଉଛି ମନରେ ଏବଂ ସେଇ ଅଟୋରିକ୍ସାରେ ଯେ ତିନିଜଣ ଆସିଥିଲେ ତାହା ମଧ୍ୟ ମୁଁ ଅନୁମାନ କରୁଛି ।’

 

ଅଭୟ ବରାଳଙ୍କ ତୀକ୍ଷ୍‍ଣଦୃଷ୍ଟିର ପ୍ରଶଂସା କଲା ସତ୍ୟକାମ ଏବଂ ହାତଘଡ଼ିକୁ ଚାହିଁ କହିଲା - ‘ଗୋଟାଏ ବାଜିବାକୁ ଦଶ ମିନିଟ୍‌ ବାକି... ଏଥର ବିଦାୟ ଦିଅନ୍ତୁ... ଗୁଡ୍‌ମର୍ଣ୍ଣିଂ ।

 

ବରାଳ ହାତ ହଲାଇ କହିଲେ - ‘ଗୁଡ୍‌ମର୍ଣ୍ଣିଂ....’

 

॥ କୋଡ଼ିଏ ॥

 

ସକାଳ ଖବରକାଗଜରେ ‘ନିଉ ଟାଇମ୍ସ୍’ର ଏଡ଼ିଟର୍‍ ମୁକ୍ତେଶ୍ଵର ତଲ୍‍ୱ୍ଵାଲ୍‍କରଙ୍କ ଘର ଉପରେ ଅସାମାଜିକ ଦୁର୍ବୃତ୍ତମାନଙ୍କ ଚଢ଼ଉ ଏବଂ ତା’ ସହିତ ଶ୍ରୀମତୀ ମାଧୁରୀ ତଲ୍‌ୱାଲ୍‌କର ଏବଂ ତାଙ୍କ ଘରର ଚାକରାଣୀ କୁନ୍ତୀଙ୍କ ମୁହଁରେ ପଟି ବାନ୍ଧି କୋଠରି ଭିତରେ ବନ୍ଦ କରିଥିଲେ ଏବଂ ବାହାରୁ ତାଲା ପକାଇ ଉଭାନ୍‌ ହୋଇଯାଇଥିବା ଖବର ସହିତ ସେମାନଙ୍କର ଟେଲିଫୋନ୍‌ ଏବଂ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରିଦେଇଥିଲେ ତାହା ପ୍ରକାଶ ପାଇଲା । ସକାଳର ଖବର ଜାଣିବା ପରେ ‘ନିଉ ଟାଇମ୍ସ୍’ ଅଫିସ୍‌ ଏବଂ ତଲ୍‌ୱାଲ୍‌କରଙ୍କ ବାସଭବନରେ ଟେଲିଫୋନ୍‌ ବାଜିବାକୁ ଲାଗିଲା । ପ୍ରଥମେ ଗୃହସଚିବ ଓ ପୁଲିସ୍‌ ଡିଜି ତାଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ସମବେଦନା ଜଣାଇବା ସହିତ ତାଙ୍କୁ ଆଶ୍ଵାସନା ଦେଲେ ଯେ ସରକାର ସବୁ ଶକ୍ତି ପ୍ରୟୋଗ କରିବେ ଅପରାଧୀମାନଙ୍କୁ ଧରିବା ପାଇଁ । ଶ୍ରୀମତୀ ମାଧୁରୀ ତଲ୍‌ୱାଲ୍‌କରଙ୍କ କୌଣସି କ୍ଷତି ହୋଇ ନାହିଁ ଶୁଣି ସେମାନେ ଆଶ୍ଵସ୍ତ ହେଲେ ।

 

ଫୋନ୍‌ ରଖିବା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଘରୁ ଟେଲିଫୋନ୍‌ ଆସିଲା ଏବଂ ସେ ତଲ୍‌ୱାଲ୍‌କର ଦମ୍ପତିଙ୍କୁ ସମବେଦନା ଜଣାଇବା ସହିତ ସରକାର ସେମାନଙ୍କ ନିରାପତ୍ତା ବ୍ୟବସ୍ଥା ଦୃଢ଼ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଦିଲ୍ଲୀର ‘ନିଉ ଟାଇମ୍ସ୍’ ମୁଖ୍ୟ ଦପ୍ତରରୁ ଏଡ଼ିଟର୍‍ ନରେଶ ଚନ୍ଦ୍ରନ୍‌ ନିଜେ ଏ ବିଷୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସଚିବ ଉଭୟଙ୍କୁ ଜଣାଇ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଅପରାଧର ଚେର କେଉଁଠି ଓ ଅପରାଧୀ କିଏ ତାହା ଠାବ କରିବାପାଇଁ ନିବେଦନ କରିଥିବା ଶୁଣି ମୁକ୍ତେଶ୍ଵର ନରେଶ ଚନ୍ଦ୍ରନ୍‌ଙ୍କୁ କୃତଜ୍ଞତା ଜଣାଇଲେ । ଖବରକାଗଜ କର୍ତ୍ତାମାନଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହା ଯେ ଅପରାଧୀମାନଙ୍କ ଆଉ ଏକ କୌଶଳ ତାହା ପରିଷ୍କାର ହୋଇଗଲା । ଏଇ ଖବର ସହିତ ପାଠକମାନଙ୍କୁ ଏହା ମଧ୍ୟ ଜଣାଇ ଦିଆଗଲା ଯେ ଚହଳ ସୃଷ୍ଟି କରିଥିବା ଟେଣ୍ଡର ଫିକ୍ସିଂ ଓ ଟ୍ରିପଲ୍‌ମର୍ଡର ସମ୍ପର୍କରେ ସଂଗୃହୀତ ତଥ୍ୟ ଆସନ୍ତା କାଲି ପ୍ରଥମ ପୃଷ୍ଠାରେ ଲିଡ଼୍‌ ଷ୍ଟୋରି ହେବ ବୋଲି ମଧ୍ୟ ସଂକେତ ଜଣାଇ ଦେଇଥିଲେ । ନରେଶ ଚନ୍ଦ୍ରନ୍‌ ତଲାଓ୍ୱାଲ୍‍କରଙ୍କୁ ଓ ତାଙ୍କ ସହକର୍ମୀ ସତ୍ୟକାମ, ହୁମାୟୁନ୍‍ ଓ ଅନ୍ୟମାନଙ୍କୁ ଆଗେଇଯିବା ପାଇଁ କହିଲେ ।

 

ଶୋଇବାପାଇଁ ସମୟ ନ ଥିଲା । ଘରେ ପହଞ୍ଚି ଚାରି ଘଣ୍ଟା ବିଶ୍ରାମ କରି ଅଫିସ୍‌ରେ ପହଞ୍ଚିଲେ ସେମାନେ । ଗୋଟିଏ ନିରୋଳା କୋଠରିରେ ବସି ନିବିଘ୍ନରେ କାଲି ସକାଳ କାଗଜର କାହାଣୀ ପ୍ରସ୍ତୁତ କରିବାପାଇଁ ବ୍ୟସ୍ତ ରହିଲେ ।

 

ରାତି ପ୍ରାୟ ବାରଟାବେଳେ ମୁକ୍ତେଶ୍ଵରଙ୍କ ଅନୁମୋଦନ ପରେ ସକାଳ ଖବରକାଗଜପାଇଁ ସେଇ ରିପୋର୍ଟ ଦାଖଲ କରି ଘରେ ପହଞ୍ଚିଲାବେଳକୁ ଗୋଟାଏ ବାଜି ଯାଇଥଲା । କିନ୍ତୁ ଅଫିସ୍‌ ଛାଡ଼ିବା ପୁର୍ବରୁ ମୁକ୍ତେଶ୍ଵର କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରି ଘରକୁ ଯାଇଥିଲେ ।

 

‘ନିଉ ଟାଇମ୍ସ୍’ର ସକାଳ ସହର ସଂସ୍କରଣରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଇଲା - ‘ଟ୍ରିପଲ୍‌ମର୍ଡ଼ର ରହସ୍ୟ ଉନ୍ମୋଚିତ । ଅନୁସନ୍ଧାନରୁ ଏଇ ଘୃଣ୍ୟ ଅପରାଧ ସହିତ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟର କେତେଜଣ ଜଣାଶୁଣା ସମାଜସେବୀ ସମ୍ପୃକ୍ତ ଥିବା ଜଣାପଡ଼ିଛି ।’ ତା’ସହିତ ସେମାନଙ୍କର ଚେର ଯେ ଦିଲ୍ଲୀ, ମୁମ୍ବାଇ ଓ ଦୁବାଇ ପର୍ଯ୍ୟନ୍ତ ଲମ୍ବିଛି ତାହାର ସୂଚନା ଦିଆଯାଇଥିଲା । ଏଇ ଲୋମହର୍ଷକ କାହାଣୀ ପଢ଼ି ସ୍ତବ୍ଧ ହୋଇଗଲେ ପାଠକମାନେ । ସକାଳେ ସବୁଠାରେ ସେଇ ଗୋଟିଏ ଚର୍ଚ୍ଚା - ଭଦ୍ର ବେଶରେ କାମ କରୁଥିବା ନରଘାତକମାନଙ୍କ ମୁଖା ଖୋଲିଦେଇଛି ‘ନିଉ ଟାଇମ୍ସ୍’ । ଏହାପରେ ହୁଏତ ଆହୁରି କେତେକ ଚେଲା-ଚାମୁଣ୍ଡାଙ୍କ ନାମ ମଧ୍ୟ ଜଣାପଡ଼ିବାର ସମ୍ଭାବନା ରହିଛି । ହାଟରୁ ମୁର୍ଗୀ କିଣୁଥିବାବେଳେ ହାରୁ ମିଆଁ କାନ ଦେଇ ଶୁଣୁଥିଲା ଲୋକଙ୍କ କଥା । ସେ ମୁର୍ଗୀ ଆଉ ମାଛ କିଣି ତରତର ହୋଇ ସାଇକେଲ ଧରିଲା ମାଲିକଙ୍କୁ ଏ ଖବର ଦବାପାଇଁ ।

 

ହାରୁ ମିଆଁ ବାଟରୁ ଦୁଇଟା ଖବରକାଗଜ କିଣି ନେଇଗଲା । ବାଟରେ ବିପରୀତ ଦିଗରୁ ଗୋଟେ ପରିଚିତ ଗାଡ଼ି ଆସୁଥିବା ଦେଖି ହାତ ଟେକି ଅଟକାଇଲା ହାରୁ ମିଆଁ । ଇଞ୍ଜିନିୟର ସାହେବଙ୍କ ଗାଡ଼ି । ନୂଆ ଇଣ୍ଡିକାରୁ ଓହ୍ଲାଇପଡ଼ି କହିଲେ - ‘କ’ଣ କିଛି ଖବର ଅଛି ?’ ମିଆଁ କହିଲା - ‘ଏଇ ଖବରକାଗଜ ପଢ଼ିବେ । ବସ୍‌ଷ୍ଟାଣ୍ଡରେ ହାଟପାଖ ବହିଦୋକାନରେ ମିଳୁଛି । ଏଥିରୁ ଜାଣିପାରିବେ ?’

 

-‘କ’ଣ ଛାପିଛି କହୁନୁ ? ଉତ୍କଣ୍ଠିତ ସ୍ୱରରେ ପଚାରିଲେ ଇଞ୍ଜିନିୟର ବ୍ରହ୍ମେଶ୍ଵର ପାଲିତ ।

 

- ‘ଟ୍ରିପଲ ମର୍ଡ଼ର ରହସ୍ୟ ଉଦ୍‌ଘାଟନ କରିଛି ‘ନିଉ ଟାଇମ୍ସ୍’ । ଅନେକ ଲୋକଙ୍କ ନାମ ମିଳିଛି... ।’

 

ତାକୁ ଆଉ କହିବାକୁ ନ ଦେଇ ସେ କହିଲେ - ‘ସେଇ ଶଳା ମାଷ୍ଟରର କାଣ୍ଡ ! ତା’ ମୁହଁ ବନ୍ଦ କରିଦବାକୁ କହିଥିଲି ତୋତେ । ପାଦତଳେ ଘାସ ବଢ଼ିବାକୁ ଦିଅନ୍ତି ମୂର୍ଖ ଗଧମାନେ... । ହଉ ତୁ ଯା... । ମୁଁ ଟିକେ ପରେ ଅଖ୍‍ତାର ସାହେବଙ୍କ ଉଆସରେ ପହଞ୍ଚିବି ।

 

‘‘ବ୍ରହ୍ମେଶ୍ଵର ପାଲିତ ଚାଲିଯିବା ପରେ ପୁଣି ସାଇକେଲ ଚଳାଇଲା ହାରୁ ମିଆଁ । ଏହାପରେ କ’ଣ ଘଟିବ ତାହା ଜଳ ଜଳ ଦିଶିଯାଉଛି । ସାହେବଙ୍କୁ ଛାଡ଼ି ସେ ବା ପଳାଇବ କିପରି-? ତାଙ୍କୁ ଜବାବ ଦେଇଛି । ତାଙ୍କରି ଅନ୍ନ ଖାଇ ତାଙ୍କରି ହାରାମି କରିବା ଆଲ୍ଲା ସହିବେ ନାହିଁ । କ’ଣ ଘଟିପାରେ ସେଇକଥା ଭାବି ଝାଳେଇଗଲା ହାରୁ ମିଆଁ । କିନ୍ତୁ ଗଡ଼ିଯାଇଥିବା ପାଣିକୁ ତ ଲେଉଟାଇ ଆଣି ହୁଏ ନାହିଁ । ସାହେବ କିଛି ନା କିଛି ବୁଦ୍ଧି କରିବେ ନିଶ୍ଚୟ ପୁଲିସ୍‍ ହାତରୁ ରକ୍ଷା ପାଇବା ସକାଶେ ।

 

ହାରୁ ମିଆଁ ପହଞ୍ଚିବା ପୂର୍ବରୁ ଟେଲିଫୋନ୍‌ରେ ଆଉ କେହି କହିଥିଲା ଖବରକାଗଜରେ କ’ଣ ସବୁ ବାହାରିଛି ଅଖ୍‍ତାର ସାହେବଙ୍କୁ । ହାରୁକୁ ଫେରିବା ଦେଖି ସେ ହାତଠାରି ଡାକିଲେ ଉପରକୁ ଯିବାପାଇଁ । ହାରୁ ମିଆଁ ଉପରେ ପହଞ୍ଚିବାକ୍ଷଣି ଭିତରକୁ ଡାକିନେଲେ ଅଖ୍‍ତାର ସାହେବ ଏବଂ ଭିତରୁ କବାଟ ବନ୍ଦ କରିଦେଲେ । ଖବରକାଗଜ ପଢ଼ିଲେ ଏବଂ କଥା ଯେ ଅନେକ ଆଗେଇ ଗଲାଣି ତାହା ତାଙ୍କୁ ଚିନ୍ତାରେ ପକାଇଦେଲା । ସବୁ ଶଳା ଚୋର । ପୁଲିସ୍‍ବାଲାଙ୍କୁ ଟଙ୍କା ଦେଇଥିଲେ ମୁହଁ ବନ୍ଦ କରିବାପାଇଁ । ସେଇ ନୂଆ ଅଫିସରଟା ସଇତାନ କା ବଚ୍ଚା । ନ ହେଲେ ଟଙ୍କା ବି ନେଲା କିନ୍ତୁ କାମ କିଛି କଲା ନାହିଁ । ଦୁବାଇ ସହିତ ତାଙ୍କ ସମ୍ପର୍କ ସମ୍ବନ୍ଧରେ ସେ ସିବିଆଇକୁ କହିଥିବ ନିଶ୍ଚୟ । ସିଆଇଡ଼ିକୁ ଧରିଥିଲେ ସେ । କିନ୍ତୁ ସବୁଠାରୁ ଖତରନାକ ସିବିଆଇ ହାତରେ କେସ୍‌ ପଡ଼ିବ ବୋଲି କିଏ ଜାଣିଥିଲା ? ସ୍ଵର ନୀଚ କରି କହିଲେ, ‘‘ମନ୍ତ୍ରୀଟା ବି ମାଇଚିଆ, ତା’ପାଇଁ ଘର ତୋଳି ଦେଇଥିଲି, ଜମି କିଣି ଦେଇଥିଲି, ତଥାପି ସେ ଚୁପ୍‌ହୋଇ ବସିରହିଲା କିଛି ନ ଜାଣିବା ପରି । ଧୁଆ ତୁଳସୀ ପରି ଅଭିନୟ କରୁଛି ସୁଆର୍‌କା ବଚ୍ଚା !’’

 

ଦୁହେଁ ନିରୋଳା ଓ ନିଭୃତରେ ଅନେକ ସମୟ କଥାବାର୍ତ୍ତା ହେଲେ । ଶେଷରେ ନିଷ୍ପତ୍ତି ହେଲା ହାରୁ ମିଆଁ କିଛିଦିନ କଲିକତା କିମ୍ବା ମୁର୍ଶିଦାବାଦ ପଳାଇଯିବ । ଦରକାର ହେଲେ ଆସାମ ଚାଲିଯିବ । କାରଣ ସେ ଧରାପଡ଼ିଗଲେ ବ୍ରହ୍ମେଶ୍ଵର ବା ସେ ନିଜେ ଟ୍ରିପଲ ମର୍ଡ଼ର କେସ୍‌ରୁ କେହି ବର୍ତ୍ତିପାରିବେ ନାହିଁ । ଆଉ ସେଇ ଦିଲ୍ଲୀବାଲା ରାଜାସାହେବଙ୍କ ଆଉ ଦେଖା ମିଳୁନି । ସେ କେଉଠିଁ ଅଛନ୍ତି କିଛି ପତ୍ତା ମିଳୁନି । ମୋବାଇଲରେ ଯେତେ ଫୋନ୍‌କଲେ ବି ସଂଯୋଗ ହେଉନି, ସବୁବେଳେ ସେଇ ଗୋଟିଏ ଉତ୍ତର- ସୁଇଚ୍‌ ଅଫ୍‍ ଅଛି ।

 

ଅଖ୍‍ତାର ସାହେବ ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାପାଇ ସ୍ଥିର କଲେ । ମୁଖ୍ୟଙ୍କୁ ବାଙ୍ଗାଲୋର ଘରଟା ଦେଇ ଯଦି ଏ ମାମଲାରୁ ମୁକ୍ତି ମିଳେ ତେବେ ତାହାହିଁ କରିବେ । ତାଙ୍କ କଥାମାନି ହାରୁ ମିଆଁ ସେଇ ରାତିରେ ମାନ୍ଦ୍ରାଜ ମେଲ୍‌ରେ କଲିକତା ଚାଲିଗଲା । ଘରେ ଥିବା କେତେକ ବ୍ୟାଙ୍କ୍ କାଗଜ ଅନ୍ୟ ଜାଗାକୁ ପଠାଇଦେଲେ ।

 

ଇଞ୍ଜିନିୟର ବ୍ରହ୍ମେଶ୍ଵର ପାଲିତ ମଧ୍ୟ କିଛି ସମୟ ମଧ୍ୟରେ ଆସି ପହଞ୍ଚିଲେ । ସେ ପହଞ୍ଚିବାକ୍ଷଣି ତାଙ୍କ ମୁହଁକୁ ଚାହିଁଦେଇ ଚମକି ପଡ଼ିଲେ ଶେଖ୍‌ ଅଖ୍‍ତାର । ବ୍ରହ୍ମେଶ୍ଵର ପାଲିତ ଖବରକାଗଜ ପଢ଼ିବା ପରେ ଆଉ ଚିଫ୍‌ ଇଞ୍ଜିନିୟରଙ୍କ ଘରକୁ ନ ଯାଇ ସିଧା ଆସି ପହଞ୍ଚିଲେ ଅଖ୍‍ତାର ସାହେବଙ୍କ କୋଠିରେ ।

 

ଶେଖ୍‌ କହିଲେ - ‘‘ଏତିକିରେ ଯଦି ପିଳେହି ପାଣି ହୋଇଯାଉଛି ଇଞ୍ଜିନିୟର ସାହେବ, ତେବେ ଆପଣ ବଡ଼ ବଡ଼ କାମ କରିବେ କିପରି ? ବ୍ରିଜ୍‌ଟା ନିର୍ମାଣ କଲେ ଆପଣ । କିନ୍ତୁ ବ୍ରିଜ୍‌ ଯଦି ଖସିପଡ଼େ ତେବେ ଆପଣଙ୍କ ଦୋଷ କ’ଣ ? ଲାଗିଥିବା ଲୁହାଛଡ଼ରେ ଗଲତି ଥାଇପାରେ । ସିମେଣ୍ଟ କମ୍ପାନୀ କ୍ୱାଲିଟି ସିମେଣ୍ଟ ନ ଦେଇ ଠକି ଥାଇପାରେ । ଠିକାଦାର ଯେ ନିର୍ଦ୍ଦେଶ ଅନୁସାରେ କାମ କରିନାହିଁ ଏୟା ତ ଆପଣ ସବୁବେଳେ ନିଃସଂକୋଚରେ କହିପାରିବେ । ତେବେ ଟ୍ରିପଲ ମର୍ଡର ବିଷୟରେ ଏତେ ବିଚଳିତ ହେବାର କାରଣ କ’ଣ ? ସେମାନେ ସ୍ଵର୍ଗରେ ବେଶ୍‌ ନିରାପଦରେ ଥିବେ... ।’’

 

ଅଖ୍‍ତାରଙ୍କ ଆଖି ଦୁଇଟି ନିଆଁହୁଳା ପରି ଜଳୁଥିଲା ସେତେବେଳେ । ସେ ଯେ ସିବିଆଇକୁ ମଇଦାନ ଛାଡ଼ି ପଳାଇଯିବେ ନାଇଁ ଏୟା ତାଙ୍କ ମୁହଁରୁ ସୂଚନା ମିଳୁଥିଲା ।

 

ବ୍ରହ୍ମେଶ୍ଵର କହିଲେ - “ଆପଣ ଯାହା କହିଲେ ଏସବୁ କଥା ତ ଅଛି । କାରଣ ଅନେକ ଥାଇପାରେ । ଏହା ଉପରେ ବି ପ୍ରାକୃତିକ କିଛି ଘଟିଲେ ଇଞ୍ଜିନିୟର ଦାୟୀ ନୁହେଁ । କିନ୍ତୁ ଶେଖ୍‌ ସାହେବ, ଆପଣ ଭୁଲି ଯାଉଛନ୍ତି ଯେ ଟ୍ରିପଲ ମର୍ଡରର ମୁଖ୍ୟ ଅପରାଧୀକୁ ଠାବ କରିବାରେ ଯଦି ପୁଲିସ୍‍ ସଫଳ ହୁଏ ତେବେ କ’ଣ ହେବ ? ହାରୁ ମିଆଁକୁ କେଉଁଠାରେ ଲୁଚାଇ ରଖିବେ ଆପଣ ? ବରଂ ସବା ଉପର ଲୋକଙ୍କୁ ଧରନ୍ତୁ । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିପାଁ କଳି । ଉପରୁ ଯଦି ନିର୍ଦ୍ଦେଶ ଆସେ ଆଉ ଅନୁସନ୍ଧାନ ନ କରି ଯେତିକି ହେଲା ସେଇଠି ବନ୍ଦ ହୁଏ, ତେବେ ପ୍ରମାଣ ଅଭାବରେ ଆଉ ଅଗ୍ରସର ହେବା ସମ୍ଭବ ନୁହେଁ ବୋଲି ପୁଲିସ୍‌ କହିବ ଏବଂ ଟ୍ରିପଲ୍‌ ମର୍ଡର ସିବିଆଇ ଫାଇଲ୍‌ ଭିତରେ ରହିଯିବ । ଶୀତଳ ଭଣ୍ଡାରରେ ସରକାରଙ୍କ ଅନେକ କଙ୍କାଳକୁ ଗୋପନରେ ନିରାପଦରେ ସାଇତି ରଖାଯାଇଛି । ରାଜନେତାମାନେ ପଙ୍କ ଢାଙ୍କି ଉପର ପାଣିକୁ ନିର୍ମଳ ରଖିବା କୌଶଳ ଜାଣନ୍ତି । ଆପଣ ଆଉ ବିଳମ୍ବ ନ କରି ନିଜେ ଧରନ୍ତୁ ଉପରବାଲାକୁ । ଆପଣଙ୍କ ସାହାଯ୍ୟରୁ ଦଳ ଚାଲୁଛି । ପୁଣି ବରଷେ ପରେ ନିର୍ବାଚନ । ସେତେବେଳେ କୋଟି କୋଟି ଟଙ୍କା କିଏ ଦବ ?’’

 

ଶେଖ୍‍ ସାହେବ ଇଞ୍ଜିନିୟରଙ୍କ ବୁଦ୍ଧିର ତାରିଫ୍‌ କରି କହିଲେ, “ମୁଁ ଯେ ଏ ବିଷୟରେ ଭାବି ନାଇଁ ତାହା ନୁହେଁ । ମେହଫିଲକୁ ତ ସେଥିପାଇଁ ସେମାନଙ୍କୁ ନିମନ୍ତ୍ରଣ କରିଛି । କବାଲି ଚାଲିଥିବାବେଳେ ମୁଁ ମୁଖ୍ୟଙ୍କୁ ନେଇଯିବି ଉପର ମହଲାକୁ । ସେଠାରେ ମନୋରଞ୍ଜନର ସବୁ ବ୍ୟବସ୍ଥା ହୋଇଥିବ । ସେଇଠି କାବୁ କରିବାପାଇଁ ସୁବିଧା ହେବ.... ।’

 

- ‘ତା’ହେଲେ ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ କହନ୍ତୁ ?’

 

- ‘ଆପଣ ସେଇ କଲିକତି ମାଲ୍‌ ଯୋଗାଡ଼ କରନ୍ତୁ । ପୁରୁଣା ନୁହଁ - ନୂଆ ମାଲ ଆଣନ୍ତୁ-। ସାବଧାନ ! ତାକୁ ଏଠାକୁ ଆଣିବେ ନାହିଁ । ରାଜଧାନୀର କୌଣସି ହୋଟେଲ ନିରାପଦ ନୁହେଁ । ଶତ୍ରୁ ଛକି ବସିଛି... । ତାକୁ ପାରାଦ୍ୱୀପ ହୋଟେଲ ଗ୍ଲାମୋରରେ ରଖିବାପାଇଁ ମୁଁ ସବୁ ବ୍ୟବସ୍ଥା କରିଛି । ଟେଲିଫୋନ୍‌ରେ କାହା ସହିତ ଏ ବିଷୟରେ କଥାଭାଷା କରିବା ନିରାପଦ ନୁହେଁ-। ଦରକାର ହେଲେ ଆପଣ ନିଜେ ଯାଆନ୍ତୁ ସନ୍ଧ୍ୟା ଫ୍ଲାଇଟ୍‌ରେ । ସକାଳ ଫ୍ଲାଇଟ୍‌ରେ ଚିତ୍ରାକୁ ନେଇ ଫେରିବେ, ଯଦି ଆଉ କେହି ନୂଆ ମାଲ୍‌ ଆଣିଥାଏ ତେବେ ଖର୍ଚ୍ଚକୁ ନ ଡରି ତାକୁ ବି ନେଇ ଆସିବେ ।’

 

ବ୍ରହ୍ମେଶ୍ଵର ପାଲିତ ଉଠୁଥିଲେ, କିନ୍ତୁ ତାଙ୍କୁ ବସିବାକୁ କହି ଶେଖ୍‌ ଅଖ୍‍ତାର କହିଲେ - ‘ହଁ, ଆପଣଙ୍କ ବଙ୍ଗଳାରେ ଏପରି କିଛି ନଗଦ ଟଙ୍କା ଓ ମୂଲ୍ୟବାନ୍‌ ଅଳଙ୍କାର ରଖନ୍ତୁ ନାହିଁ ଯାହା ତଲାସି ନେଲେ ସେମାନେ ସିଜ୍‌ କରିବେ । କାଗଜପତ୍ର ହଟେଇ ଦିଅନ୍ତୁ । ଟଙ୍କା ସୁନା ବି ବାହାରେ କେଉଁଠି ରଖନ୍ତୁ । ଯେଉଁ ଦୁଇଟା ପ୍ଲଟ ରାଜଧାନୀରେ ଅଛି ଏହା ତ ଆପଣଙ୍କ ଶାଳୀ ଓ ଶଳାର ଶ୍ଵଶୁର ନାମରେ ଅଛି ନା ? ସେମାନଙ୍କୁ କହିବେ ସେମାନେ ସମ୍ପର୍କୀୟମାନଙ୍କଠାରୁ ୠଣ କରି ପ୍ଲଟ କିଣିଥିଲେ । ଇନ୍‌ କମ୍‌ ଟ୍ୟାକସ୍‌ ଡିପାର୍ଟମେଣ୍ଟକୁ ଡର ନାହିଁ । ସେମାନଙ୍କ ଆଖିରେ ଧୂଳି ଦବାପାଇଁ ସ୍ଵତନ୍ତ୍ର ଲୋକ ଅଛି ।’

 

ଇଞ୍ଜିନିୟରଙ୍କ ଦେହରୁ ଝାଳ ବୋହି ଯାଇଥିଲା ଏସବୁ ଶୁଣିଲାବେଳେ । ସାମ୍ନାରେ ଥୁଆ ହୋଇଥିବା ‘‘ବ୍ଲାକ୍‌ନାଇଟ୍‌’ରୁ ଚାମୁଚେ ମଧ୍ୟ ଜିଭରେ ଲାଗି ନ ଥିଲା । ଇଚ୍ଛା ନ ଥିଲା ପିଇବାପାଇଁ । ତଥାପି ଜୋର କରି ସେତକ ପିଆଇ ଦେଲେ ଅଖ୍‍ତାର ଏବଂ ବ୍ରହ୍ମେଶ୍ଵର ପାଲିତ ଚାଲିଯିବା ଆଗରୁ ତାଙ୍କ ହାତକୁ ଗୋଟେ ପ୍ୟାକେଟ୍‌ ବଢ଼ାଇ ଦେଇ କହିଲେ, ‘କଲିକତା ଖର୍ଚ୍ଚପାଇଁ ଏଥିରେ କୋଡ଼ିଏ ହଜାର ଅଛି... ।’

 

ବ୍ରହ୍ମେଶ୍ଵର ପାଲିତ ପୂର୍ତ୍ତ ବିଭାଗରେ ଯୋଗଦବା ଦିନ ତାଙ୍କ ବାପାଙ୍କ କଥା ମାନି ଚଳି ଆସୁଛନ୍ତି । ସଂଯୋଗବଶତଃ ହିମେଶ୍ୱର ସେଇ ପୂର୍ତ୍ତ ବିଭାଗର କିରାଣିଭାବେ ଯୋଗ ଦେଇ ହେଡ୍‌ ଆସିଷ୍ଟାଣ୍ଟଭାବେ ଅବସର ନେଲେ । ଏଇ ସାମାନ୍ୟ କିରାଣି ଚାକିରି କରି ସେ ପାଞ୍ଚ ଝିଅଙ୍କୁ ଭଲ ଭଲ ପାତ୍ର ହାତରେ ସମର୍ପଣ କରିଥିଲେ । ଯୌତୁକ ଦବାରେ କାର୍ପଣ୍ୟ କରି ନ ଥିଲେ ବୋଲି ଦୁଇ ଜ୍ୱାଇଁ ଇଞ୍ଜିନିୟର, ଜଣେ ଡାକ୍ତର, ଜଣେ ଅବକାରୀ ଅଫିସର ଏବଂ ଆଉଜଣେ ବାଣିଜ୍ୟକର ଅଫିସର । ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ବିଶ୍ଵବିଦ୍ୟାଳୟର କୃତୀଛାତ୍ର ଏବଂ ଏମ୍‌.ଏସ୍‌ସି.ରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ୱର୍ଣ୍ଣପଦକ ପାଇବା ପରେ କଲିକତା ବୁଲି ଯାଇଥିଲା । ବେଲୁଡ଼ ମଠରେ କ’ଣ ଦେଖିଲା କେଜାଣି ପରେ ବାପା ଶୁଣିଲେ ଯେ ପୁଅ ରାମକୃଷ୍ଣ ମିସନରେ ଯୋଗ ଦେଇ ସେବାବ୍ରତ ସାଧନା କରୁଛି ଏବଂ ବାପା ମା’ଙ୍କ ଅବାଧ୍ୟ ହୋଇ ସନ୍ନ୍ୟାସ ନେଇଥିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି । ହିମେଶ୍ୱର ଏବେବି ବଡ଼ ପୁଅ କଥା ଭାବନ୍ତି । ସୁଖମୟ ଭୋଗମୟ ଜୀବନ ଛାଡ଼ି ପୁଅ କେଉଁ ଦୁଃଖରେ ବୈରାଗୀ ହୋଇଗଲା ତାହା ଭାବି ଭାବି ଥଳକୂଳ ପାଆନ୍ତି ନାହିଁ । ବ୍ରହ୍ମେଶ୍ଵର ବଡ଼ଭାଇର ଠିକ୍‌ ବିପରୀତ । ବାଳକ ବୟସରୁ ବିଷୟୀ । ସେଇ ପୁଅ ଯେ ଦିନେ ତିନିଟା କୋଠା, ଚାରିଟା ପ୍ଲଟ ଏବଂ ପଚାଶ ଲକ୍ଷ ଟଙ୍କାର ଅଳଙ୍କାର ଏବଂ କୋଟିଏ ଟଙ୍କାର ବ୍ୟାଙ୍କ୍ ବାଲାନ୍‍ସର ମାଲିକ ହେବ ତାହା ସ୍ଵଚକ୍ଷୁରେ ଦେଖି ଈଶ୍ଵର ଐଶ୍ଵର୍ଯ୍ୟରୂପେ ତାଙ୍କ ଘରେ ବିରାଜମାନ କରିଥିବା କଥା ମନକୁ ମନ କହନ୍ତି ।

 

ସନ୍ଧ୍ୟା ଗଡ଼ିଯାଇଥାଏ । ବ୍ରହ୍ମେଶ୍ଵର କଲିକତା ଯିବା କଥା ବାପାଙ୍କୁ କହିଲେ, ତା’ ସହିତ ଏହା ବି କହିଲେ ଯେ ବିରୋଧୀମାନେ ଚୁଗୁଲି କରୁଛନ୍ତି । ଯଦି ପୁଲିସ୍‌, ଭିଜିଲାନ୍ସ ବିଭାଗରୁ କେହି ଆସନ୍ତି ତେବେ ସାବଧାନତା ସହିତ ସେମାନଙ୍କର ଚର୍ଚ୍ଚା କରିବ । ଠାକୁର ଖଟୁଲି ଭିତରେ ପାଞ୍ଚ ଲକ୍ଷ ଟଙ୍କା ଓ କେତେକ ମୂଲ୍ୟବାନ୍‌ ଦଲିଲ ରହିଛି । ତାହା ଯେପରି ସୁରକ୍ଷିତ ରହେ ସେ ଦିଗରେ ସଜାଗ ରହିବାପାଇ ମଧ୍ୟ ବାପାଙ୍କୁ କହିଗଲେ ।

 

ପୁଅ ଚାଲିଯିବା ପରେ ହିମେଶ୍ୱର ପୁଅର ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ସେ ହାତଯୋଡ଼ି ଇଷ୍ଟଦେବଙ୍କୁ ସ୍ମରଣ କଲେ ଏବଂ ପୁଅର ସର୍ବମଙ୍ଗଳ କାମନା କରିବା ସହିତ ବିରୋଧୀଙ୍କ କବଳରୁ ତାକୁ ରକ୍ଷା କଲେ ସାହିର ଗୌରାଙ୍ଗ ମନ୍ଦିରର ସବୁଆଡ଼େ ମାର୍ବଲ ବିଛାଇ ଦେବେ ବୋଲି ମନସ୍କାମନା ମଧ୍ୟ ଜଣାଇଲେ । ପ୍ଲେନ୍‌ ଟିକେଟ ନ ମିଳିବାରୁ ପୁରୀ ଏକ୍ସପ୍ରେସ୍‌ରେ ବ୍ରହ୍ମେଶ୍ଵର କଲିକତା ଚାଲିଗଲେ ।

 

ରାତି ପାହି ଆସୁଥିବା ପରି ଲାଗୁଥିଲା ହିମେଶ୍ୱରଙ୍କୁ । କବାଟରେ ଖଟ ଖଟ ଶବ୍ଦ ଶୁଣି ଭାବିଲେ କେହି ଠିକାଦାର ବୋଧହୁଏ ନରାଜ ଇଲିସି ପଠାଇଥିବ । ନୋହିଲେ ଏଇ ବଡ଼ିଭୋରରୁ କିଏ ଡାକନ୍ତା ! ହୁଏତ ଆଉ କିଛି ବି ଆଣିଥିବ । ଚାନ୍ଦମୋହନ ମହାନ୍ତି ଠିକାଦାରକୁ ସେ ହାଡ଼େ ହାଡ଼େ ଚିହ୍ନନ୍ତି । କୋଟିପତି । ତା’ ନରମ କଥାରେ ନ ଭୁଲି ପାଉଣା ଠିକ୍‌ଭାବେ ଆଦାୟ କରିନବାପାଇଁ ପୁଅକୁ ଚେତାଇ ଦେଇଥିଲେ । ସେ ତ ହାତରୁ ଦେଉ ନାହିଁ, ରାସ୍ତାପାଇଁ ସରକାର ମଞ୍ଜୁର କରିଥିବା କୋଟିଏ ଟଙ୍କାରୁ କୋଡ଼ିଏ ଲକ୍ଷ ଆଗ ଦେଇଯାଉ । ସେଥିରେ ରାଜି ନ ହେଲେ ସେ କ’ଣ ଟେଣ୍ଡର ଫର୍ମ ପାଇଥାନ୍ତା ନା ତା’ ନାମ ଉଠିଥାନ୍ତା ସମସ୍ତଙ୍କ ଆଗରେ । ତାଙ୍କ ସମୟରେ ଟେଣ୍ଡର ଫିକ୍ସିଂ ବିଦ୍ୟା କେହି ଜାଣି ନ ଥିଲେ । କିନ୍ତୁ ପୂର୍ତ୍ତବିଭାଗ ଖର୍ଚ୍ଚ ଏଇ କେତେବର୍ଷ ମଧ୍ୟରେ ଶହେଗୁଣ ବଢ଼ିବା ସହିତ ଏଇ ନୂଆ କୌଶଳଟି ମଧ୍ୟ ଠିକାଦାର ଓ ଇଞ୍ଜନିୟରମାନେ ସଲାସୁତୁରା କରି ପକ୍କା କରିନେଇଛନ୍ତି । ଟେଣ୍ଡର ଫିକ୍ସିଂରେ ବାଧାଦବାପାଇଁ ଆଉ ଗୋଟେ ଗୋଷ୍ଠୀ ଗଢ଼ିଥିଲେ ସେଇ ତିନିଜଣ । କାହା କଥା ନ ମାନି ଜଣେ କଟକ - ପାରାଦ୍ଵୀପ ରାସ୍ତା ମରାମତି କାମ, ଆଉଜଣେ ତାଳଦଣ୍ଡା କେନାଲ ଘାଇ ମରାମତି କାମ, ଆଉଜଣେ ନୂଆ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ କୋଠା କାମ ଠିକା ନବାପାଇଁ ଟେଣ୍ଡର ପକାଇବାପାଇଁ ଜିଦ୍‌ କରି ବାହାରିଗଲେ କିନ୍ତୁ ଆଉ ଫେରିଲେ ନାହିଁ । ଜଣେ କଟକରୁ ଭୁବନେଶ୍ୱର ଆସିବାବେଳେ କାଠଯୋଡ଼ି ପୋଲ ପାରିହେବା ପୂର୍ବରୁ ଆତତାୟୀ ଗୁଳିରେ ମଲା, ଆଉ ଜଣେ ତାଳଦଣ୍ଡା କେନାଲ ଡିଭିଜନ ଅଫିସ ଷ୍ଟୁଆର୍ଟ ସ୍କୁଲ ପାଖରେ ଆତତାୟୀ ଗୁଳିରେ ଏବଂ ତୃତୀୟ ଜଣକ ଶିରୀପୁର ଛକ ପାଖରେ ଟ୍ରକ୍‌ଧକ୍କା ଖାଇ ବଳି ପଡ଼ିଲା । ଆତତାୟୀଙ୍କ ନିଶାଣ ଅବ୍ୟର୍ଥ ଥିଲା - ଏହି ବିଷୟ ପ୍ରସାରିତ ହେବାପରେ ହଇଚଇ ପଡ଼ିଗଲା ରାଜଧାନୀରେ ଠିକାଦାର ଓ ଇଞ୍ଜିନିୟର ମହଲରେ । ସରକାର ସିଆଇଡ଼ିକୁ ନିର୍ଦ୍ଦେଶ ଦେଲେ ଅନୁସନ୍ଧାନ କରି ଅପରାଧୀଙ୍କୁ ଧରିବାପାଇଁ । ଆତଙ୍କ ଖେଳିଗଲା ଇଞ୍ଜିନିୟର ଓ ଠିକାଦାରମାନଙ୍କ ମଧ୍ୟରେ । ବିରୋଧୀ ଦଳ ବିଧାନସଭା ଅଧିବେଶନ ବର୍ଜନ କରି ପ୍ରତିବାଦ ଜଣାଇଲେ ।

 

ସେଇଦିନୁ ଛାତି ଧଡ଼୍‌ ଧଡ଼୍‌ କରୁଛି ହିମେଶ୍ୱରଙ୍କ । ବୟସ ହେଲାଣି । ପଞ୍ଚସ୍ତରି ଚାଲିଛି । ଏ ବୟସରେ ପୁଅର ଦୁର୍ଗତି ଦେଖି ସହିପାରିବେ ନାହିଁ । ସେଥିପାଇଁ ଠାକୁରଙ୍କୁ ଭୋଗ ଯାଚନ୍ତି, ତାଙ୍କ କାମ କରିବାପାଇଁ ହାତ ଖୋଲି ଖର୍ଚ୍ଚ କରନ୍ତି ।

ପୁଣି ଠକ୍‌ ଠକ୍‌ ଶବ୍ଦଶୁଣି ବ୍ୟସ୍ତହୋଇ ହିମେଶ୍ୱର ଚାଲିଆସିଲେ କବାଟ ଖୋଲିବା ପାଇଁ-। ଯେମିତି କବାଟ ଖୋଲିଛନ୍ତି ଭିତରକୁ ଦୁଇ ଜଣ ପୁଲିସ୍‍ ଅଫିସର ପ୍ରବେଶ କରି ଖୋଜିଲେ ବ୍ରହ୍ମେଶ୍ଵରଙ୍କୁ ।

ହିମେଶ୍ୱର ଥତମତ ହୋଇଗଲେ । ହଠାତ୍‌ ତୁଣ୍ଡ ଖନି ମାରିଗଲା ।

ସେ ବିନୟ ଭାବ ପ୍ରକାଶ କରି କହିଲେ - ‘ବସନ୍ତୁ ସାର୍‌, ବସନ୍ତୁ ସାର୍‌... ମୁଁ ଚା’ ଆଣେ... ତା’ପରେ କହିବି... ବେଳ ଗଡ଼ିଯାଉନି ।’

ଜଣେ ଅଫିସର ହାତ ଧରିପକାଇ କହିଲେ - ‘‘ମଉସା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ... ବର୍ତ୍ତମାନ ଚା’ ନୁହେଁ । କେବଳ ବ୍ରହ୍ମେଶ୍ୱରବାବୁଙ୍କୁ ଲୋଡ଼ା...।’

ହିମେଶ୍ୱର କିନ୍ତୁ ଡରିଯାଇ କହିଲେ, ‘କ’ଣ ଅଘଟଣ କିଛି ଘଟିଛି... ଏତେ ପୁଲିସ୍‌... ଆପଣମାନେ ?’

ସେଇ ବରିଷ୍ଠ ଅଫିସର କହିଲେ - ‘ମୁଁ ପୁଲିସ୍‌ ବିଭାଗ ଡିଏସ୍‍ପି, ଇଏ ହେଉଛନ୍ତି ଆୟକର ବିଭାଗ ଅଫିସର, ଇଏ ଭିଜିଲାନ୍‍ସ ଅଫିସର । ଏମାନେ ସବୁ ଆମ ଅଫିସର ଇନ୍‍ସପେକ୍ଟର ଏବଂ ପୁଲିସ୍‍ ଦଳ... ।’

ହିମେଶ୍ୱରଙ୍କ ପାଦ ନଡ଼ବଡ଼ ହେଲା । ସେ କବାଟ ଧରି ପକାଇ କହିଲେ - ‘ହେ ଈଶ୍ଵର !’ ତାଙ୍କୁ ଆଶ୍ଵାସନା ଦେଇ ପଚାରିଲେ ଡିଏସ୍‍ପି ନିରାକାର ସେନାପତି - ‘ବ୍ରହ୍ମେଶ୍ଵର ବାବୁ କାହାନ୍ତି ?’’

 

ହିମେଶ୍ୱର କିଛି କହିବା ପୂର୍ବରୁ ତାଙ୍କ ପୂଝାରୀ କହିଦେଲା - ‘ସାର୍‌ତ ରାତି ଗାଡ଼ିରେ କଲିକତା ଯାଇଚନ୍ତି...’

 

ଇତିମଧ୍ୟରେ କେତେବେଳେ ପୂଝାରୀ ଧରମୁ ଆସି ପଛରେ ଠିଆ ହୋଇଥିଲା ଜାଣିପାରି ନ ଥିଲେ ହିମେଶ୍ୱର ।

 

ନିରାକାର କହିଲେ- ‘ଆମେ ଘର ସର୍ଚ୍ଚ କରିବୁ... ଏଇ ୱାରଣ୍ଟ ଦେଖନ୍ତୁ... ମହିଳାମାନଙ୍କୁ ଗୋଟିଏ କୋଠରିରେ ବିଶ୍ରାମ କରିବାକୁ କହନ୍ତୁ... ଆଉ କୋଉ ଘରେ କ’ଣ ଅଛି ଆମକୁ ଦେଖାନ୍ତୁ...’

 

ହିମେଶ୍ୱର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କହିଲେ, ‘ମୁଁ ମୋ ସ୍ତ୍ରୀ ବୋହୂ ଓ ପିଲାମାନଙ୍କୁ ଉଠାଇ ଦେଉଛି... ଆପଣମାନେ ବସନ୍ତୁ ବୈଠକଖାନାରେ... ମୁଁ ସବୁ କୋଠରି ଦେଖାଇଦେବି....-।’

 

‘‘ସେ ଭିତରକୁ ଚାଲିଗଲେ ଏବଂ ବୋହୂକୁ କହିଲେ ଚୁପ୍‌ଚୁପ୍‌, ‘ସେମାନେ ଆସିଛନ୍ତି ଘର ସର୍ଚ୍ଚ କରିବେ... ବାହାରେ ଯଦି କିଛି ଅଛି ପାଚେରି ବାହାରକୁ ଫିଙ୍ଗିଦିଅ, ବାଥ୍‌ରୁମ୍‌ ଭିତରକୁ ଯାଇ କମୋଡ଼ରେ ଫ୍ଲସ୍‌ କରିଦିଅ...’’

 

ସେ ଫେରି ଆସୁଥିଲେ, କିନ୍ତୁ ପଛଆଡ଼େ ଜଗିଥିବା ଜଣେ କନେଷ୍ଟବଳ ପାଟିକଲା- ‘ଆଜ୍ଞା ନର୍ଦ୍ଦମା ପାଣିରେ ନୋଟ୍‌ବିଡ଼ା ସବୁ ଭାସି ଯାଉଛି ... ଶୀଘ୍ର ଆସନ୍ତୁ ସାର୍‌....’

 

ଆୟକର ବିଭାଗ ଅଫିସର ପରମେଶ୍ୱର ଦାସ ଏବଂ ପୁଲିସ୍‍ ଇନ୍‍ସପେକ୍ଟର ଚତୁର୍ଭୁଜ ସ୍ଵାଇଁ ଦୌଡ଼ିଗଲେ ପଛପଟକୁ... ନର୍ଦ୍ଦମା ପାଣିରୁ ପାଞ୍ଚ ଲକ୍ଷ ଟଙ୍କାର ନୋଟ ଏବଂ ପାଇଖାନା କମୋଡ଼ରୁ ଲକ୍ଷେ ପଚିଶ ହଜାର ନୋଟ୍‌ ଉଦ୍ଧାର କରାଗଲା ।

 

ଦିନ ଚାରିଟା ପର୍ଯ୍ୟନ୍ତ ତଲାସି ନବାପରେ ବ୍ରହ୍ମେଶ୍ଵରଙ୍କ ବାସଭବନରୁ ଏକୋଇଶ ଲକ୍ଷ ପଚାଶ ହଜାର ସାତ ଶହ ଟଙ୍କା ନଗଦ, ସୁନା ଗହଣା ଶହେ ଭରି, ଗୋଟିଏ ଇଣ୍ଡିକା ଏବଂ ଆଉ ଗୋଟଏ କ୍ଵାଲିସ୍‌ଗାଡ଼ି, ଦୁଇଟା ମୋଟରସାଇକେଲ୍‌, ଗୋଟିଏ ମାରୁତି ଭ୍ୟାନ୍‌ ଜବତ୍‌ କରାଗଲା । ବ୍ୟାଙ୍କ୍‌ ଲକର୍‌ରୁ ଗହଣା ଦେଢ଼ଶହ ଭରି, ବ୍ୟାଙ୍କ ଫିକ୍ସଡ଼ ଡିପୋଜିଟ ତିରିଶ ଲକ୍ଷ ଟଙ୍କା ଏବଂ ପାରାଦ୍ଵୀପରେ ଆଉ ଗୋଟିଏ ପ୍ଲଟ, ରାଜଧାନୀରେ ଦୁଇଟ ଫ୍ଲାଟ୍‌ର ସମସ୍ତ କାଗଜପତ୍ର ଜବତ କଲେ ପୁଲିସ୍‍ ଆୟକର ଓ ଭିଜିଲାନ୍ସର ଅଫିସରମାନେ । ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ପ୍ରାୟ ତିନି କୋଟି ଟଙ୍କା ।

 

ହିମେଶ୍ଵର ସିଜର ଲିଷ୍ଟରେ ସ୍ଵାକ୍ଷର କଲେ, ଦୁଇ ଜଣ ପଡ଼ୋଶୀ ସାକ୍ଷୀଭାବେ ସ୍ୱାକ୍ଷର କଲେ ଏବଂ ପୁଲିସ୍‍ ସନ୍ଧ୍ୟା ପୂର୍ବରୁ ବ୍ରହ୍ମେଶ୍ଵରଙ୍କ ବିରାଟ ସୌଧ ଛାଡ଼ି ବାହୁଡ଼ିବାବେଳେ ଜଣେ ଅପରିଚିତ ବ୍ୟକ୍ତି ଆସି କହିଦେଇ ଚାଲିଗଲା ଯେ ବ୍ରହ୍ମେଶ୍ଵର କଲିକତାରୁ କାଲି ସକାଳେ ଫେରିବେ, କିନ୍ତୁ ଏ ବିଷୟ ଯଦି କୌଣସି ସୂତ୍ରରୁ ଖବର ପାଇଯାଆନ୍ତି ତେବେ ହୁଏତ ତାଙ୍କ ଫେରିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ ।

 

ଭିଜିଲାନ୍‍ସ ଦଳ ଘରୁ ବାହାରିଯିବାବେଳକୁ ମୋବାଇଲରେ ରିଙ୍ଗ ଆସିଲା ଉପରିସ୍ଥଙ୍କଠାରୁ - ‘‘ସରକାରଙ୍କ ପାଖରେ ନାଗରିକ କମିଟି ଅଭିଯୋଗ କରିଛି ଯେ ତଲାସି ନବାବେଳେ ମହିଳାମାନଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରାଯାଇଛି ଏବଂ ବ୍ରହ୍ମେଶ୍ଵରବାବୁଙ୍କ ବୃଦ୍ଧ ପିତା ହାର୍ଟ ବେମାର ଥିବା ଜାଣି ମଧ୍ୟ ତାଙ୍କୁ ସାରାଦିନ ଅଖିଆ ଅପିଆ ରଖି ହଇରାଣ କରାଯାଇଛି-।’

 

କିନ୍ତୁ ଭିଜିଲାନ୍‍ସ ଏସ୍‌. ପି. ଅବିନାଶ ଚତୁର୍ବେଦୀ କହିଲେ ଯେ ତଲାସି ଶେଷକରି ସେମାନେ ଫେରୁଛନ୍ତି । ବ୍ରହ୍ମେଶ୍ଵର ଗସ୍ତରୁ ଫେରିବା ପରେ ତାଙ୍କୁ ପଚରା ଉଚୁରା କରିବାପାଇଁ ସିଧା ଷ୍ଟେସନରୁ ଥାନାକୁ ଆଣିବେ । ତାଙ୍କ ପିତା ହିମେଶ୍ୱରଙ୍କ ଖାଇବା ପିଇବା ଓ ବିଶ୍ରାମରେ କୌଣସି ବାଧା ଦିଆଯାଇ ନାହିଁ ବା ମହିଳାମାନଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ହୋଇ ନାହିଁ ।

 

ସେ ପାଖରୁ ପୁଣି ଉପରିସ୍ଥ କହିଲେ - ‘ତମେ ଭଲ କାମ କରିଛ ମୁଁ ମାନୁଛି, କିନ୍ତୁ ବଳ ପ୍ରୟୋଗ ଅତିରିକ୍ତ ହେବାପରି ଲାଗୁଛି । ଆସାମୀ ଘରେ ନ ଥିବାବେଳେ ତମେ ସବୁ ମହିଳାମାନଙ୍କ କୋଠରିକୁ ପ୍ରବେଶ ଓ ସେମାନଙ୍କୁ ଧମକ ଚମକ ଦବା ଠିକ୍‌ ହୋଇନାହିଁ । ଏ ବିଷୟରେ ଆଉ ଅଗ୍ରସର ହେବା ପୂର୍ବରୁ ମନ୍ତ୍ରୀ ଆଲୋଚନା କରିବାପାଇଁ ଚାହାନ୍ତିଁ... ।’

 

ଅବିନାଶ ଚତୁର୍ବେଦୀ ମନେ ମନେ ହସିଲେ । ଉପରିସ୍ଥ ବୋଧହୁଏ ଚାହାଁନ୍ତି ହିମେଶ୍ୱରବାବୁଙ୍କ ବିରୋଧରେ ମାମଲା ଅଗ୍ରଗତି ନ କରୁ । ତେଣୁ ମନ୍ତ୍ରୀଙ୍କ ନାମ ନେଇ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଚାହାଁନ୍ତି । ସେ କାଳ ବିଳମ୍ବ ନ କରି ସତ୍ୟକାମକୁ ଫୋନ୍‌ କଲେ ଏବଂ ତାକୁ ସବୁ ବିବରଣୀ ଦେଇ କହିଲେ ଭିଜିଲାନ୍‍ସ ପୁଲିସ୍‍ ବା ଆୟକର ବିଭାଗର ନାମୋଲ୍ଲେଖ ନ କରି ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବରଟି ସକାଳ ସଂସ୍କରଣରେ ବାହାରିଗଲେ ଜନସ୍ୱାର୍ଥ ସୁରକ୍ଷିତ ରହିବ ।

 

ସତ୍ୟକାମ ଘରକୁ ଫେରୁଥିଲା, କିନ୍ତୁ ପୁଣି ଫେରିଲା ବାଟରୁ । ଅର୍କ ଅପେକ୍ଷା କରୁଥିଲା ଅଫିସ୍‌ରେ । ଦୁହେଁ ମିଶି ବ୍ରହ୍ମେଶ୍ଵରଙ୍କ ଘରୁ ଜବତ ହୋଇଥିବା ବିପୁଳ ସମ୍ପତ୍ତିର ହିସାବ ସହିତ ତାଙ୍କ ବିରୋଧରେ ବିଭିନ୍ନ ସୂତ୍ରରୁ ମିଳିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଉଲ୍ଲେଖ କଲେ । ତା’ ସହିତ ଏହା ବି ଲେଖିବାକୁ ଭୁଲିଲେ ନାହିଁ ଯେ ଅନୁସନ୍ଧାନ ଜାରି ରହିଛି ଏବଂ ଟ୍ରିପଲ ମର୍ଡର ମାମଲାରେ ଯେଉଁମାନଙ୍କୁ ପୁଲିସ୍‍ ଗିରଫ କରିଛି ସେମାନଙ୍କ ସହିତ ସହରର ଜଣେ ସମ୍ଭ୍ରାନ୍ତ କ୍ଷମତାଶାଳୀ ବ୍ୟକ୍ତିଙ୍କ ସମ୍ପର୍କ ରହିଛି ଏହାର ପ୍ରମାଣ ମଧ୍ୟ ପୁଲିସ୍‌ର ହସ୍ତଗତ ହୋଇଛି ।

 

ସେମାନେ ଘରକୁ ଫେରିବାବେଳକୁ ରାତି ଦଶଟା । କିନ୍ତୁ ଅର୍କକୁ ଅଟକାଇ ଦେଇ କହିଲେ ଶ୍ରୀମୟୀ - ‘ନା ବାବା, ରାତି ବେଶୀ ହେଲାଣି । ତମେ ଏଇ ସମୟରେ ପଟିଆ ଯିବା ଉଚିତ ହେବ ନାହିଁ । ବରଂ ଆମ ଘରେ ରହିଯାଅ ରାତିଟା । ଏଇଠୁ ଘରକୁ ଫୋନ୍‌ କରିଦିଅ... ।’

 

ଅର୍କ ନାହିଁ ନାହିଁ କରୁଥିଲା, କିନ୍ତୁ ଶ୍ରୀମୟୀଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିପାରିଲା ନାହିଁ-। ସେମାନେ ଖାଇ ପିଇ ଶୋଇବାପାଇଁ ଯିବାପରେ ସେ ମନକୁ ମନ ନିଜକୁ କହିଲେ - ଟୋକା ବୟସ, ପ୍ରଚୁର ପ୍ରାଣଶକ୍ତି ଏମାନଙ୍କର... ସତ୍‌ମାର୍ଗରେ ଥିବାରୁ ପ୍ରଚୁର ଆତ୍ମବିଶ୍ଵାସ ଓ ସାହସ ଅଛି ମନରେ । ତଥାପି ଯେତେହେଲେ ମା’ର ମନକୁ ପାପ ଛୁଇଁବା ପରେ ଆଉ ତାକୁ ଏକା ଛାଡ଼ିଦବା ଠିକ୍‌ ହେବ ନାହିଁ ।

 

କିନ୍ତୁ ମନକୁ ଯେତେ ସାନ୍ତ୍ଵନା ଦେଲେ ମଧ୍ୟ ଶ୍ରୀମୟୀ ଅନେକ ରାତି ପର୍ଯ୍ୟନ୍ତ ଶୋଇପାରିଲେ ନାହିଁ... ତାଙ୍କୁ ଲାଗୁଥିଲା ସେଦିନ ପାହାନ୍ତା ପୂର୍ବରୁ ଯେଉଁ ଲୋକଟାକୁ ସେ ଦେଖିଥିଲେ ବଗିଚାର ଆମ୍ବଗଛ ମୂଳେ ସେଇ ଲୋକଟାକୁ ଆଉଥରେ ଆଲୁଅରେ ଭଲକରି ଦେଖନ୍ତେ କି । ତା’ ମୁହଁ ଏବଂ ସ୍ଵର ସହିତ କେଜାଣି କାହିଁକି ପରିଚିତ ବୋଲି ଗୋଟେ ଅସ୍ପଷ୍ଟ ଆଶଙ୍କା ତାଙ୍କୁ ଅଥୟ କରିଦେଲା ।

 

॥ ଏକୋଇଶ ॥

 

ବ୍ରହ୍ମେଶ୍ଵର ଭାବିଥିଲେ ଯେ ସେ କଟକରୁ ଓହ୍ଲାଇ କଲିକତାରୁ ତାଙ୍କ ସହିତ ଆସିଥିବା ଯୁବତୀଙ୍କୁ ନେଇ ସିଧା ପାରାଦ୍ଵୀପ ଚାଲିଯିବେ ଏବଂ ଶେଖ୍‌ ସାହେବଙ୍କଠାରୁ ସୂଚନା ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ । କଲିକତା ଛାଡ଼ିବା ପୂର୍ବରୁ ଶେଖ୍‍ଙ୍କ ସହିତ କଥା ହେବାପାଇଁ ସେ ଚାହିଥିଲେ, କିନ୍ତୁ ସଂଯୋଗ କରିବା ଆଦୌ ସମ୍ଭବ ହେଲା ନାହିଁ । ସେଥିପାଇଁ ମନରେ ଟିକେ ଉଦ୍‌ବେଗ ବି ଥିଲା । ହୋଟେଲ୍‌ରେ ସେ ନ ଥିବାବେଳେ କେହି ଜଣେ ସନ୍ଧ୍ୟାବେଳେ ଟ୍ରଙ୍କ କଲ କରିଥିବା ରିସେପ୍‌ସନ କହିଥିଲା । କିନ୍ତୁ କିଏ ଫୋନ୍‌ କରିଥିଲେ ତାଙ୍କ ନାମ ଓ ନମ୍ବର କିଛି କହିପାରିଲା ନାହିଁ । ସେତିକିବେଳୁ ମନଟା କେମିତି କେମିତି ଗୋଳେଇ ଘାଣ୍ଟି ହେଉଥିଲା । ରାତି ଦଶଟାରେ ଟ୍ରେନ୍‌ । ନଅଟାବେଳକୁ ଯେମିତି ହେଉ ବାହାରି ଯିବାକୁ ହେବ ।

 

କଟକ ଷ୍ଟେସନରେ ପୁରୀ ଏକ୍ସପ୍ରେସ୍‌ ପହଞ୍ଚିଲା ଭୋର୍‌ ପାଞ୍ଚଟାରେ । ଆକାଶ ପୂରାପୂରି ଫର୍ଚ୍ଚା ହୋଇ ନ ଥାଏ । କିନ୍ତୁ ଦରଜା ଖୋଲି ସେ ଯେତେବେଳେ ପ୍ଲାଟ୍‌ଫର୍ମକୁ ଅନାଇଦେଲେ ଏସି କୋଚ୍‌ ଆଗରେ ଅନେକ ପୁଲିସ୍‌ ପଇଁତରା ମାରୁଥିବା ଦେଖି ଭାବିଲେ କେହି ମନ୍ତ୍ରୀ ଏଇ ଡବାରେ ଆସି ନାହାଁନ୍ତି ତ ? ।

 

କିନ୍ତୁ ସେ ଯେମିତି ତଳକୁ ଓହ୍ଲାଇଛନ୍ତି ସେହିକ୍ଷଣି ତାଙ୍କ ହାତ ଧରିପକାଇ ଜଣେ ଇନ୍‍ସପେକ୍ଟର କହିଲେ - ‘‘ଆପଣ ବ୍ରହ୍ମେଶ୍ଵର ପାଲିତ ?’’

 

- ‘ହଁ, କ’ଣ କିଛି କହିବେ ?’

 

- ସେତେବେଳକୁ ଓହ୍ଲାଇଥିବା ଦୁଇ ଜଣ ଯୁବତୀଙ୍କ ସହିତ ବ୍ରହ୍ମେଶ୍ଵରଙ୍କୁ କହିଲେ ଇନ୍‍ସପେକ୍ଟୃର - ‘ଆପଣ ଏଇକ୍ଷଣି ଏମାନଙ୍କ ସାଙ୍ଗରେ ଆମ ସହିତ ଯିବେ । ଆମେ ସିଧା ଯିବୁ ପୁଲିସ୍‌ଥାନାକୁ... ’

 

-‘କାହିଁକି ଥାନାକୁ ଯିବି ? ଆପଣ ଜାଣନ୍ତି ମୁଁ ଜଣେ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ?’

 

-‘ଜାଣେ ବୋଲି ତ ସମ୍ମାନର ସହିତ ସାଙ୍ଗରେ ନେଇଯିବି । ନଚେତ୍‌ ଆପଣ ଭିନ୍ନ ପ୍ରକାର ବ୍ୟବହାର ପାଇଥାନ୍ତେ ଆଇନର ପରିଧି ଡେଇଁଥିବାରୁ ।’

 

ଇନ୍‍ସପେକ୍ଟରଙ୍କ ମୁହଁକୁ ତୀକ୍ଷ୍‍ଣ ଦୃଷ୍ଟିରେ ଅନାଇ ରହିଲେ ବ୍ରହ୍ମେଶ୍ଵର ପାଲିତ । ଆଉ ତର୍କ ନ କରି ସୁନା ପିଲାଟି ପରି ପୁଲିସ୍‌ଗାଡ଼ିରେ ବସିଲେ ଯାଇ । କିନ୍ତୁ କଟକରୁ ଭୁବନେଶ୍ୱର ଆସୁଥିବାବେଳେ ତାଙ୍କୁ ଲାଗୁଥିଲା ହଠାତ୍‌ ଯେପରି ରାସ୍ତାଟା ଲମ୍ବି ଯାଇଚି ଅନେକ ଦୂର....। ଏହାସତ୍ତ୍ୱେ କଲିକତାଠାରୁ ଆସିଥିବା ଦୁଇଜଣ ମହିଳାଙ୍କୁ ହୋଟେଲକୁ ପଠାଇବାପାଇଁ ତାଙ୍କ ଅନୁରୋଧ ପୁଲିସ୍‍ ଇନ୍‍ସପେକ୍ଟର ଗ୍ରହଣ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

 

ମୋବାଇଲ୍‌ରେ ଫୋନ୍‌ କରିବାକୁ ଯାଉଥିବାବେଳେ କହିଥିଲେ ଇନ୍‍ସପେକ୍ଟର - ‘ଦୟାକରି ବର୍ତ୍ତମାନ ଫୋନ୍‌ କରନ୍ତୁ ନାହିଁ, ଯଦି ଆପଣ ଫେରୁଥିବା ବିଷୟ କାହାକୁ ଜଣାଇବା ଦରକାର ନମ୍ବର ଦିଅନ୍ତୁ ମୁଁ କହିଦେବି... ।’

 

ବ୍ରହ୍ମେଶ୍ଵର ମୁହଁ ତଳକୁ କଲେ ।

 

ମନେପଡ଼ୁଥିଲା ଅଖ୍‍ତାର ସାହେବଙ୍କ ସହିତ ପ୍ରଥମ ସାକ୍ଷାତ୍‌ବେଳର କଥାଭାଷା ।

 

ଅଖ୍‍ତାର ତାଙ୍କୁ କୋଠିକୁ ଡକାଇ ନେଇ କହିଥିଲେ - “ଆପଣ ଜଣେ ସଂସାରୀ ମଣିଷ...। ସୁଖ ଆନନ୍ଦରେ ରହିବାପାଇଁ ବାଟ ସଫା ନ କରି କାହିଁକି ଆଇନର ଗଣ୍ଠି ଫିଟାଇବାପାଇଁ ଚେଷ୍ଟା କରନ୍ତି । ଟେଣ୍ଡର ଡାକିବା ଆପଣଙ୍କ କାମ, ଆପଣ ସେଇ କାମ କରିବେ । କିନ୍ତୁ କିଏ ଟେଣ୍ଡର ପକାଇଲା, କିଏ ରହିଗଲା ତାହା ଦେଖିବା ତ ଆପଣଙ୍କ କାମ ନୁହେଁ ।’

 

ସେଦିନ ବ୍ରହ୍ମେଶ୍ଵର କେବଳ ଶୁଣୁଥିଲେ ।

 

ଅଖ୍‍ତାର କହୁଥିଲେ - ‘ଅନେକ ଲୋକ କିଛି କାମ ନ ପାଇ ଠିକାଦାରୀ କରିବାକୁ ଚାହାଁନ୍ତି । ନା ସେମାନଙ୍କର ଅଛି ବୁଦ୍ଧି ନା ବିଦ୍ୟା । ସେମାନେ ଟେଣ୍ଡର ଫର୍ମ ପୂରଣ କରିପାରିବେ ନାହିଁ । ସେମାନଙ୍କୁ ଯଦି ଫର୍ମ ଦିଆଯାଏ ତେବେ ଟେଣ୍ଡର ପକାଉଥିବା ଠିକାଦାରଙ୍କ ସଂଖ୍ୟା ବଢ଼ିବ । ଆପଣଙ୍କ କାମ ମଧ୍ୟ ବଢ଼ିବ । ବରଂ ପ୍ରଥମରୁ ଯଦି ଖାଣ୍ଟି ଲୋକଙ୍କୁ ବାଛିଥିବେ ତେବେ ଆପଣଙ୍କୁ ପରେ ହଇରାଣ ହେବାକୁ ପଡ଼ିବ ନାହିଁ । ଅବଶ୍ୟ ସେଇ କାମ ଆପଣଙ୍କ ପାଇଁ ସେମାନେ କରିବେ । ସେମାନେ ନାମଜାଦା ଅଭିଜ୍ଞ ଠିକାଦାର । ମାଲମସଲା ଅଛି ସେମାନଙ୍କର । ବଡ଼ ବଡ଼ କାମ ଦେଇପାରିବେ । କାମଛାଡ଼ି ଆପଣଙ୍କୁ ମଝି ନଈରେ ପକାଇ ପଳାଇଯିବେ ନାହିଁ । ସେମାନେ ସାହାଯ୍ୟ କରିବେ ଆପଣଙ୍କୁ, ଆଉ ବଦଳରେ ଆପଣ ସାହାଯ୍ୟ କରିବେ ସେମାନଙ୍କୁ ।’

 

-‘କହନ୍ତୁ କ’ଣ କରିବାକୁ ହେବ ?’ ପଚାରିଥିଲେ ବ୍ରହ୍ମେଶ୍ୱର ।

 

-‘ନା, ନା ଆପଣ କିଛି କରିବେ ନାହିଁ । କେବଳ ଚୁପ୍‌ହୋଇ ବସିବେ । ସେମାନେ ସବୁ କରିବେ । ଶହେଟା ଜାଗାରେ କେବଳ ସେମାନଙ୍କର ପାଞ୍ଚଟା ଟେଣ୍ଡର ପଡ଼ିବ । ସେମାନେ କାମ ବାଣ୍ଟିନେବେ । ଆପଣଙ୍କ କାମ ସହଜ ହେବ । ଆପଣଙ୍କ ପ୍ରାପ୍ୟ ଆପଣଙ୍କୁ ମିଳିବ ।’

 

ବ୍ରହ୍ମେଶ୍ଵର ବୁଝିଯାଇଥିଲେ । ୟା ପରେ କ’ଣ ହୁଏ ସେ ଜାଣନ୍ତି । କହିବା ଦରକାର ନାହିଁ-। ଟ୍ରେଡ଼୍‌ ସିକ୍ରେଟ । ଓ୍ୱାର୍କସ ଡିପୋର୍ଟମେଣ୍ଟରେ ଚାକିରି କଲେ କାମ କରିବାର କୌଶଳ ଜଣାଥିଲେ ରାସ୍ତା ସିଧା - ବାଧା ନାହିଁ, ବିଘ୍ନ ନାହିଁ.... କେବଳ ଲାଭ ଓ ଶୁଭ ! ହାତରେ କାଳି ଲାଗିବ ନାହିଁ, କିନ୍ତୁ ବ୍ୟାଙ୍କ୍ ବାଲାନ୍‍ସ ବଢ଼ୁଥିବ ... ।

 

ଦ୍ଵାର ମୁହଁରେ ଲକ୍ଷ୍ମୀ ଅପେକ୍ଷା କରୁଛନ୍ତି ତାଙ୍କୁ ସ୍ଵାଗତ ନ କଲେ ସେ ଫେରିଯିବେ..... । ସେଇଦିନୁ ବ୍ରହ୍ମେଶ୍ୱର ଅଖ୍‍ତାରଙ୍କ କଥା ଅନୁସାରେ କାମ କଲେ ଏବଂ ତାଙ୍କ ବାପା ତାଙ୍କୁ ଏଥିରେ ସାହାଯ୍ୟ କଲେ ।

 

ଶେଖ୍‌ ଅଖ୍‍ତାର ସେଇଦିନୁ ସାଙ୍ଗ ହୋଇଗଲେ । ଦୁହିଁଙ୍କ ମଧ୍ୟରେ ମିତ୍ରତା ବଢ଼ିଲା । ସେଇ ପାଞ୍ଚଜଣିଆ କ୍ଲବର ଚେଆର୍‌ମ୍ୟାନ୍‌ ସେ । ଅବୈତନିକ ଅଧ୍ୟକ୍ଷ ସେ କେବଳ ବାଟ ବତାଇ ଦିଅନ୍ତି । ବାଟରୁ ବାଧାବିଘ୍ନ ଦୂର କରନ୍ତି । ହାରୁ ମିଆଁ ପରି ପାଞ୍ଚଟା ଲୋକ ତାଙ୍କ ଖିଦ୍‌ମତ୍‌ ଖଟନ୍ତି-। ସେମାନେ ତାଙ୍କର ଦୂତ । ଯମର ପାଞ୍ଜିରେ ଯାହାର କାଳ ସରିବ ତା’ ନାମ ଅଖ୍‍ତାରଙ୍କ ଖାତାରୁ ମଧ୍ୟରୁ କଟିଯିବ ।

 

ସେ ମନାକରୁଥିଲେ ପଚାଶ ଲକ୍ଷ ଉପରକୁ ଥିବା ଟେଣ୍ଡର ନ ଡାକିବାପାଇଁ । ଆସୋସିଏସନ୍‌ ମାଧ୍ୟମରେ ସବୁ ହୋଇଯାଏ । ସେଇ କାମ କିଏ ପାଇବ, କିଏ କରିବ ପୂର୍ବ ନିର୍ଦ୍ଧାରିତ ହୋଇ ରହିଥାଏ । କେବଳ ଫର୍ମାଲିଟି ରକ୍ଷା କରିବାପାଇଁ ପାଞ୍ଚଟା ଟେଣ୍ଡର ପଡ଼େ । ଜଣେ ପାଏ । ଆଉ ଚାରି ଜଣ ଅନ୍ୟ କାମ ନିଅନ୍ତି । ସବୁ ଲାଭ ବଣ୍ଟନ ଅଖ୍‍ତାର କରନ୍ତି । ଅବଶ୍ୟ ତାଙ୍କ ଭାଗ ସେ ନ ଚାହୁଁଥିଲେ ମଧ୍ୟ ସେମାନେ ଦେଇଯାଇଥାନ୍ତି ।

 

କିଏ କାମ ପାଇବ ଯେଉଠିଁ ଠିକ୍‌ ହୋଇସାରିଥାଏ ସେଠାରେ ଅନ୍ୟମାନେ ଟେଣ୍ଡର ପକାଇବା ସଂଖ୍ୟା ବଢ଼ାଇବେ କାହିଁକି ? କାମରେ ଅଯଥା ବିଳମ୍ବ, ଅନାବଶ୍ୟକ ଫାଇଲରେ ଆକାର ବୁଦ୍ଧି ... । ଉପରିସ୍ଥମାନେ ନିଜ ପରସେଣ୍ଟ୍‌ ପାଇ ନିରବଦ୍ରଷ୍ଟା ପରି ବସି ରହନ୍ତି ।

 

କିନ୍ତୁ ବହୁତ ବୁଝାଶୁଝା କଲେ ମଧ୍ୟ ହରିଶ ସରକାର, ବିନୟ ମହାନ୍ତି ଆଉ ତ୍ରିନାଥ ପାଣିଗ୍ରାହୀ ଶେଖ୍‌ ଅଖ୍‍ତାରଙ୍କ କଥା ନ ଶୁଣି ତିନିଟା ବଡ଼ ବଡ଼ କାମ ନବାପାଇଁ ତିନି ଜାଗାରେ ଟେଣ୍ଡର ପକାଇବାପାଇଁ ଜିଦ୍‌ କଲେ । ଜଣେ ତାଳଦଣ୍ଡା କେନାଲପାଇଁ ଟେଣ୍ଡର ପକାଇବାପାଇଁ ଯିବା ରାସ୍ତାରେ ଷ୍ଟୁଆର୍ଟ ସ୍କୁଲ ପାଖରେ ଆତତାୟୀ ଗୁଳିରେ ମଲା, ଆଉ ଜଣେ ଶିରୀପୁର ବାଟଦେଇ ମାରୁତି ଗାଡ଼ିରେ ଆସୁଥିବାବେଳେ ପଛରୁ ଟ୍ରକ୍‌ଧକ୍କା ଖାଇ ଗାଡ଼ି ଭିତରୁ ବାହାରି ନ ପାରି ସେଇଠି ଶେଷ ନିଶ୍ଵାସ ତ୍ୟାଗ କଲା ଏବଂ ତୃତୀୟ ଜଣକ କଟକରୁ ରାଜଧାନୀ ଆସୁଥିବାବେଳେ କାଠଯୋଡ଼ି ପୋଲ ପାରହେବା ପୂର୍ବରୁ ମୋଟରସାଇକେଲରୁ ଟଳି ପଡ଼ିଲା ଅଜ୍ଞାତ ଆତତାୟୀର ଗୁଳିରେ । ଏଇ ଟ୍ରିପଲ ମର୍ଡ଼ର ମାମଲାର କାହାଣୀ... ।

 

ବ୍ରହ୍ମେଶ୍ଵରଙ୍କ କାନରେ ଗୋଟିଏ ତୀକ୍ଷ୍‍ଣ ଶବ୍ଦ ବାଜିଲା, ସ୍ଵପ୍ନଭଙ୍ଗ ହେବାକ୍ଷଣି ସେ ଚମକିପଡ଼ି ଚାହିଁଲେ ଚାରି ଆଡ଼କୁ ।

 

ଆଗ ସିଟ୍‌ରେ ଇନ୍‍ସପେକ୍ଟର ବସିଥିଲେ ।

 

ପଛ ସିଟ୍‌ରେ ତାଙ୍କୁ ଜଗିଥିଲେ ତିନି ଜଣ ସଶସ୍ତ୍ର ପୁଲିସ୍‍ ।

 

ଥାନା ଆଗରେ ଗାଡ଼ି ଛିଡ଼ା ହେଲା ।

 

ଗାଡ଼ିରୁ ଓହ୍ଲାଇ ସେ ଥାନାବାବୁଙ୍କ ପଛେ ପଛେ ଥାନା ଭିତରକୁ ଯିବାବେଳେ ରାସ୍ତାକଡ଼ରେ କଳା କୋଟ୍‌ ପିନ୍ଧି ରାମକିଙ୍କର ହରିଚନ୍ଦନ ଛିଡ଼ା ହୋଇଥିବା ଦେଖି ତାଙ୍କ ଛାତି ତଳର କମ୍ପନ ଟିକେ କମିଲା । ରାମକିଙ୍କର ଆଖିର ଇସାରାରେ ବ୍ରହ୍ମେଶ୍ଵରଙ୍କୁ କହିଦେଲେ ଯେ, ସେ ପାଖେ ପାଖେ ଅଛନ୍ତି, ଭୟର କାରଣ ନାହିଁ ।

 

ଥାନାରେ ପାଞ୍ଚ ଘଣ୍ଟା ଜେରା ଚାଲିଲା ।

 

ଆଜି ଅଦାଲତରେ ଛିଡ଼ା ନ ହେଲେ ପୁଣି ସୋମବାର ପର୍ଯ୍ୟନ୍ତ ଥାନା ହାଜତରେ ଅଟକି ରହିବାକୁ ପଡ଼ିବ... ।

 

ପୁଲିସ୍‌ ଇନ୍‍ସପେକ୍ଟର କିନ୍ତୁ କିଛି କରୁ ନ ଥିବା ଦେଖି ରାମକିଙ୍କର ଆଉ ଅପେକ୍ଷା ନ କରି କଚେରି ଯାଇ ବ୍ରହ୍ମେଶ୍ଵର ପାଲିତଙ୍କୁ ଜିମାରେ ଆଣିବାପାଇଁ ଦରଖାସ୍ତ କରିଦେଲେ ।

 

କିନ୍ତୁ ପୁଲିସ୍‌ ପକ୍ଷରୁ ଏହାର ପ୍ରବଳ ବିରୋଧ କରାଯିବାରୁ ଅଦାଲତ ତିନିଦିନ ସମୟ ଦେଲେ ପୁଲିସ୍‌ ହାଜତରେ ରଖିବାପାଇଁ । ବ୍ରହ୍ମେଶ୍ଵରଙ୍କ ସହିତ ସାକ୍ଷାତ୍‌ କରିବା ପାଇଁ ତାଙ୍କ ସ୍ତ୍ରୀ ସୁମତି ଦେବୀ, ଓକିଲ ରାମକିଙ୍କର ହରିଚନ୍ଦନ ଏବଂ ତାଙ୍କ ଶଳା ସତୀଶ ପାଲଟାସିଂହଙ୍କୁ ଅନୁମତି ମିଳିଲା ।

 

ସେଇ ପୁଲିସ୍‌ ହାଜତରେ ଥିବାବେଳେ ରାମକିଙ୍କର ତାଙ୍କୁ ସୁଯୋଗ ପାଇ ଜଣାଇଦେଲେ ଯେ’ ‘ମେହଫିଲ’ ବନ୍ଦ ହୋଇଯାଇଛି । ଶେଖ୍‍ ଅଖ୍‍ତାର ଗୋଟାଏ ଜରୁରୀ କାମରେ ମୁମ୍ବାଇ ବାଟ ଦେଇ ଦିଲ୍ଲୀ ଚାଲିଯାଇଛନ୍ତି ଗତକାଲି ଫ୍ଲାଇଟ୍‌ରେ...

 

ସକାଳ କାଗଜରେ ବ୍ରହ୍ମେଶ୍ଵରଙ୍କ ଗିରଫ ହେବା ଏବଂ ଶେଖ୍‌ ଅଖ୍‍ତାରଙ୍କ ମୁମ୍ବାଇ ଯାତ୍ରା ସମ୍ବନ୍ଧରେ ବିବରଣୀ ପ୍ରକାଶ ପାଇଥିଲା ଏବଂ ତା’ ସହିତ ଅନିବାର୍ଯ୍ୟ କାରଣ ଯୋଗୁଁ ‘ମେହଫିଲ’ ବନ୍ଦ ହୋଇଯାଇଥିବା ମଧ୍ୟ ପ୍ରଚାରିତ ହୋଇଥିଲା ।

 

ମୁହରୁ ମୁହଁ କଥା ଉଡ଼ିବୁଲେ, ତା’ ଦେହରେ ଡେଣା ଲାଗେ, ସକାଳେ ଖବରକାଗଜ ପଢ଼ୁଥିବାବେଳେ ଟେଲିଫୋନ କଲେ ମୁକ୍ତେଶ୍ଵର ସତ୍ୟକାମକୁ ଅଭିନନ୍ଦନ ଜଣାଇବାପାଇଁ । ଶେଷର ଆରମ୍ଭ ହୋଇଛି । ମାତ୍ର ଶେଷ ଅଙ୍କ ଅଭିନୀତ ହେବା ପର୍ଯ୍ୟନ୍ତ ଅବିଚଳିତଭାବେ କର୍ତ୍ତବ୍ୟ କରିଯିବାକୁ ହେବ । କର୍ତ୍ତବ୍ୟ ପାଳନ କରିବାହିଁ ଭଲ ମଣିଷର ପ୍ରାଥମିକ ଦାୟିତ୍ୱ । ଧର୍ମରକ୍ଷାପାଇଁ ନିଷ୍ଠାର ସହିତ ଅବିଚଳିତଭାବେ କର୍ତ୍ତବ୍ୟ କରିବା ଆବଶ୍ୟକ ।

 

ମୁକ୍ତେଶ୍ଵର ତାକୁ ଆହୁରି ବି କହିଲେ ଯେ ପ୍ରାଥମିକ ସଫଳତାରେ ଭାସି ନ ଯାଇ ଶେଷ ସଫଳତା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ସାହସ ଓ ବିଶ୍ଵାସର ସହିତ । ଅନେକ ପ୍ରତିବନ୍ଧକ ଅଛି ବାଟରେ, ଅନେକ ଶତ୍ରୁ ଘାଟ ଜଗି ବସିଚନ୍ତି ଝାମ୍ପିପଡ଼ିବାପାଇଁ । ସଦା ଜାଗ୍ରତ ରହିବାଦ୍ଵାରା ହିଁ କର୍ତ୍ତବ୍ୟ ସମ୍ପାଦନ ଓ ସତ୍ୟ ରକ୍ଷା କରାଯାଇପାରିବ ।

 

ସତ୍ୟକାମ ତାଙ୍କୁ ଧନ୍ୟବାଦ ଜଣାଇଲା ।

 

ଟିକେ ପରେ ଫାଦର୍‍ ଆବ୍ରାହମ୍‍ ଆସି ପହଞ୍ଚିଲେ ତାଙ୍କ ଘରେ । ଶ୍ରୀମୟୀ ଏବଂ ସତ୍ୟକାମ ଫାଦର୍‍ଙ୍କ ପାଦ ସ୍ପର୍ଶକରି ପ୍ରଣାମ କଲେ ।

 

ଶ୍ରୀମୟୀ କହିଲେ- ‘ମୁଁ ଭାବିଥିଲି ଆପଣ ଏଠାକୁ ଆସିଲେ ଆମେ ସମସ୍ତେ ପୁଣି ଏକତ୍ର ରହିବା । କିନ୍ତୁ ପ୍ରାୟ ମାସେ ହେବ ଆପଣ ଗଲେଣି, ମନେପଡ଼ୁ ନ ଥିଲା ଝିଅ କଥା... ନାତି କଥା... ।’

 

ତାଙ୍କ ସ୍ଵରରେ ଅଭିମାନମିଶା କରୁଣତାର ଝଙ୍କାର ଥିଲା । ତାହା ଫାଦର୍‍ଙ୍କ ପ୍ରାଣତନ୍ତ୍ରୀକୁ ଥରାଇଦେଲା । ସେ ପୁଣି ଫେରିଗଲେ ପଟିଶ ବର୍ଷ ତଳକୁ.... ।

 

କିଛି ସମୟ ହଜିଗଲେ ନିଜ ଭିତରେ ।

 

ସତ୍ୟ କହିଲା - ‘କଣ ଏତେ ଭାବୁଛନ୍ତି ଫାଦର୍‍...’

 

ଫାଦର୍‍ କହିଲେ, ‘ଭାବୁଥିଲି ତୁମ ଦୁହିଁଙ୍କ କଥା... ପ୍ରଭୁ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ, ତମେ ସୁଖୀ ଆଉ ଯଶସ୍ଵୀ ହୁଅ ।’

 

ଫାଦର୍‍ଙ୍କ ହାତକୁ ଥଣ୍ଡା କଫି ଗ୍ଲାସ୍‌ଟା ବଢ଼ାଇ ଦେଇ କହିଲେ ଶ୍ରୀମୟୀ - ‘ଆପଣ ମୁକ୍ତେଶ୍ଵରଙ୍କ ସ୍ତ୍ରୀ ଓ ଚାକରାଣୀ ବିଷୟରେ ଶୁଣିଥିବେ । ସେମାନେ ବଡ଼ ବିପଦରେ ପଡ଼ିଥିଲେ । ମୁଁ ଭାବି ନ ଥିଲି ଯେ ଟ୍ରିପଲ ମର୍ଡର ସମ୍ବନ୍ଧରେ ଖବରକାଗଜରେ ପ୍ରକାଶ ପାଇବା ପରେ ଅପରାଧୀମାନେ ଏଡ଼ିଟର୍‍ଙ୍କ ବଙ୍ଗଳା ଚଢ଼ାଉ କରି ତାଙ୍କ ସ୍ତ୍ରୀଙ୍କୁ କଷ୍ଟ ଦେବେ... ।’

 

- ‘କିନ୍ତୁ ଥ୍ୟାଙ୍କ୍‌ ଗଡ୍‌, ସେମାନେ ତାଙ୍କୁ ଶାରୀରିକ କଷ୍ଟ ଦେଇନାହାଁନ୍ତି । ମୁଁ ଭାବୁଛି କ’ଣ ଜାଣନ୍ତି ଫାଦର୍‍, ଆଉ ଯେପରି ଟ୍ରିପଲ ମର୍ଡ଼ର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଅବଶିଷ୍ଟ ଖବର ପ୍ରକାଶ ନ ପାଏ ସେଥିପାଇଁ ସେମାନେ ତଲ୍‍ଓ୍ୱାଲ୍‍କରଙ୍କୁ ଭୟ ଦେଖାଇଥିଲେ କେବଳ । ସେ ସ୍ୱାମୀଙ୍କ ପାଖକୁ ଟେଲିଫୋନ୍‌ କରୁଥିବା ଜାଣିପାରି କାଳେ ଶୀଘ୍ର ପୁଲିସ୍‌ ଆସି ପହଞ୍ଚିଯିବ ସେଥିପାଇଁ ତୁରନ୍ତ ଖସିଯିବା ପୂର୍ବରୁ ତାଙ୍କୁ ଓ ଚାକରାଣୀଙ୍କ ମୁହଁରେ ସାମ୍ନା ଦରଜା ବନ୍ଦ କରି ପଳାଇ ଯାଇଥିଲେ... ।’

 

- ‘କିନ୍ତୁ ମିଷ୍ଟର ତଲ୍‌ୱାଲ୍‌କର ଓ ତାଙ୍କ ସହଧର୍ମିଣୀ କ’ଣ ସତରେ ଡରି ଯାଇଛନ୍ତି... ?’

 

- ‘ନା, ଏଡ଼ିଟର୍‍ ଏତେ ନରମା ଲୋକ ନୁହଁନ୍ତି । ତାଙ୍କ ସ୍ତ୍ରୀ ଅବଶ୍ୟ ଭାଙ୍ଗି ପଡ଼ିଛନ୍ତି... ।'

 

- ‘ଆପଣ ଥରେ ତାଙ୍କ ଘରକୁ ଗଲେ ଭଲ ହୁଅନ୍ତା ଫାଦର୍‍... ସାନ୍ତ୍ୱନା ଦିଅନ୍ତେ...ଦୁଇପଦ ଭଲକଥା ସେମାନେ ଶୁଣନ୍ତେ...’

 

- ‘ମୁଁ ପ୍ରସ୍ତୁତ । ଯଦି କହିବ ଆଜି, କାଲି ବା ସେମାନଙ୍କୁ ଯେଉଁଦିନ ସୁବିଧା ଯିବା ଆମେ ସମସ୍ତେ । ସେମାନେ ବିପଦର ସାମ୍ନା କରୁଥିବାବେଳେ ଈଶ୍ଵରଙ୍କ ବାଣୀ ଶୁଣିବା ଭଲ ହେବ... ।’

 

ସତ୍ୟକାମ ଫାଦର୍‍ଙ୍କଠାରୁ ବିଦାୟ ନେଇ ଅଫିସ୍‌ ଚାଲିଗଲା । ସେ ଚାଲିଯିବା ପରେ ଶ୍ରୀମୟୀ କହିଲେ - ‘ଫାଦର୍‍, ଆପଣ ଭାବିଲେ କିଛି ଅସୀମା ସମ୍ପର୍କରେ ?'

 

- ‘ତମର ପସନ୍ଦ, ମୋର ବି ପସନ୍ଦ । ଝିଅଟି ଖୁବ୍‌ଭଲ... କିନ୍ତୁ...’

 

- ‘କିନ୍ତୁ କ’ଣ ଫାଦର୍‍ ! କିଛି ଅସୁବିଧା ହେବ ଭାବୁଛନ୍ତି ।'

 

- ନା ସେମିତି କିଛି ନୁହଁ... ତା’ ବାପା, ମା’ଙ୍କ ସହିତ ମୁଁ କଥା ହେବି...ଆଜିକାଲି କିଛି ଲୋକ ନିଜର ମତ ଚଳାଇ ନବାପାଇଁ ତାହା ଈଶ୍ଵରଙ୍କ ବାଣୀ ବୋଲି କହନ୍ତି...। ଏହା ଏକ ଭୟଙ୍କର ମାନସିକତା...। ସବୁ ଧର୍ମରେ ଏପରି ମୌଳବାଦୀ ଅଛନ୍ତି - ଦିନେ ଚର୍ଚ୍ଚ ସାରାପୃଥିବୀରେ ରାଜତ୍ୱ କରିବାପାଇଁ ସ୍ଵପ୍ନ ଦେଖୁଥିଲା.... ଇସ୍‌ଲାମ୍‌ରେ ମଧ୍ୟ ଦଳେ ସେହିପରି କଠୋରପନ୍ଥୀ ଅଛନ୍ତି ।'

 

- 'ହିନ୍ଦୁମାନଙ୍କ ମଧ୍ୟରେ ବି ଏପରି ମାନସିକତା ରହିଛି...’

 

- ‘ହଁ, କିନ୍ତୁ ଏସବୁକୁ ଅନ୍ୟ ଉପରେ ଚପାଇଦବାପାଇଁ କାର୍ଯ୍ୟ କରିବା ଠିକ୍‌ ନୁହେଁ । ମୁଁ କ’ଣ କହୁଥୁଲି କି ଯଦି ଅସୀମାର ବାପା ମା’ ରାଜି ତେବେ ଆଉ ବିଳମ୍ବ କରିବା ଉଚିତ ହେବ ନାହିଁ... ।’

 

ଶ୍ରୀମୟୀ ଖୁସି ହୋଇ କହିଲେ - ‘ମୁଁ ବି ସେଇୟା ଭାବୁଚି... । ତା’ ମା’ଙ୍କ ମତ ଅନୁକୂଳ... କିନ୍ତୁ ଜାଫର ସାହେବଙ୍କ ସହିତ ମୁଁ କେବେ ଏ ପ୍ରସଙ୍ଗରେ ଆଲୋଚନା କରିନି...।’

 

ଏଇ ସମୟରେ ଫୋନ ଆସିଲା ପ୍ରେସ୍‌ରୁ । ହୁମାୟୁନ୍‌ ଫୋନ୍‌ କରିଥଲା, କିନ୍ତୁ ସତ୍ୟକାମ ଅଫିସ୍‌ ଚାଲିଗଲାଣି ଜାଣି ରଖିଦେଲା ଟେଲିଫୋନ୍‌ ।

 

ମାତ୍ର ପାଞ୍ଚ ମିନିଟ୍‌ପରେ ସୁରେୟା କବୀର ଫୋନ୍‌ କରି କହିଲେ - ‘ବଡ଼ ବିବ୍ରତ ଲାଗୁଛି ମୋତେ କହିବାପାଇଁ... ଆପଣ ଯଦି କିଛି ମନେ ନ କରନ୍ତି ମୁଁ ଗୋଟେ ସଜେସନ୍‌ ଦେବି... ଅସୀମାର ଭବିଷ୍ୟତ ସମ୍ବନ୍ଧରେ ଆପଣ ଯାହା ଭାବୁଚନ୍ତି ମୁଁ ସେଥିରେ ସହମତ । କିନ୍ତୁ ସାହେବଙ୍କ ମତ ଏ ପର୍ଯ୍ୟନ୍ତ ମୁଁ ଜାଣିନି... ପଚାରିବି ପଚାରିବି ହୋଇ ପଚାରି ପାରିନି...

 

ଶ୍ରୀମୟୀ କହିଲେ - ‘ଆପଣଙ୍କ ଝିଅ, ବାପା ମା’ଙ୍କ ସହମତି ବିନା ଏ କାମ କରିବା ଉଚିତ ହେବ ନାହିଁ । ମୁଁ ଜାଫର ସାହେବଙ୍କ ସହିତ କଥା ହେବି ଭାବୁଛି..। ଏ ବିଷୟରେ ତାଙ୍କ ମତ ଜାଣିବାକୁ ମୁଁ ଚେଷ୍ଟା କରିବି... ମୁଁ କ’ଣ କହୁଥିଲି କି ସେ ପର୍ଯ୍ୟନ୍ତ, ଉଇ ମେ ଗୋ ୟୋ...।’

 

- ‘ନା, ତରତର ହେବା ବିଷୟ ଇଏ ନୁହେଁ...।' କହିଲେ ସୁରେୟା ।

 

ଶ୍ରୀମୟୀ କହିଲେ ଫାଦର୍‍ଙ୍କୁ କ’ଣ କହୁଥିଲେ ସୁରେୟା । ଫାଦର୍‍ଙ୍କ ସନ୍ଦେହ ଘନୀଭୂତ ହେଲା । ସେ ଶ୍ରୀମୟୀଙ୍କ ଉତ୍ସାହରେ ଭଟ୍ଟା ସୃଷ୍ଟି କରିବାପାଇଁ ଚାହୁଁ ନ ଥିଲେ । ତେଣୁ କହିଲେ- ‘ସମୟକ୍ରମେ ସବୁ ଠିକ୍‌ ହୋଇଯିବ... ପ୍ରଭୁଙ୍କ କରୁଣା ବିନା ତ କିଛି ହୁଏନା ଶ୍ରୀମୟୀ...।'

 

ଶ୍ରୀମୟୀ ଧ୍ୟାନସ୍ଥ‌ ହେବାପରି ନୀରବ ରହିଲେ କିଛି ସମୟ ।

 

Unknown

॥ ବାଇଶ ॥

 

‘ଟ୍ରିପଲ୍‌ ମର୍ଡର’ର ରହସ୍ୟ ଉନ୍ମୋଚିତ ହେଇଥିବାରୁ ସାଧାରଣ ଲୋକ ଅନୁଭବ କରିବାକୁ ଲାଗିଲେ ଯେ ‘ସତ୍ୟ’ ସବୁଦିନ ଗୁପ୍ତ ରହେ ନାହିଁ । ମିଥ୍ୟାର ଢାଙ୍କୁଣି ଭିତରୁ ଦିନେ ନା ଦିନେ ସତ୍ୟ ଉଦ୍‌ଘାଟିତ ହୁଏ ଯେପରି ଜଡ଼ ଭିତରୁ ଜୀବନର ସଞ୍ଚାର ହୁଏ । ତେନ୍ତୁଳି ମଞ୍ଜି ମାଟି ଭିତରେ ପୋତି ଦେଲେ ଦିନେ ଆପେ ଆପେ ଭୂଇଁ ଫଟେଇ ସେଥିରୁ ଅଙ୍କୁରଟିଏ ଉପରକୁ ଅନାଏ । ସୂର୍ଯ୍ୟର ଆଲୋକ, ମାଟିର ରସ ଏବଂ ସୁଲୁସୁଲିଆ ପବନ ଆହରଣ କରି ଅଙ୍କୁର ଚାରା ଗଛରେ ପରିଣତ ହୁଏ ଏବଂ ଦିନେ ଦେଖାଯାଏ ଯେ ଉର୍ଦ୍ଧ୍ୱମୁଖୀ ବନସ୍ପତି ଛଅଫୁଟିଆ ସାତଜଣ ମଣିଷଙ୍କଠାରୁ ମଧ୍ୟ ବେଶି ଉଚ୍ଚ ।

 

ସତ୍ୟ ଆବିଷ୍କୃତ ହେଲେ ଆକାଶ ପର୍ଯ୍ୟନ୍ତ ପ୍ରସାରିତ ହୁଏ ତା’ର ଦ୍ୟୁତି । ଧରାପୃଷ୍ଠରେ ଖେଳିଯାଏ ସ୍ୱର୍ଗର ଦିବ୍ୟ ବିଭୂତି ।

 

ସତ୍ୟକାମ ପଲ୍ଲବ ପାଖରେ ପହଞ୍ଚିବାବେଳକୁ ସେ ଅପେକ୍ଷା କରୁଥିଲା ତାକୁ । ଦୁଇ ବନ୍ଧୁ ଅଳ୍ପ ସମୟ ଖୁସି ଗପ କରିବା ପରେ ପୁଣି କାମରେ ମନ ଦେଲେ । ପଲ୍ଲବ କହିଲେ - ‘ଇଣ୍ଟେଲିଜେନ୍‍ସ ଅଫିସର ଶୁଭାଶିଷ ସାହୁ ଆହୁରି କିଛି ପ୍ରାସଙ୍ଗିକ ସୂଚନା ଦେଇଛନ୍ତି । ସେ ସଂଗ୍ରହ କରିଥିବା ତଥ୍ୟସବୁ ଆମେ ସାଙ୍ଗହୋଇ ବିଶ୍ଳେଷଣ କରିଛୁ । ଆମେ କିନ୍ତୁ ସ୍ଥିର ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଜ୍ୟୋତିର୍ବିତ୍‌ ଯୋଗେଶ ମୂର୍ତ୍ତି, ଦିଲ୍ଲୀର ପ୍ରୋଟୋକୋଲ ଅଫିସର ସନତ କୁମାର ମେହେଟ୍ଟା ଏବଂ ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ଭାରତ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ପ୍ରଭୃତିଙ୍କଠାରୁ ଆଉ କିଛି ତଥ୍ୟ ସଂଗ୍ରହ କରିବାକୁ ଚାହୁଁ । ତୋ ପାଖରେ କିଛି ଅଛି ଏମାନଙ୍କ ସମ୍ପର୍କରେ ?'

 

ସତ୍ୟକାମ କହିଲା, ‘ମୁଁ ତ ତମକୁ କହିଥିଲି ଭାଇ ଚନ୍ଦ୍ରମୌଳିର ଭାରତ କନ୍‌ଷ୍ଟ୍ରକ୍ସନ୍‌ ସମ୍ପର୍କରେ । ଏଇ କମ୍ପାନୀ ରାସ୍ତା ନିର୍ମାଣ, ପୋଲ ଓ କୋଠାବାଡ଼ି ନିର୍ମାଣ, ନଦୀବନ୍ଧ ଇତ୍ୟାଦି ବଡ଼ ବଡ଼ ନିର୍ମାଣ କାମ ଠିକା ନିଏ । ଦଶ ବର୍ଷ ମଧ୍ୟରେ ବିପୁଳ ଲାଭ ପାଇଛି କମ୍ପାନୀ... । ଏ କମ୍ପାନୀର ମାଲିକ କିଏ ? ଏକା ଚନ୍ଦ୍ରମୌଳି ନା ସେ ଓ ଚିଦାନନ୍ଦ ଏବଂ ଆଉ କେହି ତାହା ଜାଣିବା ଦରକାର-।’

 

- ‘କିନ୍ତୁ ଏଇ ଚନ୍ଦ୍ରମୌଳି ବିଷୟରେ ବି ଆଉ ବେଶିକିଛି ଜାଣିବା ଦରକାର । ସେ ବିଜ୍‌ନେସ୍‌ କରିବା ପୂର୍ବରୁ କ’ଣ କରୁଥିଲେ, ମୂର୍ତ୍ତି ସହିତ ତାଙ୍କ ପରିଚୟ କେତେଦିନର, କେଉଁସବୁ ରାଜ୍ୟରେ ତାଙ୍କ କମ୍ପାନୀ କାମ କରୁଛି, ତାଙ୍କ ବ୍ୟକ୍ତିଗତ ଜୀବନ କ’ଣ ? ଲାଗୁଛି ଲୋକଟାର ଉଭା ଯେତେ ପୋତା ସେତେ ।’

 

ସତ୍ୟ କହିଲା - ‘ତାଙ୍କର ଯେ ଆଉ ଗୋଟାଏ ପରିଚୟ, ଆଉ ଗୋଟାଏ ନାମ ଥାଇପାରେ ଏହା ତମେ ଜାଣ ?’

 

ଚମକି ପଡ଼ିଲେ ପଲ୍ଲବ । ସେ ସତ୍ୟର ମୁହଁ ଉପରେ ଦୃଷ୍ଟିରଖି କହିଲେ - 'ମାନେ ? ତୁ କ’ଣ କହିବାକୁ ଚାହୁଁ ଯେ ସେ ଲୋକଟାର ଆଉ ଗୋଟେ ନାମ ଅଛି... ଏ କିପରି ସମ୍ଭବ ?'

 

- 'ହଁ ଭାଇ, ଅସମ୍ଭବ ଜଣାପଡ଼ୁଥିଲେ ବି ସମ୍ଭବ । ସେ ଲୋକଟାର ବିଦ୍ୟାବୁଦ୍ଧି ଅଛି... କିନ୍ତୁ ସେସବୁ ଦୁଷ୍ଟ ବୁଦ୍ଧି... ତା’ ଅସଲ ନାମରେ ସେ କଛି କରିନାହିଁ... କେବଳ ମଉଜ କରିବାହିଁ ତା’ର କାମ । ଅନେକ ଲୋକଙ୍କ ସର୍ବନାଶ କରିଛି । ସେଥିପାଇଁ କାଳେ ଦିନେ ଧରାପଡ଼ିଯିବ ସେଥିପାଇଁ ବେଳେ ବେଳେ ଚନ୍ଦ୍ରମୌଳି ତା’ ପାର୍ଟନର ଚିଦାନନ୍ଦଙ୍କ ନାମ ନେଇ ବି ଚଳାଇ ନିଅନ୍ତି ନିଜକୁ ।

 

-‘ମାଇଁ ଗଡ୍‌ ! ଏୟା ଯଦି ସତ୍ୟ ହୋଇଥାଏ ତେବେ ଜାଲିଆତିର ଚରମ ସୀମା ଚନ୍ଦ୍ରମୌଳି ଟପି ଯାଇଛି ବୋଲି ଦୁନିଆ ଜାଣିବ ଏବଂ ସେ ଯେ ନିଜ ଫାଶରେ ଫାଶୀ କାଠରେ ଝୁଲିବ ତାହା ନିଃସନ୍ଦେହ... ।’

 

ସତ୍ୟ କହିଲା, ‘କେଉଁ ଏକ ଅଖ୍ୟାତ ଦେଶୀୟ ରାଜ୍ୟ ବା ଜମିଦାରୀର ତଥାକଥିତ ରାଜାସାହେବ ନାମରେ ଚଳି ଯାଇଛନ୍ତି ଚିଦାନନ୍ଦ ବଜାରରେ ଅଚଳ ପଇସା ଚଳିଯିବା ପରି । ସେ ବି କ’ଣ କମ୍‌ କି ? ଗୋଟିଏ ନକଲି ଟଙ୍କାର ଦୁଇପାଖ - ଚିଦାନନ୍ଦ ଓ ଚନ୍ଦ୍ରମୌଳି । ତମେ ଟିକେ ଲାଗିଲେ ଚନ୍ଦ୍ରମୌଳିର ମୁଖା ସେ ନିଜେ ନା ଆଉକେହି ପରିଷ୍କାର ହୋଇଯିବ ।’

 

‘ଦିଲ୍ଲୀରେ ଦିନେ ତାକୁ ମୁଁ ଗୋଟେ ହୋଟେଲରେ ଆବିଷ୍କାର କରିଥିଲି...।’

 

‘‘ସେ ସମୟ ଦେଇଥିଲା ମୋତେ ଦେଖା କରିବାପାଇଁ । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ହୋଟେଲ ଛାଡ଼ି ପଳାଇଗଲା । ତା’ ସହିତ ମୋର ଦେଖା ହେଲାନାହିଁ । କିନ୍ତୁ ଦେଖିଲେ ମୁଁ ଚିହ୍ନିପାରିବି । ଆଗରୁ ମୋର ଧାରଣା ଥିଲା ଚନ୍ଦ୍ରମୌଳି ଓ ଚିଦାନନ୍ଦ ଓରଫ ରାଜାସାହେବ ଜଣେ ବ୍ୟକ୍ତି । କିନ୍ତୁ ନା, ସେମାନେ ଦୁଇଜଣ ଯଦି ବା ପ୍ରାୟ ଏକାପରି ଦେଖାଯାନ୍ତି... ।’’

 

- ‘କିନ୍ତୁ ସିବିଆଇ ହେଡ଼କ୍ୱାର୍ଟରକୁ ମୁଁ ଗଲେ ବେଶି ସମୟ ଲାଗିବ ନାହିଁ ତାକୁ ଆବିଷ୍କାର କରିବାପାଇଁ, ସେ ଲୁଚିବ କେଉଁଠି ? କିନ୍ତୁ ହୁସିଆର, ଖବରକାଗଜରେ ତା’ ସମ୍ପର୍କରେ କୌଣସି ସୂଚନା ବା ସଂକେତ ନ ବାହାରେ ଯେପରି ! ଏପରି ଲୋକଙ୍କ ପାସ୍‌ପୋର୍ଟ, ଭିସା ସବୁ ରେଡ଼ି ଥାଏ ଯେତେବେଳେ ଇଚ୍ଛା ଦେଶ ଛାଡ଼ି ପଳାଇଯିବା ପାଇଁ-।’ ପଲ୍ଲବ କହିଲେ ।

 

- ‘କିନ୍ତୁ ଏଇ ସମ୍ଭାବନାକୁ ଯଦି ବନ୍ଦ କରିଦିଆଯାଏ... ତମେ ତ ଦିଲ୍ଲୀ ଯାଉଛ...ତା’ ପାସ୍‌ପୋର୍ଟ ଅକାମୀ କରିଦେଲେ ସେ ପଳାଇପାରିବ ନାହିଁ ।’ ସତ୍ୟକାମ ପ୍ରସ୍ତାବ ଦେଲା ।

 

- ‘ମୁଁ ଏ ବିଷୟ ଡାଇରେକ୍ଟରଙ୍କୁ କହିବି... ସେ ନିଶ୍ଚେ କିଛି ନା କିଛି ପଦକ୍ଷେପ ନେବେ ।’ ପଲ୍ଲବ କହିଲେ ।

 

ତା’ ପାଖରେ ଯେଉଁସବୁ ଫଟୋ ଥିଲା, ଆଇଡ଼େଣ୍ଟି କାର୍ଡ଼ ଥିଲା ଏବଂ ଆଉ ସବୁ ଠିକଣା, ଚନ୍ଦ୍ରମୌଳି ଏବଂ ଚିଦାନନ୍ଦ ସମ୍ବନ୍ଧିତ କାଗଜପତ୍ର ସେସବୁର ଫଟୋ କପି ପଲ୍ଲବକୁ ଦେଲା ସତ୍ୟକାମ । ତା’ପରେ ତାକୁ ଏହା ବି କହିଲା ଯେ ଟ୍ରିପଲ ମର୍ଡର ସମ୍ବନ୍ଧରେ ପ୍ରଥମ ଖବର ‘ନିଉ ଟାଇମ୍ସ୍’ରେ ବାହାରି ସାରିବା ପରେ ଦ୍ଵିତୀୟ ଅଗ୍ରଲେଖାଟି ଆସନ୍ତା ସପ୍ତାହରେ ବାହାରିବ ।

 

ସତ୍ୟକୁ ସାବଧାନ କରିଦେଇ କହିଲା - ‘ତୁ ମୋ କଥା ମାନି ଚଳିବୁ । ରାତିରେ ଏକାକୀ କାହିଁ ଯିବୁ ନାହିଁ । ଆଉ ତୋର ଯଦି କେବେ ପୁଲିସ୍‌ ସହାୟତା ଦରକାର ହୁଏ ଦ୍ୱିଧା ନ କରି କହିବୁ-। ମୁଁ ଏସ୍‌.ପି.ଙ୍କୁ କହିରଖିଛି, ସୂଚନା ପାଇବାମାତ୍ରେ ସେ କାମ କରିବେ ।’

 

ସତ୍ୟକାମ କହିଲା - 'ଶେଖ୍‌ ଅଖ୍‍ତାର ସମ୍ପର୍କରେ ଆଉ କିଛି ଖବର ପାଇଛ କି ?’

 

- ‘ନା, କିନ୍ତୁ ମୁଁ ମୁମ୍ବାଇ ଓ ଦିଲ୍ଲୀ ଅଫିସ୍‌କୁ ଜଣାଇ ଦେଇଛି ।’

 

ଠିକ୍‌ ସେତିକିବେଳେ ଟେଲିଫୋନ୍‌ ଆସିଲା ମୁମ୍ବାଇରୁ । ମୁମ୍ବାଇ ଅଫିସରୁ ସୁବୋଧ ପାନ୍ନିକର କହିଲେ ଯେ ଶେଖ୍‌ ଅଖ୍‍ତାର ସନ୍ଧ୍ୟା ଫ୍ଲାଇଟ୍‌ରେ ଦିଲ୍ଲୀ ଯାଉଛି । ମୁମ୍ବାଇରେ ଓେଷ୍ଟ୍‌ ଏଣ୍ଡ୍ ହୋଟେଲରେ ଥିବାବେଳେ ସେ ହଜ୍‌ ଯିବ ବୋଲି ମଧ୍ୟ ନାମ ଲେଖାଇଛି । ଅଣ୍ଡର ୱାର୍ଲଡ଼ ଡନ୍‌ ଗୋବିନ୍ଦ ଗୋରେ ସହିତ ସେ ତାଜ ହୋଟେଲ ଯାଇଥିଲା । କିନ୍ତୁ କାହା ପାଖକୁ ଯାଇଥିଲା ସେ ବିଷୟ ଅସ୍ପଷ୍ଟ ହୋଇ ରହିଛି । ଦିଲ୍ଲୀରେ ସେ ସି.ଏମ୍‌.ଏସ୍‌.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି । ସି.ଏମ୍‌.ଏସ୍‌. ଗୁର୍‌ଗାଁଓରେ ରହେ... ।

 

- ‘କିଏ ଏଇ ସି.ଏମ୍‌.ଏସ୍‌ ?’ ପ୍ରଶ୍ନ କଲେ ସତ୍ୟକାମ ।

 

- ‘ଚନ୍ଦ୍ରମୌଳି ଶ୍ରୀବାସ୍ତବ ହୋଇଥିବା ମୋର ଅନୁମାନ.. ' କହିଲେ ପଲ୍ଲବ ।

 

- ‘ତାକୁ ପାଦେ ପାଦେ ଜଗିବାକୁ କୁହ । ଦୁହିଁଙ୍କୁ ଯଦି ଗିରଫ କରାଯାଇପାରେ... ତା’ ହେଲେ ବାଜିମାତ୍‌ ହୁଅନ୍ତା... ।’

 

ସତ୍ୟକାମ ଶେଷ କରିବା ପୂର୍ବରୁ କହିଲେ ପଲ୍ଲବ - ପୁଲିସ୍‍ ଯଥା ସମୟରେ ଯଥାର୍ଥ ନିଷ୍ପତ୍ତି ନବ । ଯଦି ସେପରି କିଛି ଦେଖେ ତେବେ ଗିରଫ କରିବ ଅବଶ୍ୟ । ଶେଖ୍‍ ଅଖ୍‍ତାର ଓ ଚନ୍ଦ୍ରମୌଳି ନାମରେ ଏ ପର୍ଯ୍ୟନ୍ତ ଠୋସ୍‌ ପ୍ରମାଣ ଆମ ପାଖରେ ନାହିଁ । ସେମାନେ ଯେ ଟ୍ରିପଲ୍‌ ମର୍ଡର ବା ଆଉ କୌଣସି କ୍ରାଇମ୍‌ ସହିତ ସମ୍ପୃକ୍ତ ତା’ର ପ୍ରମାଣ ନ ପାଇବା ପର୍ଯ୍ୟନ୍ତ କେଉଁ ଯୁକ୍ତିରେ ଆରେଷ୍ଟ କରିବ ପୁଲିସ୍‌? ଉଇ ଆର୍‌ ଏ ଡିମୋକ୍ରେଟିକ୍‌ କଣ୍ଟ୍ରି... ।’

 

ସତ୍ୟକାମ କହିଲା - ‘ଟ୍ରିପଲ୍‌ ମର୍ଡର ଏମାନେ କରିନାହାଁନ୍ତି ସତ କିନ୍ତୁ ଚନ୍ଦ୍ରମୌଳି, ଚିଦାନନ୍ଦ ଆଉ ଶେଖ୍‌ ଅଖ୍‍ତାର ଏଇ ଷଡ଼ଯନ୍ତ୍ର ସହିତ ସମ୍ପୃକ୍ତ ନିଶ୍ଚୟ ।’

 

- ‘ଏଇଟା ତୋର ଅନୁମାନ... ମୋର ବି ଅନୁମାନ... କିନ୍ତୁ ଏମିତି କିଛି ମିଳିବା ଦରକାର ଯାହା ପ୍ରମାଣ କରିଦବ ଯେ ଏଇମାନେ ହିଁ ରିଙ୍ଗ୍‌ ଲିଡ଼ର... ଏମାନେ ନିଜେ କ୍ରାଇମ୍‌ କରି ନ ଥିଲେ ବି କ୍ରାଇମ୍‌ କରିଥିବା ଲୋକ ଏମାନଙ୍କ ନିର୍ଦ୍ଦେଶ ଓ ପ୍ରରୋଚନାରୁ କରିଛନ୍ତି ଏ କାମ । ଆଉ କାହା ନାମ କହିପାରିବୁ ?’

 

- ‘ହାରୁ ମିଆଁ...’

 

- 'ସେ କିଏ ?’

 

- 'ସେ ଶେଖ୍‌ ଅଖ୍‍ତାରର ଡାହାଣ ହାତ । ଜଣେ ସମାଜସେବୀ । ମ୍ୟୁନ୍‍ସିପାଲିଟି ନିର୍ବାଚନରେ ଲଢ଼ିଥିଲା... ।'

 

- ‘ଏବେ ତାକୁ ଧରାଯାଇପାରେ...’

 

- 'ନା, ସେ ଦୁଇ ଦିନ ପୂର୍ବେ କଲିକତା ଚାଲିଯାଇଛି... ତା’ ବିଷୟରେ ଆଉ କିଛି ଖବର ପାଇନି... ।’

 

- 'ହାରୁ ମିଆଁର ଦୌଡ଼ କେତେଦୂର ?’

 

- ‘ଶେଖ୍‍ ଅଖ୍‍ତାରର ଦୂତ ସେ । ପଲିଟିସିଆନ୍‌, ପାଓ୍ୱାର ବ୍ରୋକର ଏବଂ କେତେଜଣ ବିଧାୟକ ଓ ମନ୍ତ୍ରୀଙ୍କ ସହିତ ତା’ର ଜଣାଶୁଣା ଅଛି... ।'

 

କିଛି ସମୟ ଭାବି ପଲ୍ଲବ କହିଲା - ‘ଆଉ କିଛି ?’

 

‘ଚକେଇସିଆଣି, ରସୁଲଗଡ଼ ସାମ୍ପ୍ରଦାୟିକ ଦଙ୍ଗାବେଳେ ତା’ ନାମ ଉଠିଥିଲା... ସେ ଗୋଟେ ଗ୍ୟାଙ୍ଗର ନେତୃତ୍ୱ ନେଇଥିଲା... ପ୍ରେସ୍‌ବାଲା ଛାପିଥିବା ଫଟୋରୁ ତା’ ମୁହଁ ବାରି ହୋଇ ପଡ଼ୁଥିଲା.... ସେଇ ଫଟୋ ସବୁ ପୁଲିସ୍‍ ସିଜ୍‌ କରିଛି... ।’ ସତ୍ୟ କହିଲା ।

 

- ‘ମୁଁ ନିଶ୍ଚିତ କିଛି ସୁରାକ ପାଇଯିବି । ମୁଁ ସିଆଇଡ଼ି ସହିତ ଯୋଗାଯୋଗ କରିବି... ’

 

- ‘କିନ୍ତୁ ସିଆଇଡ଼ି ସେ ମାମଲାରେ ବିଶେଷ ତତ୍ପରତା ଦେଖାଉ ନାହିଁ ।’

 

- ‘ହୋଇଥିବ । ନିହିତ ସ୍ୱାର୍ଥ ତ ସବୁଠାରେ । ଶେଖ୍‍ ଅଖ୍‍ତାର ଧରିଥିବ ଉପରବାଲାଙ୍କୁ...-।’ କହିଲେ ପଲ୍ଲବ । ‘କିନ୍ତୁ ହତାଶ ହେବାର କାରଣ ନାହିଁ... ଯିଏ ନୂଆ ଏସ୍‍ପି ଆସିଚନ୍ତି ସେ ମୋର ବସ୍‌ ଥିଲେ ଆଗରୁ । ଭଲ ପରିଚୟ ଓ ଘନିଷ୍ଠତା ଅଛି । ହି ଇଜ୍‌ ଅନେଷ୍ଟ,.. ’

 

- ‘ତମେ ଲାଗିଲେ ହୁଏତ କିଛି ଘଟିପାରେ । ଦିଲ୍ଲୀ ଓ କଲିକତା ପୁଲିସ୍‌କୁ ଏଲର୍ଟ କରିଦଅ... ।’ କହିଲା ସତ୍ୟ ।

 

- ‘ସେ କାମ ଆଉ ବାକି ରଖିନି... ଶେଖ୍‌ ଅଖ୍‍ତାର ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବି... ।'

 

- ‘କିନ୍ତୁ ହାରୁ ମିଆଁ ଯଦି ଆସାମ ପଳାଇଯାଏ... ’

 

- ‘ସେ ପସିବିଲିଟି ଅଛି । ଆସାମ ଗଲେ ତାକୁ ଧରିବା କଷ୍ଟ ହେବ... ନିର୍ବାଚନ ସମୟ... ପୁଲିସ୍‍ ଏତେବେଳେ ଅପରାଧୀମାନଙ୍କ ଡେନ୍‌ରେ ପଶିବାକୁ ପସନ୍ଦ କରିବ ନାହିଁ, କହିଲା ପଲ୍ଲବ ।

 

- ‘ତେବେ ?’

 

- 'ମୁଁ ଚିହ୍ନେନି ତାକୁ । ତୁ ଚିହ୍ନିପାରିବୁ ?'

 

- ‘ହଁ ଭାଇ... କାହିଁକି ?’

 

- ‘ଲେଟ୍‌ ଅସ୍‌ ଫ୍ଲାଇ ଟୁ କାଲକାଟା ଦିସ୍‌ ଇଭନିଂ...’

 

- ‘ଏଇ ସନ୍ଧ୍ୟାରେ ?’

 

- ‘ହଁ ବିଳମ୍ବ ହେଲାଣି, ଆଉ ବିଳମ୍ବ, ହେଲେ ସେ ହୁଏତ ଖସିଯିବ... ମୋର ଅନୁମାନ ସେ କଲିକତାରେ ଥିବ...’

 

- ‘ତେବେ ଚାଲ... ହୋଟେଲ ସଫାରିରେ ଅଛି ।'

 

ମୋ ସୂତ୍ରରୁ ଖବର ପାଇଛି ସେ ଆଉ କୁଆଡ଼େ ପଳାଇବାପାଇଁ ବାଟ ଖୋଜୁଛି... ।'

 

ସେଇ ସନ୍ଧ୍ୟାରେ କଲିକତା ଯିବାପାଇଁ ସ୍ଥିର ହେଲା । ରାତି ଆଠଟାରେ ଫ୍ଲାଇଟ୍‌ । ହାତରେ ସମୟ, ମାତ୍ର କେଇ ଘଣ୍ଟା... ।

 

ହୁମାୟୁନ୍‌ ନ ଥିଲା ଅଫିସରେ । ଅର୍କ ବି ନ ଥିଲା । ସେମାନେ ଫେରିବାକ୍ଷଣି ତା’ ସହିତ ଯୋଗାଯୋଗ କରିବାପାଇଁ ଖଣ୍ଡେ ନୋଟ୍‌ ରଖିଗଲା ।

 

- ଘରକୁ ଆସି କଲିକତା ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିବା ଦେଖି ଶ୍ରୀମୟୀ କହିଲେ - ‘କ’ଣ ଅତି ଜରୁରୀ କାମ ?'

 

- 'ହଁ ମା’... ପଲ୍ଲବ, ମୁଁ ଯାଉଛୁ ସାଥୀ ହୋଇ... କିଛି ଚିନ୍ତା ନାହିଁ ।

 

॥ ତେଇଶ ॥

 

କାନରୁ କାନକୁ ବା ତୁଣ୍ଡରୁ ତୁଣ୍ଡକୁ କଥା ପହଞ୍ଚିବା ଆଗରୁ ଇ-ମେଲ୍‌, ଫ୍ୟାକ୍ସ, ଏସ୍‌.ଏମ୍‌.ଏସ୍‌, ଟେଲିଫୋନ୍‌ ମାଧ୍ୟମରେ ସାଙ୍ଗେ ସାଙ୍ଗେ ଖବର ପଠାଇ ଦେଇହୁଏ ଦୂରକୁ । ଡାକ ବା କୋରିଅରରେ ଚିଠି ପଠାଇବା ଅନେକ ସହଜ ହୋଇଗଲାଣି ସତ, କିନ୍ତୁ ଶବ୍ଦର ଗତିଠାରୁ ଅଧିକ ବେଗରେ କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳ ଭେଦ କରିପାରୁଛି । ସକାଳ ଛଅଟାରେ ଦିଲ୍ଲୀରୁ ଛାଡ଼ୁଥିବା ବିମାନ ରାତି ନଅଟାବେଳକୁ ନିଉୟର୍କରେ ପହଞ୍ଚି ଯାଇପାରୁଛି । ଏଡ଼େବିପୁଳ ବିଶ୍ଵ ଆଜି କେଡ଼େଛୋଟ, ସୁନ୍ଦର ଦିଶୁଚି ସ୍ୟାଟେଲାଇଟ୍‌ରୁ ଅନାଇଲେ । କେଡ଼େଛୋଟ ମନେହେଉଚି ଅନୁଭବରେ ।

 

ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ପୃଥିବୀର ବିସ୍ତାର ଅନେକ ହେଲେ ବି ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବଳରେ ସେ ଜରୁରୀ କାମ ଥିଲେ ଚବିଶ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ମୁମ୍ବାଇ ଯାଇ ସେଠାରେ କାମ ସମାପ୍ତ କରି ଦୁବାଇରେ ମଧ୍ୟାହ୍ନ ଭୋଜନ ଆଲୋଚନା ସାରି ରାତିବେଳକୁ ଫେରି ଆସିପାରୁଛି ଦିଲ୍ଲୀ ।

 

‘ନିଉ ଟାଇମ୍ସ୍’ ତାଙ୍କ ପିଛା କରୁଥିବା ସେ ଜାଣି ମଧ୍ୟ କିଛି ନ ଜାଣିବା ପରି ବାହାନା କରୁଥିଲେ । କିନ୍ତୁ ସିବିଆଇ ତାଙ୍କୁ ଧରିବାପାଇଁ ଅଭିଯାନ ଆରମ୍ଭ କରିବା ପରେ ତାଙ୍କୁ ରାତିଦିନ ଚବିଶଘଣ୍ଟା ଅକୁଳାଣ ହେଉଛି ନିଜ କଥା ବୁଝିବାପାଇଁ । ବେଳେ ବେଳେ ଭାବନ୍ତି ଏଣ୍ତି ପୋକ ନିଜ ଜାଲ ବୁଣୁ ବୁଣୁ କେତେବେଳେ ସେଇ ଖୋଳ ଭିତରେ ନିଜେ ବନ୍ଦୀ ହୋଇ ରହିଯାଏ ଏବଂ ଜୀବନ ବିସର୍ଜନ କରେ ତାହା ସେ ଜାଣି ନ ପାରିବା ପରି ସେ ବି ବୋଧହୁଏ ନିଜର ବ୍ୟୂହ ଭିତରେ ନିଜେ ବନ୍ଦୀ ହୋଇଯାଉଛନ୍ତି । ଭାବିବାକ୍ଷଣି ଶୀତେଇ ଉଠେ ଦେହ, ଦମ୍ଭର ଦୁର୍ଗ ଭାଙ୍ଗିବାପାଇଁ ଯେ ଆରମ୍ଭ କଲାଣି ଏଇ ସତ୍ୟଟା ବେଳେ ବେଳେ ବିଦ୍ୟୁତ୍‌ ଝଲକ ପରି ଥରାଇ ଦିଏ ତାଙ୍କ ଦାମ୍ଭିକତାପୂର୍ଣ୍ଣ ଅନ୍ତର ଭିତରକୁ ।

 

ସେଥିପାଇଁ ଯେତେବେଳେ ଏସ୍‌.ଏମ୍‌.ଏସ୍‌.ରେ ଖବର ପାଇଲେ କଲିକତା ଚାଲିଯାଇଛି, ସେତେବେଳେ ଶେଖ୍‌ ଅଖ୍‍ତାରର ଆଶଙ୍କା ଏତେଶୀଘ୍ର ବାସ୍ତବରେ ପରିଣତ ହେବ ଏହା ଜାଣି ଅଳ୍ପକ୍ଷଣ ଗମ୍ଭୀର ହୋଇ ବସି ରହିଲେ ।

 

ଅଖ୍‍ତାରଙ୍କ ପ୍ଲାନ୍‌ ଯେ ଫେଲ୍‌ ମାରିଯାଇଛି ଏବଂ ଶୀଘ୍ର ହାରୁମିଆଁ କଲିକତାରୁ ଧରାପଡ଼ିବ ଏଇକଥା ଭାବିବାକ୍ଷଣି ଛାତି ତଳର ଅତଡ଼ା ଖସିବା ପରି ଲାଗିଲା । ହାରୁ ମିଆଁ ହୁଏତ ଏତେବେଳକୁ ଧରାପଡ଼ି ସାରିଥିବ । ପଲ୍ଲବ ଆଉ ସତ୍ୟକାମ ସାଙ୍ଗରେ ପୁଲିସ୍‌ଦଳ କଲିକତା ସହରର ଗଳିକନ୍ଦି ଦରାଣ୍ଡି ପକାଇଥିଲେ ରାତିସାରା । କୌଣସି ନିରାପଦ ଆଶ୍ରୟ ନ ପାଇ ଶେଷରେ ଗାର୍ଡ଼େନ୍‌ରିଚ ଜେଟି ପାଖରୁ ଫୋନ୍‌ କରିଥିଲା ହାରୁମିଆଁ । କାହା ପାଖରୁ ଖବର ପାଇଥିଲେ ଚନ୍ଦ୍ରମୌଳି । ଭୁବନେଶ୍ୱରରେ ବ୍ରହ୍ମେଶ୍ଵର ଧରାପଡ଼ି ଗଲାଣି । ସେ ଶଳା ଏଡ଼େ ଇଡ଼ିୟଟ୍‌ ଯେ ସବୁ ନଗଦ ଟଙ୍କା ଘରେ ଲୁଚାଇ ରଖିଥିଲା- ଠାକୁର ଖଟୁଲିରେ, ବିଛଣାର ମ୍ୟାଟ୍ରେସ ଭିତରେ, ବାଥ୍‌ରୁମ୍‌ ଭିତରେ... । ବୁଡ଼ବକ୍‌ ଧରା ପଡ଼ିଗଲାବେଳେ ନ ଥିଲା ଘରେ । ବାଇମାନଙ୍କୁ ଆଣିବାପାଇଁ ଯାଇଥିଲା କଲିକତା । ସେମାନଙ୍କୁ ନେଇ ଟ୍ରେନ୍‌ରେ ଫେରିବାବେଳେ ଶଳା ଧରାପଡ଼ିଲା କଟକ ଷ୍ଟେସନରେ । ତା’ ଘର ସର୍ଚ୍ଚ ହେବାବେଳେ ବିଡ଼ା ବିଡ଼ା ନୋଟ୍‌ ଡ୍ରେନ୍‌ ଭିତରକୁ ଫିଙ୍ଗିଲାବେଳେ ଧରିଲା ଭିଜିଲାନ୍‍ସ ପୁଲିସ୍‌...।

 

ନିଜର ସୁରକ୍ଷାପାଇଁ ଚାରିପଟେ ପାଚେରି ନିର୍ମାଣ କରିଥିଲେ ଚନ୍ଦ୍ରମୌଳି । ସେଇ ପାଚେରି ଯେ ଫାଳ ଫାଳ ହୋଇ ଭାଙ୍ଗିପଡ଼ିବ ଏହା ସେତେବଳେ ଭାବି ନ ଥିଲେ ସେ । ଟ୍ରିପଲ୍‌ମର୍ଡରର ଯୋଜନା ସ୍ମରଣ କରି କାମ କରିବାପାଇଁ ବାରମ୍ବାର ସେ ତାଗିଦ୍‌ କରିଦେଇଥିଲେ ବ୍ରହ୍ମେଶ୍ଵର ଏବଂ ଅଖ୍‍ତାରଙ୍କୁ । କିନ୍ତୁ ସଇତାନ କା ବଚ୍ଚା ଅଖ୍‍ତାର କାଳେ ଯୋଜନାଟା ଭୁଲ ହୋଇଯିବ ଏଇ ଆଶଙ୍କା କରି ତା’ ଡାଏରୀରେ ଲେଖି ରଖିଥିଲା ଟିକିନିଖି । ପୁଲିସ୍‌ ହାତରେ ସେଇ ଡାଏରୀ କିପରି ପଡ଼ିଲା ଏବେବି ରହସ୍ୟ ହୋଇରହିଛି । ସେଇ ରହସ୍ୟ ଫିଟିଗଲେ ଫାଶୀକାଠରୁ ତାଙ୍କୁ ସ୍ୱୟଂ ଭଗବାନ୍‌ ମଧ୍ୟ ରକ୍ଷା କରିପାରିବେ ନାହିଁ ।

 

ମୁମ୍ବାଇରେ ଶେଖ୍‌ସାହେବ ପହଞ୍ଚିବା ପୂର୍ବରୁ ସେ ଆସୁଥିବା ଖବର ପହଞ୍ଚି ସାରିଥିଲା । ପଲ୍ଲବ ପଟ୍ଟନାୟକ ଯେ ଏ ଖବର ଦେଇଥିବ ସେଥିରେ ସନ୍ଦେହ ନାହିଁ । କିନ୍ତୁ ପୁଲିସ୍‌ବାଲାଙ୍କ ମୁହଁ ବନ୍ଦ କରିବାପାଇଁ ସେ ଯେ ଏତେ ଟଙ୍କା ଦେଇଥିଲେ ସବୁ ପାଣିରେ ପଡ଼ିଗଲା । ବଡ଼ ବଡ଼ ଅଫିସରମାନଙ୍କର ବେଶି ଲୋଭ । ସବୁ ପ୍ଲାନ୍‌ ଫସର ଫାଟିଗଲା ।

 

ତାଙ୍କ ଚାରି ପାଖରେ ଥବା ରହସ୍ୟର ପାଚେରିରେ ଏତେ ଛିଦ୍ର ପଥ ଥିବ ବୋଲି ଭାବି ନ ଥିଲେ ଚନ୍ଦ୍ରମୌଳି । ସ୍ୱୟଂ ରାଜାବାବୁ ଚିଦାନନ୍ଦ ଏଇ ଦୁଃସମୟରେ କାଶ୍ମୀରରେ କେଉଁଠି ଲୁଚିଗଲେ ଏହାର କୌଣସି ସୁରାକ ଏବେବି ମିଳୁନି । ତାଙ୍କୁ ଡମିଭାବେ ବ୍ୟବହାର କରୁଥିଲେ ଚିଦାନନ୍ଦ । ଦୁହିଁଙ୍କ ମଧ୍ୟରେ ଯେ ଏତେ ସାଦୃଶ୍ୟ ଥିବ ତାହା ସହଜରେ ଧରାପଡ଼େନି ଆଖିକୁ । କିନ୍ତୁ ଯିଏ ଏକା ସାଙ୍ଗରେ ସେମାନଙ୍କୁ ଦେଖିଥିବ ସେ ଦିବ୍ୟଦ୍ରଷ୍ଟା ନ ହେଲେ ବି ତା’ର ଯଦି ସୂକ୍ଷ୍ମ ଦୃଷ୍ଟିଶକ୍ତି ଥାଏ ତେବେ ଦୁହିଁଙ୍କ ମଧ୍ୟରେ ଥିବା ଉଚ୍ଚତା ଭେଦ, ନାକର ଅସାଦୃଶ୍ୟ ଏବଂ ଭ୍ରୂ ତଳେ ଥିବା କଳାଜାଇର ଆକାରରୁହିଁ ଜାଣିପାରିବ । ମଣିଷ ଏ ଜଗତରେ ପାଦ ଦବା ଦିନୁ ଜଣକୁ ଆଉ ଜଣକ ସହିତ ସମାନ ଆକୃତି ପ୍ରକୃତିର କରି ନାହାଁନ୍ତି ବିଧାତା । ସୃଷ୍ଟିର ବୈଚିତ୍ର୍ୟହିଁ ଏହାର ମୌଳିକ ସୌନ୍ଦର୍ଯ୍ୟ । ବିଭିନ୍ନତା ମଧ୍ୟରେ ସୃଷ୍ଟି ବୈଚିତ୍ର୍ୟର ମହିମା ଅଧିକ ବିକଶିତ ହୋଇଛି ।

 

ବେଳେ ବେଳେ ସଂକଟ ସମୟରେ ବ୍ରହ୍ମଦର୍ଶୀ ସାଧକମାନଙ୍କ ପରି ଦାର୍ଶନିକ ହୋଇଯାଆନ୍ତି ଚନ୍ଦ୍ରମୌଳି । ସେ ନିଜର ମୂଳ ଖୋଜିବାକୁ ଯାଇ ସୋପାନ ପରେ ସୋପାନ ଅତିକ୍ରମ କରୁଥିବାବେଳେ ଝୁଣ୍ଟିପଡ଼ି ଦେଖନ୍ତି ଯେ କପିଳ ଋଷିଙ୍କ ଆଶ୍ରମରେ ଭସ୍ମ ହୋଇଯାଇଥିବା ରାଜବଂଶର ସମସ୍ତ ଲୋକଙ୍କୁ ଉଦ୍ଧାର କରିବାପାଇଁ ମଧ୍ୟ ଭଗୀରଥ ପରି ଜଣେ ଯୋଗଜନ୍ଜା ସାଧକ ଜନ୍ମିଥିଲେ । ବଂଶଧରମାନଙ୍କୁ ଋଷିଙ୍କ ଅଭିଶାପରୁ ରକ୍ଷାକରିବାପାଇଁ ସେ ତପସ୍ୟାରେ ସିଦ୍ଧିଲାଭ କରି ନ ଥିଲେ ଷାଠିଏ ହଜାର ସଗରପୁତ୍ର ସେଇ ସାଗର ତଳେ ରହିଥାନ୍ତେ ଚିରକାଳ, ପତିତପାବନୀ ମନ୍ଦାକିନୀଙ୍କ ପୂତ ପବିତ୍ର ଧାର କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଦେଶକୁ ସମୃଦ୍ଧ ଶସ୍ୟଶ୍ୟାମଳା କରିବାପାଇଁ ସୁଯୋଗ ସୃଷ୍ଟି ହୋଇ ନ ଥାନ୍ତା ।

 

ସେଇ ସଗର ବଂଶର ଉତ୍ତର ପୁରୁଷ ଚନ୍ଦ୍ରମୌଳି । ତାଙ୍କ ପିତାମହ ପ୍ରପିତାମହ ପଣ ପ୍ରପିତାମହଙ୍କ ତପସ୍ୟା ବିଷୟ ଭାବୁ ଭାବୁ ହଠାତ୍‌ ଛିଟିକି ପଡ଼ିଲେ ବାସ୍ତବରେ ନିଆଁ ଚେଁକ ପାଇ । ଅମୃତର ପୁତ୍ର ହେବା ପରିବର୍ତ୍ତେ ସେ ପାପର ନାୟକ ହେବାପାଇଁ ପସନ୍ଦ କଲେ କାହିଁକି ? ଐଶ୍ଵର୍ଯ୍ୟର ଅହଙ୍କାର ଓ କାମନାର ଗରଳ ଦାନ କରି ଉଦ୍ଦାମ ଯୌବନରେ ଏପରି ଗୋଟେ ମହାପାପ କରିପକାଇଲେ ଯେ ସେଥିରୁ ମୁକୁଳିବାପାଇଁ ବାଟ ନ ଖୋଜି ସେ ବରଂ ଝାସ ଦେଲେ ଗୋଟିଏ ପରେ ଆଉ ଗୋଟିଏ ପାପ ସମୁଦ୍ରରେ ବୁଡ଼ ଦବାପାଇଁ ।

 

ଆଜି ସ୍ଵପ୍ନ ପରି ଲାଗୁଛି ସବୁ ।

 

ତାଙ୍କୁ ସେତେବେଳେ ମାତ୍ର ତେଇଶ ବର୍ଷ । ଗୋଟିଏ ଦୁର୍ବଳ ମୁହୂର୍ତ୍ତର ଉଚ୍ଚାଟନ ଏଡ଼ି ନ ପାରି ସେଇ ଯେ ଝାମ୍ପଦେଲେ ପାପ ସମୁଦ୍ରରେ ଆଉ ସେଥିରୁ ବାହାରି ଆସିବାର ସାମର୍ଥ୍ୟ ନ ଥିଲା, ପ୍ରୟାସ ବି ନ ଥିଲା; ବରଂ ଅମିତ ବିକ୍ରମ ଓ ଉଲ୍ଲାସରେ ସେ ଅପରାଧ ପରେ ଅପରାଧ କରି ଚାଲିଲେ । କେହି ତାଙ୍କୁ ଏ ବାଟରେ ଅଗ୍ରସର ହେବାରୁ ନିବୃତ୍ତ କଲେ ନାହିଁ, କେବଳ ଯୌବନ ଧନସମ୍ପତ୍ତି ଓ ଅହଙ୍କାରର ପାଗଳାମି ତାଙ୍କୁ ଭିଡ଼ିନେଲା ଆଗକୁ ଆଗକୁ...। ସଗରପୁତ୍ରମାନଙ୍କୁ ଉଦ୍ଧାର କରିବାପାଇଁ ଭଗୀରଥ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କୁ ନିବୃତ୍ତ କରିବାପାଇଁ ତାଙ୍କ ବିବେକ ବି ତାଙ୍କୁ ବନ୍ଦ କରିପାରିଲା ନାହିଁ, ଆଉ ସେତେବେଳେ ସେ କାହାରି ଆଦେଶ ବା ନିର୍ଦ୍ଦେଶ ମାନିବା ଅବସ୍ଥାରେ ନ ଥିଲେ ।

 

ସେଇ ସନ୍ଧ୍ୟାର ଘଟଣା ମନେପଡ଼ିଯାଏ । ସେ ଯଦି ଚିଦାନନ୍ଦଙ୍କୁ ପତଙ୍ଗ ନିଆଁ ଆଡ଼କୁ ଧାଇଁବା ପରି ସେଇ ଦାମିନୀକୁ ଉଠାଇନବାପାଇଁ ପ୍ରରୋଚିତ ଏବଂ ଉତ୍ତେଜିତ କରି ନ ଥାନ୍ତେ ହୁଏତ ଚିଦାନନ୍ଦ ଏଡ଼େ ଭୟଙ୍କର ପାପକରିବାପାଇଁ ସାହସ କରି ନ ଥାନ୍ତେ । ରାଜାମାନଙ୍କ ରକ୍ତରେ ନିଆଁ ଲାଗେ ନାରୀ ଦେଖିଲେ । ଚିଦାନନ୍ଦଙ୍କ ରକ୍ତକଣିକାରେ ନିଆଁହୁଳା ଢାଳି ଦେଇଥିଲେ ଚନ୍ଦ୍ରମୌଳି । ସେ ଆନନ୍ଦ ପାଆନ୍ତି ଆଉ କାହାକୁ ପାପ ସମୁଦ୍ରରେ ଝାସ ଦବାପାଇଁ ପ୍ରବର୍ତ୍ତାଇ ପାରିଲେ । ସାହସ ଦେଇ ନ ଥିଲେ ହୁଏତ ଚିଦାନନ୍ଦ ଏତେ ବଡ଼ ଦୁଃସାହସ କରି ନ ଥାନ୍ତେ ।

 

ପାହାଡ଼ ଉପରେ ପାଦ ଖସିଗଲେ ଯେପରି ଆରୋହୀ ତଳକୁ ଖସିଆସେ ସେହିପରି ଉଦ୍ଦାମ ଯୌବନର ଆରୋହଣ ନିଶା ତାଙ୍କୁ ଘାରିବା ପରିବର୍ତ୍ତେ ପାହାଡ଼ ତଳକୁ ଖସିବାର ଉଲ୍ଲାସ କାହିଁକି କାବୁ କରିଥିଲା ତା’ର କାରଣ ସେତେବେଳେ ଖୋଜିବାପାଇଁ ସମୟ ନ ଥିଲା ଚନ୍ଦ୍ରମୌଳିଙ୍କର । କିନ୍ତୁ ବେଳେ ବେଳେ କିଏ ଗୋଟେ ଅବଚେତନ ମନକୁ ଚେତାଇ ଦେଇ କହେ ସବୁଦିନ ଖସିପଡ଼ିବାର ଉଲ୍ଲାସରେ ବାଇ ହବା ଛାଡ଼ି ଅନେକ ବିଳମ୍ବ ହେଲେ ବି ଏବେ ଉପରକୁ ଉଠିବାର ଉଦ୍ୟମ ଆରମ୍ଭ କର... । ହୁଏତ ଏଇଟା ପ୍ରାୟଶ୍ଚିତ୍ତର ବାଟ ନ ହେଲେ ବି ଅନୁତାପ କିଛି ପରିମାଣରେ କମିବ ।

 

ଅନୁତାପ ତାଙ୍କର କେବେବି ନ ଥିଲା, ଏବେବି ନାହିଁ । ତଥାପି ସେ ଦିଲ୍ଲୀରେ ଆଉ ବସି ନ ରହି ଓଡ଼ିଶାକୁ ଉଡ଼ି ଆସିଲେ ଭାରତୀୟ ବିମାନ ସେବାର ଉଡ଼ାଣରେ । ଚନ୍ଦ୍ରମୌଳି ଦିଲ୍ଲୀ ଛାଡ଼ିବା ପୂର୍ବରୁ ମୁମ୍ବାଇରୁ ଆସି ଶେଖ୍‌ ଅଖ୍‍ତାର ପହଞ୍ଚି ଯାଇଥିଲେ ରାଜଧାନୀରେ । ତାଙ୍କ ସହିତ କେତେଘଣ୍ଟା ନିରୋଳାରେ ଆଲୋଚନା ବି ହୋଇଥିଲା । କାଳେ ବ୍ରହ୍ମେଶ୍ଵର ଗିରଫ ହେବାପରେ ତାଙ୍କୁ ବି ଆରେଷ୍ଟ କରିବାପାଇଁ ପୁଲିସ୍‍ ଖୋଜୁଥିବ ଏଥିପାଇଁ ଭୁବନେଶ୍ଵର ଆସିବାପାଇଁ ସାହସ ହେଉ ନ ଥିଲା । ବରଂ ଏଣ୍ଟିସିପେଟରି ବେଲ୍‌ ନବାପାଇଁ ଗୋଟେ ଦରଖାସ୍ତ କରିଥିଲେ ତାଙ୍କ ଓକିଲ ଉଚ୍ଚ ଅଦାଲତରେ ।

 

ଆଲୋଚନାବେଳେ ଶେଖ୍‌ କହିଥିଲେ ଚନ୍ଦ୍ରମୌଳିଙ୍କୁ ଯେ ସତ୍ୟକାମ ଯଦି ତା’ ଅଭିଯାନରୁ ନିବୃତ୍ତ ନ ହୁଏ ତେବେ ‘ନିଉ ଟାଇମ୍ସ୍’ ନିରବ ହେବ ନାହିଁ । ଗୋଟିକ ପରେ ଗୋଟିଏ କାହାଣୀ ବାହାରୁଥିବ ଖବରକାଗଜରେ ଏବଂ ସରକାର ତରକୁଥିବେ ଅରଣା ମଇଁଷି ପରି ସେଇ ଖବର ପଢ଼ି । ସିଂହାସନ ଉପରେ ବିପଦ ଆସିବା ଜାଣିଲେ କେହି କଣ ନିରୁଦ୍‌ବିଗ୍ନ ମନରେ ବସି ରହିପାରେ ? ସେତେବେଳେ ମନେପଡ଼ନ୍ତିନି ବନ୍ଧୁ ବା ସାଥୀମାନେ, ସହକର୍ମୀ ବା ପାଖଲୋକମାନେ । କେବଳ ମନେପଡ଼େ କ’ଣ କଲେ କିପରି କଲେ ସିଂହାସନ ରକ୍ଷା ହେବ । ମନ୍ତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସାଙ୍ଗରେ ରଖିବାପାଇଁ ଶେଖ୍‌ ହେଳା କରି ନ ଥିଲେ । ଚନ୍ଦ୍ରମୌଳିଙ୍କ ପରାମର୍ଶ ମାନି ସେମାନଙ୍କ ମୁହଁ ବନ୍ଦ କରିବାପାଇଁ ଲକ୍ଷ ଲକ୍ଷ ଟଙ୍କା ଆଖି ବୁଜି ଖର୍ଚ୍ଚ କରିଥିଲେ । କିନ୍ତୁ ଏବେ ଚନ୍ଦ୍ରମୌଳି ଦେଖୁଛନ୍ତି ଯେ ସେସବୁ ନିରର୍ଥକ ହୋଇଯାଇଛି । ଅର୍ଥବଳ କ୍ଷମତାରେ ଥବା ଲୋକଙ୍କୁ କିଛି ସମୟପାଇଁ ବଶ କରିଥାଏ ସିନା ସବୁ ସମୟପାଇଁ ବଚସ୍କର କରିପାରେନାହିଁ । ଇଛା ହେଉଥିଲା ଏଇ ସମୟରେ ଚିଦାନନ୍ଦ ତାଙ୍କ ପାଖେ ପାଖେ ଥାଆନ୍ତେ । କିନ୍ତୁ ସେ ଆଉ କାହା ସହିତ ରାତି ବିତାଉଥିବେ କାଶ୍ମୀରରେ । ସେଠାକୁ ମଧ୍ୟ ପରୀକ୍ଷା କରିବାପାଇଁ ଦିଲ୍ଲୀରେ ଛାଡ଼ିଦେଇ ଫ୍ଲାଇଟ୍‌ ଧରିବାବେଳକୁ ସେଲ୍‌ଫୋନ୍‌ରେ କଲିକତାରୁ ଖବର ଆସିଲା ଯେ ହାରୁ ମିଆଁ ଗିରଫ ହୋଇଛି ଏବଂ ତାକୁ ସାଙ୍ଗରେ ଧରି ପଲ୍ଲବ ଓ ପୁଲିସ୍‌ମାନେ ଫେରି ଯାଉଛନ୍ତ ଭୁବନେଶ୍ଵର । ସତ୍ୟକାମ ବି ଫେରିଛି ।

 

ସତ୍ୟକାମ ଫେରିବା ଆଗରୁ ସେ ଫେରିବା ଜରୁରୀ ଭାବି ଫ୍ଲାଇଟ୍‌ ଧରିଥିଲେ ଚନ୍ଦ୍ରମୌଳି-

 

ଆକାଶରୁ ସହର, ଜନପଦ, ନଦ, ନଦୀ, ବଣ ଜଙ୍ଗଲର ଦୃଶ୍ୟ ଦେଖୁ ଦେଖୁ କେତେବେଳେ ଭୁବନେଶ୍ଵର ଉପରେ ବିମାନ ଚକ୍କର କାଟିଲା ତାହା ଜାଣିପାରିଲେ ନାହିଁ ସେ । ଉପରେ ଦିଗନ୍ତବିସ୍ତାରି ନୀଳ ଆକାଶ । ତଳେ ସହର । ଏଇ ଅର୍ଦ୍ଧଶତାବ୍ଦୀ ଭିତରେ ଅନେକ କୋଠା ତିଆରି ହୋଇଛି, ଛୋଟ ଛୋଟ ମଣିଷ ଅନେକ କଳକୌଶଳ କରି ଦେଶର ଓ ଦଶର ସମ୍ପତ୍ତି ହରଣ କରି କୁବେର ପାଲଟି ଯିବାର ଦୃଶ୍ୟ ଦେଖାଯାଏ ଆକାଶରୁ ଯେତେବେଳେ ବଡ଼ ବଡ଼ କୋଠା ଘର ସବୁ ଦୃଷ୍ଟିରେ ପଡ଼େ । ଦେହରୁ ଝାଳ ନିଗିଡ଼ି ପଡ଼ୁଥିବା କାମିକା ଲୋକଙ୍କ ଦୁଃଖ ସରୁ ନାହିଁ, ସେମାନେ ଯେପରି ବାସୁକି ପରି ଅନ୍ୟମାନଙ୍କ ବୋଝ ବୋହି ବଞ୍ଚିବାପାଇଁ ଜନ୍ମ ହୋଇଛନ୍ତି । ଏମାନଙ୍କ ଆଖିରେ ଚନ୍ଦ୍ରମୌଳିଙ୍କ ପରି ଅଭିଜାତ ସମ୍ଭ୍ରାନ୍ତମାନେ କେତେ ଉଚ୍ଚ, କେତେ ବଡ଼... ।

 

ଚନ୍ଦ୍ରମୌଳି କୌଣସି ଅନୁଚରକୁ ଖବର ଦେଇ ନ ଥିଲେ ତାଙ୍କ ଆସିବା ସମ୍ବନ୍ଧରେ । ବିମାନ ବନ୍ଦରରୁ ଗୋଟେ ଭଡ଼ା ଟ୍ୟାକ୍ସି ଧରି ସିଧା ଚାଲିଗଲେ ରାଜଭବନ ପଛପଟେ ନୂଆ ହୋଇ ଖୋଲିଥିବା ‘ହୋଟେଲ ଉଡ୍ର’କୁ । ଅନେକ ପୁରୁଣା ବଡ଼ ବଡ଼ ଚାକୁଣ୍ଡା, କୃଷ୍ଣଚୂଡ଼ା ଆମ୍ବ, ଅର୍ଜୁନ, କଦମ୍ବ ଗଛର ଗୋଟିଏ ବଡ଼ ବଗିଚା ଭିତରେ ହୋଟେଲ ଉଡ୍ର ଲୁଚିରହେ ସବୁଜିମା ମଧ୍ୟରେ । ହୋଟେଲ ଖାତାରେ ଲେଖିଦେଲେ ଭିନ୍ନ ଏକ ନାମ - ଶ୍ୟାମକିଶୋର । ସାଉଥ୍‌ ଏକ୍ସଟେନ୍‍ସନ, ଦିଲ୍ଲୀ । ମଧ୍ୟାହ୍ନ ଭୋଜନ ବିମାନରେ ସରିଥିଲା । ହୋଟେଲରେ ଦୁଇ ଘଣ୍ଟା ବିଶ୍ରାମ କରିବା ପରେ ସେ ଠିକ୍‌ ସନ୍ଧ୍ୟା ପୂର୍ବରୁ ବାହାରି ପଡ଼ିଲେ ।

 

ମନରେ ସେଇ ଗୋଟିଏ ଚିନ୍ତା ଅସ୍ଥିର କରୁଥାଏ ତାଙ୍କୁ । ଯେପରି ହେଉ ସତ୍ୟକାମ ପହଞ୍ଚିବା ପୂର୍ବରୁ ତାଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ ହେବା ଆବଶ୍ୟକ । ସେ ଭୁବନେଶ୍ଵର ଆସିଲେ ହୁଏତ ଘଟଣା ପ୍ରବାହ ଅନେକ ବଦଳି ଯାଇପାରେ । ଯେଉଁ କାମର ସଫଳତା ହାତମୁଠାରେ ବୋଲି ଧାରଣା ଥଲା ସେଇଟା ହୁଏତ ଆକାଶ କୁସୁମ ହୋଇଯାଇପାରେ ସତ୍ୟକାମ ଫେରିଆସିଲେ । ଆଉ ପଲ୍ଲବ ତା’ ସହିତ ଯାଇଛି ମାନେ ସେମାନେ ସଂକଳ୍ପ କରିଯାଇଛନ୍ତି । ସଫଳତା ହାସଲ କରି ଫେରିବେ ।

 

ସୂର୍ଯ୍ୟ ଖଣ୍ଡଗିରି ପାହାଡ଼ ତଳେ ବୁଡ଼ିଗଲେଣି ତଥାପି ତାଙ୍କର ଶେଷ ଆଲୁଅ ପୂରାପୂରି ଅପସରି ଯାଇ ନାହିଁ । ନଭେମ୍ବର ପରେ ପରେ ଟିକେ ଟିକେ କାକର ପଡ଼େ ଭୁବନେଶ୍ୱରରେ । ବେଶ୍‌ ମନୋରମ ସମୟ ।

 

ଗୋଟେ ଘର ଆଗରେ ଅଟୋରୁ ଓହ୍ଲାଇପଡ଼ି ଚାରି ଦିଗକୁ ଦେଖିନେଲେ ଚନ୍ଦ୍ରମୌଳି ।

 

ନା, ଭୁଲ ହୋଇନି । କେତେମାସ ପୂର୍ବରୁ ପାହାନ୍ତା ରାତିରେ ଆସିଥିଲେ ଏଇ ଜାଗାକୁ । ସେତେବେଳେ ଲକ୍ଷ୍ୟ ଥିଲା ଭିନ୍ନ । କିନ୍ତୁ ଆଜିର ଉଦ୍ଦେଶ୍ୟ ଅନ୍ୟପ୍ରକାର । ଏହାପରେ ଆଉ ଏଠାକୁ ଆସିବା ପ୍ରୟୋଜନ ହେବ ନାହିଁ । ସତ୍ୟକାମ କାହିଁକି ତାଙ୍କ ପଛରେ ପଡ଼ିଛି ସେ ବୁଝିପାରନ୍ତି ନାହିଁ । ସେ ଏକା ବ୍ୟବସାୟ କରୁନାହାଁନ୍ତି । ଅର୍ଥ ଉପାର୍ଜନ ଯେଉଁମାନଙ୍କର ଲକ୍ଷ୍ୟ ସେମାନେ ସେଥପାଇଁ ଉଦ୍ୟମ କରିବେ, ରାସ୍ତାରେ ଥିବା ପ୍ରତିବନ୍ଧକ ସଫା କରିବେ ଏବଂ ଦରକାର ହେଲେ ଆଇନ ଭାଙ୍ଗିବେ । ଆଇନ ନ ଭାଙ୍ଗି ବଡ଼ଲୋକ ହେବା ସମ୍ଭବ ନୁହେଁ । ବିଧିର ବିଧାନ ମାନି କେବଳ ବୋକାମାନେ ଚାଲନ୍ତି । ସାହସୀ ଓ ବିଜ୍ଞମାନେ ନୂଆବାଟ ତିଆରି କରନ୍ତି । ବୀରମାନଙ୍କର ଗୋଟିଏ ଲକ୍ଷ୍ୟ - ବିଜୟ । ସେ ବାଲ୍ୟକାଳରୁ ନିଜର ଚିହ୍ନ ରଖିବାପାଇଁ ସଚେତନ-। ଯୌବନରେ ଯେତେବେଳେ ଯାହା ଚାହିଁଛନ୍ତି ତାହା ହାସଲ କରିବା ନିମନ୍ତେ କାତର ହୋଇନାହାଁନ୍ତି । ସେଥିପାଇଁ ଅନେକ ଭୁଲ ବି ହୋଇଛି । ଯଦି ସେଇ ଭୁଲପାଇଁ ଶାସ୍ତି ସହିବାକୁ ହୁଏ ତେବେ ତାଙ୍କର ଚିନ୍ତା ନାହିଁ ।

 

ସତ୍ୟକାମ କ’ଣ ତା’ ନିଜ ବାଟ ତିଆରି କରୁନାହିଁ ? ସେ ତେବେ ଅନ୍ୟମାନଙ୍କୁ ଗୋଟିଏ ସିଧା ବାଟ ନିର୍ଦ୍ଦିଷ୍ଟ କରିଦବ କାହିଁକି ? ଆଉ ଯିଏ ତା’ କଥା ମାନିବ ମାନୁ, ଚନ୍ଦ୍ରମୌଳି ଶ୍ରୀବାସ୍ତବ ତାହା ମାନିବାପାଇଁ ବାଧ୍ୟ ନୁହଁନ୍ତି ।

 

ବାଟ ଖୋଜିବାକୁ ହେଲା ନାହିଁ । ସେ ଠିକ୍‌ ଜାଗାରେ ଓହ୍ଲେଇ ପଡ଼ିଲେ ଅଟୋରୁ । ବିଦେଶୀ ଗାଡ଼ି ବ୍ୟତୀତ ପାଦେ ଆଗଉ ନ ଥିବା ଲୋକ ଯେ ଆଜି ଅଟୋରେ ଭୁବନେଶ୍ୱର ରାଜପଥ ଉପରେ ଯା’ଆସ କରୁଛି ଏଇଟା ଗୋଟେ ଔଦ୍ଧତ୍ୟ ହୋଇପାରେ, ଗୋଟାଏ ବିଜୟ ବି କୁହାଯାଇପାରେ ।

 

ସେ ଫାଟକ ଆଗରେ ଛିଡ଼ା ହେଲେ । ଗୋଟିଏ ସ୍ତ୍ରୀଲୋକ ବଗିଚାରେ ପାଣି ଦେଉଥିଲା-। ସେ ଫାଟକ ଆଡ଼କୁ ପଛ କରିଥିଲା ବୋଲି ଦେଖିପାରୁ ନ ଥଲା ତାଙ୍କୁ । ଚନ୍ଦ୍ରମୌଳି ଧରି ନେଲେ ଯେ ଶ୍ରୀମୟୀ ନାହାଁନ୍ତି ଘରେ । ଗେଟ୍‌ ଆଗରେ ସତ୍ୟକାମର ନାମ ନୁହେଁ ଶ୍ରୀମୟୀଙ୍କ ନାମଫଳକ ଝୁଲୁଥିଲା ।

 

ସେ ସିଧା ଘର ଭିତରକୁ ପଶିଗଲେ । ଶୂନ୍‌ଶାନ୍‌ ଘର । ଥରେ ଆଖି ବୁଲାଇଆଣି ସିଡ଼ି ଚଢ଼ି ଛାତ ଉପରକୁ ଚାଲିଗଲେ ।

 

ବଗିଚାରେ ପାଣି ଦେଇସାରିବାପରେ ସେଇ ସ୍ତ୍ରୀଲୋକଟି ଘର ଭିତରକୁ ଗଲା । ଆଉ କିଛି ସମୟ ପରେ ସନ୍ଧ୍ୟା ନଇଁ ଆସିଲା, ରାସ୍ତାକଡ଼ର ଆଲୁଅ ଜଳି ନ ଥିଲା ସେତେବେଳକୁ । ହୁଏତ ଆଉ କିଛିକ୍ଷଣ ପରେ ବତି ଜଳିବ । ସେ କାର୍ନିସ ଉପରେ ବସି ଚାହିଁଥିଲେ ରାସ୍ତା ଆଡ଼କୁ । ଜୀବନ ପ୍ରବାହର ଗତି ଦେଖିବାକୁ ଭଲ ଲାଗୁଥିଲା ।

 

କିଛି ସମୟପରେ ସେଇ ସ୍ତ୍ରୀଲୋକଟି ଛାତ ଉପରକୁ ଆସିଲା ଶୁଖୁଥିବା ଲୁଗା ଗୋଟାଇବାପାଇଁ । ସେ ଜଣେ ଅପରିଚିତ ଲୋକଙ୍କୁ ଛାତ ଉପରେ ଦେଖି ଚମକି ପଡ଼ିଲା ପରି ହେଲା । ତା’ ପାଟି ଖନି ବାଜିଗଲା, ତଥାପି ସେ କ’ଣ ଜାଣିବାକୁ ଚାହୁଁଥିଲା ବୁଝିପାରିଲେ ଚନ୍ଦ୍ରମୌଳି । ସେ କହିଲେ ‘ମୁଁ ତମ ମାଲିକାଣୀଙ୍କ ଜଣାଶୁଣା । ତାଙ୍କୁ ଦେଖା କରିବାକୁ ଆସିଛି । ତମେ ବଗିଚାରେ ପାଣି ଦେଉଥିବାବେଳେ ଉପରକୁ ଉଠି ଆସିଛି । କିଛି ଦୋଷ ହୋଇଗଲା ଭାବୁଛ କି ?'

 

ଲକ୍ଷ୍ମୀ ଭୂତ ଭାବି ଡରି ଯାଇଥଲା । କିନ୍ତୁ ଭୂତ ନୁହେଁ ଜଣେ ସୁସ୍ଥ ସମର୍ଥ ମଣିଷକୁ ଆଖି ଆଗରେ ଦେଖି ତା’ ମନର ଭ୍ରମ ଦୂର ହେଲା ଏବଂ ସେ ଭୟରେ କଳାକାଠ ହୋଇଗଲା । ଚୋର ଡକାୟତ ନୁହେଁ ତ ? ମା’ କେତେଥର ତାକୁ କହିଛନ୍ତି ଘର ଦ୍ଵାରମୁହଁ ଉପରେ ନଜର ରଖିବାପାଇଁ-। ଆଜି ସେ ବୋଧହୁଏ ଟିକେ ଅନ୍ୟମନସ୍କ ଥିଲା, ନୋହିଲେ ଏ ଲୋକଟା ଭିତରକୁ ଏତେ ସହଜରେ ପଶି ପାରିଥାନ୍ତା କିପରି ? ତଥାପି ତାଙ୍କ ପୋଷାକପତ୍ର ଦେଖି ସେ ଯେ ଚୋର ତସ୍କର ହୋଇ ନ ଥିବେ ଏଇ ଭାବନା ମନକୁ ଆସିଲା ଏବଂ ସାହସ ସଞ୍ଚୟ କରି ସେ କହିଲା - ‘ଆପଣ ତଳକୁ ଚାଲନ୍ତୁ ସେଇଠି ବସିବେ... ମା’ ଆସିବା ବେଳ ହୋଇଗଲାଣି... ।”

 

ଚନ୍ଦ୍ରମୌଳି କହିଲେ – ‘ତୁମେ ବରଂ ତଳକୁ ଯାଇ ଦୁଇଟା ବେତ ଚୌକି ଉପରକୁ ଆଣ । ଏଇଠି ବସିବା । ଭଲ ଲାଗିବ ବାହାରେ ବସି ଆକାଶର ତାରାମାନଙ୍କୁ ଦେଖିବାପାଇଁ ।’

 

ଲକ୍ଷ୍ମୀ ଅଗତ୍ୟା ବାଧ୍ୟ ପିଲାଟି ପରି ତଳକୁ ଯାଇ ଦୁଇଟା ବେତ ଚୌକି ଆଣି ପକାଇଲା ଛାତ ଉପରେ ।

 

ସେ ସାହସ କରି କହିଲା - ‘ଆପଣଙ୍କପାଇଁ ଚା’ ଆଣିବି ?'

 

- ‘ନା, ନା, ବର୍ତ୍ତମାନ ନୁହଁ । ତୁମ ମା’ ଆସନ୍ତୁ... ତାଙ୍କରି ସାଙ୍ଗରେ ଚା’ ପିଇବି...ଏକା ଏକା ଚା’ ପିଇବାକୁ ସୁଖ ଲାଗେନି... ।’

 

ତାଙ୍କ କଥାର ବାଗ ଭଲ ଲାଗୁ ନ ଥିଲା ଲକ୍ଷ୍ମୀକୁ । ପାଞ୍ଚ ବରଷ ଏଠାରେ ରହିଲାଣି, ଦିନେହେଲେ ଏଇ ଲୋକଟାକୁ ପୂର୍ବରୁ କେବେ ଦେଖିଥିବା ସ୍ମରଣ ହେଉନି ତା’ର । ହୁଏତ ନୂଆ କେହି । କୌଣସି ମତଲବ ରଖି ଆସିଥିବ ।

 

ସେ ତଳକୁ ଓହ୍ଲାଇ ଯିବାବେଳେ ଚନ୍ଦ୍ରମୌଳି ପଚାରିଲେ - ‘ବାବୁ କେବେ ଆସିବ ?’

 

ଲକ୍ଷ୍ମୀ ତାଙ୍କ ମୁହଁକୁ ଚାହିଁଲା । କାଳେ ବାବୁଙ୍କ ବିଷୟ ଏଇ ଅଚିହ୍ନା ଲୋକଙ୍କୁ କହିବା ଉଚିତ ହେବ ନାହିଁ ଏଥିପାଇଁ ସେ କହିଲା - 'ମୁଁ ଜାଣିନି... ’

 

ଚନ୍ଦ୍ରମୌଳି ଏଇ ସାଧାରଣ ସ୍ତ୍ରୀଲୋକଟି ଆଗରେ ଠିକିଯିବା ପରି ମନେକଲେ ।

 

ଶ୍ରୀମୟୀ ଟିକେ ଡେରିରେ ଆସିଲେ । ସେତେବେଳକୁ ସାତଟା ପଇଁଚାଳିଶ ମିନିଟ୍‌ ।

 

॥ ଚବିଶ ॥

 

ସାରା ରାତି ଶୋଇପାରିଲେ ନାହିଁ ଶ୍ରୀମୟୀ ।

 

ସେଇ ଲୋକଟା କ’ଣପାଇଁ ତାଙ୍କ ବାସଭବନରେ ଅନୁପ୍ରବେଶ କରିଥିଲା ତାହା ବୁଝିପାରୁ ନ ଥିଲେ ସେ । କିନ୍ତୁ ସେ ପ୍ରସ୍ଥାନ କଲାପରେ ତା’ର ଉଦ୍ଦେଶ୍ୟ ଯେ ଗୋଟିଏ ନୁହେଁ ଏକାଧିକ ଥିଲା ଏଇ ସିଦ୍ଧାନ୍ତରେ ପହଞ୍ଚିଲେ ଶ୍ରୀମୟୀ । ଆଉ କେବେ ତା’ ସହିତ ଦେଖା ହୋଇଥିଲା କି ନାହିଁ ତାହା ସ୍ମରଣ କରିପାରୁ ନ ଥିଲେ ଶ୍ରୀମୟୀ । କିନ୍ତୁ ସେ ଯେପରି ତାଙ୍କୁ ଅନେକ ଦିନରୁ ଜାଣିଛି ଏବଂ ତାଙ୍କ ଖବର ରଖିଛି ଏଇକଥା ତା’ ମୁହଁରୁ ଶୁଣିବା ପରେ ସେ ସ୍ତବ୍ଧ ହୋଇଯାଇଥିଲେ । ସେ ଘରକୁ ଫେରିବା ପରେ ପ୍ରଥମେ ଲକ୍ଷ୍ମୀ ମୁହଁରୁ ସବୁ ଶୁଣି ଚମକି ପଡ଼ିଥିଲେ । ଜଣେ ଅପରିଚିତ ଲୋକ ଯେ ଚୋରପରି ତାଙ୍କ ଘର ଭିତରକୁ ପ୍ରବେଶ କରି ଛାତ ଉପରେ ଯାଇ ବସିବ ଏଇକଥା ଭାବିଲାବେଳକୁ । ଦେହର ରୁମ ଟାଙ୍କୁରି ଉଠୁଥିଲା । ଲୋକଟା ଆସିଯାଇଛି ଯେତେବେଳେ ତାକୁ ଧକ୍କାମାରି ବାହାର କରିଦବା ଉଚିତ ହୋଇଥାନ୍ତା କିନ୍ତୁ ସେ ତାହା କରିପାରିଲେ ନାହିଁ ।

 

ଆମ ଅଞ୍ଚଳର ଲୋକଙ୍କୁ ଭଦ୍ରାମି ଜଣାନାହିଁ । ଅନଧିକାର ପ୍ରବେଶ କରିବା ଯେ ମର୍ଯ୍ୟାଦା ବିରୋଧୀ ତାହା ଅନେକେ ବୁଝନ୍ତି ନାହିଁ ଏବଂ ଅନଧିକାର ପ୍ରବେଶ କରିବା ସେମାନଙ୍କର ଅଧିକାରଭୁକ୍ତ ଭାବନ୍ତି । ସେହିପରି ବୋଧହୁଏ ଭାବିଥିଲା ଆଗନ୍ତୁକ । ପୁନାରେ ଫାଦର୍‍ ଆବ୍ରାହମ୍‌ଙ୍କ ତତ୍ତ୍ଵାବଧାନରେ ଥିବାବେଳେ ଶିଷ୍ଟାଚାର, ନୈତିକତା, ଭଦ୍ରାମି ସମ୍ପର୍କରେ ଅନେକ ଶିକ୍ଷା ପାଇଥିଲେ ଶ୍ରୀମୟୀ । ଶୃଙ୍ଖଳା ଜ୍ଞାନ ସମୟାନୁବର୍ତ୍ତିତା ଏବଂ ପରକୁ ଆପଣାର କରିବାର କଳା ସେଇଠାରେ ମଦର ଏବଂ ନନ୍‌ମାନଙ୍କ ପାଖରୁ ଶିଖିଥିଲେ ସେ । ସେଥିପାଇଁ ଜଣେ ଅପରିଚିତ ବ୍ୟକ୍ତିର ଅନଧିପ୍ରକାର ପ୍ରବେଶଜନିତ ଅପରାଧକୁ ସେ ଉଦାର ଚିତ୍ତରେ କ୍ଷମା କରିଦେଲେ । କିନ୍ତୁ ଯେତେବେଳେ ସେ ସତ୍ୟକାମର ପ୍ରସଙ୍ଗ ଉଠାଇଲା ସେତେବେଳେ ଶ୍ରୀମୟୀ ତାକୁ କହିଥିଲେ - ‘ଆପଣଙ୍କର ଯାହା ବକ୍ତବ୍ୟ ତାକୁଇ କହିବେ, ତା’ ସହିତ ଆଲୋଚନା କରିବେ । କ’ଣ କଲେ ଭଲ ହେବ ସେ ଜାଣେ ।’ ବିଚାର ବୁଦ୍ଧି ଥିବା ଜଣେ ତରୁଣ ପୁଅ ହେଲେବି ତାକୁ ଭାବିବାପାଇଁ ସୁଯୋଗ ନ ଦେଇ ସେ କିଛି କରିବାପାଇଁ ବାଧ୍ୟ କରିପାରିବେ ନାହିଁ ।

 

ସେତେବେଳେ ଅନୁନୟ କରିବା ଭଙ୍ଗୀରେ କହିଥିଲେ ଆଗନ୍ତୁକ - ‘‘ଦେଖନ୍ତୁ, ମୁଁ ଆପଣଙ୍କ ଜରିଆରେ ତାଙ୍କୁ ନିବେଦନ କରିବି । ଟ୍ରିପଲ ମର୍ଡ଼ର ମାମଲାରେ ମୁଁ ସମ୍ପୃକ୍ତ ନୁହେଁ । ସେ କାମ ମୋର ନୁହଁ । ମୁଁ ଜଣେ ସମାଜସେବୀ । ସେଥିପାଇଁ ସୁଯୋଗ ପଡ଼ିଲେ ମୁଁ ଓଡ଼ିଶା ଆସେ କିଛି କାମ କରିବାପାଇଁ । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମୁଁ ସାହାଯ୍ୟ କରିଛି । ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ମଧ୍ୟରୁ କେହି ଯଦି କିଛି ଅସାମାଜିକ କାର୍ଯ୍ୟ କରେ ବା ଅପରାଧ କରେ ତେବେ ମୋହରି ପ୍ରରୋଚନାରୁ ସେ ସେୟା କରିଛି ! ମୁଁ ଆପଣଙ୍କ ସ୍କୁଲ ବିଷୟରେ ଶୁଣିଛି । ସେଇ ସ୍କୁଲର ସଂସ୍କାର ଓ ପ୍ରସାରପାଇଁ ମୁଁ ପଚିଶ ଲକ୍ଷ ଟଙ୍କା ଦବାକୁ ଆସିଛି । ବିନା ସର୍ତ୍ତରେ ମୁଁ ଏ ଟଙ୍କା ଦେବି । ଆପଣ ଗ୍ରହଣ କରିବାକୁ ରାଜି ହେଲେ ମୁଁ ଚେକ୍‌ ଆପଣଙ୍କ ହାତରେ ଦେଇଯିବି... ।’’

 

ତା’ କଥା ଶୁଣି ଘାବରେଇ ଯାଇଥିଲେ ଶ୍ରୀମୟୀ । ପଚିଶ ଲକ୍ଷ ଟଙ୍କାର ଡୋନେସନ୍‌ ସେ ଦବାକୁ ଚାହେଁ ସ୍କୁଲ ପାଇଁ । ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରୀମୟୀ । କିନ୍ତୁ ଅଳ୍ପ ସମୟପରେ କହିଥିଲେ - ‘ଏ ଟଙ୍କା ମୁଁ ନେଇପାରିବି ନାହିଁ । ବରଂ ସ୍କୁଲର ମ୍ୟାନେଜିଂ କମିଟି ଚେଆର୍‌ମ୍ୟାନ ଅନିରୁଦ୍ଧ ପୁରୋହିତ ବା ସେକ୍ରେଟାରୀ ଅର୍ଦ୍ଧେନ୍ଦୁ ସାମଲଙ୍କୁ ଦେଇପାରନ୍ତି ।’

 

ସେ ଥୋପ ଗିଳୁ ନ ଥିବା ଦେଖି ଆଗନ୍ତୁକ ଆଉ ଗୋଟେ ପ୍ରସ୍ତାବ ଦେଲା । ‘ନିଉ ଟାଇମ୍ସ୍’ର ସିନିଅର ରିପୋର୍ଟରଭାବେ କାର୍ଯ୍ୟ କରିବାର ଯେଉଁ ସୁଯୋଗ ଓ ସୁବିଧା ଅଛି ତାହାଠାରୁ ଅନେକ ଚମତ୍କାର ବିକଳ୍ପ ଅଛି ମ୍ୟାଡ଼ାମ୍‌ ! 'ଆର୍ଯ୍ୟ ଟାଇମ୍ସ୍’ ଏହାର ଓଡ଼ିଶା ସଂସ୍କରଣ ଭୁବନେଶ୍ୱରରୁ ବାହାର କରିବାପାଇଁ ବ୍ୟବସ୍ଥା କରିସାରିଲାଣି । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଏହାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ଆସିବାପାଇଁ ସ୍ଥିର ହୋଇଛି । ‘ଆର୍ଯ୍ୟ ଟାଇମ୍ସ୍’ର ପରିଚାଳନା ସହିତ ମୁଁ ସଂଶ୍ଳିଷ୍ଟ । ଯଦି ସତ୍ୟକାମ ରାଜି ହୁଅନ୍ତି ତାଙ୍କୁ ଆର୍ଯ୍ୟ ଟାଇମ୍ସର ରେସିଡ଼େଣ୍ଟ୍‍ ଏଡ଼ିଟର୍‍ କରିବାପାଇଁ ଅସୁବିଧା ହେବନି । ସେ ଭାବନ୍ତୁ । ୟଙ୍ଗମ୍ୟାନ୍‌ହିଁ କେବଳ ଏପରି ଗୋଟେ ଚ୍ୟାଲେଞ୍ଜ ନେଇପାରିବେ । ଏତେ ଅଳ୍ପବୟସରେ ଗୋଟେ ସର୍ବଭାରତୀୟ କାଗଜର ଓଡ଼ିଶା ଏଡ଼ିସନର ରେସିଡ଼େଣ୍ଟ୍‍ ଏଡିଟର ହେବା ଗୌରବର ବିଷୟ ଭାବି ଦେଖନ୍ତୁ... ।’

 

ଶ୍ରୀମୟୀ ହଁ କି ନା କିଛି ଉତ୍ତର ଦେଇପାରି ନ ଥିଲେ । ପ୍ରସ୍ତାବଟା ମନ୍ଦ ନୁହେଁ । କିନ୍ତୁ ଏ କ୍ଷେତ୍ରର ଅଭିଜ୍ଞତା ନାହିଁ ତାଙ୍କର । ପୁଅକୁ କହିବେ ବୋଲି ଭାବିଲେ । ନିଷ୍ପତ୍ତି ତାକୁହିଁ ନବାକୁ ହେବ-। କିନ୍ତୁ ପ୍ରସଙ୍ଗକ୍ରମେ ଶ୍ରୀମୟୀ ପଚାରିଦେଲେ - 'ଟ୍ରିପଲ ମର୍ଡର କେସ, ଟେଣ୍ଡର ଫିକ୍ସିଂ ପ୍ରଭୃତି ଯାହା ଖବରକାଗଜରେ ବାହାରିଥିଲା ସେ ବିଷୟ କ’ଣ ସତ ? ଏପରି ସଂଗଠିତଭାବେ ଠକେଇ, ହତ୍ୟା କରାଯାଇପାରେ ?’

 

ଆଗନ୍ତୁକ କହିଲା - 'ଏ ଦେଶରେ ସବୁ ସମ୍ଭବ । ଦେଶ ସେବା କରିବା ନାମରେ ଅନେକ କ୍ରାଇମ୍‌ କରାଯାଉଛି । ହର୍ଷଦ ମେହେଟା ଚୋରି କଲା ଦିବାଲୋକରେ । କିନ୍ତୁ ତାକୁ କେହି ଧରିପାରିଲେ ? କାରଣ ତା’ ପଛରେ ବଡ଼ ବଡ଼ କ୍ଷମତାଶାଳୀ ଲୋକ ଥିଲେ । ସେମାନଙ୍କୁ ସେ ଅଜସ୍ର ଟଙ୍କା ଦେଉଥିଲା ଦେଶ ସେବା, ନିର୍ବାଚନରେ ସାହାଯ୍ୟ କରିବାପାଇଁ । ଆଇନ ନ ଭାଙ୍ଗି ଆଇନର ଫାଙ୍କ ଦେଇ ଏସବୁ କରୁଥିଲା । ସେୟାର ମାର୍କେଟ ମ୍ୟାନୁପୁଲେଟ କରୁଥିଲା । କେହି ଧରିପାରିଲେ ? କାରଣ ଧରିବା ଲୋକ ତା’ ସହିତ ସମ୍ବନ୍ଧ ରଖିଥିଲେ ।’

 

କିଛିକ୍ଷଣ ନିରବ ରହି ସେ ପୁଣି କହିଥିଲା - “ସତ୍ୟକାମ ୟଙ୍ଗମ୍ୟାନ, ଡାଇନାମିକ, ଟ୍ରୁଥ୍‌ଫୁଲ୍‌ ଆଣ୍ଡ ସିନ୍‌ସିଅର । ତାଙ୍କୁ ଆପଣ ଟିକେ ବୁଝାନ୍ତୁ । ହଠାତ୍‌ ନିଷ୍ପତ୍ତି ନବାକୁ ମୁଁ କହୁ ନାହିଁ । ସପ୍ତାହେ ଭାବନ୍ତୁ ସେ ।’’

 

ଶ୍ରୀମୟୀ ଘରକୁ ଫେରିବା ପୂର୍ବରୁ ସେ ଆସିଥିଲା । ରାତି ବଢ଼ୁଥିଲେ ବି ସେ ଉଠିବାର ଉପକ୍ରମ କରୁ ନ ଥିବା ଦେଖି ମନେ ମନେ ବିବ୍ରତବୋଧ କରୁଥିଲେ ସେ । ଭୋକ କରୁଥିଲା ତାଙ୍କୁ । ଘଡ଼ିକୁ ଚାହିଁଲେ । ଦଶଟା ବାଜିଗଲାଣି । ଖାଇବା ସମୟ ଗଡ଼ିଯାଇଛି... ।

 

ଆଗନ୍ତୁକ କହିଲା - ‘ସେ ବାହାରକୁ ଯାଇଥିବା କଥା ଲକ୍ଷ୍ମୀ କହୁଥିଲା । କିନ୍ତୁ କେବେ ଫେରିବେ ସେ କହିପାରିଲା ନାହିଁ । ମୋ ହାତରେ ସମୟ କମ୍‌ । ତଥାପି ଯଦି ତାଙ୍କ ଫେରିବା ପ୍ରୋଗ୍ରାମ୍‌ଟା ଜାଣନ୍ତି ତେବେ ଆଡ୍‌ଜଷ୍ଟ କରନ୍ତି । ଆପଣଙ୍କୁ କିଛି କହି ଯାଇନି ?’

 

ମିଛ କହନ୍ତି ନାହିଁ ଶ୍ରୀମୟୀ ।

 

ତାଙ୍କ ମୁହଁରୁ ବାହାରି ଯାଇଥିଲା- ‘କାଲି ସକାଳେ ଫେରିବା କଥା ଆଶା କରୁଛି... ବୋଧହୁଏ ସେ ସକାଳ ଗାଡ଼ିରେ ଆସିବ... ।’

 

ଆଗନ୍ତୁକର ମୋବାଇଲ୍‌ ବାଜିଉଠିଲା । ସେ ଉଠିଗଲା ବାରନ୍ଦାକୁ କଥା କହିବା ପାଇଁ ।

 

ଏଇ ଅବସରରେ ଶ୍ରୀମୟୀ କହିଲେ ଲକ୍ଷ୍ମୀକୁ ଡିନର ରେଡ଼ି କରିବାପାଇଁ ଅଭ୍ୟାଗତ- ଅତିଥିଙ୍କୁ ଖାଲି ପେଟରେ ଘରୁ ଫେରାଇଦବା ଉଚିତ ହେବ ନାହିଁ ।

 

ଆଗନ୍ତୁକ ଟିକିଏ ପରେ ଆସିଲେ । ଶ୍ରୀମୟୀ କହିଲେ- ‘ଆପଣଙ୍କୁ ଭୋକ କରିବଣି । ସମୟ ହୋଇଗଲାଣି । ଡିନର ଏଇଠି କରନ୍ତୁ- ମୁଁ ଖୁସି ହେବ ।'

 

ସେ ତାଙ୍କ ମୁହଁକୁ ଚାହିଁଲା । ବହିର ଛୋଟ ଛୋଟ ଅକ୍ଷର ପଢ଼ିବାପାଇଁ ମ୍ୟାଗ୍ନିଫାଇଙ୍ଗ ଗ୍ଲାସ୍‌ ବ୍ୟବହାର କରିବା ପରି ସେ ଚଷମା କାଚ ଦେଇ ତାଙ୍କ ମୁହଁକୁ ପଢ଼ିବାପାଇଁ ଚେଷ୍ଟା କରୁଥଲା-। ଅସ୍ଵସ୍ତି ଅନୁଭବ କରୁଥିଲେ ଶ୍ରୀମୟୀ ।

 

ତାଙ୍କ ସ୍ମୃତିପଟରେ ଆକାଶରେ ବିଜୁଳି ଚମକିବା ପରି ଗୋଟେ ଅସ୍ପଷ୍ଟ ମୁହଁ ଚମକି ଉଠିଲା ।

 

ସ୍ମୃତିର ଅତଳ ସାଗରରେ ବୁଡ଼ିଗଲେ ଶ୍ରୀମୟୀ ।

 

ଲକ୍ଷ୍ମୀ ଟେବୁଲ ଉପରେ ଖାଇବା ସାମଗ୍ରୀ ରଖି ଅପେକ୍ଷା କରୁଥିଲା ।

 

ଆଗନ୍ତୁକର ସ୍ଵପ୍ନ କେଉଁ ଦୂରରୁ ଭାସି ଆସୁଥିବା ସମୁଦ୍ରର ଅସ୍ପଷ୍ଟ ଗର୍ଜନ ପରି ଶୁଣାଯାଉଥିଲା । ଗୋଟେ କାଳଗ୍ରାସୀ ଢେଉ କୂଳରେ ପିଟି ହେବା ପରି ଗୋଟାଏ ପ୍ରଚଣ୍ଡ ଶବ୍ଦ ଶୁଭିଲା । ସେ ଚମକିପଡ଼ି ଦେଖିଲେ ତାଙ୍କୁ ପୂର୍ବପରି ଲକ୍ଷ୍ୟଭେଦି ଦୃଷ୍ଟିରେ ଅନାଇ ଚାଲିଛି ଆଗନ୍ତୁକ ।

 

ଶ୍ରୀମୟୀ ଉଠିବସିଲେ ଏବଂ କହିଲେ - ‘ଡିନର ରେଡ଼ି । ଚାଲନ୍ତୁ... ।’

 

ତାଙ୍କ ଘରକୁ ଆସିବାର ପ୍ରାୟ ସାଢ଼େ ତିନିଘଣ୍ଟା ହୋଇଗଲାଣି । ଅଥଚ ଏତେସମୟ ଆପଣାର ଲୋକ ପରି ଘର ଭିତରେ ପ୍ରବେଶ କରିଥିବା ଏଇ ଅପରିଚିତ ବ୍ୟକ୍ତିର ନାମ, ଠିକଣା କିଛି ଜାଣିପାରିଲେ ନାହିଁ ଶ୍ରୀମୟୀ ।

 

ସେ କହିଲା – ‘ଆପଣ ଖାଇଲେ ନି ଯେ... !’

 

ଶ୍ରୀମୟୀ କହିଲେ – ‘ଟିକେ ଡେରି ହେବ... ମୋର କିଛି କାମ ବି ଅଛି ସାରିବା ପାଇଁ । ଆପଣ ଆରମ୍ଭ କରନ୍ତୁ...।’

 

ସେ ଧୀରେ ଧୀରେ ଖାଇବାକୁ ଲାଗିଲା ।

 

ଶ୍ରୀମୟୀ ଅପେକ୍ଷା କରୁଥିଲେ, ତାଙ୍କ କଣ୍ଠଦେଶରେ ଗୋଟାଏ ପ୍ରଶ୍ନ ଅଟକି ରହିଥିଲା ।

 

ଆଗନ୍ତୁକ ଖାଇସାରି ହାତଧୋଇ ଟାଓ୍ୱେଲରେ ହାତ ମୁହଁ ପୋଛି କହିଲା – ‘ଧନ୍ୟବାଦ ଅନେକ । ସୁସ୍ଵାଦୁ ଖାଦ୍ୟ ମନେରହିବ ।’

 

ଏତକବେଳେ ହଠାତ୍‌ ଶ୍ରୀମୟୀଙ୍କ ମୁହଁରୁ ବାହାରିଗଲା - ‘କିଛି ମନେକରବେନି.... ଏ ପର୍ଯ୍ୟନ୍ତ ଆପଣଙ୍କ ପରିଚୟ ଜାଣିପାରିନି ମୁଁ... ମୋର ଦୁର୍ଭାଗ୍ୟ କହିପାରନ୍ତି ।’

 

ସେ ପକେଟ୍‌ ଭିତରୁ ଗୋଟେ କାର୍ଡ଼ ବାହାର କରି ଶ୍ରୀମୟୀ ହାତକୁ ବଢ଼ାଇଦେଲା ।

 

ତା’ପରେ ଘଡ଼ିକୁ ଚାହିଁ କହିଲା ସେ - ‘ମାଇଁ ଗଡ଼୍‌ । ଏଗାରଟା ବାଜିବ ପନ୍ଦର ମିନିଟ୍‌ପରେ । ମୁଁ ଉଠୁଛି ଏଥର । ଆଉ ଜଣେ ବନ୍ଧୁ ଅପେକ୍ଷା କରିଥିବେ ।’

 

ଯିବା ଆଗରୁ ସେ କହିଲା, ‘ଆପଣ ସତ୍ୟକାମଙ୍କୁ ପ୍ରବର୍ତ୍ତାଇବେ । ମୋର ବିଶ୍ଵାସ ସେ ରାଜି ହେବେ ଆମ କାଗଜକୁ ଆସବାପାଇଁ । ଆଉ ଯଦି ବି ରାଜି ନ ହୁଅନ୍ତି ମୁଁ ଅପେକ୍ଷା କରିବି ସେଇ ସୁସମୟ ଆସିବା ପର୍ଯ୍ୟନ୍ତ... ଲେଟ୍‌ ଅସ୍‌ ରିମେନ୍‌ ଫ୍ରେଣ୍ଡସ୍...ନା କ’ଣ କହୁଛନ୍ତି ଆପଣ ?’

 

ଶ୍ରୀମୟୀ କୌଣସି ଉତ୍ତର ଦେଇପାରିଲେ ନାହିଁ ।

 

ଭୋକ ମରିଯାଇଥିଲା । ଖାଇବାକୁ ଇଚ୍ଛା ନ ଥିଲା । ସେ ନ ଖାଇଲେ ଲକ୍ଷ୍ମୀ ଖାଇବ ନାହିଁ, ଏଇଥିପାଇଁ ଖଣ୍ଡେ ଶୁଖିଲା ରୋଟି ଦୁଧରେ ବୁଡ଼ାଇ ଖାଇ ପାଣି ପିଇଲେ ଶ୍ରୀମୟୀ ।

 

କବାଟ ବନ୍ଦ କରି ଶୋଇବାକୁ ଚାଲିଗଲେ ତା’ପରେ । ବିଛଣା ଉପରେ ଦେହ ମେଲାଇଦେଲେ । କିନ୍ତୁ ଘଣ୍ଟାକଣ୍ଟାର ଟିକ୍‌ଟିକ୍‌ ଶବ୍ଦ ଶୁଣାଯାଉଥିଲା ତାଙ୍କ ହୃତ୍‌ପିଣ୍ଡର ଶବ୍ଦ ପରି । ସେଇ ଶବ୍ଦର ତରଙ୍ଗରେ ସମୁଦ୍ରରେ ଛୋଟ ଡଙ୍ଗାଟିଏ ଧରି ନୋଳିଆ ଯେପରି ଭାସୁଥାଏ ସେହିପରି ପ୍ରହର ପରେ ପ୍ରହର ଭାବନାର ତରଙ୍ଗରେ ଭାସି ବୁଲିଲେ ଶ୍ରୀମୟୀ । ଆଖି କଷା ହେଲା ନାହିଁ । କଡ଼ ଲେଉଟାଇବା ସାର ହେଲା କେବଳ । ପଙ୍ଖାର ଗତି ବଢ଼ାଇଦେଲେ, ଝର୍କାଗୁଡ଼ାକ ପୂରା ଖୋଲିଦେଲେ । ଦକ୍ଷିଣ ଦିଗର ଶୀତଳ ପବନ ଆସି ଲାଗିଲା ଦେହରେ । କେତେବେଳେ ଆଖିପତା ଲାଗିଗଲା ତାହା ଜାଣିପାରିଲେ ନାହିଁ ଶ୍ରୀମୟୀ ।

 

ଗୋଟିଏ ଶିକ୍ଷାୟତନ ପରି ମନେହେଉଥଲା । ଲନ୍‌, ବଗିଚା, କ୍ଲାସ୍‌ରୁମ୍‌, ଲାଇବ୍ରେରୀ, କମନ୍‌ରୁମ୍‌ ସବୁ ଦୃଷ୍ଟିରେ ପଡ଼ୁଥିଲା । ଲାଗୁଥିଲା ସେ କ୍ଲାସ୍‌ ସାରି ସାଙ୍ଗମାନଙ୍କ ସହିତ ଲନ୍‌ରେ ବୁଲୁଥିବାବେଳେ ଆକାଶରେ ମେଘ ଭାସୁଥବା ଦେଖି ସେମାନେ ବାହାରି ପଡ଼ିଲେ ଘର ଅଭିମୁଖରେ । ସେ କେନାଲ ପୋଲ ପହଞ୍ଚିବାବେଳକୁ ଅନ୍ଧାର ମାଡ଼ି ଆସୁଥିଲା । ଦୁଇତିନିଟା ଟୋକା ତାଙ୍କ ପିଛା କରୁଥିବା ପରି ଲାଗୁଥିଲା ତାଙ୍କୁ । ରାସ୍ତାରେ ଲୋକ ନ ଥିଲେ । ବର୍ଷା ପବନ ଆସିବା ଆଶଙ୍କା କରି ଯେ ଯାହା ଗନ୍ତବ୍ୟସ୍ଥଳକୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ତାଙ୍କ ପାଖକୁ ଲାଗି ଆସିଲେ ଦୁଇ ଜଣ ସୁଦର୍ଶନ ଯୁବକ । ସେମାନଙ୍କ ମଧ୍ୟରୁ ଜଣେ କହିଲା ‘ଆମ ସହିତ ଆସ ତମକୁ ଘରେ ପହଞ୍ଚାଇ ଦେବୁ ।’

 

ତାଙ୍କ ହାତ ଧରି ଡାକୁଥିଲା । ସେ ହାତ ଛଡ଼ାଇ ନେଇ ଶୀଘ୍ର ଶୀଘ୍ର ପାଦ ବଢ଼ାଇଥିଲେ ହିନ୍ଦ୍ ସିନେମା-କେନାଲ ପୋଲ ମଝିରେ ଥିବା ରାସ୍ତାରେ । ହଠାତ୍‌ ରାସ୍ତାକଡ଼ର ବତିଗୁଡ଼ା, କୋଠାମାନଙ୍କରେ ଜଳୁଥିବା ଆଲୁଅ ଦପ୍‌ କରି ଲିଭିଗଲା । ସମଗ୍ର ସହର ଅନ୍ଧାରରେ ବୁଡ଼ିଗଲା । ଆକାଶରେ ଘୋଟିଥିଲା କଳାହାଣ୍ଡିଆ ମେଘ । ବଜ୍ର ବିଦ୍ୟୁତ୍‌ରେ ଚମକି ଉଠୁଥିଲା ଆକାଶ ପୃଥିବୀ-। ସେ ଅସହାୟ ଅନୁଭବ କରୁଥି‌ଲେ ଏବଂ ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବାପାଇଁ ଦୌଡ଼ିବାକୁ ଆରମ୍ଭ କରିଦେଲେ । କିନ୍ତୁ ଦଶ ପାହୁଣ୍ଡ ଯାଇଥିବେ କି ନାହିଁ ଗଛର ଫୁଟିଲା ଫୁଲକୁ କେହି ଛିଣ୍ଡାଇ ନବାପରି ତାକୁ କେହି ଜଣେ ଛାତି ଉପରେ କୁଣ୍ଢାଇ ଧରିଲା ଏବଂ ତା’ପରେ ଆଉ ଜଣେ କ୍ଲୋରୋଫର୍ମ ପରି କ’ଣ ଗୋଟାଏ ତୀବ୍ର ଗନ୍ଧ ନାକରେ ଚାପିଦବାରୁ କ୍ରମଶଃ ସେ ଅଚେତ ହୋଇଗଲେ ।

 

ଚେତା ଫେରିବାବେଳକୁ ସେ ନିଜକୁ ଆବିଷ୍କାର କଲେ ଗୋଟେ ଅପରିଚିତ କୋଠରି ଭିତରେ । ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କ ଆଗରେ ଠିଆ ହୋଇ ପ୍ରଣୟ ଭିକ୍ଷା କରୁଥିବାବେଳେ ସେ ତା’ ଗାଲରେ ଚଟକଣାଏ ବସାଇଦେଲେ ଏବଂ ସେଇ ପ୍ରତ୍ୟାଖ୍ୟାନ ତାକୁ ଆହୁରି ଉତ୍ତେଜିତ କଲା । ଠିକ୍‌ ଘାଇଲା ହୋଇଥିବା ବାଘ ଯେପରି ଶିକାର ଉପରକୁ ଡିଆଁମାରେ ସେହିପରି ସେହି ଯୁବକ ତାକୁ ଛାତି ତଳେ...

 

ସେ ଚିତ୍କାର କରୁଥାନ୍ତି.. ରକ୍ଷା କର ରକ୍ଷା କର... କିଏ କେଉଁଠି ଅଛ ଏଇ ସଇତାନ କବଳରୁ ମୋତେ ରକ୍ଷା କର... ।

 

କିନ୍ତୁ କାହାରି କାନରେ ସେଇ ଶବ୍ଦ ପହଞ୍ଚିଲା ନାହିଁ । କେହି ଦୌଡ଼ି ଆସିଲେ ନାହିଁ ତାଙ୍କୁ ରକ୍ଷା କରିବାପାଇଁ । ଦ୍ରୌପଦୀଙ୍କୁ ବିବସନା କରିବାପାଇଁ ଦୁଃଶାସନ ତାଙ୍କୁ ବିବସ୍ତ୍ର କରୁଥିବା ପରି ସେଇ ପଶୁଟା ବି ତାଙ୍କ ବସ୍ତ୍ର ଖୋଲୁଥିବାବେଳେ ସବୁ ଶକ୍ତି ପ୍ରୟୋଗ କରି ଚିତ୍କାର କରୁଥିଲେ ଶ୍ରୀମୟୀ । ସେଇ ଚିତ୍କାର ମେଘର ଗର୍ଜନଠାରୁ ଆହୁରି ଭୟଙ୍କର ଶୁଣାଯାଇଥିଲା ।

 

କିନ୍ତୁ ଶ୍ରୀମୟୀ ବେହୋସ ଭାବରେ ପଡ଼ି ରହିଥିଲେ ଅନେକ ସମୟ । ସମଗ୍ର ଶରୀର ଯନ୍ତ୍ରଣାରେ ବିଦୀର୍ଣ୍ଣ ହେବା ପରି ଲାଗୁଥିଲା ବାରମ୍ବାର । ନିଆଁହୁଳା ଗୋଟେ ବୋଧହୁଏ ଶରୀର ଭିତରେ ପ୍ରବେଶ କରିଛି । କାନ୍ଦିବାପାଇଁ ଇଚ୍ଛା ହେଉଥଲା, କିନ୍ତୁ କାନ୍ଦିପାରୁ ନ ଥିଲେ ସେ । ସେ ଆଖି ଖୋଲିଲେ ବା ବନ୍ଦ କଲେ ତାଙ୍କ ମୁହଁ ଉପରେ ଶିକାରୀ ବାଘର ହିଂସ୍ର ମୁହଁପରି ନଇଁପଡ଼ିଥିବା ଗୋଟେ କାମାନ୍ଧ ମୁହଁ କେବଳ ଭାସି ଉଠୁଥିଲା । ସେଇ ମୁହଁକୁ ନଖରେ ବିଦାରି ଦବାପାଇଁ ସେ ହାତ ବଢ଼ାଉଥିଲେ... ଚିତ୍କାର କରି କହୁଥିଲେ ଏଇ ସଇତାନ, ଏଇ ଅପରାଧୀ... ଏହାକୁ ଚରମ ଶାସ୍ତି ନ ଦବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ... ଏଇ ମୋର ଭୀଷ୍ମ ପ୍ରତିଜ୍ଞା...

 

ସେଇ ଲୋକଟାର ମୁହଁ ତାଙ୍କ ସ୍ମୃତିପଟରେ ଭାସି ବୁଲୁଥାଏ । ଚିହ୍ନି ହୋଇଯାଉଥାଏ ଆଖିତଳେ ଗାଲ ଉପରେ ବଡ଼ କଳାଜାଇ, ବାମ ପାଖର ଭ୍ରୂ ଭପରେ ଇଞ୍ଚେ ହେବ ସୁକ୍ଷ୍ମ କଟା ଦାଗ । ହଁ ସ୍ୱପ୍ନରେ ଆସିଥିବା ସେଇ ଲୋକଟାକୁ ଆଉ କେଉଁଠି ଦେଖିଥିବା ପରି ଲାଗିଲା ତାଙ୍କୁ । ଧୀରେ ଧୀରେ ମନେପଡ଼ି ଯାଇଥିଲା ଦିଲ୍ଲୀରୁ ଫେରିବା ପରେ ଦିନେ ବିଛଣା ଉପରେ ସତ୍ୟକାମ ମେଲାଇ ଦେଇଥିବା ଅନେକ ଫଟୋ ମଧ୍ୟରୁ ଗୋଟିଏ ଫଟୋ - ଠିକ୍‌ ଏଇ ଲୋକଟାର ମୁହଁପରି । ଏଇ ଆଖି, ଏଇ କଳାଜାଇ, ଭ୍ରୂ ଉପରେ କପାଳରେ ଏଇ ଦାଗ...

 

ଏଇ ଲୋକଟା ତା’ ହେଲେ ଖୁନୀ... ଅପରାଧୀ...

 

କବାଟର କଡ଼ା ବାଡ଼ଉଥଲା କିଏ । ନିଦଟା ହଠାତ୍‌ ଭାଙ୍ଗିଗଲା । ସ୍ଵପ୍ନଟା ବି ସେଇଠାରେ ସମାପ୍ତ ହୋଇଗଲା । କିନ୍ତୁ ସେତେବେଳକୁ ସମଗ୍ର ଶରୀର ଝାଳରେ ଜୁଡ଼ୁବୁଡ଼ୁ ତଣ୍ଟି ଶୁଖି ଯାଇଥିଲା ଏବଂ ସେ ଦୁଇ ହାତ ଛାତି ଉପରେ ଜାକିଧରି କେବଳ ଉଚ୍ଚାରଣ କଲେ - ହେ ଭଗବାନ୍‌... !

 

ସତ୍ୟର ଡାକ ଶୁଣି ସେ ତରବର ହୋଇ ଉଠିବସିଲେ ଏବଂ ସ୍ନାନଘରକୁ ଯାଇ ମୁହଁ ଧୋଇ ସାଙ୍ଗେ ସାଙ୍ଗେ କବାଟ ଖୋଲିଦେଇ କହିଲେ – ‘ତୁ ଆସିଗଲୁଣି ବାପା !’

 

ତାଙ୍କ ମୁହଁକୁ ଦେଖି ଚମକି ପଡ଼ିଲା ସତ୍ୟକାମ... ଆଖି ଯୋଡ଼ିକ ଓଦା ଓଦା... ମୁହଁ ଉପରେ ସାତ ଯୁଗର ବିଷର୍ଣ୍ଣତା...

 

ସତ୍ୟ ତାଙ୍କୁ ଛାତି ଉପରକୁ ଆଉଜାଇ ନେଇ କହିଲା ସ୍ନେହବୋଳା ସ୍ଵରରେ - ‘ମା’ ! ତମ ଦେହ ଭଲ ଅଛି ତ ! କେମିତି କ୍ଳାନ୍ତ, ବିଷର୍ଣ୍ଣ ଦେଖାଯାଉଛ... ’

 

ସହସା ଉତ୍ତର ଦେଇପାରିଲେନି ଶ୍ରୀମୟୀ ।

 

ତା’ପରେ ଧୀରେ ଧୀରେ କହିଲେ - ‘ଗୋଟେ ଦୁଃସ୍ୱପ୍ନ ମୋତେ ଖିନ୍‌ଭିନ୍‌ କରି ଶୋଷି ନେଉଥିଲା ବାପା ! ତୁ ଆସିଗଲୁଣି... ଭୟ ନାହିଁ !’

 

॥ ପଚିଶ ॥

 

କଲିକତା ଗସ୍ତ ସଫଳ ହେବାର ଆଶା ଉଜ୍ଜ୍ୱଳ ନ ଥିଲା, ଆଶଙ୍କା ଥିଲା ଅନେକ । ସେମାନେ ଭାବିଥିଲେ କାଳେ ପହଞ୍ଚିବା ପୂର୍ବରୁ ହାରୁ ମିଆଁ ଆସାମ କିମ୍ବା ଆଉ କୌଣସି ଅନିର୍ଦ୍ଦିଷ୍ଟ ସ୍ଥାନକୁ ପଳାଇଥିବ, କିନ୍ତୁ ସ୍ଥାନୀୟ ପୁଲିସ୍‍ର ସହାୟତା ନେଇ ତାକୁ ହୋଟେଲ କୋଠରିରେ ସେମାନେ ଏପରି ଅପ୍ରତ୍ୟାଶିତଭାବେ ଧରି ପକାଇଲେ ଯେ ସେ ସୁବିଧା କରିପାରିଲା ନାହିଁ ପଳାଇ ଯିବାପାଇଁ । ତା’ କୋଠରି ଖାନତଲାସ କରି କିଛି ପ୍ରାସଙ୍ଗିକ ଗୁରୁତର କାଗଜପତ୍ର ମଧ୍ୟ ଜବତ କରାଗଲା । ପଲ୍ଲବ ଖୁସି ହୋଇ କହିଥିଲା ସେତେବେଳେ, ‘ଦେଖିଲୁ, ମୁଁ ଯାହା ଆଶା କରୁଥିଲି ପାଇଗଲି । ଏଇ କାଗଜପତ୍ରରୁ ପ୍ରମାଣ ମିଳିଗଲା ଯେ ହାରୁ ମିଆଁ କେବଳ ଶେଖ୍‍ ଅଖ୍‍ତାରର ଏକାନ୍ତ ଅନୁଗତ ନୁହେଁ, ତା’ର ବୋଲକରା କର୍ମଚାରୀ ମଧ୍ୟ । ଆଉ ଚକେଇସିଆଣି, ରସୁଲଗଡ଼ ଅଞ୍ଚଳର ବଡ଼ ଗୁଣ୍ଡା ଦୁର୍ଯ୍ୟୋଧନ ବି ହାରୁ ମିଆଁ ସହିତ ଅନେକ କୁକର୍ମ କରିଥିଲା ତା’ଠାରୁ ଅଲଗା ହେବା ପୂର୍ବରୁ ।’ ଶେଖ୍‌ ଅଖ୍‍ତାର ମୁମ୍ବାଇରୁ ହାରୁ ମିଆଁ ପାଖକୁ କଲିକତା ଠିକଣାରେ ପଠାଇଥିବା ଇ-ମେଲ ମଧ୍ୟ ମିଳିଗଲା ହୋଟେଲ ସନ୍ନିକଟରେ ଥବା ଏସ୍‌ଟିଡ଼ି କଲ୍‌ ସେଣ୍ଟରରୁ ।

 

କିନ୍ତୁ ସେମାନେ ଦିନେ ଅଧିକ କଲିକତାରେ ଅଟକିଗଲେ ବି ଶେଖ୍‍ ଅଖ୍‍ତାର ଦିଲ୍ଲୀରୁ କଲିକତା ନ ଆସି ପୁଣି ମୁମ୍ବାଇ ଫେରିଯିବାର ସୁରାକ ମିଳିଥିଲା ପଲ୍ଲବକୁ । କଲିକତାରୁ ଦିଲ୍ଲୀ ସିବିଆଇ ଅଫିସ୍‌ ସହିତ ସେ ଯୋଗାଯୋଗ ରଖିଥିଲା ବରାବର ।

 

ଏ ପର୍ଯ୍ୟନ୍ତ ଯେତେସବୁ ତଥ୍ୟ ମିଳିଛି ସେଥିରୁ ଶେଖ୍‍ ଅଖ୍‍ତାର, ହାରୁ ମିଆଁ, ଦୁର୍ଯ୍ୟୋଧନ ଏବଂ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଟ୍ରିପଲ ମର୍ଡର ଓ ଅନ୍ୟାନ୍ୟ ଅପରାଧପାଇଁ ଷଡ଼ଯନ୍ତ୍ର କରିଥିବାର ଯଥେଷ୍ଟ ପ୍ରମାଣ ରହିଛି । ବାକି ସବୁ ତଥ୍ୟ ପଲ୍ଲବ ପାଖରେ ଅଛି । ସତ୍ୟକାମ ସବୁ କାଗଜପତ୍ର, ଫଟୋ, କେତେକ ମୋବାଇଲ ଟେଲିଫୋନ୍‌ ନମ୍ବର, ଟେଲିଫୋନ ରେକର୍ଡ଼ିଂ କରାଯାଇଥିବା କଥାବାର୍ତ୍ତା ଏବଂ ବ୍ୟାଙ୍କ୍‌ ଟ୍ରାଞ୍ଜାକ୍ସନର ବିବରଣୀ ସବୁ ଏକତ୍ର କରିସାରିବା ବେଳକୁ ଦଶଟା ବାଜିଗଲା ।

 

ଶ୍ରୀମୟୀ ବ୍ୟସ୍ତ ହୋଇ କହିଲେ- ‘କିରେ ଦଶଟା ବାଜିଲାଣି, ସେଇ ସକାଳ ସାଢ଼େ ଛଅରୁ ଲାଗିଛୁ ଯେ ଏ କାମରେ ଏ ପର୍ଯ୍ୟନ୍ତ ଗାଧୋଇ ନାହୁଁ, ଜଳଖିଆ ଖାଇ ନାହୁଁ । ଆଜି ଅଫିସ୍‌ ଯିବୁ କେତେବେଳେ ?’

 

ତାଙ୍କ ତୁଣ୍ଡରୁ କଥା ଶେଷ ହେବା ପୂର୍ବରୁ ଫାଦର୍‍ ଆବ୍ରାହମ୍‌ ପହଞ୍ଚି ଯାଇ କହିଲେ -‘କାମ କରୁ ଶ୍ରୀମୟୀ... ଦିନେ ଅଧେ ଗାଧୋଇବା ଖାଇବାରେ ଲେଟ୍‌ ହେଲେ କ୍ଷତି ନାହିଁ । ୟଙ୍ଗମ୍ୟାନ୍‌ ଗୋଟାଏ ଚ୍ୟାଲେଞ୍ଜ ନେଇଛି ଯେତେବେଳେ ସେଥିରେ ସକ୍ସେସେସ୍‌ଫୁଲ୍‌ ହବାଟାହିଁ ସବୁଠାରୁ ବଡ଼କଥା...’

 

ତାଙ୍କ ପଦଧୂଳି ନେଲେ ମା’, ପୁଅ ।

 

ସତ୍ୟକାମ କହିଲା - ‘ଫାଦର୍‍, ଆପଣଙ୍କ ଆଶୀର୍ବାଦରୁ ମୁଁ ସଫଳତା ଆଡ଼କୁ ଗତି କରୁଛି-। କାଲି ସକାଳ ଖବରକାଗଜରେ ପଢ଼ିବା ଭଳି କିଛି ପାଇବେ ଆପଣ । ତା’ପରେ ମୁଁ ଆପଣଙ୍କୁ ଦେଖା କରିବି... ।’

 

ଶ୍ରୀମୟୀ କହିଲେ - ‘କିନ୍ତୁ ତୁ ପୁଲିସ୍‌ ନୋହୁଁ ଯେ ଏଇ ଅପରାଧୀମାନଙ୍କ ପଛରେ ଦୌଡୁଥିବୁ ?’

 

ସତ୍ୟକାମ ମୁରୁକି ହସି କହିଲା -‘‘ମା’ ! ତମେ ମୋତେ ଶିକ୍ଷା ଦେଇଛ ଯେ ଅଧର୍ମ, ଅନ୍ୟାୟ,ଅବିଚାର ହେଉଥିବା ଜାଣି ମଧ୍ୟ ଯଦି କେହି ପ୍ରତିରୋଧ ବା ପ୍ରତିକାର ନ କରି ନୀରବ ରହିଯାଏ ତେବେ ସେଇ ଅପରାଧର ଭାଗୀଦାର ହୁଏ ସେ ।’’

 

ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଗୀତାରେ ଶୁଣାଇଥିବା ବାଣୀ କେତେଥର ଶୁଣାଇଥିବ ମୋତେ –

 

ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ...

ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ ।

ପରିତ୍ରାଣାୟ ସାଧୁନାମ୍‌ବିନାଶାୟ ଚ ଦୃଷ୍କୃତାମ୍‌

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।

 

ଗୋଟିଏ ପାଖେ ଧର୍ମ ଆଉ ଗୋଟିଏ ପାଖେ ଅଧର୍ମ, ଗୋଟିଏ ପାଖେ ନ୍ୟାୟ ଆଉ ଗୋଟିଏ ପାଖେ ଅନ୍ୟାୟ । ମୁଁ ଧର୍ମ ଓ ନ୍ୟାୟ ପକ୍ଷରେ । କଳିକାଳର ଧର୍ମଯୁଦ୍ଧରେ ଭାଗନବା ପାଇଁ ଅର୍ଜୁନ ନାହାଁନ୍ତି, ତାଙ୍କୁ ବାଟ କଢ଼ାଇବାପାଇଁ ଭଗବାନ୍‌ ଶ୍ରୀକୃଷ୍ଣ ବି ନାହାଁନ୍ତି । କିନ୍ତୁ ତାଙ୍କ ବାଣୀ ରହିଛି । ଏଇ ବାଣୀର ଚିରନ୍ତନ ଆବେଦନ ରହିଛି । ତମେ ମୋତେ କହିଛ ନା ମା’ ! ସତ୍ୟ ହିଁ ଇଶ୍ଵର, ଅସତ୍ୟ ଓ ଅଧର୍ମ ବିରୋଧରେ ଲଢ଼ିବା ହିଁ ମଣିଷର ପରମ ଧର୍ମ । ସେଇ ଧର୍ମ ପାଳନ କରୁଛି ମୁଁ । ଫାଦର୍‍ ମୋତେ ଆଶୀର୍ବାଦ କରିଛନ୍ତ ଧର୍ମଯୁଦ୍ଧରେ ଲଢ଼ିବାପାଇଁ... ମୋର ବିଶ୍ୱାସ ମୁଁ ବିଜୟୀ ହେବି... ।

 

‘ନିଶ୍ଚୟ ନିଶ୍ଚୟ । ଗଡ଼ ବ୍ଳେସ୍‌ ୟୁ ମାଇଁ ସନ୍‌...। ‘ବାଧାବିଘ୍ନ ବିପଦ ଆସିବ... କିନ୍ତୁ ପ୍ରଭୁ ଯୀଶୁ ତୁମକୁ ରକ୍ଷା କରିବେ । ଗୋ ଆହେଡ଼... ଏଇ ଧର୍ମଯୁଦ୍ଧରେ ଜଣେ ଅର୍ଜୁନ ଲଢ଼ିବେ ନାହିଁ ତମ ସହିତ ଆହୁରି ବି କିଛି ଭାଗ୍ୟବାନ୍‌ ରହିବେ ଯୁଦ୍ଧରେ ଅଂଶ ଗ୍ରହଣ କରିବାପାଇଁ ।’

 

ଶ୍ରୀମୟୀ କହିଲେ -‘‘ଶ୍ରୀମାଙ୍କ ବାଣୀ ମନେପଡ଼ିଯାଉଛି । ‘ବ୍ଲେସେଡ୍‌ ଆର୍‌ ଦୋଜ୍‌ ହୁ ଟେକ୍‌ ଏ ଲେଗ୍‌ ଟୁଆର୍ଡ଼ସ ଦି ଫ୍ୟୁଚର୍‌ ।’’

 

ସତ୍ୟକାମ ପୋର୍ଟଫୋଲଓ ଗୁଡ଼ାକୁ ସାଇତି ରଖି ସ୍ନାନ ଘରକୁ ଚାଲିଗଲା ।

 

ଏଇ କେତେଦିନ କାମ ଭିଡ଼ ଯୋଗୁଁ ମା’ଙ୍କ ବିଷୟରେ ସେ ଭାବିବାପାଇଁ ସମୟ ପାଇ ନ ଥିଲା । ଜୀବନର ଅନେକ ସରସତା ଓ ସାନ୍ନିଧ୍ୟ ହରାଇ ବି ସେ ତାକୁଇ ମାଧ୍ୟମ କରି ବଞ୍ଚିଛନ୍ତି ସଂସାରରେ । ସେ ତାଙ୍କ ନୟନପିତୁଳା, ଦୁଃଖିନୀର ଶଙ୍ଖାଳି । ମା’ କେବଳ ତାକୁ ଦେଇ ଆସିଛନ୍ତି କେବେ କିଛି ମାଗି ନାହାଁନ୍ତି । ସର୍ବଂସହା ଧରିତ୍ରୀ ପରି ତା’ର ସବୁ ଅଳିଅର୍ଦ୍ଦଳି ସହିଛନ୍ତି । ବାପର ପରିଚୟ ନ ଥିବା ପୁଅର ଅପମାନ ଓ ଅନାଦରକୁ ସେ ପଣତକାନି ତଳେ ଢାଙ୍କି ରଖିବାବେଳେ ନିଜେ ଝାଳନାଳ ହୋଇଚନ୍ତି, ନିଜର ମାନମର୍ଯ୍ୟାଦା ଭୁଲି ପୁଅର ମର୍ଯ୍ୟାଦା ଯେପରି ଅକ୍ଷୁର୍ଣ୍ଣ ରହେ ସେଥିପାଇଁ କେବଳ ଅକୁଣ୍ଠ ଚିତ୍ତରେ ବଳି ଦେଇଛନ୍ତି ନିଜର ଆଶା, କାମନା, ବାସନା ।

 

ସେଇ ମା’ଙ୍କ ସ୍ନେହ ମମତା ମନ୍ଦାକିନୀର ଅମୃତଧାରା ନିରନ୍ତର ବହୁଛି ତା’ ରକ୍ତ କଣିକାରେ । ବାପର ପରିଚୟ ନ ଥାଇ ମାଆର ମହାର୍ଘ ପରିଚୟ କ’ଣ କମ୍‌ ପାଇଛି ସେ ? ପୁରାଣ ଯୁଗର ସେଇ ସାଧ୍ଵୀ ସତ୍ୟବତୀଙ୍କ ପୁଅ ହେବାର ତିଳକ ଚିହ୍ନ କପାଳରେ ଲଗାଇ ସେ ଆଜି ପରିଚିତ ହେଉଛି ସତ୍ୟକାମ ନାମରେ ।

 

ସ୍ନାନ ସାରି ବାହାରି ଆସିବା ପରେ ପ୍ରଥମେ ମା’ଙ୍କ ପଦଧୂଳି ନେଲା ଏବଂ କହିଲା - ‘ମା’-! ମୋତେ ଆଶୀର୍ବାଦ କର । ତୁମରି ମୁହଁରୁ ଆଶୀର୍ବାଣୀ ଶୁଣିବାକୁ ଚାହେଁ...।’

 

ତା’ ମୁହଁକୁ ମୁହୂର୍ତ୍ତେ ଚାହିଁ ରହିଲେ ଶ୍ରୀମୟୀ । ତା’ପରେ ତା’ ମଥା ଉପରେ ହାତ ରଖି କହିଲେ -‘‘ସତ୍ୟ ଧର୍ମର ଜୟ ହେଉ ବାବୁ ! ସତ୍ୟକାମ ସତ୍ୟର ପତାକା ଧରି ଚାଲୁ ରାଜଦାଣ୍ଡରେ ଯେତେ ବାଧାବିଘ୍ନ ଆସୁ ପଛକେ । ମୋର ବିଶ୍ଵାସ ତୁ ପଛଘୁଞ୍ଚା ଦେବୁ ନାହିଁ । ସମୂହର କଲ୍ୟାଣପାଇଁ ବ୍ୟକ୍ତି ସ୍ଵାର୍ଥ ବଳିଦବାପାଇଁ ତୋତେ ମୁଁ ଶିକ୍ଷା ଦେଇଛି । ସେଇକଥା ମନେରଖିବୁ । ମନେରଖିବୁ ଫାଦର୍‍ଙ୍କ ଅମୂଲ୍ୟ ବାଣୀ-‘ଟ୍ରୁଥ୍‌ ପ୍ରିଭେଲ୍ସ...ସତ୍ୟର ଜୟ ସୁନିଶ୍ଟିତ ।’

 

ଜଳଖିଆ ଖାଇସାରି ବାହାରିବାବେଳକୁ ଟେଲିଫୋନ୍‌ ବାଜିଉଠିଲା ।

 

ରିସିଭର ଉଠାଇନେଲା ସତ୍ୟକାମ ।

 

ସେ ପାଖରୁ କହିଲା ଅସୀମା-‘ଗୁଡ଼୍‌ଲକ୍‌ ଗଡ୍‌ ସ୍‍ପିଡ଼...’

 

-‘ତୁମେ କେମିତି ଜାଣିଲ ମୁଁ ଫେରିଆସିଛି ?’

 

-‘ଭାଇ କହୁଥିଲେ । କେବଳ ସେତିକି ନୁହେଁ, ଏଇ ବର୍ଷେ ହେବ ତମେ ଯେଉଁ କାମ ହାତକୁ ନେଇଥିଲ ତାହା ସଫଳ ହେବାକୁ ଯାଉଛି...’

 

-‘ଆଗେ ସଫଳତା ଆସୁ... ଅଦ୍ୟାପି ସବୁ ପ୍ରତିବନ୍ଧକ ମୁଁ ଡେଇଁସାରିଛି ବୋଲି ଭାବିପାରୁନି... ବଡ଼ ପ୍ରଭାବଶାଳୀ ଶକ୍ତି ସବୁ ଲାଗିଛନ୍ତି ବାଧା ଦବାପାଇଁ.. ।’

 

କିନ୍ତୁ ମୁଁ ପ୍ରାର୍ଥନା କରୁଛି ତମର ସଫଳତାପାଇଁ.. ଆଲ୍ଲା ସବୁ ଠିକ୍‌ କରିଦେବେ । ଅର୍ଜୁନ ବିଷାଦ ଯୋଗରେ ଥିବାବେଳେ ତାଙ୍କୁ ଜାଗ୍ରତ କରିବାପାଇଁ ଭଗବାନ୍‌ ଶ୍ରୀକୃଷ୍ଣ କ’ଣ କହିଥିଲେ ମନେପକାଅ... ଧର୍ମର ଜୟ ସୁନିଶ୍ଚିତ ।’

 

- ‘ତମର ପ୍ରାର୍ଥନା ମୋତେ ଶକ୍ତି ଦବ । କିନ୍ତୁ...’

 

- ‘କିନ୍ତୁ କ’ଣ ?’

 

- ‘‘ଏଇନେ ନୁହେଁ, ତମ ଆଗରେ ବି ଗୋଟେ ବଡ଼ ପରୀକ୍ଷା ଅଛି, ଅଗ୍ନି ପରୀକ୍ଷା ପରି କଷ୍ଟକର... ।’’ କହିଲା ସତ୍ୟକାମ ।

 

- ‘‘ମୁଁ ସବୁ ପରୀକ୍ଷା ଦବାପାଇଁ ପସ୍ତୁତ । ବାପାଙ୍କୁ ମୁଁ କହିଦେଇଛି ସ୍ପଷ୍ଟ ଭାଷାରେ ଯେ ଅଖ୍‍ତାର ସାହେବଙ୍କ ପୁଅକୁ ମୁଁ ଜୀବନସାଥୀ କରିବି ନାହିଁ... ଏ ମୋର ଭୀଷ୍ମ ପ୍ରତିଜ୍ଞା...’’

 

ମୁହୂର୍ତ୍ତେ ଚୁପ୍‌ରହି କହିଲା ସତ୍ୟକାମ- ‘‘କୁବେର ଘରକୁ ଯାଇଥାନ୍ତ... ସେଇ ଐଶ୍ଵର୍ଯ୍ୟ ପରିତ୍ୟାଗ କରିବ ?’’

 

-‘ତମଠାରୁ ଆଉ କିଛି ବଡ଼ ଐଶ୍ଵର୍ଯ୍ୟ ଥାଇପାରେ ଏହା ମୁଁ ଭାବି ପାରେନା । କିନ୍ତୁ ମୋର ପ୍ରାର୍ଥନା ତମେ ମୋତେ ଅଧ ବାଟରେ ଛାଡ଼ିଦବନି ଯେପରି...!’ ଆହୁରି କ’ଣ କହିଥାନ୍ତା ଅସୀମା, କିନ୍ତୁ କୌଣସି ଶବ୍ଦ ସ୍ଫୁରିଲା ନାହିଁ ତା’ କଣ୍ଠରୁ । କେବଳ ଗୋଟେ କ୍ରନ୍ଦନର ଉଚ୍ଛ୍ୱାସ ତା’ ଅନ୍ତଃସ୍ଥଳରୁ ହାବୁକା ହାବୁକା ଢେଉପରି ମାଡ଼ି ଆସୁଥିଲା ଆତ୍ମନିବେଦନର ବାର୍ତ୍ତା ନେଇ ।

 

ସତ୍ୟକାମ କହିଲା-‘‘ତମେ ବିଶ୍ଵାସ ରଖ । ବାଗ୍‌ଦତ୍ତାର ସୌଭାଗ୍ୟ ଓ ସଫଳତା ତୁମକୁ ମିଳୁ... ଏତିକି ମୋର ପ୍ରାର୍ଥନା । ଅଫିସ୍‌ ଯାଉଛି । ପରେ କଥା ହେବା... ।’

 

ଟେଲିଫୋନ୍‌ ରଖିଦବାବେଳେ ଆଡ଼ ହୋଇଗଲେ ଶ୍ରୀମୟୀ । ଏତେ ସମୟ ସେ ଯେ ସତ୍ୟକାମ ପଛରେ ଛିଡ଼ାହୋଇ ଶୁଣୁଥିଲେ ସବୁ ଏ ବିଷୟ ପୁଅ ନ ଜାଣୁ ଏୟା ସେ ଚାହୁଁଥିଲେ । ତାଙ୍କୁ ଭଲ ଲାଗୁଥିଲେ ଶୁଣିବାପାଇଁ ଯେ ଅସୀମା ଆଉ ସତ୍ୟ ପରସ୍ପର ପାଖରେ ବଚନବଦ୍ଧ ।

 

ସତ୍ୟ ଘରୁ ବାହାରିଗଲାବେଳେ ହାତ ହଲାଇ ଶୁଭକାମନା ଜଣାଇଲେ ଶ୍ରୀମୟୀ ।

 

ଅଫିସ୍‌ରେ ତାକୁ ଅପେକ୍ଷା କରୁଥିଲେ ମୁକ୍ତେଶ୍ଵର ତଲ୍‌ୱାଲ୍‍କର, ହୁମାୟୁନ୍‌ କବୀର, ଅର୍କ ପଟ୍ଟନାୟକ ।

 

ସାରାଦିନ ନଥିପତ୍ର ସଜାଡ଼ିବା ଓ ରିପୋର୍ଟ ଲେଖିବାରେ ଅତିବାହିତ ହୋଇଗଲା ।

 

ଫାଇନାଲ ରିପୋର୍ଟ ପ୍ରେସ୍‌କୁ ଦବା ପୂର୍ବରୁ ଆଉଥରେ ଆଖି ବୁଲାଇନେଲା ସତ୍ୟକାମ । ମୁକ୍ତେଶ୍ଵର କହିଲେ -‘‘ମୁଁ ଭାବୁଛି ଏ ରିପୋର୍ଟ ଛାପା ସରିବା ପର୍ଯ୍ୟନ୍ତ ଆମେ ରହବା ଅଫିସ୍‌ରେ ।’’

 

-‘‘ସାର୍‌, ଆହୁରି କିଛି ସଂଶୟ ଅଛି ଆପଣଙ୍କ ମନରେ ?’’କହିଲା ହୁମାୟୁନ୍‌ ।

 

-‘‘ୟେସ୍‌.... ତମେ ଜାଣନାହିଁ ଆମେ କେଡ଼େ ଶକ୍ତିଶାଳୀ ପ୍ରତିପକ୍ଷ ସହିତ ଦ୍ୱନ୍ଦ୍ୱ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଯାଉଛୁ । ଏଇ ଅଫିସ୍‌ରେ ଯେ କଳାଗୋଡ଼ ନ ଥିବେ କହିପାରିବ ହୁମାୟୁନ୍‍ ? ମୁଁ ଜାଣେ... ମୋ ପାଖରେ କିଛି ସୂଚନା ବି ଅଛି... ସେଥିପାଇଁ ସତର୍କ କରିଦେଲି । ରାଜ୍ୟ ପୁଲିସ୍‍ ତ ସୁରକ୍ଷା ଦବ କହିଛି, କିନ୍ତୁ ମୁଁ ହେଡ଼କ୍ଵାର୍ଟର୍ସ୍‌ର ସାହାଯ୍ୟ ନବାକୁ ବାଧ୍ୟ ହେଲି ଏଇଥିପାଇଁ ଯେ ସବୁବେଳେ ଏତେବଡ଼ ରିସ୍କ ନବା ପୂର୍ବରୁ ବିକଳ୍ପ ବି ଗୋଟେ ଥିବା ଦରକାର । ଯଦି ଗୋଟାଏ ଫେଲ୍‌ମାରେ ତେବେ ଅନ୍ୟଟା ଥିବ । ସିବିଆଇ ଏସ୍‍ପିଙ୍କ ଲୋକ ବି ରହିବେ ଛାଇ ପରି ।’’

 

ତାଙ୍କ କଥା ଶେଷ ହେବାବେଳକୁ ଟେଲିଫୋନ୍‌ ଆସଲା ଦିଲ୍ଲୀରୁ ।

 

ସଂକେତପାଇଁ ସମସ୍ତେ ବାହାରିଗଲେ କୋଠରିରୁ ।

 

ମୁକ୍ତେଶ୍ଵର କହିଲେ-‘‘ୟେସ୍‌ ସାର୍‌...’’

 

ସେ ପାଖରୁ ଭାସି ଆସିଲା ମୁଖ୍ୟ ଏଡ଼ିଟର୍‍ଙ୍କ ସ୍ଵର-‘‘ରିପୋର୍ଟ ପ୍ରସ୍ତୁତ !’’

 

‘‘ଏ କାମ ଶେଷ ହୋଇଛି....?’’

 

‘‘କିନ୍ତୁ ସାବଧାନ ଥିବ ଏ ଖବରଟା ଯେପରି ଅପ୍ରତ୍ୟାଶିତ... ସେଇପରି ପରିବେଶ ସକାଳେ ସୃଷ୍ଟି ହୁଏ ଯେପରି... ଗୋଟାଏ ସକ୍‌ ଟ୍ରିଟ୍‌ମେଣ୍ଟ ଦବାକୁ ହେବ... ନ ହେଲେ ବର୍ତ୍ତମାନର ସାଧାରଣ ଜୀବନରୁ ଏଇ ଜଡ଼ତା, ଏଇ ସ୍ଥାଣୁତ୍ୱ ଦୂର ହେବ ନାହିଁ...ଯେଉଁମାନେ ଭୋଟ ପାଇ ଶାସନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଯେ ବଚନବଦ୍ଧତା ଉତ୍ତର ଦାୟିତ୍ୱ କମିଯାଉଛି ଏୟା ସେମାନେ ଜାଣିବା ଦରକାର । ସେମାନଙ୍କର ବିଶ୍ଵାସ ସବୁ ଠିକ୍‌ ଚାଲିଛି । ଏଇ ଭାବନାଟାକୁ ଭାଙ୍ଗିବାକୁ ପଡ଼ିବ ମୁକ୍ତେଶ୍ଵର । ଉଇ ହ୍ୟାଭ୍‌ ଆକ୍‌ସେପ୍ଟେଡ଼ ଏ ଚ୍ୟାଲେଞ୍ଜ୍ । ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା କରିବାପାଇଁ ବର୍ତ୍ତମାନ ଯଦି ଗଣମାଧ୍ୟମ ଅଣ୍ଟା ନ ଭିଡ଼େ ତେବେ ଗଣତନ୍ତ୍ର ଅକାମୀ ହୋଇଯିବ...।’’

 

ମୁକ୍ତେଶ୍ଵର କହିଲେ - ‘ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛୁ । ପୁଲିସ୍‌ ମଧ୍ୟ ସହଯୋଗ କରୁଛି । କିନ୍ତୁ ଏପର୍ଯ୍ୟନ୍ତ ପଲିଟିକାଲ ଚାପ ପଡ଼ିନି... ସେମାନେ ଜାଣିନାହାଁନ୍ତି.. କାଲି ସକାଳ କାଗଜ ପଢ଼ିଲେ ସ୍ତବ୍ଧ ହେବେ ସେମାନେ... ଚକିତ ହେବେ ଜନସାଧାରଣ ।’

 

ମୁଖ୍ୟ ସମ୍ପାଦକ କହିଲେ-‘‘ସତ୍ୟକାମର ସୁରକ୍ଷା ଦାୟିତ୍ୱ ତମର । କୌଣସି ପ୍ରକାର ଶିଥିଳତା ନ ରହେ ଯେପରି... ସକାଳ କାଗଜ ବାହାରିବ, ତା’ପରେ ଜନସାଧାରଣଙ୍କ ପ୍ରତିକ୍ରିୟା ସମ୍ପର୍କରେ ମୋତେ ଜଣାଇବ... ଗୁଡ୍‌ଲକ୍‌... ଗୁଡ଼୍‌ନାଇଟ ।’’

 

ସୂଚନା ପାଇ ସତ୍ୟକାମ, ହୁମାୟୁନ୍‍ ଏବଂ ଅର୍କ ପୁଣି ଫେରିଆସିଲେ କୋଠରି ଭିତରକୁ ।

 

କଫି ଆସିଲା, ତା’ ସହିତ କିଛି ଗରମ ବରା... ।

 

କଫିରୁ ଟିକେ ପିଇବାବେଳକୁ ମୋବାଇଲ ବାଜିଉଠିଲା । ମୁକ୍ତେଶ୍ଵର କହିଲେ-‘ହଁ, କହନ୍ତୁ ପଲ୍ଲବବାବୁ.... ତା’ପରେ ସେ ଦୀର୍ଘ ପାଞ୍ଚମିନିଟ ଧରି ଯାହାସବୁ କହିଗଲେ ସେସବୁ କେବଳ ଶୁଣିଗଲେ ମୁକ୍ତେଶ୍ଵର । ତା’ପରେ କେଇକ୍ଷଣ ଚୁପ୍‌ ରହିବା ପରେ ମୁହଁ ଖୋଲିଲେ-‘‘ମୋ ଆଶଙ୍କା ସତ ହେଲା...’’

 

ବ୍ୟଗ୍ର ସ୍ୱରରେ କହିଲା ସତ୍ୟକାମ-‘ଆମ ପ୍ଳାନ୍‌ଟା କ’ଣ ଜାଣିଗଲେଣି ସେମାନେ ?’

 

-‘ବ୍ୟସ୍ତ ହୁଅନା ଏଇ ପ୍ରଶ୍ନର ଉତ୍ତର ଶୁଣିବାପାଇଁ । କେବଳ ଏତିକି ଜାଣିରଖ ଯେ ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କୁ ପୁଲିସ୍‍ ଦିଲ୍ଲୀରେ ଗିରଫ୍‌ କରିବା ପୂର୍ବରୁ ସେ କୋର୍ଟରୁ ଆଣ୍ଟିସିପେଟୋରୀ ବେଲ୍‌ ଆଣିଛନ୍ତି । କିନ୍ତୁ ତାଙ୍କୁ ସହର ଛାଡ଼ି କାହିଁ ନ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ । ଅଖ୍‍ତାର ଦିଲ୍ଲୀରୁ ଉଭାନ୍‌ ହୋଇଯାଇଛନ୍ତି । ତାଙ୍କ ପତ୍ତା ଖୋଜୁଛି ପୁଲିସ୍‌ । ସେ ବୋଧହୁଏ ନେପାଳ ଚାଲି ଯାଇଥବେ ଏଇ ସନ୍ଦେହ କରୁଛି ପୁଲିସ୍‌ । ଦିଲ୍ଲୀରୁ ବନାରସ୍‌ ବାଟ ଦେଇ କାଠମାଣ୍ଡୁ ଯାଇଥିବା ଅନୁମାନ କରୁଛି ପୁଲିସ୍‌ ।’’

 

‘‘ତେବେ କ’ଣ ସେମାନେ ନିଶ୍ଚିତଭାବେ ଜାଣିଗଲେଣି ଯେ ସେମାନଙ୍କ ଷଡ଼ଯନ୍ତ୍ର ଓ ଅପରାଧର କାହାଣୀ ଆମ ହାତକୁ ଆସିଯାଇଛି ?’’ କହିଲା ସତ୍ୟକାମ ।

 

- ‘‘ବୋଧହୁଏ, ନୋହିଲେ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଆଣ୍ଟିସିପେଟୋରି ବେଲ୍‌ ନିଅନ୍ତେ କାହିଁକି ? କଥାଟା କ୍ରମଶଃ ଆଉ ଗୋପନୀୟ ହେଇ ରହିନାହିଁ ବରଂ କିଛି ଲିକ୍‌ କରିଗଲାଣି ଏୟା ତ ମୁଁ ଅନୁମାନ କରୁଛି ।’’ କହିଲେ ମୁକ୍ତେଶ୍ଵର । ତା’ପରେ ଯୋଗ କଲେ- ‘‘ତେବେ ନିଶ୍ଚିନ୍ତ ହୁଅ ଯେ କାଲି ସକାଳ ରିପୋର୍ଟ ପ୍ରକାଶ ପାଇବା ପରେ ଅବସ୍ଥା ବଦଳିଯିବ...ହୁଏତ ଅଦାଲତ ଆଣ୍ଟିସିପୋଟୋରୀ ବେଲ୍‌ ବାତିଲ କରିଦେଇପାରନ୍ତି...।’’

 

ମୁକ୍ତେଶ୍ଵର ତଲ୍‌ୱାଲ୍‌କର ସେମାନଙ୍କ ମନରେ ସାହସ ଓ ଉତ୍ସାହ ଭରିଦବାପାଇଁ କହିଲେ-‘‘ଗୀତାର ବାଣୀ ମନେରଖ । କର୍ମ କରିଯିବାହିଁ ଆମର କର୍ତ୍ତବ୍ୟ । ଫଳରେ ଆସକ୍ତି ରଖନା । କର୍ତ୍ତବ୍ୟ କଲ ବୋଲି ମନରେ ସନ୍ତୋଷ ହେଉ । ‘କର୍ମଣ୍ୟେ ବାଧିକାରସ୍ତେ ମା’ ଫଳେଷୁ କଦାଚନ ।’ ଫଳ ତାଙ୍କରି ହାତରେ ଛାଡ଼ିଦିଅ । ଯାହା ଘଟିବାର ଥିବ ଘଟିବ । ସବୁ ପୂର୍ବନିର୍ଦ୍ଦିଷ୍ଟ । କିନ୍ତୁ ହତୋତ୍ସାହ ହେବାର କାରଣ ନାହିଁ । କାରଣ ତମେ ବିଶ୍ଵାସ ହରାଇବ ନାହିଁ ଯେ ତମେ କେବଳ ଗୋଟିଏ ମାଧ୍ୟମ । ତମ ମାଧ୍ୟମରେ ଯଦି କିଛି ଗୋଟେ ଭଲ କାମ ହୁଏ, ସମାଜର କଲ୍ୟାଣ ହୁଏ ଏବଂ ଜନଜୀବନରେ ଆସ୍ଥା, ଆଶା ଓ ବିଶ୍ଵାସର ବାଣୀ ଝଙ୍କୃତ ହୁଏ ତେବେ ତମେ ଗଡ଼ ଜୟ କଲ ଜାଣିବ । ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛ, ଜିତିବ କି ହାରିବ ସେ ବିଷୟରେ ମୁଣ୍ଡ ନ ଘୂରାଇ କେବଳ କର୍ତ୍ତବ୍ୟ କର ।’’

 

ହୁମାୟୁନ୍‍ କହିଲା- ‘‘ସାର୍‌, ଆମେ ନିର୍ଭୟରେ ଲଢ଼ୁଛୁ । ଆମେ ବିଶ୍ଵାସ କରୁ ଯେ ଆମକୁ ଗୋଟିଏ ଅଜ୍ଞାତ ଶକ୍ତି ସଦାବେଳେ ସାହାଯ୍ୟ କରୁଛି । ସେଇ ଶକ୍ତି ଯେ ମହାମହିମ ଇଶ୍ଵରଙ୍କର ଏଇ ବିଶ୍ଵାସ ଥିବା ପର୍ଯ୍ୟନ୍ତ ତାଙ୍କରି ଇଚ୍ଛା ପୂର୍ଣ୍ଣ କରିବାପାଇଁ କାମ କରିବା... ।’’

 

- ‘‘ଖୁବ୍‌ ଭଲ କଥା କହିଛ କବୀର । ଲେଟ୍‌ ଅସ୍‌ ଲିପ୍‌ ଟୁଓ୍ୱାର୍ଡ଼ସ ଦ ଫିଉଚର୍‌... ।’’

 

ପ୍ରେସ୍‌ରେ କାଗଜ ଛାପା ଶେଷ ହେବାବେଳକୁ ତିନିଟା ବାଜିଗଲା । ଟ୍ରକ୍‌ରେ ଗନ୍ତବ୍ୟସ୍ଥଳକୁ ପଠାଇଦବାପାଇଁ ସର୍‌କୁଲେସ୍‌ନ ମ୍ୟାନେଜର ଗୋବଦ୍ଧନ ବାଚସ୍ପତି ନିଜେ ଉପସ୍ଥିତ ଥିଲେ । ପୂର୍ବରୁ ଏଜେଣ୍ଟମାନଙ୍କୁ ନିଜ ନିଜର କାଗଜ ପାଇବା ପରେ ଟେଲିଫୋନଦ୍ଵାରା ଜଣାଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମହାନଗର ସଂସ୍କରଣ ବଣ୍ଟନ ଓ ବିକ୍ରିରେ ଯେପରି କୌଣସି ବ୍ୟତିକ୍ରମ ନ ହୁଏ ତାହା ନିଶ୍ଚୟ କରିବାପାଇଁ ପୁଲିସ୍‌ ସହାୟତା ମଧ୍ୟ ନିଆଯାଇଥିଲା ।

 

ସାରା ରାତି ଉଜାଗର ରହି ଘରେ ପହଞ୍ଚିବାବେଳକୁ ଆକାଶ ଫର୍ଚ୍ଚା ହେଉଥାଏ । ଠିକ୍‌ ପାଞ୍ଚଟା ପନ୍ଦର ମିନିଟ୍‌ବେଳକୁ ଖବର ପହଞ୍ଚିଲା ଯେ ଷ୍ଟେସନ ସ୍କୋୟାରରେ କାଗଜ ପ୍ୟାକେଟ୍‌ ଓହ୍ଲାଇବା ପରେ ସାତ ଆଠ ଜଣ ଯୁବକ ପ୍ୟାକେଟ୍‌ ଖୋଲି ଖବରକାଗଜ ପଢ଼ୁଥିବାବେଳେ ପୁଲିସ୍‌ର ଉପସ୍ଥିତି ଦେଖି କେତୋଟି କାଗଜ କିଣି ନେଇ ଚାଲି ଯାଇଥିଲେ । କିନ୍ତୁ ଏଇ ଖବର ପାଇବାର ପନ୍ଦର କୋଡ଼ିଏ ମିନିଟ ପରେ କୌଣସି ପବ୍ଲିକ୍‌କଲ ଅଫିସ୍‌ରୁ କେହି ଜଣେ ଅଶ୍ରାବ୍ୟ ଭାଷାରେ ନିଉ ଟାଇମ୍ସ୍ ଏଡ଼ିଟର୍‍ ଓ ସାମ୍ବାଦିକମାନଙ୍କୁ ଗାଳିଗୁଲଜ କରି ସେମାନଙ୍କୁ ଉପଯୁକ୍ତ ଶାସ୍ତି ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିଲା । କିନ୍ତୁ ସେ ତା’ର ନାମ ଓ ଠିକଣା ପ୍ରକାଶ ନ କରି ବାରମ୍ବାର କହୁଥିଲା ଯେ- ‘ମୁଁ ନୂତନ ଓଡ଼ିଶାର ସଂଗଠନ ସମ୍ପାଦକ ‘ପ୍ରଚଣ୍ଡ’ । ସେ କହିବାବେଳେ ‘ପ୍ରଚଣ୍ଡ’ ଶବ୍ଦ ଉଚ୍ଚାରଣ ଉପରେ ବେଶ୍‌ ଜୋର୍‌ ଦେଉଥିଲା ।

 

କିନ୍ତୁ ପ୍ରାୟ ସାଢ଼େଛଅଟା ବେଳେ ସକାଳ ଚା’ରେ ଚୁମୁକ୍‌ ଦବାବେଳେ ଅଦିନିଆ ମେଘର ଗର୍ଜନ ପରି କାହାର ସ୍ଵର ଟେଲିଫୋନ୍‌ରେ ଭାସି ଆସିଲା ତାହା ଜାଣିବା ପୂର୍ବରୁ ସେ ପାଖରୁ ପରିଚୟ ଘୋଷଣା କରି କହିଲା ଜଣେ -‘‘ସାହସ ଅଛି ତ ଲେଖିନିଅ ମୋ ନାଁ ଓ ଠିକଣା । ମୁଁ ଦୁର୍ଯ୍ୟୋଧନ । ଚକେଇସିଆଣିର ବାସିନ୍ଦା । ମୋର ମାନହାନି ହେବା ପରି ତମ କାଗଜରେ ମିଥ୍ୟା କଥା ଛପାଯାଇଛି । ମୁ ତମମାନଙ୍କୁ ସହଜରେ ଛାଡ଼ିବି ନାହିଁ । ତମ ହାତରେ ପୁଲିସ୍‌ ଥିଲେ ବି ମୋ ହାତରେ ଜନଯୋଦ୍ଧାମାନେ ଅଛନ୍ତି ।’’

 

ତା’ କଥା ଶୁଣୁ ଶୁଣୁ ଚା’ଟା ଥଣ୍ଡା ହୋଇଗଲା ବୋଲି ଆଉ କପେ ବାମ୍ଫ ବାହାରୁଥିବା ଗରମ ଚା’ ଆଣିଦେଲେ ମାଧୁରୀ ଦେବୀ । ମୁକ୍ତେଶ୍ଵରଙ୍କ ମୁହଁ କିନ୍ତୁ ଶେତା ପଡ଼ିଯାଇଥିଲା, ତାଙ୍କ ସ୍ମୁତିରେ ଭାସି ଉଠୁଥିଲା ସେଇ କାଳ ରାତ୍ରିର କାହାଣୀ ।

 

Unknown

॥ ଛବିଶ ॥

 

‘ନିଉ ଟାଇମ୍ସ୍’ର ଲିଡ଼୍‌ଷ୍ଟୋରି ସାରା ରାଜ୍ୟରେ ଚହଳ ପକାଇଦେଲା । କ୍ଷମତାରେ ଥିବା ଲୋକ ପ୍ରତିନିଧି, ଅପରାଧୀ ଏବଂ ଅସାମାଜିକମାନଙ୍କ ମଧ୍ୟରେ ମେଣ୍ଟ କେତେ ନିବିଡ଼ ତାହା ଆଉ ମନଗଢ଼ା କାହାଣୀ ନୁହେଁ, ବାସ୍ତବ କାହାଣୀ । ଚନ୍ଦ୍ରମୌଳି ଜନସେବା କରିବା ବାହାନା କରି ଯେ ଟେଣ୍ଡର ଫିକ୍ସିଂ ଓ ଅମାନିଆମାନଙ୍କୁ ମଣ କରିବାପାଇଁ ଅପରାଧୀମାନଙ୍କୁ ବ୍ୟବହାର କରୁଥିଲେ, ସେମାନଙ୍କଦ୍ଵାରା ପ୍ରତିପକ୍ଷକୁ ସାବାଡ଼ ଏବଂ ଦରକାର ପଡ଼ିଲେ ନିପାତ କରୁଥିଲେ ଏଇ କାହାଣୀ ଖବରକାଗଜ ପୃଷ୍ଠାରୁ ପଢ଼ିବା ପରେ ନ୍ୟସ୍ତସ୍ୱାର୍ଥୀମାନଙ୍କ ମେରୁଦଣ୍ଡ ଥରାଇ ଦେଲା ହିମପ୍ରବାହ । ପୁଣି ଶାସକମାନଙ୍କ ସହିତ ସଂଶ୍ଳିଷ୍ଟ ହେବାପାଇଁ ଗୋଟେ ଧର୍ମନିରପେକ୍ଷ ଛାଞ୍ଚ ସୃଷ୍ଟି କରିବା ସକାଶେ ଶେଖ୍‍ ଅଖ୍‍ତାର, ହାରୁମିଆଁ ଏବଂ ନିର୍ବାଚନରେ ହାରି ପୁଣି ସକ୍ରିୟ ରାଜନୀତିକୁ ଫେରିବାପାଇଁ ଚେଷ୍ଟା କରୁଥିବା କେତେକ ନେତାଙ୍କ ଏକତ୍ର ମଧୁର ମିଳନ ଯେ ସମ୍ଭବ ଏହା ବି ଜଣାପଡ଼ିଗଲା ରାଜ୍ୟବାସୀଙ୍କୁ । ସବୁ ନାଟର ଗୋବର୍ଦ୍ଧନ କିନ୍ତୁ ଚନ୍ଦ୍ରମୌଳି ଏବଂ ସବୁ ଷଡ଼ଯନ୍ତ୍ର ନାୟକ କିନ୍ତୁ ଚିଦାନନ୍ଦ ମହାନ୍ତି । ସବୁ ବଡ଼ ବଡ଼ କାମ ତାଙ୍କରି ଇଚ୍ଛାରେହିଁ ହୋଇଥାଏ ।

 

କିନ୍ତୁ ଟ୍ରିପଲ୍‌ମର୍ଡର କିଏ କଲା ଓ କିପରି ହେଲା ସେଇ ସତ୍ୟ କାହାଣୀ ଶୁଣିବାପାଇଁ ଜନସାଧାରଣଙ୍କୁ ରୁଦ୍ଧଶ୍ଵାସ ହୋଇ ଆଉ ଚବିଶଘଣ୍ଟା ଅପେକ୍ଷା କରିବାକୁ ହେବ ଏୟା ଭାବିବାକ୍ଷଣି ଆତଙ୍କରେ ଶିହରି ଉଠୁଥିଲେ ଆଉ କେତେଜଣ ।

 

ପଲ୍ଲବ ପଟ୍ଟନାୟକ ଅଭିନନ୍ଦନ ଜଣାଇବାପାଇଁ ଆସିଥିଲେ ପ୍ରେସ୍‌କୁ । ମୁକ୍ତେଶ୍ଵର ତଲ୍‌ୱାଲ୍‌କର, ସତ୍ୟକାମ ଏବଂ ସେମାନଙ୍କ ଟିମ୍‌କୁ ବଧାଇ ଜଣାଇବାବେଳେ କହିଲେ ସେ- ‘‘ବିଷୟଟା ଏତେ ଜଟିଳ ବୋଲି ମୁଁ ବି ଭାବି ନ ଥିଲି ପ୍ରଥମେ । କିନ୍ତୁ ସତ୍ୟକାମ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନରୁ ଚିଦାନନ୍ଦ ଓ ଚନ୍ଦ୍ରମୌଳି ସମ୍ପର୍କରେ ଯେତେସବୁ ତଥ୍ୟ ସଂଗ୍ରହ କରିଛି ସେଇ ତଥ୍ୟ ସଂଗ୍ରହ କଲାବେଳ ତାକୁ ଫାନ୍ଦରେ ପକାଇବା ସକାଶେ ଦୁର୍ବୃତ୍ତମାନେ ହରଣଚାଲ କରିନେଇଥିଲେ । ସବୁ ଘଟଣା ଏକତ୍ର ମାଳପରି ଗୁନ୍ଥି ସାରିବା ପରେ ପୂରା ପ୍ଲଟ ଜଣାପଡ଼ିଗଲା । କିନ୍ତୁ ଏଇଠାରେ ତ କଥା ଶେଷ ହେଉନାହିଁ ମିଷ୍ଟର ତଲ୍‌ୱାଲ୍‌କର... କାଲି ଯଦି ଆପଣଙ୍କ କାଗଜରେ ଟ୍ରିପଲ୍‌ମର୍ଡର କେଶ୍‌ର ନେପଥ୍ୟରେ ଯାହାସବୁ ଘଟିଛି ସେସବୁ ପ୍ରକାଶ ପାଏ ତେବେ ଦେଶ ଜାଣିବ ଯେ ସମାଜ କେଉଁଠି ପହଞ୍ଚିଲାଣି । ଆଇନର ହାତ ଲମ୍ବା ବୋଲି କହନ୍ତି ସମସ୍ତେ । କିନ୍ତୁ ସେଇ ଲମ୍ବା ହାତକୁ ଫାଙ୍କି ଦେଇ ନେପାଳ ପଳାଇଯିବାପାଇଁ ଉଦ୍ୟମ କରୁଥିବାବେଳେ ରକ୍ସିଲଠାରେ ଗିରଫ୍‌ ହୋଇଛି ଅଖ୍‍ତାର... । ଏକଥା ଆଶ୍ଚର୍ଯ୍ୟଜନକ ହେଲେ ବି ସତ୍ୟ ।’’

 

ତା’ ମୁହଁରୁ କଥା ଶେଷ ହେବା ପୂର୍ବରୁ ଚୌକିରୁ ଉଠିବସି ପଲ୍ଲବକୁ ଅଭିନନ୍ଦନ ଜଣାଇ କହିଲା ସତ୍ୟକାମ- ‘ଏଇ ବିଷୟ ମୁଁ ଜାଣି ନ ଥିଲି ଏଯାଏ । ଏହାପରେ ଗଣ୍ଠି ଖୋଲିବାପାଇଁ ଆଉ ଅଧିକ ଶ୍ରମ କରିବାକୁ ପଡ଼ିବ ନାହିଁ । ଜଣେ ଲୋକ ବାହାରେ ଯାହା କହୁଥାଏ ଓ କରୁଥାଏ ଭିତରେ ଯେ ଠିକ୍‌ ତା’ର ବିପରୀତ ଏହା ହେଉଛି ଅଖ୍‍ତାର ଓ ଚନ୍ଦ୍ରମୌଳି ପରି ଚରିତ୍ରମାନଙ୍କ ବିଶେଷତ୍ୱ ।’

 

- ‘‘କିନ୍ତୁ ଟ୍ରିପଲ ମର୍ଡର ପଛରେ କ’ଣ ଚନ୍ଦ୍ରମୌଳିଙ୍କ ହାତ ଥିଲା ?’’ ଆଉ ଅପେକ୍ଷା ନ କରି ପଚାରିଦେଲେ ମୁକ୍ତେଶ୍ଵର ତଲ୍‌ୱାଲ୍‌କର ।

 

-‘‘ହୁଁ ସାର୍‌, ସେ ଥିଲେ କେନ୍ଦ୍ରବିନ୍ଦୁ । ତାଙ୍କ ଚାରିପାଖରେ ବୁଲୁଥିଲା ଅପରାଧର ଜଗତ । ଅଖ୍‍ତାର ତାଙ୍କର ଚଳନ୍ତି ପ୍ରତିନିଧିଭାବେ କାମ କରୁଥିଲେ ଓଡ଼ିଶାରେ । ହାରୁ ମିଆଁ, ଦୁର୍ଯ୍ୟୋଧନ ସିଂ ପରି ଅନେକ ଅନେକ ସହଯୋଗୀ ଅଛନ୍ତି ସତ, କିନ୍ତୁ ଚିନ୍ତା ନାୟକ ହେଲେ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଏବଂ କାର୍ଯ୍ୟନାୟକ ହେଲେ ଅଖ୍‍ତାର ସାହେବ ।’’ କହିଲା ସତ୍ୟକାମ ।

 

- ‘‘କିନ୍ତୁ ଏସବୁ ଘୁଣ୍ୟ କାମ କ’ଣ କେବଳ ଅର୍ଥ ଉପାର୍ଜନ କରିବାପାଇଁ ? ଅର୍ଥ ଉପାର୍ଜନ କରିବାପାଇଁ ଏମାନଙ୍କ ଆଗରେ ଅନ୍ୟ ରାସ୍ତା ବି ଥିଲା ! ଜାଫର ଅଖ୍‍ତାର ତ ଜଣେ ବିଜିନେସ୍‌ମ୍ୟାନ୍‌ । ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ କର୍ମଭୂମିର ପରିସର ମୋ ଆଗରେ ସ୍ପଷ୍ଟ ନୁହେଁ ।’

 

‘ଆଉ ମୋର ଏବେବି ସନ୍ଦେହ ଅଛି ସେଇସବୁ ଘଟଣା ପଛରେ ମୁହଁ ଲୁଚାଇଥିବା ଚିଦାନନ୍ଦ ମହାନ୍ତିର । ହୁ ଇଜ୍‌ ହି ? ଇଜ୍‌ ହି ଦ ରିଙ୍ଗ୍‌ ଲିଡ଼ର ଅର୍‌ ପିଓର୍ଲି ପ୍ଳାନର... ?’

 

ପଲ୍ଲବ କହିଲେ, ‘ଏ ବଡ଼ ଜଟିଳ ପ୍ରଶ୍ନ ସାର୍‌ ! ରିଂ ଲିଡ଼ର ଚନ୍ଦ୍ରମୌଳି ଆଉ ପ୍ଲାନିଂ ଇନଚାର୍ଜ ହେଉଛନ୍ତି ଚିଦାନନ୍ଦ ମହାନ୍ତି । ଏମ୍‌ ଆଇ କରେକ୍ଟ ?’ ସେ କହିଦେଇ ଚାହିଁଲେ ସତ୍ୟକାମ ଆଡ଼କୁ । ସତ୍ୟକାମ କିନ୍ତୁ ହଜି ଯାଇଥିଲା ନିଜ ଭାବନାରେ, କୌଣସି ଉତ୍ତର ଦେଇପାରିଲା ନାହିଁ ।

 

‘‘ଏମାନଙ୍କ ନେଇ ଗଢ଼ି ଉଠିଥିଲା ଚକ୍ରବ୍ୟୂହ । ଠିକାଦାରମାନଙ୍କ ଜରିଆରେ ଏମାନେ ଅନେକ ଅର୍ଥ ସଂଗ୍ରହ କରୁଥିଲେ । ଚାରିପାଞ୍ଚଜଣ ବଡ଼ ବଡ଼ ଠିକାଦାରଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ସବୁ ବଡ଼ ବଡ଼ କାମ ଯେପରି ମିଳେ ଏମାନେ ସେୟା ଠିକ୍‌ କରି ଦେଉଥିଲେ ଇଞ୍ଜିନିୟର ଓ ରାଜନେତାମାନଙ୍କୁ ହାତକରି । ଯଦି ଏମାନଙ୍କ କଥା ନ ମାନି କେହି ବିରୋଧ କଲା ବ୍ୟୁହ ଭାଙ୍ଗିବାପାଇଁ ତେବେ ଅଭିମନ୍ୟୁ ପରି ବଧ ହେବା ଥିଲା ତା’ର ନିୟତି । ଏଇ ତିନିଜଣ ଶ୍ରୀବାସ୍ତବଙ୍କ ଆଦେଶ ଅମାନ୍ୟ କରି ଜୀବନ ଦେଲେ । ଏତିକି ନୁହେଁ ଚନ୍ଦ୍ରମୌଳି ଅନେକ ଲୋକଙ୍କ ଜୀବନ ନେଇଛନ୍ତି ନିଜ ରାସ୍ତା ସଫା କରିବାପାଇଁ । ସେସବୁ ତଥ୍ୟ ସଂଗ୍ରହ ଶେଷ ହୋଇ ଆସିଲାଣି । ଆମ ପାଖରେ ଅକାଟ୍ୟ ପ୍ରମାଣ ଅଛି ଏମାନଙ୍କ ବିରୋଧରେ । ଏମାନେ ଆଉ ନାଗଫାଶରୁ ମୁକୁଳିଯାଇ ପାରିବେ ନାହିଁ ।’’ ସ୍ଵସ୍ତିର ନିଶ୍ଵାସ ମାରି କହିଲେ ପଲ୍ଲବ ।

 

‘‘ବର୍ତ୍ତମାନ ତା’ହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ?’’ ପଚାରିଲେ ମୁକ୍ତେଶ୍ଵର ।

 

‘‘ଆପଣ ଲିଡ୍‌ଷ୍ଟୋରିର ଦ୍ୱିତୀୟ ପରବର୍ତ୍ତୀ ଭାଗ ଶୀଘ୍ର ବାହାର କରନ୍ତୁ । ଚନ୍ଦ୍ରମୌଳି ଆଉ ଅଖ୍‍ତାରଙ୍କ ମୁମ୍ବାଇ ଅଣ୍ଡରୱାର୍ଲଡ଼ ସହିତ ଥିବା ସମ୍ପର୍କର ପର୍ଦ୍ଦାଫାଶ ହେଉ । ଦେଖିବେ ମାଛ ଧରାପଡ଼ିଲେ କିପରି ଛଟପଟ ହୁଏ ।’’ କହିଲେ ପଲ୍ଲବ ।

 

‘‘କିନ୍ତୁ ମିସେସ୍‌ ମାଧୁରୀ ତଲ୍‌ୱାଲ୍‌କରଙ୍କୁ କାହିଁକି ଜବତ କରାଯାଇଥିଲା ? କିଏ ସେ କାମ କରିଥିଲା ଏବଂ କ’ଣ ପାଇଁ ?’’ ମୁକ୍ତେଶ୍ଵର ଜାଣିବାକୁ ଚାହିଁଲେ ।

 

‘‘ଆପଣଙ୍କ ଉପରେ ଚାପ ପକାଇବାପାଇଁ ମାଧୁରୀ ଦେବୀଙ୍କୁ ଜୀବନରେ ମାରିଦବା ସକାଶେ ଏମାନଙ୍କର ଯୋଜନା ନ ଥିଲା । କେବଳ ସେମାନେ ଆପଣଙ୍କୁ ବାଧା ଦବାକୁ ଚାହୁଁଥିଲେ, କହିବାକୁ ଚାହୁଁଥିଲେ ଏ ବାଟରେ ବିପଦ ଅଛି, ବରଂ ଏ ବାଟ ଛାଡ଼ି ଆପଣ ଅନ୍ୟ ବାଟ ଧରନ୍ତୁ ।’’ କହିଲେ ପଲ୍ଲବ ।

 

- ‘‘ଗୋଟେ ଡେମୋକ୍ରାଟିକ୍‌ କଣ୍ଟ୍ରିରେ ଏପରି କଲେ ପ୍ରେସ୍‌ ସ୍ଵାଧୀନତା ରହିବ କିପରି ? ଏମାନେ ତା’ ହେଲେ ତ ଗଣତନ୍ତ୍ରର ମସ୍ତବଡ଼ ଶତ୍ରୁ... ।’’ ମୁକ୍ତେଶ୍ଵର ଝୁଙ୍କିପଡ଼ି କହିଲେ ।

 

- ‘‘ଓ ଇୟେସ୍‌ ସାର୍‌... । ଏମାନେ ଗଣତନ୍ତ୍ରର ପୂଜାରୀ ନୁହଁନ୍ତି, ବରଂ ଗଣତନ୍ତ୍ରରେ ଥିବା ବିଭିନ୍ନ କୋହଳ ବିଧି ବ୍ୟବସ୍ଥାର ସୁଯୋଗ ନେଇ ଅପରାଧ କରନ୍ତି । ସେମାନେ ଜାଣନ୍ତି ଯେ ପୁଲିସ୍‌, ପ୍ରଶାସନ ଓ ନେତାମାନଙ୍କୁ ହାତରେ ରଖିଲେ ଅପରାଧ କରି ମଧ୍ୟ ସହଜରେ ଖସ ଯିବା ସମ୍ଭବ ।’’ କହିଲେ ପଲ୍ଲବ ।

 

- ‘ଏ ଭେରି ଡେଞ୍ଜରସ ଗେମ୍‌... ଏଇ ବିପଜ୍ଜନକ ଖେଳରୁ ସେମାନେ ଯେତିକି ଫାଇଦା ଉଠାଇବେ ତା’ ଅପେକ୍ଷା ଧରାପଡ଼ିଲେ ସେମାନଙ୍କୁ ଯେ ଫାଶୀ କାଠରେ ଝୁଲିବାକୁ ପଡ଼ିପାରେ ଏକଥା କ’ଣ ବୁଝନ୍ତିନି ସେମାନେ ?’ ମୁକ୍ତେଶ୍ଵର ଚକିତ ସ୍ଵରରେ କହିଲେ ।

 

- ‘‘ସବୁ ବୁଝନ୍ତି ସାର୍‌ ! ଘୋଡ଼ା ଦୌଡ଼ରେ ବାଜି ମାରିବାର ଅଭ୍ୟାସ ନାହିଁ ଆପଣଙ୍କର । ଘୋଡ଼ାମାନେ ଦୌଡ଼ ଆରମ୍ଭ କରିବା ପୂର୍ବରୁ ଗୁପ୍ତ ଏଜେଣ୍ଟ ଆସି କହିଯିବ କୋଉ ଘୋଡ଼ାର ଜିତିବା ଚାନ୍‍ସ ବେଶୀ । ଆଉ ସେଇ ଘୋଡ଼ା ବା ଘୋଡ଼ାଚାଳକକୁ କୌଣସି ପ୍ରକାରେ ଜଖମ କରିବାପାଇଁ ସେଇ ମୁହୂର୍ତ୍ତରୁ କାମ ଆରମ୍ଭ ହୁଏ ।’’

 

- ‘‘ମାଇଁ ଗଡ୍‌... ଇଶ୍ୱରଙ୍କୁ ଶତ ଶତ ଧନ୍ୟବାଦ୍‌ ! ସେ ଆମ ସମସ୍ତଙ୍କୁ ରକ୍ଷା କଲେ...’’ ମୁକ୍ତେଶ୍ୱର ଦୀର୍ଘଶ୍ୱାସ ଛାଡ଼ି କହିଲେ ।

 

‘‘କିନ୍ତୁ ଏଇ ତ ଖେଳର ଆରମ୍ଭ ମିଷ୍ଟର ତଲ୍‌ୱାଲ୍‌କର... ଥରେ ଗୋଳିଆ ପାଣିରେ ମାଛ ଧରିବାପାଇଁ ଜାଲ ଫିଙ୍ଗିଲେ କେତେ ପ୍ରକାର ମାଛ ପଡ଼ିବେ ଆଗରୁ କିଏ କହିପାରିବ ? ମୋର ତ ଆଶଙ୍କା ଯେ ଅନେକ ବଡ଼ ବଡ଼ ମୁଣ୍ଡ ଗଡ଼ିବ ଏ ବିଷୟ ଯେତେବେଳେ ଅଦାଲତକୁ ଯିବ । ସେଠାରେ କାହାର ଚାପ ଆଦୌ କାମ କରିବ ନାହିଁ । ଜୁଡ଼ିସିଆଲି ଏବେବି ନ୍ୟାୟ ପାଇବାର ଶେଷ ଆଶ୍ରୟ ।’’ ପଲ୍ଲବ ଟିପ୍ପଣୀ କଲେ ।

 

ସତ୍ୟକାମ ଚମକିପଡ଼ି ଚାହିଁଲା ଘଡ଼ିକୁ । ପାଞ୍ଚଟା ବାଜିଗଲାଣି । ସେଦିନ ରାତି ସେ କଲିକତାରେ ଥିବାବେଳେ ତାଙ୍କ ଘରକୁ କେଉଁ ଲୋକଟା ପଶି ଆସିଥିଲା ମା’ଙ୍କ ମୁହଁରୁ ସେ ବିଷୟ ପୂରା ଶୁଣିୟପାରିନି ସେ । କିନ୍ତୁ ସେ ପୁଲିସ୍‌କୁ ଖବର ଦେଲେ ବେଶି ଖୋଳତାଡ଼ ହେବ ଏବଂ ଘର ଭିତର କଥା ଦାଣ୍ଡରେ ପଡ଼ିବ ହୁଏତ ଏଇ ଆଶଙ୍କା କରି ମା’ କହି ନ ଥିବେ ପୁଲିସ୍‍କୁ । କିନ୍ତୁ ଲକ୍ଷ୍ମୀ ତାକୁ ଯେତିକି କହିଛି ସେତିକିରୁ ସେ ଅନୁମାନ କରୁଛି ଯେ ସେଇ ଲୋକଟା ଚାରି ଘଣ୍ଟା ତାଙ୍କ ଘରେ କଟାଇବା ସତ୍ତ୍ୱେ ଏ ବିଷୟ ଯଦି ପୁଲିସ୍‍କୁ ବର୍ତ୍ତମାନ କୁହା ନ ଯାଏ ତେବେ ପରେ ଯଦି ପ୍ରସଙ୍ଗକ୍ରମେ ଏଇ ରହସ୍ୟ ଉନ୍ମୋଚିତ ହୁଏ ତେବେ ଯେକୌଣସି ଲୋକ ମନରେ ପ୍ରଶ୍ନ ଉଠିବ କାହିଁକି ଏ ବିଷୟ ଗୋପନ ରଖାଗଲା ! ମା’ ଯେ ଗୋଟେ ବଡ଼ ରିସ୍କ ନିଜ କାନ୍ଧ ଉପରକୁ ନେଇଗଲେ ତାହା ଭାବି ଚିନ୍ତାରେ ବୁଡ଼ିଗଲା ସତ୍ୟକାମ । ପଲ୍ଲବ ଯେ ବଦାୟ ନେଇ ଚାଲିଗଲାଣି ଏୟା ସେ ଜାଣିଲା ଯେତେବେଳେ ତଲ୍‌ୱାଲ୍‌କର କହିଲେ-‘ତା’ ହେଲେ ପରବର୍ତ୍ତୀ କାହାଣୀ କେବେ ଦେଉଛ ସତ୍ୟକାମ ?’

 

ହଡ଼ବଡ଼େଇ ଗଲା ସତ୍ୟ । କ’ଣ ଜାଣିବାପାଇଁ ଏଡ଼ିଟର୍‍ ଚାହୁଁଛନ୍ତି ବୁଝି ନ ପାରି ସେ ତାଙ୍କ ମୁହଁକୁ ଚାହିଁ କହିଲା - ‘‘ସାର୍‌...’’

 

- ‘‘ତାକୁ ଅନ୍ୟମନସ୍କ ଥିବା ଦେଖି ଚକିତ ହେଲେ ମୁକ୍ତେଶ୍ଵର । ହୁଏତ ଏଇ କେତେଦିନର ଖଟଣି ତାକୁ କ୍ଲାନ୍ତ କରିଦେଇଛି । ତଥାପି ଆଉଥରେ ପୁନରୁକ୍ତି କଲେ ସେ- ‘‘ନେକ୍ସଟ୍‌ ଷ୍ଟୋରି କେବେ ଛାପିବ ବୋଲି ସ୍ଥିର କରିଛ ?’’

 

ସତ୍ୟକାମ ସତ କହିଲା - ‘‘ଆଜି ରାତି ସେଇ ଷ୍ଟୋରିଟା ଦବାପାଇଁ ପ୍ଲାନ୍‌ କରିଥିଲି ସାର୍‌-। କିନ୍ତୁ ଏସବୁ ଆଲୋଚନା ପରେ ଆଉ ଥରେ ଫ୍ୟାକ୍ଟଗୁଡ଼ାକ କ୍ରସ୍‌ଚେକ୍‌ କରି ନବାପାଇଁ ଇଚ୍ଛା ହେଉଛି ।’’

 

ହୁମାୟୁନ୍‍ କହିଲା - ‘‘କିନ୍ତୁ ଆମେ ତ ଟିକିନିଖି ସବୁ ଦେଖିଥିଲୁ ଭାଇ ! ତମେ କ’ଣ ଆଉ କିଛି ବିଷୟ ଛାଡ଼ିଗଲ ବୋଲି ଭାବୁଛ ?’’

 

ସତ୍ୟକାମ କ୍ଳାନ୍ତ ସ୍ୱରରେ କହିଲା - “ମୋତେ କାହିଁକି କେଜାଣି ସେମିତି ଲାଗୁଛି । ରହସ୍ୟ ଭିତରକୁ ପ୍ରବେଶ କଲାବେଳେ ମୁଁ ଜାଣି ନ ଥିଲି ଯେ ଏହାର ଗଭୀରତା ଏତେ ବେଶି । ହୁଏତ ମାଟି ଛୁଇଁବାବେଳକୁ ଆଉ କିଛି ମଣିମାଣିକ୍ୟ ସେଠାରୁ ମିଳିପାରେ... ।’’

 

ମୁକ୍ତେଶ୍ଵର କହିଲେ- ‘‘ହଉ ଆଜି ଥାଉ, କାଲି ବା ପଅରଦିନ ହେବ । ତମେ ଆଉଥରେ ଖୁଣ୍ଟିନାଣ୍ଟି ଦେଖିନିଅ । ଏସବୁ ବିଷୟରେ ଆମେ ଯେଉଁସବୁ ତଥ୍ୟ ପ୍ରକାଶ କରିବା ତାହା ନିର୍ଭୁଲ ହେବା ଚାହି... ଆଜି ଏଇଠି ଶେଷ କରେ... ତମେ କ୍ଲାନ୍ତ ଦେଖାଯାଉଛ,... । ଘରକୁ ଯାଇ ବିଶ୍ରାମ କର ସତ୍ୟକାମ ।’’

 

ସେୟା ଖୋଜୁଥିଲା ସେ । ଟିକେ ବିଶ୍ରାମ ଚାହୁଁଥିଲା ସେ କିଛି ସମୟ ଏକାନ୍ତରେ କଟାଇବାପାଇଁ । କିଛି ସମୟ ଭାବିବାପାଇଁ । ମନରେ କେତେ ପ୍ରଶ୍ନ ଉଠୁଛି, କେଉଁଟାର ଉତ୍ତର ମିଳୁଛି ତ ଆଉ କେଉଁଟାର ଉତ୍ତର ମିଳୁନି... । ମନ ସେତେବେଳେ ବୁଡ଼ି ଯାଉଛି ଅଥଳ ଜଳ ଭିତରେ ମୁକ୍ତା ଖୋଜିବାକୁ ଯାଇଥିବା ବୁଡ଼ାଳି ବୁଡ଼ିଯିବା ପରି । ସେ ମୁକ୍ତା ଦରାଣ୍ଡିବା ପରି ସତ୍ୟକାମ ବି ଦରାଣ୍ଡି ବୁଲୁଥିଲା ଭାବନା ରାଜ୍ୟର ଅତଳ ସମୁଦ୍ରରେ ଅସମାହିତ ପ୍ରଶ୍ନଗୁଡ଼ାର ଉତ୍ତର ପାଇବା ଆଶା ନେଇ ।

 

ମୁକ୍ତେଶ୍ଵରଙ୍କୁ ଧନ୍ୟବାଦ ଜଣାଇ ସେ ବାହାରକୁ ଆସିବା ପରେ କହିଲା ହୁମାୟୁନ୍‍- ‘‘ସତରେ କ’ଣ ହୋଇଛି କୁହ ତ ? ତମ ଦେହ ଭଲ ଅଛି ତ ?’’

 

କେରାଏ ବିଷର୍ଣ୍ଣ ହସ ମୁହଁ ଉପରେ ଖେଳାଇ କହିଲା ସତ୍ୟକାମ- ‘‘ଦେହ ଭଲ ଅଛି, କିନ୍ତୁ ମନଟା ଉଚ୍ଛନ୍ନ ହେଉଛି । ଅନେକ ତଥ୍ୟ ଯୋଗାଡ଼ କରିଛି... କିନ୍ତୁ ତଥାପି କ’ଣ ଜାଣ ହୁମାୟୁନ୍‍, ମୋତେ ଲାଗୁଛି ମୁଁ ଚନ୍ଦ୍ରମୌଳି ସମ୍ବନ୍ଧରେ ଯାହାକିଛି ଜାଣେ ସେତକ ଯଥେଷ୍ଟ ନୁହେଁ... ସେ ଉଭା ଯେତେ ପୋତା ସେତେ । ଭାବୁଛି ଆହୁରି କିଛି ଜାଣିବା ଦରକାର । ତା’ପରେ ମୋତେ ଜାଣିବାକୁ ହେବ ଚିଦାନନ୍ଦ ଓ ଚନ୍ଦ୍ରମୌଳିଙ୍କ ସମ୍ପର୍କ ଆରମ୍ଭ ହେଲା କେବେ ? ମୋ ପାଖରେ ଥିବା ତଥ୍ୟ କହିଦେଉଛି ଯେ ସେମାନେ ଥିଲେ ସହପାଠୀ । ସେଇ ଛାତ୍ରାବସ୍ଥାରୁ ସେମାନଙ୍କର ଯୋଡ଼ି । କେଉଁଠି ସେମାନଙ୍କ ପାଦ ଖସି ଯାଇଛି ଏକ ସମୟରେ । ସେଇଠାରୁ ଅପରାଧ ଜଗତକୁ ଟାଣି ହୋଇଯାଇଛନ୍ତି ସେ ଦୁହେଁ... । କିନ୍ତୁ ଆଇ ମେ ବି ଅଲ୍‌ସୋ ରଙ୍ଗ୍‌ ହୁ ନୋଜ୍‌ ?’

 

ପ୍ରଶ୍ନଗୁଡ଼ା ଆକାଶରେ ତୁଳା ପରି ଉଡ଼ିବା ଜିନିଷ ନୁହଁ । ପ୍ରଶ୍ନ ମନରୁ ହଟେନି ଉତ୍ତର ନ ପାଇବା ପର୍ଯ୍ୟନ୍ତ । ସେଥିପାଇଁ ଚିନ୍ତା କରେ ମଣିଷ... କଥାରେ କହନ୍ତି ପରା ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି... । ନିଆଁ ଜଳୁଛି ମନରେ ଅନେକ ପ୍ରଶ୍ନର ଉତ୍ତର ନ ପାଇ । ସେ କିନ୍ତୁ ନିଜ ଉପରୁ ବିଶ୍ଵାସ ହରାଇ ନାହିଁ... । ତା’ର ଉଦ୍ୟମ ଅବ୍ୟାହତ ରହିବ... । ସେ ନିଶ୍ଚିତ ଯେ ଉତ୍ତର ମିଳିଯିବ ।

 

ହୁମାୟୁନ୍‍ ବିଦାୟ ନବାବେଳେ କହିଲା-‘‘ହଁ, ଭୁଲି ଯାଇଥଲି କହିବାପାଇଁ । ଆସନ୍ତା କାଲି ଅସୀମାର ଜନ୍ମଦିନ । କିଛି ନ କଲେ ଭଉଣୀ ଭାବିବ ଯେ ମୁଁ କିଛି କଲି ନାହିଁ... ଦେଖୁଛ ତ କାମର କେତେ ଭିଡ଼ । ତଥାପି କାଲି ରାତି ଆଠଟାବେଳକୁ ତମେ ଯଦି ଆସିପାରନ୍ତ ତେବେ ଜନ୍ମଦିନର ଶୁଭେଚ୍ଛା ପାଇ ସେ ଉତୁରି ପଡ଼ନ୍ତା ।’’

 

ସତରେ ତ ! ତାକୁ ସେଦିନ ମନେପକାଇ ଦେଇଥିଲା ଅସୀମା । ତାରିଖଟା ସେ ଭୁଲି ଯାଇଥିଲା କାମ ଭିଡ଼ରେ । କହିଲା ସତ୍ୟ - ‘‘ଧନ୍ୟବାଦ ହୁମାୟୁନ୍‍ ! ମୁଁ ଆସିବି... ବଡ଼ ପାର୍ଟି ନୁହେଁ ତ ?’’

 

- ‘‘ଆରେ ବଡ଼ ହେଉ କି ଛୋଟ ହେଉ ତୁମେ ଆସିବ ନିଶ୍ଚୟ । କାହିଁକି ବଡ଼ ପାର୍ଟି ହେଲେ କିଛି ଅସୁବିଧା ?’’

 

-‘‘ନା ନା, କିଛି ଅସୁବିଧା ନାହିଁ ଯେ.. କିନ୍ତୁ ମୁଁ ବଡ଼ ପାର୍ଟିରେ ଖୋଜି ପାଏନା ମୋ ନିଜ ସ୍ଥାନ... ।”

 

ଓଠ ଉପରେ ରହସ୍ୟମୟ ହସ ଖେଳାଇ କହିଲା ହୁମାୟୁନ୍‍- ‘‘ଆରେ ନା ନା, ଛୋଟ ପାର୍ଟି । ଏଇ ଆଠ ଦଶ ଜଣଙ୍କ ମଧ୍ୟରେ... କେବଳ ଘନିଷ୍ଠ ବନ୍ଧୁଙ୍କ ଗହଣରେ....’’

 

ତାକୁ ହାତ ହଲାଇ ବିଦାୟ ଦେବାପରେ ସ୍କୁଟର ଷ୍ଟାର୍ଟ କଲା ସତ୍ୟକାମ ।

 

ସେ ଫାଟକ ପାରି ହେବାବେଳେ ତା’ ହାତକୁ ଗୋଟେ ଚିଠି ବଢ଼ାଇଦେଇ ସିକ୍ୟୁରିଟି ଗାର୍ଡ଼ କହିଲା - “ଜଣେ ଭଦ୍ରଲୋକ ଏଇ ଦଶମିନିଟ୍‌ ପୂର୍ବରୁ ଦେଇଯାଇଥିଲେ... ଆପଣଙ୍କୁ ଦବାପାଇଁ କହିଥିଲେ...’’

 

ପକେଟ୍‌ରେ ଚିଠିଟା ପୂରାଇ ଦେଇ ସ୍ପିଡ଼୍‌ ବଢ଼ାଇଦେଲା ସତ୍ୟକାମ । ସନ୍ଧ୍ୟା ନଇଁ ଆସୁଥିଲା ରାଜପଥ ଉପରେ ।

 

ମା’ ଅପେକ୍ଷା କରିଥିବେ ତା’ର ବାଟ ଚାହିଁ... ।

 

ମା’ଙ୍କପାଇଁ ମନଟା ବ୍ୟାକୁଳ ହେଲା । ସେ ବାପର ପରିଚୟ ଜାଣି ନ ଥିବା ପୁଅ । ମା’ଙ୍କ ସ୍ନେହ ସାନିଧ୍ୟ ତା’ପାଇଁ ତାଙ୍କ ତ୍ୟାଗ ସ୍ମରଣ କରି ଆସି ସେ ଏତେବଡ଼ ହେଲାଣି, କିନ୍ତୁ ଏବେବି ମା’ଙ୍କ ଆଖିରେ ସେ ଶିଶୁଟିଏ, ମା’ଙ୍କ କୋଳହିଁ ତା’ର ସବୁଠାରୁ ବଡ଼ ନିରାପଦ ଆଶ୍ରୟ । ଏଇ ଦେଶର ଜନନୀମାନଙ୍କ ସ୍ନେହ, ପ୍ରେମ, ତ୍ୟାଗ ଅତୁଳନୀୟ । ସେଥିପାଇଁ ଜନନୀଙ୍କୁ ସ୍ଵର୍ଗଠାରୁ ବି ଉଚ୍ଚ ସ୍ଥାନ ଦିଆଯାଇଛି । ସ୍ୱର୍ଗ କେହି ଦେଖିଛି କି ନାହିଁ କେହି ଜାଣନ୍ତି ନାହିଁ । ସାଧାରଣ ମଣିଷ ପାଖରେ ସ୍ଵର୍ଗ ଗୋଟିଏ ଅଳିକ ସ୍ଵପ୍ନ... ଗୋଟାଏ ଅଦେଖା ଲକ୍ଷ୍ୟ... । କିନ୍ତୁ ଜନନୀଙ୍କ କୋଳ ସତ୍ୟ, ଅତୁଳନୀୟ ।

 

ଆଜି କାହିଁକି କେଜାଣି ମନରେ ଏଇସବୁ ଭାବନା ଜାତ ହେଉଥଲା । ଭାବିବାପାଇଁ ଭଲ ଲାଗୁଥିଲା ଯେ ସ୍ଵର୍ଗ ନୁହେଁ ଏଇ ଧରିତ୍ରୀ ହେଉଛି ମଣିଷର ପାଦ ତଳର ଜଗତ । ଏଇ ମାଟିର ମହ ମହ ବାସ୍ନା, ମାଟି ଉପରେ ପ୍ରଥମ ବାରିପାତର ନୂପୁର ଧ୍ଵନି, ବସନ୍ତର ଆଗମନ ଘୋଷଣା କରି ଆମ୍ବଡାଳରୁ କୋଇଲିର ପ୍ରଥମ କୁହୁ ଗାନ, ମଗୁଶିର ମାସର ନରମ ଖରାରେ ବିଲରୁ ସୁନାର ଫସଲ କାଟି ଘରମୁହାଁ ହୋଇଥିବା ଚାଷୀର ମୁହଁରୁ ଉଛୁଳି ଉଠୁଥିବା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର କେଇପଦ, ପଇସା ଦେଇ ବେଲୁନ ନେଇ ମନ ହରଷରେ ଦୌଡ଼ୁଥିବା ଶିଶୁମାନଙ୍କର ସହଜ ସ୍ଵାଭାବିକ ସାବଲୀଳତା ଏବଂ କଦବା କ୍ୱଚିତ୍‌ ଦି’ ପହର ଦ୍ଵାରମୁହଁରେ କେନ୍ଦରା ବଜାଇ ଟୀକା ଗୋବିନ୍ଦଚନ୍ଦ୍ରରୁ ଭାସି ଆସୁଥିବା କେଇପଦ ଏକମାତ୍ର ପୁତ୍ରମଣିକୁ ରାଜଉଆସର ଐଶ୍ୱର୍ଯ୍ୟ ଛାଡ଼ି ବୈରାଗୀ ହୋଇଯିବାପାଇଁ ମା’ ଦେଇଥିବା ଉପଦେଶ... ଆହୁରି କେତେ କ’ଣ ! ସେଦିନ ସେ ବଗିଚାରେ ଫୁଲଗଛ ମୂଳେ ପାଣି ଢାଳୁଥିଲାବେଳେ ମା’ ତାକୁ ଝରକା ବାଟେ ନିରେଖି ନିରେଖି ଦେଖୁଥିବାର ମଧୁରତା, ଆଉ ଦଶହରା ଦିନ ପାଞ୍ଚଜଣ ଗରିବ ପିଲାଙ୍କୁ ନୂଆ ଜାମା, ପେଣ୍ଟ ପିନ୍ଧାଇ ମଣ୍ଡା ପିଠା ଖୁଆଇ ମା’ ଘରୁ ବିଦାୟ ଦେଉଥିବାବେଳେ ସେଇ ଶିଶୁମାନଙ୍କ ମୁହଁର ରାଶି ରାଶି ଆଲୋକିତ କୃତଜ୍ଞତା... । ଏସବୁକୁ ନେଇ ତ ଏ ଜୀବନ, ଏ ପୃଥିବୀ । ସ୍ୱର୍ଗକୁ ନିଶୁଣି ବାନ୍ଧିଥିଲେ ଯେଉଁମାନେ ସେମାନେ କ’ଣ ଦେଖିଲେ ସେଠାରେ ! କ’ଣ ପାଇଲେ ସେଇ ଦେବଲୋକରୁ ! ଦୁଃଖ ଶୋକ ସୁଖ ସଂଗ୍ରାମ ନ ଥିବା ଜୀବନ ସ୍ରୋତ ନ ଥିବା ନଈପରି, ଲହଡ଼ି ନ ଥିବା ସାଗର ପରି ! ମଣିଷର ସ୍ଵର କେଡ଼େ ମିଠା ଦେବତାମାନେ ତାହା କ’ଣ ଜାଣନ୍ତି ? ଦେବଲୋକର ଦୟା ଅନୁକମ୍ପା ନ ପାଇ ବି ବର୍ଷର ବାର ମାସରେ ତେର ବ୍ରତ, ଓଷା, ଉପବାସ ପାଳନ କରି ଘାଟର ପଥର ପରି ପଡ଼ି ରହିଥିବା ଏଇ ମା’ ଭଉଣୀ ମାଉସୀ ଓ ଖୁଡ଼ୀମାନଙ୍କର ତଥାପି ଆପତ୍ତି ନାହିଁ, ଅଭିଯୋଗ ନାହିଁ ଦେବତା କିଛି ଦେଲେ ନାହିଁ ବୋଲି... ସେମାନେ ବଞ୍ଚନ୍ତି ଗୋଟେ ଅମାପ ଆଶା ନେଇ, ଅସରନ୍ତି ବିଶ୍ୱାସ ନେଇ !

 

ଫାଟକ ଆଗରେ କେତେବେଳୁ ସେ ଛିଡ଼ା ହୋଇଥିଲା କେଜାଣି... ଶ୍ରୀମୟୀ ଉଚ୍ଚ ସ୍ଵରରେ କହିଲେ କାହାକୁ ଅପେକ୍ଷା କରୁଛୁ ସତ୍ୟ... ମୁଁ ପରା ଅନେକବେଳୁ ତୋ ବାଟ ଚାହିଁ ଠିଆ ହୋଇଚି ଏଇଠି...’’

 

ବାସ୍ତବ ଜଗତର କୋଳାହଳ ତାକୁ ଚମକାଇ ଦେଲା ।

 

ସତ୍ୟକାମ ମିଠା ସ୍ଵରରେ କହିଲା- ‘‘ମା’ ! ଏଇ ଆସୁଛି... ବଡ଼ ଭୋକ କରୁଛି କ’ଣ ଟିକେ ଦିଅ ତ... ।’’

 

॥ ସତେଇଶ ॥

 

ଅସୀମା ସହିତ ସତ୍ୟକାମର ବିବାହ ପ୍ରସ୍ତାବ ସେଇପରି ମନ ଭିତରେ ରହିଥିଲା । କିଛି ଗୋଟେ ନିଷ୍ପତ୍ତି ନବାକୁ ହେବ । ଦିନ ଗଡ଼ି ଯାଉଛି । ଶ୍ରୀମୟୀ ହଠାତ୍‌ ଦିନେଯାଇ ପହଞ୍ଚିଗଲେ ଚର୍ଚ୍ଚରେ ଫାଦର୍‍ଙ୍କ ସହିତ ଏ ବିଷୟରେ ଆଲୋଚନା କରିବାପାଇଁ ।

 

ତାଙ୍କୁ ଦେଖି ଖୁସି ହେଲେ ଫାଦର୍‍ । ଝିଅ ଶାଶୁ ଘରୁ ବାପଘରକୁ ଆସିଲେ ବାପା ଯେମିତି ଆଦର କରି ଝିଅକୁ ଆଉଜାଇ ନିଅନ୍ତି ଛାତି ଉପରକୁ ଶ୍ରୀମୟୀ ପାଦଧୂଳି ନବାପାଇ ନଇଁପଡ଼ିବା ଆଗରୁ ସେ ତାଙ୍କୁ ଛାତି ଉପରକୁ ଜାକିଧରି କହିଲେ- ‘ତମେ ନ କହି ନ ବୋଲି ନିଜେ ଚାଲି ଆସିଛ ! ବଡ଼ ସୁଖ ଲାଗୁଚି ଝିଅ । ସଦାବେଳେ ତୁମେ ମୋର ଆଶୀର୍ବାଦ ପାଇଆସିଚ... ଆଜି ମଧ୍ୟ ଉଣା ହେବ ନାହିଁ । ଇଶ୍ୱର କରନ୍ତୁ ତୁମେ ସୁଖୀ ହୁଅ... । ତାଙ୍କ କରୁଣା ବରଷୁ ତୁମ ଉପରେ ।’

 

ଶ୍ରୀମୟୀ ବିହ୍ୱଳ ହୋଇଯାଇଥିଲେ । ମନେପଡ଼ି ଯାଉଥିଲା ପଚିଶ ବର୍ଷ ପୂର୍ବର କଥା ଯୋଉଦିନ ତାଙ୍କୁ ସାଙ୍ଗରେ ନେଇ ଷ୍ଟେସନରୁ ଚର୍ଚ୍ଚ କ୍ଵାର୍ଟରରେ ଆସି ପହଞ୍ଚିଲେ ଫାଦର୍‍ । ସମସ୍ତଙ୍କୁ ଶୁଣାଇ ଶୁଣାଇ କହିଥିଲେ,‘‘ଆରେ ଦେଖ ଦେଖ ମୋ ସହିତ କିଏ ଆସିଛି । ମୋ ହଜି ଯାଇଥିବା ଝିଅ ଫେରିଆସିଛି ପୁଣି । କେତେବେଳେ କ’ଣ ଟିକେ ଖାଇଥିଲା କାଲି । ସକାଳ ନଅଟା ବାଜିବ । ଆଗେ ଚା’ବିସ୍କୁଟ ଆଣ, କେକ୍‌ଅଛି ତ ଖଣ୍ଡେ ଆଣ... ମୋ ଝିଅକୁ ଭୋକ କରୁଥିବ ।’’ ସେଦିନ ଶ୍ରୀମୟୀ ଅଭିଭୂତ ହୋଇ ଯାଇଥିଲେ ଫାଦର୍‍ଙ୍କ ସ୍ନେହ-ସୌହାର୍ଦ୍ୟ ପାଇ । ଏତେବର୍ଷ ପରେବି ତାହା ଟିକେ ଉଣା ହୋଇନି, ବରଂ ବଢ଼ିଚି ।

 

ତାଙ୍କୁ ନେଇ ଚର୍ଚ୍ଚ ପରିସର ଭିତରେ ଥବା ବଗିଚା ବୁଲାଇ ଆଣିଲେ ଫାଦର୍‍ । ତିନିମାସ ହେଲା ସେ ଆସିଲେ । ଏ ଭିତରେ ଏତେ ପରିବର୍ତ୍ତନ ହେଲାଣି । ସବୁ ନୂଆ ନୂଆ ଲାଗୁଚି । ବଗିଚାରେ ଶୀତ ରତୁର ନୂଆ ଫୁଲ ସବୁ ଫୁଟିଲାଣି । ଡାଲିଆ, ଜିନିଆ, ହଲିହକ୍ସ, ଗେଣ୍ଡୁ, ରଜନୀଗନ୍ଧା... ଗ୍ଲାଡ଼ିଓଲି... ଗୋଲାପ... ।

 

ବେତ ଚୌକିରେ ବସିଲେ ଦୁହେଁ । କହିଲେ ଫାଦର୍‍- ‘ମୋ ପ୍ରିୟ ସତ୍ୟ କେମିତି ଅଛି ମା’... ପ୍ରଭୁ ତାକୁ ଆଶୀର୍ବାଦ କରନ୍ତୁ... ।’

 

ସୁଯୋଗ ପାଇ କହିଲେ ଶ୍ରୀମୟୀ- ‘‘ଭଲ ଅଛି ଫାଦର୍‍ । ଆଜି ତାହାରି କଥା କହିବାପାଇଁ ଆସିଚି ମୁଁ । ଆପଣଙ୍କ ଆଦେଶ ନବାପାଇ ଆସିଚି ।’’

 

ତା’ପରେ କହିଲେ ଶ୍ରୀମୟୀ- ‘‘ସେ କ’ଣ ଏକା ଏକା ବୁଲୁଥିବ ଏମିତି ? ମୁଁ କ୍ଳାନ୍ତ ହୋଇପଡ଼ୁଛି... ଆପଣ ସେ ବିଷୟ ଭୁଲିଗଲେ ଏକାବେଳେ...’’

 

- ‘‘ନା, ନା ଝିଅ, ମୁଁ ଭୁଲିନି, ଭୁଲିନି । ତା’ ବାହାଘର ତ ! ସେଇକଥା ମନେଅଛି । କିନ୍ତୁ ସମୟ ତ ଗଡ଼ି ଯାଇନି ମା’ ! ତାକୁ ପଚିଶ ପୂରିଛି ମାତ୍ର । ଆଉ କିଛିଦିନ ଯାଉ... ତର ତର ହୁଅନା... ସେମାନଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଂ ବଢ଼ୁ... ପରସ୍ପରର ଭାବନା ଚିନ୍ତା ସହିତ ପରିଚିତ ହୁଅନ୍ତୁ ଦୁହେଁ । ଦୁଇଟି ସ୍ଵତନ୍ତ୍ର ପ୍ରବାହ ମିଶିବ ଯେତେବେଳେ ତର ତର ହେବା ଠିକ୍‌ ହେବ ନାହିଁ । ମୁଁ ଜାଣେ ସତ୍ୟ ଭଲ ପିଲା, ଅସୀମା ବି ଆଦରଣୀୟା... ତଥାପି ଇଏ ବଢ଼ିଛି ଗୋଟିଏ ପରିବେଶରେ, ସେ ବଢ଼ିଛି ଆଉ ଗୋଟେ ପରିବେଶରେ । ଦୁଇଟି ନଦୀ ଏକାଠି ମିଶିଲେ କଲ୍ଲୋଳ ସୃଷ୍ଟି ହୁଏ... ସଂଘାତ ବି ହୁଏ... ଆମେ ଚାହୁଁ କଲ୍ଲୋଳ... କେବଳ ଦୁଇଟି ଭିନ୍ନ ଭିନ୍ନ ସ୍ୱରର ମିଳନରେ ସୃଷ୍ଟ ହେଉ ଗୋଟିଏ ନୂତନ ରାଗ ଗୋଟିଏ ନୂତନ ସ୍ୱର । ସେଇ ହେବ ବାଞ୍ଛନୀୟ...’’

 

ଶ୍ରୀମୟୀ କହିଲେ- ‘‘ମୁଁ ଭାବୁଛି ଫାଦର୍‍, ଆପଣ ଠିକ୍‌ କହିଚନ୍ତି । ଏ ପର୍ଯ୍ୟନ୍ତ ତା’ ବାପାଙ୍କ ମତ ନେଇନି ମୁଁ । ତାଙ୍କୁ ବାଦ୍‌ଦେଇ ତ ପ୍ରସ୍ତାବ ଆଗେଇ ପାରିବ ନାହିଁ । ବରଂ ଆପଣ ଯଦି ଜାଫର କବୀରଙ୍କ ସହିତ କଥାବାର୍ତ୍ତା କରନ୍ତେ...। ପ୍ରସ୍ତାବଟା ଆପଣଙ୍କ ତୁଣ୍ଡରୁ ଶୁଣିବା ପରେ ତାଙ୍କ ପ୍ରତିକ୍ରିୟା କ’ଣ ହେବ ଦେଖାଯାଉ... ।’’

 

- ‘‘ୟୁ ଆର୍‌ ରାଇଟ୍‌ ମାଇଁ ଡଟର୍‌ । ଭଲ କାମ କରିବାକୁ ଆମେ ଯାଉଛୁ ଯେତେବେଳେ ଭଲ ବାଟରେ ହେଉ । ରାଇଟ୍‌ ମିନ୍‍ସ ଟୁ ରିଚ୍‌ ରାଇଟ୍‌ ଏଣ୍ଡ୍‌... କବୀର ସାହେବଙ୍କ ସହିତ ମୁଁ କଥା ହୁଏ... ତାଙ୍କୁ ପ୍ରସ୍ତାବଟା ଦିଏ... ତା’ପରେ ଶୁଣାଯାଉ ତାଙ୍କ କଥା... । ’’

 

ଶ୍ରୀମୟୀ କହିଲେ- ‘‘ସେଇ କଥା କହିବାପାଇଁ ଆସିଥିଲି ମୁଁ । ଆପଣଙ୍କ ସହିତ କବୀର ଦମ୍ପତିଙ୍କର ପରିଚୟ ଅଛି । ଆପଣଙ୍କ ତୁଣ୍ଡରୁ ପ୍ରସ୍ତାବଟା ଶୁଣିଲେ ସେମାନେ ତ ସିରିଅସ୍‌ ହେବେ... । ’’

 

କିଛିକ୍ଷଣ ଭାବିଲେ ଫାଦର୍‍ । ତା’ପରେ କହିଲେ- ‘ପ୍ରଭୁଙ୍କ ଇଛା... ।’

 

ଚର୍ଚ୍ଚର ବଗିଚାରେ ନାନା ରଙ୍ଗର ଫୁଲମାନଙ୍କର ସମ୍ଭାର ଦେଖି ମନ ଉଛୁଳି ଉଠୁଥିଲା । ଗିର୍ଜା ଚାରିପାଖରେ ସ୍ଵର୍ଗୀୟ ଶାନ୍ତି ଲୀଳା କରୁଛି ଯେପରି ! ଆଉ କେଇଟା ଦିନପରେ ଖ୍ରୀଷ୍ଟମାସ - ବଡ଼ଦିନ ।

 

ଫାଦର୍‍ କହିଲେ - ‘‘ଏଥର ମୋ ସହିତ ତୁମେ ମା’ ପୁଅ ବଡ଼ଦିନ ପାଳନ କରିବ ଶ୍ରୀମୟୀ । ଆଜିଠୁ କହି ରଖୁଛି । ମୁଁ ଗୋଟେ ପ୍ଲାନ୍‌ କରିଛି । ଯଦି ପ୍ରଭୁଙ୍କ ଆଶୀର୍ବାଦ ମିଳେ ଆମେ ଫୁଲବାଣୀରେ କଟାଇବା ବଡ଼ଦିନ- ଦାରିଙ୍ଗିବାଡ଼ିରେ । ସବୁ ବ୍ୟବସ୍ଥା ମୁଁ କରିସାରିଛି । ତମେ ଦୁହେଁ ପ୍ରଥମଥରପାଇଁ ଦେଖିବ ପ୍ରକୃତିର ଅସଲ କୌମାର୍ଯ୍ୟର କୋମଳତା କେଡ଼େ ସ୍ନିଗ୍‌ଧ ମଧୁର-। ପ୍ରଶାନ୍ତିର ଗଭୀରତା ଅନୁଭବ କରିବ ଜଙ୍ଗଲ ଭିତରେ । ପଶୁପକ୍ଷୀଙ୍କ ସ୍ଵଚ୍ଛନ୍ଦ ଆହାର ବିହାର ଦେଖିବ ସ୍ଵଚକ୍ଷୁରେ । ଆଦିବାସୀମାନଙ୍କ ସ୍ଵତଃସ୍ଫୂର୍ତ୍ତ ଜୀବନ ମୁଗ୍ଧ କରିବ ତୁମକୁ । ଗୀତ ଶୁଣିବ ସେମାନଙ୍କର ।’’

 

ବାମ୍ଫ ବାହାରୁଥିବା ଚା’ ଏବଂ ମହ ମହ ବାସନା ନାକରେ ଲାଗୁଥିବା କେକ୍‌ ଟେବୁଲ ଉପରେ ରଖି ଦେଇଗଲା ପରିଚାରିକା ।

 

ଫାଦର୍‍ କହିଲେ- ‘‘ତମେ କେତେ ପ୍ରକାର ଖାଇବାକୁ ଦିଅ- ଏଠାରେ ଯତ୍‌କିଞ୍ଚତ୍‌ ବ୍ୟବସ୍ଥା । ଆଶ୍ରମରେ ସବୁ ସରଳ ନିରାଡ଼ମ୍ବର... । ’’

 

ଶ୍ରୀମୟୀ କହିଲେ - ‘‘ବାପ ଘରକୁ ଝିଅ ଆସିଲେ ଏଇପରି ଅନୁଭବ ଜାତ ହୁଏ ମନରେ-। ମୋତେ କେଡ଼େ ଖୁସି ଲାଗୁଚି ପ୍ରକାଶ କରିପାରିବି ନାହିଁ । ଆଉ ଆପଣ ଯେ ବଡ଼ଦିନ କଟାଇବାପାଇଁ ଆମନ୍ତ୍ରଣ କରିଚନ୍ତି ସେଥିପାଇଁ ମୁଁ କୃତଜ୍ଞ ।’’

 

- ‘‘କିନ୍ତୁ ଆମେ ଏଠାରୁ ବାହାରିବା ୨୬ତାରିଖ, ଏଠାରେ ୨୫ ତାରିଖ ଉତ୍ସବ ପାଳନ ଶେଷ କରି । ଭୁଲି ନ ଯାଅ ଯେପରି... । ’’ କହିଲେ ଫାଦର୍‍ ।

 

ଚା’ ପାନ ଶେଷ ହେବାପରେ ଶ୍ରୀମୟୀ ବାହାରିଲେ ଫେରିବାପାଇଁ । ଫାଦର୍‍ କହିଲେ, ‘‘ଗାଡ଼ି ଅପେକ୍ଷା କରିଛି, ତମକୁ ନେଇ ଛାଡ଼ି ଆସିବ... । ’’

 

- ‘‘ନା ନା ଫାଦର୍‍, ଆପଣ ଅନୁମତି ଦିଅନ୍ତୁ, ମୁଁ ଅଟୋରେ ଯାଏଁ... ବଜାରରେ କିଛି କାମ ଅଛି... । ’’ କହିଲେ ଶ୍ରୀମୟୀ ।

 

- ‘‘ଗାଡ଼ି ତମ ପାଖରେ ରହିବ । ଯୁଆଡ଼େ ଯିବ ତମ ସାଙ୍ଗରେ ଯିବ ଡ୍ରାଇଭର ।’’

 

ଶ୍ରୀମୟୀ ଫାଦର୍‍ଙ୍କୁ ପ୍ରଣାମ କରି ଉଠିଲେ ଗାଡ଼ିରେ । ଚର୍ଚ୍ଚର ଫାଟକ ଡେଇଁ ଗାଡ଼ି ଯାଉଥିବାବେଳେ ଫାଦର୍‍ ହାତ ହଲାଉଥିଲେ ବିଦାୟ ଦବାପାଇଁ ।

 

କ୍ଷମା, କରୁଣା, ପ୍ରେମର ଉତ୍ସ ଥିଲେ ପ୍ରଭୁ ଯୀଶୁ । ତାଙ୍କରି ପ୍ରଦର୍ଶିତ ମାର୍ଗରେ ଜୀବନ ବିତାଇ ଦେଲେଣି ଫାଦର୍‍ ଆବ୍ରାହମ୍‌ । ମଣିଷ ଜୀବନ ଦୁର୍ଲଭ । ପ୍ରତିଟି ମୁହୂର୍ତ୍ତ ଈଶ୍ୱରୀୟ ବିଭୂତିରେ ପୂର୍ଣ୍ଣ । ସଂସାର ଭିତରେ ରହନ୍ତି ଫାଦର୍‍, ସଂସାରର ଜଞ୍ଜାଳ କିନ୍ତୁ ସ୍ପର୍ଶ କରେନା ତାଙ୍କୁ । ମଣିଷମାନଙ୍କ ହାଉଯାଉ ଭିତରେ ସମୟ କଟାନ୍ତି, ତଥାପି ତାହାରି ଭିତରେ ନୀରବତା ତାଙ୍କୁ ପ୍ରାର୍ଥନାମୁଖୀ କରଦିଏ... ଭୂଇଁ ଉପରୁ ଶିର ଟେକିଥିବା ଦୂର୍ବାଦଳମାନଙ୍କୁ ଅବନତ ବଦନରେ ସେ ଦେଖିନେଇ ରୋମାଞ୍ଚିତ ହୁଅନ୍ତି ଏବଂ ମନେ ମନେ କହନ୍ତି - ହେ ପ୍ରଭୁ ! କରୁଣାମୟ, ପ୍ରେମମୟ ଇଶ୍ଵର...ମଣିଷମାନଙ୍କୁ ସୁଖୀ କରିବାପାଇଁ କେତେ କଷ୍ଟ ତୁମେ ନ କରିଛ... କେତେ ଯନ୍ତ୍ରଣା ନ ସହିଛ... କିନ୍ତୁ ଏହା ତୁମକୁ ବାଧି ନାହିଁ । ବରଂ ତମ ଦେହରୁ ରକ୍ତ ଝରୁଥିବାବେଳେ ତମେ ପରମପିତାଙ୍କୁ କହୁଥୁଲ ‘‘ହେ ଈଶ୍ଵର ! ସେମାନଙ୍କୁ କ୍ଷମାକର, କାରଣ ସେମାନେ ଜାଣନ୍ତି ନାହିଁ କ’ଣ କରୁଛନ୍ତି... ।’ ପୁଥିବୀରେ ସବୁ ହଳାହଳ ନୀଳକଣ୍ଠ ପରି ପାନ କରିଛ ତୁମେ । ସବୁ ଅମୃତମୟ କର ପ୍ରଭୁ... !

 

ଶ୍ରୀମୟୀ ଆଖି ପୋଛିଲେ ପଣତକାନିରେ । ବାପ ଘର ଛାଡ଼ି ନିଜ ଘରକୁ ଯିବାବେଳେ ସ୍ନେହ, ସାନ୍ତ୍ୱନା ଓ ସନ୍ତୋଷର ନିରାପଦ ଆଶ୍ରୟର ଅନୁପମ ଅନୁଭୂତି । ବାପା ମା’ଙ୍କୁ ସେଇ ଦୁର୍ଘଟଣା ପରେ ଆଉ ଦେଖିନି ସେ । ସେମାନଙ୍କଠାରୁ ପଚିଶ ବର୍ଷରୁ ଅଧିକ ଅଲଗା ରହିବା ପରେ ସେମାନେ ବି ହୁଏତ ଭୁଲି ଯାଇଥିବେ ତାକୁ । କିନ୍ତୁ ସେ ଯାହା ଶୁଣିଛି ଓଡ଼ିଶା ଆସିବା ପରେ ସେମାନେ ଆଉ ନାହାଁନ୍ତି ଇହଜଗତରେ । ଭାଇ ତ ଉଚ୍ଚଶିକ୍ଷାପାଇଁ ଅଷ୍ଟ୍ରେଲିଆ ଯାଇଥିଲା ଯେ ସେଇଠି ରହିଗଲା ଘରସଂସାର କରି । ଭଉଣୀ ଅଛି ଲଣ୍ଡନରେ ଡାକ୍ତରାଣୀ । ପରିସ୍ଥିତି ତାଙ୍କୁ ଛଡ଼ାଇନେଲା ସେମାନଙ୍କ ପାଖରୁ । ଆଉ ଦେଖା ହେଲାନି ସେମାନଙ୍କ ସହିତ । ଭାଇ ଭଉଣୀ ଭଲରେ ଥାଆନ୍ତୁ ... । ସଜଳ ହୋଇ ଆସିଲା ତାଙ୍କ ଆଖି, ଝରି ପଡ଼ୁଥିବା ଲୁହ ଦୁଇଧାର ହିଁ ଅବିସ୍ମରଣୀୟ ଅତୀତର ମୂଳଧନ । ସେତକ ସାଇତି ରଖିଚନ୍ତି ସେ ବ୍ୟାକୁଳ ଅନ୍ତଃସ୍ଥଳରେ । ଅତୀତକୁ ଭୁଲିଯିବାପାଇଁ ଚେଷ୍ଟା କରୁଛନ୍ତି ସେ । ସେଇ ସମୟ ସହିତ ସେଦିନର ନାମ ଓ ପରିଚୟକୁ ମଧ୍ୟ ସିନ୍ଦୁକ ଭିତରେ ବନ୍ଦକରି ସିଲ୍‌ କରିଦେଇଛନ୍ତି ଶ୍ରୀମୟୀ । ସେଇଠି ମୁହଁମାଡ଼ି ପଡ଼ିଥାଉ ସମୟ । ସେଇ ଅତୀତର ଅକୁହା କଥାଗୁଡ଼ାକୁ କହିବାପାଇଁ ବି ସୁଯୋଗ ଦେଲେନି ଭଗବାନ୍‌। ପୁଅକୁ ଯେତିକି କହିବା କଥା ସେତକ କହିଛନ୍ତି । ସେଇ ବାପ ନ ଥିବା ପୁଅ କଳଙ୍କ ମୁକୁଟ ପିନ୍ଧି ଚାଲିଛି ସେ ଜୀବନର ବଡ଼ ଦାଣ୍ଡରେ । ବାହାବା ଦିଅନ୍ତି ସତ୍ୟକୁ, ମା’ର ପରିଚୟକୁ ସମ୍ବଳ କରି ସେ ବାଟ ଚାଲିଛି, କାହାରି ଆଗରେ ନଇଁ ପଡ଼ିନି, ଗର୍ବର ସହିତ ଘୋଷଣା କରିଛି- ‘‘ଶୁଣ ସମସ୍ତେ ଭଲ କରି କାନ ଖୋଲି ଶୁଣ, ମୁଁ ଶ୍ରୀମୟୀର ପୁଅ...ସେଇ ମୋ ମା’ ,ସେଇ ମୋର ବାପା, ସେଇ ମୋ ଇହକାଳ ଓ ପରକାଳର ଦେବୀ । ’’

 

କୋହ ଉଠିଆସୁଥିଲା ପେଟ ଭିତରୁ । ଚାପିଦେଲେ ଶ୍ରୀମୟୀ । ନା, ଆଉ ସେ କାନ୍ଦିବେ ନାହିଁ । କେତେ ନ କାନ୍ଦିଛନ୍ତି ସେ... କେତେ ଅଳି କରି ନାହାଁନ୍ତି ଭଗବାନଙ୍କ ପାଦତଳେ । କିନ୍ତୁ ସେଥିରୁ ମିଳିଛି କ’ଣ ? ବରଂ ଦିଲ୍ଲୀ ଛାଡ଼ି ଯଦି ସେ ଅନିର୍ଦ୍ଦିଷ୍ଟ ପଥରେ ଯାତ୍ରା କରୁଥିଲାବେଳେ ହଠାତ୍‌ ଦେବଦୂତ ପରି ଫାଦର୍‍ ଆବ୍ରାହମ୍‌ଙ୍କ ସହିତ ପରିଚୟ ହୋଇ ନ ଥାନ୍ତା ତେବେ କେଉଁ ଅତଳ ସାଗରରେ ଅଜଣା ଅଶୁଣା ପଡ଼ିରହିଥିବା କୋଟି କୋଟି ଶାମୁକା ପରି ଲୁଚି ଯାଇଥାନ୍ତେ।

 

ନିଜର ଦୁଃଖ, ଦୁର୍ଭାଗ୍ୟପାଇଁ ବେଳେ ବେଳେ ସେଇ ଲୋକ ଦୁଇଟାଙ୍କୁ ଗାଳି ଦିଅନ୍ତି, କିନ୍ତୁ ପ୍ରକୃତିସ୍ଥ ହେବାପରେ ସେମାନଙ୍କୁ ବି କ୍ଷମା କରିଦିଅନ୍ତି ଶ୍ରୀମୟୀ । ତାଙ୍କ ସର୍ବସ୍ୱ ହରଣ କରିଥିବା ସେଇ ଲୋକଟା କିଏ, ତା’ର ନାମ ଓ ଠିକ୍‌ ପରିଚୟ କ’ଣ ଜାଣନ୍ତିନି ଶ୍ରୀମୟୀ । କାହିଁକି ତାଙ୍କ କପାଳରେ ଏଇ କଳଙ୍କର ଚିତା ଲଗାଇ ସେ ଧୂମକେତୁ ପରି କେଉଁଆଡ଼େ ଅଦୃଶ୍ୟ ହୋଇଗଲା ତାହା ଆଉ ବିବ୍ରତ କରେନି ତାଙ୍କୁ । ଭାବିବେ କାହିଁକି ଯେ... ଯାହା ସହିତ କୌଣସି ସମ୍ପର୍କ ନାହିଁ, ଯାହାପାଇଁ ମୁହୂର୍ତ୍ତଟିଏ ପାଇଁ ବି ବ୍ୟାକୁଳ ହୋଇନାହିଁ ତାଙ୍କ ମନ ତା’ ବିଷୟରେ ଭାବିବେ କାହିଁକି-? ବରଂ ସେଇ ଝଡ଼ର ପାପ ସ୍ତୂପରେ କେହି ଯଦି ନିଆଁ ଲଗାଇ ଦିଅନ୍ତା, ସବୁ ଯଦି ଜଳିପୋଡ଼ି ପାଉଁଶ ହୋଇଯାଆନ୍ତା ତେବେ ବୀରଭୋଗ୍ୟା ବସୁନ୍ଧରାରେ ସେ ବି ଅଭିମାନ ଏବଂ ଗୌରବ ନେଇ ବଞ୍ଚିବାର ସୁଖ ଅନୁଭବ କରନ୍ତେ । କିନ୍ତୁ ସେଇ ଧ୍ୱଂସସ୍ତୂପର ପାଉଁଶ ତିଳକ ହୋଇ ତାଙ୍କୁ ବଞ୍ଚି ରହିବାପାଇଁ ବାଧ୍ୟ କରୁ ନ ଥାନ୍ତା । ହୁଏତ ଏହାହିଁ ଇଶ୍ଵରଙ୍କ ଇଚ୍ଛା... ଏଇ ପରିଣତି ହୁଏତ ନିୟତିର ଆଶୀର୍ବାଦ ।

 

ଡ୍ରାଇଭର ଗାଡ଼ି ଛିଡ଼ାକରି ଦରଜା ଖୋଲି ଅପେକ୍ଷା କରୁଥିଲା । ଶ୍ରୀମୟୀ ହଠାତ୍‌ କ’ଣ ଗୋଟେ ଶବ୍ଦରେ ଆତ୍ମମଗ୍ନତା ଭିତରୁ ବାହାରିଆସି କହିଲେ - ‘‘କ’ଣ ହେଲା ?’’

 

ଡ୍ରାଇଭର ଥୋମାସ୍‌ କହିଲା - ‘ଏତେ ବଡ଼ ସହର, କାହିଁ ନା କାହିଁ ଏମିତି ଛୋଟ ବଡ଼ ଗଣ୍ଡଗୋଳ ତ ହେବ ନିଶ୍ଚୟ । ମୋଟର ସାଇକଲରେ ଯାଉଥବା ଦୁଇଜଣ ଯୁବକ ଏଇ ଆମ ଗାଡ଼ିଠାରୁ କୋଡ଼ିଏ ହାତ ଦୂରରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ବେକରୁ ହାରଟା ଛିଡ଼ାଇ ନେଇ ଗୁଳିବେଗରେ ଚାଲିଗଲେ ।’

 

-‘‘କାହାରି କାନରେ ବାଜିଲା ନାହିଁ ତାଙ୍କ କାତରଧ୍ଵନି ?’’ ପଚାରିଲେ ଶ୍ରୀମୟୀ ।

 

ଥୋମାସ୍‌ କହିଲା - ‘‘ଯିଏ ଯାହା କାମ ନେଇ ବ୍ୟସ୍ତ । ଆଉ ଜାଣିଶୁଣି କିଏ ବା ସେଇ ଗୁଣ୍ଡାମାନଙ୍କ ପ୍ରତିରୋଧ କରି ଜୀବନ ଦବାକୁ ଯିବ ? ’’

 

ଭୟରେ ଶିହରି ଉଠିଲେ ଶ୍ରୀମୟୀ । ଦିନେ ଇମିତି ଆତଙ୍କ ଓ ଭୟରେ ଶିହରି ଉଠିଥିଲେ ସେ । ଆଜି ସିନା କାହାର ସୁନାହାର ଚୋରି ହୋଇଗଲା ସେଦିନ କିନ୍ତୁ ତାଙ୍କର ସର୍ବସ୍ଵ ଲୁଟ୍‌ ହୋଇଯାଇଥିଲା ।

 

ଟିକେ ପରେ ସ୍ଵଗତୋକ୍ତି କଲାପରି କହିଲେ - ‘ଆଖି ସାମ୍ନାରେ କିଡ଼୍‌ନାପିଂ, ରେପ୍‌, ସ୍ନାଚିଂ ସବୁ ହେଉଛି, କେହି ଆଗେଇ ଆସୁନି ପ୍ରତିରୋଧ କରିବାପାଇଁ । ପୃଥିବୀ ନିର୍ବୀର୍ଯ୍ୟ ହୋଇଯାଇଛି ବୋଧହୁଏ । ଭୀରୁ ପରି ବଞ୍ଚିରହିବା ଯଦି ଏ ସମୟର ଗର୍ବ ଓ ଗୌରବର ଚିହ୍ନ ତେବେ ଏ ସମାଜ ଧ୍ଵଂସ ହୋଇଯିବା ହଁ ଭଲ । ‘ଏଇ କାରଣରୁ ସତ୍ୟକାମକୁ ସେ ଦମ୍ଭ ଦିଅନ୍ତି, ସାହସ ଦିଅନ୍ତି... ତା’ ଭିତରେ ଲଢ଼ିବାର ଆତ୍ମବିଶ୍ଵାସଟିକୁ ସଞ୍ଜୀବିତ କରି ରଖିବାପାଇଁ ।

 

ଥୋମାସ୍‌ ତାଙ୍କୁ ସ୍ମରଣ କରାଇ ଦେଲା ଯେ ‘ସଂଧ୍ୟା ନଇଁଆସିଛି, ରାସ୍ତା ଉପରେ ଯାନବାହନ ଓ ଲୋକ ଗହଳି ଆହୁରି ବଢ଼ିଛି । ଦିନ କାଳ ଭଲ ନାହିଁ, ବରଂ ଯଦି କିଛି କିଣାକିଣି କରିବାର ଥାଏ ଶୀଘ୍ର ସମାପ୍ତ କରି ଘରକୁ ଫେରିଯିବା ଉଚିତ ହେବ... ।’

 

ସେ ବି ସେୟା ଭାବୁଥିଲେ । ଧୀରେ ଧୀରେ ପାଦ ବଢ଼ାଇଲେ ନିଉ ମାର୍କେଟ ଆଡ଼କୁ ।

 

‘କଳାମନ୍ଦିର’ରୁ କିଛି କିଣିବାର ଥିଲା । ଅସୀମାର ଜନ୍ମଦିନରେ ତ ଖାଲି ହାତରେ ତାକୁ ଆଶୀର୍ବାଦ କରିବାକୁ ଯିବେ ନାହିଁ !

 

ଉପର ମହଲାକୁ ଉଠିଯାଇ ଗୋଟେ ସମ୍ବଲପୁରୀ ଶାଢ଼ି, ମ୍ୟାଚିଂ ବ୍ଲାଉଜ୍‌ପିସ୍‌ ଆଉ ସାୟା ନେଇ ବାହାରି ଆସୁଥିବାବେଳେ ଠିକ୍‌ ରିସେପ୍‌ସନ ଡେସ୍କ ପାଖରେ ତାଙ୍କ ଆଗରେ ଚାଲିଯାଉଥିବା ଜଣେ ଯୁବକ ଦୃଷ୍ଟି ଆକର୍ଷଣ କଲା ତାଙ୍କର । ଟିକେ ପରେ ସେ ଦେଖିଲେ ଯେ ସେ ଏକା ନ ଥିଲା, ତା’ ସହିତ ଆଉ ଜଣେ ବି ଥିଲା । ସେଇ ଦୁଇ ଜଣଙ୍କୁ ଦେଖିବାକ୍ଷଣି ସେମାନଙ୍କୁ ଆଉକେବେ କେଉଁଠି ଦେଖିଥିବା ପରି ମୁହୂର୍ତ୍ତର ପରଦା ଠେଲି ସ୍ଵୃତିର ଖିଅ ବାହାରିଆସି ନିମିଷକ ମଧ୍ୟରେ ପୁଣି କେଉଁଠି ଅଦୃଶ୍ୟ ହୋଇଗଲା ।

 

ସେମାନେ ପରସ୍ପର ମଧ୍ୟରେ କଥା ହେଉଥିବା କାନରେ ପଡ଼ିଲା ଶ୍ରୀମୟୀଙ୍କର । ଅହେତୁକୀ ଆଗ୍ରହ ଜାତ ହେଲା ମନରେ ଜାଣିବାପାଇଁ ସେମାନେ କିଏ, କ’ଣ କଥାବାର୍ତ୍ତା କରୁଛନ୍ତି-। ସେ ଆଉ ଟିକେ ପାଖକୁ ଯାଇ ବିପରୀତ ଦିଗକୁ ମୁହଁ କରି କାନ ଦୁଇଟା ସେମାନଙ୍କ ଆଡ଼କୁ ରଖି ଛିଡ଼ା ହୋଇଗଲେ ।

ଜଣେ କହୁଥିଲା - ‘‘ଦେଖିଲୁ, ତା’ ବେକର ହାର କିପରି ହାତକୁ ଚାଲିଆସିଲା । ’’

ଅନ୍ୟଜଣେ କହିଲା - ‘‘କିନ୍ତୁ ତୁ କିଛି ଭଲ କାମ କଲୁନି । ଯାହାର ଜିନିଷ ନେଇ ଆସିଲୁ ସେ କିଏ ଜାଣୁ ?’’ ।

-‘‘କିଏ ?’’

-‘‘ସେ ପରା ମୋ ଭଉଣୀ ସ୍ମିତାର ସାଙ୍ଗ... ଜଣେ ନାମଜାଦା ଯୁବନେତାଙ୍କ ପତ୍ନୀ...।’’

-‘‘ତେବେ ତ ଗୋଟେ ଭଲ କାମ କରିଛିବେ । ସେ ଶଳା କୋଉ ମାରୁଆଡ଼ିଠୁ ଯାହା ଆଣିଥିବ କିଛି କାମ କରିଦବା ବାହାନା କରି, ସେଥିରୁ ମୋ ହାତରେ କିଛି ପଡ଼ିଗଲା... । ଏମିତି କାମ ପାପ ନୁହେଁ... ବରଂ ମୋତେ ବାହାବା ମିଳିବା ଉଚିତ ।’’

ଶ୍ରୀମୟୀଙ୍କ ଇଚ୍ଛା ହେଲା ସେ ଚିତ୍କାର କରି କହିଦବାପାଇଁ ଏଇ ତାଙ୍କ ସାମ୍ନାରେ ସ୍କାଇବ୍ଳୁ ପେଣ୍ଟ୍‍ ଆଉ ରେଡ୍‌ସ୍ପୋଟ୍‌ସ ଗଞ୍ଜି ପିନ୍ଧି ଛିଡ଼ା ହୋଇଥିବା ଲୋକଟା ଚୋର...ଦଶମିନିଟ୍‌ ଆଗରୁ ଚୋରି ହୋଇଥିବା ସେଇ ଭଦ୍ରମହିଳାଙ୍କ ସୁନାହାର ଏବେବି ତା’ ପକେଟ୍‌ ଭିତରେ... ୟାକୁ ଧର ଧର... । ସେଇ ମୁହୂର୍ତ୍ତରେ ଲାଇଟ୍‌ ଅଫ୍‌ ହୋଇଗଲା । ବିଦ୍ୟୁତ୍‌କଟ୍‌ ହେଲା ବୋଧହୁଏ । ଦୋକାନର ଜେନରେଟରରୁ ମିନିଟିକ ପରେ ଆଲୁଅ ପୁଣି ଦପ୍‌କରି ଜଳିଉଠିବାବେଳକୁ ସେମାନେ ଆଉ ନ ଥିଲେ ତା’ ପାଖରେ... ସେଇ ଭିଡ଼ଭିତରେ କେଉଠି ଅଦୃଶ୍ୟ ହୋଇ ଯାଇଥିଲେ ।

କିନ୍ତୁ ସେମାନେ ଯେଉଁଠି ଛିଡ଼ା ହୋଇଥିଲେ ସେଇ ଗାଲିଚା ଉପରେ ଗୋଟେ କ’ଣ ପଡ଼ିଚି ଦେଖି କାଗଜଟା ଉଠାଇ ନେଇ ଆଖି ବୁଲେଇ ନେଲେ ଶ୍ରୀମୟୀ । ଛୋଟ ଚିଠି ଖଣ୍ଡିଏ ।

 

ଶକ୍ତିଧର ନାଏକକୁ ଦୁର୍ଯ୍ୟୋଧନ ସିଂ ଲେଖିଥିବା ଚିଠି । ପଢ଼ିବାକୁ ଲାଗିଲେ ଶ୍ରୀମୟୀ ।

 

ପ୍ରିୟ ସାଥୀ,

 

ଜାଫର ସାହେବଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ସେଇ କାମ କଲୁ, କିନ୍ତୁ ପ୍ରେସ୍‌କୁ ମେମ୍‌ ସାହେବ ଫୋନ୍‌ କରିଦେବାରୁ ସେମାନେ ଜାଣିଗଲେ । କାଳେ ହଠାତ୍‌ ପହଞ୍ଚିଯିବେ ବା ପୁଲିସ୍‌ ଲଗାଇଦେବେ ସେଥିପାଇଁ ମେମ୍‌ ସାହେବ ଓ ତାଙ୍କ ଚାକରାଣୀଙ୍କୁ ବନ୍ଦ କରି ବାନ୍ଧି ଦେଲୁ ଖୁଣ୍ଟରେ-। କବାଟ ବନ୍ଦକରି ଚାଲି ଆସିଲୁ । ଖବର ପାଇଲି ଯେ ପୁଲିସ୍‌ ଅନୁସନ୍ଧାନ ବନ୍ଦ କରି ନାହିଁ । ଖୋଜୁଛି ଆମକୁ । ତମେ ସାହେବଙ୍କୁ କହି ଶୀଘ୍ର ବ୍ୟବସ୍ଥା ନ କଲେ ଆମେ ଫସିଯିବା । ପୁଲିସ୍‍ ଫାଇଲ୍‌ ବନ୍ଦ କରିଦେଇଥିଲେ ବୋଲି ଖବର ପାଇଥିଲି । କିନ୍ତୁ ପୁଣି ଆଉଥରେ ଖୋଳତାଡ଼ ହେଇଛି । ଖବରକାଗଜ ଉପରୁ ଚାପ ଦେଉଛି । ଯେତେଶୀଘ୍ର ପାର ସେଇ ସତ୍ୟର ଅବତାର ସାଜି ଆମ ସମସ୍ତଙ୍କୁ ଫାଶୀଦବାପାଇଁ ଚେଷ୍ଟା କରୁଥିବା ଟୋକାକୁ ସାବାଡ୍‌ କର । ଆମେ ଆଉ କେତେଦିନ ସହ୍ୟ କରିବା ? ପାଦତଳୁ କଣ୍ଟା କାଢ଼ିବା କୌଶଳ ତମେ ତ ଜାଣ । ଟ୍ରିପଲ ମର୍ଡର କେଶ୍‌ରେ ବି ଆମେ ଫସିବା । ବଡ଼ସାହେବ ତ ଦିଲ୍ଲୀ ଚାଲ ଖେଳିବେ ଶେଷରେ । ଆମ ବାଟ ଆମେ ତିଆରି କରିବା । ତମେ କାମରେ ଲାଗିଯାଅ । ପାଦତଳେ ଗଜରୁଥିବା ଘାସ ଉପାଡ଼ି ଦବା ଠିକ୍‌ ହେବ । ତାହା କର । ମୁଁ ଚିନ୍ତାରେ ପଡ଼ିଯାଇଛି । ଆଉ ଯଦି ସମ୍ଭବ ଚାଲ ବାବା ପଶୁପତିନାଥଙ୍କ ଦେଶ ବୁଲି ଆସିବା । ରହିଲି...

 

ହଁ, ଫୋନ୍‌ କରିବ ନାହିଁ । ଆମ ଫୋନ୍‌ ଟ୍ୟାପ୍‌ ହେଉଥିବା ଖବର ପାଇଛି ମୁଁ । ଏ ଚିଠିଖଣ୍ଡିକ ପଢ଼ିସାରି ପୋଡ଼ିଦବ । ଦୁର୍ଯ୍ୟୋଧନ ।

 

ଚିଠି ପଢ଼ିସାରିବାବେଳକୁ ଶ୍ରୀମୟୀଙ୍କ ଦେହ ଭିଜି ଯାଇଥିଲା ଝାଳରେ । ସେ ଆଉ କାଳବିଳମ୍ବ ନ କରି ଘରକୁ ଫେରିଯିବା ଉଚିତ ମନେକଲେ । ଚିଠିରୁ ସେ ଯେତିକି ପଢ଼ିଛନ୍ତି ସତ୍ୟର ଜୀବନ ଯେ ବିପଦପୂର୍ଣ୍ଣ ଓ କେତେବେଳେ କ’ଣ ଘଟିଯାଇପାରେ ସେଇ ଆଶଙ୍କା ତାଙ୍କୁ ଅଥୟ କରୁଥିଲା । ଏ ପିଲାଟା ବି କଥା ଶୁଣୁନି । ସତ୍ୟର ଅନୁସନ୍ଧାନ ଯେ ସହଜ ନୁହେଁ ଏବଂ ସେଥିପାଇଁ ବହୁମୂଲ୍ୟ ଦବାକୁ ହୁଏ ସେକଥା ପୁଅ ବୁଝୁ ନାହିଁ । ଏକୋଇରବଳା ବିଶିକେଶନ । ତାହାରି ଉପରେ ଭରସା । ତାହାରି ପାଇଁ ବଞ୍ଚିଛନ୍ତି ସେ । ସେ ନ ଥିଲେ ତାଙ୍କ ଜୀବନ ଅସାର ଅର୍ଥହୀନ ହୋଇଯାଇଥାନ୍ତା । ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନ ଥାଇ ସାଧାରଣ ପଶୁପରି ବଞ୍ଚିବା ନିରର୍ଥକ ।

 

ଶ୍ରୀମୟୀ ପ୍ରାୟ ଦୌଡ଼ି ଦୌଡ଼ି ଗାଡ଼ି ପାଖରେ ପହଞ୍ଚିଲେ ଏବଂ ଥମାସକୁ କହିଲେ ଶୀଘ୍ର ଘରେ ପହୁଞ୍ଚାଇବା ପାଇଁ ।

 

କିନ୍ତୁ ତାଙ୍କ ଆଗରୁ ଘରକୁ ଫେରି ଆସିଥିଲା ସତ୍ୟକାମ ।

 

ଗାଡ଼ିରୁ ଓହ୍ଲାଇ ମା’ ଫାଟକ ଦେଇ ଦୌଡ଼ି ଦୌଡ଼ି ଘର ଭିତରକୁ ଆସିବା ଦେଖି ଆଶ୍ଚର୍ଯ୍ୟ ହେଲା ସତ୍ୟକାମ କିନ୍ତୁ ତାକୁ ସମ୍ମୁଖରେ ଦେଖିବାକ୍ଷଣି ପୁଅକୁ କୁଣ୍ଢାଇ ପକାଇ କାନ୍ଦି ପକାଇଲେ ଶ୍ରୀମୟୀ ।

 

ଆଶ୍ଚର୍ଯ୍ୟଚକିତ ସତ୍ୟକାମ ମା’ଙ୍କୁ କ’ଣ ପଚାରିବ ମୁହୁର୍ତ୍ତେ ଭାବିପାରିଲା ନାହିଁ, କିନ୍ତୁ ତା’ପରେ ତାଙ୍କ ପିଠି ଆଉଁସି ଦେଇ କହିଲା ସେ - “କ’ଣ ହୋଇଛି ମା’... ତମେ ଏତେ ବିବ୍ରତ ଦେଖାଯାଉଛ କାହିଁକି ? ତମର ଭୟ କ’ଣ ? ମୁଁ ପରା ପାଖେ ପାଖେ ଅଛି ?

 

ଶ୍ରୀମୟୀ ତାକୁ ସେହିପରି ଛାତି ଉପରେ ଜାକି ଧରିଥିଲେ ଏବଂ ତାଙ୍କ ଆଖିରୁ ଶ୍ରାବଣର ଧାରା ପରି ବହି ଯାଉଥିଲା ଲୁହ । ତାଙ୍କ ଛାତି ତଳର ଶବ୍ଦ ସ୍ପଷ୍ଟ ଅନୁଭବ କରିପାରୁଥିଲା ସେ ।

 

ନିଶ୍ଚୟ କିଛି ସଂକଟ ପଡ଼ିଛି, ନୋହିଲେ ମା’ ଏମିତି ଅଧୀର ହୁଅନ୍ତେ ନାହିଁ । ତାଙ୍କୁ ଭରସା ଦବାପାଇଁ କହିଲା ସତ୍ୟକାମ - “ମୁଁ ତୁମ ପାଖେ ପାଖେ ଅଛି ମା’ ! ଭୟ କାହିଁକି ? କିଏ କ’ଣ କହିଲା ? କୋଉଠୁ ଆସିଲ ?”

 

ଏତେବେଳେ ମୁହଁରୁ ଶବ୍ଦ ସ୍ଫୁରିଲା ଶ୍ରୀମୟୀଙ୍କର । ସେ କହିଲେ - ‘‘ମୁଁ ଫାଦର୍‍ଙ୍କୁ ଦେଖା କରିବାପାଇଁ ଯାଇଥଲି । ଫେରିବା ବାଟରେ ବଜାରରୁ ଅସୀମାର ଜନ୍ମଦିନପାଇଁ କିଛି ଉପହାର କିଣିବାପାଇଁ ଯାଇଥିଲି । ଦୋକାନରୁ ବାହାରୁଥିବାବେଳେ ଦୁଇ ଜଣ ଗୋଟିଏ କୋଣରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ । ସେମାନଙ୍କ କଥାର କିଛି ଶବ୍ଦ ମୋ କାନରେ ପଡ଼ୁଥିଲା... ଏବଂ ସେମାନେ ସେଠାରୁ ଚାଲିଯିବା ପରେ ଖଣ୍ଡେ କାଗଜ ସେଇଠି ପଡ଼ିଥିବା ଦେଖି ମୁଁ ଉଠାଇ ନେଲି । ବୋଧହୁଏ ସେମାନଙ୍କ ଅଜାଣତରେ ଏଇ କାଗଜ ଖଣ୍ଡକ ଖସିପଡ଼ିଥିବ ପକେଟରୁ ରୁମାଲ କିମ୍ବା ସେଲ୍‌ଫୋନ୍‌ ବାହାର କରୁଥିବାବେଳେ...”

 

- ’’କାଗଜଟା ଦିଅ ମା’ ! ଦେଖେ କ’ଣ ଅଛି ସେଥିରେ ।

 

ଥର ଥର ହାତରେ ସେଇ ମଇଳା କାଗଜ ଖଣ୍ଡକୁ ପୁଅ ହାତକୁ ବଢ଼ାଇଦେବାବେଳେ କହିଲେ ଶ୍ରୀମୟୀ, “ତୁ କିନ୍ତୁ ମୋତେ କଥା ଦେ... ବିପଦକୁ ଲମ୍ଫ ଦବା ଠିକ୍‌ହେବ ନାହିଁ । କେବଳ ଆମେ ସବୁ ସଜାଡ଼ି ଦେଇପାରିବା ନାହିଁ । ସବୁ ଅନ୍ୟାୟ ଅବିଚାର ବନ୍ଦ କରିଦେଇପାରିବା ନାହିଁ । ସତ୍ୟର ଉଦ୍‌ଘାଟନ କରିବା ଯେ ଏତେ ଭୟଙ୍କର କାମ ତାହା ମୁଁ ଯଦି ପ୍ରଥମରୁ ଜାଣିଥାଆନ୍ତି... "

 

ଚିଠିଟା ଏକା ନିଃଶ୍ଵାସକେ ପଢ଼ିଗଲା ସତ୍ୟକାମ । ଆଉଥରେ ମନଦେଇ ପଢ଼ିଲା ଏବଂ ଭଲ କଣ୍ଢେଇ ପାଇଲେ ଶିଶୁ ଯେପରି ଖୁସିରେ ନାଚିଉଠେ ସେହିପରି ଆନନ୍ଦରେ କୁରୁଳିଉଠି କହିଲା ସେ - “ଏଇ ଚିଠିପାଇଁ ତମେ ଡରିଯାଉଛ ମା’ ... ବରଂ ଜାଣିରଖ ଯେ ଈଶ୍ଵରଙ୍କ ଅସୀମ କୃପା ନ ହେଲେ ଏଇ ଚିଠିଖଣ୍ଡକ ତମ ହାତକୁ ଆସି ନ ଥାନ୍ତା । ଏଇଟା ଯେ ଅଦାଲତରେ ବ୍ରହ୍ମାସ୍ତ୍ରର କାମ ଦବ ତାହା ତ ନିଶ୍ଚିତ ଜଣାପଡ଼ୁଛି । ତମେ ଖଣ୍ଡେ ଅଜଣା ଲୋକର ଚିଠି ମୋ ହାତକୁ ବଢ଼ାଇ ଦେଲନି ଯେ ବ୍ରହ୍ନାସ୍ତ୍ର ବଢ଼ାଇ ଦେଇଛ ମୋ ହାତକୁ, ତମେ ତ କହିଥିଲ ନା ମା’, ମହିଷାସୁରକୁ ବଧ କରିବାପାଇଁ ଦେବୀଙ୍କୁ ଦେବତାମାନେ ଦିବ୍ୟାସ୍ତ୍ର ଦାନ କରିଥିଲେ । ମୋତେ ତମେ ସେଇପରି ପାପିଷ୍ଠମାନଙ୍କୁ ନିପାତ କରିବାପାଇଁ ଦିବ୍ୟାସ୍ତ୍ର ବଢ଼ାଇ ଦେଇଛ ମା”... ‘‘ଏଇ ଚିଠି ଆଉ ଏକ ପ୍ରମାଣଯୋଗ୍ୟ ଦଲିଲ ହେବ ଅଦାଲତରେ । ଅପରାଧୀମାନେ ଆଇନ ଅନୁସାରେ ଦଣ୍ଡ ପାଇବେ । ମୁଁ, ତମେ କେବଳ ମାଧ୍ୟମ ମାତ୍ର... । ଭୟ କରନା ମା’... ପାପୀମାନଙ୍କ ଦିନ ପାଖେଇ ଆସୁଛି...।’’

 

ସତ୍ୟକାମକୁ ଆଉଥରେ ଛାତି ଉପରେ ଜାକି ଧରିଲେ ଶ୍ରୀମୟୀ । ସପ୍ତରଥୀଙ୍କ ଚକ୍ରବ୍ୟୂହରୁ ଅଭିମନ୍ୟୁ ଉଦ୍ଧାର ପାଇ ନ ଥିଲା, କିନ୍ତୁ କେଜାଣି କାହିଁକି ଭୟ ହେଉଥଲା ଯେ ଯଦି ସତ୍ୟ ପ୍ରତିଷ୍ଠା କରିବାକୁ ଯାଇ ବଳି ପଡ଼ିଯାଏ ସତ୍ୟକାମ...।

 

ହଠାତ୍‌ ତାଙ୍କ ତୁଣ୍ଡରୁ ବାହାରିଗଲା - “ହେ ପ୍ରଭୁ ! ରକ୍ଷାକର ।’’

 

॥ ଅଠେଇଶ ॥

 

ପ୍ରାତଃଭ୍ରମଣରେ ବାହାରିଥିବା ସ୍ଵାସ୍ଥ୍ୟ ସଚେତନ ଲୋକଙ୍କ କାନରେ ପଡ଼ିଲା ଖବରକାଗଜ ହକରର ତରଙ୍ଗାୟିତ ସ୍ୱର... “ଟ୍ରିପଲ ମର୍ଡ଼ରର ରହସ୍ୟ ଉନ୍ନୋଚନ...ଟେଣ୍ଡର ଫିକ୍ସିଂ, ଭୋଟ କେନ୍ଦ୍ର ଦଖଲ ଆଉ ରେପିଙ୍ଗ୍‌ର ପର୍ଦ୍ଦାଫାଶ... ବଡ଼ ବଡ଼ ଲୋକଙ୍କ ଚମକପ୍ରଦ ଲୋମହର୍ଷକ ଅପରାଧ କାହାଣୀ... ‘ନିଉ ଟାଇମ୍ସ୍’ର ପ୍ରଥମ ପୃଷ୍ଠାରେ... ତାଜା ଖବର... ହିଟ୍‌ ଖବର... କାଗଜ ନିଅନ୍ତୁ ଆଉ ପଢ଼ନ୍ତୁ...।’’

 

ପ୍ରାତଃତଭ୍ରମଣରେ ଯାଉଥବା ସଚିବାଳୟର କ୍ଷମତାଧାରୀ, ରାଜନୀତିରୁ ଅବସର ନେଇ ନିର୍ଜନ ଜୀବନ ଅତିବାହିତ କରୁଥିବା ନେତା, ସଚେତନ ଗୃହିଣୀ, ବୁଦ୍ଧିଜୀବୀ ଓ ବୃଦ୍ଧ ଏବଂ ଖେଳ କସରତରେ ଦିନେ ନାମ କରିବାପାଇଁ ଲକ୍ଷ୍ୟରଖି ଦଉଡ଼ୁଥିବା ତରୁଣମାନେ ଖବରକାଗଜ ହକ୍କର ପାଖରୁ କିଣି ନେଉଥାନ୍ତି ଗୋଟେ ଗୋଟେ ‘ନିଉ ଟାଇମ୍ସ୍’ । ଅନ୍ୟ କାଗଜର କାଟ୍‌ତି ନାହିଁ, କେବଳ ‘ନିଉ ଟାଇମ୍ସ୍’ ପୃଷ୍ଠାରେ ଏଇ ଚମକପ୍ରଦ ଖବର । ପୂର୍ବ ପ୍ରକାଶିତ କାହାଣୀର ଦ୍ୱିତୀୟ ଭାଗ ଆହୁରି ଲୋମହର୍ଷକ । ବଡ଼ ଲୋକଙ୍କ ଗୁମର କଥା... ଅପରାଧ ଜଗତର ରାଜା ମହାରାଜାମାନଙ୍କ ଗୋପନ କାହାଣୀ ଏକ ନିଶ୍ଵାସରେ ପଢ଼ିଯିବାପାଇଁ ଖଲବଲ ହେଉଥାଏ ମନ ।

 

ସେଇ ବାଟଦେଇ ଧଳା ହାଫ ପ୍ୟାଣ୍ଟ୍ ଧଳା ସ୍ପୋଟ୍ସ‌ ଗେଞ୍ଜି ମୋଜା ସହିତ କ୍ୟାଡ଼୍‌ ସୁ ପରିହିତ ଫାଦର୍‍ ଆବ୍ରାହମ୍‌ ହାତରେ ଖଣ୍ଡେ ରୋଲବାଡ଼ି ଧରି ଲମ୍ବା ଲମ୍ବା ପାଦ ପକାଇ ଯାଉଥିଲେ । ହଠାତ୍‌ ହକ୍କରର ଡାକଶୁଣି ଛିଡ଼ା ହୋଇଗଲେ ରାସ୍ତାକଡ଼ରେ ।

 

ଖବରକାଗଜ କିଣିବା ଲୋକଙ୍କ ହାତସବୁ ଲମ୍ବି ଯାଇଥାଏ ହକ୍କର ଆଡ଼କୁ । ସେ ଗୋଟେ ଗୋଟେ କାଗଜ ବଢ଼ାଇ ଦେଉଥାଏ...। ଆଉ ମୁହଁ ବନ୍ଦ ନ କରି କହି ଚାଲିଥାଏ... “ଭଡ଼ାଟିଆ ଗୁଣ୍ଡା ଏବଂ ଅପରାଧ ଜଗତର ନାମୀ ଦାମୀ ରକ୍ତପିପାସୁମାନଙ୍କ ଅସ୍ତ୍ର ଆଗରେ ମଣିଷ ଟଳି ପଡ଼ୁଛି ବଳି ବୋଦା ପରି... ସମାଜ ଓ ଶାସନର ଶକ୍ତି ପରାହତ କରି ନେତା ଓ ହତ୍ୟାକାରୀମାନଙ୍କ ଦିନ ଦି'ପହରରେ ରକ୍ତର ହୋରିଖେଳ....।’’

 

ପ୍ରଥମ ହକ୍କର ହାତରେ ଥିବା ଖବରକାଗଜଗୁଡ଼ା ପନ୍ଦର କୋଡ଼ିଏ ମିନିଟ୍‌ ଭିତରେ ଶେଷ ହୋଇଗଲା । ଆଉ ଜଣେ ହକ୍କର ପହଞ୍ଚିଗଲା ଏବଂ ହୁରି ଛାଡ଼ିଲା - ‘‘ଲମ୍ପଟମାନଙ୍କ ଧର୍ଷଣର ଶିକାର ଆଜି ବି ହେଉଛି ନାରୀ... ଭଦ୍ରବେଶରେ ଶିକାରୀ ବାଘର କାମିନୀ କାଞ୍ଚନ ଶିକାର... ‘ନିଉ ଟାଇମ୍ସ୍’ର ତାଜା ଖବର.. କେବଳ ‘ନିଉ ଟାଇମ୍ସ୍’...ସମଗ୍ର ଦେଶରେ ଚାଞ୍ଚଲ୍ୟ... ସରକାର ଅଡ଼ୁଆରେ... କେନ୍ଦ୍ର ସରକାର ସ୍ତବ୍ଧ...।’’

 

କାଗଜ ଖଣ୍ଡେ ହାତରେ ଧରି ଫାଦର୍‍ ଆଉ ପ୍ରାତଃଭ୍ରମଣରେ ନ ଯାଇ ସିଧା ଚାଲିଲେ ଶ୍ରୀମୟୀଙ୍କ ଘର ଆଡ଼କୁ...।

 

ତାଙ୍କୁ ଛିଡ଼ା ହୋଇଥିବା ଦେଖି ଦଉଡ଼ି ଯାଇ ଫାଟକ ଖୋଲିଦେଇ କହିଲା ସତ୍ୟକାମ - ‘‘ଗୁଡ୍‌ମର୍ଣ୍ଣିଂ ଫାଦର୍‍...।’’ ତାଙ୍କ ପାଦଧୂଳି ନବାପାଇଁ ନଇଁ ପଡ଼ୁଥିଲାବେଳେ ସେ ତାକୁ କୁଣ୍ଢେଇ ପକାଇ କହିଲେ - ‘‘ଗଡ଼ ବ୍ଲେସ୍‌ ୟୁ ମାଇଁ ସନ୍‌... ଆଜି ସକାଳର ଖବରକାଗଜ ତ ଚମକାଇ ଦେଇଛି ପଥଚାରୀମାନଙ୍କୁ... ତମର ‘ନିଉ ଟାଇମ୍ସ୍’ ଖଣ୍ଡେ କିଣି ଆଣିଛି ବାଟରୁ ...।’’

 

ଶ୍ରୀମୟୀ ସେତେବେଳକୁ ବାହାରି ଆସିଥିଲେ । ଫାଦର୍‍ଙ୍କୁ ଯଥାବିଧି ସମ୍ମାନ ଜଣାଇ ପାଛୋଟି ଆଣିବାବେଳେ କହିଲେ - ‘‘ମୋତେ କିନ୍ତୁ ବଡ଼ ଡର ଲାଗୁଚି ଫାଦର୍‍... ଏଇ ଖବର ପଢ଼ିବା ପରେ ସଇତାନମାନେ ଯେ ଚୁପ୍‌ହୋଇ ବସିବେ ନାହିଁ, ଆକାଶ ପାତାଳ ଦରାଣ୍ଡି ପକାଇବେ, ଏହା ତ ମୋତେ କାତର କରୁଛି ଫାଦର୍‍...।’’

 

ତାଙ୍କୁ ଭରସା ଦବାପାଇଁ କହିଲେ ଫାଦର୍‍, “କେହି ନା କେହି ତ ଏ କାମ କରିବ... ତମେ ଭାବୁନ କାହିଁକି ଯେ ତମେ ଭାଗ୍ୟବତୀ, କାରଣ ତମ ପୁଅ ଏଇ କାମ କରିଛି । ଅପରାଧୀ ସଇତାନମାନଙ୍କ ପାପାଚାରକୁ ପଦାରେ ପକାଇ ଦେଇଛି... ତମର ବରଂ ଖୁସି ହେବାର କଥା... ମୋତେ ତ ଖୁସି ଲାଗୁଛି... ସେଇଥିପାଇଁ ପ୍ରାତଃଭ୍ରମଣ ଶେଷକରି ତମ ଘରକୁ ଚାଲି ଆସିଲି ସତ୍ୟକୁ ଆଶୀର୍ବାଦ କରିବାପାଇଁ...’’

 

ଟେଲିଫୋନ ବାଜିଉଠିଲା ।

 

ଦିଲ୍ଲୀରୁ ଚିଫ୍‌ ଏଡ଼ିଟର୍‍ ଫୋନ୍‌ କରିଥିଲେ । ସେ ଅଭିନନ୍ଦନ ଜଣାଇଲେ ଏବଂ ତା’ର ଉତ୍ତରୋତ୍ତର ଉନ୍ନତି କାମନା କଲେ ।

 

ଫାଦର୍‍ କହିଲେ - ‘‘ଶୁଣିଲ ତ ଶ୍ରୀମୟୀ... ତମର କୁନି ପୁଅର ଉଚ୍ଚତା କିପରି ବଢ଼ିଯାଇଛି ୟା ଭିତରେ... ଆହୁରି ଅନେକ ବାଟ ଯିବାକୁ ହେବ ତାକୁ... ଆମ ସମସ୍ତଙ୍କର ସାହସ, ସମର୍ଥନ ଏବଂ ଆଶୀର୍ବାଦ ସାଙ୍ଗରେ ଥିଲେ ତା’ର ଆଗକୁ ଯିବା ଆହୁରି ସହଜ ହେବ... ତା’ ମୁଣ୍ଡ ଉପରେ ପ୍ରଭୁଙ୍କ କରୁଣା ଆଉ ଫୁଲଚନ୍ଦନ ପଡ଼ୁ...।’’

 

“ମୋତେ କିନ୍ତୁ ଭୟ ଲାଗୁଚି ଫାଦର୍‍... ଛାତିତଳେ ଅତଡ଼ା ଖସିବାର ଶବ୍ଦ ମୋତେ ବିଚଳିତ କରୁଛି । ଆପଣ ତ ଜାଣନ୍ତି ମୁଁ କେଡ଼େ ହତଭାଗିନୀ... ମୋ କୋଳର ସଙ୍ଖାଳି ଇଏ...” କହିଲେ ଶ୍ରୀମୟୀ ।

 

ଫାଦର୍‍ ଆଶ୍ଵାସନା ଦେଇ କହିଲେ - ‘‘ଏଇ ଅଭିନନ୍ଦନ କେବଳ ସତ୍ୟକାମ ପାଉନି ଶ୍ରୀମୟୀ... ତମର ବି ଅଂଶ ଅଛି ଏଥିରେ... ଆଉ ମୋର କ’ଣ ତମଠାରୁ କମ୍‌କି ?’’

 

ଫାଦର୍‍ଙ୍କ କଣ୍ଠର ମିଠାକଥା ଶୁଣି ରୋମାଞ୍ଚିତ ହେଲା ସତ୍ୟକାମ । ଶ୍ରୀମୟୀ କହିଲେ, ‘‘ଆପଣଙ୍କ ବାହୁଛାୟା ତଳେ ପଚିଶବର୍ଷ କଟାଇ ଦେଇଛି । ଅବଶିଷ୍ଟ ସମୟ ବି ସେଇପରି କଟିଯିବ... ଆପଣ ପ୍ରଭୁଙ୍କୁ ଜଣାନ୍ତୁ ଫାଦର୍‍ ମୋ କୋଳ ଯେପରି ପୂର୍ଣ୍ଣହୋଇ ରହିଥାଉ...।’’

 

‘‘ମୁଁ ତ ପ୍ରତିଦିନ ପ୍ରାର୍ଥନା କରେ ଶ୍ରୀ...। ତମେ ମନେପକାଅ ତ... ମୁଁ ଦିନେ କହିଥିଲି ତୁମକୁ, ଏଇ ଶିଶୁ ସାଧାରଣ ନୁହେଁ.... ଗିର୍ଜାର ପବିତ୍ର ପରିସରରେ ୟାର ଜନ୍ମ...ସେ ଦିନେ କିଛି ନା କିଛି ବଡ଼ କାମ କରିବ... ଭଲ କାମ କରିବ... ଭାଙ୍ଗି ପଡ଼ୁଥିବା ବିଶ୍ଵାସ ଓ ଶୃଙ୍ଖଳା ସଜାଡ଼ିବାକୁ ଯାଇ ଯଦି କେହି କିଛି ଦୁଃଖ ପାଏ ତେବେ ତାହା ବିଧିନିର୍ଦ୍ଦିଷ୍ଟ ବୋଲି ଗ୍ରହଣ କର...। ଧର୍ମର ଜୟ ସତ୍ୟର ଜୟପାଇଁ କେବଳ ପାଣ୍ଡବମାନଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା, ଶ୍ରୀକୃଷ୍ଣ କଷ୍ଟ ସହି ନ ଥିଲେ-? ଯେସସ୍‌ଙ୍କ କଥା ମନେପକାଅ । ସେ କ’ଣ କମ୍‌ ସହ୍ୟ କରିଛନ୍ତି ସତ୍ୟ, ଧର୍ମର ଜୟ ପାଇଁ !’’

 

ଲକ୍ଷ୍ମୀ ଫ୍ଲେବର ବାହାରୁଥିବା କଫି ଏବଂ ବିସ୍କୁଟ ରଖିଦେଇଥିଲା ଟେବୁଲ ଉପରେ ।

 

କଫି କପ୍‌ଟା ଫାଦର୍‍ଙ୍କ ହାତକୁ ଟେକି ଦେଇ କହିଲେ ଶ୍ରୀମୟୀ, ‘‘ଆପଣଙ୍କ କଥା ଶୁଣି ମୁଁ ଆଶ୍ୱସ୍ତ ହେଉଛି । ମୋତେ ଲାଗୁଛି ତାଙ୍କର ଇଚ୍ଛା ନ ଥିଲେ ଆମ ପରି କ୍ଷୁଦ୍ରପ୍ରାଣୀଙ୍କୁ ସେ ଏତେ ବଡ଼ ପରୀକ୍ଷା ଭିତରେ ପକାଇ ନ ଥାନ୍ତେ । ଅନେକ ପ୍ରଲୋଭନ ଆସିଛି... ଧମକ ଚମକ ବି ଶୁଣିଛି... କିନ୍ତୁ ବିବେକ ଦୃଢ଼ କରି କେବଳ କର୍ତ୍ତବ୍ୟ ପାଳନ କରିଆସିଛି । ସତ୍ୟ, ଧର୍ମ ପ୍ରତିଷ୍ଠା କରିବାପାଇଁ ଲଢ଼ିବା ସକାଶେ ଆପଣ ପରାମର୍ଶ ଦେଇଛନ୍ତି । ପୁଅକୁ ସେଇ ଆଦର୍ଶରେ ଗଢ଼ିଛି ମୁଁ-। ଈଶ୍ଵରଙ୍କ କୃପା ଥିଲେ ଏଇ ଧର୍ମଯୁଦ୍ଧରେ ସତ୍ୟକାମ ସଫଳ ହେବ ।’’

 

ସକାଳର କଫି ପାନ ଓ ଆଲୋଚନା ସନ୍ତୁଷ୍ଟ କଲା ଫାଦର୍‍ଙ୍କୁ । ସେ କହିଲେ - ସତ୍ୟକାମର ଆତ୍ମବିଶ୍ଵାସ ଓ ସାହସକୁ ମୁଁ ପ୍ରଶଂସା କରୁଛି । ପ୍ରଭୁ ତାକୁ କଲ୍ୟାଣ କରନ୍ତୁ । ସେ ଯଶସ୍ଵୀ ହେଉ । କିନ୍ତୁ ଗୋଟିଏ କଥା ତୁମେ ଦୁହେଁ ସଦା ସତର୍କ ରହିବ, ହଠାତ୍‌ କୌଣସି ନିଷ୍ଣତ୍ତି ନବ ନାହିଁ କିମ୍ବା କୌଣସି ସିଦ୍ଧାନ୍ତକୁ ଡେଇଁପଡ଼ିବ ନାହିଁ । ମଣିଷ ଜୀବନ ବଡ଼ ଜଟିଳ । ସମୟ ତା’ର ରୂପ ବଦଳାଇ ଦେଇଛି । ସେ ସମାଜ ଗଢ଼ିବା ନାମରେ ଅଧିକ ସ୍ୱାର୍ଥପର, ଅଧିକ ଆତ୍ମକୈନ୍ଦ୍ରିକ ହୋଇଛି । ନୁହେଁ କି... ?”

 

ଏଇ ପ୍ରଶ୍ନର ଉତ୍ତର କ’ଣ ଦେବେ ଶ୍ରୀମୟୀ ! ସେ କେବଳ ମଥା ହଲାଇଲେ । କିନ୍ତୁ ସତ୍ୟକାମ କହିଲା - ‘‘ଛଳନାର ମୁଖା ପିନ୍ଧି ଯେଉଁମାନେ ଧର୍ମାବତାରର ଅଭିନୟ କରୁଛନ୍ତି ସେମାନଙ୍କ ମୁହଁକୁ ଢାଙ୍କୁଣିମୁକ୍ତ କରିବାକୁ ହେବ । ଥରେ ସେମାନଙ୍କ ସ୍ଵରୂପ ଉଦ୍‌ଘାଟିତ ହେଲେ ସେମାନେ ଆପେ ଆପେ ମଉଳିଯିବେ, ଆଉ ବାହାରୁ କାହାକୁ ଶାସ୍ତି ଦେବାକୁ ପଡ଼ିବ ନାହିଁ...।’’

 

ଫାଦର୍‍ ଖୁସି ହୋଇ କହିଲେ - “ମୁଁ ତମ ସହିତ ସହମତ । ଗଡ୍‌ ବ୍ଲେସ୍‌ ୟୁ...। କିନ୍ତୁ ୟା’ପରେ କ’ଣ କରିବ ସେ ବିଷୟ ଭାବିଛ ?’’

 

-“ହଁ, ୟା ପରେ ସେମାନଙ୍କ ଲୁଚିରହିବା ଆଉ ସହଜ ହେବ ନାହିଁ । ଆଇନ ଖୋଜି ଖୋଜି ଧରିବ ସେମାନଙ୍କୁ ଏବଂ ତା’ପରେ ଆଇନର ଶାସନରେ ଦଣ୍ଡ ଭୋଗିବେ ସେମାନେ...। ଆମେ କର୍ତ୍ତବ୍ୟ କରିଯିବା... ନିଷ୍କାମ କର୍ତ୍ତବ୍ୟ.. ଫଳ ଆଶା କରିବା ନାହିଁ... ଫଳ କ’ଣ ହେବ ତାହା ସେଇ ଈଶ୍ୱରଙ୍କ ହାତରେ...।’’

 

ଏଇ ସମୟରେ ଆଉ ଗୋଟେ ଟେଲିଫୋନ ଆସିଲା । ପଲ୍ଲବ ସେ ପାଖରୁ - “ସକାଳ ଶୁଭ ହେଉରେ ସତ୍ୟ... ତୁ ଜାଣି ଖୁସିହେବୁ ଯେ ଚନ୍ଦ୍ରମୌଳିଙ୍କୁ କାଶ୍ମୀରରେ ରହିଥିବା ସୂଚନା ପାଇଁ ପୁଲିସ୍‌ ଯାଇଛି ତାଙ୍କୁ ଠାବ କରିବାପାଇଁ । ହୁଏତ ଦିନେ ଦି'ଦିନ ମଧ୍ୟରେ ସେ ଧରାହୋଇ ଆସିବେ-। ତା’ ସହିତ ଚିଦାନନ୍ଦ ମଧ୍ୟ ଧରାହୋଇ ଆସିବେ । ଏ ଦୁଇ ଜଣ ଗୁଲମାର୍ଗରେ ଥିବା ସନ୍ଦେହ କରୁଛି ପୁଲିସ୍‌ ।’’

 

‘‘ଆଉ ଜାଫର ସାହେବ ?’’ ପଚାରିଲା ସତ୍ୟକାମ ।

 

‘‘ସେ କାଠମାଣ୍ଡୁ ବସ୍‌ଧରିବା ପୂର୍ବରୁ ଗିରଫ ହୋଇଛନ୍ତି ରକ୍‌ସୌଲଠାରେ । ହୁଏତ ଦିଲ୍ଲୀ ପୁଲିସ୍‍ ପଚରା ଉଚୁରା କରୁଥିବ ଏତେବେଳକୁ । ସେ ମଧ୍ୟ ଶୀଘ୍ର ଆସି ପହଞ୍ଚିବେ ଏଠାରେ...’’ କହିଲେ ପଲ୍ଲବ ।

 

‘‘ଖସି ଯିବାର ବାଟ ଖୋଜୁଥିବେ...?’’

 

‘‘ନା, ସେସବୁ ବାଟ ବନ୍ଦ ହୋଇଯାଇଛି ସତ୍ୟ । ସିବିଆଇର ଜାଲ ଭିତରୁ ମୁକୁଳିବା ଏତେ ସହଜ ନୁହେଁ । ସେଠାରେ ସ୍ଥାନୀୟ ନେତାମାନଙ୍କ ସ୍ଵର ଶୁଣାଯାଏ ନାହିଁ । କିନ୍ତୁ ଗୋଟେ ବିଷୟ ପ୍ରତି ସତର୍କ ଥିବୁ... ବାଘ ଥରେ ଘାଏଲା ହେଲେ ଶେଷ ଉଦ୍ୟମ କରେ ଶିକାରୀକୁ ଧରିବାପାଇଁ...। ଚନ୍ଦ୍ରମୌଳି, ଜାଫର ଏମାନେ ଯେ ଭିତରେ ଭିତରେ ଖସିଯିବାପାଇଁ ବାଟ ଖୋଜୁ ନ ଥିବେ ତାହା ନୁହେଁ... କିନ୍ତୁ ମୁଁ ନିଶ୍ଚିତ ଯେ ଶାସକ ଦଳ ତାଙ୍କୁ ଏ ଚକ୍ରବ୍ୟୂହରୁ ଉଦ୍ଧାର କରିପାରିବେ ନାହିଁ...।’’

 

ସତ୍ୟ କହିଲା - ‘‘ସନ୍ଧ୍ୟା ପୂର୍ବରୁ ଆଉଥରେ ଭେଟିବା ସର୍ବଶେଷ ସୂଚନା ପରୀକ୍ଷାକରି ଦେଖିବାପାଇଁ । ତମେ କେତେବେଳେ ଆସିପାରିବ ?’’

 

- ‘‘ପାଞ୍ଚଟା... ’’ ପଲ୍ଲବ ଉତ୍ତର ଦେଲେ ।

 

ଫାଦର୍‍ ବାହାରିଲେ ଯିବାପାଇଁ ।

 

କିନ୍ତୁ ଶ୍ରୀମୟୀ ତାଙ୍କୁ ଅଟକାଇ ଦେଇ କହିଲେ - ‘‘ଅସୀମା ବିଷୟ ଭାବିଲେ ? କବୀର ପରିବାର ସହିତ ଥରେ ଆପଣ କଥା ହେଲେ ଭଲ ହୁଅନ୍ତା ।’’

 

ଫାଦର୍‍ କହିଲେ - “ମୁଁ କହିବାପାଇଁ ଭୁଲିଯାଇଛି ଯେ ଜାଫର ସାହେବଙ୍କୁ ଥରେ ଫୋନ୍‌ କରିଥିଲି, ସେ ନ ଥିଲେ ଘରେ । ଭଲ କଲ ମନେପକାଇ ଦେଲ, ଆଜି ତାଙ୍କ ସହିତ ଯୋଗାଯୋଗ କରିବି...। ଆଉ ଗୋଟେ କଥା, ଆଜି ଅସୀମାର ଜନ୍ମଦିନରେ ଯୋଗଦେବାପାଇଁ ମୋତେ ବି ଆମନ୍ତ୍ରଣ କରିଛନ୍ତି କବୀର ସାହେବ । ମୁଁ ଯିବି... ଯଦି ସୁଯୋଗ ପାଏ ଏ ପ୍ରସଙ୍ଗ ଉଠାଇବି ଏକାନ୍ତରେ...’’

 

ଫାଦର୍‍ ଚାଲିଗଲେ । ଶ୍ରୀମୟୀ ତରତର ହୋଇ ସ୍ନାନଘରେ ପ୍ରବେଶ କଲେ, ନିତ୍ୟକର୍ମ ସାରି ସ୍କୁଲ ଯିବାକୁ ହେବ । ମ୍ୟାନେଜମେଣ୍ଟ୍‍ କମିଟିର ମିଟିଂ ଅଛି । ସମୟ ହେଲେ ସନ୍ଧ୍ୟାବେଳେ ଥରେ ଡାକ୍ତର ସୁରେୟାଙ୍କ ସହିତ କଥା ହେବେ । ତାଙ୍କ ମନୋଭାବ ସେ ସ୍ପଷ୍ଟ ଜଣାଇ ଦେଇଛନ୍ତି । ଧର୍ମୀୟ ସଂକୀର୍ଣ୍ଣତା ତାଙ୍କ ମନକୁ ପ୍ରଭାବିତ କରି ନାହିଁ । ଉଭୟ ପକ୍ଷ ରାଜିହେଲେ ରେଜେଷ୍ଟ୍ରି ମ୍ୟାରେଜ କରିବେ । ଯେଝା ଘରେ ନିଜ ନିଜ ଧର୍ମାନୁସାରେ ବିଧିବିଧାନ ପାଳନ କରିବେ । ଦୁଇଟା ରିସେପ୍‌ସନ ନ କରି ଗୋଟିଏ ରିସେପ୍‌ସନ କଲେ ଉଭୟ ପକ୍ଷର ବନ୍ଧୁ ଓ ନିମନ୍ତ୍ରିତମାନେ ପରସ୍ପର ସହିତ ପରିଚିତ ହେବାପାଇଁ ସୁବିଧା ପାଇବେ । ମାନବିକ ବନ୍ଧନ ଯେ ପୁରୋହିତ ବା ମୌଲବୀମାନଙ୍କ ଉଚ୍ଚାରଣ ଭିତରେ ଆବଦ୍ଧ ନୁହେଁ ତାହା ସବୁ ବନ୍ଧନର ବାହାରେ ତାହା ସେ ଅନୁଭବ କରନ୍ତି । ହିନ୍ଦୁ ଘର ବାହାଘର କ’ଣ କମ୍‌ ପବିତ୍ରତା ଭିତରେ ହୁଏ ? କିନ୍ତୁ ଅଗ୍ନିକୁ ସାକ୍ଷୀ ରଖି ସ୍ଵାମୀ ସ୍ତ୍ରୀଭାବେ ସୁଖମୟ ଦାମ୍ପତ୍ୟ ଜୀବନ ଯାପନ କରିବାପାଇଁ ଶପଥ ଭାଙ୍ଗି ତ ପୁଣି ପୁଅ ବା ଝିଅ ବାହାରି ଯାଉଛନ୍ତି ଯେଝା ବାଟରେ । ସେତେବେଳେ ହାତଗଣ୍ଠି, ଲବଣ ଚାଉଁରୀ, ହୋମକୁଣ୍ଡ ଚାରିପାଖରେ ସାତଥର ପ୍ରଦକ୍ଷିଣ କରିବାର ମହତ୍ତ୍ଵ ବିଷୟ ମନେ ନ ଥାଏ କାହାରି । ସେଇ ଖ୍ରୀଷ୍ଟାନ୍‌ ବା ମୁସଲ୍‌ମାନ ଘରର ବାହାଘର ତ ଅତି ସାଦାସିଧା । ମଣିଷ ଯଦି ଗ୍ରହଣ କରିଥିବା ବ୍ରତମାନ ଚଳିବାପାଇଁ ଦୃଢ଼ ହୁଏ ତେବେ ବ୍ରତର ପବିତ୍ରତା ରହେ, ନ ହେଲେ ସବୁ ମନ୍ତ୍ର, ସବୁ ଆଡ଼ମ୍ବର ନିଷ୍ଫଳ ।

 

ସ୍ନାନ କରିବାପାଇଁ ଆସି ଭାବନାରେ ବୁଡ଼ି ଯାଇଥିଲେ । ହଠାତ୍‌ ତାଙ୍କର ମନେହେଲା ଯେ ସେଦିନ ଅସୀମାପାଇଁ ଶାଢ଼ୀ କିଣିବାକୁ ଯାଇ ଆଉ ଗୋଟେ ଦୁଇଟା ଛୋଟ ଛୋଟ ଜିନିଷ ନ କିଣି ଘରକୁ ତରତର ହୋଇ ଫେରି ଆସିଥିଲେ ସେ । ଅବଶ୍ୟ ସେଦିନ ସେଇ ଚିଠିଖଣ୍ଡକ ଦୋକାନ ଭିତରେ ତଳେ ପଡ଼ିଥିବା ପରିତ୍ୟକ୍ତ କାଗଜ ଭାବି ଚାଲି ଆସିଥିଲେ ଆଜି ସକାଳର ଖବରକାଗଜ ଏଡ଼େ ଆକର୍ଷଣୀୟ ହୋଇ ନ ଥାନ୍ତା ।

 

ଲୁଗା ବଦଳାଇବା ପରେ ପୂଜା ପ୍ରାର୍ଥନା ଶୀଘ୍ର ଶୀଘ୍ର ଶେଷକରି ଜଳଖିଆ ଖାଇବାପାଇଁ ଟେବୁଲ ପାଖରେ ପହଞ୍ଚିବାବେଳକୁ ସତ୍ୟକାମକୁ ସେଠାରେ ଅପେକ୍ଷା କରୁଥିବା ଦେଖି କହିଲେ - “ଟିକେ ବିଳମ୍ବ ହୋଇଗଲା । ମୋର ବି ସମୟ ହୋଇଗଲାଣି... ତୁ ଟିକେ ଶୀଘ୍ର ଫେରିବୁ... ଠିକ୍‌ ଆଠଟା ବେଳେ ରିସେପ୍‌ସେନରେ ପହଞ୍ଚିବାକୁ ହେବ । ମୁଁ ପାଞ୍ଚଟା ସୁଦ୍ଧା ଫେରି ଆସିଥିବି । ତୋପାଇଁ ଅପେକ୍ଷା କରିଥିବି, ତୁ ଆସିଲେ ସାଙ୍ଗ ହୋଇ ବାହାରିବା ।

 

ଲକ୍ଷ୍ମୀ ବାଢ଼ି ଦେଇଥିଲା ଚୁଡ଼ା ଝୁଙ୍କା, ଟିକେ ଆଚାର ଏବଂ ଗିଲାସ ଭର୍ତ୍ତି ଘୋଳଦହି ।

 

ଖାଇ ସାରି ଶ୍ରୀମୟୀ ଆଗେ ବାହାରିଗଲେ ।

 

ଅଫିସ୍‌ ଯିବା ଆଗରୁ ସତ୍ୟ ମୋବାଇଲ୍‌ଟା ଉଠାଇ ନେଇ ରିଂ କଲା ଅସୀମାକୁ ।

 

ସେଇ ଲଳିତ ମଧୁର ସ୍ଵର ଭାସି ଆସିଲା - “ଗୁଡ୍‌ମର୍ଣ୍ଣିଂ... ଭଲ ଅଛ ତ ? ଏତେ ଦିନେ ମନେପଡ଼ିଲା ?”

 

-‘‘ଜନ୍ମଦିନର ଅନେକ ଶୁଭେଚ୍ଛା... କିନ୍ତୁ ଏଇ କେତେଦିନ ଭାରି ବ୍ୟସ୍ତ ଥିଲି ।’’

 

-‘‘ବ୍ୟସ୍ତ ଥିଲ ନାଁ ଅନ୍ୟକିଛି...”

 

-‘‘ନା, ନା, ବଡ଼ ବ୍ୟସ୍ତ ଥିଲି ଏଇ କେତେଦିନ । ଆଜି ସକାଳ ଖବରକାଗଜ ଦେଖିଥିବ..।’’

 

-‘‘ଓ ! ତମେ ତା’ହେଲେ ନାୟକ... ସେମାନେ ଭିଲେନ୍‌ !!”

 

-‘‘ନା, ସେମିତି ନୁହେଁ, ମୁଁ ମାଧ୍ୟମଭାବେ କାର୍ଯ୍ୟ କରିଛି... ଅଧର୍ମ, ଅନ୍ୟାୟ ବିରୋଧରେ ଲଢ଼ିଛି..।’’

 

-‘‘କଂଗ୍ରାଟ୍‍ସ... ତମେ କିନ୍ତୁ ମୋର ହିରୋ... ମୁଁ ତୁମ ପାଇଁ ଗର୍ବ ଅନୁଭବ କରେ... ।’’

 

ଅସୀମାର ଏଇ ପଦକ କଥା ଦେହରେ ଚନ୍ଦନ ଲେପି ଦେଇଗଲା ସତ୍ୟକାମର ଦେହରେ-। ସେ ରସିକତା କରି କହିଲା - “କିନ୍ତୁ ନାୟିକା ତ କୋଉଠି ଅଟକି ରହିଛି ବାଟରେ... ବାଟବଣା ହୋଇଯାଇଛି ବୋଧହୁଏ...।”

 

- ଧେତ୍‌, ବଜାରୀ ପରି କ’ଣଗୁଡ଼ାଏ କହୁଛ... ମୁଁ ବାଟବଣା ହୋଇନି ଯେ ତମେ ସିଧା ବାଟରେ ମୋ ପାଖକୁ ନ ଆସି ଅଟକିଯାଇଛ ଚନ୍ଦ୍ରାବଳୀ କୁଞ୍ଜରେ ।’’

 

-‘‘ଏତେକଥା ଜାଣ ତମେ... ଆଜି ତମ ଜନ୍ମଦିନ ଉତ୍ସବ... ତୁମକୁ ଅନେକ କିଛି ଦବାପାଇଁ ଇଛା ଯେ...

 

-“କ’ଣ ଇଛା ଯେ...”

 

-“ନା, ଆଗୁଆ କହିବି କାହିଁକି ? ଯୋଉଦିନ ତମେ ଆସିବ ସେଦିନ କହିବି... । ତଥାପି ମୋର ଅନେକ ଅନେକ ରୋମାଞ୍ଚକର ଉଷ୍ମ ଅଭିନନ୍ଦନ.. ସୁମନାସ ନିଅ... । ଏଇଦିନ ଶୁଭଙ୍କର ହେଉ...”

 

-“ମୁଁ କୃତଜ୍ଞ ! କିନ୍ତୁ ଆଉ କେତେଦିନ ଅପେକ୍ଷା କରିବି ?”

 

-“ଫାଦର୍‍ଙ୍କୁ ମନେପକାଇ ଦେଉଥିଲେ ମା’ ! ମୁଁ ଶୁଣୁଥୁଲି ପର୍ଦ୍ଦା ସେପାଖରୁ ।”

 

-“କ’ଣ କହୁଥିଲେ ?”

 

-‘‘କହୁଥିଲେ ତମ ବାପାଙ୍କ ସହିତ କଥା ହେବା ପାଇଁ..।’’

 

“ବାପା ତ ସେଇ ଅଖ୍‍ତାର ସାହେବଙ୍କ ପୁଅ କଥା କହିବେ...”

 

-“ତମର ମତ ବାପା ଜାଣନ୍ତିନି... ।”

 

-“ମୁଁ ତାଙ୍କୁ କହିଚି ମୋ ମତ... କିନ୍ତୁ ଆମ ଦେଶରେ ଝିଅମାନଙ୍କ ମତାମତ ପ୍ରତି ସମ୍ମାନ ଦିଆଯାଏ କି ? ପୁରୁଷ-ପ୍ରଧାନ ସମାଜରେ ନାରୀମାନଙ୍କର ପରିଚୟ ନାହିଁ । ସେମାନେ ସାରାଜୀବନ ସ୍ୱାମୀର ପରିଚୟ ନେଇ ବଞ୍ଚନ୍ତି ।’’

 

-‘‘କିନ୍ତୁ ମୁଁ ତାହା କରିବି ନାହିଁ.... ନାରୀର ବି ଗୋଟେ ନାମ ଅଛି, ପରିଚୟ ଅଛି । ସେଇ ସ୍ଵତନ୍ତ୍ରତା ସେ ହରାଇବ କାହିଁକି ? ତମେ ମୋତେ ବାହା ହେବାପରେ ବି ସେଇ ଅସୀମା କବୀର ହୋଇ ରହବ...।’’

 

-“ନା, ନା, ମୁଁ ଚାହେଁ ଆତ୍ମବିସର୍ଜନ କରିବାପାଇଁ... ସେଇଥିରେ ମୋର ମୁକ୍ତି... ନାରୀ ସମର୍ପଣକୁ ସ୍ୱର୍ଗସୁଖ ମନେ କରେ... ।”

 

-“ସତ କହୁଛ !”

 

ସଜାଗ ହୋଇଯାଇ ଅସୀମା କହିଲା –‘‘ ବିଳମ୍ବ କରିବନି, ଠିକ୍‌ ସମୟରେ ଆସିବ । ମା’ଙ୍କୁ ଆଣିବା ନିଶ୍ଚୟ, ଫାଦର୍‍ ତ ଆସିବେ ବୋଲି ମମ୍ମି କହୁଥିଲେ ।’’

 

-“ହଁ ଆମେ ସମସ୍ତେ ଆସିଚୁ । ସେତେବେଳେ ତ ସୁବିଧା ହବନି... ଏତିକିବେଳେ ଅନ୍ତତଃ ଆଇ କିସ୍‌ ୟୁ ହଣ୍ଡ୍ରେଡ଼ ଟାଇମ୍ସ୍... ।”

 

ଖିଲ୍‌ଖିଲ୍‌ ହସ ଭାସି ଆସୁଥିଲା ସେପାଖରୁ ।

 

ମୋବାଇଲ ରଖିଦେଇ ପ୍ରସ୍ତୁତ ହେଲା ସତ୍ୟକାମ ପ୍ରେସ୍‌ ଯିବାପାଇଁ । ମୁକ୍ତେଶ୍ଵର ପହଞ୍ଚିବା ପୂର୍ବରୁ ସେ ପହଞ୍ଚିବା ଦରକାର ।

 

ଗୋଟେ ଗାଡ଼ି କିଣିବା କଥା ମା’ କହୁଥିଲେ । ମାରୁତି ଆଠ ଶହ ବା ଅଲ୍ଟୋ .....। ସ୍କୁଟରରେ ଚଳି ଯାଉଛି । କାର୍‌ କିଣିଲେ ଖର୍ଚ୍ଚ ବଢ଼ିବ... କିନ୍ତୁ କାମ କରିବାପାଇଁ ସୁବିଧା ହେବ । କମ୍ପାନୀ କାର୍‌ ପାଇଁ ଆଡ଼ଭାନ୍‍ସ ଦେବ ବିନା ସୁଧରେ ଦରମାରୁ କାଟିନବ ଷାଠିଏ ଇନ୍‌ଷ୍ଟାଲମେଣ୍ଟ୍‍ରେ । ମା’ଙ୍କୁ ଆଉ ରିକ୍ସା ବା ଅଟୋରେ ବୁଲିବାକୁ ହେବ ନାହିଁ । ସେ ଅଫସ୍‌ ଯିବା ବାଟରେ ମା’ଙ୍କୁ ଛାଡ଼ିଦେଇଯିବ, ଫେରିବାବେଳେ ନେଇଆସିବ । ଆଉ ବେଳେ ବେଳେ ଅଫିସ୍‌ ଡ୍ରାଇଭର ହାସାନ ଗାଡ଼ିର ଯତ୍ନ ନବ କହିଛି ।

 

ଅଫିସରେ ପହଞ୍ଚିବାବେଳକୁ ହୁମାୟୁନ୍‌ ସ୍ଵାଗତ କରି କହିଲା - “ଆଜି ସହରଯାକର ଲୋକଙ୍କ ମୁହଁରେ ତମ କଥା, ‘ନିୟୁ ଟାଇମ୍ସ୍’ କଥା... ଏଇ ଇସ୍ୟୁଟା ଦେଇ ଭଲ କରିଛୁ ଆମେ । ଆମ କାଗଜର ସର୍କୁଲେସନ ହୁ ହୁ ବଢ଼ିବାରେ ଲାଗିଛି...।”

 

ମୁକ୍ତେଶ୍ଵର ପହଞ୍ଚିବା ପରେ ଚିଫ୍‌ ଏଡ଼ିଟର୍‍ଙ୍କଠାରୁ ଆସିଥିବା ଫାକ୍ସଟା ତା’ ହାତକୁ ବଢ଼ାଇଦେଇ କହିଲେ - “ଓ୍ୱାର୍‌ମ କଂଗ୍ରାଚୁଲେସନ୍‌... ମାଇଁ ପର୍ସନାଲ ବେଷ୍ଟ୍‍ ଉଇସେସ୍‌...... ତମେ ଆଜିଠାରୁ ବ୍ୟୁରୋ ଚିଫ୍‍ ହେଲ ସତ୍ୟକାମ... ଈଶ୍ୱର ତମର ମଙ୍ଗଳ କରନ୍ତୁ....’

 

ସତ୍ୟକାମ ମୁହଁରୁ ଶବ୍ଦଟିଏ ବି ସ୍ଫୁରିଲା ନାହିଁ, ସେ କୃତଜ୍ଞତାରେ ନଇଁପଡ଼ି ପାଦ ସ୍ପର୍ଶ କଲା ମୁକ୍ତେଶ୍ଵରଙ୍କର ।

 

ଚିଫ୍‌ ଅଫ୍‌ ବ୍ୟୁରୋ ପଦବୀ ଯେ ସେ ଶୀଘ୍ର ଅଧିକାର କରିବ ଏଥିରେ ସନ୍ଦେହ ନ ଥିଲା କାହାରି । କିନ୍ତୁ ଏତେଶୀଘ୍ର ସେ ଯେ ସେଇ ପଦରେ ଅଧିଷ୍ଠିତ ହେବ ଏହାହିଁ ହେଲା ସତ୍ୟକାମର ବୈଶିଷ୍ଟ୍ୟ । ଗୋଟିକ ପରେ ଗୋଟିଏ ଅନୁସନ୍ଧାନମୂଳକ ଖବର ପ୍ରକାଶ କରି ବର୍ଷକ ମଧ୍ୟରେ ‘ନିଉ ଟାଇମ୍ସ୍’ ଖବରକାଗଜର ପ୍ରସାର ଦଶ ହଜାର ବଢ଼ାଇ ଦେଇଛି ସେ । ମୁଖ୍ୟ ସମ୍ପାଦକ ଏବଂ ମ୍ୟାନେଜମେଣ୍ଟ୍‍ ତା’ ଉପରେ ଖୁସି । ମୁକ୍ତେଶ୍ଵର ବି ତାକୁ ଭଲପାଆନ୍ତି ଏବଂ ତା’ର ନିଷ୍ଠା ଓ କର୍ତ୍ତବ୍ୟପରାୟଣତାର ପ୍ରଶଂସା କରନ୍ତି । ତାଙ୍କରି ପ୍ରେରଣା ଓ ପରାମର୍ଶ ସତ୍ୟକାମକୁ ଆଗେଇ ଯିବାପାଇଁ ଦେଇଛି ସାହସ । ତା’ର ଆତ୍ମବିଶ୍ଵାସ ଆହୁରି ବଢ଼ିଛି ।

 

ସେଦିନ ସମସ୍ତେ ବ୍ୟସ୍ତ ରହିଲେ ପରବର୍ତ୍ତୀ ଲିଡ଼ ଷ୍ଟୋରିର ଚୂଡ଼ାନ୍ତ ରୂପରେଖ ଦବାପାଇଁ-। ଅକାଟ୍ୟ ପ୍ରମାଣ ସଂଗ୍ରହ କରିଥିଲା ସତ୍ୟକାମ । ସେ ଜାଣେ ଯେ ସବୁ ତଥ୍ୟଗୁଡ଼ାକ ପ୍ରକାଶ କରିବାର ସମୟ ଆସି ନାହିଁ । ତଥାପି ଯେତିକି ତଥ୍ୟ ଉପସ୍ଥାପନ କଲେ ଅପରାଧ ଓ ଅପରାଧୀମାନଙ୍କ ମଧ୍ୟରେ ସଂଯୋଗ ଥିବା ପ୍ରମାଣ ପାଇବେ ପାଠକମାନେ, ସେତକ ବେଶ୍‌ ପରିଷ୍କାରଭାବେ ସେମାନଙ୍କୁ ଜଣାଇ ଦେଇଥିଲା ସତ୍ୟକାମ । ଆଜି ସକାଳର ରିପୋର୍ଟ ପଢ଼ିବା ପରେ ସରକାରୀ କଳ ତତ୍ପର ହୋଇଉଠିଛି । ସ୍ଵୟଂ ମୁଖ୍ୟମନ୍ତ୍ରୀ ଟିପଲ ମର୍ଡର କେସ୍‌ ଓ ଟେଣ୍ଡର ଫିକ୍ସିଂ ମାମଲାର ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଥିବା ସୂଚନା ପାଇଛି ସେ । ରାଜନୀତିକ ସ୍ତରରେ ଏକପ୍ରକାର ଆତଙ୍କ ଖେଳିଯାଇଛି । ଶେଖ୍‍ ଅଖ୍‍ତାରଙ୍କ ନିକଟବର୍ତ୍ତୀ ନେତା ଓ ଉଚ୍ଚ ପଦାଧିକାରୀମାନଙ୍କ ଆଖିରୁ ନିଦ ହଜିଗଲାଣି । କାହାର ମୁଣ୍ଡ ଗଡ଼ିବ ସେୟା ଦେଖିବାପାଇଁ ଅଣନିଶ୍ୱାସୀ ପରି ଅପେକ୍ଷା କରୁଛନ୍ତି ସେମାନେ । ବ୍ୟକ୍ତିଗତ ଆକ୍ରୋଶ ରଖି ବା ପ୍ରତିଶୋଧ ନବାପାଇଁ ଅର୍ଦ୍ଧସତ୍ୟ ଖବର ଛାପିବାର ଘୋର ବିରୋଧୀ ସତ୍ୟକାମ । ସେ ବିଶ୍ଵାସ କରେ ଯେ ସତ୍ୟପଥରେ ଚାଲିବାହିଁ ସାମ୍ବାଦିକର ନିୟତି । ସେଇ ମାର୍ଗରେ ଚାଲିବାପାଇଁ ଯେଉଁମାନେ ନିଷ୍ପତ୍ତି କରନ୍ତି ସେମାନେ ସ୍ଵାର୍ଥ ସହିତ ସାଲିସ ନ କରି କେବଳ ସତ୍ୟହିଁ ପ୍ରକାଶ କରନ୍ତି । ଗୋଳିଆ ପାଣିରୁ ମାଛ ଧରିବା ଅବକାଶ ନାହିଁ ସତ୍ୟଙ୍କର ।

 

ଫାଇଲ ଲେଉଟାଇବାବେଳେ ଗୋଟେ ଫଟୋ ଉପରେ ଦୃଷ୍ଟି ଅଟକିଗଲା । ଅନେକ ବର୍ଷର ପୁରୁଣା ଫଟୋ । ଦିଲ୍ଲୀରୁ ସଂଗ୍ରହ କରିଥିଲା ସେ ବନ୍ଧୁ ରାକେଶ ବୁଦ୍ଧରାଜ ପାଖରୁ । ସେଇ ଫଟୋ ପଚିଶ ବର୍ଷ ପୂର୍ବର ବା ତା’ଠାରୁ ଅଧିକ। ଇତି ମଧ୍ୟରେ ଆକୃତିରେ ଅନେକ ପରିବର୍ତ୍ତନ ହୋଇଥିବ ତାଙ୍କର, କିନ୍ତୁ ପୂର୍ବର ପ୍ରକୃତି ରହିଯାଇଛି । ନିଜର ବଦଅଭ୍ୟାସଗୁଡ଼ିକୁ ପ୍ରତିହତ ନ କରି ସେଇ ଧାରାକୁ ଆହୁରି ବେଗଗାମୀ କରିଛି । ମଣିଷ ସଇତାନ ପାଲଟିଗଲେ ଆଉ ତାକୁ ବଦଳାଇ ହୁଏ ନାହିଁ । ତା’ର ଅହଙ୍କାର, ଅପରାଧ କରିବାର ନିଶାକୁ ଦ୍ୱିଗୁଣିତ କରିଦିଏ । ସେଇ ଫଟୋ ଏବଂ ଆଜିର ଆକୃତିରେ ବୟସର ପାର୍ଥକ୍ୟ ସ୍ପଷ୍ଟ ପରିଦୃଷ୍ଟ ହେଉଛି ସତ, କିନ୍ତୁ ଆଖି, ନାକ, ତିଳଚିହ୍ନ ସବୁ ତ ସେଇ ଆଗପରି ରହିଛି । ତେବେ ଅତୀତକୁ ଖୋଳିତାଡ଼ି ବର୍ତମାନ ସେଥିରୁ ଫାଇଦା ନବାର ବାଟ ବନ୍ଦ ହୋଇଯାଇଛି । ବର୍ତ୍ତମାନର ଅପରାଧ ଏତେ ମାରାତ୍ମକ ଯେ ସଇତାନକୁ ଶାସ୍ତି ଦବାପାଇଁ ତାହାହିଁ ଯଥେଷ୍ଟ ।

 

ପଲ୍ଲବ ଠିକ୍‌ ସମୟରେ ଆସି ପହଞ୍ଚିଲେ । ଖବର ପ୍ରସାରିତ ହେବାପରେ ଶାସନ ଓ ଜନସାଧାରଣଙ୍କ ପ୍ରତିକ୍ରିୟା ସମ୍ପର୍କରେ ସେମାନେ ଆଲୋଚନା କଲେ । ଏହାପରେ ଆଗାମୀ କାଲି ପ୍ରକାଶ ପାଇବାକୁ ଥିବା ନୂତନ ରିପୋର୍ଟ ସମ୍ବନ୍ଧରେ ବି ଆଲୋଚନା ହେଲା । ଶେଖ୍‍ ଅଖ୍‍ତାର, ହାରୁ ମିଆଁ, ଦୁର୍ଯ୍ୟୋଧନ ସିଂ, ଚିଦାନନ୍ଦ ମହାନ୍ତି, ଚନ୍ଦ୍ରମୌଳି ଶ୍ରୀବାସ୍ତବ ପ୍ରଭୃତି ଯେ ନିଜ କୃତ ଅପରାଧର ଶାସ୍ତି ଭୋଗିବାପାଇଁ ଆଇନ ହାତରୁ ଆଉ ଖସିଯାଇ ପାରିବେ ନାହିଁ ଏୟା ତ ନିଶ୍ଚିତ ହୋଇଯାଇଛି । ତାଙ୍କ ମୁହଁକୁ ଚାହିଁ କହିଲା ସତ୍ୟକାମ - “ଚନ୍ଦ୍ରମୌଳି ଓ ଚିଦାନନ୍ଦ କ’ଣ ଧରାପଡ଼ିବେ ବୋଲି ଭାବୁଛ ?’’

 

‘‘ନିଶ୍ଚୟ । ସେ ଯିବ କୁଆଡ଼େ ? ଏଣ୍ଡୁଅ ଦଉଡ଼ ବାରଣ୍ଡା ମୁଣ୍ଡ ଯାଏ । ସେ ଗୁଲମାର୍ଗରେ ଗଲ୍ଫ ଖେଳିବାପାଇଁ ଯାଇଛି । ଇଏ ଗୋଟିଏ ବାହାନା । ଗଲ୍ଫ ପଡ଼ିଆଠାରୁ ଯେ ଏ ଦେଶ ଅନେକ ବଡ଼ ସେ ବୁଝିବ ଏଥର ।’’ ଆଶ୍ଵାସନା ଦେଇ କହଲେ ପଲ୍ଲବ । ‘‘ଆଉ ସେଇ ରାଜାସାହେବ ଚିଦାନନ୍ଦ ମହାନ୍ତି ବି ଧରାପଡ଼ିବେ ।’’ ତା’ ସହିତ ଯୋଗକଲା ପଲ୍ଲବ ।

 

-‘‘ତମକୁ ନିମନ୍ତ୍ରଣ କରିଥିବ ହୁମାୟୁନ୍‍... ଦେଖାହେବ ପୁଣି... ।’’

 

-‘‘ହଁ ନିମନ୍ତ୍ରଣ କରିଛି ହୁମାୟୁନ୍‍ । କାମ ଅଛି । କିନ୍ତୁ ନ ଯିବାଟା ଅଭଦ୍ରାମି ହେବ । ଯିବି ମୁଁ ନିଶ୍ଚୟ । କିନ୍ତୁ ପହଞ୍ଚିବାପାଇଁ ଟିକେ ବିଳମ୍ବ ହୋଇପାରେ...।’’ କହିଲେ ପଲ୍ଲବ । ତା’ପରେ ଯୋଗକଲେ, ‘‘ତୁ ତ ସମସ୍ତଙ୍କୁ ମିତ୍ର ବୋଲି ମନେକରୁ । କିନ୍ତୁ ମିତ୍ରମାନଙ୍କ ମେଳରେ ଶତ୍ରୁବି ବେଳେ ବେଳେ ଛିଦ୍ରପଥ ଦେଇ ପ୍ରବେଶ କରେ । କିଛି ଅଘଟଣ ଯେପରି ନ ଘଟେ ସେଥିପାଇଁ ମୁଁ ସାଦା ପୋଷାକଧାରୀ ଦୁଇ ଜଣ ସିବିଆଇ ଲୋକଙ୍କୁ ପଠାଇଛି... ।”

 

ପଲ୍ଲବକୁ ଧନ୍ୟବାଦ ଜଣାଇଲା ସତ୍ୟକାମ । ତାଙ୍କୁ ଗାଡ଼ି ପାଖରେ ଛାଡ଼ି ଫେରିଆସିଲା ଅଫିସ ଭିତରକୁ । ହାତ ଘଡ଼ିକୁ ଚାହିଁଲା । ଛଅଟା । ମା’ ବ୍ୟସ୍ତ ହେଉଥବେ । ଆଉ ବିଳମ୍ବ ନ କରି ସମ୍ପାଦକଙ୍କଠାରୁ ଅନୁମତି ନେଇ ଅଫିସ୍‌ ଛାଡ଼ିଲା ।

 

ସତକୁ ସତ ବ୍ୟସ୍ତ ହେଉଥିଲେ ଶ୍ରୀମୟୀ । ପୁଅ ପହଞ୍ଚିବାକ୍ଷଣି କହିଲେ- ‘‘ଚାଲ୍‌ ଆଗେ ଯାଇ ବିଗ୍‌ବଜାରରୁ ଗୋଟେ ଦୁଇଟା ଜିନିଷ ନେଇଆସିବା... ତା’ପରେ ତୁ ପ୍ରସ୍ତୁତ ହେବୁ ।’’

 

ମା’ଙ୍କ ସାଙ୍ଗରେ ବାହାରିଗଲା ସତ୍ୟକାମ ।

 

ସୁନ୍ଦର ତାରକସୀ କାମର ସେଟ୍‌ଟିଏ କିଣିଲେ ସେମାନେ । ଘରକୁ ଫେରିବାବେଳକୁ ସାତଟା ।

 

ସାଢ଼େ ସାତଟାରେ ଆସି ପହଞ୍ଚିଗଲେ ଫାଦର୍‍ ଗାଡ଼ି ନେଇ । ତାଙ୍କରି ଗାଡ଼ିରେ ସେମାନେ ଯିବାର କଥା ଥିଲା । ଆଠଟା ବାଜିବା ଆଗରୁ ସେମାନେ ବାହାରିଗଲେ ।

 

କିନ୍ତୁ ହୋଟେଲ ‘ହେଭେନ୍‌ଲି ହ୍ୟାପି’ରେ ପହଞ୍ଚିବା ପୂର୍ବରୁ ମୋବାଇଲ ଫୋନ୍‌ଟା ବାଜିଉଠିଲା ସତ୍ୟକାମର -‘‘ହ୍ୟାଲୋ... ମାଉସୀ, କ’ଣ କହନ୍ତୁ.’’..

 

ସେପାଖରୁ ସୁରେୟାଙ୍କ କମ୍ପିତ ସ୍ଵର ଭାସି ଆସୁଥିଲା – ‘‘ବଡ଼ ବିପର୍ଯ୍ୟୟ ଘଟି ଯାଇଛି ସତ୍ୟ । ଆମେ ଘରୁ ବାହାରି କାର୍‌ ଭିତରକୁ ପଶିବାବେଳେ ଜଣେ ଅଜ୍ଞାତ ବ୍ୟକ୍ତି ମୋଟର ସାଇକେଲରେ ଆସି କାର୍‌ ଆଗରେ ଛିଡ଼ା ହୋଇଗଲା, ଆମେ କିଛି ବୁଝିବା ଆଗରୁ ସେ ଗୋଟେ କ’ଣ ଫିଙ୍ଗିଲା ବାନୁ ଆଡ଼କୁ । ବାନୁ ଚିତ୍କାର କରି ଉଠିଲା...’’

 

- ‘‘ତା’ ପରେ କ’ଣ ହେଲା ?’’ ଭୟାର୍ତ୍ତ ସ୍ୱରରେ କହିଲା ସତ୍ୟ ।

 

- ‘‘ଏସିଡ଼୍‌ ଫୋପାଡ଼ି ଦେଇ ସେ ତୀର ବେଗରେ ପଳାଇଗଲା... ହୁମାୟୁନ୍‍ ତ ହୋଟେଲକୁ ଚାଲିଯାଇଛି ଆଗରୁ ତ’ ବାପା ସାଙ୍ଗରେ... ମୁଁ ବାନୁକୁ ନେଇ ହସ୍‍ପିଟାଲ ଯାଉଛି... ତା’ ହାତରେ, ଗାଲରେ, ଗଳାରେ ଏସିଡ଼ ପଡ଼ିଛି...।’’

 

- ‘‘ଆପଣ ଧୈର୍ଯ୍ୟ ଧରନ୍ତୁ ମାଉସୀ... ମୁଁ, ମା’, ଫାଦର୍‍ ପାଞ୍ଚ ମିନିଟ୍‌ ଭିତରେ ହସ୍‍ପିଟାଲ ପହଞ୍ଚିବୁ...।

 

-‘‘କଣ ହେଲା ସତ୍ୟ ?” ଉତ୍କଣ୍ଠା ଖେଳାଇ ଉଚ୍ଚାରିଲେ ଶ୍ରୀମୟୀ ।

 

- “କେହି ଜଣେ ଦୁଷ୍ଟ ଲୋକ ଏସିଡ଼୍‌ ଫୋପାଡ଼ି ଦେଇଛି ଅସୀମା ଉପରକୁ... ତା’ ହାତରେ, ଗାଲରେ, ଗଳାରେ ଏସିଡ଼୍‌ ଲାଗିଛି... ମାଉସୀ ତାକୁ ନେଇ ହସ୍‍ପିଟାଲରେ ପହଞ୍ଚୁଥିବେ ଏତେବେଳକୁ... ଆମେ ହୋଟେଲ ନ ଯାଇ ବରଂ ହସ୍‍ପିଟାଲ ଯିବା ଭଲ ହେବ... ।” କହିଲ ସତ୍ୟ-

 

- “ସିଓର ସିଓର... ହେ ପ୍ରଭୁ... ପାର୍ଡ଼ନ ହିମ୍‌, ଫର ହି ଡିଡ଼୍‌ ନଟ୍‌ ନୋ ହ୍ଵାଟ୍‌ ହି ଡିଡ଼୍‌..।” ମୁହଁରୁ ବାହାରିଗଲା ଫାଦର୍‍ଙ୍କର ।

 

॥ ଅଣତିରିଶ ॥

 

ଜାଫର କବୀର ବାଙ୍ଗାଲୋରରୁ ଫେରିଥିଲେ ସେଇଦିନ । ଝିଅର ଅବସ୍ଥା ଦେଖି ଦୁଃଖିତ ହେଲେ । ପତ୍ନୀ ସୁରେୟାଙ୍କ ମୁଣ୍ଡରେ ସବୁ ଦୋଷ ଢାଳିଦେଇ କହିଲେ, ‘ତମେ ଯଦି ତା’ ବାହାଘର ପ୍ରସ୍ତାବ ଆଗେଇ ନେଇଥାନ୍ତ ତେବେ ଏପରି ଦୁର୍ଘଟଣା ଘଟି ନ ଥାନ୍ତା । ଏଇ କାମ ଯେକୌଣସି ହିନ୍ଦୁ ଯୁବକର ଉନ୍ନତ୍ତ କାଣ୍ଡ, ତାହା ମୋତେ ଜଳ ଜଳ ଦିଶୁଛି । କଥାରେ ଅଛି ‘ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିପାଁକଳି’ । ସେ ଭାବିଥିବ ଯେ ଏସିଡ଼୍‌ ମାଡ଼ କରି ଝିଅର ମୁହଁ ଜାଳିଦେଲେ ଛାଏଁ ଛାଏଁ ବାହା ହେବାପାଇଁ ସେଇ ଟୋକା ମନା କରିଦବ । ତମର ଏ ବିଷୟରେ ଭାବିବା ଉଚିତ ଥିଲା...।’

 

ସୁରେୟା ସ୍ତବ୍ଧ ହୋଇଗଲେ କବୀର ସାହେବଙ୍କ କଥା ଶୁଣି । ଆଉ କେହି ଏ କଥା ଶୁଣୁ ସେ ଚାହୁଁ ନ ଥିଲେ । କାରଣ ଏ କଥାଟା ପ୍ରଘଟ ହୋଇଗଲେ ଯେ ସାମ୍ପ୍ରଦାୟିକ ରଙ୍ଗ ଦିଆଯିବ ତାହା ଭାବି ସେ ସତର୍କ ଦୃଷ୍ଟିରେ ଆଖି ଫେରାଇ ଆଣିଲେ । ନା, ପାଖରେ ଆଉ କେହି ନ ଥିଲେ । ଆଲ୍ଲାଙ୍କ ପାଖରେ ଗୁହାରି ଜଣାଇଲେ ।

 

ସୁରେୟା କହିଲେ, “ପରେ ଏ ବିଷୟରେ ଘରେ କଥା ହେବା । ଡାକ୍ତରଖାନାରେ ଏସବୁ କାହିଁକି ? ଝିଅ ଶୁଣିଲେ ମନ କଷ୍ଟ କରିବ...”

 

-“ସେ କ’ଣ ଆଉ ଆମ ଆୟତରେ ଅଛି ? ତାକୁ ପ୍ରଥମରୁ ବାରଣ କରିଥିଲେ ପ୍ରସଙ୍ଗ ଆଗେଇ ନ ଥାନ୍ତା....?

 

ଜାଫର କବୀରଙ୍କ ତୁଣ୍ଡରୁ କଥା ସରିବା ପୂର୍ବରୁ ରସୁଲଗଡ଼ର ନାମଜାଦା ଲୁହା ବ୍ୟବସାୟୀ ମୁକବଲ୍‌ ଆଲାମ୍‌ ଆସି ପହଞ୍ଚିଲେ । ସେ ଅସୀମାକୁ ଦେଖିଆସି ଚାପାସ୍ଵରରେ ଜାଫର କବୀରଙ୍କୁ କହିଲେ, “ଶେଖ୍‌ ଅଖ୍‍ତାର ସାହେବ ଧରାପଡ଼ିଛନ୍ତି । ପୁଲିସ୍‌ ତାଙ୍କୁ ଗିରଫ୍‌ କରିଛି ।’’

 

ଚମକିପଡ଼ି କହିଲେ କବୀର ସାହେବ, “କିଏ ତାଙ୍କୁ ଏ ଧନ୍ଦାରେ ଫସାଇଦେଲା କହିପାରିବ ?”

 

-“ସେଇ ସାମ୍ବାଦିକ ଟୋକା । ସତ୍ୟକାମ ତ ସତ୍ୟ ଅନ୍ୱେଷଣ କରୁନାହିଁ, ସାପ ଗାତରେ ହାତ ପୁରାଉଛି । ସେ ଜାଣେନା ଯେ ସବୁ ଗାତରେ ଧଣ୍ଡ ବା ମାଟିବିରାଡ଼ି ନ ଥାନ୍ତି... କୋଉଠି କୋଉଠି ନାଗ ବି ଥାଏ... ।” ମୁକବଲ୍‌ କହିଲେ।

 

ତା’ପରେ କବୀର ସାହେବଙ୍କୁ ବାହାରକୁ ଡାକିନେଇ କହିଲେ, “ଶେଖ୍‌ସାହେବ ଭୁବନେଶ୍ୱର ଛାଡ଼ିବା ଆଗରୁ ଆପଣଙ୍କୁ ଖୋଜୁଥିଲେ । ଆପଣଙ୍କୁ ନ ପାଇ ମୋତେ ଯାହା କହି ଯାଇଥିଲେ ମୁଁ କହୁଛି... ତାଙ୍କ ପୁଅ ଫିରୋଜ ଏବେ ତ ଗୋଆରେ ବିଜି‌ନେସ୍‌ କରୁଛି । ହୋଟେଲ ବିଜିନେସ୍‌ରୁ ବେଶ୍‌ ଲାଭ ବି କରୁଛି... ।

 

ଆପଣଙ୍କ ଝିଅ ସହିତ ଫିରୋଜର ବାହାଘର ହୋଇଗଲେ ଦୁଇଟା ଖାନ୍ଦାନି ପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ଗଢ଼ିଉଠନ୍ତା... ମୁଁ ବି ତିନି ଦିନ ହେଲା କଲିକତା ଯାଇଥିଲି । ଆଜି ସକାଳେ ଫେରି ଶୁଣିଲି ସବୁ... ଏସବୁ ପଛରେ ନିଶ୍ଚୟ କୌଣସି ଶତ୍ରୁର ହାତ ଅଛି... କିନ୍ତୁ ୟା ପରେ କ’ଣ କରିବା ଭାବିଚିନ୍ତି ଠିକ୍‌ କରିବାକୁ ପଡ଼ିବ...”

 

- “ହଁ ହଁ, ଆପଣ ଠିକ୍‌ କହିଛନ୍ତି । ଗୋଟେ କିଛି ନିଷ୍ପତ୍ତି ନେବାକୁ ପଡ଼ିବ । କିନ୍ତୁ ବାନୁ ତ ଆହୁରି ତିନି-ଚାରି ଦିନ ରହିବ ହାସ୍‌ପାତାଲରେ । ପ୍ଲାଷ୍ଟିକ୍‌ସର୍ଜନ ତା’ପରେ ଯାହା କରିବା କଥା କରିବେ... ।” କବୀର କହିଲେ ।

 

‘‘ଯା’ହେଉ ଖୋଦା ମେହେରବାନ୍... ତାଙ୍କରି ଇଚ୍ଛାରୁ ଏତିକିରେ ରହିଗଲା । କିନ୍ତୁ ବିପଦ ଘନେଇ ଆସୁଚି କବୀର ସାହେବ... ଶେଖ୍‌ସାହେବଙ୍କୁ ଏଥିରୁ ଯିମିତି ହେଉ ରକ୍ଷା କରିବାକୁ ହେବ... ।” କହିଲେ ମୁକବଲ୍‍ ଆଲାମ ।

 

ସେ ବାହାରି ଯିବାବେଳେ କହିଗଲେ ସାବଧାନ ରହିବାପାଇଁ । “ଶେଖ୍‌ ଅଖ୍‍ତାରଙ୍କ ଘର କାଲି ଖାନ୍‍ତଲାସ୍‌ କରିଥିଲା ପୁଲିସ୍‌ । ସକାଳ ପାଞ୍ଚଟାରୁ ପୁଣି ଆଜି ସକାଳ ଆଠଟା ଯାଏ... ଶେଖ୍‍ ସାହେବଙ୍କ ହାତରୁ ଖାଉଥିବା ପୁଲିସ୍‌ବାଲା ଆଜି ତାଙ୍କରି ଗୋହି ଖୋଳୁଛି... ସବ୍‌ ସୟତାନ୍‌କା ବଚ୍ଚା... ।”

 

ତାଙ୍କୁ ଆଗେଇ ଦବାବେଳେ ତାଙ୍କ କାନ ପାଖରେ ଫୁସ୍‌ଫୁସ୍‌ କରି କହିଲେ କବୀର, “ସତ୍ୟକାମକୁ ପାନେ ଦବାକୁ ହେବ... ସେ ଯେପରି ବାନୁ ପଛେ ପଛେ ନ ଗୋଡ଼ାଏ ସେଥିପାଇଁ ଆମକୁ କିଛି କରିବାକୁ ହେବ । ଆପଣ କିଛି ସାହାଯ୍ୟ ନ କଲେ...।”

 

କବୀରଙ୍କୁ ଆଶ୍ଵସ୍ତ କରିବାପାଇଁ କହିଲେ ମୁକବଲ୍‌, “ମୁଁ ଇନ୍ତଜାମକୁ ଡାକି ପଠାଏ । ସେ ଚାହିଁଲେ ସାବାଡ଼୍‌ କରିଦବ । କିନ୍ତୁ ତରତର ହେଲେ ଚଳିବ ନାହିଁ । ବିପଦ ମାଡ଼ି ଆସୁଛି । ସମୁଦ୍ରର ଢେଉ ଚାଲିଯାଉ । ମଥା ନୁଆଁଇ ଦିଅନ୍ତୁ କବୀରସାହେବ... ତା’ ପରେ ଏମିତି ଗୋଟେ କାଣ୍ଡ ଘଟିବ ଯେ ଓଡ଼ିଶା ଚମକି ପଡ଼ିବ... ।”

 

ସେ ଗାଡ଼ି ଚଢ଼ି ଚାଲିଗଲେ । କିନ୍ତୁ ଛାଡ଼ି ଦେଇଗଲେ ଅତର ବାସନା ଓ ବାଦ୍‌ଶାହୀ କଡ଼ା ଜର୍ଦ୍ଦା ପାନର ମହକ ।

 

ସ୍ଵାମୀ ଫେରି ଆସିବାରୁ କହିଲେ ସୁରେୟା, “ପ୍ଲାଷ୍ଟିକ୍‌ସର୍ଜନ ଭରସା ଦେଇଛନ୍ତି ମୁହଁର ସୌନ୍ଦର୍ଯ୍ୟ ପୁଣି ଫେରିଆସିବ । କିନ୍ତୁ ତା’ ଜନ୍ମଦିନରେ କାହିଁକି ସେ ଏପରି କଲା ୟାର କାରଣ ଖୋଜି ବାହାର କରିବାକୁ ହେବ । ସିଆଇଡ଼ି ଇନ୍‍ସପେକ୍ଟର ଆସିଥିଲେ । ବୟାନ ନେଇଛନ୍ତି । ତମେ ଟିକେ ହୁସିଆର ରହିବ... ଶେଖ୍‌ ଅଖ୍‍ତାର ତ ଫସି ଯାଇଛନ୍ତି ଗୋଟେ ବଡ଼ କେସ୍‌ରେ...”

 

-‘‘କେଉଁ କେସ୍‌? ମିଛ ସତ ଯୋଡ଼ି କିଏ ପୁଣି ଜାଲ ଫିଙ୍ଗିଥିବ ଗୋଳିଆ ପାଣିରୁ ମାଛ ଧରିବାପାଇଁ... ।” କହିଲେ କବୀର ।

 

-“ନା, ନା, ସେଇ ଯୋଉ ଟ୍ରିପଲ ମର୍ଡର କେସ୍‌... ଟେଣ୍ଡର ଫିକ୍ସିଂ...ଏବଂ ଆହୁରି କ’ଣ ସବୁ... ଖବରକାଗଜରେ କେତେ କ’ଣ ବାହାରିଛି । ତମେ ବରଂ ଘରକୁ ଫେରିଯାଇ କାଗଜଗୁଡ଼ା ପଢ଼... ‘ନିଉ ଟାଇମ୍ସ୍’ ପର୍ଦ୍ଦାଫାସ୍‌ କରିଦେଇଛି... ।” କହିଲେ ସୁରେୟା କବୀର ।

 

ଜାଫର କବୀର ଚାଲିଗଲେ ସିନା କିନ୍ତୁ ସ୍ତ୍ରୀଙ୍କ ଉପରେ ଯେ ପୂରା ନାରାଜ, ଏୟା ସୂଚେଇ ଦେଇଗଲେ ଭାବଭଙ୍ଗୀରେ । ସୁରେୟା ଝିଅ ପାଖକୁ ଯାଇ ତାକୁ କପେ କୋକୋ ପିଆଇ ଦେଲେ । ପିଠି ଆଉଁସି ଦେଇ କହିଲେ - “କେମିତି ଲାଗୁଚି... ?” ଅସୀମାର ଦୃଷ୍ଟି ଘୁରି ଆସିଲା ଚାରିପାଖରୁ । ସୁରେୟା ବୁଝିପାରି କହିଲେ, “ସେମାନେ ହୁଏତ ଆସୁଥିବେ... । ଶ୍ରୀମୟୀ ଫୋନ୍‌ କରି ମୋତେ ଜଣାଇ ଦେଇଥିଲେ ଯେ ସନ୍ଧ୍ୟା ପୂର୍ବରୁ ସେମାନେ ଆସି ପହଞ୍ଚିବେ...”

 

ଅସୀମା କହିଲା- “କିନ୍ତୁ... ?”

 

-“କିନ୍ତୁ କ’ଣ ମା’ ? ତା’ ମୁହଁ ଉପରେ ଝୁଙ୍କିପଡ଼ି କହିଲେ ସୁରେୟା ।

 

-“ୟା ପରେ ସେମାନେ କ’ଣ...”

 

ବୁଝିପାରିଲେ ସୁରେୟା କ’ଣ ଜାଣିବାକୁ ଚାହେଁ ବାନୁ । ତା’ର କପାଳ ଉପରେ ଖେଳି ବୁଲୁଥିବା କେତୋଟି କେଶକୁ ସଜାଡ଼ି ଦବାବେଳେ ନରମ ସ୍ଵରରେ କହିଲେ, “ତୁ ଚିନ୍ତା କରନା ଆଦୌ । ସତ୍ୟକାମ ନିଜେ ମୋତେ କହିଯାଇଛନ୍ତି । ତାଙ୍କ ମା’ ବି ମୋତେ ସେଇକଥା କହିଲେ । ସେମାନେ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି... ତୁ ଶୀଘ୍ର ସୁସ୍ଥ ହୋଇଯା, ଏୟା କେବଳ ସେମାନଙ୍କର ଇଚ୍ଛା ଓ ପ୍ରାର୍ଥନା..।’’

 

ଅସୀମାର ଦୁଇ ଆଖିକୋଣରୁ ଦୁଇ ବୁନ୍ଦା ଲୁହ ଝରିପଡ଼ିଲା । ସେଇ ଲୁହ ପୋଛିଦେଇ କହିଲେ ସୁରେୟା, “ମଣିଷ ତ ମଣିଷପାଇଁ ଭାବେ ବାନୁ... ମଣିଷକୁ ନେଇ ଧର୍ମ... ମଣିଷ ବାହାରେ ନୁହେଁ... ଆଲ୍ଲା ଆଉ ଈଶ୍ଵର ମଧ୍ୟରେ ଫରକ ଅଛି ବୋଲି ମୁଁ ଭାବିପାରେନା । ଗାନ୍ଧିଜୀ ପରା ଗାଉଥିଲେ - ଇଶ୍ୱର ଆଲ୍ଲା ତେରେ ନାମ ସବ୍‌କୋ ସନମତି ଦେ ଭଗବାନ୍‌। ସଂକୀର୍ଣ୍ଣତାର ସବୁ ଉର୍ଦ୍ଧ୍ୱରେ ସେ ।’’

 

“କିନ୍ତୁ ଧର୍ମ ନାମରେ ମଣିଷ ଲଢ଼ୁଛି ମଣିଷ ବିରୋଧରେ । ବେକରେ ଛୁରୀ ଚଳାଇ ଦବାକୁ କୁଣ୍ଠା କରୁନି... । ସେଇ ଲୋକଟା ମୁହଁ ମନେରଖିଛି ମା’... ଆଉ ଥରେଅଧେ କୋଉଠି ଦେଖିଥିବି କିନ୍ତୁ ମନେପଡ଼ୁନି...” କହିଲା ଅସୀମା “କିନ୍ତୁ ଫଟୋ ଦେଖିଲେ ମନେପକାଇ ପାରିବୁ ? ସେ ଆମ ଗାଡ଼ି ଆଗରେ ମୋଟରସାଇକେଲ ରଖିବାକ୍ଷଣି ମୁଁ ମୋବାଇଲଟା ଅନ୍‌ କରିଦେଇଥିଲି... ତା’ ଫଟୋ ଧରି ରଖିଛି ମୋ ମୋବାଇଲ...। ଚବିଶ ପଚିଶ ବର୍ଷର ହେବ । ଲମ୍ବା ହୃଷ୍ଟପୃଷ୍ଟ ଚେହେରା । ସଫା ରଙ୍ଗ, ମୁହଁରେ ଅଳ୍ପ ଅଳ୍ପ ଦାଢ଼ିନିଶ । ଆଖି ଦୁଇଟା ନିଆହୁଳା ପରି ଜଳୁଥାଏ.....’’ କହିଲେ ସୁରେୟା ।

 

ଅସୀମାର ମୁହଁ ଆହୁରି ଫିକା, ବିଷର୍ଣ୍ଣ ଦିଶିଲା । ଅପରାଧ ଭିତରକୁ ଯେପରି ସେମାନେ ଟାଣି ହୋଇଯାଇଛନ୍ତି । ଶେଖ୍‌ ଅଖ୍‍ତାରଙ୍କ ପ୍ରସ୍ତାବକୁ ବାପା ଯଦି ପ୍ରଥମରୁ ନାକଚ କରିଦେଇଥାନ୍ତେ ତେବେ ସେମାନଙ୍କ ଆଶା ପ୍ରଥମାବସ୍ଥାରେ ପାଣିଫୋଟକା ପରି ମିଳାଇ ଯାଇଥାନ୍ତା । କିନ୍ତୁ ସେ ତ ଶେଖ୍‌ସାହେବଙ୍କ ଶିବିରର ଜଣେ ଲୋକ । ତାଙ୍କ ପରି ଜଣେ ଗଣ୍ୟମାନ୍ୟ ସମର୍ଥକ ପାଇ ଶେଖ୍‌ସାହେବ ଉତ୍‌ଫୁଲ୍ଲିତ ହୋଇଥିବେ ନିଶ୍ଚୟ । ସେଇ ପ୍ରସନ୍ନତାକୁ ବାନ୍ଧିରଖିବା ପାଇଁ ପୁଅ ସହିତ ତା’ର ବାହାଘର ପ୍ରସ୍ତାବ ଦେଇଥିବେ ସେ । ଭଲ ହେଲା ଆଗରୁ ଏପରି ଗୋଟିଏ ଘଟଣା ଘଟିଗଲା । ସେଇ ଟୋକା ଯେ ତା ଉପରକୁ ଏସିଡ଼୍‌ ଫିଙ୍ଗିବାପାଇଁ ନିଯୁକ୍ତ ହୋଇଥିଲା ଏଥିରେ କୌଣସି ସନ୍ଦେହ ନ ଥିଲା ତା’ ମନରେ ।

 

ସୁରେୟା କହିଲେ, “ଏତେ ଭାବୁଛୁ କ’ଣ ଯେ ? ଯାହା ହେବାର ତ ହୋଇଯାଇଛି । ଡାକ୍ତର ମହାନ୍ତି ତ କହିଛନ୍ତି ଯେ ତୋ ମୁହଁର କ୍ଷତ ବେଶି ଭିତରକୁ ଯାଇ ନାହିଁ । ଚିକିତ୍ସାଦ୍ଵାରା ଲାବଣ୍ୟ ଫେରିଆସିବ । ହାତର କ୍ଷତ କିନ୍ତୁ ଉପଶମ ହେବାପାଇଁ କିଛି ସମୟ ଲାଗିବ । ତଥାପି ଆଲ୍ଲାଙ୍କ ଦୟାରୁ ତୁ ଯେ ଶୀଘ୍ର ଭଲ ହୋଇଯିବୁ ଏ ଭରସା ଅଛି ମୋର...।”

 

ମା’ ଝିଅଙ୍କ କଥା ଚାଲିଥିବାବେଳେ ସତ୍ୟକାମ ଆସି ପହଞ୍ଚିଲା । ପ୍ରତିଦିନ ସେ ସନ୍ଧ୍ୟାବେଳେ ଆସେ । ଆଜି କିନ୍ତୁ ଠିକ୍‌ ପୂର୍ବରୁ ଆସିଚି... ।

 

ସୁରେୟା କହିଲେ, “ତମେ ଦୁହେଁ କଥା ହେଉଥାଅ... ମୁଁ ଟିକେ ଡକ୍ଟର ମହାନ୍ତିଙ୍କ ସହିତ କଥା ହୋଇ ଆସେ.. । ‘‘ସେ ଚାଲିଗଲାପରେ ସତ୍ୟକାମ ଅସୀମା ପାଖରେ ବସିଲା ଏବଂ କହିଲା, “ଏଇନେ ଅନେକ ଭଲ ଦିଶୁଛ... ତୁମର ଆଶୁ ଆରୋଗ୍ୟ କାମନା କରିଛନ୍ତି ଆମ ସମ୍ପାଦକ ଓ ଅନ୍ୟ ବନ୍ଧୁମାନେ...।’’

 

-“ସେମାନଙ୍କୁ ଆମ ସମ୍ପର୍କ ବିଷୟରେ କିଏ କହିଲା ?’’ ଅନୁଚ୍ଚ ସ୍ଵରରେ ପଚାରିଲା ଅସୀମା ।

 

-“କାହିଁକି ଲାଜ କରିବାର କ’ଣ ଅଛି । ଲୁଚାଛପା କିଛି ତ ଆମେ କରୁନୁ । ମୁଁ କହିଥିଲି...-।”

 

ଅସୀମାର ମୁହଁ ଉଜ୍ଜ୍ଵଳ ହୋଇଉଠିଲା ।

 

ତା’ ମୁହଁ ଉପରେ ନଇଁପଡ଼ି କହିଲା ସତ୍ୟକାମ - “ସେମାନେ ମୋତେ ଅଭିନନ୍ଦନ ଜଣାଇ ସାରିଛନ୍ତି । ମୋ ଚଏସ୍‌କୁ ପସନ୍ଦ କରିଛନ୍ତି ମିଷ୍ଟର୍‌ ତଲ୍‌ୱାଲ୍‌କର ଓ ତାଙ୍କ ସହଧର୍ମିଣୀ ମାଧୁରୀ ଦେବୀ...”

 

-“ଆଉ ବେଶିକିଛି କହିନ ତ ?” ମୁହଁ ଉପରେ ଅନୁରାଗର ଝଲକ ଖେଳାଇ କହିଲା ଅସୀମା ।

 

-“ଆଉ କ’ଣ କହିବି... ତମେ ଆଗେ ଆସ... ତା’ପରେ ସମସ୍ତେ ଜାଣିବେ । ଫୁଲ ଫୁଟିଲେ ବାସନା ଚହଟିବା ପରି ତମ ଉପସ୍ଥିତିରେ ଆମ ଘର ମହ ମହ ବାସିବ ।”

 

-“ଚୁପ୍‌ଚୁପ୍‌... କେହି ଶୁଣିଲେ କ’ଣ ଭାବିବ । ଏଇଟା ତମ କୋଠରି ନୁହଁ, ହସ୍‍ପିଟାଲ...।”

 

ତା’ ଓଠ ଉପରେ ଆଙ୍ଗୁଳି ବୁଲାଇ ଆଣିଲା ସତ୍ୟକାମ । ସେଇ ପରଶରେ କ’ଣ ଥଲା କେଜାଣି ତା’ ବ୍ୟାକୁଳ ହୃଦୟର ସବୁ ଆକୃତି ଫୁଟି ଉଠିଲା ବିକଚ ଶତଦଳ ପରି ।

 

-‘‘ସତ୍ୟକାମର ହାତମୁଠା ଭିତରେ ତା’ ହାତ କେତେବେଳେ ବନ୍ଦୀ ହୋଇଯାଇଥିଲା ଜାଣେ ନାହିଁ ଅସୀମା । କେବଳ ସଜଫୁଲ ପରି ସତେଜ ଓ ସ୍ନିଗ୍ଧ ଦିଶୁଥିବା ସତ୍ୟକାମ ଉପରୁ ଦୃଷ୍ଟି ଫେରାଇପାରୁ ନ ଥଲା ଏବଂ ଭାବି ଚାଲିଥିଲା କେତେ କ’ଣ...। ସ୍ଵପ୍ନ ସାକାର ହେବାର ମୁହୂର୍ତ୍ତ ଆସିଲେ ମନ ଯେପରି ରୋମାଞ୍ଚିତ ହୁଏ ଅସୀମା ସେହିପରି ଦିଶୁଥିଲା... । ତା’ ମୁହଁ ଉପରେ ଉକୁଟି ଉଠିଥିଲା ସବୁ ପାଇବାର ସନ୍ତୋଷ ।

 

ମୋବାଇଲ ବାଜିଉଠିଲା ।

 

ସତ୍ୟକାମ ଉଠିଗଲା ଟିକେ ଦୂରକୁ... ‘ହ୍ୟାଲୋ’ ।

 

ସେପାଖରୁ କହୁଥିଲା ହୁମାୟୁନ୍‍ - ‘ଭାଇ, ଗୋଟେ ବଡ଼ ଜବର ଖବର ସେଥିପାଇଁ ଫୋନ୍‍ କଲି... କୋଉଁଠି ଅଛ ?’

 

ତା’ ପ୍ରଶ୍ନର ଉତ୍ତର ନ ଦେଇ କହିଲା ସତ୍ୟ - “ଖବରଟା ଆଗେ କୁହ... ଆଇ ଏମ୍‌ଏକ୍ସାଇଟେଡ଼୍‌ ଟୁ ନୋ... ।’

 

-“ଗୁଲମାର୍ଗର ଗୋଟେ ଗଲ୍ଫ ପଡ଼ିଆରେ ଗଲ୍ଫ ଖେଳୁଥିଲାବେଳେ ଧରାପଡ଼ିଚନ୍ତି ଚନ୍ଦ୍ରମୌଳି ଶ୍ରୀବାସ୍ତବ । ଏଇନେ ପଲ୍ଲବ ପଟ୍ଟନାୟକ ଏଇ ଖବର ଦେଲେ ଏଡ଼ିଟର୍‍ଙ୍କୁ । ତମେ ଆସିପାରିବ ?” କହିଲା ହୁମାୟୁନ୍‌ ।

 

-“ମୁଁ ପନ୍ଦର ମିନିଟ୍‌ ମଧ୍ୟରେ ଆସୁଛି... ।” କହି ସତ୍ୟକାମ ଅସୀମା ପାଖକୁ ଫେରିଆସିବାବେଳକୁ ସୁରେୟା ଝିଅ ପାଖକୁ ଫେରି ଆସିଥିଲେ । ସତ୍ୟକାମର ଶେଷ ପଦକ ଶୁଣିଥିଲେ ସେ । ସେଥିପାଇଁ କହିଲେ - “କ’ଣ କିଛି ଭଲ ଖବର ପାଇଲ ?”

 

“ହଁ ମାଉସୀ ! ଖୁବ୍‌ ଭଲ ଖବର । ହୁମାୟୁନ୍‍ ମୁହଁରୁ ଶୁଣିବ ରାତିରେ... ମୋତେ ଶୀଘ୍ର ପ୍ରେସ୍‌କୁ ଯିବାକୁ ହେବ । ଅନେକ ଖବର ସଂଗ୍ରହ କରିବାକୁ ପଡ଼ିବ... ହୁମାୟୁନ୍‍ ଅପେକ୍ଷା କରୁଛି...।”

 

ସେମାନଙ୍କଠାରୁ ବିଦାୟ ନେଇ ତରତର ହୋଇ ଚାଲିଗଲା ସତ୍ୟକାମ ।

 

ଅସୀମା ମା’ ମୁହଁକୁ ଅନାଇ ରହିଲା ।

 

-“କାମ ପାଗଳ... ଦେଖୁଛୁ ସତ୍ୟର କର୍ତ୍ତବ୍ୟନିଷ୍ଠା... ଦିନେ ଯେ ସେ ଅନେକ ଉପରକୁ ଉଠିବ ଏ ବିଶ୍ୱାସ ମୋର ଅଛି...।”

 

ସନ୍ଧ୍ୟା ନଇଁ ଆସୁଥାଏ ଧୀରେ ଧୀରେ । ସୂର୍ଯ୍ୟର ଶେଷ ଆଲୋକ ଇତି ମଧ୍ୟରେ ଅପସରି ଯାଇଥାଏ ଧରାପୃଷ୍ଠରୁ ।

 

ଝରକା ଦେଇ ବାହାରକୁ ଚାହିଁବାକ୍ଷଣି ହଠାତ୍‌ ଗୋଟାଏ ଅପରିଚିତ ଲୋକକୁ ଉଣ୍ଡୁଥିବା ଦେଖି ଚମକି ପଡ଼ିଲେ ସୁରେୟା । ଆଲୁଅ ଜଳି ନ ଥିଲା ସେ ପର୍ଯ୍ୟନ୍ତ । ଝାପ୍ସା ଝାପ୍ସା ଲାଗୁଥାଏ । ସେଇ ଟୋକା ! ସେଦିନ ଯିଏ ଏସିଡ଼୍‌ ଫିଙ୍ଗିଥିଲା ଝିଅ ଉପରକୁ... ତାହାରି ପରି ମୁହଁ, ସେଇପରି ଗଢ଼ଣ... ।

 

ସେ ବୋଧହୁଏ ସୁରେୟାଙ୍କୁ ଦେଖିପାରି ନ ଥିଲା । ସୁରେୟା ଟିକେ ଆଡ଼ ହୋଇଗଲେ ଏବଂ ପର୍ଦ୍ଦାର ଫାଙ୍କ ଦେଇ ତା’ର ଗତିବିଧି ନିରୀକ୍ଷଣ କରିବାକୁ ଲାଗିଲେ ।

 

ହଠାତ୍‌ ବାହାରେ କେତେଜଣ ଲୋକଙ୍କର ଦୌଡ଼ି ଯାଉଥବା ପାଦ ଶବ୍ଦ ଭାସି ଆସଲା । ପର୍ଦ୍ଦାଟା ଆଡ଼େଇ ଦେଲେ ସୁରେୟା । ତିନି ଚାରି ଜଣ ପୁଲିସ୍‌ ସେଇ ଟୋକା ପଛେ ପଛେ ଛୁଟୁଥିବା ଦେଖି ପାଖଆଖରେ ଥିବା ଲୋକ ପଛେ ପଛେ ଗଲେ କ’ଣ ହେଉଛି ଦେଖବାପାଇଁ । ସୁରେୟା ବି ବାରନ୍ଦାକୁ ବାହାରି ଆସିଲେ କ’ଣ ହେବ ଦେଖିବାପାଇଁ ।

 

କିନ୍ତୁ ହଠାତ୍‌ ପ୍ରଚଣ୍ଡ ଶବ୍ଦରେ କବାଟ ଝରକା ବାଡ଼େଇ ହୋଇଗଲା କାନ୍ଥରେ... କାଚ ଭାଙ୍ଗିବାର ଝଣ୍‌ଝଣ୍‌ ଶବ୍ଦ ଭାସି ଆସିଲା । ବାରନ୍ଦାରେ ଭଙ୍ଗାକାଚ ପଡ଼ିଥିବା ଦେଖି ସାବଧାନତାର ସହିତ ପାଦ ଚିପି ଚିପି ଫେରି ଆସୁଥିବାବେଳେ ଜଣେ ଦର୍ଶକ ଦୌଡ଼ି ଆସି ଖବରଦେଲା ଯେ ସେଇ ପଳାତକ ପୁଲିସ୍‌ ଉପରକୁ ବୋମା ଫିଙ୍ଗିବାରୁ ଦୁଇଜଣ ପୁଲିସ୍‌ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ଘଟଣା ସ୍ଥଳରେ । ତାଙ୍କ ମୁହଁରୁ କଥା ସରିବା ଆଗରୁ ଧୂଆଁରେ ଭରିଗଲା ହସ୍‍ପିଟାଲର ଦକ୍ଷିଣ ପାଖ ।

 

କାଳେ କ’ଣ ଘଟିଯିବ ଏଇ ଆଶଙ୍କା କରି ସୁରେୟା ତା’ ମଥା ପାଖରେ ଝରକା ବନ୍ଦ କରିଦେଲେ ଏବଂ ତା’ପରେ ଝିଅ ପାଖକୁ ଆସି ତା’ ପାଖରେ ବସିଲେ ।

 

ଡିଉଟି ଡାକ୍ତର ଓ ନର୍ସ ଡାକରାପାଇ ଚାଲିଗଲେ ଅପରେସନ୍‌ କୋଠରିକୁ । କେତେମିନିଟ ମଧ୍ୟରେ ଗୋଟେ ପୁଲିସ୍‌ ଜିପ୍‌ ଆସି ଛିଡ଼ାହେଲା ହସ୍‍ପିଟାଲ ପୋର୍ଟିକୋରେ ।

 

ତା’ ପଛେ ପଛେ ଆସୁଥିବା ଆଉ ଗୋଟେ ଭ୍ୟାନ୍‌ରେ ଦଶ-ପନ୍ଦର ଜଣ ସଶସ୍ତ୍ର ପୁଲିସ୍‌ ଡେଇଁପଡ଼ିଲେ ଭ୍ୟାନ୍‌ ବନ୍ଦ ହେବା ପୂର୍ବରୁ...।

 

ସୁରେୟା ପ୍ରତ୍ୟକ୍ଷଦର୍ଶୀ, ହୁଏତ ଡିଏସ୍‍ପି ତାଙ୍କୁ ଜେରା କରିବେ ଏହା ଭାବିବାକ୍ଷଣି ଯାହା ଘଟିଥିଲା ସବୁ ଗୋଟି ଗୋଟି କରି କହିବାପାଇଁ ପ୍ରସ୍ତୁତ ହୋଇଗଲେ ଡାକ୍ତର ସୁରେୟା କବୀର ।

 

Unknown

॥ ତିରିଶ ॥

 

ସକାଳ ଖବରକାଗଜର ଅଗ୍ରଲେଖ କାହାଣୀ ଥଲା ହସ୍‍ପିଟାଲରେ ବୋମା ଫୁଟିବା ଓ ଦୁଇ ଜଣ ପୁଲିସ୍‍ ଆହତ ହେବା ସମ୍ପର୍କରେ । ଦୁର୍ବୃତ୍ତ ପୁଲିସ୍‍ ହାତରୁ ଖସିଯିବାପାଇଁ ବୋମା ଫୁଟାଇଥଲା । କିନ୍ତୁ ଆହତ କନେଷ୍ଟବଳର ଗୁଳି ତା’ ଗୋଡ଼ରେ ବାଜିବାରୁ ସେ’ ଆହତ ହୋଇଥଲା । କିନ୍ତୁ ଖସିଗଲା ଗଳିର ଅନ୍ଧାର ଭିତରେ । ତାକୁ ଧରିବାପାଇଁ ସବୁ ଚେଷ୍ଟା ବ୍ୟର୍ଥ ହୋଇଥିଲେ ବି ପୁଲିସ୍‌ ସିଲ୍‌ କରିଦେଇଛି ସେଇ ଅଞ୍ଚଳକୁ । ଯିବା ଆସବା ପଥ ଜଗି ପୁଲିସ୍‌ ପଇଁତରା ମାରୁଛି । ଯାନବାହନ ଯାଞ୍ଚ କରାଯାଉଛି । ଡିଏସ୍‍ପି କୃଷାନୁ ଗାଙ୍ଗୁଲିଙ୍କ ତତ୍ତ୍ଵାବଧାନରେ ତଦନ୍ତ ଚାଲିଛି । ଆହତ ପୁଲିସ୍‌ ଦୁଇଜଣଙ୍କୁ ଚିକିତ୍ସାପାଇଁ ହାସ୍ପାତାଲରେ ଭର୍ତ୍ତି କରାଯାଇଛି । ଜଣକର ଅବସ୍ଥା ଗୁରୁତର । ସରକାରଙ୍କ ରିଲିଫ୍‌ପାଣ୍ଠିରୁ ସେମାନଙ୍କ ପରିବାରକୁ ପଚିଶ ହଜାର କରି ଅର୍ଥ ସାହାଯ୍ୟ ଦବାପାଇଁ ଘୋଷଣା କରାଯାଇଛି । ଏ ସମ୍ବାଦ ମଝିରେ ଗୋଟଏ ବକ୍ସରେ ଡାକ୍ତର ସୁରେୟା ପ୍ରତ୍ୟକ୍ଷଦର୍ଶୀ ବିବରଣୀ ପ୍ରକାଶ ପାଇଛି । ହାସ୍‍ପାତାଲ ଭିତରକୁ କୌଣସ ମନ୍ଦ ଉଦ୍ଦେଶ୍ୟ ରଖି ଯେ ଦୁର୍ବୃତ୍ତ ଆସିଥିଲା ଏବଂ ଠିକଣା ସମୟରେ ପୁଲିସ୍‍ ନଜରରେ ପଡ଼ି ଯିବାରୁ ପଳାଇଗଲା, ସୁରେୟାଙ୍କ ବୟାନରେ ଏହା ଉଲ୍ଲେଖ ରହିଛି । ଯେଉଁ ଅସାମାଜିକ ଲୋକଟା ତା’ ଘର ସାମ୍ନାରେ ଅସୀମା ଉପରକୁ ଏସିଡ଼୍‌ ଫୋପାଡ଼ିଥିଲା ଏଇ ଦୁର୍ବୃତ୍ତ ଯେ ସେଇ ଡାକ୍ତର ସୁରେୟା ପୁଲିସ୍‌କୁ ନିଜ ବୟାନରେ କହିଥିବା ଉଲ୍ଲେଖ ରହଛି ।

 

ଗୋଟିଏ ପାଖରେ ଏଇ ଚମକପ୍ରଦ କାହାଣୀ; ଠିକ୍‌ ଡାହାଣ ପାଖର ଅଗ୍ରଲେଖ କାହାଣୀ ହେଉଛି ଚନ୍ଦ୍ରମୌଳି ଶ୍ରୀବାସ୍ତବ ଗିରଫ ସମ୍ବାଦ । କେତେ ସପ୍ତାହ ଧର ଖୋଜୁଥିଲା ପୁଲିସ୍‌ । କିନ୍ତୁ ଚନ୍ଦ୍ରମୌଳି ଦିଲ୍ଲୀ ଛାଡ଼ି ହରିୟାନା, ହିମାଚଳ ଏବଂ ତା’ପରେ କାଶ୍ମୀର ପଳାଇ ଯାଇଥିବାରୁ ତାଙ୍କୁ ଗିରଫ କରିବାରେ ଏତେ ବିଳମ୍ବ ହେଲା । ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ଦିଲ୍ଲୀ ସାଉଥ୍‌ ଏକ୍ସଟେନ୍‍ସନ୍‌ ନିବାସ ଏବଂ ହିମାଚଳର କୁଲୁ ଭ୍ୟାଲିର ବଳରାମପୁର ଗ୍ରାମର ପୈତୃକ ନିବାସ ଖାନତଲାସ କରି ସିବିଆଇ ଯେଉଁସବୁ କାଗଜପତ୍ର ଓ ଅନ୍ୟାନ୍ୟ ଦଲିଲ ଦସ୍ତାବିଜ ଜବତ କରିଛି ସେଥିରୁ ଅପରାଧ ଜଗତ ସହିତ ତାଙ୍କ ଲୋମହର୍ଷକ ସମ୍ପର୍କ ଏବଂ ବିଭିନ୍ନ ହତ୍ୟା ଷଡ଼ଯନ୍ତ୍ର ଯୋଜନା ସମ୍ବନ୍ଧରେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସିବିଆଇର ହସ୍ତଗତ ହୋଇଛି । ସେଇ ନଥିପତ୍ରରୁ ଏହାବି ଜଣାପଡ଼ୁଛି ଯେ ଚନ୍ଦ୍ରମୌଳି ଆଉ ଚିଦାନନ୍ଦ ଗୋଟିଏ ବୃନ୍ତର ଦୁଇଟି ଫଳ ।

 

ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ପାଖରୁ ଓ ତାଙ୍କ ନିବାସରୁ ତଲାସିବେଳେ ମିଳିଥିବା ପାଞ୍ଚୋଟି ମୋବାଇଲ୍‌ ଫୋନ୍‌, କ୍ୟାମେରା ଓ ପିସ୍ତଲ ଜବତ କରିଛି ସିବିଆଇ । ପ୍ରାରମ୍ଭିକ ତଦନ୍ତରୁ ଯେତିକି ସୂଚନା ମିଳିଛି ସେଥିରୁ ପଚିଶ ବର୍ଷଧରି ଅପରାଧର ଅନେକ ଲୋମହର୍ଷକ କାହାଣୀର ସୂଚନା ବଳରାମପୁର ବାସଭବନରୁ ପାଇଛି ସିବିଆଇ । ଏଇ ଡାଏରୀରେ ଉଲ୍ଲେଖ ଥିବା ଅନେକ ସମ୍ଭ୍ରାନ୍ତ ପୁରୁଷ ଓ ମହିଳାଙ୍କ ନାମ ସହିତ କ୍ଷମତାଶାଳୀ ରାଜନେତା, ପୁଲିସ୍‌ ଓ ପ୍ରଶାସନର ପ୍ରଭାବଶାଳୀ ଲୋକଙ୍କ ଠିକଣା ଏବଂ ସେମାନଙ୍କ ଗୁପ୍ତ କାର୍ଯ୍ୟସୂଚୀର ଆଭାସ ଡାଇରୀରୁ ପାଇଛି ପୁଲିସ୍‍ । ଏଇ ଚମକପ୍ରଦ ତଥ୍ୟ ସବୁକୁ ବାସ୍ତବ ଅପରାଧ କାହାଣୀ ସହିତ ମେଳ କଲେ ଅନେକ ଜଣାଶୁଣା ଲୋକ ଯେ ପୁଲିସ୍‍ର ଚକ୍ରବ୍ୟୁହ ଭିତରକୁ ଟାଣି ହୋଇ ଆସିଯିବେ ତାହାର ସୂଚନା ମଧ୍ୟ ଦେଇଛନ୍ତି ସ୍ଵତନ୍ତ୍ର ସମ୍ବାଦଦାତା । କୌଣସି ଯୋଜନାକୁ ରୂପରେଖ ଦେବା ପୂର୍ବରୁ କିନ୍ତୁ ଚନ୍ଦ୍ରମୌଳି ଚିଦାନନ୍ଦଙ୍କ ସହିତ ପରାମର୍ଶ କରୁଥିଲେ । ରାଜସାହେବଙ୍କ ଅନୁମତି ନ ନେଇ ସେ କୌଣସି ନିଷ୍ପତ୍ତି ନେଉ ନ ଥିଲେ ।

 

ଚଣ୍ଡିଗଡ଼ରୁ ପ୍ରାପ୍ତ ବିଶେଷ ସମ୍ବାଦଦାତା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ସବିଆଇ ତଦନ୍ତ ଯେପରି ବନ୍ଦ ହୁଏ ଏବଂ ମିଳିଥିବା କାଗଜପତ୍ର ଓ ସମ୍ବେଦନଶୀଳ ନଥିପତ୍ର ଓ ଡାଇରୀର ଅପରାଧ କାହାଣୀ ପ୍ରକାଶ ନ ପାଏ ସେଥିପାଇଁ ପଦକ୍ଷେପ ନେଇଥିଲେ ଚିଦାନନ୍ଦ । କେତେଜଣ ରାଜନେତା ଓ ଉଚ୍ଚପଦାଧିକାରୀଙ୍କୁ ଧରି ଦିଲ୍ଲୀରୁ ଚାପ ପକାଇଥିଲେ ମଧ୍ୟ ଏ ବିଷୟ ଚପାଇ ଦେବାର ଉଦ୍ୟମ ହେଲେ ଗଣମାଧ୍ୟମ ଆହୁରି ଅତି ଗୋପନୀୟ ଓ ବିସ୍ଫୋରକ ତଥ୍ୟ ପ୍ରକାଶ କରିବାର ସମ୍ଭାବନା ଥିବା ଜାଣି ଏ ବିଷୟରେ ଆଗ୍ରହ ଦେଖାଇଥିବା ନ୍ୟସ୍ତସ୍ୱାର୍ଥୀମାନେ ଶେଷରେ ପଛଘୁଞ୍ଚା ଦେଇଥିଲେ । ସ୍ଵତନ୍ତ୍ର ସମ୍ବାଦଦାତା ଏହା ଉଲ୍ଲେଖ କରିବା ସହିତ ଏ ବିଷୟ ଅଧକ ପ୍ରଘଟ ହେଉ ଏହା ଚିଦାନନ୍ଦ ଚାହୁଁ ନ ଥିଲେ । ସ୍ଵତନ୍ତ୍ର ସମ୍ବାଦଦାତା ପ୍ରସଙ୍ଗକ୍ରମେ ଏହା ବି ଉଲ୍ଲେଖ କରିଥିଲେ ଯେ ‘ନିଉ ଟାଇମ୍ସ୍’ର ଭୁବନେଶ୍ଵର ସମ୍ବାଦଦାତାଙ୍କୁ ଦିଲ୍ଲୀରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ ବର୍ଷକ ପୂର୍ବରୁ । ସେ ବିଷୟରେ ଆଉ କୌଣସି ତଥ୍ୟ ନ ପାଇ ପୁଲିସ୍‌ ଫାଇଲ ବନ୍ଦ କରିଦେଇଥିଲା । କିନ୍ତୁ ତଲାସିବେଳେ ମିଳିଥିବା ଡାଏରୀରୁ ପଚିଶ ବର୍ଷ ଧରି ଅପରାଧର ବିସ୍ଫୋରକ ତଥ୍ୟ ମିଳିଛି । ତାହା ପ୍ରକାଶ କରିବା ପୂର୍ବରୁ ଏ ସମ୍ପର୍କରେ ଅଧିକ ତଦନ୍ତପାଇଁ ଅନେକ ସମୟ ଲାଗିବ । ସେଥିପାଇଁ ଏ ବିଷୟରେ କୌଣସି ସୂଚନାତ୍ମକ ଆଗୁଆ ଖବର ଗଣମାଧ୍ୟମକୁ ନ ଜଣାଇବାପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

 

‘ନିଉ ଟାଇମ୍ସ୍’ର ପ୍ରଥମ ପୃଷ୍ଠାରେ ଏଇ ଦୁଇଟି ଅପରାଧ କାହାଣୀର ବିସ୍ତୃତ ବିବରଣୀ ଏବଂ ତା’ ସହିତ କେତେକ ପ୍ରାସଙ୍ଗିକ ଫଟୋ ପ୍ରକାଶ ପାଇଥିବାରୁ ଏଇ ଅପରାଧ କାହାଣୀର ଗୁରୁତ୍ୱ ଅନେକ ବଢ଼ିଯାଇଥିଲା । ଖବରକାଗଜ ପଢ଼ିଥିବା ଅନେକ ବନ୍ଧୁ ଓ ପରିଚିତ ବ୍ୟକ୍ତ ସତ୍ୟକାମକୁ କ୍ରମାଗତ ଟେଲିଫୋନ କରିବାଦ୍ଵାରା ସେ ଦଶଟା ପର୍ଯ୍ୟନ୍ତ ପ୍ରାତଃକୃତ୍ୟ ବି ଶେଷ କରିପାରି ନ ଥିଲା ।

 

ଶ୍ରୀମୟୀ ତା’ ପାଖକୁ ଆସି ଛିଡ଼ା ହେବାରୁ ସତ୍ୟକାମ କହିଲା -“କ୍ଷମାକର ମା’ ଆଜି ଅନେକ ବିଳମ୍ବ ହୋଇଗଲା... ସବୁ ଏତେ ଗୁରୁତ୍ୱପୂର୍ଣ୍ଣ ପୁଣି ଯେ ଠିକ୍‌ ଖବର ନ ଜଣାଇଲେ ଗୁଜବ ରଟିବାର ଭୟ ଅଛି । ଆଉ ଗୁଜବରେ ତ ପର ଲାଗେ ତମେ ଜାଣ ମା’, ମୂଷାଟିଏ ମରିଥିବ କିନ୍ତୁ ହାତୀଟିଏ ମରିଥିବା କାହାଣୀ ପ୍ରସାରିତ ହେବ ଲୋକଙ୍କ ତୁଣ୍ଡରେ । ମହାଭାରତ ଯୁଦ୍ଧର କଥା ପରି-। ‘ନରେ ବା ଗୁଞ୍ଜାରେ ଅଶ୍ଵତ୍‌ଥାମା ହତ ।’ ଯୁଦ୍ଧ ଚାଲିଥାଏ, କାହାରି ସମୟ ନ ଥାଏ ଦେଖିବାପାଇଁ ଦ୍ରୋଣ ପୁତ୍ର ବୀର ଅଶ୍ଵତ୍ଥାମା ମଲେ ବା ଅଶ୍ୱତ୍‌ଥାମା ହାତୀ ମଲା...’’

 

ହସିଲେ ଶ୍ରୀମୟୀ । ସେ ଖୁସିହେଲେ ଯେ ତାଙ୍କ ମୁହଁରୁ ଶୁଣିଥିବା ମହାଭାରତର କାହାଣୀ ମନେରଖିଛି ପୁଅ । ସ୍କୁଲର ଶିକ୍ଷୟିତ୍ରୀ ସେ । ଛାତ୍ରମାନଙ୍କୁ ଦେଶର ଜଳବାୟୁ ପାଣିପବନ କଥା କହିବାକୁ ହେବ, ଇତିହାସ ଓ ସଂସ୍କୃତି କହିବାକୁ ହେବ ଏବଂ ଏଇ ପ୍ରାଚୀନ ସଭ୍ୟତାର କାହାଣୀ ମଧ୍ୟ ଶୁଣାଇବାକୁ ପଡ଼ିବ । ଏ ଦେଶର ଲୋକଙ୍କ ନାଡ଼ି ନକ୍ଷତ୍ରରେ ଭାରତର ଅତୀତ ଛାପି ହୋଇ ରହିଛି । ଗାଁର ମଣିଷଟିଏ ପୋଖରୀ ବା ନଦୀରେ ସ୍ନାନ କଲାବେଳେ ପିତୃପୁରୁଷଙ୍କ ନାମ ଉଚ୍ଚାରଣ କରି ତର୍ପଣ କରେ । ମାଟିର କେତେ ଭିତରକୁ ଯାଇଛି ଏ ଚେର ! ସେଥିପାଇଁ ହଜାରେ ବର୍ଷର ପରାଧୀନତା ସତ୍ତ୍ଵେ ଲୋପ ପାଇନି ସନାତନ ଧର୍ମ... ବଞ୍ଚି ରହିଛି ଭାରତବର୍ଷ ଏବଂ ଲୋକମାନଙ୍କର ସଂସ୍କାର ଓ ସଂସ୍କୃତି ।

 

ଧୁଆଧୋଇ ହୋଇ ଲୁଗା ବଦଳାଇ ଫେରିଆସିଲା ସତ୍ୟକାମ ।

 

ଟେବୁଲ ଉପରେ ସବୁ ରଖି ଦେଇଥିଲା ଲକ୍ଷ୍ମୀ ।

 

ସତ୍ୟକାମ କହିଲା - ଆଜି ସାଙ୍ଗ ହୋଇ ଖାଇବା ମା’... ତମେ ବି ବସ...

 

ଶ୍ରୀମୟୀ ଠଉରାଇ ନେଲେ ଯେ ପୁଅ କିଛି କହିବାକୁ ଚାହେଁ... କୌଣସି ପ୍ରସଙ୍ଗରେ ତାଙ୍କ ସହିତ ପରାମର୍ଶ କରିବାର ଥିଲେ ଖାଇବାବେଳେ ସେ କହିଥାଏ ସେଇ କଥା ।

 

ରୋଟି, ଡାଲି, ଜହ୍ନି ପୋସ୍ତତରକାରି, ମାଛଭଜା, ବଡ଼ିଚୂରା ।

 

ଖାଇବା ଆରମ୍ଭକରି କହିଲା ସତ୍ୟକାମ - ଆଜି ଘରକୁ ଫେରିବା ବାଟରେ ହାସ୍‍ପାତାଲ ଯାଇଥିଲି... ମାଉସୀ ବି ଥିଲେ ସେଠାରେ... ବାନୁର ଦେହ ଭଲ ଅଛି... ଘା’ ଶୀଘ୍ର ଭଲ ହୋଇଯିବ... ଦୁଇ ତିନି ଦିନ ପରେ ଛାଡ଼ିଦେବେ...

 

- ‘ଆଉ କ’ଣ କହୁଥିଲେ ସୁରେୟା ?’

 

-‘ଏଇ ଘଟଣା ସେମାନଙ୍କୁ ଦୋହଲାଇ ଦେଇଛି । ଉଦାସ ଦିଶୁଥିଲା ବାନୁ...’

 

-‘ଭଗବାନ୍‌ ରକ୍ଷାକଲେ ନଚେତ କ’ଣ ହୋଇଥାନ୍ତା କେଜାଣି ?’

 

- ‘ସେମାନେ କହୁଥିଲେ...’

 

-‘କଣ କହୁଥିଲେ ? ’ ପଚାରିଲେ ଶ୍ରୀମୟୀ ।

 

- ‘ୟା ପରେ ବି କ’ଣ ଆମ ମତ ଅପରିବର୍ତ୍ତିତ ରହିବ ?’

 

-‘ତୁ କଣ କହିଲୁ ?’ ଜାଣିବାକୁ ଚାହିଁଲେ ଶ୍ରୀମୟୀ ?

 

- ମୁଁ କହିଲି ଆମର ପୂର୍ବ ନିଷ୍ପତ୍ତିରେ କିଛି ପରିବର୍ତ୍ତନ ହୋଇନାହିଁ... ଏଇଟା ମାଛ ହାଟ ନୁହେଁ ଯେ ନିଷ୍ପତ୍ତି ଥରକୁ ଥର ବଦଳିବ... ତୁମକୁ ନ ପଚାରି ଏତକ କହି ଦେଇଛି... କିଛି ଭୁଲ କରିନି ତ ମା’ ?’’

 

ଖୁସି ହୋଇ କହିଲେ ଶ୍ରୀମୟୀ - ‘‘ମୁଁ ଯାହା କହିଥାନ୍ତି ତୁ ସେୟା କହିଛୁ... ମୋର ମାନ ରଖିଛୁ ସତ୍ୟ... ତୋ କଥା ଶୁଣି ବାନୁ ଖୁସି ହେଲା... ?’’ ମୁହଁ ଉପରେ ହସ ଖେଳାଇ ପଚାରିଲେ ଶ୍ରୀମୟୀ ।

 

-‘‘ହଁ ମା’ଝିଅ ଦୁହେଁ ଖୁସି ହେଲେ । ମାଉସୀ ତ କହିଲେ ସେ ଜୀବନସାରା ତମ ପାଖରେ କୃତଜ୍ଞ ରହିବେ... । ସେମାନେ ଭଲ ଲୋକ ନା ମା’ ?’’

 

ତା’ ଥାଳିରେ ଆଉ ଗୋଟେ ମାଛଭଜା ଦେଇ କହିଲେ ଶ୍ରୀମୟୀ -‘ସେମାନେ ନିଶ୍ଚୟ ଭଲ ଲୋକ...ମୁଁ ଅନେକ ଭାବିଚିନ୍ତି ନିଷ୍ପତ୍ତି କରିଛି... ଫାଦର୍‍ଙ୍କ ଆଶୀର୍ବାଦ ରହିଛି... ଧର୍ମ, ଜାତି ମଣିଷକୁ ବଡ଼ କରିବାପାଇଁ ଉଦ୍ଦିଷ୍ଟ; କ୍ଷୁଦ୍ର, ସଂକୀର୍ଣ୍ଣ କରିବାପାଇଁ ନୁହେଁ... ।

 

ପୁଅ ହାତକୁ ଖିରି ଟିକେ ବଢ଼ାଇ ଦେଇ କହିଲେ - ‘ଏଇଟା ମୁଁ କରିଛି... ଆଉ ସବୁ ଲକ୍ଷ୍ମୀର ହାତ ତିଆରି ।’

 

ଖିରିରୁ ଚାମୁଚେ ପାଟିରେ ଦେଇ ଖୁସି ହୋଇ କହିଲା ସତ୍ୟ - ‘ତମ ହାତର ପରଶ ବାରି ହୋଇପଡ଼ୁଛି...।’

 

ଖାଇସାରିବା ପରେ ସତ୍ୟ କଥା ହେଲା ସମ୍ପାଦକଙ୍କ ସହିତ ଅର୍କ ପ୍ରେସ୍‌ରେ । ହସ୍‍ପିଟାଲରେ ବୋମା ଫୁଟାଇଥିବା ଲୋକଟା ଲାପତ୍ତା ହୋଇଯାଇଥିଲା... ସେଇ ଏରିଆଟାକୁ ପୁଲିସ୍‌ ସିଲ୍‌କରି ରଖିଥିଲା ଆଉ ଘର ଘର ବୁଲି ତଲାସି କରୁଥିଲା । ଯଦି କିଛି ଖବର ମିଳିଯାଏ ତେବେ ଅନ୍ୟମାନେ ଜାଣିବା ପୂର୍ବରୁ ତାଜା ଖବର ‘ନିଉ ଟାଇମ୍ସ୍’ରେ ବାହାର କରିବା ହେବ ବାହାଦୁରି । ଖବରକାଗଜରେ କାମ କଲେ ଖବର ରାସ୍ତାକଡ଼ରୁ, ବଜାରରୁ, କାରଖାନାକୁ ଯାଇ ଆଣିବାକୁ ହୁଏ... କେହି ଦୟା କରି ଘରେ ଆସି କହି ଦେଇଯିବ ନାହିଁ । ଫାଷ୍ଟ, ଇଜ୍‌ ଅଲଓ୍ୱେଜ୍‌ ବେଷ୍ଟ୍... ।

 

କାମ ସାରୁ ସାରୁ ବାରଟା ବାଜିଗଲା । ବିଛଣାରେ ପଡ଼ିଗଲେ କାଳେ ଆଖିପତା ଲାଗିଯିବ ସେଥିପାଇଁ ସେ ଶୋଇବାକୁ ନ ଯାଇ ଆରାମ ଚେଆରରେ ବସି ବହି ପଢ଼ିବାକୁ ଲାଗିଲା-। ‘Towards Revealing Truth’ ନୂଆ ବାହାରିଛି । ମଡ଼ର୍ଣ୍ଣ ବୁକ୍‌ଷ୍ଟଲରୁ କାଲି କିଣି ଆଣିଥିଲା ।

 

ପଢ଼ୁ ପଢ଼ୁ କେତେବେଳେ ଆଖି ଲାଗିଯାଇଥିଲା ଜାଣି ନ ଥଲା ସତ୍ୟ । ହଠାତ୍‌ ଟେଲିଫୋନଟା ବାଜିଉଠିଲା । ରିସିଭରଟା ଉଠାଇନେଇ ମୁହଁ ପାଖରେ ରଖିଲା ।

 

ସେପଟୁ ପରିଚିତ ସ୍ଵର ଭାସିଆସିଲା ପଲ୍ଲବର -‘‘ଶୋଇଯାଇଥିଲୁ କି ? ଶୁଣ୍‌ ଶୁଣ୍‌ ଗୋଟେ ଜବର ଖବର... ସେଇ ଲୋକଟା ଧରାପଡ଼ିଛି । ପାଇଖାନା ଭିତରେ ଲୁଚିଥିଲା... ଗୋଡ଼ରେ ଗୁଳି ବାଜିଥିଲା... ବେଶି ଦୂର ଯାଇ ନ ପାରି ପଶିଯାଇଥିଲା ସିନେମା ହଲ୍‌ ପାଇଖାନା ଭିତରେ... ତା’ ନାମଟା ଶୁଣି ଖୁସି ହେବୁ... ସେଇ ଟୋକାଟା ହାରୁ ମିଆଁର ସାନ ଭାଇ ଦିଲୁ ମିଆଁ... ଭଡ଼ାଟିଆ ଗୁଣ୍ଡା... ଟ୍ରିପଲ ମର୍ଡର କେସ୍‌ ସହିତ ଇଏ ସମ୍ପୃକ୍ତ... । ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି ତାକୁ... ସଶସ୍ତ୍ର ପୁଲିସ୍‍ ଜଗି ରହିଛନ୍ତି... ମୁଁ ଏଇନେ ଫେରୁଛି ସେଠାରୁ...’’

 

କାନ୍ଥ ଘଡ଼ି ଉପରେ ଦୃଷ୍ଟି ପଡ଼ିଲା ସତ୍ୟକାମର । ଦୁଇଟା ପନ୍ଦର ମିନିଟ୍‌ । ତିନିଟାରେ ଛାପା ଆରମ୍ଭ ହେବ ସକାଳ ସଂସ୍କରଣ । ଆଉ ମୁହୂର୍ତ୍ତେ ଅପେକ୍ଷା ନ କରି ସେ ଡାଏଲ କଲା । ପ୍ରେସ୍‌ରେ ଅପେକ୍ଷା କରୁଥିଲା ଅର୍କ । ସେ ଟେଲିଫୋନ୍‌ ଉଠାଇବାକ୍ଷଣି କହିଲା ସତ୍ୟ -‘‘ମୁଁ ଡାକୁଛି ତୁ ଲେଖିନେ ଏବଂ ସାଙ୍ଗେ ସାଙ୍ଗେ ଡିଟିପି କରି ସର୍ବଶେଷ ସକାଳ ସଂସ୍କରଣପାଇଁ ପ୍ରଥମ ପୃଷ୍ଠାରେ ବକ୍ସରେ ଏ ଖବର ବାହାର କର ଠିକ୍‌ ଡାକ୍ତରଖାନାରେ ବୋମା ଆତଙ୍କ ଖବରକୁ ଲାଗି । ତା’ପରେ ବିଭିନ୍ନ ଅପରାଧରେ ଜଡ଼ିତ ହାରୁ ମିଆଁର ସାନଭାଇ ଦିଲୁ ମିଆଁ କିପରି ହସ୍‍ପିଟାଲରେ ବୋମା ଫୁଟାଇ ତିନି ଜଣ ପୁଲିସ୍‌ଙ୍କୁ ଆହତ କରି ପଳାଇ ଯିବାବେଳେ ଗୋଡ଼ରେ ଗୁଳି ବାଜିବା ସତ୍ତ୍ଵେ ଖସିଯାଇ ପାଖ ସାହିରେ ଲୁଚି ରହିଥିଲା ସେସବୁର ବର୍ଣ୍ଣନା କଲା । ଏହା ବି ଜଣାଇଦେଲା ଯେ ସେ ସିନେମା ହଲର ପାଇଖାନା ଭିତରେ ଲୁଚି ରହିଥିଲା । ପୁଲିସ୍‌ କୁକୁର ରକ୍ତ ପଡ଼ିଥିବା ରାସ୍ତାରେ ଯାଇ ସେଇ ପାଇଖାନା ପାଖରେ ପହଞ୍ଚିଲା ଏବଂ ସେଠାରେ ମଧ୍ୟ ରକ୍ତ ପଡ଼ିଥିବା ଦେଖି ନ ଖୋଲି ବାହାରି ନ ଆସିଲେ କବାଟ ଭାଙ୍ଗି ବାହାର କରାଯିବ ବୋଲି ଧମକ ଦେଲା ପୁଲିସ୍‌ । ତା’ପରେ ଦିଲୁ ମିଆଁ କବାଟ ଖୋଲିଲା ଏବଂ ପୁଲିସ୍‍ ତାକୁ ଗିରଫ କରି ଚିକିତ୍ସାପାଇଁ ହାସ୍‌ପାତାଲରେ ଭର୍ତ୍ତି କରିଛି । ସଶସ୍ତ୍ର ପୁଲିସ୍‍ ସେଠାରେ ଜଗି ରହିଛନ୍ତି ଦିଲୁ ମିଆଁକୁ । ଗୁଳି ବାହାର କରିବାପାଇଁ ତାକୁ ଅପରେସନ୍‌ ଟେବୁଲକୁ ନବା ପୂର୍ବରୁ ପୁଲିସ୍‌ ତା’ର ବୟାନ ରେକର୍ଡ଼ କରିଛି । ଟ୍ରିପଲ୍‌ ମର୍ଡ଼ର ଘଟଣା ସହିତ ଦିଲୁ ମିଆଁ ବି ସମ୍ପୃକ୍ତ । ସେ ବିଷୟ ସେ ନିଜେ ସ୍ଵୀକାର କରିଛି । ପୁଲିସ୍‌ ତାକୁ ଅଧିକ ଜେରା କରିବ ଅପରେସନ୍‌ ପରେ ଡାକ୍ତରଙ୍କ ଅନୁମତି ନେଇ । ଏହା ସହିତ ଅର୍କକୁ କହିବାପାଇଁ ଭୁଲିଗଲା ନାହିଁ ଯେ ସମସ୍ତ ହତ୍ୟାକାଣ୍ଡ, ଟେଣ୍ଡର ଫିକ୍ସିଂ ଏବଂ ଏକାଧିକ ଧର୍ଷଣ, ଠକେଇ ଓ ଅନ୍ୟାନ୍ୟ ଧର୍ତ୍ତବ୍ୟ ଅପରାଧ କରିଥବା ଚନ୍ଦ୍ରମୌଳି ଶ୍ରୀବାସ୍ତବ ମଧ୍ୟ କାଶ୍ମୀରର ଗୁଲମାର୍ଗର ଏକ ଗଲ୍ଫ ପଡ଼ିଆରୁ ଗିରଫ ହୋଇଛନ୍ତି ଏବଂ ଶେଖ୍‍ ଅଖ୍‍ତାର ନେପାଳ ସୀମାନ୍ତରେ ଗିରଫ ହୋଇଛି । ଦିଲୁ ମିଆଁର ଭାଇ ହାରୁ ମିଆଁକୁ କଲିକତାରୁ ଗିରଫ କରି ପୁଲିସ୍‌ ଭୁବନେଶ୍ୱର ଆଣିଛି । ଦୁର୍ଯ୍ୟୋଧନ ସିଂ ଧରାପଡ଼ିଛି ସିମିଳିପାଳ ପାଦତଳେ ଥିବା ଚହଲା ପାନ୍ଥନିବାସରୁ ।

 

ମୁଖ୍ୟ ଅପରାଧୀମାନେ ଗିରଫ ହେବା ପରେ ଟେଣ୍ଡର ଫିକ୍ସିଂ, ଧର୍ଷଣ, ଠକେଇ ଓ ଟ୍ରିପଲ ମର୍ଡରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ପ୍ରାୟ ସମସ୍ତେ ପୁଲିସ୍‌ଦ୍ୱାରା ବିଭିନ୍ନ ସ୍ଥାନରେ ଗିରଫ ହେବା ପରେ ଦୀର୍ଘଦିନ ଧରି ଚାଲିଥିବା ଅନୁସନ୍ଧାନ ଶେଷ ଅବସ୍ଥାରେ ପହଞ୍ଚିଛି ।

 

ଅର୍କ ଅନୁଗତ ଓ ବିଶ୍ଵସ୍ତ । ସେ ଯେ କର୍ତ୍ତବ୍ୟ ପାଳନରେ ହେଳା କରିବ ନାହିଁ ଏଇ ବିଶ୍ଵାସ ଅଛି ସତ୍ୟର । କିନ୍ତୁ ତଥାପି ବସି ରହିଲା ଟେଲିଫୋନ୍‌ ପାଖରେ, ଶୋଇ ପାରିଲା ନାହିଁ । ନିଦରୁ ସହରବାସୀ ଉଠିବାବେଳକୁ ‘ନିଉ ଟାଇମ୍ସ୍’ ସେମାନଙ୍କୁ ଜଣାଇଦେବ ସମାଜ କେଉଁଆଡ଼େ ଯାଉଛି-। ଅପରାଧର କାହାଣୀ ସହିତ ଅପରାଧୀମାନଙ୍କ ପରିଚୟ ପାଇ ଶିହରି ଉଠିବେ ସହରବାସୀ । ଧନଜୀବନ ଓ ଇଜ୍ଜତ ଯେ ନିରାପଦ ନୁହେଁ ଏହା ତ ପ୍ରତିଦିନ ରାଜ୍ୟରେ ଘଟୁଥିବା ଅପରାଧରୁ ଜଣାପଡ଼ୁଛି ।

 

ଭୋର ଚାରିଟାବେଳେ ଛାପା ଖବରକାଗଜ ସବୁ ନେଇ ଟ୍ରକ ବିଭିନ୍ନ ସହର ଅଭିମୁଖେ ବାହାରଯିବା ଖବର ଅର୍କ ଜଣାଇଦବା ପରେ ସ୍ୱସ୍ତିରେ ନିଶ୍ୱାସ ମାରି ଶୋଇପଡ଼ିଲା ସତ୍ୟକାମ ।

 

କେତେ ସମୟ ଶୋଇଥିବ କେଜାଣି, ଆଠଟାବେଳକୁ ପ୍ରଥମ ଟେଲିଫୋନ ଆସଲା ସମ୍ପାଦକ ତଲ୍‌ୱାଲ୍‌କରଙ୍କ ଘରୁ । ଧଡ଼ପଡ଼ ଉଠିବସି ହାତରେ ରିସିଭର ଧରିଲା ସତ୍ୟକାମ ।

 

- ‘‘ଓ୍ୱର୍‍ମ କଂଗ୍ରାଚୁଲେସନ୍‌ ସତ୍ୟକାମ । ଏନ୍‌ ଏକ୍ସଲେଣ୍ଟ ଜବ୍‌ ଡନ୍‌... ଗଡ଼୍‌ ବ୍ଲେସ୍‌ ୟୁ... ଗଡ଼୍‌ ସପିଡ଼୍‌...।’’

 

ତାଙ୍କୁ ଧନ୍ୟବାଦ ଜଣାଇବାପାଇଁ ଭୁଲିଗଲା ସତ୍ୟକାମ । ଶ୍ରୀମୟୀ ଆସି ଖବର ଦେଲେ ଯେ ଫାଦର୍‍ ଫୁଲତୋଡ଼ା ନେଇ ଅପେକ୍ଷା କରୁଛନ୍ତି ତାକୁ ଅଭିନନ୍ଦନ ଜଣାଇବା ପାଇଁ... ।

 

ପ୍ରସାଧନ ଘର ଭିତରକୁ ପଶିଯାଇ ହାତ ମୁହଁ ଧୋଇ ସେ ଆସି ଫାଦର୍‍ଙ୍କ ପାଦ ଛୁଇଁ ପ୍ରଣାମ କଲା ।

 

ଫାଦର୍‍ ତା’ ହାତକୁ ଫୁଲତୋଡ଼ା ବଢ଼ାଇ ଦେଇ ମଥାରେ ହାତ ରଖି କହିଲେ -‘‘ଗଡ଼ ବ୍ଲେସ୍‌ୟୁ ମାଇଁ ସନ୍‌... ଗଡ଼ ଇଜ୍‌ ଭେରି କାଇଣ୍ଡ୍ ଆଣ୍ଡ୍ ବିଉଟିଫୁଲ... ତୁମର ସାଧୁ ଉଦ୍ୟମ, ନିଷ୍ଠା ଏବଂ ପ୍ରତିକୂଳତା ବିରୋଧରେ ଲଢ଼ିବାର ଶକ୍ତି ତୁମକୁ ଅନେକ ଉପରକୁ ନେଇଯିବ । ତମେ ଦିନେ କହିଥିଲ ନା ଖବରକାଗଜ ଉପଲକ୍ଷ୍ୟ ମାତ୍ର, କିନ୍ତୁ ଖବରକାଗଜକୁ ମାଧ୍ୟମ କରି ତମେ ଧର୍ମଯୁଦ୍ଧରେ ଯୋଗ ଦେଇଛ ଜଣେ ସୈନିକର ଆତ୍ମବିଶ୍ୱାସ ଓ ସଂକଳ୍ପ ନେଇ...।’’

 

ସତ୍ୟକାମ କହିଲା- ‘‘ଫାଦର୍‍, ଆପଣ ମତେ ସବୁଠୁ ବଡ଼ ପୁରସ୍କାର ଦେଲେ । ମା’ ମତେ ସାହସ ଦେଇଛନ୍ତି । ଆପଣ ଭରସା ଦେଇଛନ୍ତି, ଈଶ୍ୱରଙ୍କ କରୁଣା ମୋତେ ବିଶ୍ୱାସ ଦେଇଛି...ମୁଁ କାମ କରିଯାଉଛି...ଫଳ କ’ଣ ହେବ ସେ ଜାଣନ୍ତି...ପ୍ରାପ୍ତିର ଆଶା ନାଇଁ ମୋର... ।’’

 

ସକାଳର ଭୁବନେଶ୍ଵର ଭିନ୍ନରକମ । ସଡ଼କ ଓ ଛାତ ଉପରେ, ଗଛର ଶାଖା ପ୍ରଶାଖା ଓ ଘାସର ଗାଲିଚା ଉପରେ ଶୀତଦିନର ନରମ ଖରା ଝଲମଲ କରୁଥାଏ... ଆମ୍ବ ଡାଳରେ ଯୋଡ଼ିଏ ହଳଦୀବସନ୍ତ ପ୍ରେମାଳାପ କରୁଥାନ୍ତି... ହକର୍‌ ଡାକି ଡାକି ଯାଉଥାଏ - ନିଉ ଟାଇମ୍ସ୍... ନିଉ ଟାଇମ୍ସ୍... ପଢ଼ନ୍ତୁ... ହସ୍‍ପିଟାଲରେ ବୋମା ବିସ୍ଫୋରଣ କରି ଲୁଚିଥିବା ଅପରାଧୀ ଗିରଫ... ଗୁଲମାର୍ଗରୁ ନାଟର ଗୋବର୍ଦ୍ଧନ ଚନ୍ଦ୍ରମୌଳି ଶ୍ରୀବାସ୍ତବ, ରାଜାସାହେବ ଚିଦାନନ୍ଦ, ରକ୍‌ସୌଲରୁ ଶେଖ୍‍ ଅଖ୍‍ତାର ଗିରଫ ... ହାରୁ ମିଆଁ କଲିକତାରୁ ଗିରଫ...

 

କଫି ରଖି ଦେଇଗଲା ଲକ୍ଷ୍ମୀ ।

 

ଫାଦର୍‍ଙ୍କ ହାତକୁ କଫି କପ୍ ବଢ଼ାଇ ଦବାପରେ ହଠାତ୍‌ ‘ନିଉ ଟାଇମ୍ସ୍’ ଖବରକାଗଜ ଓ ଉପରେ ଦୃଷ୍ଟି ଅଟକିଗଲା ଗୋଟିଏ ଜାଗାରେ...

 

ସେଇ ଜାଗାରେ ଥିଲା ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ଫଟୋ... ପାଖେ ପାଖେ ଥିଲା ଚିଦାନନ୍ଦ ଓରଫ ରାଜାସାହେବ । ଆଖି ଉପରେ କଳା ଚଷମା... । କିନ୍ତୁ ତାହା ସତ୍ତ୍ୱେ ଡାହାଣ ଆଖି ତଳେ ଫୁଟି ଉଠୁଥିଲା ବଡ଼ କଳା ଜାଇଟି...ସେଇ ନାକ... ସେଇ ମୁହଁ... ସେଇ ତୀକ୍ଷ୍‍ଣ ଦୃଷ୍ଟି... । ବୟସର ଛାପ ବେଶି ପଡ଼ିନି । କିନ୍ତୁ ପୂର୍ବର ଲାବଣ୍ୟ ନାହିଁ । ମୁହଁ ଉପରେ କେରାଏ ଦୁଷ୍ଟ ହସ...।

 

ଏଇ ତା’ହେଲେ ସେଇ ଲେଲିହାନ ଶିଖା... । ରାଜାସାହେବ । ଇଏ ଏତେଦିନ ପୁଲିସ୍‌ ଆଖିରେ ଧୂଳି ଦେଇ ଘୂରି ବୁଲୁଥିଲେ ଧରା ନ ପଡ଼ି ।

 

ଭାରସାମ୍ୟ ରକ୍ଷା କରି ନ ପାରି ପଡ଼ି ଯାଉଥିଲେ ଶ୍ରୀମୟୀ .... ତାଙ୍କୁ ଧରି ନେଇ ଚୌକି ଉପରେ ବସାଇ ଦେଇ ବ୍ୟଗ୍ର କଣ୍ଠରେ କହିଲା ସତ୍ୟ -‘‘କ’ଣ ହେଲା ମା’... ତମେ ପଡ଼ିଯାଉଥିଲ...-।’’

 

ଫାଦର୍‍ଙ୍କ ବିସ୍ମୟ ବିସ୍ଫାରିତ ଆଖିର ଦୃଷ୍ଟି କ’ଣ ଯେମିତି ଅନୁସନ୍ଧାନ କରୁଥିଲା ତାଙ୍କ ମୁହଁକୁ ଚାହିଁ । ସେ କୌଣସି ଉତ୍ତର ଦେଲେ ନାହିଁ... ଫେବୃୟାରୀ ମାସର ଶୀତଳ ସକାଳ ସତ୍ତ୍ଵେ ତାଙ୍କ କପାଳ ଉପରେ ଝାଳ... ଶୁଖିଯାଇଥିଲା ଓଠ... ଅନ୍ତର ଭିତରେ ନିଆଁ ଲାଗିଥିବାର ଧାସ...

 

ଅବାକ୍‌ ସତ୍ୟକାମ ମା’ଙ୍କ ମୁହଁକୁ ଅନାଇ ରହିଥିଲା । ସେଇ ମୁହଁ କେମିତି ବିଷର୍ଣ୍ଣ, କ୍ଲାନ୍ତ ଓ କାତର ଜଣାପଡ଼ୁଛି...।

 

ସେ ମା’ଙ୍କ ମୁହଁରେ ଚାମୁଚାଏ କଫି ଢାଳିଦେଇ କହିଲା, ‘ମଥା ବୁଲେଇ ଯାଇଥିବ ବୋଧହୁଏ... ଟିକେ ରିଲାକ୍ସ କର ମା’...।

 

କିନ୍ତୁ ଫାଦର୍‍ କହିଲେ - ‘‘ଡାକ୍ତରଙ୍କୁ ଫୋନ୍‌ କର ସତ୍ୟ... ସେ ଥରେ ଦେଖି ଯାଆନ୍ତୁ । ’’

 

ମୁହଁରୁ କଥା ବାହାରୁ ନ ଥିଲା ଶ୍ରୀମୟୀଙ୍କର । ଫେଣ ପରି ଟିକେ ଲାଗି ରହିଥିଲା ଓଠରେ । କଫି ସେହିପରି ପଡ଼ିରହିଲା ଟେବୁଲ ଉପରେ ।

 

ସତ୍ୟକାମ ଟେଲିଫୋନ୍‌ କରିଦେଲା ଡାକ୍ତରଙ୍କୁ । ତା’ପରେ ସେ ଓ ଫାଦର୍‍ ତାଙ୍କୁ ଚାଲିବାପାଇଁ ନ ଦେଇ ବୋହି ନେଇ ଶୁଆଇଦେଲେ ଖଟ ଉପରେ ।

 

ଫାଦର୍‍ ସତ୍ୟକାମକୁ କୋଣକୁ ଟାଣିନେଇ କହିଲେ -‘‘ ଆଇ ସସ୍‌ପେକ୍ଟ ଇଟ୍‌ ଇଜ୍‌ ହାର୍ଟ ଆଟାକ୍‌.... ହୁଏତ ପ୍ରାଥମିକ ଅବସ୍ଥା...ନର୍ଭସ ହେବାର କାରଣ ନାହିଁ ।

 

ସେ ନିଜେ ହାର୍ଟ ରୋଗୀ । ପକେଟ୍‌ରେ ସର୍ବିଟ୍ରେଟ ଥାଏ ସଦାବେଳେ । ଗୋଟେ ବଟିକା ବାହାରକରି ଶ୍ରୀମୟୀଙ୍କ ଜିଭତଳେ ରଖିଦେଇ କହିଲେ - ‘ତମେ ଚିନ୍ତା କରନା, ସବୁ ଠିକ୍ ହୋଇଯିବ ।’

 

ଫାଦର୍‍ କ୍ରସ କାଟିଲେ ଛାତି ଉପରେ ।

 

ସତ୍ୟକାମର ମୁହଁର ଦ୍ୟୁତି ମୁହୂର୍ତ୍ତକରେ ଫିକା ପଡ଼ିଗଲା । ସେ ମନେ ମନେ ପ୍ରର୍ଥନା କରି କହୁଥାଏ- ‘ହେ ପ୍ରଭୁ, ମା’ଙ୍କୁ ରକ୍ଷାକର...ବଡ଼ ଅଭାଗିନୀ...ବଡ଼ ଦୁଃଖିନୀ ସେ... ତାଙ୍କୁ ଶାନ୍ତି ଦିଅ... ସୁସ୍ଥ କର ।’

 

॥ ଏକତିରିଶ ॥

 

ଜାଫର କବୀରଙ୍କ ଆଖି ଆଗରେ ତାଙ୍କର ଗୋଟିକ ପରେ ଗୋଟିଏ ଯୋଜନା ତାସର ଘର ପରି ଭାଙ୍ଗିପଡ଼ିବ ଏୟା ସେ ସହ୍ୟ କରିପାରୁ ନ ଥିଲେ । ସୁରେୟାଙ୍କ ଚତୁରତା ଯୋଗୁଁ ସବୁ ପ୍ଲାନ୍‌ଫସର ଫାଟି ଯାଇଛି ।

 

ଜାଫର କବୀର ଥରେ ଥରେ ଭାବନ୍ତି ସୁରେୟାଙ୍କୁ ବାହାହୋଇ ସେ ଭୁଲ କରିଛନ୍ତି । ଜଣେ ଡାକ୍ତରାଣୀ ପତ୍ନୀ ଥିଲେ ପରିବାରର ସ୍ୱଚ୍ଛଳତା ବଢ଼ିଯିବ ଭାବି ସେତେବେଳେ ରାଜି ହୋଇଯାଇଥିଲେ ସେ । କିନ୍ତୁ ଜଣେ ଡାକ୍ତର ଯେ ଜଣେ ଆସିଷ୍ଟାଣ୍ଟ ଜେଲରଠାରୁ ଉଚ୍ଚପାହ୍ୟାର ଚାକିରିଆ ସେଇ ତାରତମ୍ୟ କଣ୍ଟାପରି ତାଙ୍କ ତଣ୍ଟିରେ ଲାଗୁଥିଲା ସଦାବେଳେ । ଡାକ୍ତର ସୁରେୟା କିନ୍ତୁ ଯେତେ ବିନୟୀ ଓ ଭଦ୍ର ବ୍ୟବହାର କଲେ ମଧ୍ୟ ସେଇଟାକୁ ପୁରୁଷର ପ୍ରାପ୍ୟ ବୋଲି ମନେକରନ୍ତି ଜାଫର ସାହେବ । ଅଧିକ ପତ୍ନୀ ଗ୍ରହଣ କରିବାର ସୁବିଧା ଥିଲା ଅବଶ୍ୟ, କିନ୍ତୁ ସେ ଝାମେଲାରେ ଆଉ ନ ପଶି କେବଳ ଦୁଇ ଜଣ ମହିଳାଙ୍କ ସହିତ ଦୈହିକ ସମ୍ପର୍କ ରଖି ଶୋଷ ମେଣ୍ଟାଉଥିଲେ କବୀର ସାହେବ । ସେ ସିନା ବୁଢ଼ା ହୋଇଗଲେଣି, କିନ୍ତୁ ସୁରେୟାଙ୍କୁ ପଚାଶ ଚାଲିଥିଲେ ବି ସେ ପଇଁତିରିଶ ଚାଳିଶ ବର୍ଷର ମହିଳା ପରି ଜଣାପଡ଼ନ୍ତି । କିନ୍ତୁ ସ୍ତ୍ରୀଙ୍କ ସାନ୍ନିଧ୍ୟ ଆଉ ପାଆନ୍ତି ନାହିଁ । ସାମର୍ଥ୍ୟ ବଳାଏ ନାହିଁ ସେଥିପାଇଁ । ସେଇ ଅବଶୋଷଟା ଛାତିତଳେ ଗର ଗର ହୁଏ । ବେଳେ ବେଳେ ପିତ୍ତ ଚଢ଼ିଯାଏ, ଛାଟିପିଟି ହୁଅନ୍ତି ଏବଂ ସେତେବେଳେ ସୁରେୟାଙ୍କୁ ପାଖରେ ପାଇଲେ ଦଳିଚକଟି ପକାନ୍ତେ ।

 

କିନ୍ତୁ ଶେଖ୍‍ ଅଖ୍‍ତାରଙ୍କ ପରି ବିତ୍ତଶାଳୀ, ପ୍ରଭାବଶାଳୀ ପରିବାର ସହିତ ସମ୍ପର୍କ କରିବାପାଇଁ କାହିଁକି ସୁରେୟା ରାଜି ନୁହଁନ୍ତି ସେଇ କାରଣ ଖୋଜି ପାଆନ୍ତି ନାହିଁ । ସେ ଯେତେହେଲେ ଘରର ମାଲିକ । ପୁରୁଷର ଅଧିକାର ତାଙ୍କର ଅଛି । ବେଳେ ବେଳେ ଭାବନ୍ତି ତଲାକ୍‌ ଦବା ପାଇଁ । କିନ୍ତୁ ତଲାକ୍‌ ଦେଲେ ଯେ ସୁରେୟାଙ୍କର କିଛି କ୍ଷତି ହେବ ନାହିଁ ବରଂ ତାଙ୍କର ବେଶି କ୍ଷତି ହେବ ତାହା ଭାବିବାକ୍ଷଣି ଶୀତଳ ହୋଇଯାଏ ଦେହ । ଝିଅଟା ମା’ଭଳିଆ ହୋଇଛି । ଭାବିଥିଲେ ଶେଖ୍‍ ସାହେବଙ୍କ ପୁଅ ସହିତ ସମ୍ବନ୍ଧ ପଡ଼ିଲେ ସେ ରାଜି ହୋଇଯିବ । କିନ୍ତୁ ତା’ ବି ହେଲା ନାହିଁ । ହୁମାୟୁନ୍‍ ଯେ ଜାଣିଶୁଣି ତା’ ସାଙ୍ଗ ସତ୍ୟକାମକୁ ତାଙ୍କ ଘରକୁ ଡାକିଆଣେ ଭଉଣୀକୁ ଆଳାପ କରିବାପାଇଁ ସୁଯୋଗ ଦବାଲାଗି, ସେଇକଥା ମନେପଡ଼ିଲେ ମଥାରୁ ରାଗରେ ବାଳ ଛିଣ୍ଡାନ୍ତି କବୀର ସାହେବ ।

 

ମନରୁ ବିରକ୍ତ ଭାବଟା ଯାଉ ନ ଥାଏ । କିପରି ଗୋଟାଏ ନିଷ୍ଠୁର ଅସହାୟତା ବୋଧ ତାଙ୍କ ତଳିପାରୁ ତାଳୁ ପର୍ଯ୍ୟନ୍ତ କ୍ରମଶଃ ଆଚ୍ଛନ୍ନ କରି ରଖିଥିଲା । ବାରନ୍ଦାରେ ଏ ମୁଣ୍ଡରୁ ସେମୁଣ୍ଡ ଅସ୍ତ୍ରଭାବେ ଚାଲୁଥିବାବେଳେ ଜଣେ କେହି ଅଟୋରୁ ଓହ୍ଲାଇଲେ ।

 

ଅଟୋରୁ ଓହ୍ଲାଇଥିବା ସେଇ ଲୋକ ତାଙ୍କ ଫାଟକ ଖୋଲି ଭିତରକୁ ପ୍ରବେଶ କରୁଥିବା ଦେଖି ଜାଫର କବୀର ଆଗେଇ ଯାଇ ପ୍ରଶ୍ନ କଲେ, ‘‘କାହାକୁ ଖୋଜୁଛନ୍ତି ?’’

 

ସେ ଲୋକଟି କହିଲା, ‘‘ମୋ ନାମ ଚନ୍ଦ୍ରଶେଖ୍‍ର ରାଓ । ଏଇ ଭିଏସ୍‌ଏସ୍‌ ନଗରରେ ଥାଏ ।’’

 

-‘‘ଆପଣ କ’ଣ କରନ୍ତି... କ’ଣ କାମ ଆପଣଙ୍କର ଏଠାରେ ?’’ ପ୍ରଶ୍ନକଲେ କବୀର ସାହେବ ।

 

-‘‘ମୁଁ ଲିଆସନିଂ କରେ । ବାହାରେ ରହୁଥିବା ବଡ଼ ବଡ଼ ଲୋକଙ୍କ ଛୋଟ ଛୋଟ କାମ ଏଠାରେ ଥିଲେ ମୁଁ ତାହା କରିଦିଏ । ମୋ ପ୍ରାପ୍ୟ ମିଳିଯାଏ ।’’

 

-‘‘କହନ୍ତୁ କାହିଁକି ଆସିଛନ୍ତି ?’’

 

-‘‘ଚିଦାନନ୍ଦ ଓରଫ ରାଜାସାହେବ ପଠାଇଛନ୍ତି ।’’

 

- ସେ କିଏ ?’’

 

- ‘‘ଆଗେ ଜମିଦାର ଥିଲେ, ଏବେବି କିନ୍ତୁ ତାଙ୍କୁ ଆମେ ରାଜାସାହେବ ବୋଲି ଜାଣୁ ଯଦିବା ଏହା ବି ଜାଣୁ ଯେ ଜମିଦାରୀ ଆଉ ନାହଁ ।’’

 

-‘‘ଏଥର କହନ୍ତୁ କ’ଣ କାମ ଅଛି ମୋ ପାଖରେ... ।’’

 

-‘‘ଆପଣଙ୍କ ଝିଅ ଏମ୍‌.ଏ.ପାସ୍‌ କରିଛି...ତାଙ୍କପାଇଁ ଗୋଟେ ଭଲ ପ୍ରସ୍ତାବ ନେଇ ଆସିଛି-। ଯଦି ଆପଣମାନେ ରାଜି ହୁଅନ୍ତି ତେବେ ପ୍ରସ୍ତାବ ନେଇ ଆଗେଇବେ ରାଜାସାହେବ ।’’

 

- ‘‘କିଏ ପ୍ରାର୍ଥୀ... କ’ଣ କରନ୍ତି...ଘର କେଉଁଠି... ?’’

 

-‘‘ଘର ଲକ୍ଷ୍ନୌରେ । ଶିଳ୍ପପତି ଇକ୍‌ବାଲ ହୁସେନ୍‌ଙ୍କ ପୁଅ... ପୁଅ ଏମ୍‌.ବି.ଏ., ସେ ବି ବାପାଙ୍କ ବିଜିନେସ୍‌ରେ...’’

 

ତାଙ୍କୁ ଏଥର ବସିବାକୁ କହିଲେ ଜାଫର ସାହେବ ।

 

ତା’ପରେ ତାଙ୍କଠାରୁ ସବୁ ଖବର ନେଲେ । ଏପରି ପ୍ରସ୍ତାବ ଭାଗ୍ୟରେ ଥିଲେ ମିଳେ । ରାଜରାଣୀ ହେବ ଝିଅ । ଶେଖ୍‍ ଅଖ୍‍ତାରଙ୍କ ପୁଅ ସହିତ ପ୍ରସ୍ତାବ ନାକଚ କରି ଦେଇଥିଲେ ସୁରେୟା, କିନ୍ତୁ ରାଜାସାହେବଙ୍କ ପ୍ରସ୍ତାବ କାଟିଦବାପରି ସାହସ ହବନି ତାଙ୍କର ।

 

ଚନ୍ଦ୍ରଶେଖ୍‍ର ରାଓ କହିଲେ, ‘‘ମୁଁ ରାଜାସାହେବଙ୍କୁ କ’ଣ ଖବର ଦେବି ?’’

 

‘‘କହିବେ ଯେ ଏ ପ୍ରସ୍ତାବ ଆମର ପସନ୍ଦ ହେଉଛି । କିନ୍ତୁ ଆଲ୍ଲାଙ୍କ ଇଚ୍ଛା...ମୁଁ ତାଙ୍କୁ ଖବର ଦେବି...।’’ ଖୁସିହୋଇ କହିଲେ ଜାଫର ସାହେବ ।

 

ସୁରେୟା ଘରେ ନ ଥିଲେ କିମ୍ବା ଝିଅ ବି ନ ଥିଲା । ଦୁହେଁ ହୁଏତ ବଜାର ଯାଇଥିବେ । ଭିତରକୁ ଯାଇ ଚା’ ଜଳଖିଆ ଦବାପାଇଁ ଆୟେସା ବିବିକୁ କହିଲେ । ପ୍ରସ୍ତାବ ନେଇ ଆସିଛି ଯିଏ ତାକୁ ଭଦ୍ରତା ଖାତିରରେ ଆପ୍ୟାୟିତ କରିବା ଉଚିତ ହେବ ।

 

ଚନ୍ଦ୍ରଶେଖ୍‍ର ଚା’ ଜଳଖିଆ ଖାଉଥିବାବେଳେ ହଠାତ୍‌ ଜାଫରଙ୍କ ଦୃଷ୍ଟି ପଡ଼ିଗଲା ଟେବୁଲ ଉପରେ ଥୁଆ ହୋଇଥିବା ‘ନିଉ ଟାଇମ୍ସ୍’ କାଗଜ ଉପରେ । ସେତେବେଳେ ମନେହେଲା ଯେ ଆଜିର ଖବର ପଢ଼ା ହୋଇନାହିଁ । ଖବରକାଗଜଟା ଉଠାଇ ନେଇ ପ୍ରଥମ ପୃଷ୍ଠାରେ ବାହାରିଥିବା ବୋମା ବିସ୍ଫୋରଣ ସମ୍ବାଦ ସହିତ ବିଭିନ୍ନ ସ୍ଥାନରୁ ଗିରଫ୍‌ ହୋଇଥବା ଲୋକଙ୍କ ଲମ୍ବା ନାମ ତାଲିକା ପଢ଼ି କବୀର ସାହେବ ବିସ୍ମିତ ହୋଇଗଲେ । ତାଙ୍କ ତଣ୍ଟି ଶୁଖିଗଲା ଏବଂ ଆଖି ଆଗରେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଜାଣନ୍ତି ସେମାନଙ୍କ ଛବି ନାଚିଉଠିଲା । ଶେଖ୍‌ ଅଖ୍‍ତାର, ହାରୁ ମିଆଁଙ୍କୁ ଯେ ପୁଲିସ୍‍ ଆରେଷ୍ଟ କରିଛି ଏବଂ ସେମାନେ ଟ୍ରିପଲ ମର୍ଡର ଓ ଅନ୍ୟାନ୍ୟ ଅନେକ ଅପରାଧ ସହିତ ଜଡ଼ିତ ସେଇ କାହାଣୀର ଯତ୍‌କିଞ୍ଚିତ ଖବରକାଗଜରୁ ପଢ଼ିବା ପରେ ତାଙ୍କ ସର୍ବାଙ୍ଗ ହିମଶୀତଳ ହୋଇଗଲା ।

 

ଚନ୍ଦ୍ରଶେଖ୍‍ର ଚା’ ପିଇ ସାରିବା ପରେ ତାଙ୍କ ହାତକୁ ଖବରକାଗଜଟା ବଢ଼ାଇ ଦେଇ କହିଲେ କବୀର ସାହେବ -‘‘ଆଜିର ଖବରକାଗଜ...’’

 

ଚନ୍ଦ୍ରଶେଖ୍‍ର ଖବର ପଢ଼ିସାରି ସ୍ତବ୍ଧ ହୋଇଗଲେ । ରାଜାସାହେବଙ୍କୁ ଯେ ପୁଲିସ୍‌ ଗିରଫ୍‌ କରିସାରିଲାଣି ଏଇ ଖବର ମଧ୍ୟ ପ୍ରକାଶ ପାଇଥଲା । ଏତେବେଳକୁ ହୁଏତ ପୁଲିସ୍‌ ତାଙ୍କୁ ଆଣୁଥିବ ଭୁବନେଶ୍ୱର...।

 

ଟେଲିଫୋନ୍‌ ବାଜିଲା । ଉଠିଯାଇ ରିସିଭର୍‌ଟା ଉଠାଇନେଲେ ଜାଫର କବୀର । ସେପାଖରୁ କହିଚାଲିଥିଲା ଅର୍କ -‘‘ଭାଇସାହେବ, ବାଜିମାତ୍‌ କଲେ ଆପଣମାନେ । ସମସ୍ତେ ଧରା ପଡ଼ିଗଲେ, ଶିକୁଳିରୁ ଖସି ଯାଉଁ ଯାଉଁ ରାଜାସାହେବ ଚିଦାନନ୍ଦ ବି ଧରା ପଡ଼ିଗଲେ । ଏଇ ଏଥର ଶେଖ୍‌ ଅଖ୍‍ତାରର ଦୁର୍ଗ ପତନ ଅତି ସହଜ...।’’

 

ଟେଲିଫୋନ୍‌ଟା ଖସିପଡ଼ିଲା ତାଙ୍କ ହାତରୁ । ହୁମାୟୁନ୍‍ ପାଇଁ ଉଦ୍ଦିଷ୍ଟ ଥିଲା ସେଇ ଫୋନ୍‌ବାର୍ତ୍ତା ।

 

ସବୁ ଫାଙ୍କା ଦିଶୁଥିଲା । ନିଜର ଅବସ୍ଥିତି ସମ୍ପର୍କରେ ମଧ୍ୟ ଭୁଲି ଯାଇଥିଲେ କବୀର ସାହେବ ।

 

ତାଙ୍କୁ ନମସ୍କାର, ଜଣାଇ ଚନ୍ଦ୍ରଶେଖ୍‍ର ରାଓ କେତେବେଳେ ଚାଲିଯାଇଥିଲେ ତାହା ମନେ ନ ଥଲା ତାଙ୍କର ।

 

କେତେବେଳ ପର୍ଯ୍ୟନ୍ତ ଏମିତି ବସିଥିଲେ କେଜାଣି ଘର ଭିତରକୁ କେହି ପ୍ରବେଶ କରୁଥିବା ଶବ୍ଦ କାନରେ ପଡ଼ିଲା ଆସି । ସେ ଚାହିଁଲେ ବାହାରକୁ...। ସେତେବେଳକୁ ଘର ଭିତରକୁ ପଶି ଆସୁଥିଲେ ସୁରେୟା, ବାନୁ ଏବଂ ହୁମାୟୁନ୍‍...।

 

ସଜବାଜ ହୋଇ କୋଉଠିକୁ ଯାଇଥିଲେ ବୋଧହୁଏ । ନ ହେଲେ ତିନିଜଣ ଏକା ସାଙ୍ଗରେ ଫେରୁଛନ୍ତି କିପରି ? ଘରେ ଯେ ଆଉ ଜଣେ ଲୋକ ଅଛି ତାଙ୍କୁ କିଛି ଜଣାଇବା ଦରକାର ଭାବିଲେନି କେହି ।

 

ପିତ୍ତ ଚଢ଼ିଗଲା କବୀର ସାହେବଙ୍କର । ସେ ଗଳା ଉଚ୍ଚକରି ଡାକିଲେ - ‘‘ବାନୁ, ଶୁଣିଲୁ...।’’

 

ଝିଅ ଆସି ଛିଡ଼ା ହେଲା ତାଙ୍କ ଆଗରେ ।

 

-‘‘କୋଉଠି କି ଯାଇଥିଲ ? କ’ଣପାଇଁ ଯାଇଥିଲ ଶୁଣେ... ।’’ ସ୍ୱର ଉଚ୍ଚ କରି କହିଲେ ସେ । ବାନୁ ଥମକି ଛିଡ଼ା ହୋଇଗଲା । ବାପା ରାଗିଗଲେ ଏଇପରି କଡ଼ାସ୍ଵରରେ କଥା କହନ୍ତି । ସେ ନିରବରେ ଛିଡ଼ା ହୋଇଥିବା ଦେଖି କହିଲେ - ‘‘ମୁଁ ପଚାରୁଛି ପରା ତୋତେ ଶୁଭୁନି ?’’

 

-‘‘ବାବା, ଆମେ ଫାଦର୍‍ ଆବ୍ରାହମ୍‌ଙ୍କୁ ଭେଟିବାପାଇଁ ଚର୍ଚ୍ଚକୁ ଯାଇଥିଲୁ...’’ ଚମକି ପଡ଼ିଲେ କବୀର ସାହେବ ।

 

‘ଫାଦର୍‍ ଆବ୍ରାହମ୍‍ ଆସିବା ଦିନୁ ଏଇ ତାମସା ବେଶି ଚାଲିଛି... ପ୍ରେମର ତୀର୍ଥ କ୍ଷେତ୍ର ପାଲଟିଛି ଚର୍ଚ୍ଚ ।’ କହିଲେ କବୀର ସାହେବ । ତା’ପରେ ପୁଣି ଯୋଗକଲେ, - ‘‘ଯିବା ଆଗରୁ ମତେ କହିପାରିଲ ନାହିଁ ?’’

 

ତାଙ୍କ ଉଚ୍ଚସ୍ୱର ଶୁଣି ସେତେବେଳକୁ ସୁରେୟା ଚାଲିଆସିଥିଲେ ପାଖକୁ । ବାନୁ କିଛି କହିବା ପୂର୍ବରୁ ସେ କହିଲେ -‘ଫାଦର୍‍ ଆବ୍ରାହମ୍‌ ଗୋଟେ ଛୋଟ ଗେଟ୍ ଟୁଗେଦର ଆୟୋଜନ କରିଥିଲେ । ଶ୍ରୀମୟୀ, ସତ୍ୟକାମ ଓ ଆହୁରି ବି କେତେଜଣ ଆସିଥିଲେ....।’

 

ତାଙ୍କ ତୁଣ୍ଡରୁ କଥା ଶେଷ ହେବା ପୂର୍ବରୁ ଚିତ୍କାର କରି କହିଲେ ଜାଫର କବୀର - ‘ତମେ ସବୁ କ’ଣ ପାଇଛ କି ମତେ ? ମୁଁ ଏ ଘରର ମୁରବୀ । ଅଥଚ ଚର୍ଚ୍ଚକୁ ଯିବା ଆଗରୁ ମତେ ଥରେ ପଚାରି ପାରିଲ ନାହିଁ... ତମର ଛାତ୍ର ଜୀବନର କେହି ସାଥୀ ଆସିଥିଲେ ନା କ’ଣ ?’

 

ରାଗିଗଲେ ଏଇ ଖୁଣ୍ଟା ଦିଅନ୍ତି ଜାଫର କବୀର । ମେଡ଼ିକାଲରେ ପଢ଼ୁଥିବାବେଳେ ଜଣେ ହାଇକୋର୍ଟ ଜଜ୍‌ଙ୍କ ପୁଅ ଅପ୍ରତିମ ସହିତ ତାଙ୍କର କୁଆଡ଼େ ପ୍ରେମ ଥିଲା । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଚିଲିକାରେ ଛୁଟି କଟାଇବାକୁ ଯାଇଥିବାବେଳେ ଧରାପଡ଼ିଥିଲେ ଦୁହେଁ । ତା’ପରେ ଜଜ୍‌ସାହେବଙ୍କ କଡ଼ା ଶାସନରୁ ଅପ୍ରତିମ ସୁରେୟାଠାରୁ ଦୂରେଇ ଯାଇଥିଲା ।

 

ବାହାଘର ପୂର୍ବରୁ ଏ ବିଷୟ ଶୁଣିଥିଲେ କବୀର ସାହେବ । କିନ୍ତୁ ସୁରେୟା ପରି ପାତ୍ରୀ ଛାଡ଼ିଦେଲେ ସେ ଠକିଯାଇ ପାରନ୍ତି ଏଇ ଆଶଙ୍କା କରି ସେ ଆଉ ସେ ପ୍ରସଙ୍ଗ ଉଠାଇ ନ ଥିଲେ । କିନ୍ତୁ ତା’ପରେ ସୁରେୟାଙ୍କ କୌଣସି କାମରେ ଅସନ୍ତୁଷ୍ଟ ହେଲେ ସେ ଏଇ କଥାଟା ଉଠାନ୍ତି ତାଙ୍କୁ ଆଘାତ ଦବାପାଇଁ ।

 

ସୁରେୟା ଆଜି କିନ୍ତୁ ଜବାବ ଦେଲେ ମୁହେଁ ମୁହେଁ...

 

-‘‘କାହିଁକି ଚିତ୍କାର କରୁଛ ? ଶୁଣିଲ ତ ଆମେ ଫାଦର୍‍ ଆବ୍ରାହମ୍‌ଙ୍କ ପାଖକୁ ଯାଇଥିଲୁ... କ’ଣ ଦୋଷ ହୋଇଗଲା ଯେ ଏତେ ମୁରବୀପଣ ଜାହିର କରୁଛ ?’’

 

ଜାଫର କବୀର ନିଜକୁ ସମ୍ଭାଳି ନ ପାରି ଫାଟି ପଡ଼ିଲେ । ସେ ଆହୁରି ସ୍ଵର ଉଚ୍ଚକରି କହିଲେ -‘‘ ମୁଁ ଏ ଘରର ମୁରବୀ... ମୁଁ ମାଲିକ... ତମ ସମସ୍ତଙ୍କୁ ମୋ କଥା ମାନି ଚଳିବାକୁ ହେବ... ମୋତେ ବେଖାତିର କରି ଯେଉଁଠିକୁ ସେଇଠିକୁ ଯାଉଛ ପାର୍ଟିରେ ଯୋଗ ଦବାପାଇଁ । ମୋତେ ନ ପଚାରି କୋଉଠିକୁ ଯାଇପାରିବ ନାହିଁ । ଇଜ୍‌ ଇଟ୍‌ କ୍ଲିଅର୍‌... ?’’

 

ସୁରେୟା ସ୍ଵାମୀଙ୍କ ମୁହଁକୁ ଚାହିଁ ସ୍ତବ୍ଧ ହୋଇଗଲେ । କଥା ବଢ଼ିଯାଉଥିବା ଦେଖି ସେ ଉତ୍ତର ନ ଦେଇ ଚାଲିଯାଉଥିଲେ, କିନ୍ତୁ ତାଙ୍କ ହାତଧରି ଝିଙ୍କିଦେଇ କହିଲେ ଜାଫର କବୀର–‘‘ତମରି ଯୋଗୁଁ ଏଡ଼େ ଭଲ ପ୍ରସ୍ତାବଟା ଭାଙ୍ଗିଗଲା... ଶତ୍ରୁ ଶିବିରରେ ଯୋଗଦେଲ ତମେ...ବହୁତ ହେଲା ଆଉ ନୁହେଁ । ଏଥର ତମକୁ ମୁହଁ ତଳକୁ କରି ଚାଲିବାକୁ ହେବ । ଏକା ଏକା ତମେ କାହିଁ ଯାଇପାରିବ ନାହିଁ... ଡୁ ୟୁ ଅଣ୍ଡର୍‌ଷ୍ଟାଣ୍ଡ୍...?’’

 

ସୁରେୟା ଫେରିପଡ଼ି କହିଲେ - “ମୁଁ କ୍ରୀତଦାସୀ ନୁହେଁ ଯେ ତମର ସବୁ କଥା ମାନିନେବି... ମୁଁ ବି ଜଣେ ମଣିଷ... ତମର ଯେତିକି ଅଧିକାର ମୋର ବି ସେତିକି । ଅଧିକାର... ହ୍ୟାଭ୍ ଆଇ ମେଡ଼୍ ଇଟ୍‌ କ୍ଲିଅର୍... ?’’

 

ତା’ପରେ କହିଲେ - “ମୋ କଥା ଶୁଣ... ତମେ ଯାହାଙ୍କ ବୋଲ ମାନି ତାଙ୍କ ଘରକୁ ମୋ ଝିଅକୁ ବୋହୂକରି ପଠାଇବାପାଇଁ ଚାହୁଁଥିଲ ସେଇ ଭଦ୍ରଲୋକଙ୍କ ଦୁର୍ଦ୍ଦଶା ଦେଖିବ ଯାଅ... ଅପରାଧ ଜଗତର ରାଜା ସେ... ସେଇ ଘରକୁ ମୋ ଝିଅ ଯିବନି... । ଯିବନି... ଯିବନି... ହି ଇଜ୍ ଅଣ୍ଡର୍‌ ପୁଲିସ୍‌ କଷ୍ଟୋଡ଼ି ।’’

 

ଜାଫର କବୀର ନୃତ୍ୟ କଲାପରି କୁଦିପଡ଼ି କହିଲେ - “ଏତେ ସାହସ... ଏତେ ହିମ୍ମତ... ମୁଁ ଏଇଠି ଏଇ ମୁହୂର୍ତ୍ତରେ ଆମ ସମ୍ପର୍କ ଭାଙ୍ଗି ଦେଉଛି... ତଲାକ୍... ତଲାକ୍... ତଲାକ୍...।’’

 

ତାଙ୍କ ଶେଷ ଉଚ୍ଚାରଣ ଶୁଣି ଘର ଭିତରୁ ଦୌଡ଼ି ଆସୁଥିଲେ ହୁମାୟୁନ୍‍ ଆଉ ବାନୁ... ।

 

କିନ୍ତୁ ସେମାନେ ପିତାଙ୍କ ମୁହଁ ବନ୍ଦ କରିବା ଆଗରୁ ଆଉଥରେ ଦୋହରାଇଲେ କବୀର ସାହେବ... “ତଲାକ୍... ତଲାକ୍... ତଲାକ୍’’ ।

 

ପୃଥିବୀ ବିଦୀର୍ଣ୍ଣ ହୋଇଗଲା ସେଇ ମୁହୂର୍ତ୍ତରେ ।

 

ଆଉ କୌଣସି ଶବ୍ଦ ଉଚ୍ଚାରଣ ନ କରି ଅତି ସନ୍ତର୍ପଣରେ ଶରାହତ ମୃଗୀ ପରି ଧୀରେ ଧୀରେ ସୁରେୟା ତାଙ୍କ କୋଠରି ଭିତରକୁ ପଶି ଯାଇ କବାଟ ବନ୍ଦ କରିଦେଲେ... ।

 

ହୁମାୟୁନ୍‍ କହିଲା - ‘ଏ କ’ଣ କଲ ବାବା... ଏ କ’ଣ କଲ... ?

 

ପୁଅ ଆଉ ଝିଅର ଅନେକ ଆକୁଳ ବ୍ୟାକୁଳ ଅନୁରୋଧ ଏଡ଼ି ନ ପାରି ଦୁଇଘଣ୍ଟା ପରେ କବାଟ ଖୋଲିଦେଲେ ସୁରେୟା । କିନ୍ତୁ ସେତେବେଳକୁ ସେ ଆଉ ଏଇ ପରିବାରର ସଦସ୍ୟ ନ ଥିଲେ । ଛବିଶ ବର୍ଷର ଦାମ୍ପତ୍ୟ ଜୀବନ, ଦୁଇଟି ସନ୍ତାନର ଜନନୀ ହେବାର ଗୌରବ ସବୁ ପଛରେ ପକାଇ ସେ ପାଦ ବଢ଼ାଇଲେ ଆଗକୁ...

 

‘‘ମା’... ମା’... ମା’... ଆମ କଥା ଶୁଣ... ବାବା କ’ଣ ରାଗରେ କହିଦେଲେ ବୋଲି ତମେ ଘର ଛାଡ଼ି, ଆମକୁ ଛାଡ଼ି ଚାଲିଯାଇ ପାରିବନି ମା’... ଆମେ କ’ଣ ଦୋଷ କଲୁ ଯେ ତମେ ଆମକୁ ପର କରି ଘର ଛାଡ଼ି ଚାଲିଯାଉଛ ? ଆଉ ଆଗକୁ ନୁହଁ ପଛକୁ ଫେର ମା'... ।’’

 

ପାଦ ଅଟକିଗଲା ସୁରେୟାଙ୍କର ।

 

ପଚିଶ ବର୍ଷ ଏଇ ଘର ଥିଲା ତାଙ୍କର । ଏଇ ପରିବାରର ସେ ଥିଲେ ବେଗମ୍ । ଗୋଟିଏ ମୁହୂର୍ତ୍ତରେ ତାଙ୍କର ସବୁ ଅଧିକାର ଗୋଟିଏ ଫୁତ୍‌କାରରେ ଉଡ଼ିଗଲା ଶୂନ୍ୟରେ ! ସାରା ଜନ୍ମର ସ୍ଵପ୍ନ ଭାଙ୍ଗି ଚୂରମାର ହୋଇଗଲା ।

 

ଆଖିରୁ ଲୁହ ଧାର ବୋହି ଯାଉଥାଏ, କିନ୍ତୁ ପୋଛି ନେଲେ ନାହିଁ ସେ । ପୁଅ ଓ ଝିଅକୁ ଛାତି ଉପରେ ଜାକିଧରି ଦଣ୍ଡେ କାନ୍ଦିଲେ ସନ୍ତାନ ହରାଇଥିବା ମା’ ପରି ।

 

ତା’ପରେ ସୁଟ୍‌କେଶ୍‌ ଧରି ସେ ଏକାମୁହାଁ ବାହାରିଗଲେ ‘କବୀର ଭବନ’ରୁ ।

 

ଯେଉଁ ପରିବାରକୁ ଗଢ଼ିବାପାଇଁ ଏତେଦିନ ଧରି ତପସ୍ୟା କରିଥିଲେ ସେ, ପରିବାରର ସୁଖପାଇଁ ନିଜର ସୁଖ ବିସର୍ଜନ ଦେଇଥିଲେ, ନିଜ ଅଧିକାର ଭୁଲିଯାଇ ସ୍ୱାମୀଙ୍କୁ ସଂସାରର ସର୍ବେସର୍ବା ବୋଲି ଗ୍ରହଣ କରିନେଇଥିଲେ ସେଇ ପରିବାର ତାଙ୍କୁ ପର କରିଦେଲା ମୁହୂର୍ତ୍ତକରେ ।

 

ଅଟୋ ଗୋଟେ ଠିଆ ହୋଇଥିଲା । ଖବର ପାଇ ମୌଲବୀ ସାହେବ ଆସିଥିଲେ ବୋଧହୁଏ ।

 

କିନ୍ତୁ ଆଉ କାହିଁକି ଅଟକିବେ ? ଫଟା ହାଣ୍ଡି ଆଉ ଯୋଡ଼ି ହୁଏ ନାହିଁ । ମନ ପୋଡ଼ିଗଲେ ଆଉ ସଜାଡ଼ି ହୁଏ ନାହିଁ ।

 

କୋହ ସମ୍ଭାଳି ନ ପାରି ବାନୁ କାନ୍ଦୁଥାଏ ପାଞ୍ଚ ବର୍ଷର ଶିଶୁଟିଏ ପରି । ଭଉଣୀକୁ ଛାତି ଉପରେ ଜାକିଧରି ବୁଝାଉଥାଏ ହୁମାୟୁନ୍ - ‘ଧୈର୍ଯ୍ୟଧର ବାନୁ... ସବୁ ଠିକ୍ ହୋଇଯିବ... ମା’ ପୁଣି ଫେରିଆସିବ...’

 

ରୁକୁଣା ରଥ ଅଣଲେଉଟା...

 

ମୌଲବୀ ସାହେବ କହିଲେ - ‘ଓହି ଜିନ୍ଦ୍‌ଗୀ ହୈ...’

 

ନିଛାଟିଆ ହୋଇ ଆସୁଥିଲା ରାତିର ରାସ୍ତା । ସୁରେୟା କୁଆଡ଼େ ଯିବେ କେଉଁଠି ଆଶ୍ରୟ ନେବେ ଭାବି ଭାବି ସ୍ଥିର କରି ନ ପାରି ଶେଷରେ ପହଞ୍ଚିଲେ ସେଇ ଚର୍ଚ୍ଚର ଫାଟକ ଆଗରେ ।

 

ତାଙ୍କୁ ସ୍ଵାଗତ କରି ଘର ଭିତରକୁ ନେଇଗଲେ ଫାଦର୍‍ ଆବ୍ରାହମ୍, ଯେମିତି ଝିଅ ବାପ ଘରକୁ ଫେରିଲେ ବାପା ପାଛୋଟି ନିଅନ୍ତି ବାଟରୁ । ଆଲ୍ଲା ମେହେରବାନ... ତାଙ୍କୁ ପ୍ରାର୍ଥନା କରି ଜଣାଉଥିଲେ ସୁରେୟା... ।

 

॥ ବତିଶ ॥

 

ସତ୍ୟକାମର ମନେପଡ଼ୁଥିଲା ମା’ କହିଥିବା ଗୋଟିଏ କଥା - ବିପଦ ଯେତେବେଳେ ଆସେ ସାଙ୍ଗସାଥୀ ନେଇ ଆସେ । କିଛିଦିନ ପୂର୍ବରୁ ଅସୀମା ଡାକ୍ତରଖାନାରୁ ଘରକୁ ଫେରିଥିଲା, ଏବେବି ସମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାପାଇପାରୁ ନାହିଁ । ତା’ ପରେ ପରେ ମା’ଙ୍କ ହାର୍ଟ ଆଟାକ୍‌ ହେଲା-। ଅବଶ୍ୟ ମାଇଲ୍ଡ୍ ଆଟାକ୍‌ବୋଲି କହୁଥିଲେ ଡାକ୍ତର ମୂର୍ତ୍ତି । ଏନଜିଓଗ୍ରାମ୍ କରିବାପାଇଁ ପରାମର୍ଶ ଦେଇଛନ୍ତି; କିନ୍ତୁ ଏନଜିଓଗ୍ରାମ୍ କରିବା ପୂର୍ବରୁ ଏନ୍‌ଜିଓପ୍ଲାଷ୍ଟି ବା ବାଇପାସ୍‌ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । କଳିଙ୍ଗ ହସ୍‍ପିଟାଲରେ ଅବଶ୍ୟ ଏ ସୁବିଧା ରହିଛି । ଡାକ୍ତର ମିଶ୍ର ତାକୁ ନିର୍ଭର ଜବାବ ବି ଦେଇଛନ୍ତି । କିନ୍ତୁ ଭଗବାନ ଏୟା ନ କରନ୍ତୁ... ତା’ ହାତରେ କାମ ଭର୍ତ୍ତି, ଶୋଇବାପାଇଁ ସମୟ ନାହିଁ । ମା’ଙ୍କୁ ତ ଏକା ଏକା ଛାଡ଼ିଦେଇ ଆସିପାରିବନି ସେ । ସେ ପାଖରେ ଥିଲେ ମା’ ରୋଗ ସହିତ ଲଢ଼ିବାପାଇଁ ଶକ୍ତି ପାଇବେ, ଆଉ ମା’ ପାଖରେ ସେ ରହିଲେ ପ୍ରତିକୂଳତା ବିରୋଧରେ ଲଢ଼ିବାପାଇଁ ସେ ବି ଶକ୍ତି ପାଇବ ।

 

କିନ୍ତୁ ସକାଳୁ ଫାଦର୍‍ ଆବ୍ରାହମ୍‌ ଟେଲିଫୋନ୍‌ ପାଇ ସେ ତାଙ୍କ ପାଖକୁ ବାହାରିଗଲା । ଯିବା ପୂର୍ବରୁ ଅବଶ୍ୟ ମା’ଙ୍କୁ ଜଣାଇଦେଲା ଯେ ଫାଦର୍‍ଙ୍କ ଡାକରା ପାଇ ସେ ଯାଉଛି । ଫେରିଆସିଲେ କହିବ କ’ଣପାଇଁ ଡାକିଥିଲେ । ରାତିକ ଭିତରେ ଯେ ଏତେବଡ଼ ଘଟଣା ଘଟିଯାଇଛି ତାହା ମା’ ଶୁଣିଲେ ଟେନ୍‍ସନ୍‌ ବଢ଼ିବ । ହାର୍ଟ ପେସେଣ୍ଟ ସେ । ତାଙ୍କୁ କିଛି ନ କହିବା ଭଲ । ତା’ପରେ ଫାଦର୍‍ ତାଙ୍କୁ ସବୁକଥା କହି ନ ଥିଲେ, କେବଳ ଜଣାଇ ଦେଇଥିଲେ ଯେ ସୁରେୟା ବେଗମ୍‌ ରାତି ପ୍ରାୟ ନଅଟାବେଳେ ଆସି ତାଙ୍କ ଅତିଥି ହୋଇଛନ୍ତି । ପାରିବାରିକ ଗଣ୍ଡଗୋଳ । ସେ ଗଲେ ଫାଦର୍‍ଙ୍କ ସହିତ ଆଲୋଚନା କରିବ ।

 

ଚର୍ଚ୍ଚରେ ପହଞ୍ଚିବାବେଳକୁ ସକାଳ ପ୍ରାର୍ଥନା ସାରି ଫେରିଯାଇଥାନ୍ତି ସମସ୍ତେ । ଚର୍ଚ୍ଚ ପରିସର ମଧ୍ୟରେ ଫାଦର୍‍ ଓ ନନ୍‌ମାନଙ୍କ କ୍ୱାର୍ଟର । ବେଶ୍‌ ବଡ଼ ଜାଗା । ପାଚେରି ଘେରା ବାଉଣ୍ତ୍ରି-। ସୁନ୍ଦର ଫୁଲ ଓ ଫଳବଗିଚା । ଗୋଟେ ପାଖରେ ପରିବା ମଧ୍ୟ ଚାଷ କରାଯାଇଛି । ବନ୍ଧାକୋବି, ଫୁଲକୋବି, ବିଲାତି, ମଟର, ବାଇଗଣ, ଗାଜର, ମୂଳା ଇତ୍ୟାଦି । ବଗିଚାରେ ଶୀତଋତୁର ନାନାଦି ଫୁଲ - ଜିନିଆ, ହଲିହକ୍ତ, ମେରିଗୋଲ୍ଡ, ଡାଲିଆ... ଗ୍ଳାଡ଼ିଓଲି... ।

ଫାଦର୍‍ ଅପେକ୍ଷା କରୁଥିଲେ । ଡାକ୍ତର ସୁରେୟା ହସ୍‍ପିଟାଲ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ସତ୍ୟକାମ ଆସୁଥିବା ବିଷୟ ତାଙ୍କୁ କହି ନ ଥିଲେ ଫାଦର୍‍ । ତାଙ୍କର ଏଇ ବ୍ୟକ୍ତିଗତ ବ୍ୟାପାର ଅତ୍ୟନ୍ତ ଅପ୍ରତ୍ୟାଶିତ ଏବଂ ଦୁଃଖଦାୟକ । ସତ୍ୟକାମକୁ ପୁଅ ପରି ଦେଖନ୍ତି ସେ । ତାଙ୍କ ମୁହଁରୁ ଗତ ସନ୍ଧ୍ୟାର କାହାଣୀ ଶୁଣିବା ଅପେକ୍ଷା ଫାଦର୍‍ ନିଜେ ତାକୁ ସବୁ କହିବାପାଇଁ ଠିକ୍‌ କରିଥିଲେ । ସୁରେୟା ତାଙ୍କୁ ରାତିରେ କିଛି ଗୋପନ ନ କରି ସବୁ କହିଥିଲେ । ଫାଦର୍‍ ତାଙ୍କୁ ସାନ୍ତ୍ୱନା ଦେଇ ସେତେବେଳେ କହିଥିଲେ ଈଶ୍ଵରଙ୍କ ଉପରେ ସବୁ ଛାଡ଼ିଦେଇ କର୍ତ୍ତବ୍ୟ କରିଯିବାପାଇଁ । ସେଥିପାଇଁ ଯେପରି କିଛି ହୋଇ ନାହିଁ ଏଇପରି ସ୍ୱାଭାବିକଭାବେ ସୁରେୟା ପ୍ରସ୍ତୁତ ହେଉଥିଲେ ଡିଉଟିକୁ ଯିବାପାଇଁ । ବନଲତା ନର୍ସିଂହୋମରେ ସେ ଗାଇନିକ୍‌ ସର୍ଜନ । ବେଶ୍‌ ସୁନାମ ଅଛି । ସହରରେ । ନିଜର କ୍ଲିନିକ୍‌ ମଧ୍ୟ ଅଛି । ସମର୍ପିତ ଜୀବନ । ରୋଗୀମାନଙ୍କୁ ନିଜ ଲୋକପରି ସେବା କରନ୍ତି ।

ସତ୍ୟକାମକୁ ଠିକ୍‌ ଠିକ୍‌ ସବୁ କହିଲେ ଫାଦର୍‍ । ସେ ଏସବୁ ଶୁଣି ସ୍ତବ୍ଧ ହୋଇଗଲା, ତା’ ମୁହଁରୁ ଶବ୍ଦଟିଏ ବି ବାହାରିଲା ନାହିଁ । ଏପରି ଏକ ଝଡ଼ ରାତିକ ଭିତରେ ସେମାନଙ୍କ ସଂସାରକୁ ଭାଙ୍ଗି ଧ୍ଵସ୍ତବିଧ୍ୱସ୍ତ କରିଦେବ ବୋଲି କିଏ ବା ଭାବିଥିଲା ! ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୁଏ, ମନାନ୍ତର ବି ହୁଏ । କିନ୍ତୁ ସକାଳର ମେଘ ଡମ୍ବରୁ ବଜାଇ ଯେପରି ସମସ୍ତଙ୍କୁ ଚମକାଇଦିଏ ପ୍ରଥମେ, କିନ୍ତୁ ଝଡ଼ କିମ୍ବା ବର୍ଷା ହୁଏ ନାହିଁ । ସେହିପରି ଦାମ୍ପତ୍ୟ କଳହ । କିଛି ସମୟ ପରେ ଗର୍ଜନ ନ ଥାଏ, ସବୁ ଶାନ୍ତ ପଡ଼ିଯାଏ । ମେଘଢଙ୍କା ଆକାଶରୁ ଉଙ୍କିମାରନ୍ତି ସୂର୍ଯ୍ୟ, ସେଇପରି ସବୁ ଦାମ୍ପତ୍ୟ କଳହ । କିନ୍ତୁ ଏଇ ସାମାନ୍ୟ କଥାରୁ ଯେ ସେ ପଚିଶ ବର୍ଷର ବୈବାହିକ ସମ୍ପର୍କ ତିନିଥର ତଲାକ ଉଚ୍ଚାରଣ କରି ଭାଙ୍ଗିଦେବେ ଏହା ବିଶ୍ଵାସ ହେଉ ନ ଥାଏ ସତ୍ୟକାମର ।

ସେମାନେ କଫି ପିଉଥିବାବେଳେ ସୁରେୟା ଆସି ବସିଲେ । ତାଙ୍କୁ ନମସ୍କାର ଜଣାଇ ଛିଡ଼ା ହୋଇରହିଲା ସତ୍ୟ । କିଛି ପଚାରି ପାରିଲା ନାହିଁ । ତୁଣ୍ଡରୁ ଶବ୍ଦଟିଏ ବି ବାହାରିଲା ନାହିଁ । ତାକୁ କିଛି କହିବାପାଇଁ ମଧ୍ୟ ସଂକୋଚ କରୁଥିଲେ ସୁରେୟା । ଯିଏ ତାଙ୍କ ଝିଅ ହାତ ଧରିବ ବୋଲି କଥା ଦେଇଛି, ସେ ପୁଅ ସମାନ । ମା’ କ’ଣ ନିଜର ଏସବୁ କଥା କହିପାରେ ପୁଅକୁ । କିନ୍ତୁ ସତ୍ୟ ଜାଣିବା ଆବଶ୍ୟକ । ଅସୀମା ସହିତ ସମ୍ପର୍କ ରଖିବ କି ଭାଙ୍ଗିବ ଏଇ ଘଟଣା ଉପରେ ତାହା ଅନେକଟା ନିର୍ଭର କରେ ।

ଫାଦର୍‍ ମୁହଁ ଫିଟାଇ କହିଲେ - ‘ଡକ୍ଟର, ମୁଁ ସତ୍ୟକୁ ଠିକ୍‌ ଠିକ୍‌ ସବୁ କହିଛି । ହି ଇଜ୍‌ ସକ୍ଡ଼୍... ମୁଁ ତାକୁ କହିଛି ଭାଙ୍ଗି ନ ପଡ଼ିବାପାଇଁ । ହ୍ୟାଭ୍‌ କରେଜ୍ ଆଣ୍ଡ ଫର୍ଟିଚ୍ୟୁଡ୍... ଗଡ୍ ଇଜ୍‌ କାଇଣ୍ଡ,...'

ସତ୍ୟକାମ ଆଖି ଉଠାଇ ଚାହିଁଲା ସୁରେୟାଙ୍କୁ । ଝଡ଼ରେ ଧ୍ୱସ୍ତବିଧ୍ଵସ୍ତ ପୃଥିବୀ ପରି ଏଇ ରାତିକର ସଂକଟ ତାଙ୍କୁ ଭାଙ୍ଗି ଦେଇଥିଲା, ତାଙ୍କ ମୁହଁରେ ଲାଗି ରହିଥବା ଆତ୍ମବିଶ୍ଵାସ, ହସ ଟିକକ ଢାଙ୍କି ହୋଇଯାଇଥିଲା ଅଙ୍ଗାର ଉପରର ପାଉଁଶପରି ।

ସତ୍ୟ ଗୋଟିଏ ଗୋଟିଏ ଶବ୍ଦ ଉଚ୍ଚାରଣ କରି କହିଲା - “ମାଉସୀ ! ଆପଣ ବିଶ୍ଵାସ ରଖନ୍ତୁ... ଈଶ୍ୱର ସର୍ବଶକ୍ତିମାନ୍,... ଆମେ ତ ସବୁ ଅଛୁ ଆପଣଙ୍କ ପାଖରେ । ହୁମାୟୁନ୍‍, ବାନୁ ଆପଣଙ୍କୁ ଛାଡ଼ି ନାହାଁନ୍ତି... ମୁଁ...’’

 

ସେ ସମ୍ପୂର୍ଣ୍ଣ କରିପାରିଲା ନାହିଁ ବାକ୍ୟଟା । ଫାଦର୍‍ କହିଲେ - “ତମେ ୟାପରେ କ’ଣ କରିବ ଭାବି ଦେଖ ସତ୍ୟ । ତମ ମା’ଙ୍କ ସହିତ ପରାମର୍ଶ କର... ।’’

 

ସତ୍ୟ କିନ୍ତୁ କୋମଳ ଅଥଚ ଦୃଢ଼ କଣ୍ଠରେ କହିଲା - “ମା’ଙ୍କୁ ନିଶ୍ଚୟ କହିବି ଏ ବିଷୟ । ମୁଁ ମଧ୍ୟ ଭାବିଚି । ମୋ ମନରେ କୌଣସି କିନ୍ତୁ ନାହିଁ ଫାଦର୍‍ । ମା’ ଓ ଆପଣ ଯାହା ନିଷ୍ପତ୍ତି ନେବେ ମୁଁ ସେୟା କରିବି... ।’’

 

ଫାଦର୍‍ କହିଲେ - “ମୋତେ ଖୁସି ଲାଗୁଚି ତୁମ କଥା ଶୁଣି । ତଥାପି ପାରିବାରିକ ସମସ୍ୟା ଯଦି କିଛି ଥାଏ ତେବେ ସେ ବିଷୟ ଶ୍ରୀମୟୀ ବିଚାର କରନ୍ତୁ... ଦୁଇଦିନ ପରେ ଆମେ ପୁଣି ଏଇଠି ଭେଟିବା... କିନ୍ତୁ ଯାହା ବି ନିଷ୍ପତ୍ତି ନିଅ ସଦାବେଳେ ମନେରଖିବ ଯେ ମାନବିକ ବନ୍ଧନ ସ୍ନେହ ପ୍ରୀତି ସହଯୋଗ ଓ ବୁଝାମଣା ଉପରେ ଗଢ଼ିଉଠେ । କାଚପରି ଭଙ୍ଗୁର ନୁହେଁ । ଆଉ ସଂସାରରେ ବାସ କଲେ ଅନେକ ଶୁଣିବାକୁ ହୁଏ, ସହିବାକୁ ହୁଏ, ବୁଝିବାକୁ ହୁଏ । କଥାରେ ଅଛି ପରା 'ଦୁନିଆ ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’ ।”

 

ସତ୍ୟକାମ ସୁରେୟାଙ୍କଠାରୁ ବିଦାୟ ନେବାବେଳେ କହିଲା, “ମାଉସୀ, ମୁଁ ମା’ଙ୍କ ସହିତ ଆସିବି... ଏଇନେ ହାତରେ ଏତେକାମ ଯେ ଖାଇବା ଶୋଇବାପାଇଁ ବି ଫୁରସତ ମିଳୁନି... କିନୁ ଆପଣଙ୍କୁ ଗୋଟେ ବିଷୟ ପଚାରିବି ପଚାରିବି ହୋଇ ଭୁଲିଯାଇଛି, ପଚାରିପାରି ନାହିଁ... ।’’

 

- “କ’ଣ ?” ଜାଣିବାକୁ ଚାହିଁଲେ ସୁରେୟା ।

 

- ‘‘ଯେଉଁ ଲୋକଟା ବାନୁ ଉପରକୁ ଏସିଡ଼୍‌ ଫୋପାଡ଼ିଥିଲା ତାକୁ ଆପଣ ଚିହ୍ନିପାରିବେ-?”

 

- ହଁ, ତା’ ମୁହଁ ସ୍ପଷ୍ଟ ମନେଅଛି । ଆଉ ଗୋଟେ କଥା ତୁମକୁ କହିନି ଏଯାଏ । ସେ ଆମ ଗାଡ଼ି ଆଗରେ ଛିଡ଼ା ହୋଇଥିବାବେଳେ ମୋ ମୋବାଇଲରେ ତା’ ଫଟୋ ରଖିଛି...’’

 

ଖୁସି ହୋଇ କହିଲା ସତ୍ୟ - “ଏକ୍ସଲେଣ୍ଟ... ଏହାପରେ ଆମ କାମ ସହଜ ହେବ.... ଆଉ ଗୋଟେ ପ୍ରଶ୍ନ... ହସ୍‍ପିଟାଲରେ ଯେଉଁ ଲୋକଟାକୁ ଆପଣ ଦେଖିଥିଲେ ସେ କଅଣ ଆଉ ଜଣେ ନା ସେଇ ଏସିଡ୍‌ ଫିଙ୍ଗିବା ଲୋକ ?”

 

- “ହସ୍‍ପିଟାଲରେ ବୁଲୁଥିବା ଲୋକ ଏସିଡ୍‌ ଫିଙ୍ଗିଥିବା ଲୋକ ବୋଧହୁଏ ସେଇ ଜଣେ । ସନ୍ଧ୍ୟା ହୋଇ ଆସୁଥିଲା, ତା’ ମୁହଁଟା ମୁଁ ଭଲ କରି ଦେଖିପାରୁ ନ ଥିଲି... କିନ୍ତୁ ସେ ଲୋକଟାକୁ ଦେଖିଲେ ଚିହ୍ନି ପାରିବି... ।’’

 

- “ସେ ତ ଗିରଫ ହୋଇଛି । ପଲ୍ଲବଭାଇଙ୍କୁ କହିବି ଏକଥା । ଆଇଡେଣ୍ଟଫିକେସନ୍‌ ପ୍ୟାରେଡ଼ ସମୟରେ ସେ ଆପଣଙ୍କୁ ଡାକିବେ । ସେଇ କ୍ରିମିନାଲଟା ଯଦି ଜଣେ, ତେବେ ଏଇ ଘଟଣାର ଚେର ବହୁତ ଭିତରେ ଥିବ ବୋଲି ଅନୁମାନ କରିବା ଠିକ୍‌ ହେବ... ” କହିଲା ସତ୍ୟ ।

 

ସତ୍ୟ ବିଦାୟ ନେଇ ଚାଲିଗଲା । ସେ ଯିବାବେଳେ ଗୋଟିଏ ପ୍ରଶ୍ନ ତା’ ମନକୁ ଆନ୍ଦୋଳିତ କରୁଥିଲା- ଶେଖ୍ ଅଖ୍‍ତାର କ’ଣ ତେବେ ସେଇ ଲୋକଟାକୁ ଲଗେଇଥିଲେ ଏସିଡ଼୍‌ ଫୋପାଡ଼ିବାପାଇଁ ! ତାଙ୍କ ପୁଅ ସହିତ ବାନୁର ବାହାଘରପାଇଁ ସେ ଆଶା ରଖିଥିଲେ । ବୋଧହୁଏ ବାନୁ ସେଥିରେ ରାଜି ନ ହେବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବେ । ଶେଖ୍ ଅଖ୍‍ତାରଙ୍କ ପ୍ରତି ପୂର୍ବରୁ ଥିବା ସାମାନ୍ୟ ସମ୍ମାନ ଟିକକ ହଠାତ୍‌ ମନରୁ ଉଭେଇଗଲା । ବରଂ ତା’ ସ୍ଥାନରେ ଜଣେ ଅପରାଧୀର କଳଙ୍କିତ ମୁହଁ ଉତୁରି ପଡ଼ୁଥିଲା ।

 

ଚକେଇସିଆଣି ଓ ରସୁଲଗଡ଼ର ସାମ୍ପ୍ରଦାୟିକ ଦଙ୍ଗା ପଛରେ ଶେଖ୍ ଅଖ୍‍ତାର ଥିଲେ । ତାଙ୍କର ପୃଷ୍ଠପୋଷକତା ପାଇ ସମାଜ ବିରୋଧୀ ଶକ୍ତି ଶକ୍ତିଶାଳୀ ହେଉଛନ୍ତି ରାଜଧାନୀରେ । କିନ୍ତୁ ତାଙ୍କର ଏଇ ପରିଚୟ ଆଢ଼ୁଆଳରେ ରହିଯାଇଛି, ତାଙ୍କର ଅର୍ଥ ଓ ପ୍ରତିପତ୍ତି ବଳରେ ନିଜକୁ ଜଣେ ସମାଜସେବୀଭାବେ ଚଳାଇ ନବାର ଅଭିଳାଷ । ଅର୍ଥଦ୍ୱାରା ରାଜନେତାମାନଙ୍କ ମୁହଁ ବନ୍ଦ କରିରଖିଛନ୍ତି । ନିର୍ବାଚନବେଳେ ସେ ଖୋଲିଦିଅନ୍ତି ସିନ୍ଦୁକ । ବିଧାୟକମାନଙ୍କ ମଧ୍ୟରେ ଅତିକମ୍‌ରେ ସାତଆଠ ଜଣ ଥିବେ, ଯେଉଁମାନଙ୍କୁ ଜିତିବାରେ ସାହାଯ୍ୟ କରିଥିଲେ ସେ । ସେମାନେ ତାଙ୍କର ଜଣେ ଜଣେ ଅସ୍ତ୍ର, ସେମାନଙ୍କ ସାହାଯ୍ୟରେ ସେ କେବଳ ଶତ୍ରୁ ନିଧନ କରନ୍ତି ନାହିଁ, ତାଙ୍କ ବାଟରେ ଥିବା କଣ୍ଟାମାନଙ୍କୁ ମଧ୍ୟ କାଢ଼ି ଫିଙ୍ଗି ଦିଅନ୍ତି । ଏପରି ଜଣେ କ୍ରିମିନାଲ ସହିତ ଶତ୍ରୁତା ନ କରିବାପାଇଁ ବନ୍ଧୁମାନେ ତାକୁ ପରାମର୍ଶ ଦେଇଥିଲେ । କିନ୍ତୁ ନିଜ ଜୀବନ ପ୍ରତି ପାଣିଛଡ଼େଇ ସେ ଲାଗିଛି ଶେଖ୍ ଅଖ୍‍ତାରର ଦୁଷ୍କୃତି ପଦାରେ ପକାଇଦବାପାଇଁ । ବହୁତ ଦିନ ମୁଖା ଲଗାଇ ବହୁତ କାମ କରିନେଇଛନ୍ତି, ଅନେକ କଳାଧନ ଅର୍ଜନ କରିଛନ୍ତି । ଚନ୍ଦ୍ରମୌଳି ଶ୍ରୀବାସ୍ତବ ଏପରି ଜଣେ ଅପରାଧୀ ସହିତ ବନ୍ଧୁତ୍ୱ କରିବାର ଏକମାତ୍ର କାରଣ ହେଉଛି ସେ ବି ଜଣେ ଅପରାଧୀ । ଭଦ୍ରବେଶରେ ଏପରି କେତେ ଯେ ଅପରାଧୀ ବୁଲନ୍ତି ରାଜଦାଣ୍ଡରେ ତା’ର ହିସାବ କେହି ଜାଣନ୍ତିନି । ସମାଜସେବା, ଦେଶସେବା ନାମରେ ଏମାନେ ଆଇନ ଭାଙ୍ଗନ୍ତି, ନିରୀହ ଲୋକଙ୍କୁ କଷ୍ଟ ଦିଅନ୍ତି ଏବଂ ସଦର ରସ୍ତାରେ ଚୋରି କରନ୍ତି... ।

 

ଭାବୁ ଭାବୁ କେତେବେଳେ ସିବିଆଇ ଅଫିସ୍‌ ପାରିହୋଇ ଆସିଥିଲା, କ୍ଲକ୍‌ ଟାଓ୍ୱାର ଅତିକ୍ରମ କଲାବେଳେ ମନେପଡ଼ିଲା ଯେ ସେ ଆଗେଇ ଆସିଛି । ପୁଣି ଫେରିଲା । ପଲ୍ଲବ ଅପେକ୍ଷା କରୁଥିଲେ । ଦୁହେଁ ପୁଣି ଲାଗିଗଲେ ଅଡ଼ୁଆ ସୂତାରୁ ଗଣ୍ଠି ଫିଟାଇବା ପାଇଁ ।

 

ଟ୍ରିପଲ୍ ମର୍ଡର କେଶ୍‌ଟା ଝୁଲୁଛି ଅଦାଲତରେ । କିନ୍ତୁ ସେଇ ଠିକାଦାରମାନଙ୍କ ଆତଙ୍କପ୍ରଦ କାହାଣୀର ରହସ୍ୟ ଉନ୍ମୋଚିତ ହୋଇଛି । ଚନ୍ଦ୍ରମୌଳି ଶ୍ରୀବାସ୍ତବଙ୍କ ନିଷ୍ପତ୍ତି ଶେଖ୍ ଅଖ୍‍ତାର କାର୍ଯ୍ୟକାରୀ କରିବାପାଇଁ ନିଯୁକ୍ତ କରିଥିଲେ ଦୁର୍ଯ୍ୟୋଧନ ସିଂ, ହାରୁ ମିଆଁ ଓ ଦିଲୁ ମିଆଁକୁ । ତଥ୍ୟ ସମ୍ବଳିତ ନଥିପତ୍ର ଅଦାଲତରେ ଦାଖଲ କରାଯାଇଛି । ସାମ୍ପ୍ରଦାୟିକ ଦଙ୍ଗାର ମୁଖ୍ୟ ଖଳନାୟକ ମଧ୍ୟ ଶେଖ୍‍ ଓ ଅଣ୍ଡରୱାର୍ଲଡ଼ର ରାଜା ସିଧୁ ମହାରାଜ । ଦୁର୍ଯ୍ୟୋଧନ ସିଂ, ହାରୁ ମିଆଁ, ସାହାଯ୍ୟରେ ଏ କାମ ନିଷ୍ପନ୍ନ କରିବାର ସମସ୍ତ ତଥ୍ୟ ଦାଖଲ କରାଯାଇଛି ଅଦାଲତରେ । ଏସିଡ଼୍‌ ଫିଙ୍ଗା ଓ ମାଧୁରୀ ତଲ୍‌ଓ୍ୱାଲ୍‍କରଙ୍କ ମର୍ଯ୍ୟାଦା ନଷ୍ଟ ମାମଲାର ପ୍ରଧାନ ନାୟକ ଦିଲୁ ମିଆଁ । ସତ୍ୟକାମ ଉପରେ ଆକ୍ରମଣ ଏବଂ ବୋମା ବିସ୍ଫୋରଣର ନାୟକ ହାରୁ ମିଆଁ ଏବଂ କୁସୁମାକର ନାୟକ । ଏସବୁ କାଷ୍ଟ୍ ଆଇରନ୍‌ କେସ୍, ଆସାମୀମାନଙ୍କ ବିରୋଧରେ ସାକ୍ଷ୍ୟପ୍ରମାଣ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଏକାଧିକ ଧର୍ଷଣ, ଡକାୟତି, ଜାଲିୟାତି ଏବଂ ବେଆଇନ କାମ କରି ଅର୍ଥ ଆଦାୟ ସମ୍ବନ୍ଧରେ ପ୍ରମାଣ ଅଭାବ ଯୋଗୁଁ ପୁଲିସ୍ ଅଦାଲତକୁ ଯାଇନି । ‘ନିଉ ଟାଇମ୍ସ୍’ ଅଫିସରେ ଅଗ୍ନିସଂଯୋଗ ସହିତ ମୁରଲୀ ସାମଲ, ଦିଲୁ ଖାଁ ଜଡ଼ିତ ।

 

ଏଇ ସମସ୍ତ ଅପରାଧ ସହିତ ପ୍ରତ୍ୟକ୍ଷ ଭାବେ ନ ହେଲେ ମଧ୍ୟ ପରୋକ୍ଷରେ ରାଜନେତାମାନେ ଜଡ଼ିତ । ସେମାନଙ୍କୁ ଆସାମୀ ସାବ୍ୟସ୍ତ କରିବା ସହଜ, କିନ୍ତୁ ସେମାନଙ୍କ ବିରୋଧରେ ସେପରି ଠୋସ୍‌ ପ୍ରମାଣ ନାହିଁ । ତେଣୁ କେବଳ ସନ୍ଦେହକୁ ଭିତ୍ତିକରି ବଡ଼ ବଡ଼ କ୍ଷମତାଶାଳୀଙ୍କୁ ଏସବୁ ମାମଲାରେ ଜଡ଼ିତ କଲେ ହଇଚଇ ସୃଷ୍ଟି ହେବ ସିନା, ସେଥିରୁ ବିଶେଷ ଫାଇଦା ମିଳିବାର ଆଶା ନାହିଁ । ବରଂ ସେମାନେ ସଂଘବଦ୍ଧଭାବେ ଏଥିରୁ ମୁକୁଳିଯିବାପାଇଁ କ୍ଷମତା ଓ ଧନବଳର ଦୁରୂପଯୋଗ କରିବେ । ସେହିପରି ଚିଦାନନ୍ଦ ଓରଫ ରାଜାସାହେବଙ୍କୁ ନ ପଚାରି ଚନ୍ଦ୍ରମୌଳି କିଛି ବଡ଼ କାମ କରନ୍ତି ନାହିଁ । ତେଣୁ ଏଇସବୁ କାମରେ ଚିଦାନନ୍ଦ ପ୍ରତ୍ୟକ୍ଷଭାବେ ଜଡ଼ିତ ନ ଥିଲେ ସତ, କିନ୍ତୁ ତାଙ୍କ ଅଜ୍ଞାତରେ କିଛି ହେଉ ନ ଥଲା ।

 

ସିବିଆଇ ପକ୍ଷରୁ ମାମଲା ଦାଏର ହେବ ଏବଂ ମାମଲା ପରିଚାଳନା କରିବେ ଚକ୍ରବର୍ତ୍ତୀ ରାଜା ରାଓ ଏବଂ ମହମ୍ମଦ କୈଫ । ଏହିସବୁ ମୋକଦ୍ଦମାର ଧାରାବିବରଣୀ ‘ନିଉ ଟାଇମ୍ସ୍’ ଓ ଗଣମାଧ୍ୟମରେ ପ୍ରଚାର କରିବାପାଇଁ ସ୍ଥିର ହେଲା । ଗୋଟିଏ ମହତ୍‌ ତୀର୍ଥଯାତ୍ରା ପଛରେ ଯେତିକି ଦୃଢ଼ସଂକଳ୍ପ ପ୍ରଚେଷ୍ଟା ଓ ଦୃଢ଼ ମନୋବଳ ଥାଏ ଅପରାଧ ରଚନା କରିବାପାଇଁ ମଧ୍ୟ ସେହିପରି ଦୃଢ଼ ମନୋବଳ, ସଂକଳ୍ପ ଓ ପ୍ରଚେଷ୍ଟା ଆବଶ୍ୟକ ହୁଏ । ପ୍ରଥମଟିର ଚାଳକ ଶକ୍ତି ଈଶ୍ଵରଙ୍କ ଅନ୍ଵେଷଣ, କିନ୍ତୁ ଦ୍ୱିତୀୟଟିର ଚାଳକ ଶକ୍ତି ଅପରାଧ ପ୍ରଣୋଦିତ ଅର୍ଥ ଓ କ୍ଷମତା ସଂଗ୍ରହ କରିବାର ଉଲ୍ଲାସ ।

 

ପଲ୍ଲବ କହିଲା, “ମୁଁ ନିଶ୍ଚିତ ଯେ ଏସବୁ ମାମଲାରୁ ଆସାମୀମାନେ ଖସିଯାଇ ପାରିବେ ନାହିଁ । ଚିଦାନନ୍ଦ ଓ ଚନ୍ଦ୍ରମୌଳି ଶ୍ରୀବାସ୍ତବ ପଚିଶବର୍ଷ ଧରି କରିଆସୁଥିବା ଅପରାଧ ଆଉ ତାଙ୍କ ଏକାନ୍ତ ବ୍ୟକ୍ତିଗତ ଗୋପନ କାହାଣୀ ହୋଇ ରହିବ ନାହିଁ କି କ୍ରୀଡ଼ା ଦେଖି ଦର୍ଶକମାନେ ତାଳିମାରିବା ପରି ଚିଦାନନ୍ଦ ଓରଫ ରାଜାସାହେବ ଆଉ ଅନ୍ତରାଳରେ ଥାଇ ଖେଳ ଦେଖିବା ସହିତ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହେବାର ସତ୍ୟାନୁଭୂତି ତାଙ୍କୁ ଆଉ ରାଜୁତି କରିବାର ସୁଖ ଦେଇପାରିବ ନାହିଁ ।

 

ସେମାନେ ଏହାପରେ ତଲ୍‌ଓ୍ୱାଲ୍‍କରଙ୍କୁ ଏ ବିଷୟରେ କହିଲେ ଏବଂ ସତ୍ୟକାମ ଓ ତା’ର ସାଥୀମାନଙ୍କ ସହଯୋଗ ଓ ତାଙ୍କ ନିଜର ସଦ୍ଦିଚ୍ଛା କାମନା କଲେ ।

 

ପଲ୍ଲବକୁ ଗାଡ଼ିରେ ଉଠାଇବାକୁ ଯାଇ କହିଲା ସତ୍ୟ - ‘ତମ ନେତୃତ୍ୱ ଓ ଗାଇଡ଼େନ୍‍ସ ପାଇ ନ ଥିଲେ ଏ କାମ ଏତେଦୂର ଆଗେଇ ନ ଥାନ୍ତା ଭାଇ । ବ୍ୟକ୍ତିଗତଭାବେ ମୁଁ ଉପକୃତ ହେଲି ଏଇଥିପାଇଁ ଯେ ଏଇ ପ୍ରଥମ କ୍ରାଇମ୍‌-କମ୍‌-ପଲିଟିକାଲ୍‌ ଷ୍ଟୋରି କରିବାକୁ ମୁଁ ତମର ସହଯୋଗ ଓ ଉତ୍ସାହ ପାଇଛି ।’

 

ଲୋକ ସେବା କ୍ଷମତା ଓ ଧନ ଅର୍ଜନ କରିବାର ପ୍ରଧାନ ମାଧ୍ୟମ ହୋଇଯାଇଛି ତାହାର ପ୍ରମାଣ ଏଇ ପ୍ରଥମ ପାଇଲା ସତ୍ୟକାମ । କେବଳ ମିଥ୍ୟା, ପ୍ରବଞ୍ଚନା ଓ ଅପରାଧ ରଚନା କରି ଧନ ବଳ ଓ ବାହୁ ବଳ ପ୍ରୟୋଗ କରି ଯେ ସମାଜର ଗଣ୍ୟମାନ୍ୟମାନେ କେତେକ ଅବାଞ୍ଛିତ ଲୋକଙ୍କୁ କଣ୍ଢେଇ ପରି ବ୍ୟବହାର କରନ୍ତି ଓ ସେମାନଙ୍କ ସହଯୋଗ ନେଇ ଅପରାଧ କରାଯାଏ ତାହା ଯେତିକି ବିସ୍ମୟକର ସେତିକି ଲୋମହର୍ଷକ । ଅତି ପାପ କରିବା ଫଳରେ ରାବଣ ନିହତ ହେଲା, ଅତି ଦର୍ପ ଯୋଗୁଁ ଦୁର୍ଯ୍ୟୋଧନ ନାଶ ଗଲା । ଅତି ସର୍ବତ୍ର ବର୍ଜ୍ୟତେ ।

 

କିନ୍ତୁ ହଠାତ୍‌ ମନେପଡ଼ିଗଲା ଗୋଟିଏ ମୁହଁ । ମେଘଭର୍ତ୍ତି ଆକାଶରେ ବିଜୁଳି ଚମକିବା ପରି ସତ୍ୟକାମର ଭାରାକ୍ରାନ୍ତ ମନର ପର୍ଦ୍ଦା ଠେଲି ଚନ୍ଦ୍ରମୌଳି ଓ ତାଙ୍କ ମେଣ୍ଟର ଚିଦାନନ୍ଦଙ୍କ ମୁହଁ ଭାସିଉଠିଲା ବାରମ୍ବାର । ତା’ ସହିତ ଆଉ ଗୋଟେ ଭାବନା ଚମକି ଉଠିଲା ମନରେ - ଏତେ ଜଘନ୍ୟ ଅପରାଧର ଦଣ୍ଡ କ’ଣ ଅଛି ଭାରତୀୟ ପିଙ୍ଗଳ କୋଡ୍‌ରେ ?

 

ସତ୍ୟକାମ ଚିନ୍ତାରେ ବୁଡ଼ିଗଲା କିଛିକ୍ଷଣ ।

 

ପରଦା ଠେଲି ଯେଉଁ ମୁହଁଟି ବାହାରିଆସିଲା ତା’ ଆଖିଆଗରେ ତାହା ଆଉ କାହା ଆଖି ନୁହେଁ - ମା’ଙ୍କର ।

 

ଶ୍ରୀମୟୀଙ୍କ କୋଳରେ ବଢ଼ିଛି ସେ । ତା’ ମୁହଁ ଦେଖି ସେ ଯେମିତି ତା’ ପେଟକଥା ଜାଣିପାରନ୍ତି ! ମା’ଙ୍କ ମୁହଁ ଦେଖି ସେ ବି ସାତତାଳ ସମୁଦ୍ର ଭିତରେ କ’ଣ ହେଉଛି ତାହା ଅନୁଭବ କରିପାରେ । ମା’ଙ୍କ ବେଦନାଦଗ୍ଧ ବ୍ୟର୍ଥ ଜୀବନର କାହାଣୀ ସେ କାହାକୁ କହନ୍ତି ନାହିଁ, କିଛି କିଛି ଫାଦର୍‍ଙ୍କୁ ଆଭାସ ଦେଇଥିଲେ ତାଙ୍କର ଆଶ୍ରୟ ପ୍ରାର୍ଥନା କଲାବେଳେ, କିନ୍ତୁ ତାଙ୍କୁ ଯେତିକି କହିଛନ୍ତି ବା ତା’ଠାରୁ ଯେତିକି ଲୁଚାଇ ରଖିଚନ୍ତି ସେସବୁ ଅନୁମାନ କରି ନେଇଛି ସତ୍ୟକାମ । ସୀତା ଅଗ୍ନିପରୀକ୍ଷା ଦେଇ ପ୍ରମାଣ କରିଦେଇଥିଲେ ଯେ ସେ ଯାଜ୍ଞସେନୀ । ଆଉ ସମୟ ଆସିଲେ ମା’ ବି ସେଇପରି ସମସ୍ତ ଅଗ୍ନିପରୀକ୍ଷାରୁ ଅକ୍ଷତ ଶରୀରରେ ବାହାରି ଆସିବେ । ଏଇ ବିଶ୍ଵାସ ତାକୁ ଶକ୍ତି ଦିଏ, ଅନ୍ୟାୟ ଓ ଅପରାଧ ବିରୋଧରେ ଲଢ଼ିବାପାଇଁ ପ୍ରେରଣା ଦିଏ ।

 

ସତ୍ୟକାମ ଘରକୁ ଫେରିବାବେଳକୁ ସନ୍ଧ୍ୟା ହୋଇସାରିଥିଲା । ରାସ୍ତା ଉପରେ ଯାନବାହନ ଓ ମଣିଷମାନଙ୍କର ଭିଡ଼ । ସେଇ ଭିଡ଼ ଠେଲି ଆଗକୁ ପାଦ ପକାଇବା ହେଉଛି ମଣିଷପଣିଆ । କାହାକୁ ଠେଲି ନ ଦେଇ ବା କାହାର ଆଗକୁ ଯିବାର ଅଧିକାର ଛଡ଼ାଇ ନ ନେଇ ସେ ଆଗକୁ ଯାଏ । ସେଇ ଯିବାଟା କେବଳ ତା’ପାଇଁ ନୁହଁ, ସମାଜପାଇଁ ମଧ୍ୟ । ଏଥିରେ ଗୋଟେ ନିର୍ଭେଜାଲ ଅଙ୍ଗୀକାର ଅଛି ।

 

ତାକୁ କ’ଣ ଭାବୁଥିବା ଦେଖି କହିଲେ ଶ୍ରୀମୟୀ, “ଏଇ ତ ଫେରିଲୁ ପ୍ରେସ୍‌ରୁ । ପୁଣି କ’ଣ ଭାବୁଛୁ ଏତେ...।’’

 

ଲାଜେଇ ଯାଇ କହିଲା ସତ୍ୟକାମ, “ପରିସ୍ଥିତି ବାଧ୍ୟ କରୁଚି ମା’ ଭାବିବାପାଇଁ । ମୁଁ ଜାଣେ ଯେ ମୋ ପରି ଜଣେ ସାଧାରଣ ଯୁବକ ସମାଜ ବ୍ୟବସ୍ଥା ବା ମଣିଷର ଆଚାର ବିଚାର ବଦଳାଇ ଦେଇପାରିବ ନାହିଁ । କିନ୍ତୁ ଯାହା ଠିକ୍‌ ନୁହେଁ ଏବଂ ଅନ୍ୟାୟ ବୋଲି ମୁଁ ଭାବେ ତାହା ଯେପରି ମୋତେ କେବେ ଶିକାର ନ କରୁ ସେଥିପାଇଁ ମୋର ଭୟ ।’’

 

- “ସତ କହିଛୁ । ନିଜେ ଯଦି କେହି ନିଜ କୃତକର୍ମର ଶିକାର ହୁଏ, ଜାଣିଶୁଣି ନିଷିଦ୍ଧ ବାଟରେ ପାଦ ବଢ଼ାଏ ତେବେ ବିପଦ ପଡ଼ିବ ହିଁ ପଡ଼ିବ... । ସେକଥା ଛାଡ଼, ଏଇନେ କିଛି ଖାଇବୁ ନା ଏକାବେଳେ... ।’’

 

ତାଙ୍କ ମୁହଁରୁ କଥା ଛଡ଼ାଇ ନେଇ କହିଲା ସତ୍ୟ, “ଏଇନେ ସାତଟା ପଇଁଚାଳିଶ ଆଉ ଘଣ୍ଟାଏ ପରେ ଏକାବେଳେ ଖାଇବି... ଆଜି ମା’ ତମ ସହିତ କଥା ଅଛି, ସାଥିହୋଇ ଖାଇବା... ।’’

 

ତା’ କଥାଶୁଣି ଖୁସି ହେଲେ ଶ୍ରୀମୟୀ । ଅନେକ ଦିନ ହେଲା ପୁଅ ସହିତ ଗପ କରି କରି ଖାଇ ନାହାଁନ୍ତି ସେ । ସେଇ ସୁଯୋଗ ଆଜି ଆସିଛି... । ସେ ଫ୍ରିଜରୁ ଫଳରସ ଗିଲାସଟା ବାହାର କରି ପୁଅ ହାତରେ ଧରାଇ ଦେଇ କହିଲେ, “ଫ୍ରୁଟ୍‌ଜୁସ୍‌ ପିଇଦେ... ତା’ପରେ ଫ୍ରେସ୍‌ ହୋଇ ଯା... ମୁଁ ସେଇ ସମୟ ମଧ୍ୟରେ ରନ୍ଧାରନ୍ଧି କେତେଦୂର ଗଲା ତଦାରଖ କରୁଛି... ।’’

 

ଫଳରସ ପିଇଦେଇ ସତ୍ୟ ଚାଲିଗଲା କୋଠରି ଭିତରକୁ । କଲିଂ ବେଲ ବାଜି ଉଠିବାରୁ ଶ୍ରୀମୟୀ ନିଜେ ଚାଲିଗଲେ କବାଟ ଖୋଲିବାପାଇଁ ।

 

କବାଟ ଖୋଲିବାକ୍ଷଣି ଜଣେ ଆଗନ୍ତୁକ କହିଲେ, “ମୁଁ ସତ୍ୟକାମବାବୁଙ୍କୁ ଗୋଟେ ଖବର ଦବାପାଇଁ ଆସିଛି...।’’

 

ତାଙ୍କୁ ବାହାର ଘରେ ବସାଇ ଦେଇ କହିଲେ ଶ୍ରୀମୟୀ, “ଟିକେ ଅପେକ୍ଷା କର.. ସେ ଦିନସାରା କାମ କରି ଏଇନେ ଫେରିଛି । ତା’ କାମ ସାରି ନେଉ... ।

 

ଅଳ୍ପ ସମୟ ପରେ ଟେବୁଲ ଉପରେ ଆଗନ୍ତୁକପାଇଁ ଲକ୍ଷ୍ମୀ ଚା’ କପେ ଦେଇଗଲା ।

 

ସେ ଚା’ ପିଇବା ବାହାନା କରି ଦେଖି ନେଉଥିଲେ ଘରର ଅବସ୍ଥିତି, ଭିତରର ସାଜସଜ୍ଜା ଏବଂ କାନପାତି ଶୁଣୁଥିଲେ ଭିତରୁ ଭାସି ଆସୁଥିବା କେତେଗୁଡ଼ିଏ ଶବ୍ଦ ।

 

ଅଧଘଣ୍ଟା ପରେ ସତ୍ୟକାମ ଆସିଲା । ଆଗନ୍ତୁକ ଠିଆ ହୋଇପଡ଼ି କହିଲେ, ‘‘ନମସ୍କାର, ମୋ ନାମ ଅକ୍ଷତ ସାମଲ । ଗୋଟେ କାମରେ ଆସିଥିଲି... ।’’

 

- “କୁହନ୍ତୁ... ।” ଶୁଣିବାକୁ ଚାହିଁଲା ସତ୍ୟକାମ ।

 

“ମୁଁ ‘ଗୋଲ୍ଡ଼େନ ଇଣ୍ଡିଆ'ର ପବ୍ଲିକ୍‌ ରିଲେସନ୍ ଅଫିସର । ଗଣମାଧ୍ୟମ ସହିତ ସମ୍ପର୍କ ରଖିବା ମୋର କାମ । ମୋର ଦୁର୍ଭାଗ୍ୟ ଯେ ଏହା ପୂର୍ବରୁ ଆପଣଙ୍କ ସହିତ ଦେଖା କରିପାରିନି, ଯଦିବା ଖବରକାଗଜ ଆପଣଙ୍କୁ ଚିହ୍ନାଇ ଦେଇଛି ସାରା ରାଜ୍ୟରେ... ।’’

 

- “କୁହନ୍ତୁ ଆପଣଙ୍କପାଇଁ କ’ଣ କରିପାରେ... ।’’ କହିଲା ସତ୍ୟକାମ ।

 

- “ଗୋଲ୍ଡେନ୍ ଇଣ୍ଡିଆ ଗୋଟିଏ ମଲ୍ଟି ନ୍ୟାସ୍‌ନାଲ କମ୍ପାନୀ । ଏକୋଇଶଟି ଦେଶରେ ରିଟେଲ ମାର୍କେଟିଂ ସେଣ୍ଟର ଖୋଲିଛି... ବାର୍ଷିକ ଟର୍ଣ୍ଣଓଭର ପାଞ୍ଚ ହଜାର କୋଟିରୁ ବେଶି । ଆମର ଏକ୍ସପାନ୍‍ସନ ପ୍ଲାନ୍‌ ରହିଛି । ଆସନ୍ତା ବର୍ଷ ଆମେ ଆଉ ସାତଟି ଦେଶରେ ଖୁଚୁରା ବ୍ୟବସାୟରେ ପ୍ରବେଶ କରିବୁ... ।”

 

- “କିନ୍ତୁ ମୁଁ ତ ବ୍ୟବସାୟୀ ନୁହେଁ ମିଷ୍ଟର ସାମଲ... । ମୋ ପାଖରେ ଆପଣଙ୍କ କ’ଣ କାମ ?”

 

‘‘ସାର୍, ଆପଣଙ୍କ ପରି ଉଦୀୟମାନ ଯୁବକ ଆଗରେ ସାରା ଦୁନିଆ ପଡ଼ିରହିଛି । କମ୍ପାନୀ ପକ୍ଷରୁ ମୋତେ ପଠାଇଛନ୍ତି ଆପଣଙ୍କ ସହିତ ପରାମର୍ଶ କରିବାପାଇଁ । ଆମ କର୍ପୋରେଟ ହେଡ଼କ୍ୱାର୍ଟର୍ସ ସିଙ୍ଗାପୁରରେ, ଇଣ୍ଡିଆ ଅଫିସ୍‌ ମୁମ୍ବାଇରେ । କମ୍ପାନୀ ଆପଣଙ୍କୁ କର୍ପୋରେଟ ଅଫିସ୍‌ ମୁଖ୍ୟ ଏକ୍‌ଜିକ୍ୟୁଟିଭ (ପବ୍ଲିକ୍‌ ରିଲେସନ୍‍ସ) ପଦରେ ନିଯୁକ୍ତ କରିବାପାଇଁ ଚାହେଁ... ଅବଶ୍ୟ ଯଦି ଆପଣ ରାଜି ହୁଅନ୍ତି... ବାର୍ଷିକ ଆପଣ ପାଇବେ ପନ୍ଦର ଲକ୍ଷ ଟଙ୍କା, ସଫିଅର ଡ୍ରିଭେନ ଗାଡ଼ି, ଫ୍ରି ଫର୍ଣ୍ଣିସ୍‌ଡ଼୍‌ କ୍ୱାର୍ଟର ଏବଂ ଆଉ “ସବୁ ଏଣ୍ଟରଟେନ୍‌ମେଣ୍ଟ ଫେସିଲିଟିଜ୍... ।’’

 

ସତ୍ୟକାମ ଦଣ୍ଡେ ନୀରବରେ କ’ଣ ଭାବିଲା, ତା’ପରେ କହିଲା, “ମିଷ୍ଟର ସାମଲ, ଆପଣଙ୍କ କର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ । କିନ୍ତୁ ମୋ ହାତରେ ଏଇନେ ଅନେକ କାମ... ସେସବୁ ଶେଷ ନ କଲା ପର୍ଯ୍ୟନ୍ତ ମୁଁ ଭୁବନେଶ୍ୱର ଛାଡ଼ିପାରିବି ନାହିଁ କି ‘ନିଉ ଟାଇମ୍ସ୍’ ଛାଡ଼ିବି ନାହିଁ... ।”

 

ପରଦାଟା ଟିକେ ହଲିଗଲା । କେହି ଜଣେ ଭିତରକୁ ପାଦ ବଢ଼ାଇ ପୁଣି ଫେରିଗଲେ । ହୁଏତ ମା’, ନଚେତ୍‌ ଲକ୍ଷ୍ମୀ... । ଭାବିଲା ସତ୍ୟକାମ ।

 

ଅକ୍ଷତ ସାମଲ କହିଲେ, “ଆଜି ଏଇ ମୁହୂର୍ତ୍ତରେ ଆପଣଙ୍କଠାରୁ ଫାଇନାଲ କନ୍‌ସେଣ୍ଟ ମୁଁ ଆଶାକରୁନି ସାର୍... ଆପଣ ଦୁଇଦିନ ଭାବନ୍ତୁ । ମୁଁ ବୁଧବାର ଦିନ ପୁଣି ଆସିବି ।”

 

‘‘ଧନ୍ୟବାଦ ମିଷ୍ଟର ସାମଲ । କିନ୍ତୁ ମୁଁ ଦୁଃଖିତ ଯେ ଯାହା ଭାବିବା କଥା ମୁଁ ଭାବି ସାରିଛି.. ମୋ ହାତରେ ଅନେକ କାମ । ସେସବୁ ସାରିବାପାଇଁ ମୁଁ କମିଟ୍‌ମେଣ୍ଟ୍‍ କରିଛି... ଭବିଷ୍ୟତରେ କ’ଣ ହେବ କହିପାରୁନି... ବର୍ତ୍ତମାନପାଇଁ ଆପଣଙ୍କୁ ନିରାଶ କରୁଥିବାରୁ ମୁଁ ଦୁଃଖିତ-।’’

 

ଅଗତ୍ୟା ଅକ୍ଷୟ ସାମଲ ଯେଉଁ ବାଟଦେଇ ଭିତରକୁ ପ୍ରବେଶ କରିଥିଲେ ସେଇ ବାଟଦେଇ ଫେରିଗଲେ ଏବଂ ଯିବାବେଳେ ମନକୁ ମନ କହୁଥିଲେ, କାମ କରିବାର ଜିଦ୍‌ ଅଛି, ଆତ୍ମବିଶ୍ୱାସ ଦୃଢ଼ । ଥରେ ଯେଉଁ କାମ ହାତକୁ ନେଇଥିବେ ଶେଷ ନ ହେଲା ପର୍ଯ୍ୟନ୍ତ ସ୍ୱସ୍ତିରେ ଚିନ୍ତା କରିପାରିବେ ନାହିଁ ଅନ୍ୟ ବିଷୟ ସମ୍ବନ୍ଧରେ । ତେବେ ସତ୍ୟ ଯେ ଏତେବଡ଼ ଲୋଭନୀୟ ଅଫର ଛାଡ଼ିଦେଲା ସେଇଟା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବେଶ୍‍ । ଭୁବନେଶ୍ଵର ଛାଡ଼ି ସେମାନେ ଯଦି ସିଙ୍ଗାପୁର ଚାଲିଯାଇଥାନ୍ତେ ତେବେ କ’ଣ କ୍ଷତି ହୋଇଥାନ୍ତା ?

 

ଏକଥା ଭାବିବାକ୍ଷଣି ବିଦ୍ୟୁତ୍‌ପରି ତାଙ୍କ ମନରେ ଆଉ ଗୋଟେ ମୁହଁ ଭାସି ଉଠିଲା । ଅସୀମା ସମ୍ପର୍କରେ ଏବେବି କ’ଣ ହେବ ତାହା ନିଶ୍ଚୟ ହୋଇ ନାହିଁ । କବୀର ସାହେବ ଝିଅକୁ ଶେଖ୍‌ ଅଖ୍‍ତାରଙ୍କ ପୁଅ ସହିତ ବାହା ଦେବାକୁ ଚାହାଁନ୍ତି, କିନ୍ତୁ ସୁରେୟା ଚାହାଁନ୍ତି ଝିଅର ପସନ୍ଦ ଯେଉଁଠି ସେଇଠି ବାହାହେଉ । ଅସୀମା ବାଗ୍‌ଦତ୍ତା । ତା’ ବିଷୟରେ ଶେଷ ସିଦ୍ଧାନ୍ତ ନ ହେବା ପର୍ଯ୍ୟନ୍ତ ସତ୍ୟ ଯେ ତାକୁ ଛାଡ଼ି ଚାଲିଯିବ ନାହିଁ ଏୟା ତାଙ୍କୁ ଆନନ୍ଦ ଦେଇଥିଲା ବେଶି ।

 

ମା’ପୁଅ ଦୁହେଁ ଟେବୁଲର ଦୁଇ ପାଖରେ ମୁହାଁମୁହିଁ ବସିଲେ । ପୁରି, ମଟରପନୀର ଓ ଚିଲି ଚିକେନ୍‌ । ଚିଲି ଚିକେନ୍‌ରୁ ଖଣ୍ଡେ ପାଟିରେ ଭର୍ତ୍ତିକରି କହିଲା ସତ୍ୟକାମ, ‘‘ବଡ଼ ସୁଆଦିଆ ହୋଇଛି ମା’... ତମ ହାତ ଲାଗିଛି ନିଶ୍ଚୟ ।’’ ଶ୍ରୀମୟୀ କହିଲେ, ‘‘ଟିକେ ପନୀର ଖାଇ ଦେଖିଲୁ ? ‘‘ତା’ପରେ ପୁରିରୁ ଟୁକୁରାଏ ଏବଂ ପନୀରରୁ ଖଣ୍ଡେ ଚୋବାଇ ସାରି କହିଲା ସତ୍ୟକାମ - ‘‘ଏକ୍ସ‌ଲେଣ୍ଟ ...’’

 

‘‘ଦୁଇଟାଯାକ ଲକ୍ଷ୍ମୀ କରିଛି, ମୁଁ କେବଳ ସୁପରଭାଇଜ କରିଛି ।’’ ଲକ୍ଷ୍ମୀ ପାଖରେ ଠିଆ ହୋଇଥିଲା । ମା’ଙ୍କ ପ୍ରଶଂସା ଶୁଣି ଉଛୁଳିପଡ଼ି କହିଲା, ‘‘ନାଇଁମ ବାବୁ... ମା’ଙ୍କ ହାତ ନ ଲାଗିଲେ କ’ଣ ତିଅଣରୁ ଏତେ ସୁଆଦ ବାହାରିବ ?’’

 

ଭୁବନେଶ୍ଵର ଆସିବା ଦିନୁ ଲକ୍ଷ୍ମୀ ସେମାନଙ୍କ ସହିତ ରହୁଛି । ପୁନାରୁ କୋଣାର୍କ ଏକ୍ସପ୍ରେସରେ ଆସୁଥିବାବେଳେ ବ୍ରହ୍ମପୁର ଷ୍ଟେସନରେ ତିରିଶ ବତିଶ ବର୍ଷର ଝିଅଟିଏ ଡବା ଭିତରକୁ ପଶି ଆସିଥିଲା । ସେ ଜାଣି ନ ଥିଲା ଯେ ଏଇଟା ଏସି ଡବା... ‘‘ତା’ପରେ ତା’ପାଖରେ ପଇସା ନ ଥିଲା ଟିକେଟ୍‌ କାଟିବାପାଇଁ । ସେ ଭାବିଥିଲା ଗାଡ଼ିରେ ଉଠିଗଲେ ଯଦି ଭାଗ୍ୟ ଭଲ ଥାଏ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଯିବ ।

 

ତା’ପରେ ସେଠାରେ ଓହ୍ଲାଇ ଯିବ ଏବଂ କାମଦାମ ଖୋଜିବ । କିନ୍ତୁ ସେ ଭାବି ନ ଥିଲା ଯେ ସେ ଯାହା ଭାବୁଥିଲା ତାହା ଏତେ ସରଳ । ତା’ ପରି ଜଣେ ଯୁବତୀକୁ ଡବା ଭିତରେ ଦେଖି ଦୁଇତିନିଟା ତୀକ୍ଷ୍‍ଣ ଦୃଷ୍ଟି ପହଁରିଗଲା ତା’ ଉପରେ । ଟିଟିଆଇବାବୁ ବି ଠିକ୍‌ ସେତକବେଳେ ପହଞ୍ଚିଗଲେ । ତାଙ୍କୁ ଟିକେଟ ଦେଖାଇ ନ ପାରି ଅପରାଧିନୀ ପରି ଛିଡ଼ା ହୋଇ ରହିଲା ସେ । ଟିଟିଆଇବାବୁ କହିଲେ ଟିକେଟ ମୂଲ୍ୟ ଓ ଜୋରିମାନା ନ ଦେଲେ ଜେଲ ଖଟିବ । ଏଇ ସମୟରେ ଶ୍ରୀମୟୀ ବୁଝିନେଲେ ଟିଟିଆଇଠାରୁ, କେତେ ଟଙ୍କା ଦବାକୁ ହେବ । ଟିଟିଆଇ ହାତକୁ ସେତିକି ଟଙ୍କା ବଢ଼ାଇ ଦେଇ କହିଲେ, ‘‘ଟିକଟ କାଟି ଦିଅନ୍ତୁ... ସେ ଆମ ସହିତ ଯିବ ।’’ ଲକ୍ଷ୍ମୀ ଉଦ୍ଧାର ପାଇଗଲା, କିନ୍ତୁ ସେଇ ମୁହୂର୍ତ୍ତରୁ ତା’ ମନ ବନ୍ଧା ପଡ଼ିଗଲା ତାକୁ ଜନ୍ମ ନ କରିଥିବା ଆଉ ଜଣେ ମା’ଙ୍କ ସ୍ନେହ ମମତାରେ । ତାଙ୍କରି ପଣତକାନି ତଳେ ଆଶ୍ରୟ ପାଇ ବଞ୍ଚିଗଲା ଲକ୍ଷ୍ମୀ । ସେଇଦିନୁ ସେ ରହିଛି ଶ୍ରୀମୟୀଙ୍କ ସଂସାରରେ । ସୁଖ ଦୁଃଖର ସାଥୀ । ତା’ ଦାୟିତ୍ୱରେ ଘର ସଂସାର ଛାଡ଼ି ବେଶ୍‌ ନିଶ୍ଚିନ୍ତ ହୋଇଛନ୍ତି ଶ୍ରୀମୟୀ ।

 

ଶ୍ରୀମୟୀଙ୍କ ସଂସାରରେ ରହିବା ପରେ ଲକ୍ଷ୍ମୀ ଭୁଲିଯାଇଥିଲା ତା’ର ତିରିଶ ବର୍ଷର ଅତୀତ ଇତିହାସ । ସେ ସାତବର୍ଷ ହୋଇଥିବାବେଳେ ମା’ ତାକୁ ଛାଡ଼ି ଚାଲିଗଲା । ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ସାବତ ମା’ର କଥାମାନି ବାପା ତାକୁ କିଛିଟଙ୍କା ନେଇ ବାହା କରାଇଦେଲା ଜଣେ ପଇଁଚାଳିଶ ବର୍ଷର ବୁଢ଼ା ସହିତ । କିନ୍ତୁ ତା’ର ଭାଗ୍ୟରେ ନ ଥିଲା ଘରସଂସାର । ଯାହା ହାତ ଧରିଥିଲା ସେଇ ଶ୍ଵାସରୋଗୀର ସେବା କରୁ କରୁ କେବେ ସେ ଉଣେଇଶ ବର୍ଷରେ ଗର୍ଭବତୀ ହେଲା ଜାଣେ ନାହିଁ । ତିନି ମାସ ବଞ୍ଚିଥିଲା ତା’ ଝିଅ । ସେ ବି ତାକୁ ଛାଡ଼ି ଚାଲିଗଲା ପରେ ଅଭାଗିନୀ ଲକ୍ଷ୍ମୀକୁ ରୋଜଗାରର ମାଧ୍ୟମ କରି ବଞ୍ଚିବାକୁ ଚାହୁଁଥିଲା ତା’ ସ୍ଵାମୀ । ସେଇ ସମୟରେ ଲକ୍ଷ୍ମୀ ଘର ଛାଡ଼ି ଦିନେ ପଳାଇ ଆସିଲା ଏବଂ ବ୍ରହ୍ମପୁର ଜଗନ୍ନାଥ ମନ୍ଦିରରେ ଦୁଇଦିନ ରହିବା ପରେ କାମ ପାଇବା ଆଶାରେ ଭୁବନେଶ୍ୱର ଯିବାବେଳେ ଧରାପଡ଼ିଲା ଟ୍ରେନ୍‌ରେ । ତା’ପରେ ସେ ଶ୍ରୀମୟୀଙ୍କ ପରିବାରର ସଦସ୍ୟ । ଦୁଃଖ ସୁଖର ସାଥୀ ।

 

ଝିଅ ପରି ତା’ର ଯତ୍ନ ନିଅନ୍ତି ଶ୍ରୀମୟୀ । ଲକ୍ଷ୍ମୀ ପାଠ ପଢ଼ୁଥିବାବେଳେ ପଢ଼ିଥିଲା ବହିରେ- ‘ବୈକୁଣ୍ଠ ସମାନ ଆହା ଅଟେ ଏଇ ଘର, ପରସ୍ପର ସ୍ନେହ ଯହି ଥାଏ ନିରନ୍ତର ।’ ମା’ ଭାଇଙ୍କ ସଂସାରକୁ ବୈକୁଣ୍ଠ ଭାବି ଆସିଛି ସେଇଦିନୁ।’’

 

ତାଙ୍କ ସହିତ ଖାଇଲାବେଳେ ଏଥିରୁ ଟିକେ ସେଥିରୁ ଟିକେ କରି ବେଶ୍‌ ବଳାଇ ବଳାଇ କିଛି ଅଧିକ ଖୁଆଇଦେଲେ ଶ୍ରୀମୟୀ । ମା’ମାନଙ୍କ ପେଟ ପୂରିଯାଏ ପିଲାଙ୍କ ପେଟ ପୂରିଗଲେ । ପିଲାର ପେଟର ବାଣୀ ଜଣା ସେମାନଙ୍କୁ । ଭୂରିଭୋଜନ ପରେ ଶୋଇପଡ଼ିବାକୁ ଇଚ୍ଛା ହେଲା । କିନ୍ତୁ ସେ ନିଜକୁ ସଜାଗ କରି ରଖିବାପାଇଁ କହିଲା, ‘‘ଟିକେ କଫି ପିଇବାପାଇଁ ଇଚ୍ଛା ହେଉଛି ମା’-।’’

 

ଲକ୍ଷ୍ମୀ ପାଞ୍ଚ ମିନିଟ୍‌ ମଧ୍ୟରେ ଗରମ କଫି ଦୁଇ କପ୍‌ ନେଇ ଆସିଲା । ଶ୍ରୀମୟୀ ବୁଝି ପାରିଲେ ପୁଅ କ’ଣ କହିବ କହିବ ହେଉଛି, କିନ୍ତୁ କହପାରୁନି । ସେ କହିଲେ, ‘‘ତୁ କ’ଣ କହିବୁ ବୋଲି କହୁଥିଲୁ ନା... ।’’

 

- ‘‘ହଁ ମା’ ! ତୁମକୁ ଦୁଇଟି ବିଷୟରେ ଅବଗତ କରାଇପାରିନି କାମ ଭିଡ଼ରେ । ଏବେ କହିବି । ଆଜି ସକାଳେ ଫାଦର୍‍ ଡାକି ପଠାଇଥିଲେ କ’ଣ ପାଇଁ ଜାଣ ?’’

 

ମଥା ହଲାଇଲେ ଶ୍ରୀମୟୀ ।

 

- ‘‘ଡାକ୍ତର ସୁରେୟା ଫାଦର୍‍ଙ୍କ ଘରେ ରହୁଛନ୍ତି କାଲି ରାତିରୁ... ।’’ ଉଦ୍‌ବେଗ ପ୍ରକାଶ କରି କହିଲେ ଶ୍ରୀମୟୀ, ‘‘ଫାଦର୍‍ କ’ଣ ଅସୁସ୍ଥ ?’’

 

- ‘ନା, ନା । ସେ ସୁସ୍ଥ ଅଛନ୍ତି । କିନ୍ତୁ ତାଙ୍କ ନିଜ ଘରେ ତ ଆଉ ରହି ପାରିବେନି ଡାକ୍ତର ସୁରେୟା । କବୀର ସାହେବ ତାଙ୍କୁ ତଲାକ୍‌ ଦେଇଛନ୍ତି... ।’’

 

ସ୍ତବ୍ଧ ହୋଇଗଲେ ଶ୍ରୀମୟୀ । ଟିକେ ପରେ କହିଲେ, ‘‘କ’ଣ କହିଲୁ... ?’’

 

- ‘କବୀର ସାହେବ ତାଙ୍କ ସ୍ତ୍ରୀଙ୍କୁ ତଲାକ୍ ଦେଇଛନ୍ତି... ବଜ୍ରାଘାତ ପରି କଷ୍ଟ ସହି ନ ପାରି ଘରଛାଡ଼ି ସେ ଆସି ଫାଦର୍‍ଙ୍କ ଘରେ ଅଛନ୍ତି ।’

 

ଶ୍ରୀମୟୀଙ୍କ ଆପାଦମସ୍ତକ ବେଦନାରେ ଶିର୍‌ଶିର୍‌ କରିଉଠିଲା । ତଣ୍ଟି ଶୁଖିଗଲା । ମଥାଟା ବୁଲେଇବା ପରି ଲାଗିଲା । ସେ ଚୌକି ଉପରେ ଆଉଜି ପଡ଼ିଲେ ।

 

ତାଙ୍କ କାନ୍ଧ ଉପରେ ହାତ ରଖି କହିଲା ସତ୍ୟକାମ, ‘‘ମଣିଷ ପଶୁ ସ୍ତରକୁ ଓହ୍ଲାଇଲେ ଏପରି ହୁଏ... ତମେ ଧୈର୍ଯ୍ୟ ଧର ମା’...’’

 

ଆଉକିଛି ସମୟ ଦୁହେଁ ଚୁପ୍‌ଚାପ୍‌ ବସି ରହିବା ପରେ, ସତ୍ୟକାମ କହିଲା, ‘ଏହା ଯେ ନାଟକର ଶେଷ ଅଙ୍କ ନୁହେଁ ଆରମ୍ଭ ମାତ୍ର, ଏୟା ହିଁ ମୋତେ କ୍ଷୁବ୍ଧ କରୁଛି । ପଚିଶ ବର୍ଷର ବୈବାହିକ ଜୀବନ ପଦିଏ କଥାରେ ଭାଙ୍ଗିଦେଲେ କବୀର ସାହେବ !’

 

ତା’ପରେ ସେ କହିଲା, ‘‘ଏହାର ପ୍ରଭାବ ଆମ ଉପରେ ପଡ଼ିବ... ଏହାପରେ ହୁଏତ ଅସୀମାର ବାପାଙ୍କ ଇଚ୍ଛାହିଁ ପୂର୍ଣ୍ଣ ହେବ !’’

 

‘‘ବୋଧହୁଏ ତାଙ୍କ ଇଚ୍ଛା କେବେବି ପୂର୍ଣ୍ଣ ହେବନି... ବାନୁ ମୋ ଆଗରେ ଶପଥ ନେଇଛି... ତା’ ବାପାଙ୍କ ଅପେକ୍ଷା ମୁଁ ତାଙ୍କ ଝିଅର ମନ ବେଶି ଜାଣିପାରେ... ।’’ କହିଲେ ଶ୍ରୀମୟୀ-

 

‘‘କିନ୍ତୁ ବର୍ତ୍ତମାନ ଆମେ କରିବା କ’ଣ ? ଚୁପ୍‌ଚାପ୍‌ ବସି ରହିବା ?’’

 

- ‘‘ନା, ନା । ଇଏ ନିରବରେ ବସି ରହିବା ବେଳ ନୁହେଁ । ମୁଁ ବାନୁ ସହିତ କଥା ହେବି... ହୁମାୟୁନ୍‍ ସହିତ ଆଲୋଚନା କରିବି... ଆଉ ସକାଳ ପାହିଲେ ଫାଦର୍‍ଙ୍କ ଘରକୁ ଯାଇ ସୁରେୟାଙ୍କୁ ଦେଖିଆସିବି...’’ ପୁଅକୁ ଆଶ୍ଵାସନା ଦବାପରି କହିଲେ ଶ୍ରୀମୟୀ ।

 

ପୁଣି କହିଲେ, ‘‘ରାତି ଦଶଟା ବାଜିଗଲାଣି, ଏଇନେ ଫୋନ୍‌ କରିବା ବେଳ ନୁହେଁ । ହୁଏତ କବୀର ସାହେବ ଘରେ ଥିବେ, ତାଙ୍କ ହାତରେ ଯଦି ଟେଲିଫୋନ୍‌ ପଡ଼େ ତେବେ ଲାଭ କିଛି ହେବ ନାହିଁ... । ବରଂ କାଲିପାଇଁ ଅପେକ୍ଷା କରିବା । ଫାଦର୍‍ ନିଶ୍ଚୟ କିଛି ବାଟ ବତାଇବେ....।’’

 

- ‘‘କିନ୍ତୁ ଆଉ କ’ଣ କବୀର ସାହେବ ତାଙ୍କ ଶବ୍ଦଗୁଡ଼ାକୁ ଫେରାଇ ନେଇପାରିବେ ? ମୌଲବୀମାନେ ତାଙ୍କୁ ଛାଡ଼ିବେ ନାହିଁ ଧର୍ମ ବିରୋଧୀ କାମ କରିବାପାଇଁ ।’’ କହିଲା ସତ୍ୟକାମ ।

 

- ‘‘ତଲାକ୍‌ କରିବା ଧର୍ମସମ୍ମତ ନୁହେଁ କିଏ ଜାଣେ ? ମୁଲ୍ଲା ମୌଲବୀମାନେ ଧର୍ମଶାସ୍ତ୍ରର ବ୍ୟାଖ୍ୟା ଯେପରି କରିବେ ସାଧାରଣ ଲୋକ ସେହିପରି ବୁଝିବେ ଏବଂ ସେମାନଙ୍କ ଆଦେଶ ମାନିନେବେ...’’ କହିଲେ ଶ୍ରୀମୟୀ । ତା’ପରେ ପୁଣି ଯୋଗ କଲେ, ‘‘ଦିନେ ଆଲ୍ଲା ସଦ୍‌ବୁଦ୍ଧି ଦେବେ, ତାଙ୍କର ଇଚ୍ଛାହିଁ ପୂର୍ଣ୍ଣ ହେବ ।’’

 

- ‘ଏବେ କହ ବାବୁ, ଆଉ କ’ଣ କହିବାକୁ ଚାହୁଁ ?’

 

-‘ହ ମା’ ! ତମେ ଜାଣି ଖୁସି ହେବ ଯେ ମୋ କାମ ଶେଷ ହେବା ଉପରେ...। ମୁଁ ଆହ୍ଵାନ ଗ୍ରହଣ କରିଥିଲି ସତ୍ୟ ଉଦ୍‌ଘାଟନ କରିବାପାଇଁ । ସେଥିରେ କିଛି ସଫଳତା ପାଇଛି । ଅପରାଧୀମାନେ ଧରା ପଡ଼ିଛନ୍ତି ।’

 

ପୁଅର ମଥା ଆଉଁସି ଦେଇ କହିଲେ, ‘‘ଜୀବନଟା ସାରା ଯୁଦ୍ଧ କରିବାକୁ ହୁଏ ବାବୁ... ଏଇଟା ଇମିତି ସିମିତି ମାମୁଲି ଯୁଦ୍ଧ ନୁହେଁ... ଧର୍ମଯୁଦ୍ଧ । ଧର୍ମର ଜୟ, ସତ୍ୟର ଜୟ ହେଲେ ମଣିଷର ଜୟ ହେବ... ମାନବିକତା... ନୈତିକତାର ଜୟ ହେବ ।’’

 

- ‘‘କିନ୍ତୁ ମା’ ! ସେଇ ଅପରାଧର କାହାଣୀ ଅନେକ ଲମ୍ବା... ସେ ଭିତରକୁ ଯେତିକି ପ୍ରବେଶ କରିବ ବଳି ପଡ଼ିଥିବା ନିର୍ଦ୍ଦୋଷମାନଙ୍କ ଦୀର୍ଘଶ୍ୱାସ, ଆତ୍ମଚିତ୍କାର ସେତିକି ବାଜିବ ତୁମ କାନରେ । ଟ୍ରିପଲ ମର୍ଡ଼ର କେସ୍‌ରୁ ଆରମ୍ଭକରି କେତେ ନରହତ୍ୟା, ବଳାତ୍କାର, ଧର୍ଷଣ, ଜାଲିଆତି, ଠକେଇ ସ୍ୱାର୍ଥସିଦ୍ଧିପାଇଁ ମଣିଷ କରିପାରେ ତାହା ଯେତେବେଳେ ସାଧାରଣ ଲୋକ ଜାଣିବେ ଚମକି ପଡ଼ିବେ ଏଇ ବଡ଼ ବଡ଼ ସମାଜସେବୀଙ୍କ କୁତ୍ସିତ ରୂପ ଦେଖି । ତମେ ମୋତେ ସବୁବେଳେ ଉତ୍ସାହ ଦେଇ ଆସିଛ... ଜୀବନ ବିପନ୍ନ କରି ମୁଁ ସତ୍ୟ ଉଦ୍‌ଘାଟନ କରିଛି ମା’.. । ଆମ କାଗଜରେ ପ୍ରକାଶ ପାଇଥିବା ରିପୋର୍ଟକୁ ଆଧାରକରି ପୁଲିସ୍‌ ଏ ବିଷୟରେ ଅନେକ ଗଭୀର ଅନୁସନ୍ଧାନ କରିଛି ଅପରାଧର ଉତ୍ସ ଓ ଅପରାଧୀମାନଙ୍କ ଆଭିମୁଖ୍ୟ ଓ କାର୍ଯ୍ୟକଳାପ ଜାଣିବାପାଇଁ । ମୋର ବିଶ୍ଵାସ ପୁଲିସ୍‍ ଅଦାଲତରେ ଦାଏର କରିଥିବା ଅଭିଯୋଗ ସବୁ ପ୍ରମାଣ ହୋଇଯିବ ଏବଂ ଅପରାଧୀମାନେ ଆଇନ ଅନୁସାରେ ଦଣ୍ଡ ପାଇବେ ।’’

 

ପୁଅ କଥା ମନୋଯୋଗ ଦେଇ ଶୁଣୁଥିଲେ ଶ୍ରୀମୟୀ । ତାଙ୍କୁ ଖୁସି ଲାଗୁଥିଲା ଯେ ସତ୍ୟକାମ ସତ୍‌ମାର୍ଗରୁ ବିଚ୍ୟୁତ ହୋଇନାହିଁ । ଏଇ କାମ ଏବେବି ଅସମ୍ପୂର୍ଣ୍ଣ ରହିଛି ବୋଲି ତା’ହେଲେ ସେ ମଲ୍ଟି ନ୍ୟାସନାଲ କମ୍ପାନୀର ଏତେ ଭଲ ଚାକିରି ଛାଡ଼ିଦେଲା ଏବଂ ସିଙ୍ଗାପୁର ଯିବା ପ୍ରସ୍ତାବ ଏଡ଼ାଇଦେଲା । ତଥାପି ସେ କହିଲେ - ‘‘ତୁ କ’ଣ ଭାବୁଛୁ ଯେ ସିଙ୍ଗାପୁର ଗଲେ ଏଇ ମାମଲା ପରିଚାଳନାରେ ବାଧା ପଡ଼ିବ ?’

 

ସତ୍ୟକାମ କହିଲା, ‘‘ଅଭିଯୋଗ ପ୍ରମାଣ କରିବାର ଦାୟିତ୍ୱ ପୁଲିସ୍‍ର । ସିବିଆଇ ଯେତେବେଳେ ଏଇ ଦାୟିତ୍ୱ ନେଇଛି ମୋର ବିଶ୍ଵାସ ହେଉଛି ଯେ ସେମାନେ ଏ କାମରେ ଆଦୌ ହେଳା କରିବେ ନାହିଁ । କିନ୍ତୁ ଆମ କାଗଜ ଯେତେବେଳେ ଏଇସବୁ ଅପରାଧର କାହାଣୀ ଛାପି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ସେଇକଥା ମନେରଖିବାକୁ ହେବ । ବଡ଼ ବଡ଼ ଲୋକମାନେ ଦେଶସେବା, ସମାଜସେବାର ମୁଖାପିନ୍ଧି କିପରି ଧନ ଓ ବାହୁବଳ ଆୟତ୍ତ କରିବା ନିମନ୍ତେ ଅପରାଧୀମାନଙ୍କ ସହିତ ମିତ୍ରତା କରନ୍ତି ସେଇ ବିଷୟର ପର୍ଦ୍ଦାଫାଶ କରି ଆମ କାଗଜ ଜନସାଧାରଣଙ୍କ ଶ୍ରଦ୍ଧା ଓ ବିଶ୍ଵାସ ଅର୍ଜନ କରିଥିବାବେଳେ ଶାସକ ଓ ଅଣ୍ଡର୍‌ ଓ୍ୱାର୍ଲଡ଼ର ଶତ୍ରୁ ପାଲଟି ଯାଇଛି । ତେଣୁ ଆମ ପାଖରେ ଯେତେସବୁ ତଥ୍ୟ ଅଛି ସେସବୁ ସିବିଆଇକୁ ଯୋଗାଇବା ଆମର କର୍ତ୍ତବ୍ୟ । ମୁଁ ଯଦି ସିଙ୍ଗାପୁର ଚାଲିଯାଏ ତେବେ ଏଇ କାମରେ ବାଧା ପଡ଼ିବ ।’’

 

‘‘ସେମାନେ ପ୍ରବଳ ପରାକ୍ରମୀ ପ୍ରତିପକ୍ଷ । ସେମାନଙ୍କ ସହିତ ପାରିବୁ ? ତୋର ହାନି କରିବେ ନାହିଁ ?’’ ପଚାରିଲେ ଶ୍ରୀମୟୀ ।

 

‘‘ସାପର ଧର୍ମ ଦଂଶିବା । ମୋର ଧର୍ମ ସାପ ଦାନ୍ତରୁ ବିଷ କାଢ଼ିବା । ପଲ୍ଲବ ଭାଇର କାର୍ଯ୍ୟ ଅପରାଧୀମାନଙ୍କୁ କାଠଗଡ଼ାରେ ଠିଆ କରିବା, ଆଉ ଅଦାଲତର କର୍ତ୍ତବ୍ୟ ହେଉଛି ଆଇନ ଅନୁସାରେ ଦଣ୍ଡ ବିଧାନ କରିବା । ଆଉ ଗୋଟେ କଥା - ପଲ୍ଲବଭାଇଙ୍କ ସାହାଯ୍ୟ ପାଇ ନ ଥିଲେ ମୁଁ ଏ କାମରେ ସଫଳତା ପାଇ ନ ଥାନ୍ତି ।’’

 

ରାତି ଅନେକ ହେଲାଣି । ତଥାପି ପୁଅର କଥା ଶୁଣିବାପାଇଁ ଆଗ୍ରହ ଦେଖାଉଥାନ୍ତି ଶ୍ରୀମୟୀ ।

 

ସେ କହିଲେ, ‘‘ବାନୁ ଉପରକୁ ଯିଏ ଏସିଡ଼୍‌ ଫିଙ୍ଗିଲା ସେ କ’ଣ ଏଇ ଦଳର ଲୋକ ?’’

 

‘‘ହଁ ମା’ ! ତାକୁ ଖଞ୍ଜିଥିଲେ ଶେଖ୍‌ ଅଖ୍‍ତାର । କବୀର ସାହେବ ବି ଏଇ ଚକ୍ରାନ୍ତ ସହିତ ସମ୍ପୃକ୍ତ । ବାପ ଯେ ନିଜ ଝିଅକୁ ଦଣ୍ଡ ଦବାପାଇଁ ଏମିତି ଘୃଣ୍ୟ କାର୍ଯ୍ୟ କରିବାପାଇଁ ସୁଯୋଗ ଦିଏ ତାହା ବିଶ୍ଵାସ ହେଉ ନ ଥିଲେ ମଧ୍ୟ ସତ୍ୟ । ଆଉ ଯିଏ ଏସିଡ଼୍‌ ଫିଙ୍ଗିଥିଲା ସେଇ ଲୋକଟା କିଏ ଜାଣ ? ହାରୁ ମିଆଁର ସାନ ଭାଇ ଦିଲୁ ମିଆଁ । ଏମାନେ ଦୁହେଁ ଶେଖ୍‌ ଅଖ୍‍ତାର ଓ ଅଣ୍ଡର ୱ୍ଵାର୍ଲଡ଼୍‌ର ଚାଳକ ଶକ୍ତିର ଲୋକ ।’’

 

- ‘‘ଅଣ୍ଡର ଓ୍ୱାର୍ଲଡ଼ର ଚାଳକ ଶକ୍ତି କିଏ ?’’

 

ମା’ ! ଏ ପ୍ରଶ୍ନ ପଚାରିବେ ଏୟା ଆଶା କରି ନ ଥିଲା ସତ୍ୟକାମ । ସେ ବିଷୟରେ କହିବ କି ନ କହିବ ଭାବୁଥିବାବେଳେ ଶ୍ରୀମୟୀ ଆଉଥରେ କହିଲେ - ‘‘ଚୁପ୍‌ ହୋଇଗଲୁ ଯେ ?’’

 

-‘‘କିଛି ଭୁଲ କରିଥିଲେ କ୍ଷମା କରିବ ମା’ ! ଦିଲ୍ଲୀର ସେଇ ଲୋକଟା ଦିନେ ପାହାନ୍ତାରେ ଆମ ବଗିଚାରେ ଛିଡ଼ା ହୋଇ ତୁମ ସହିତ କଥାହେବା ମୁଁ ଜାଣେ । ମୁଁ ମଧ୍ୟ ଜାଣେ ଯେ ସେ ଦିନେ ସମସ୍ତଙ୍କ ଅଲକ୍ଷ୍ୟରେ ଆମ ଘରେ ପ୍ରବେଶ କରି ଛାତ ଉପରେ ବସିଥିଲା ତମକୁ ଅପେକ୍ଷା କରି । କାହିଁକି ସେ ତୁମ ପାଖକୁ ଆସୁଥିଲା ତାହାବି ମୁଁ ଅନୁମାନ କରିଛି । ସେ ତୁମ ଉପରେ ପ୍ରଭାବ ପକାଇ ମୋତେ ‘ନିଉ ଟାଇମ୍ସ୍’ର ଏଇ ଅନୁସନ୍ଧାନରୁ ନିବୃତ୍ତ କରିବାକୁ ଚାହୁଁଥିଲା । ତମେ ତାକୁ ଆଗରୁ ଜାଣିଥିଲ କି ନା ମୁଁ ଜାଣେନି । କିନ୍ତୁ ତମେ ଯେ ତା’ର ସବୁ ଅନୁରୋଧ ପ୍ରତ୍ୟାଖ୍ୟାନ କରିଛ ଏଥିପାଇଁ ମୋ ମନରେ ଗର୍ବ ହୁଏ ।’’

 

ନିରୁତ୍ତର ବସି ରହିଥିଲେ ଶ୍ରୀମୟୀ । କାନ ଦୁଇଟା ଶୁଣୁଥିଲେ ବି ମନଟା ଅନ୍ଧଗଳିରେ ଅଣ୍ଡାଳି ହେଉଥିଲା ଏବଂ ତଥାପି ଖୋଜି ବୁଲୁଥିଲା ସେଇ ଅପରାଧୀମାନଙ୍କ ଠିକଣା । ସେ ବିଷୟ ବି କଣ ଜାଣିପାରିଛି ସତ୍ୟ ! ମନକୁ ମନ ପ୍ରଶ୍ନ କରୁଥିଲେ ଶ୍ରୀମୟୀ । ସେଇ ଦୁଇଜଣ ତାଙ୍କୁ ଦିନେ ରାସ୍ତା ଉପରୁ ଟେକି ନେଇଥିଲେ... ଏବଂ ତାଙ୍କ ଜୀବନର ସବୁ ଐଶ୍ୱର୍ଯ୍ୟ ଲୁଟି ନେଇଥିଲେ । ସେଇ ଲୋକ ଦୁଇଟା ତେବେ କ’ଣ ଏଇ ମାମଲା ସହିତ ସମ୍ପୃକ୍ତ ? ଏହ ଦୀର୍ଘକାଳ ପରେ ସେମାନଙ୍କୁ ଖୋଜି ଖୋଜି ବାହାର କରିଛି ସତ୍ୟ ।

 

ସେ ହଜିଯାଇଥିଲେ ନିଜ ଭିତରେ । ସେଇ ସନ୍ଧ୍ୟାର ଅନ୍ଧାର ଭିତରେ ହଜି ଯାଇଥିବା ନିଜର ଅଭିମାନ ଓ ଆଶା ଆଉ ସେ ଫେରିପାଇବେ ନାହିଁ । ତଥାପି ଜାଣିବାକୁ ଇଚ୍ଛା ହେଉଥିଲା ସେମାନେ ଧରାପଡ଼ିଚନ୍ତି ନା ନାହିଁ ? ପୁଅକୁ ପଚାରିବାପାଇଁ ସାହସ ହେଉ ନ ଥିଲା । ଅନ୍ତର ଭିତରେ ଦଳାଚକଟା ଲାଗିଥିଲା ଠିକ୍‌ ଯେମିତି ଅବସ୍ଥା ହୋଇଥିଲା ସମୁଦ୍ର ମନ୍ଥନ ବେଳେ ।

 

- ‘‘ମା’ !’’

 

ସତ୍ୟକାମର ସମ୍ବୋଧନ ଶୁଣି ସେ ଆତ୍ମସ୍ଥ ହେଲେ । ତାଙ୍କ ବନ୍ଦ ଆଖି ଦୁଇଟି ଖୋଲିଗଲା । କିନ୍ତୁ ସେଇ ଆଖିରେ ସମୁଦ୍ରର ତରଙ୍ଗ ନ ଥିଲା, ଥିଲା ଅସରନ୍ତି କୁଣ୍ଠା ଓ ଆକୁଳତାର ପ୍ରତିଲିପି ।

 

ସତ୍ୟକାମର ଡାକ ଶୁଣି ଶ୍ରୀମୟୀ ଟିକେ ହଲଚଲ ହେବାପରି ଲାଗିଲା । ସେ ବୋଧହୁଏ ନିଜକୁ ସଜାଡ଼ି ନବାପାଇଁ ଓ ଅନ୍ତର ଭିତରୁ ଉଠି ଆସୁଥିବା କୋହ ସମ୍ବରଣ କରିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ ।

 

କିନ୍ତୁ ତଥାପି ଆଉ ବିଳମ୍ବ ନ କରି ସତ୍ୟକାମ କହିଲା, ‘‘ମା’ ! ତୁମ ମନରେ ଦୁଃଖ ଦେଇ ମୁଁ ନିଜକୁ କ୍ଷମା କରିପାରୁ ନାହିଁ, ତଥାପି ଅଡ଼ୁଆ ସୂତା ଗଣ୍ଠି ଖୋଲି ପାରିଥିବାରୁ ତମେ ମୋତେ ଯେ ଆଶୀର୍ବାଦ କରିବ ଏଇ ବିଶ୍ଵାସ ହେଉଛି ମୋର... ।’’

 

ଅସ୍ପଷ୍ଟଭାବେ ଶ୍ରୀମୟୀଙ୍କ ମୁହଁରୁ ବାହାରିଗଲା - ‘‘ସେଇ ଦୁଇଜଣ ପାପିଷ୍ଠ କିଏ ?’’ ।

 

ଏଥର କହିଲା ସତ୍ୟ, ‘‘ଜଣେ ହେଉଛନ୍ତି ଚିଦାନନ୍ଦ ମହାନ୍ତି ଓରଫ ରାଜାସାହେବ ଏବଂ ଆଉ ଜଣେ ବାଲ୍ୟସାଥୀ ଚନ୍ଦ୍ରମୌଳି ଶ୍ରୀବାସ୍ତବ ।’’

 

କିଛିକ୍ଷଣ ମୁହଁ ତଳକୁ ପୋତି ପୁଣି ଭାବନାରେ ବୁଡ଼ିଗଲେ ଶ୍ରୀମୟୀ । ଆଉ କଥା ନ ବଢ଼ାଇ କହିଲା ସତ୍ୟକାମ, ‘‘ଅନେକ ରାତି ହେଲାଣି ମା’, ଶୋଇବ ଯାଅ... ମୋତେ ବି ନିଦ ଲାଗୁଛି... ।’

 

ନିର୍ବାକ୍ ଶ୍ରୀମୟୀ କିଛି ଶୁଣିପାରିଲେ ନାହିଁ । ତାଙ୍କୁ ଏକାନ୍ତରେ ଭାବିବାକୁ ଛାଡ଼ି ଦେଇ ଧୀରେ ଧୀରେ ନିଜ କୋଠରିକୁ ଚାଲିଗଲା ସତ୍ୟକାମ ।

 

॥ ତେତିଶ ॥

 

ଜଣେ ବନ୍ଧୁଙ୍କ ସହାୟତାରୁ ଗୋଟେ ଫ୍ଲାଟ୍‌ ମିଳିଗଲା ଚନ୍ଦ୍ରଶେଖରପୁରରେ । ସେଇ ଫ୍ଲାଟ୍‌କୁ ହୁମାୟୁନ୍‍, ବାନୁ ଉଠିଗଲାବେଳେ କବୀର ସାହେବ ବାଧା ଦେଇ ନ ଥିଲେ । ସେ ଜାଣନ୍ତି ଯେ ସେମାନେ ସାବାଳକ, କୋଉଠି ରହିବେ କ’ଣ କରିବେ ସେ ନିଷ୍ପତ୍ତି ନବା ସେମାନଙ୍କର ମୌଳିକ ଅଧିକାର । କିନ୍ତୁ ସେମାନଙ୍କ ସାମାନ୍‌ ଗାଡ଼ିରେ ଲଦି ସାରିବା ପରେ ଯେତେବେଳେ ଭାଇଭଉଣୀ ଗଲେ ବାପାଙ୍କଠାରୁ ବିଦାୟ ନବାପାଇଁ ସେତେବେଳେ କବୀର ସାହେବ କହିଲେ, ‘‘ମୁଁ ତ ତୁମମାନଙ୍କୁ ଘଉଡ଼ାଇ ଦେଇନି, ଏଠାରେ ରହିବାପାଇଁ ମନା କରିନି, ତଥାପି କାହିଁକି ତମେ ଦୁହେଁ ମତେ ଛାଡ଼ି ଚାଲିଯାଉଛ ?’’

ବାନୁ ନିରବରେ ଛିଡ଼ା ହୋଇଥିଲା ।

ଉତ୍ତର ଦେଇ କହିଲା ହୁମାୟୁନ୍‍, ‘‘ମା’ଙ୍କୁ ଯେପରି ପରିସ୍ଥତିରେ ଘରୁ ବାହାରିଯିବାପାଇଁ ଆପଣ ବାଧ୍ୟ କଲେ ତାହାର ପ୍ରତିବାଦ କରି ଆମେ ଚାଲିଯାଉଛୁ... ଆପଣ ଶାନ୍ତିରେ ରହନ୍ତୁ... ।’’

ବାପାଙ୍କ ମୁହଁରୁ ଆଉକିଛି ଶୁଣିବାପାଇଁ ଅପେକ୍ଷା ନ କରି ଦୁହେଁ ଦ୍ରୁତ ଗତିରେ ସେଠାରୁ ଚାଲିଯାଇ ଗାଡ଼ିରେ ବସିଲେ । ଅନ୍ୟାୟର ପ୍ରତିବାଦ କରିପାରିଥିବାରୁ ସେମାନେ କିଞ୍ଚିତ୍‌ ଆଶ୍ୱସ୍ତ ହେଉଥିଲେ ।

ନୂଆ ଫ୍ଲାଟ୍‌ରେ ଅପେକ୍ଷା କରୁଥିଲେ ସୁରେୟା । ପୁଅଝିଅ ଉଭୟ ତାଙ୍କ ପାଖକୁ ଚାଲି ଆସିବାରୁ ସେ ଭୁଲିଗଲେ ତାଙ୍କର ଗ୍ଲାନି, ଘର ଛାଡ଼ିବାର ଦୁଃଖ । ସେ ଏକା ନୁହଁନ୍ତି, ସାଙ୍ଗରେ ଅଛନ୍ତି ଦୁଇ ଜଣ । ଅନ୍ୟ ବନ୍ଧୁମାନେ ବି ଜାଫର କବୀରଙ୍କ ଏଇ ଅପ୍ରତ୍ୟାଶିତ ନିଷ୍ପତ୍ତି ଯୋଗୁଁ ଛି ଛି କରୁଥିଲେ । ତଥାପି ଗୋଟିଏ ମନ୍ଦ ପ୍ରଥା ଉଠି ନ ଯିବା ପର୍ଯ୍ୟନ୍ତ ସେମାନଙ୍କ ଧୈର୍ଯ୍ୟଧରି ଶାନ୍ତିପୂର୍ଣ୍ଣ ଉପାୟରେ ଏହାର ମୁକାବିଲା କରିବାକୁ ହେବ । ପୁଅ, ଝିଅ ଓ ବନ୍ଧୁମାନେ ବିପଦବେଳେ ତାଙ୍କୁ ସାହସ ଦେଇଥିବାରୁ ସେ ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଲେ ।

ନୂଆ ଫ୍ଲାଟ୍‌କୁ ଉଠିଯିବା ଦିନ ଆଉ ସେମାନଙ୍କୁ ବ୍ୟସ୍ତ ହେବାପାଇଁ ନ ଦେଇ ଫାଦର୍‍ ଆୟୋଜନ କରିଥିଲେ ମଧ୍ୟାହ୍ନ ଭୋଜନ । ସୁରେୟା, ତାଙ୍କ ପୁଅ, ଝିଅ ଏବଂ ଶ୍ରୀମୟୀ ଓ ସତ୍ୟକାମ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ।

ପ୍ରାୟ ବାରଟାବେଳକୁ ସମସ୍ତେ ପହଞ୍ଚିଗଲେ ଚର୍ଚ୍ଚ ପରିସର ମଧ୍ୟରେ । ଫୁଲ ବଗିଚାର ଶୋଭା ଭୁଲାଇ ଦେଉଥିଲା ବାସ୍ତବତାର ଯନ୍ତ୍ରଣା । ଏଇ ଡାଲିଆ ପରି ଶିଶୁମାନଙ୍କର ହସ ହସ ମୁହଁ । ଏଇ ରଜନୀଗନ୍ଧା ପରି ସମସ୍ତଙ୍କ ମନ ଯଦି ନିର୍ମଳ ଓ ମହ ମହ କରୁଥାନ୍ତା ତେବେ ପୃଥିବୀରେ ମଣିଷ ଜୀବନ ସାର୍ଥକ ହୁଅନ୍ତା । ଦେବତାମାନେ ମଧ୍ୟ ଇର୍ଷାରେ ଓହ୍ଲାଇ ଆସନ୍ତେ ଧରିତ୍ରୀକୁ । ମଣିଷ ସ୍ଵର୍ଗକୁ ଯିବାପାଇଁ ତପସ୍ୟା ନ କରି ମର୍ତ୍ତ୍ୟକୁ ସ୍ୱର୍ଗରେ ପରିଣତ କରିବାପାଇଁ ସାଧନା କଲେ ଏ ପୃଥିବୀର ପୁଞ୍ଜୀଭୂତ ଦୁଃଖ ଯନ୍ତ୍ରଣା, ଅନ୍ୟାୟ ଓ ଅସମତା ମଧ୍ୟ ଘୁଞ୍ଚି ଯାଆନ୍ତା । ହୁଏତ ଦିନେ ଅବତାର ପୁରୁଷ ଅବତରଣ କରିବେ ଏଇ ଧରାରେ ମର୍ତ୍ତ୍ୟକୁ ସ୍ଵର୍ଗରେ ପରିଣତ କରିବାପାଇଁ, ତାଙ୍କରି ପ୍ରେରଣା ମନରେ ଆସ୍ପୃହା ସୃଷ୍ଟି କରିବା ଜଗତକୁ ସ୍ୱର୍ଗରେ ପରିଣତ କରିବାପାଇଁ ।

ବଗିଚାରୁ ବୁଲି ଆସି ବାରନ୍ଦାରେ ବସିଲେ ସମସ୍ତେ । ସମସ୍ତଙ୍କ ଉପସ୍ଥିତିରେ ସୁରେୟା ଭୁଲି ଯାଇଥିଲେ ନିଜର ଗ୍ଲାନି, ଦୁଃଖ ଓ ଅପମାନ ।

 

ଫାଦର୍‍ କହିଲେ, ‘‘ସବୁ କାମପାଇଁ ଈଶ୍ୱର ସମୟ ଖଞ୍ଜି ଦେଇଥାନ୍ତି ପୂର୍ବରୁ । ସେଥିପାଇଁ ମଣିଷ ମନରେ ଉଦ୍‌ବେଗ ଜାତ ହୁଏ ସେଇ ସମୟ ଆସିବା ପୂର୍ବରୁ ଏବଂ ଦିବ୍ୟ ମୁହୂର୍ତ୍ତଟି ଉପସ୍ଥିତ ହେବାକ୍ଷଣି ସେ ତା’ର ସଦୁପଯୋଗ କରେ । ଆଜି ଏଇ ମୁହୂର୍ତ୍ତଟି ସେଇପରି ଏକ ଦୁର୍ଲଭ ସଂଯୋଗ । ମୁଁ ଡକ୍ଟର ସୁରେୟା, ଶ୍ରୀମୟୀ ଓ ପିଲାମାନଙ୍କ ସହିତ ଆଗରୁ ଆଲୋଚନା କରିସାରିଛି-। ସେଥିପାଇଁ ଏଇ ଦିବ୍ୟ ମୁହୂର୍ତ୍ତରେ ଶୁଭକାମଟି ନିଷ୍ପନ୍ନ କରିବାପାଇଁ ମୋ ମନ ଉଦ୍‌ବେଳ ହେଉଛି-।’’

 

ତା’ପରେ ଅସୀମା ପାଖକୁ ଗଲେ ଫାଦର୍‍ ଏବଂ ତା’ ହାତକୁ ଗୋଟିଏ ସୁନା ମୁଦି ବଢ଼ାଇ ଦେଇ କହିଲେ ଏଇଟି ତୁମେ ପିନ୍ଧାଇଦବ ସତ୍ୟକାମ ଆଙ୍ଗୁଳିରେ ଏବଂ ସତ୍ୟକୁ ଆଉ ଗୋଟିଏ ମୁଦି ଦେଇ କହିଲେ ଅସୀମା ହାତରେ ପିନ୍ଧାଇବାପାଇଁ ।

 

ସେମାନେ ଦୁହେଁ ଫାଦର୍‍ଙ୍କ ଉପସ୍ଥିତିରେ ମୁଦି ବଦଳ କଲେ ଏବଂ ତା’ପରେ ଫାଦର୍‍ ଘୋଷଣା କଲେ, ‘‘ଏ ଅଞ୍ଚଳରେ ନିର୍ବନ୍ଧ କରାହୁଏ ବିବାହ ପୂର୍ବରୁ । ଆଜି ସେଇ ପବିତ୍ର କାର୍ଯ୍ୟଟି ସମ୍ପନ୍ନ ହେଲା । ବର୍ତ୍ତମାନ ନିଜ ନିଜ ବିଶ୍ଵାସ ଅନୁସାରେ ପ୍ରଭୁଙ୍କୁ ଧ୍ୟାନ କର ମୁହୂର୍ତ୍ତେ କୃତଜ୍ଞତା ଜଣାଇବାପାଇଁ ।’’

 

ଏସବୁ ଏତେଶୀଘ୍ର ଘଟିଗଲା ଯେ ଭାବିହ୍ୱଳତା ସମ୍ବରଣ କରି ନ ପାରି ସୁରେୟା କହିଲେ, ‘‘ଆଜି ମୁଁ କେତେ ଖୁସି ବ୍ୟକ୍ତ କରିପାରୁନି । ସବୁ ଦୁଃଖ ମୁଁ ଭୁଲିଯାଇଛି ଏବଂ ଅସୀମା ଆଉ ସତ୍ୟକାମ ଦୁହିଙ୍କୁ ସୁଖଶାନ୍ତି ମିଳୁ ଏଥିପାଇଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛି ।’’

 

ଶ୍ରୀମୟୀ କ’ଣ କହିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ତୁଣ୍ଡରୁ କଥା ସ୍ପୁରିଲା ନାହିଁ । ତାଙ୍କ ଆଖିକୋଣରେ ଲୁହ ଢଳ ଢଳ ହେବା ଦେଖି ଫାଦର୍‍ କହିଲେ, ‘‘ଈଶ୍ୱର ତମକୁ ଆଶୀର୍ବାଦ କରନ୍ତୁ-। ମୁଁ ସମସ୍ତଙ୍କୁ ଆଶୀର୍ବାଦ କରୁଛି । ନୂତନ ଜୀବନକୁ ସ୍ୱାଗତ କରୁଛି । ଶୀଘ୍ର ଶୁଭଦିନ ଦେଖି ବିବାହ କାର୍ଯ୍ୟ ସମ୍ପନ୍ନ ହେଲେ ମୁଁ ଅତ୍ୟନ୍ତ ଖୁସି ହେବି-।’’

 

ଫାଦର୍‍ଙ୍କ ଆଶୀର୍ବାଦ ଗ୍ରହଣ କରି ସମସ୍ତେ ପ୍ରାୟ ସମସ୍ଵରରେ କହିଉଠିଲେ, ‘‘ଧନ୍ୟବାଦ ଫାଦର୍‍, ଆପଣ ଆମ ସମସ୍ତଙ୍କୁ ଚମକାଇ ଦେଲେ...।’’ ‘‘ଏଇ ବିରଳ ସୁଖଦ ମୁହୂର୍ତ୍ତକୁ ସାଇତି ରଖିବାପାଇଁ ଈଶ୍ଵର ଶକ୍ତି ଦିଅନ୍ତୁ ଏ ଦୁହିଁଙ୍କୁ ।” ବାଷ୍ଣାଚ୍ଛନ୍ନ ଆଖିରେ ଧୀରେ ଧୀରେ ଉଚ୍ଚାରଣ କଲେ ଶ୍ରୀମୟୀ ।

 

ଖାଇବା ସମୟ ହୋଇଯାଇଥିଲା । ଟେବୁଲ ଉପରେ ଫ୍ରାନ୍ସିସ୍‌ ସଜାଇ ରଖିଥିଲା - ଭେଜିଟେବଲ ପଲଉ, ସନ୍ତୁଳା, ଦହିବାଇଗଣ, ମାଛବେସର, ସାଲାଡ଼ ଏବଂ ଦହି । ଭୋଜନବେଳେ ସମସ୍ତେ ପ୍ରଶଂସା କରୁଥାନ୍ତି ଫ୍ରାନ୍ସିସ୍‌ର ।

 

ଅସୀମା ଲାଜରେ ଜଡ଼ସଡ଼ ହୋଇ ମା’ପାଖରେ ମୁହଁପୋତି ବସିଥାଏ । ତା’ ମନରେ ଟିକେ ଫୁର୍ତ୍ତି ଆଣିବାପାଇଁ କହିଲା ହୁମାୟୁନ୍‍, ‘‘ଦେଖନ୍ତୁ ଫାଦର୍‍, ମୋ ଭଉଣୀ କିମିତି ଲାଜକୁଳି ଲତାପରି ମୁହଁ ପୋତି ଦେଇଛି...।’’

 

ସମସ୍ତେ ହୋ ହୋ କରି ହସିଉଠିଲେ । ଅସୀମା ମୁଚୁ ମୁଚୁ ହସୁଥିବା ଦେଖି ଫାଦର୍‍ ଫଟୋ ଉଠାଇନେଲେ ।

 

ଚନ୍ଦ୍ରଶେଖରପୁର ନୂଆ ଫ୍ଲାଟରେ ଅନେକ ବାକି କାମ ପଡ଼ିରହିଛି । ଘର ବଦଳ କରିବା କାମ ଆଦୌ ସୁଖକର ନୁହେଁ, ବରଂ ବିରକ୍ତିକର । ପୁରୁଣା ଘର ଛାଡ଼ି ଆସିବା ପରେ ଯେପରି କ’ଣ ଗୋଟେ ବଡ଼ କିଛି ଛାଡ଼ିଦେଇ ଆସିଛନ୍ତି ଏବଂ ତାହା ଆଉ ଫେରି ଆସିବ ନାହିଁ ଏଇ ଭାବନାଟା ସୁରେୟାଙ୍କ ମନକୁ ଆଛନ୍ନ କରି ରଖିଥିଲା । ତଥାପି ବାନୁର ନିର୍ବନ୍ଧଟା ଯେ ଫାରଦଙ୍କ ଉଦ୍ୟମରୁ ହୋଇଗଲା ଏଥିପାଇଁ ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଲେ ମନେ ମନେ ।

 

ସେମାନେ ଚାଲିଗଲା ପରେ ଶ୍ରୀମୟୀ ବାହାରିଲେ ଫେରିବାପାଇଁ । ବାପଘରୁ ଝିଅ ଯିବା ପରି ଲାଗେ ତାଙ୍କୁ ଫାଦର୍‍ଙ୍କୁ ଛାଡ଼ି ନିଜ ଘରକୁ ଫେରିବାବେଳେ । ମନେପଡ଼ିଯାଏ ଅତୀତର କେତେ ସ୍ମୃତି । ଦନେ ଫାଦର୍‍ ତାଙ୍କୁ କହିଥିଲେ, ‘‘ବୁଝିଲ ଶ୍ରୀମୟୀ, ଆମ ଭାରତର ଟ୍ରାଡ଼ିସନ୍‌ଟାହିଁ ଅଲଗା । ଝିଅ ଯେପରି ବାପା ମା’ଙ୍କ ଆଗରେ କେବେ ବୁଢ଼ୀ ହୁଏ ନାହିଁ, ସେଇପରି ସ୍ୱାମୀ ସହିତ ଯେତେ ସୁଖ ସରାଗରେ ରହିଲେ ମଧ୍ୟ ଝିଅ ଭାବେ ଯେ ତା’ର ଆଉ ଗୋଟେ ନିରାପଦ ଆଶ୍ରୟ ଅଛି - ସେଇଟା ହେଲା ବାପଘର । ବାପା ମା’ଙ୍କ ଅନ୍ତେ ମଧ୍ୟ ସେଇ ବନ୍ଧନଟା ତୁଟେ ନାହିଁ, ମନ ଖଲବଲ ହେଉଥାଏ ଜନ୍ମମାଟିରେ ଥରେ ବୁଲି ଆସିବାପାଇଁ ।’

 

ସେମାନେ ଘରେ ପାଦ ଦେଇଛନ୍ତି କି ନାହିଁ ଫୋନ୍‌ ଆସିଲା ଶୀଘ୍ର ପ୍ରେସ୍‌କୁ ଯିବା ପାଇଁ । ଆଜି ଚାରିଟାବେଳେ ଅଦାଲତରେ ଆସାମୀମାନଙ୍କୁ ହାଜର କରିବ ପୁଲିସ୍‌ । ସେମାନଙ୍କୁ ଦେଖିବାପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ସେଥିପାଇଁ ଆଇନଶୃଙ୍ଖଳା ରକ୍ଷାକରିବା ବିଷୟରେ ପୁଲିସ୍‌ କୌଣସି ହେଳା କରିନି । କିଏ ଜାଣେ ଭଦ୍ରବେଶରେ ବୁଲୁଥିବା ଏଇ ଅପରାଧୀମାନେ ପୁଲିସ୍‍ ହାତରୁ ଖସିଯିବାପାଇଁ ଆଉକିଛି ଉଦ୍ୟମ କରିବେ ନାହିଁ ବୋଲି । ସେଇ କାରଣରୁ ସେମାନଙ୍କୁ ସଶସ୍ତ୍ର ପୁଲିସ୍‌ ସହିତ ଗୋଟିଏ ଭ୍ୟାନ୍‌ରେ ନିଆଯିବ ଏବଂ ଆଗରେ ଓ ପଛରେ ପୁଲିସ୍‌ଗାଡ଼ିରେ ସଶସ୍ତ୍ର ପୁଲିସ୍‌ ରହିବେ ସୁରକ୍ଷା ଦବାପାଇଁ ।

 

ମା’ଙ୍କଠାରୁ ବିଦାୟ ନେଇ ବାହାରିବାବେଳକୁ ଶ୍ରୀମୟୀ କହିଲେ, ‘‘ତୁ କ’ଣ ସ୍ପଟ୍‌କୁ ଯିବୁ-?’’

 

‘‘ହଁ ମା’ ! ସେମାନଙ୍କୁ କୋର୍ଟକୁ ନବାବେଳେ ମୋତେ ସାଙ୍ଗରେ ଯିବାକୁ ପଡ଼ିବ । ସବୁ ବିଷୟ ରିପୋର୍ଟରେ ଲେଖିବାକୁ ହେବ ତ ! ଅଦାଲତରେ ଉପସ୍ଥିତ ଥିବେ ହୁମାୟୁନ୍‍ ଆଉ ଅର୍କ ।’’

 

‘‘ସାବଧାନ ଥିବୁ ବାପା ! ମନଟା କାହିଁକି ଉଚ୍ଛନ୍ନ ହେଉଛି ବୁଝିପାରୁନି... ମଝିରେ ମଝିରେ ଫୋନ୍‌ କରିବୁ... ।’’ କହିଲେ ଶ୍ରୀମୟୀ ।

 

ମା’ଙ୍କ ଉଦ୍‌ବେଗ ବୁଝିପାରୁଥିଲା ସତ୍ୟକାମ ।

 

ସତ୍ୟ ଦିବାଲୋକ ପରି ଉଜ୍ଜ୍ୱଳ । ତଥାପି ସତ୍ୟ ଖାଣ୍ଟି କି ଭେଜାଲ ପରୀକ୍ଷା କରାଯାଏ ଅଦାଲତରେ । ଧର୍ମଗ୍ରନ୍ଥ ଉପରେ ହାତ ରଖି ଈଶ୍ଵରଙ୍କ ନାମରେ ଶପଥ ନିଅନ୍ତି ସମ୍ପୃକ୍ତ ପକ୍ଷ କେବଳ ସତ କହିବେ, ସତ ଛଡ଼ା ଆଉ କିଛି କହିବେ ନାହିଁ ।

 

ସେ ନିଶ୍ଚିତ ଅଛି ଯେ ସତ୍ୟର ବିଜୟ ହେବ । ଧର୍ମର ବିଜୟ ହେବ । ସେ କେବଳ ମାଧ୍ୟମ । ଯଦି ତାହାରି ଜରିଆରେ ଆସାମୀମାନେ ଦୋଷୀ ପ୍ରମାଣ ହୁଅନ୍ତି ତେବେ ଜଗତ ଜାଣିବ ଏଇ ଭଦ୍ର ମହୋଦୟମାନଙ୍କ ଅପକୀର୍ତ୍ତି ।

 

ଆଗେ ଆଗେ ପୁଲିସ୍‌ ଜିପ୍‌ରେ ଇନ୍‍ସପେକ୍ଟର ଏବଂ ପାଞ୍ଚ ଜଣ ସଶସ୍ତ୍ର ପୁଲିସ୍‌ । ମଝିରେ କଳା ଭ୍ୟାନ୍‌ରେ ଆସାମୀ ଓ ସେମାନଙ୍କୁ ଜଗିଥିବା ସଶସ୍ତ୍ର ପୁଲିସ୍‌ । ପଛ ଜିପ୍‌ରେ ପାଞ୍ଚ ଜଣ ସଶସ୍ତ୍ର ପୁଲିସ୍‌ ସହିତ ସବ୍‌-ଇନ୍‍ସପେକ୍ଟର । ହାଜତରୁ ଅଦାଲତ ଯିବା ବାଟର ଧାରା ବିବରଣୀ ସବ୍‌-ଇନ୍‍ସପେକ୍ଟର ଦେଉଥାନ୍ତି ପୁଲିସ୍‌ କଣ୍ଟ୍ରୋଲ୍‌ରୁମ୍‌କୁ । ରାଜ୍ୟବାସୀଙ୍କ ମନରେ ତ୍ରାସ ସୃଷ୍ଟି କରିଥିବା ଏଇ ଅସାମାଜିକମାନଙ୍କୁ ଦେଖିବାପାଇଁ ଛକ ଜାଗାମାନଙ୍କରେ ଠିଆ ହୋଇ ରହିଥାନ୍ତି ଅନେକ ଲୋକ । କେହି କେହି ବି ମନ୍ତବ୍ୟ ଦେବାର ଶୁଣାଯାଉଥାଏ ଯେ ଏଇ ଆସାମୀମାନଙ୍କୁ ଗାଡ଼ିରେ ନ ନେଇ ହାତରେ ହାତକଡ଼ି ଓ ଅଣ୍ଟାରେ ବେଡ଼ି ଲଗାଇ ଚଲାଇ ଚଲାଇ ନେଲେ ଏମାନଙ୍କ ମୁହଁରେ ଛେପ ପକାନ୍ତେ ସାଧାରଣ ଲୋକ ।

 

ସବୁ କାନରେ ବାଜୁଥାଏ ସତ୍ୟକାମର । ଦିନେ ଶାନ୍ତିପ୍ରିୟ ଲୋକଙ୍କ ମନରେ ହୃତ୍‌କମ୍ପ ସୃଷ୍ଟି କରୁଥିବା ଏଇ ଚରିତ୍ରହୀନ ଅପରାଧୀମାନେ ଏପରି କିଛି କୁକର୍ମ ନାହିଁ ଯାହା କରି ନ ଥିବେ । ବଳାତ୍କାର, ନାରୀହରଣଠାରୁ ଆରମ୍ଭକରି ନରହତ୍ୟା, ଜାଲିଆତି ପ୍ରଭୃତି ବିଭିନ୍ନ ଘୃଣ୍ୟ କର୍ମ କରିଥିବାର ଅଭିଯୋଗ ଅଛି ଏମାନଙ୍କ ନାମରେ । ଏମାନଙ୍କୁ ଉଚିତ ଶାସ୍ତି ମିଳିଲେ ଭବିଷ୍ୟତରେ କେହି ଏପରି ଆଚରଣ କରିବା ପୂର୍ବରୁ ପାଞ୍ଚଥର ଭାବିବ ।

 

ଚାରିଟାବେଳେ ସେମାନଙ୍କୁ ଅଦାଲତରେ ହାଜର କରିବା କଥା । କିନ୍ତୁ ହାକିମ ଆଉ ଗୋଟିଏ ମାମଲାରେ ବ୍ୟସ୍ତ ଥିବାରୁ ପାଞ୍ଚଟା ବାଜିଗଲା । ଠିକ୍‌ ପାଞ୍ଚଟାବେଳକୁ କଚେରି ହତାରେ ସେମାନଙ୍କୁ ଦେଖିବାପାଇଁ ଶହ ଶହ ଉତ୍ସୁକ ଲୋକ ଠୁଳ ଥିଲେ । ଭିଡ଼ ଠେଲି ଆଗକୁ ଯାଉଥିଲା ସତ୍ୟକାମ ।

 

ହୁମାୟୁନ୍‍ ଓ ଅର୍କ ଅପେକ୍ଷା କରିଥିଲେ ସତ୍ୟକୁ । ଆସାମୀମାନଙ୍କ ନାମ ଡାକିବା ମାତ୍ରେ ପୁଲିସ୍‌ ବ୍ୟୂହ ଭିତରେ ସେମାନଙ୍କୁ ହାଜର କରାଗଲା ଅଦାଲତରେ । ପୁଲିସ୍‌ ଇନ୍‍ସପେକ୍ଟର ଜଣ ଜଣ କରି ସାତ ଜଣ ଆସାମୀଙ୍କୁ ହାଜର କଲେ ବିଚାରପତିଙ୍କ ଆଗରେ ।

 

ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଅତିକମ୍‌ରେ ଚାରି ସପ୍ତାହ ଆସାମୀମାନଙ୍କୁ ପୁଲିସ୍‌ ହାଜତରେ ରଖିବାପାଇଁ ପ୍ରାର୍ଥନା କଲେ ଇନ୍‍ସପେକ୍ଟର । ବିଷୟର ଗୁରୁତ୍ୱ ବୁଝି ଆସାମୀମାନଙ୍କୁ ଦୁଇ ସପ୍ତାହ ପୁଲିସ୍‌ ହାଜତରେ ରଖିବାପାଇଁ ଆଦେଶ ଦେଲେ ବିଚାରପତି ।

 

ସେତେବେଳକୁ ପାଞ୍ଚଟା ଚାଳିଶ ମିନିଟ । ସୂର୍ଯ୍ୟଙ୍କ ସୁନେଲି ରଶ୍ମି ପଡ଼ିଥାଏ ଖଣ୍ଡଗିରି ପାହାଡ଼ ଉପରେ । ଧୀରେ ଧୀରେ ରାଜଧାନୀର ରାସ୍ତା ଓ ଘରମାନଙ୍କ ଉପରୁ ଅପସରି ଯାଉଥାଏ ସୂର୍ଯ୍ୟାଲୋକ । କଚେରି ହତାରେ ଥିବା ଝଙ୍କାଳିଆ ବରଗଛ ଭିତରେ ପାତଳା ଅନ୍ଧାର ଲେସି ହୋଇଯାଇଥାଏ । ଏଇ ସମୟରେ ଟିକେ ଦୂରରୁ ସାପ ସାପ କହି କେହି ଜଣେ ଦୌଡ଼ି ପଳାଇଯାଉଥିବାବେଳେ ସେଠାରେ ଠୁଳ ହୋଇଥିବା ଦର୍ଶକମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ବରଗଛ କୋଟରରେ ବିଷଧର ନାଗ ସାପ ଥିବା ଦେଖିଛନ୍ତ ବୋଲି ମଧ୍ୟ କେତେଜଣ ମନ୍ତବ୍ୟ ଦେଇଥିଲେ । କାଳେ ସାପ ଅଦାଲତ ଭିତରକୁ ପଶିଯିବ ଏଇ ଆଶଙ୍କା କରି ଅର୍ଦ୍ଦଳି ବନ୍ଦ କରିଦେଲା କବାଟ । ଦୌଡ଼ାଦୌଡ଼ି ଦଳାଚକଟା ଆରମ୍ଭ ହୋଇଗଲା ଏବଂ ଆସାମୀମାନଙ୍କୁ ଅଦାଲତରୁ ଭ୍ୟାନ୍‌ପାଖକୁ ନବାବେଳେ ହଠାତ୍‌ ଗୁଳି ଶବ୍ଦରେ କମ୍ପିଉଠିଲା କଚେରି ହତା । ତ୍ରାସ ଖେଳିଗଲା କଚେରି ହତାରେ । ଗୁଳି ଫୁଟିବା ପରେ ପରେ ଦୁଇ ଜଣ ଆସାମୀ ଟଳି ପଡ଼ିବାର ଦେଖି ଇନ୍‍ସପେକ୍ଟର ହୁଇସିଲ୍‌ ମାରିବା ସହିତ ପୁଲିସ୍‌ ଆସାମୀମାନଙ୍କୁ ଛାଡ଼ି କିଏ ଗୁଳି କଲା ସେମାନଙ୍କୁ ଧରିବାପାଇଁ ଦୌଡ଼ାଦୌଡ଼ି କରିବାରେ ଲାଗିଲେ । ସେତେବେଳକୁ ସନ୍ଧ୍ୟା ନଇଁ ଆସିଥିଲା ।

 

ଏତିକିବେଳେ ଲାଇଟ୍‌ ଜଳିଉଠିଲା । ସମଗ୍ର କଚେରି ହତା ସେତେବେଳକୁ ପତଳା ହୋଇ ଆସୁଥିଲା । ଅନେକ ଲୋକ ପ୍ରଥମେ ସାପ ଭୟରେ ଏବଂ ପରେ ବନ୍ଧୁକ ଫୁଟିବା ଶବ୍ଦ ଶୁଣି ଅଘଟଣ ଘଟିବା ଆଶଙ୍କା କରି ପଳାଇ ଯାଇଥିଲେ । କିନ୍ତୁ ପଲ୍ଲବ ଆହତ ଆସାମୀମାନଙ୍କୁ ଅନ୍ୟ ଆସାମୀମାନଙ୍କ ସହିତ ଭ୍ୟାନ୍‌ରେ ଭର୍ତ୍ତିକରି ସିଧା ଡାକ୍ତରଖାନାକୁ ଯିବାବେଳେ ସାଇରନ୍‌ ସାଧାରଣ ଲୋକ ମନରେ ତ୍ରାସ ସୃଷ୍ଟି କରୁଥିଲା ।

 

ଡାକ୍ତରଖାନା କାଜୁଆଲଟିରୁ ଅନ୍ୟମାନଙ୍କୁ ବାହାର କରି ଦେଇ ଆହତ ଆସାମୀମାନଙ୍କୁ ଷ୍ଟ୍ରେଚରରେ ଆଣି ଶୁଆଇ ଦିଆଗଲା । ଦୁଇଜଣ ଡାକ୍ତର ତିନିଜଣ ନର୍ସଙ୍କ ସାହାଯ୍ୟରେ ଆହତମାନଙ୍କୁ ପରୀକ୍ଷା କଲେ । ଡାକ୍ତର ମହାନ୍ତି ଘୋଷଣା କଲେ ଯେ ପ୍ରଥମ ଆସାମୀ ଚିଦାନନ୍ଦ ମହାନ୍ତି ଓରଫ୍‌ ରାଜାସାହେବ ମୃତ ଏବଂ ଦ୍ଵିତୀୟ ଆସାମୀ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଚେତାଶୂନ୍ୟ ଅବସ୍ଥାରେ । ତାଙ୍କ ଛାତିତଳେ ଗୁଳି ବାଜିଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହେଉଥିଲା ।

 

ତୃତୀୟ ଆସାମୀ ଯଦୁନାଥ ସିଂହର ଡାହାଣ କାନ୍ଧ ଗୁଳିବିଦ୍ଧ ହୋଇଥିଲା । ସୁସ୍ଥ ଆସାମୀମାନଙ୍କୁ ପୁଲିସ୍‍ ବ୍ୟୂହ ମଧ୍ୟରେ ହାଜତ୍‌କୁ ପଠାଇ ଦିଆଗଲା । କିନ୍ତୁ ମୃତ ଚିଦାନନ୍ଦ ଓ ଚେତାଶୂନ୍ୟ ଚନ୍ଦ୍ରମୌଳି ଶ୍ରୀବାସ୍ତବ ଏବଂ ଯଦୁନାଥ ସିଂହଙ୍କୁ ଡାକ୍ତରମାନେ ପରୀକ୍ଷା କରି କହିଲେ ଯେ ଚିଦାନନ୍ଦଙ୍କ ଛାତିରେ ଦୁଇଟି ଗୁଳି ବାଜିଛି, ଚନ୍ଦ୍ରମୌଳିଙ୍କ ଛାତିରେ ଗୋଟିଏ ଏବଂ ଆଉ ଗୋଟିଏ ଗୁଳି ଯଦୁ ସିଂହଙ୍କ ବାମ କାନ୍ଧରେ । ଚନ୍ଦ୍ରମୌଳିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର, କିନ୍ତୁ ଯଦୁନାଥ ସିଂହଙ୍କ ଜୀବନ ପ୍ରତି ଭୟ ନାହିଁ । ଡାକ୍ତରମାନେ ଲାଗିଗଲେ ଦୁଇ ଆହତ ଆସାମୀଙ୍କୁ ଚିକିତ୍ସା କରିବାପାଇଁ । ଚିଦାନନ୍ଦଙ୍କ ମୃତ ଶରୀର ଏସ୍‍ପି ଓ ଅନ୍ୟ ଅଫିସରମାନେ ପରୀକ୍ଷା କରିସାରିବାପରେ ମର୍ଗ (ଶବାଳୟ)କୁ ସ୍ଥାନାନ୍ତରିତ କରାଗଲା ପୋଷ୍ଟମର୍ଟମ୍‌ ପାଇଁ ।

 

ଯଦୁନାଥ ସିଂହଙ୍କୁ ଅପରେସନ କରି ତାଙ୍କ କାନ୍ଧରୁ ଗୁଳି ବାହାର କରିବା ପରେ ଗୋଟିଏ ସ୍ୱତନ୍ତ୍ର କୋଠରିରେ ପୁଲିସ୍‌ ପହରା ମଧ୍ୟରେ ରଖାଗଲା ।

 

ଏମାନଙ୍କୁ ଛାଡ଼ି ଶେଖ୍‌ ଅଖ୍‍ତାର, ହାରୁ ମିଆଁ, ଦିଲୁ ମିଆଁ ଏବଂ ‘ନିଉ ଟାଇମ୍ସ୍’ ଅଫିସ୍‌ର ଜଣେ ଚୌକିଦାର କିଶୋରକୁ ଜେଲ ହାଜତକୁ ପଠାଇ ଦିଆଗଲା ।

 

ଏଇସବୁ ପର୍ଯ୍ୟାପ୍ତ ଏବଂ ପ୍ରାସଙ୍ଗିକ ବିବରଣୀ ସଂଗ୍ରହ କରି ସତ୍ୟକାମ ପ୍ରେସ୍‌ରେ ପହଞ୍ଚିଲାବେଳକୁ ଆଠଟା ବାଜି ଯାଇଥିଲା । କେତେକ ପ୍ରତ୍ୟକ୍ଷଦର୍ଶୀ ଓ ଅଦାଲତର କର୍ତ୍ତବ୍ୟରତ କର୍ମଚାରୀଙ୍କଠାରୁ ବିବରଣୀ ସଂଗ୍ରହ କରି ହୁମାୟୁନ୍‍ ଆଉ ଅର୍କ ପ୍ରେସ୍‌ରେ ଅପେକ୍ଷା କରୁଥିଲେ ସତ୍ୟକାମର । ‘ନିଉ ଟାଇମ୍ସ୍’ର ଚୌକିଦାର କିଶୋର ଯାଦବକୁ ଗିରଫ୍‌ ତାଲିକାରେ ଦେଖି ଭାବୁଥିଲା ସତ୍ୟକାମ - ଏଇ ତା’ହେଲେ ସେଇ ‘କଳାଗୋଡ଼’ ଯିଏ ପ୍ରେସ୍‌ରୁ ଖବର ଯୋଗାଉଥିଲା ଶେଖ୍‌ ଅଖ୍‍ତାର ଓ ତାଙ୍କ ଲୋକଙ୍କୁ ।

 

‘ନିଉ ଟାଇମ୍ସ୍’ର ସମ୍ପାଦକ ମୁକ୍ତେଶ୍ଵର ତଲ୍‍ଓ୍ୱା୍‌ଲକର ସ୍ଵୟଂ ପ୍ରେସ୍‌ରେ ଥିଲେ ଶେଷ ଖବର ଜାଣିବାପାଇଁ । ପ୍ରତକ୍ଷ୍ୟଦର୍ଶୀ ବିବରଣୀ ସହିତ କଚେରି ହତାରେ ଯାହା ଘଟିଲା ସେ ସବୁର ସତ୍ୟପାଠ କଲାପରି ନିର୍ଭୁଲ ବିବରଣୀ ପ୍ରସ୍ତୁତ କରିସାରିବାବେଳକୁ ରାତି ବାରଟା । ସକାଳ ନଗର ସଂସ୍କରଣପାଇଁ ରିପୋର୍ଟ ଦାଖଲ କରିସାରି ସମ୍ପାଦକଙ୍କ ପାଖରୁ ବିଦାୟ ନେଇ ସତ୍ୟକାମ ଘରେ ପହଞ୍ଚିଲାବେଳକୁ ରାତି ପ୍ରାୟ ଗୋଟାଏ ।

 

ତଥାପି ଅପେକ୍ଷା କରିଥିଲେ ଉଦ୍‌ବିଗ୍ନା ଶ୍ରୀମୟୀ । ଛାତି ତଳେ ହଜାର ପ୍ରଶ୍ନର ଢେଉ ବାଜି ଅତଡ଼ା ଖସୁଥିଲା ଉଦ୍‌ବେଗରେ । ସତ୍ୟକାମର ଚେହେରା ଦେଖି ସେ କହିଲେ, ‘‘ତୁ ସୁସ୍ଥ ଅଛୁ ତ ବାପା ?’’

 

‘‘ହଁ ମା’ ! ମୁଁ ଟିକେ ମୁହଁ ହାତ ଧୋଇଆସେ ତା’ପରେ ସବୁ କହିବି । ମୋତେ ପାଣି ଗିଲାସେ ଆଗ ଦିଅ ତ...।’’

 

ତା’ ହାତକୁ ପାଣି ଗିଲାସେ ବଢ଼ାଇଦେଇ ତା’ ପିଠି ଉପରେ ହାତରଖି କହିଲେ ଶ୍ରୀମୟୀ, ‘‘ଶୁଣିଲି ଅଦାଲତରେ ଗୁଳି ଚାଲିଲା... କେହି ମୃତାହତ ହେଲେ କି ?’’

 

ତାଙ୍କୁ ଅପେକ୍ଷା କରିବାକୁ କହି ଶୌଚାଳୟ ଭିତରକୁ ପଶିଗଲା ସତ୍ୟକାମ ।

 

ଦଶ ମିନିଟ୍‌ ମଧ୍ୟରେ ଲୁଗା ବଦଳାଇ ଆସିବାବେଳକୁ ତା’ ହାତକୁ କପେ ଗରମ କଫି ବଢ଼ାଇ ଦେଇ କହିଲେ ଶ୍ରୀମୟୀ, ‘‘କଫି ପିଇଦେ, ଟିକେ ପରେ ଖାଇବୁ ।’’

 

‘‘ନା ମା’ ! ଏତେ ରାତିରେ ଆଉ କିଛି ଖାଇବାକୁ ମନ ନାହିଁ । ପେଟର ଭୋକ ମରିଯାଇଛି । ହଁ ବିସ୍କୁଟ ବା ସ୍ୟାଣ୍ଡ ଉଇଚ୍‌ ଯଦି ଥାଏ ଗୋଟାଏ ଦେଇଯାଅ ।’’

 

ଫ୍ରିଜ୍‌ ଖୋଲି ସ୍ୟାଣ୍ଡ ଉଇଚ୍‌ ଦୁଇ ଖଣ୍ଡ ନେଇ ଆସିଲେ ଶ୍ରୀମୟୀ ।

 

ସ୍ୟାଣ୍ଡ ଉଇଚ୍‌ ସହିତ କଫି ଖାଇସାରି କହିଲା ସତ୍ୟକାମ, ‘‘ସେଇ ଯେ ଲଞ୍ଚ୍‌ ଖାଇଥିଲି ଫାଦର୍‍ଙ୍କ ଘରେ... ତା’ପରେ ପାଣି ଗିଲାସେ ବି ପିଇବାକୁ ସମୟ ପାଇନି... ।’’

 

ମା’ଙ୍କ ଉଦ୍‌ବେଗ ବୁଝିପାରୁଥିଲା ସତ୍ୟକାମ । ସେ ଧୀରେ ଧୀରେ ସବୁଘଟଣା ବର୍ଣ୍ଣନା କରିଗଲା । ଦଣ୍ଡେ ଦମ୍‌ନେଇ କହିଲା ‘‘ସବୁ ଠିକ୍‌ ଠାକ୍‌ ଚାଲିଥ୍‌ଲା । ସବୁ ସତର୍କତା ଅବଲମ୍ବନ କରିଥିଲା ପୁଲିସ୍‌ । କିନ୍ତୁ ହଠାତ୍‌ କେହି ପ୍ରଚାର କରିଦେଲା ସାପ... ସାପ.... ସାପ ଭୟରେ ଦୌଡ଼ାଦୌଡ଼ି ଦଳାଚକଟା ଲାଗିଗଲା ଏବଂ ସେଇ କନଫ୍ୟୁଜନ୍‌ରେ ଆସାମୀମାନଙ୍କୁ ଜଗିଥିବା ପୁଲିସ୍‌ ମଧ୍ୟ ଏପାଖ ସେପାଖ ହୋଇଗଲେ ଏବଂ ଠିକ୍‌ ଏତିକିବେଳେ ଲାଗିଲାଗି ଚାରି ରାଉଣ୍ଡ ଗୁଳି ଫୁଟିବା ଶବ୍ଦ ଶୁଣାଗଲା । ତା’ପରେ ତ ସନ୍ତ୍ରସ୍ତ ଲୋକେ ଏଣେ ତେଣେ ଦୌଡ଼ିଲେ ଏବଂ ପୁଲିସ୍‍ର ସବୁ ସତର୍କତା ସତ୍ତ୍ଵେ ସେମାନେ ମୁଖ୍ୟ ଆସାମୀ ଦୁଇଜଣଙ୍କୁ ରକ୍ଷା କରିପାରିଲେ ନାହିଁ । ହସ୍‍ପିଟାଲ ନବା ପୁର୍ବରୁ ଚିଦାନନ୍ଦଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ଏବଂ କ୍ରିଟିକାଲି ଇନ୍‌ଜିଓରଡ଼୍ ଚନ୍ଦ୍ରମୌଳି ଶ୍ରୀବାସ୍ତବ କାଜୁଆଲଟିରେ ହିଁ ଶେଷ ନିଶ୍ଵାସ ତ୍ୟାଗ କଲେ । ଅନ୍ୟଜଣକ ଶରୀରରୁ ଗୁଳି ବାହାର କରାଯାଇଛି । ଜୀବନ ପ୍ରତି କିଛି ଭୟ ନାହିଁ... । ଶେଖ୍‌ ଅଖ୍‍ତାର, ହାରୁ ମିଆଁ, ଇଞ୍ଜିନିୟର ବ୍ରହ୍ମେଶ୍ୱର ଏବଂ ଦିଲୁ ମିଆଁ ଏବଂ ଆମ ପ୍ରେସ୍‍ର ଚୌକିଦାର କିଶୋର ଯାଦବଙ୍କୁ ହାଜତରେ ରଖାଯାଇଛି ।’’

 

କିଛି ସମୟ ନିର୍ବାକ୍‌ ହୋଇଗଲେ ଶ୍ରୀମୟୀ । ଅତୀତର ଅନ୍ଧଗଳିରେ ଦେଖିଥିବା ଦୁଇଟା ମୁହଁର ବୀଭତ୍ସ ଦୃଷ୍ଟି ଭାସି ଉଠିଲା ଆଖି ଉପରେ । ସେ ଚମକି ପଡ଼ିବା ପରି ଚହଲିଗଲେ ।

 

ସତ୍ୟକାମ ମା’ଙ୍କ ପାଖକୁ ଲାଗିଆସି କହିଲା, ‘‘କ’ଣ ହେଲା ମା’ ? ତମେ ବିଶ୍ରାମ ନ କରି ଚେଇଁଥିଲ କାହିଁକି ଯେ... କ୍ଲାନ୍ତ ଲାଗୁଥିବ, ଶୋଇବ ଚାଲ... ।’’

 

- ‘‘ନା, ମୁଁ ସୁସ୍ଥ ଅଛି ପୁଅ ! ମୁଁ ବଞ୍ଚିଥିଲି ଏଇ ଦୃଶ୍ୟ ଦେଖିବାପାଇଁ । ଭଗବାନ୍‌ ମତେ ବଞ୍ଚାଇ ରଖିଥିଲେ ସେ କିପରି ନ୍ୟାୟ ବିଚାର କରନ୍ତି ସେଇ ଦୃଶ୍ୟ ଦେଖିବା ପାଇଁ... ମୋର ବ୍ରତ ସମାପ୍ତ ହୋଇଛି... ।’’

 

ସ୍ତବ୍ଧ ହୋଇ ଶୁଣୁଥିଲା ସତ୍ୟକାମ ।

 

ମା’ ଯେ ଗୋଟିକ ପରେ ଗୋଟିଏ ସଙ୍କଟ ପାର ହେବାପାଇଁ ଭିତରେ ଭିତରେ ଲଢ଼େଇ କରୁଥିଲେ ନିଜ ସହିତ ତାହା ସେ ଅନୁଭବ କରିପାରୁଥିଲା ।

 

କିଛିକ୍ଷଣ ପାଇଁ ଦୁହେଁ ନିରବତା ଭିତରେ ବୁଡ଼ିଗଲେ ।

 

ତା’ପରେ ଶ୍ରୀମୟୀ ମୁଣ୍ଡ ଉଠାଇ କହିଲେ, ‘‘ପୋଷ୍ଟମର୍ଟମ୍‌ ପରେ ପୁଲିସ୍‌ ହୁଏତ ମୃତକମାନଙ୍କ ଶବ ଆତ୍ମୀୟମାନଙ୍କୁ ଅର୍ପଣ କରିବ... ଯଦି କେହି ନ ଥାନ୍ତି ତେବେ ହୁଏତ ରେଡ଼କ୍ରସ ସେଇ କାମ କରିବ... । କିନ୍ତୁ ତୋ କର୍ତ୍ତବ୍ୟ ଏଇଠାରେ ଶେଷ ହୋଇଗଲାନି ବାପା ।’’

 

କିଛିକ୍ଷଣ ରହିଯାଇ କହିଲେ, ‘‘ପ୍ରଥମ ଆସାମୀର ଶବକୁ ମୁଖାଗ୍ନି ଦବୁ ପୁଅ...’’

 

- ‘‘ଏ କାମ ମତେ କରିବାକୁ ହେବ ମା’ ?’’ ସନ୍ଦିଗ୍ଧ ସ୍ଵରରେ ପଚାରିଲା ସତ୍ୟକାମ ।

 

- ‘‘ହଁ ବାପା, ତୋତେ ଏ କାମ କରିବାକୁ ହେବ । ଭାରତୀୟ ସନାତନ ଧର୍ମର ପରମ୍ପରା ଅନୁସାରେ ଏଇ କର୍ତ୍ତବ୍ୟ ପାଳନ କରିବାକୁ ହୁଏ... ।’’

 

ତା’ପରେ ମୁହଁ ତଳକୁ କରି ଧୀରେ ଧୀରେ ସେ ତାଙ୍କ କୋଠରି ଭିତରକୁ ଚାଲିଗଲେ ।

 

ସ୍ତବ୍ଧ ସତ୍ୟକାମ ଗୋଟିଏ ସ୍ଥାନରେ ଏକଲୟରେ ଛିଡ଼ା ହୋଇ ରହିଗଲା । ତା’ ଆଖି ଆଗରେ ଭାସି ଉଠୁଥିଲା ଚଳଚ୍ଚିତ୍ରର ସେଇ ଛବି... । ସୁନନ୍ଦାର ସର୍ବସ୍ୱ ହରାଇଥିବାର ଅକୁହା ଯନ୍ତ୍ରଣା... ସେଇ ତା’ହେଲେ ତା’’ ମାଆ... ସର୍ବଂସହା ଧରିତ୍ରୀ !

 

ପୃଥିବୀ ଘୂରୁଚି, କିନ୍ତୁ ଯାହା ଶାଶ୍ୱତ ସତ୍ୟ ଓ ଧ୍ରୁବ ନିଶ୍ଚିତ ତାହାର ପରିବର୍ତ୍ତନ ନାହିଁ ।

 

ସମୟର ପ୍ରବାହରେ ସତ୍ୟର ପରିବର୍ତ୍ତନ ହୁଏ ନାହିଁ, ବରଂ ତାହା ଜାଜ୍ଵଲ୍ୟମାନ ହୋଇ ରହିଥାଏ ।

 

Image